ଓଶୋ ଥରେ ଏହି କାହାଣୀଟି ତାଙ୍କ ଅନୁଗାମୀମାନଙ୍କୁ କହିଥିଲେ।
ଥରେ ଈଶ୍ବରଙ୍କ ଅଦାଲତରେ ରାତ୍ରି ପହଞ୍ଚି ଫେରାଦ ହେଲେ ଯେ ସୂର୍ଯ୍ୟ ତାଙ୍କୁ ଶାନ୍ତିରେ ରଖେଇ ଦେଉ ନାହାନ୍ତି। ସର୍ବଦା ତା ପଛରେ ଗୋଡ଼ାଇଛନ୍ତି। ରାତିରେ ଟିକିଏ ବିଶ୍ରାମ ମିଳୁଛି କି ନାହିଁ, ସକାଳୁ ପୁଣି ସେ ହାଜର ହୋଇଯାଉଛନ୍ତି। ତେଣୁ ସୂର୍ଯ୍ୟଙ୍କୁ ଏଥିରୁ ନିବୃତ୍ତ କରାଯାଉ।
ଈଶ୍ବର ଏହା ଶୁଣି ସୂର୍ଯ୍ୟଙ୍କୁ ଡାକିଲେ। ରାତ୍ରି କରିଥିବା ଅଭିଯୋଗ ତାଙ୍କ ଆଗରେ ବଖାଣି ଏଭଳି ଆଚରଣରୁ ବିରତ ରହିବାକୁ କହିଲେ।
ସୂର୍ଯ୍ୟ କହିଲେ- କି ଆଶ୍ଚର୍ଯ୍ୟ କଥା? ଯାହାଙ୍କୁ ମୁଁ ଥରେ ହେଲେ ଦେଖି ନାହିଁ, ତାଙ୍କ ପଛରେ ମୁଁ ଅନୁଧାବନ କରୁଛି ବୋଲି ଆକ୍ଷେପ ଲଗାଇବା ଅତି ଅବାନ୍ତର କଥା। ଆପଣ ଯଦି ନିହାତି ମୋ କଥା ଅବିଶ୍ବାସ କରୁଛନ୍ତି, ତେବେ
ରାତ୍ରିଙ୍କୁ ମୋ ସାମନାକୁ ଡାକନ୍ତୁ। ଦେଖି, ମୋ ସାମନାରେ ସେ ଏହା କହନ୍ତୁ!
କହିବାର ଆବଶ୍ୟକତା ନାହିଁ ଯେ ମାମଲାଟି ସେଠାରେ ହିଁ ଅଟକି ଗଲା। କାରଣ ଈଶ୍ବର ଯେତେ ଚେଷ୍ଟା କଲେ ବି ସୂର୍ଯ୍ୟ ଓ ରାତିଙ୍କୁ ସମାନାସାମନି କରି ପାରିଲେ ନାହିଁ। ସୂର୍ଯ୍ୟଙ୍କ ଆସିବା ମାତ୍ରକେ ରାତ୍ରିଙ୍କ ଅସ୍ତିତ୍ବ ହଜିଗଲା। ଏହି ମାମଲା ଏବେ ବି ଈଶ୍ବରଙ୍କ ଅଦାଲତରେ ଅସମାହିତ ହୋଇ ପଡ଼ିଛି।