ସ˚ପ୍ରତି ପାକିସ୍ତାନରେ ଏକ ‘ଶ୍ରୀଲଙ୍କା’ ନାଟକ ମଞ୍ଚସ୍ଥ ହେବାକୁ ଯାଉଥିବା ବେଳେ ‘ଆଇ.ଏମ୍‌.ଏଫ୍‌.’ ବା ‘ଆନ୍ତର୍ଜାତିିକ ମୁଦ୍ରା ପାଣ୍ଠି’ ସୂତ୍ରରୁ ମିଳିବାକୁ ଥିବା ଋଣର ସମ୍ଭାବନା ସେଠାରେ ଆଶାର ଏକ କ୍ଷୀଣ ଆଲୋକ ରେଖା ସୃଷ୍ଟି କରିଛି। କିଛି ଦିନ ହେଲାଣି ପାକିସ୍ତାନର ତୀବ୍ର ଆର୍ଥିକ ସ˚କଟ ପୃଥିବୀ ତମାମ ବିଭିନ୍ନ ଗଣମାଧୢମରେ ଶିରୋନାମା ମଣ୍ତନ କରି ଚାଲିଥିବାରୁ ଏହି ସ୍ତମ୍ଭର ଅଧିକା˚ଶ ପାଠକପାଠିକା ଅବଗତ ଥିବେ ଯେ ସେଠାକାର ବିଦେଶୀ ମୁଦ୍ରା ଭଣ୍ତାର ସ˚କୁଚିତ ହୋଇ ୩.୭ ବିଲିଅନ ଡଲାରରେ ପହଞ୍ଚିଛି, ଯହିଁରେ ପାକିସ୍ତାନର ବୈଦେଶିକ କାରବାର ମାତ୍ର ଦୁଇ ସପ୍ତାହ ଲାଗି ଚାଲିବା ସମ୍ଭବ ହୋଇପାରେ।

Advertisment

ଏହି କାରଣରୁ ସେଠାରେ ବିଦେଶରୁ ଆମଦାନି ପ୍ରାୟତଃ ବନ୍ଦ ହୋଇଯାଇଛି ଏବ˚ କରାଚୀ ବନ୍ଦରରେ ୮୦୦୦ ସରିକି ‘କଣ୍ଟେନର’ରୁ ଦ୍ରବ୍ୟ ଖଲାସ ହୋଇ ପାରୁନାହିଁ; ଯାହା ସ୍ବାଭାବିକ ଭାବେ ବିଦେଶୀ କଞ୍ଚା ମାଲ ଉପରେ ନିର୍ଭରଶୀଳ ପାକିସ୍ତାନର ଉଦ୍ୟୋଗକୁ ମୃତପ୍ରାୟ କରିବା ସହିତ ବଜାରରେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦାରୁଣ ଅଭାବ ସୃଷ୍ଟି କରି ମୁଦ୍ରାସ୍ଫୀତିରେ ୨୭ ପ୍ରତିଶତର ତୀକ୍ଷ୍‌ଣ ବୃଦ୍ଧି ଘଟାଇଛି। ଏଭଳି ଏକ ସ୍ଥିତିରେ ଟିକିଏ ଗହୀରେଇ ଦୃଷ୍ଟି ନିକ୍ଷେପ କଲେ ଦିଶିଥାଏ କିଭଳି ଆର୍ଥିକ ସ˚କଟ ସହିତ ଉଭୟ ସାମାଜିକ ଏବ˚ ରାଜନୈତିକ ସ˚କଟର ଘୂର୍ଣ୍ଣିଝଡ଼ ମଧୢ ସୃଷ୍ଟି ହୋଇ ପାକିସ୍ତାନକୁ ଅଣାୟତ୍ତ କରି ସାରିଲାଣି। ଏହି ପରିପ୍ରେକ୍ଷୀରେ ଏଭଳି ସ୍ଥିତିର କାରଣମାନ କ’ଣ ହୋଇପାରେ, ତାହା ଜାଣିବା ସକାଶେ ଏକ କ୍ଷୁଦ୍ର ଆଲୋଚନାର ଆବଶ୍ୟକତା ଅନୁଭବ କରି ହୋଇଥାଏ।

ଏହାର ସର୍ବ ପ୍ରଥମ କାରଣ ସ୍ବାଧୀନତା ପର ଠାରୁ ଆଜି ପର୍ଯ୍ୟନ୍ତ ପାକିସ୍ତାନର ମଙ୍ଗ ଧରିଥିବା ବ୍ୟକ୍ତିବିଶେଷଙ୍କ ଠାରେ ଦୂରଦୃଷ୍ଟିର ସ˚ପୂର୍ଣ୍ଣ ଅଭାବ, ଯାହାର ଉଦାହରଣ ମିଳିଥିଲା ଭାରତ ଓ ପାକିସ୍ତାନ ବିଭାଜନ କାଳରେ ଯେତେବେଳେ ପାକିସ୍ତାନ ତା’ ପକ୍ଷର ଭାଗ ସ୍ବରୂପ ସମୁଦାୟ ରାଜସ୍ବର ୧୭ ଭାଗ ଅର୍ଥାତ୍‌ ଏକ-ଷଷ୍ଠା˚ଶ ଚାହିଁଥିବା ବେଳେ ସୈନ୍ୟ ବଳର ୩୩ ଭାଗ ଅର୍ଥାତ୍‌ ଏକ ତୃତୀୟା˚ଶ ଲାଗି ଦାବି କରିଥିଲା। ଏଥିରୁ ସହଜରେ ଧାରଣା କରି ହୋଇଥାଏ ଯେ ପାକିସ୍ତାନ ମୂଳରୁ ସାମରିକ ଶକ୍ତିର ପ୍ରାଧାନ୍ୟ ଉପରେ ହିଁ ଗୁରୁତ୍ବ ପ୍ରଦାନ କରିଥିଲା, ଯାହା ଅବଲୀଳା କ୍ରମେ ପାକିସ୍ତାନର ସର୍ବମୟ କର୍ତ୍ତାରେ ପରିଣତ ହୋଇଛି ଓ ପାକିସ୍ତାନର ଚରମ ରାଜନୈତିକ ଅସ୍ଥିରତାର କାରଣ ମଧୢ ପାଲଟିଛି।

ଦ୍ବିତୀୟ କାରଣଟି ହେଲା, ଭାରତ, ଚୀନ, ଆଫଗାନିସ୍ତାନ ଓ ଇରାନର ସୀମା ସ˚ଲଗ୍ନ ଏହି ରାଷ୍ଟ୍ର ଦ୍ବାରା ସ୍ବାଭାବିକ ଭାବେ ପ୍ରାପ୍ତ ଭୂ-ରାଜନୈତିକ ଓ ରଣନୈତିକ ଗୁରୁତ୍ବର ଅପବ୍ୟବହାର ଏବ˚ ଏହି ଅଞ୍ଚଳ‌େର ଏକ ଶକ୍ତି କେନ୍ଦ୍ର ରୂପେ ଆବିର୍ଭୂତ ହେବାର ବୃଥା ପ୍ରୟାସ। ଉଲ୍ଲେଖଯୋଗ୍ୟ ଯେ ଏହି ଭୂ-ରାଜନୈତିକ ଓ ରଣନୈତିକ ଗୁରୁତ୍ବକୁ ହୃଦୟଙ୍ଗମ କରି ଏହି ଭୂଖଣ୍ଡରେ ସୋଭିଏତ୍‌ ରୁଷିଆର ପତିଆରାକୁ ନିଷ୍ପ୍ରଭ କରିବା ସକାଶେ ଯୁକ୍ତରାଷ୍ଟ୍ର ଆମେରିକା ୧୯୫୦ ମସିହାରୁ ପାକିସ୍ତାନକୁ ଏକ ମିତ୍ର ରାଷ୍ଟ୍ରର ଆଖ୍ୟା ଦେଇ ବିପୁଳ ଆର୍ଥିକ ଓ ସାମରିକ ସାହାଯ୍ୟ ପ୍ରଦାନ କରି ଆସିଥିଲା; ଯାହାର ବିଶାଳତାର ଆଭାସ ଏଥିରୁ ମିଳିଥାଏ ଯେ ୨୦୧୦ ମସିହା ପର୍ଯ୍ୟନ୍ତ ଛଅ ଦଶନ୍ଧି କାଳଖଣ୍ତରେ ଏହାର ପରିମାଣ ହେଉଛି ୩୦ ବିଲିଅନ ଡଲାର।

ତେବେ ଏଭଳି ଏକ ଶକ୍ତି କେନ୍ଦ୍ର ରୂପେ ନିଜକୁ ସାବ୍ୟସ୍ତ କରିବା ଲାଗି ଯୁଦ୍ଧଖୋର ପାକିସ୍ତାନ ପୋଷଣ କରିଥିବା କାଶ୍ମୀର ଦଖଲର ସ୍ବପ୍ନ ଅଥବା ଆଫଗାନିସ୍ତାନ ଉପରେ କର୍ତ୍ତୃତ୍ବ ପ୍ରତିଷ୍ଠାର ଅଭିଳାଷ ତାକୁ ଏହି ଅର୍ଥ ରାଶିର ଚରମ ଅପଚୟ ଦିଗରେ ହିଁ ପ୍ରରୋଚିତ କରିଥିଲା, ଯେଉଁ ଅର୍ଥ ସ୍ରୋତରୁ ସୃଷ୍ଟ ତାଲିବାନ ଏବେ ଓଲଟି ପଡ଼ି ସେମାନଙ୍କ ସ୍ରଷ୍ଟା ରାଷ୍ଟ୍ରର ମଞ୍ଜ ଉପରେ ପ୍ରହାର କରିବା ଆରମ୍ଭ କରିଛି। ଏହା ମଧୢ ପାକିସ୍ତାନର ଅର୍ଥନୀତିକୁ ଦାରୁଣ ଭାବେ କ୍ଷତିଗ୍ରସ୍ତ କରିଛି, ଯାହା ହୁଏ’ତ ଏକ ଶାନ୍ତ ରାଜନୈତିକ-ସାମାଜିକ ପରିବେଶରେ ଘଟନ୍ତା ନାହିଁ।

ଉଲ୍ଲେଖଯୋଗ୍ୟ ଯେ ଆମେରିକୀୟ ଅର୍ଥ ସାହାଯ୍ୟର ‘କ୍ରଚ୍‌’ ଉପରେ ଏକାନ୍ତ ନିର୍ଭରଶୀଳ ହୋଇ ବଢ଼ିିଥିବା ପାକିସ୍ତାନ ସକାଶେ ଋଣ କରିବା ସମ୍ଭବତଃ ଏକ ଆସକ୍ତିରେ ପରିଣତ ହୋଇଛି, ଯାହାର ପ୍ରମାଣ ସ୍ବରୂପ ତଥ୍ୟଟି କହିଥାଏ ଯେ ଗଲା ଚାଳିଶ ବର୍ଷ ମଧୢରେ ପାକିସ୍ତାନ ୧୩ ଥର ‘ଆଇଏମ୍‌ଏଫ୍‌’ ଠାରୁ ଋଣ କରିଛି, ଅର୍ଥାତ୍‌ ପ୍ରତି ତିନି ବର୍ଷରେ ଥରେ। ଏହା ବ୍ୟତୀତ ପାକିସ୍ତାନ ଉପରେ ଥିବା ଚୀନା ଋଣର ପରିମାଣ ହେଉଛି ୩୦ ବିଲିଅନ ଡଲାର୍। ପ୍ରକାଶ ଥାଉ କି ଅନ୍ତତଃ ୯ ବିଲିଅନ ଡଲାର ଋଣ ତୁରନ୍ତ ପରିଶୋଧ ନ କଲେ ପାକିସ୍ତାନ ଋଣ ଖିଲାପକାରୀ ଭାବେ ପରିଗଣିତ ହେବ। ସୁତରା˚, ‘ଆଇଏମ୍‌ଏଫ୍‌’ ଋଣର ଏକ ବିଶାଳ ଅ˚ଶ ଆଉ ଏକ ଋଣ ପରିଶୋଧରେ ବ୍ୟୟିତ ହେବ। ଏହା ହେଉଛି ସ˚କଟର ତୃତୀୟ କାରଣ, ଯାହା ପାକିସ୍ତାନକୁ ଏକ ‘ଦୁଷ୍ଟ ଚକ୍ର’ର ଅ˚ଶବିଶେଷ କରିବା ସହିତ ତା’ର ମୁକ୍ତିର ବାଟକୁ ଅବରୋଧ କରି ପକାଇଥିବା ଭଳି ପ୍ରତୀତ ହୋଇଥାଏ।

କହିବା ବାହୁଲ୍ୟ ଯେ ଏହି ଋଣ ଲାଗି ‘ଆଇଏମ୍‌ଏଫ୍‌’ କେତେକ ଅତ୍ୟନ୍ତ କଠିନ ସର୍ତ୍ତ ରଖିଛି, ଯାହାକୁ ପାଳନ କରିବାର ବାଧୢବାଧକତା ପାକିସ୍ତାନ ସରକାରଙ୍କ ସକାଶେ ଏକ ତୀବ୍ର ଧର୍ମ ସ˚କଟ ସୃଷ୍ଟି କରିଥିବ। ଏହି ସର୍ତ୍ତ ଆଧାରରେ ସରକାରୀ ସବ୍‌ସିଡି ଓ ରିହାତି ଉଚ୍ଛେଦ ସେଠାରେ ପେଟ୍ରୋଲ, ଡିଜେଲ ଏବ˚ ବିଜୁଳି ଦରରେ ତୀବ୍ର ବୃଦ୍ଧି ଘଟାଇବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନରେ ସାମରିକ ଓ ଗଣତନ୍ତ୍ର ଶାସନର ଲୁଚକାଳି ଖେଳ ଭିତରେ କିଛି କାଳ ସକାଶେ କ୍ଷମତାସୀନ ହେଉଥିବା ରାଜନୈତିକ ଦଳଗୁଡ଼ିକ ଜନ ସମର୍ଥନ ଲାଭ କରିବା ଆଶାରେ ଯେଉଁ ବିପୁଳ ସବ୍‌ସିଡି ଓ ରିହାତି ପ୍ରଦାନ କରିବାର ପର˚ପରା ସୃଷ୍ଟି କରିଛନ୍ତି, ତାହା ହେଉଛି ପାକିସ୍ତାନର ଆର୍ଥିକ ଦୁର୍ଗତି ପଛରେ ରହିଥିବା ଚତୁର୍ଥ କାରଣ। ଏହି ସବ୍‌ସିଡିର ପରିମାଣ କିଭଳି ବିଶାଳ ହୋଇପାରେ ତା’ର ଧାରଣା ଏଥିରୁ ମିଳିଥାଏ ଯେ ଶସ୍ତା ବିଜୁଳି ଯୋଗାଣ ଲାଗି ପାକିସ୍ତାନ ସରକାର ବାର୍ଷିକ ଏକ ଟ୍ରିଲିଅନ ପାକିସ୍ତାନୀ ଟଙ୍କା ସବ୍‌ସିଡି ରୂପେ ବ୍ୟୟ କରିଥାଆନ୍ତି। ପୁଣି ଏଭଳି ଏକ ଘଡ଼ିସନ୍ଧି ସମୟରେ ପାକିସ୍ତାନକୁ ପ୍ଳାବିତ କରି ଦେଇଥିବା ଅଭୂତପୂର୍ବ ବନ୍ୟା ପାକିସ୍ତାନର ଅର୍ଥନୀତି ଉପରେ ଏକ ଅନ୍ତିମ ପ୍ରହାର ଭଳି ସାବ୍ୟସ୍ତ ହୋଇଛି।

‘କାଶ୍ମୀର ଅଧିକାରର ସ୍ବପ୍ନ’, ‘ଆଫଗାନିସ୍ତାନ ଉପରେ ପ୍ରଭାବ ବିସ୍ତାରର ମହତ୍ତ୍ବାକା˚କ୍ଷା’, ‘ଚୀନ ସହିତ ବନ୍ଧୁତା ବଳରେ ଏକ ଶକ୍ତିଶାଳୀ ‘ଅକ୍ଷ’ ନିର୍ମାଣର ପରିକଳ୍ପନା’ ଆଦି ଭଳି ସମ୍ଭାବନାକୁ ମୁଲାୟମ କମ୍ବଳ ବୋଲି ବିଚାର କରି ହୁଏ’ତ ପାକିସ୍ତାନ ଏକଦା ସେ ସବୁକୁ ମାଡ଼ି ବସିଥିବ; ଅଥଚ ସେଗୁଡ଼ିକ ଯେ କମ୍ବଳ ନୁହନ୍ତି ବରଂ ଗୋଟିଏ ଗୋଟିଏ ଭଲ୍ଲୁକ, ତାହା ଏବେ ଜଣା ପଡ଼ିଗଲାଣି। ସୁତରାଂ, ଯଦିବା ପାକିସ୍ତାନ ସେମାନଙ୍କୁ ନିଜ ଆଶ୍ଳେଷରୁ ମୁକ୍ତ କରିବାକୁ ଚାହୁଁଥିବ (ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବୀକାରୋକ୍ତି ଯେ ଭାରତ ସହିତ ଶତ୍ରୁତାରୁ ପାକିସ୍ତାନ ଶିକ୍ଷା ପାଇ ସାରିଲାଣି), ସେମାନେ ପାକିସ୍ତାନକୁ ଆପଣା ଭଲ୍ଲୁକ ଆଲିଙ୍ଗନରୁ ମୁକ୍ତ କରିବା ଲାଗି ପ୍ରସ୍ତୁତ ହେବେନାହିଁ। ଏବେ ପୁଣି ‘ଆଇ.ଏମ୍‌.ଏଫ୍‌.’ ଆଉ ଏକ ଭଲ୍ଲୁକ ତୁଲ୍ୟ ରୂପ ନେଇ ଆବିର୍ଭୂତ ହୋଇଛି, ଯାହାକୁ ‘ଛାଡ଼ିବ’ ନା ‘ଧରିବ’ର ଦ୍ବନ୍ଦ୍ବ ମଧୢରେ ଅଗତ୍ୟା ତା’ର ଲାଞ୍ଜ ଧରି ବୃକ୍ଷ ଚାରିପଟେ ଘୂରି ବୁଲିବା ଭଳି ସ୍ଥିତି ପାକିସ୍ତାନ ସମ୍ମୁଖରେ ଉପନୀତ। କିନ୍ତୁ ଏହିଭଳି ଘଟନାମାନର ଘନଘଟା ମଧୢରେ ଯାହାକୁ ନଜରଅନ୍ଦାଜ କରା ଯାଇପାରୁ ନାହିଁ, ତାହା ହେଲା ପାକିସ୍ତାନ ଏକ ପରମାଣୁ ଅସ୍ତ୍ର ଧାରୀ ରାଷ୍ଟ୍ର ଏବ˚ ସେ ଦେଶ ମଧୢ ଆତଙ୍କବାଦୀଙ୍କ ଚାରଣ ଭୂମି। ସୁତରା˚, ସେଠାରେ ଏକ ଦୃଢ଼ ଅର୍ଥନୀତି ବା ଦୃଢ଼ ଶାସନ ସମ୍ଭବ ନ ହେଲେ ସମଗ୍ର ପୃଥିବୀ ଲାଗି ତାହା ବିପଦର ଆଶଙ୍କା ବହନ କରିବ।