ବର୍ଷକ ତଳେ ୨୦୨୨ ଆସୁ ଆସୁ ଆମକୁ ବହୁ ମୂଲ୍ୟ ଦେବାକୁ ପଡ଼ିଲା। ସେ ଲତା ମଙ୍ଗେଶକରଙ୍କୁ ଛଡ଼େଇ ନେଇଗଲା। ଆମେ ଶୂନ୍ୟ ତ ହୋଇଗଲେ, ହତପ୍ରଭ ଆଉ କିଛି ସୀମା ଯାଏ ଅବାକ ହୋଇଗଲେ ମଧ୍ୟ। ସିଏ ୯୨ ବର୍ଷର ହୋଇଥିଲେ ଏବଂ କିଛି ବର୍ଷ ହେଲା ନଥିଲା ପରି ରହିଥିଲେ। ତେବେ ସିଏ କ’ଣ ଥିଲେ? ଫିଲ୍ମର ପାର୍ଶ୍ବଗାୟିକା! ତଥାପି ଏତେ ଶୋକ କାହିଁକି ଯେ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି? ଏମିତି କି ଗହନ କଥା ଘଟିଲା ଯେ ଆମ ଭାରତ, ପାକିସ୍ତାନ ଆଉ ବାଂଲାଦେଶ ଏବଂ ଯୋଉଠି ଯୋଉଠି ତାଙ୍କର ଶ୍ରୋତା ରହିଛନ୍ତି, ସେଠି ଅବସୋସର ନିରବତା ଛାଇଗଲା? ଏହି ରହସ୍ୟ କେବେ ଉନ୍ମୋଚନ ହୋଇପାରିନାହିଁ, କାରଣ କଳା ଏମିତି ଏକ ସାର୍ବଜନୀନ ରହସ୍ୟର ନାମ। ନା ଆମେ ପିକାସୋଙ୍କର ଶ୍ରେଷ୍ଠ ଚିତ୍ରକଳା ‘ଗର୍ଣ୍ଣିକା’ର ରହସ୍ୟ ଖୋଜି ବାହାର କରିପାରିଛେ ନା ଭିଂସିଙ୍କ ‘ମୋନାଲିସା’ର, ନା ନନ୍ଦଲାଲ ବୋଷଙ୍କ ‘ଗାନ୍ଧୀ’ ଚିତ୍ରପ୍ରତିମାର ନା ଲତା ମଙ୍ଗେଶକରଙ୍କର।

Advertisment

ଲତାଙ୍କ ବିଷୟରେ ଆମେ ଯେତେ ଯାହା କହୁଛେ ଓ ଲେଖୁଛେ, ତାହା ପର୍ଯ୍ୟାପ୍ତ ହୋଇପାରୁନାହିଁ। ଏମିତି ଲାଗୁଛି ଯେମିତି କି ଏପରି କିଛି ରହିଥିଲା ଯାହାକୁ ଆମେ କହି-ଲେଖି-ବୁଝେଇ ପାରି ବି ନା ଲେଖି ପାରୁଛେ, ନା କହିପାରୁଛେ ନା ବୁଝେଇପାରୁଛେ। ଗାନ୍ଧୀଙ୍କ ଉପରେ ‘ଦିନକର’ ଲେଖିଥିବା ‘କେତେ କ’ଣ କହିବି, କିନ୍ତୁ କହିବାର ଶୋଷ ବହୁତ ରହିଯାଉଛି’ କବିତାଟି ଆଜି ଲତାଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେଉଛି।
ତେର ବର୍ଷ ବୟସରେ ଯେଉଁ କିଶୋରୀ ଆମ ମନକୁ ଛୁଇଁବା ଆରମ୍ଭ କରିଥିଲା, ସେ କେବେ ଯେ ଆମର ମନକୁ ଗଢ଼ିବା ଆରମ୍ଭ କରିଦେଲା, ତାହା ଜଣା ପଡ଼ିଲାନି। ସିତାରର ପ୍ରତିଟି ତାରରେ ଝଙ୍କାର ତୋଳି ରବିଶଙ୍କର ଯେପରି ଲହର ସୃଷ୍ଟି କରୁଥିଲେ, ଲତାଜୀ ସେମିତି ଆମ ମନପ୍ରାଣର ପ୍ରତିଟି ତନ୍ତ୍ରୀକୁ ଝଂକୃତ କରି ଆମକୁ ସଂପୂର୍ଣ୍ଣ କରିଥିଲେ। ଆମର ରାଗ-ବିରାଗ, ହର୍ଷ-ଶୋକ, ଚଞ୍ଚଳତା-ଗାମ୍ଭୀର୍ଯ୍ୟ, ଭକ୍ତି-ସମର୍ପଣ ଓ ଈର୍ଷା-ଦ୍ବେଷ ସବୁକୁ ସେ ଯେପରି ସ୍ବରରେ ତୋଳି ଧରିଥିଲେ, ଆଉ କେହି ସେପରି କରିପାରିନାହାନ୍ତି। ସେଥିରେ କେବଳ ତାଙ୍କ ଗାୟନଶୈଳୀର ଯାଦୁ ଭରି ରହିନଥିଲା, ପରନ୍ତୁ ପୂରା ସମୟ ବି ରହିଥିଲା ଯେତେବେଳେ ସେ ଗଢ଼ି ଉଠିବା ସହ ଭାରତକୁ ସ୍ବାଧୀନ କରିବାର ଯାତ୍ରା ମଧ୍ୟ ଆରମ୍ଭ ହୋଇଯାଇଥିଲା। ସିଏ ସ୍ବତନ୍ତ୍ର ଦେଶର ପ୍ରଥମ ସ୍ବତନ୍ତ୍ର ସ୍ବର ଥିଲେ।

ଆମେ ଯେଉଁ ରକ୍ତରଞ୍ଜିତ ସ୍ବାଧୀନତା ଲାଭ କଲୁ, ତାହା ତ ଅକଳ୍ପନୀୟ ଥିଲା। ଆମକୁ ରକ୍ତ ଜୁଡ଼ୁବୁଡ଼ୁ ବିଭାଜିତ ଦେଶ ମିଳିଲା। ଦେଶ ମିଳିଲା, କିନ୍ତୁ ଗାନ୍ଧୀ ମିଳିଲେନି। ଦେଶ ମିଳିଲା, କିନ୍ତୁ ସେହଗାଲ, ନୂରଜହାଁଙ୍କ ପରି ଅନେକଙ୍କ ସଙ୍ଗ ଛାଡ଼ିବାକୁ ପଡ଼ିଲା। ଆକାଶରୁ ଆମେ ଭୂଇଁରେ ଖସିପଡ଼ିଲା ପରି ମାଟି ଉପରେ ସତେ ଯେମିତି ଆକାଶ ଛିଣ୍ଡିପଡ଼ିଲା। ଆଗରେ ଖଣ୍ଡବିଖଣ୍ଡିତ ହୋଇ ଆଣ୍ଠେଇବାର ବିପଦ ଓ ଆଶଙ୍କା ରହିଥିଲା। ମାତ୍ର ଦେଶର ପ୍ରତିଟି ପ୍ରତିଭାକୁ ସମବେତ କରି ସେହି ତମାମ ଅନ୍ଧକାରକୁ ଅତିକ୍ରମଣ ପୂର୍ବକ ଭାରତ ଗଢ଼ିବା ପାଇଁ ଜବାହରଲାଲ ନେହରୁ ନିଜର ରାଜନୈତିକ ସାଥୀମାନଙ୍କୁ ଯେପରି ଉତ୍ସାହିତ କରିଥିଲେ, ଭାରତୀୟ ମନକୁ ଦୋହଲାଇ ନବନିର୍ମାଣ ପାଇଁ ଯେପରି ଅନ୍ତଃସ୍ରୋତ ପ୍ରବାହିତ କରାଇଲେ, ଆଜି ତାହାର ଚିତ୍ରପଟ ଆଙ୍କିବା ଆମ ପାଇଁ କଷ୍ଟକର। କାରଣ ଇତିହାସକୁ ଆମେ ତ ପଢ଼ିପାରିବା, ମାତ୍ର ତାହାକୁ ଫେରାଇ ଆଣି ପାରିବା ନାହିଁ। ବାସ୍ତବରେ କଠୋର ଭୂଇଁ ଉପରେ ପାଦ ରଖି ଆକାଶକୁ ଛୁଇଁବା ଓ ତାହାକୁ ଭାରତ ମାଟିରେ ଓହ୍ଲାଇ ଦେବାର ସେହି ଅବସର ଥିଲା ଯେତେବେଳେ ଲତା ନିଜର କଣ୍ଠସ୍ବର ତୋଳିଥିଲେ। କଳା ତ ସ୍ବତନ୍ତ୍ର ହୋଇଥାଏ, ତେବେ ଦେଶ-କାଳର ଗୁଞ୍ଜନ ତାହାକୁ ଗଢ଼ିଥାଏ ଓ ସଜେଇଥାଏ ମଧ୍ୟ। ସେଥିପାଇଁ ତ କଳାର ନିଜସ୍ବ ଆଖି, କାନ ଓ ହୃଦୟ ରହିଛି ବୋଲି କୁହାଯାଏ। ଲତାଙ୍କ କଣ୍ଠସ୍ବର ଏହି ତିନିଙ୍କୁ ଏକ କରିଦେଇଥିଲା।

ବିଶେଷ ଭାବରେ ୧୯୪୦ରୁ ୧୯୬୦ ଯାଏ ହିନ୍ଦୀ ଫିଲ୍ମ ଦୁନିଆର ସୁବର୍ଣ୍ଣ ଯୁଗ ଥିଲା। ତାହା ସ୍ବାଧୀନ ଭାରତର ବି ସ୍ବର୍ଣ୍ଣକାଳ ଥିଲା। ଧର୍ମ-ଜାତି-ପ୍ରାନ୍ତ-ଭାଷା ପରି ସମସ୍ତ ପ୍ରାଚୀରକୁ ଭାଙ୍ଗି ସେହି ଭାରତ ମୁଣ୍ଡ ଟେକିଥିଲା, ଯେପରିକି ପ୍ରତିଭା ସାଗରରେ ସମସ୍ତ ବିଦ୍ବାନ ନିଜକୁ ଝାସ ଦେଇଥିଲେ। ଦେଶ ଗଠନ ଚାଲିଥିଲା। ତାହା ଦିଲ୍ଲୀପ-ରାଜ-ଦେବ-ମୀନାକୁମାରୀ-ନର୍ଗିସ, ମଧୁବାଳା-ନୂତନ-ଵହିଦାଙ୍କ ସମୟ ଥିଲା। ଏପଟେ ଲତା-ରଫି-ମୁକେଶ-ତଲତ-ମନ୍ନା ଦେ-ହେମନ୍ତ କୁମାରଙ୍କ ଠାରୁ ଚଳମାନ କିଶୋର କୁମାରଙ୍କ ସମୟ ଥିଲା। ସେହିପରି ତାହା ପ୍ରଦୀପ-ସାହିର-ଶୈଳେନ୍ଦ୍ର-ସକିଲ-କୈଫିଙ୍କର ଯୁଗ ବି ଥିଲା। ଏପଟେ ନୌସାଦ-ସଚିନଦେବ ବର୍ମନ୍‌-ମଦନ ମୋହନ-ଶଙ୍କର ଜୟକିଷନ୍‌-ରବି-ଖୈୟାମ୍‌ଙ୍କ କାଳ ବି ଥିଲା। ସେହିପରି ବିମଳ ରାୟ-ମେହବୁବ-କେ. ଆସିକ୍‌-ରାଜ କପୂରଙ୍କ ଜମାନା ବି ଥିଲା। ପ୍ରତି ସ୍ବାଧୀନ ଦେଶରେ ନିଜର ସ୍ବାଧୀନତା ଲକ୍ଷ୍ୟସ୍ଥଳ ଖୋଜୁଥାଏ। ଏଥିପାଇଁ ସମସ୍ତେ ନିଜ ନିଜର ଶ୍ରେଷ୍ଠତ୍ବ ସହିତ ଆସୁଥିଲେ। ଲତାଙ୍କ ବିଦାୟ ଶ୍ରେଷ୍ଠତ୍ବର ସେହି ପାଗଳପଣର ବିଦାୟ, ସେହି ସ୍ମୃତିର ବିଦାୟ।

ସାହିରଙ୍କ କଲମରୁ ବାହାରୁଥିବା ଫିଲ୍ମର ଅଜଣା ଗୀତର ସ୍ବର ତିଆରି କରିବା, ତାହାକୁ ଦିଲ୍ଲୀପ କି ମୀନାକୁମାରୀଙ୍କ ପାଇଁ ଗାଇବା ଯେତିକି ବଡ଼ ଆହ୍ବାନ ଥିଲା, ନର୍ଗିସ କି ନୂତନଙ୍କ ପାଇଁ ଲତାଙ୍କ ସ୍ବରକୁ ସାକାର କରିବା ମଧ୍ୟ ସେତିକି ବଡ଼ ଆହ୍ବାନ ଥିଲା। କିଛି ବି କମିଗଲେ ଭାରୀ ଅସୁବିଧା ହେବ ବୋଲି ସମସ୍ତେ ଜାଣିଥିଲେ। ଶାସ୍ତ୍ରୀୟ ଗାୟନ ଥିଲା ଲତାଙ୍କର ବଡ଼ ଦକ୍ଷତା ଯାହାର ଭିତ୍ତିଭୂମି ତାଙ୍କ ପିତା ତଥା ପ୍ରଖ୍ୟାତ ମରାଠୀ ସଂଗୀତକାର ଦୀନାନାଥ ମଙ୍ଗେଶକର ହିଁ ପ୍ରସ୍ତୁତ କରାଇଥିଲେ, ତେବେ ସେ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇପାରିନଥିଲା। ତେର ବର୍ଷର ବାଳିକା ଯେବେ ପରିବାର ପ୍ରତିପୋଷଣ ପାଇଁ ଘରୁ ବାହାରକୁ ପାଦ କାଢ଼ିଲା, ସେତେବେଳେ ସେହି ସାଧନା ଅଧୁରା ରହିଗଲା ଯେପରି ଶତାବ୍ଦୀ ଶତାବ୍ଦୀର ପୁରୁଣା ଗୁଲାମି ମାନସିକତାରୁ ମୁକ୍ତି ପାଇଁ ପ୍ରଚେଷ୍ଟା କରୁଥିବା ନବଜାତ ଦେଶକୁ ଅଧାରେ ଛାଡ଼ି ଦିଆଗଲା।

ମାତ୍ର ଲତାଙ୍କ ପାଖରେ ଯେଉଁ ଶିକ୍ଷଣର ପୁଞ୍ଜି ଥିଲା, ତାହାକୁ ସେ ସାଧନାରେ ଏମିତି ମଜାମଜି କରି ସଫା କରିଦେଲେ ଯେ ତାହା ଖାଣ୍ଟି ସୁନାରେ ପରିଣତ ହୋଇଗଲା। ଅମୀର ଖାଁଙ୍କ ଗାୟନ ବେଳେ ତାଙ୍କ ପାଖରେ ବସିଥିବା ଲତାଙ୍କୁ ମୁଁ ଦେଖିଛି, ସତେ ଯେପରି ସେ ସବୁ କିଛି ଗୋଳି ପିଇ ଯାଉଥିଲେ। ଆଖିରେ ପାପୁଲି ରଖି ଦୀର୍ଘ ସମୟ ଧରି ଧ୍ୟାନମଗ୍ନ ପରି ରହିଥିବା ଲତାଙ୍କୁ ମୁଁ ଦେଖିଛି। ଏହି ଏକାଗ୍ରତା ଏପରି ଖାଦ୍ୟ-ପାଣି ଥିଲା, ଯାହାକୁ ଛିଞ୍ଚି ଛିଞ୍ଚି ଲତା ନିଜକୁ ପରିପୁଷ୍ଟ କରିଥିଲେ। ସେ ଏମିତି ପରିପୁଷ୍ଟ କରିଥିଲେ ଯେ ଏକଦା ବଡ଼େ ଗୁଲାମ ଅଲି ଖାଁ ସ୍ନେହ ବରଷି କହିଥିଲେ ‘‘ଯେବେଠୁ ଏଇ ଝିଅଟିର ଗୁଣୁଗୁଣୁ ସ୍ବର ମୋ କାନରେ ବାଜିଛି, ସେବେଠାରୁ ମୁଁ ମୋ’ ନିଜ ସ୍ବରକୁ ଭୁଲିଯାଇଛି। ଦୁର୍ଭାଗ୍ୟବଶତଃ ବି କେବେ ତାହା ବେସୁରା ହୋଇନାହିଁ।’’ ଫିଲ୍ମ ଦୁନିଆରେ ଏଭଳି ସାଧନା କ୍ବଚିତ୍‌ ଦେଖିବାକୁ ମିଳିଥାଏ।

ଏକାଗ୍ରତା, ପବିତ୍ରତା, ମାଧୁର୍ଯ୍ୟ ଓ ସରଳତାର ସମ୍ମିଶ୍ରଣରେ ଲତା ଏପରି ନିପୁଣ ହୋଇଥିଲେ ଯେ ସେ କେବେ କିଛି ବି ନକଲି କି ବାଜେ ଗୀତ ଗାଉନଥିଲେ। ସେଥିପାଇଁ ସଂଗୀତକାର ହୁଅନ୍ତୁ ବା ଅଭିନେତ୍ରୀ, ସମସ୍ତେ ଚୁପ୍‌ଚାପ୍‌ ଲତାଙ୍କ ସହ କାମ କରୁଥିଲେ। ସେହି ସ୍ବର ଆଉ କମନୀୟତାର ସମକକ୍ଷ କରିବାର ଆହ୍ବାନ ସହଜ ନଥିଲା। ଲତା, ତାଙ୍କ ସ୍ବର ଆଉ ସେଇ କମନୀୟତାର ମିଶ୍ରଣରୁ ଛାଣି ହୋଇ ଯାହା ଆମ ପାଖରେ ପହଞ୍ଚୁଥିଲା, ତାହା କେବେ ‘ଆଲ୍ଲା ତେରୋ ନାମ, ଈଶ୍ବର ତେରୋ ନାମ’ ହୋଇ ଆସୁଥିଲା ତ କେବେ ‘ଦିଲ୍‌ ହୁମ୍‌ ହୁମ୍‌ କରେ, ଘବରାଏ’ ତ କେବେ ‘ସପନୋଁ କୀ ବାହେଁ’, ‘ପ୍ୟାର କିୟା ତୋ ଡରନା କ୍ୟା’ ଓ କେବେ ‘ଆଜ ଫିର ଜିନେ କୀ ତମନ୍ନା’ ହୋଇ ପହଞ୍ଚୁଥିଲା। ଏହା କୌଣସି ବଛାଯାଇଥିବା ଗୀତର ତାଲିକା ନୁହେଁ, କାରଣ ସେପରି ପ୍ରୟାସର ମାନେ କିଛି ନାହିଁ।

ମଣିଷ ମନର ଅଭିଳାଷ, ବ୍ୟାକୁଳତା, ବେଦନା ଆଉ ଆକାଂକ୍ଷା ଆଦି ଏମିତି କୌଣସି ବି ଭାବନା ନାହିଁ ଯାହାକୁ ଲତା ସ୍ବରରେ ସଜାଇ ପାରିନାହାନ୍ତି। ଆପଣ ଯେବେ ଲତାଙ୍କ ଗୀତକୁ ଶୁଣିବେ, ନିଜ ଭିତରେ ସବୁର ଗୁଞ୍ଜନ ଶୁଣିପାରିବେ। ‘ଏ ମେରେ ଵତନ କେ ଲୋଗୋ’ ପରି ଗୀତରେ ପ୍ରଦୀପଜୀ ଯେପରି ବଳିଦାନର ଉନ୍ମାଦନା ବଦଳରେ ପବିତ୍ରତା, ପଶ୍ଚାତ୍ତାପ ବଦଳରେ ବ୍ୟାକୁଳତା ଆଉ ରାଷ୍ଟ୍ରଭକ୍ତିର ଉନ୍ମାଦ ବଦଳରେ ପବିତ୍ର ରାଷ୍ଟ୍ରୀୟତାର ଅନୁଭବ ଛାଡ଼ିଥିଲେ, ଲତା ମଧ୍ୟ ଲୁହର ମାଳା ପିନ୍ଧି ତାହାକୁ ଆମ ଆଗରେ ପ୍ରତିପାଦନ କରିଥିଲେ। ତାହା ପରାଜୟର ଶୋକ ନହୋଇ ସଂକଳ୍ପ ଓ ଏକତାର ଗାନ ପାଲଟିଗଲା। ଲତାଙ୍କ ଗାୟନର ସେହି ଯାଦୁ ଫିଲ୍ମ ବାହାର ଗୀତରେ ମଧ୍ୟ ଦେଖିବାକୁ ମିଳିଥିଲା। ଅଠରଟି ଭାଷାରେ ସେ ଗାଇଥିବା ହଜାର ହଜାର ଗୀତର ସଂସାର ଆମକୁ ଏପରି ଭିଜାଇ ଚାଲିଛି ସତେ ଯେମିତି ମୂଷଳ ଧାରାରେ ହେଉଥିବା ବର୍ଷାରେ ନିଜେ ଯାଇ ଆକାଶ ତଳେ ଛିଡ଼ା ହୋଇଯାଇଛେ।

ସେ ଆଉ ନାହାନ୍ତି; ଆଉ ଯେପରି ମୁଁ ପ୍ରଥମରୁ ଲେଖିଛି, ସେ କିଛି ବର୍ଷ ହେଲା ନଥିଲେ। ମାତ୍ର ସେ ନଥିଲେ ବୋଲି ଅନୁଭବ କେବେ ଆସିନଥିଲା କି ସେ ନଥିବେ ବୋଲି କେବେ ସେପରି ଜଣାପଡ଼ିବନି। କାରଣ ସେ ଭାରତର ଆତ୍ମାର ସ୍ବର ଥିଲେ। ଭାରତ କେବେ ମୂକ ବା ବଧିର ହେବନାହିଁ।