୧୯୩୭ ମସିହା ଏପ୍ରିଲ ମାସରେ ଗାନ୍ଧୀଜୀ ଜଣେ ମହିଳା ସତ୍ୟାଗ୍ରହୀଙ୍କଠାରୁ ଚିଠିଟିଏ ପାଇଲେ। ଉକ୍ତ ସତ୍ୟାଗ୍ରହୀ ଗ୍ରାମାଞ୍ଚଳରେ ମଦ ବିରୋଧରେ କାମ କରୁଥିଲେ। ଚିଠିରେ ସତ୍ୟାଗ୍ରହୀ ନିଜ ଅନୁଭୂତି ଉଲ୍ଲେଖ କରିଥିଲେ। ଗାଁ ମାନଙ୍କରେ ମଦ ସୃଷ୍ଟି କରୁଥିବା ବିପର୍ଯ୍ୟୟ ନେଇ ଏକ ଦୃଶ୍ୟର ଏଥିରେ ବର୍ଣ୍ଣନା ଥିଲା। ଏବେ ମଧ୍ୟ ସେହି ଆବେଗିକ ଚିଠିର ପ୍ରାସଙ୍ଗିକତା ରହିଛି। ଭଉଣୀ ସତ୍ୟାଗ୍ରହୀ ଲେଖିଥିଲେ, ‘ବାପୁ, ମୁଁ ଏକ ଗାଁକୁ ଯାଇଥିଲି। ସେ ଗାଁରେ ମଦ୍ୟପାନ ଜନିତ ବିଭତ୍ସ ଦୃଶ୍ୟ ଦେଖିଲି। ମହିଳାମାନେ କାନ୍ଦୁଥିଲେ। କ’ଣ କରିବେ କିଛି ଜାଣି ପାରୁନଥିଲେ। ଘରର ପୁରୁଷମାନଙ୍କ ମଦ୍ୟପାନ ଘର ଉଜାଡ଼ି ସାରିଲାଣି। ଘରୋଇ ହିଂସା, ନିର୍ଯାତନା, ଦାରିଦ୍ର୍ୟ ଏବଂ ସମସ୍ତ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହେଉଛି ମଦ। ପୁରୁଷମାନେ ଅସଦ୍ ଆତ୍ମସୁଖରେ ରହୁଛନ୍ତି, ମହିଳାମାନେ କିନ୍ତୁ ଦୁଃଖ ଓ ଅଭାବର ବୋଝ ବୋହୁଛନ୍ତି। ସମସ୍ତ ମହିଳା ମଦ ବନ୍ଦ ହେବା ଚାହାଁନ୍ତି। କିନ୍ତୁ ଦୁଃଖର କଥା, ରାଜନେତାମାନେ ମଦ ଓ ନିଶା ନିବାରଣ ନେଇ କିଛି କରୁନାହାନ୍ତି। ଗାଁସବୁ କେମିତି ଏକ ସର୍ବଗ୍ରାସୀ ଧ୍ବଂସ ଆଡ଼କୁ ଦଉଡୁଛି। ବାପୁ, ଆପଣ ପ୍ରବନ୍ଧ କିମ୍ବା ପାମ୍ପଲେଟ୍‌ ଲେଖି ଲୋକଙ୍କୁ ମଦ୍ୟପାନରୁ ବିରତ ରହିବାକୁ ନିବେଦନ କରନ୍ତୁ।’

Advertisment

ମହିଳା ସତ୍ୟାଗ୍ରହୀଙ୍କ ଚିଠିକୁ ଆଧାର କରି ୧୯୩୭ ମସିହା ଏପ୍ରିଲ ୨୪ ତାରିଖ ‘ହରିଜନ’ ପତ୍ରିକାରେ ଗାନ୍ଧୀଜୀ ଏକ ପ୍ରବନ୍ଧ ଲେଖିଥିଲେ। ପ୍ରବନ୍ଧର ଶିରୋନାମା ଥିଲା, ‘କର୍ସ ଅଫ୍ ଡ୍ରିଙ୍କିଙ୍ଗ’ (ମଦ୍ୟପାନର ଅଭିଶାପ)। ଗାନ୍ଧୀଙ୍କ ଉତ୍ତର ଥିଲା, “ମୁଁ ମଦ ବିରୋଧରେ ଅନେକ ଥର ହରିଜନରେ ଲେଖିଛି। ମଦ୍ୟପାନର କୁପ୍ରଭାବ ନେଇ କହିଛି। ମଦ ପିଉଥିବା ଅଧିକାଂଶ ଲୋକ କିନ୍ତୁ ହରିଜନ ପତ୍ରିକା ପଢ଼ନ୍ତି ନାହିଁ। ଯେଉଁମାନେ ପଢ଼ନ୍ତି, ସେମାନେ ମଦକୁ ଏପରି ଅନ୍ତରଙ୍ଗ ଭାବେ ଆପଣାଇ ନେଇଛନ୍ତି ଯେ ମଦ ବିରୋଧରେ କିଛି କଥା ତାଙ୍କ ଉପରେ ପ୍ରଭାବ ପକାଏ ନାହିଁ। ଦାଣ୍ଡିଯାତ୍ରା ବେଳେ ମହିଳା ସତ୍ୟାଗ୍ରହୀମାନେ ମଦ ବିରୋଧରେ ଆନ୍ଦୋଳନ କରିଥିଲେ। ମଦ ଦୋକାନ ଆଗରେ ପିକେଟିଙ୍ଗ୍‌ କରିଥିଲେ। ମଦ ପିଉଥିବା ଲୋକଙ୍କୁ ମଦ ଛାଡ଼ିଦେବାକୁ ବୁଝାଇଥିଲେ। ମଦ ଦୋକାନୀ ଏବଂ ମଦ ଗ୍ରାହକମାନେ କିନ୍ତୁ ମହିଳାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ। ମାଡ଼ ବି ମାରିଥିଲେ। କେତେକ ମହିଳା ଜେଲ ଯାଇଥିଲେ। ଭାରତ ମଦମୁକ୍ତ ହେବା ଦରକାର। ମଦ ବିରୋଧୀ ଅଭିଯାନ କିନ୍ତୁ ଏକ ସାମୟିକ ଅଭିଯାନ ନୁହେଁ। ଏହା ଏକ ଧାରାବାହିକ ତଥା ନିରନ୍ତର ଅଭିଯାନ। ସରକାର ଓ ଶାସକବର୍ଗ ମଦ ସମ୍ପୂର୍ଣ୍ଣ ବନ୍ଦ ନ କଲା ପର୍ଯ୍ୟନ୍ତ ଏ ସଂଗ୍ରାମ ଚାଲୁ ରହିବ। ମହିଳାମାନେ କେବଳ ବ୍ୟାପକ ଜନମତ ସୃଷ୍ଟି କରି ପାରିବେ।”

ହରିଜନ ପତ୍ରିକାର ସେ ଦୀର୍ଘ ପ୍ରବନ୍ଧ ଭିତରେ ଗାନ୍ଧୀଜୀ ମହିଳାମାନଙ୍କୁ କିଛି ପରାମର୍ଶ ଦେଇଥିଲେ। ପରାମର୍ଶ ମଧ୍ୟରେ ଏକ ପ୍ରଶ୍ନ ଥିଲା, ମଦ ପିଉଥିବା ସ୍ୱାମୀମାନଙ୍କୁ ମଦମୁକ୍ତ କରିବାକୁ ସ୍ତ୍ରୀମାନେ କରୁଛନ୍ତି କ’ଣ? ସ୍ୱାମୀମାନଙ୍କର ପରିବର୍ତ୍ତନ ସ୍ତ୍ରୀମାନେ ହିଁ କରିପାରିବେ। କାରଣ ହେଲା, ନାରୀ ଏକ ପବିତ୍ର ଆତ୍ମା। ଏକ ନିର୍ମଳ ପବିତ୍ର ଆତ୍ମା ହିଁ ଅନ୍ୟର ହୃଦୟ ପରିବର୍ତ୍ତନ କରିପାରେ। ଗାନ୍ଧୀଙ୍କର କିନ୍ତୁ କ୍ଷୋଭ ଥିଲା, ଅନେକ ସ୍ତ୍ରୀ ସେମାନଙ୍କ ସ୍ୱାମୀଙ୍କ ବ୍ୟକ୍ତିଗତ କଥାରେ ରୁଚି ରଖି ନଥାନ୍ତି। ସେମାନେ ଭାବନ୍ତି, ସ୍ୱାମୀର ସଂଶୋଧନ କରିବା ସ୍ତ୍ରୀର ଦାୟିତ୍ୱ ନୁହେଁ। ଏଇଥିପାଇଁ ଯେ, ସ୍ତ୍ରୀ ସ୍ୱାମୀର ଅବିଭାବକ ନୁହେଁ। ଅବିଭାବକୀୟ ଦାୟିତ୍ୱ କେବଳ ସ୍ୱାମୀମାନଙ୍କର ଅଛି। ସତ କଥା ହେଲା, ଉଭୟ ସ୍ୱାମୀ ସ୍ତ୍ରୀ ପରସ୍ପରର ପରିପୂରକ; ପରସ୍ପରର ପାପ ପୁଣ୍ୟର ଭାଗୀଦାର।

ପ୍ରବନ୍ଧର ଉପସଂହାରରେ ଗାନ୍ଧୀ ମଦ ବନ୍ଦ ପାଇଁ ବିଜ୍ଞାନ ଓ ଗବେଷଣା କଥା ଉଲ୍ଲେଖ କରିଥିଲେ, ଯଦିଓ ଗାନ୍ଧୀଙ୍କୁ ବିଜ୍ଞାନ ବିରୋଧୀ ବୋଲି ସମାଲୋଚନା କରାଯାଏ। ଗାନ୍ଧୀଙ୍କ ମତ ଥିଲା, ମଦ୍ୟପାନ କରିବା କିଛି ଲୋକଙ୍କର ଅଭଙ୍ଗ ଅଭ୍ୟାସ ହୋଇ ଯାଉଛି। ମଦ ନ ପିଇଲେ ଯେ ସେମାନେ କୌଣସି କାମ କରିପାରବେନି, ଏପରି ଯୁକ୍ତି ଦେଉଛନ୍ତି। ମଦଭ୍ୟାସ ତେଣୁ ଏକ ସାମାନ୍ୟ ଅଭ୍ୟାସ ନୁହେଁ। ଏହାକୁ ଏକ ରୋଗ ବୋଲି ଭାବିବା ଉଚିତ ଏବଂ ଏହାର ଚିକିତ୍ସା ହେବା ଦରକାର। ଉନ୍ନତ ଚିକିତ୍ସା ନିମନ୍ତେ ଗବେଷଣା ହେବା ବି ଉଚିତ।
ସ୍ୱାଧୀନ ଭାରତରେ ସରକାରଙ୍କ ପ୍ରଥମ କାର୍ଯ୍ୟ କ’ଣ ହେବା ଉଚିତ ବୋଲି ପ୍ରଶ୍ନ ନେଇ ଗାନ୍ଧୀଙ୍କ ଉତ୍ତର ଥିଲା, ପ୍ରଥମେ ଭାରତ ମଦମୁକ୍ତ ହେବା ଦରକାର। ମଦ ହିଁ ନାରୀ ଅସୁରକ୍ଷା ଏବଂ ସମସ୍ତ ସାମାଜିକ ବିଲକ୍ଷଣର ଏକମାତ୍ର କାରଣ।

୧୯୩୯ ମସିହାରେ ବମ୍ବେର ପ୍ରଥମ ପ୍ରାଦେଶିକ ସରକାର ଯେତେବେଳେ ବମ୍ବେକୁ ମଦମୁକ୍ତ ରାଜ୍ୟ ଭାବେ ଘୋଷଣା କଲେ, ଗାନ୍ଧୀ ସରକାରଙ୍କୁ ଧନ୍ୟବାଦ ଦେଇ ଚିଠିଟିଏ ଲେଖିଥିଲେ। ପ୍ରଶଂସା ପତ୍ରରେ ଗାନ୍ଧୀ ଲେଖିଥିଲେ ଯେ କେବଳ ବମ୍ବେ ବେଳାଭୂମିକୁ ସୁନ୍ଦର କରିଦେଲେ ବମ୍ବେ ସୁନ୍ଦର ହୋଇ ଯିବନି। ବମ୍ବେ ମଦମୁକ୍ତ ହୋଇଗଲେ ଏବଂ ବସ୍ତିରେ ନିଶା ନିବାରଣ ହେଲେ ବମ୍ବେ ପ୍ରକୃତରେ ସୁନ୍ଦର ଲାଗିବ। ଏଠି ଦାରିଦ୍ର୍ୟ କମିବ। ମଦ ପିଇଥିବା ବ୍ୟକ୍ତିର ମୁହଁ କେବେ ସୁନ୍ଦର ଦେଖାଯାଏନି।

ବମ୍ବେର ନିଶା ନିବାରଣ ନିଷ୍ପତ୍ତି ପରେ ଏଠାର ତତ୍କାଳୀନ ରାଜସ୍ବ ମନ୍ତ୍ରୀ କରିଥିବା ବ୍ୟକ୍ତିଗତ ଅଭିଯୋଗ ଗାନ୍ଧୀଙ୍କ ନଜରକୁ ଆସିଥିଲା। ମନ୍ତ୍ରୀଙ୍କ ଅଭିଯୋଗ ଥିଲା, ମଦ ବିକ୍ରିରୁ ସରକାରଙ୍କର ବେଶୀ ରାଜସ୍ବ ଆସେ, ସେଇ ରାଜସ୍ୱ ଅର୍ଥରେ ଜନମଙ୍ଗଳ କାର୍ଯ୍ୟ ହୁଏ, ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ହୁଏ ଏବଂ କର୍ମଚାରୀମାନେ ଦରମା ଓ ପେନ୍‌ସନ୍‌ ପାଆନ୍ତି।
ଗାନ୍ଧୀଙ୍କ ପାଲଟା ଯୁକ୍ତି ଥିଲା, ମଦ୍ୟପାନରେ ଗରିବ ଲୋକର କେତେ କ୍ଷତି ହୁଏ ତା’ର କିନ୍ତୁ ହିସାବ ହୁଏନି। ମଦପାନ ଜନିତ ରୋଗରେ କେତେ ଖର୍ଚ୍ଚ ହୁଏ, କେତେ ଲୋକ ମୃତ୍ୟୁବରଣ କରନ୍ତି, କେତେ ଲୋକଙ୍କ ସାମାଜିକ ପ୍ରତିଷ୍ଠା ନଷ୍ଟ ହୁଏ ତା’ର ମୂଲ୍ୟାୟନ ହୁଏନି। ବାସ୍ତବରେ ମଦ୍ୟପାନର ସାମାଜିକ କ୍ଷତି ଓ ଅବମୂଲ୍ୟ ଅମାପ। ମଦ ପିଇଥିବା ଶିଳ୍ପୀର ସୃଜନୀ ଶକ୍ତି କମିଯାଏ, ନିଶା ଖାଇଥିବା ଖେଳାଳିର କ୍ରୀଡ଼ା ପ୍ରଦର୍ଶନ ହ୍ରାସ ପାଇଥାଏ, ବ୍ୟକ୍ତିର ନୈତିକ ଓ ସାମାଜିକ ଉତ୍‌ଥାନ ହୋଇ ନ ଥାଏ। ଚୋରି ଓ ଜୁଆଖେଳ ପରି ମଦବିକ୍ରି ବି ଏକ ପାପ।

ବିଡ଼ମ୍ବନା ଯେ, ଗାନ୍ଧୀ ପରବର୍ତ୍ତୀ ଭାରତରେ ଗାନ୍ଧୀ ଦେଖିଥିବା ମଦମୁକ୍ତ ଭାରତର ସ୍ବପ୍ନ ଏବେ ବି ଅଧୁରା ରହିଛି। ମଦ ଅଭିଶାପର ମାତ୍ରା ପ୍ରତିଦିନ ବଢୁଛି। ମଦ୍ୟପାନ ଆଉ ନିର୍ଦ୍ଦିଷ୍ଟ ଜାତି, ଧର୍ମ, ଶ୍ରେଣୀ, ଲିଙ୍ଗ ଭିତରେ ସୀମିତ ରହିନାହିଁ। ଏହା ଆଉ ସମ୍ଭ୍ରାନ୍ତପଣର ପରିଚୟ ବି ନୁହେଁ। ପୁରାଣରୁ ଯଦୁବଂଶ ଧ୍ବଂସର କାହାଣୀ ବାରମ୍ବାର ଶୁଣୁଥିଲେ ବି ତା’ର ଯେମିତି କିଛି ପ୍ରଭାବ ନାହିଁ।
ସୁତାରଂ ମଦ ନିଶାର ବନ୍ଧନରୁ ମୁକୁଳିବାର ବାଟ ସମ୍ପ୍ରତି ବ୍ୟକ୍ତି, ସମାଜ, ରାଷ୍ଟ୍ର ଖୋଜିବା ଉଚିତ।
ମୋ: ୯୮୬୧୪୬୯୩୨୮