କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା ୨୦୨୩-୨୪ ବଜେଟ୍ରେ ଘୋଷିତ କୃଷି ବ୍ୟୟ କୃଷି ପାଇଁ ନା ଉଦ୍ୟୋଗ ପାଇଁ ତାହା ବୁଝା ପଡୁନାହିଁ। କୃଷି ଷ୍ଟାଟ୍-ଅପ୍ ପାଇଁ କୃଷି ଉତ୍ପ୍ରେରକ ପାଣ୍ଠି, ଅତିରିକ୍ତ କପା ତନ୍ତୁ ପାଇଁ ପିପିପି ଓ ସ୍ଥାନୀୟ ଭଣ୍ଡାରଣ କ୍ଷମତାର ବିସ୍ତାର: ଏହି ସବୁ ଯୋଜନା କୃଷି ବ୍ୟବସାୟୀଙ୍କୁ ସିଧାସଳଖ ଲାଭ ପହଞ୍ଚାଇବ। କୋଡ଼ିଏ ଲକ୍ଷ କୋଟି ଟଙ୍କାର କୃଷି ଋଣ, ପ୍ରାକୃତିକ କୃଷି ଓ ବିକଳ୍ପ ସାରକୁ ଆଦରିବା ପାଇଁ କୃଷକଙ୍କୁ ସହାୟତା, ପ୍ରଧାନମନ୍ତ୍ରୀ-କିଷାନ ପାଣ୍ଠି ପାଇଁ ୬୦ ହଜାର କୋଟି ଟଙ୍କା: ଏହି ସବୁ ଏପରି ଯୋଜନା ଯାହା କୃଷି ବେପାରୀଙ୍କୁ ପରୋକ୍ଷରେ ଲାଭାନ୍ବିତ କରିବ, କାରଣ ଚାଷୀମାନେ ସେମାନଙ୍କ ଠାରୁ ଉତ୍ପାଦ ଓ ସେବା କିଣିବା ପାଇଁ ଅର୍ଥ ଉପଯୋଗ କରିବେ।
ମାତ୍ର କୃଷିର ଭୂମିକା କ’ଣ କେବଳ ଶିଳ୍ପକୁ କାର୍ଯ୍ୟକ୍ଷମ କରିବା? ଏହା କ’ଣ ଶିଳ୍ପ ଠାରୁ ଉତ୍ପାଦ ଓ ସେବା କିଣିବା ଜାରି ରଖିବ ଏବଂ ଲାଭକ୍ଷତି କଥା ବିଚାର ନ କରି ନିଜର ଉତ୍ପାଦ ତାହାକୁ ବିକିଚାଲିବ? ବଜାରକୁ ଧନୀ କରି ନିଜେ ଗରିବ ରହିବା କ’ଣ ତାହାର ଭାଗ୍ୟ? ଏହା କ’ଣ ପୁଞ୍ଜିପତି ବର୍ଗର ଦେଶ ଅଧୀନରେ ଥିବା ସର୍ବହରାଙ୍କର ଏକ ଦେଶ?
ନିରପେକ୍ଷ ଭାବେ ବିଚାର କଲେ, କୃଷି ଉପରେ ଘୋଡ଼ା ପରି ଲଗାମ ଲଗାଇବା ଏବଂ ତା’ ଉପରେ ଚଢ଼ି ସମୃଦ୍ଧି ଆଡ଼କୁ ଅଗ୍ରସର ହେବାର ନୈତିକ ଅଧିକାର ବଜାରର ନାହିଁ। ଭାରତର ୬୫ ପ୍ରତିଶତରୁ ଅଧିକ ଜନସଂଖ୍ୟା ଗ୍ରାମାଞ୍ଚଳରେ ରହୁଛନ୍ତି ଏବଂ ସେମାନଙ୍କର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ରୋଜଗାର କୃଷି ଉପରେ ନିର୍ଭର କରିଥାଏ। ଦେଶର ୪୦ ପ୍ରତିଶତରୁ ଅଧିକ ମାନବ ସମ୍ବଳ ସିଧାସଳଖ କୃଷିକ୍ଷେତ୍ରରେ କାର୍ଯ୍ୟରତ। କୃଷି, ଉଦ୍ୟୋଗ ଓ ସେବା କ୍ଷେତ୍ର ମଧ୍ୟରୁ କୃଷି ହିଁ ସର୍ବାଧିକ ନିଯୁକ୍ତି ପ୍ରଦାନ କରିଥାଏ।
ମୁକ୍ତ ବଜାରର ପ୍ରଚାରକମାନେ ଆମକୁ ଏକ ସ୍ବପ୍ନ ବିକି ଚାଲିଥିଲେ କି ଶିଳ୍ପ କୃଷିର ପିଠିରୁ ଶ୍ରମର ବୋଝକୁ ଓହ୍ଲାଇ ତାହାର ଅଣ୍ଟା ସିଧା କରିଦେବ। ମାତ୍ର କୃଷିର ଅଣ୍ଟା ଏବେ ବି କୁବ୍ଜା ହୋଇ ରହିଛି। ଶିଳ୍ପକ୍ଷେତ୍ର ଏ ବୋଝ ମୁଣ୍ଡାଇବାକୁ ମନା କରିଦେଲା। ଏ ପରିପ୍ରେକ୍ଷୀରେ ନିର୍ମାଣ, ଆତିଥ୍ୟ ଓ ଖୁଚୁରା ଆଦି ସେବାଗୁଡ଼ିକ ଶିଳ୍ପ ତୁଳନାରେ କୃଷି ପାଇଁ ଅଧିକ ସାହାଯ୍ୟକାରୀ ପ୍ରମାଣିତ ହୋଇଛନ୍ତି, ମାତ୍ର ସେମାନେ ମୌସୁମୀ ପରି ବର୍ଷେ ପର୍ଯ୍ୟାପ୍ତ ତ ଆର ବର୍ଷକୁ ଅନିଶ୍ଚିତ, ଓ ତହିଁ ପର ବର୍ଷ ଅନୁପସ୍ଥିତ। ସେମାନଙ୍କର ଏପରି ଉଭାନ ହୋଇଯିବା ଅଥବା ସେମାନେ ଅଭାବଗ୍ରସ୍ତ ହେବା ଯୋଗୁଁ କୃଷି ପାଖରେ ବୋଝର ସେହି ଅଂଶକୁ ମଧ୍ୟ ମୁଣ୍ଡାଇବା ଛଡ଼ା ଅନ୍ୟ ବିକଳ୍ପ ନାହିଁ, ଯାହା ପୂର୍ବରୁ ହାଲକା ହୋଇଯିବ ବୋଲି ଜଣାପଡୁଥିଲା। ମହାମାରୀ କୋଭିଡ୍ର ପ୍ରଥମ ଲକ୍ଡାଉନ୍ ପରେ ସହର ରାସ୍ତାରୁ ଶହ ଶହ ମାଇଲ ଧରି ଗାଁର ଶୂନ୍ଶାନ୍ ରାସ୍ତାକୁ ବହି ଚାଲିଥିବା କ୍ଳାନ୍ତ ଶକ୍ତିବାନ ଶ୍ରମିକମାନଙ୍କର ନଦୀର ଦୃଶ୍ୟ କଥା ଥରେ ମନେ ପକାଯାଉ। ସେତେବେଳେ ସେମାନେ ଜାଣିଥିଲେ ଯେ କୃଷିର ଭାତହାଣ୍ଡିରେ ସେମାନଙ୍କ ପାଇଁ କିଛି ଦାନା ରହିଛି।
ତଥାପି କଂଗ୍ରେସଠୁ ଆରମ୍ଭ କରି ବିଜେପି ଯାଏ ଭାରତକୁ ଉଦାରବାଦୀ କରି ଗଢୁଥିବା ସରକାର ଉଦ୍ୟୋଗ ଓ ସେବା କ୍ଷେତ୍ର ପାଇଁ ବହୁତ ବଡ଼ ବଡ଼ ସଂସାଧନ ଦେଇ ଆସୁଥିବା ବେଳେ କୃଷି ପାଇଁ ଖୁବ୍ କମ୍ କରିଛନ୍ତି। ଏହାର କାରଣ ହେଲା, ମୁକ୍ତ ବଜାରର ପ୍ରଚାରକମାନେ କହି ଚାଲିଛନ୍ତି କି ଆର୍ଥିକ ପ୍ରଗତିର ପକ୍ଷୀ ଉଦ୍ୟୋଗ ଓ ସେବାକ୍ଷେତ୍ର ଦ୍ବାରା ଗଠିତ ଡେଣା ସାହାଯ୍ୟରେ ଅବିଶ୍ବସନୀୟ ଉଚ୍ଚତାକୁ ଉଡ଼ିଯାଇପାରିବ। ସେମାେନ ଏହା ମଧ୍ୟ କୁହନ୍ତି ଯେ ଯଦି କୃଷିକ୍ଷେତ୍ର ଆର୍ଥିକ ପ୍ରଗତିର ଭାଗୀଦାର ହେବାକୁ ଚାହେଁ, ତେବେ ତାହାକୁ ଉଦ୍ୟୋଗ ଓ ସେବାକ୍ଷେତ୍ରର ଅଧସ୍ତନ ଭୂମିକା ନିର୍ବାହ କରିବାକୁ ହେବ।
ଅର୍ଥନୈତିକ ସଂସ୍କାର ପରବର୍ତ୍ତୀ ଦଶକରେ ସରକାର ଓ କୃଷକଙ୍କ ମଧ୍ୟରେ ଏକ ମୁହାଁମୁହିଁ ଅବସ୍ଥା ଆସିଯାଇଛି। ସରକାର କୃଷି ଉପରେ ଉଦ୍ୟୋଗ ଓ ସେବାକ୍ଷେତ୍ରର ପ୍ରଭାବ ଜାହିର କରିବାକୁ ଚାହୁଁଛନ୍ତି ତ ଚାଷୀ ତାହା କରିବାକୁ ଦେଉନାହିଁ। କୃଷିକୁ ନିଜ କର୍ତ୍ତୃତ୍ବରେ ରଖିବାକୁ ଚାହୁଁଛି ଚାଷୀ। ମୋଦୀ ସରକାର ଓ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ଭିତରେ ତାହା ହିଁ ହେଉଛି ଲଢ଼େଇର କାରଣ। ଉଦ୍ୟୋଗ କି ସେବାକ୍ଷେତ୍ର ବିରୋଧରେ କୃଷକ ନାହାନ୍ତି। ସେମାନେ କେବଳ କହୁଛନ୍ତି ଯେ ଯଦି କୃଷିରୁ ଉଦ୍ୟୋଗ ଓ ସେବାକ୍ଷେତ୍ର ଲାଭବାନ ହେଉଛି, ତେବେ କୃଷି ମଧ୍ୟ ସେମାନଙ୍କ ପାଖରୁ ଲାଭ ପାଇବା ଦରକାର।
ଏହା ହେଉଛି ଦୂରଦର୍ଶିତାର ଲଢ଼େଇ। ଏ କଥା ଦେଖିବାରେ କୌଣସି ଅସୁବିଧା ନାହିଁ ଯେ ସରକାରଙ୍କ ଅପେକ୍ଷା କୃଷକଙ୍କ ପାଖରେ ଅଧିକ ଉତ୍ତମ ଦୂରଦୃଷ୍ଟି ରହିଛି। ଭାରତ ଆମେରିକା ପରି ନୁହେଁ, ଯେଉଁଠି ଲୋକଙ୍କ ହାତରେ ହାରାହାରି ୧,୧୦୦ ଏକର ଚାଷଜମି ରହିଛି। ଏହା ଫ୍ରାନ୍ସ ପରି ମଧ୍ୟ ନୁହେଁ, ଯେଉଁଠି ହାରାହାରି କ୍ଷେତ ମାଲିକାନା ୧୦୦ ଏକର। ଭାରତୀୟ ଚାଷୀଙ୍କର ହାରାହାରି ଚାଷଜମିର ଆକାର ହେଉଛି ମାତ୍ର ଅଢ଼େଇ ଏକର। ଦେଶର ୧୫ କୋଟି ଚାଷୀଙ୍କ ଭିତରୁ ୧୩ କୋଟିଙ୍କ ପାଖରେ ୫ ଏକରରୁ କମ୍ ଜମି ଅଛି। ଯଦି ସେଭଳି ପରିବାର ପିଛା ୫ ଜଣ ସଦସ୍ୟ ହିସାବ କରାଯାଏ, ତେବେ ୬୫ କୋଟି ଭାରତୀୟ, ଅର୍ଥାତ୍ ପାଖାପାଖି ଅଧା ଭାରତୀୟ ନିଜର ଜୀବିକା ନିର୍ବାହ ପାଇଁ ସ୍ବଳ୍ପ ଜମି ଉପରେ ନିର୍ଭରଶୀଳ।
ସେମାନଙ୍କ ଉନ୍ନତି ପାଇଁ ସବୁ ପ୍ରକାରର ସାହାଯ୍ୟ ଓ ସମର୍ଥନ ଆବଶ୍ୟକ। ଯଦି ସେମାନଙ୍କ ଚାଷଜମିକୁ ବଜାର ନେଇଯାଏ ଏବଂ ସେମାନଙ୍କ କ୍ଷୁଦ୍ର ମାଲିକାନା ଉପରେ ଆମେରିକା ସଦୃଶ ବିଶାଳ କୃଷି ବେପାର ଚଳାଯାଏ, ତେବେ ଦେଶର ଅର୍ଦ୍ଧେକ ଜନତାଙ୍କ ଭରଣପୋଷଣ କିପରି ହେବ ତାହା ଅନିଶ୍ଚିତ ହୋଇଯିବ। ସରକାର ଚାହିଁଲେ ସେମାନଙ୍କର ସମୃଦ୍ଧିକୁ ତିନିଟି ଉପାୟରେ ସୁଗମ କରିପାରିବେ।
ପ୍ରଥମେ, କୃଷକ ଉତ୍ପାଦନକାରୀ ସଂଗଠନ (ଏଫ୍ପିଓ)ରେ ଛୋଟ ଛୋଟ କୃଷିକ୍ଷେତ୍ରକୁ ସାମିଲ କରି ତାହା କରାଯାଇପାରିବ। ଏଫ୍ପିଓ ମାଧ୍ୟମରେ କ୍ଷୁଦ୍ର ଚାଷୀମାନେ ଆର୍ଥିକ ତଥା ରାଜନୈତିକ ଶକ୍ତି ପ୍ରାପ୍ତ ହୋଇ ସ୍ଥାନୀୟ ଭାବେ ସ୍ଥାପିତ ଏକଚାଟିଆ ଉତ୍ପାଦକ ଓ ବେପାରୀଙ୍କ ଆହ୍ବାନର ମୁକାବିଲା କରି ବଜାରରେ ସଫଳ ହୋଇପାରିବେ। ସମ୍ପ୍ରତି ଅଧିକାଂଶ ରାଜ୍ୟରେ ଏଫ୍ପିଓ ରହିଥିଲେ ହେଁ ତାହାର ସଂଖ୍ୟା ବହୁତ କମ୍। ୨୦୩୦ ମସିହା ସୁଦ୍ଧା ଦେଶର ସମସ୍ତ କ୍ଷୁଦ୍ର ଚାଷୀଙ୍କୁ ଏଫ୍ପିଓରେ ଏକୀକୃତ କରିବାର ଲକ୍ଷ୍ୟକୁ ଏକ ସଂକଳ୍ପ ଭାବେ ସରକାର ଗ୍ରହଣ କରିବା ଦରକାର।
ଦ୍ବିତୀୟରେ, ଉତ୍ପାଦନରେ ବୃଦ୍ଧି ଆଣି ମଧ୍ୟ ତାହା କରାଯାଇ ପାରିବ। ଆମେରିକା, ବ୍ରାଜିଲ, ଚୀନ୍ ଓ ଭିଏତନାମ ତୁଳନାରେ ଭାରତର ଉତ୍ପାଦନ କ୍ଷମତା ଯଥେଷ୍ଟ କମ୍ ରହିଛି। ଦେଶ ଭିତରେ ମଧ୍ୟ ଆଞ୍ଚଳିକ ଉତ୍ପାଦନ କ୍ଷମତାରେ ଢେର ତାରତମ୍ୟ ରହିଛି। ୨୦୧୯-୨୦ ବର୍ଷରେ ମହାରାଷ୍ଟ୍ରରେ ଉତ୍ପାଦନ କ୍ଷମତା ହେକ୍ଟର ପିଛା ୧,୧୬୮ କିଲୋଗ୍ରାମ ଥିବା ବେଳେ ପଞ୍ଜାବରେ ତାହା ଏହାର ଚାରିଗୁଣ ଥିଲା। ମୃତ୍ତିକା କ୍ଷୟ ଓ ଅତିଶୋଷଣ ଯୋଗୁଁ ଜଳ ଉପଲବ୍ଧିରେ ହ୍ରାସ ଘଟିବା କାରଣରୁ ଉତ୍ପାଦନ କ୍ଷମତା କମି କମି ଆସୁଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ କି, ପ୍ରତିବର୍ଷ ମାତ୍ର ୩ ପ୍ରତିଶତ ଅଭିବୃଦ୍ଧି ଘଟାଇବା ଲାଗି କୃଷିକ୍ଷେତ୍ର ସଂଘର୍ଷ କରି ଚାଲିଛି। କୃଷିରେ ଉଚ୍ଚ ଅଭିବୃଦ୍ଧି ଘଟିବାର ଅର୍ଥ ହେଲା କୃଷକଙ୍କ ରୋଜଗାରରେ ବୃଦ୍ଧି, ଉଚ୍ଚ ନିଯୁକ୍ତି ହାର, ଉଚ୍ଚ ପାରିଶ୍ରମିକ, ଉଚ୍ଚ ବିକ୍ରି, ଉଚ୍ଚ ନିବେଶ, ଉଚ୍ଚ ରପ୍ତାନି ଏବଂ ଉଚ୍ଚତର ଜିଡିପି।
୨୦୨୩-୨୪ କେନ୍ଦ୍ରୀୟ ବଜେଟ୍କୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ ସେଥିରେ ପୂର୍ବ ବର୍ଷମାନଙ୍କ ଭଳି କୃଷି ଉତ୍ପାଦନ କ୍ଷମତା ବଢ଼ାଇବାର ଲକ୍ଷ୍ୟ ଅନୁପସ୍ଥିତ ରହିଛି। ଉତ୍ପାଦନ କ୍ଷମତା ବଢ଼ାଇବା ଲାଗି କୃଷି ଅନୁସନ୍ଧାନ ଓ ସମ୍ପ୍ରସାରଣ ପାଇଁ ପର୍ଯ୍ୟାପ୍ତ ସରକାରୀ ବ୍ୟୟର ଆବଶ୍ୟକତା ରହିଛି। ସବୁଜ ବିପ୍ଳବ ପାଇଁ ଆରମ୍ଭ ହୋଇଥିବା ବୈଷୟିକ ଜ୍ଞାନକୌଶଳ ଘଷରା ହୋଇଗଲାଣି। ତେଣୁ ନୂତନ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ରହିଛି। ମାତ୍ର ସରକାର ଏବେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍) ଓ ରାଜ୍ୟ କୃଷି ବିଶ୍ବବିଦ୍ୟାଳୟମାନଙ୍କରେ ଅନୁସନ୍ଧାନ ଉଦ୍ଦେଶ୍ୟରେ ବହୁତ କମ୍ ଖର୍ଚ୍ଚ କରୁଛନ୍ତି। ଯାହା ବି କିଛି ନୂଆ ହେଉଛି, ସେସବୁ କୃଷକଙ୍କ ପାଖରେ ପହଞ୍ଚି ପାରୁନାହିଁ; କାରଣ ସମ୍ପ୍ରସାରଣ ପ୍ରକ୍ରିୟା ରୋଗଗ୍ରସ୍ତ ହୋଇପଡ଼ିଛି।
ତୃତୀୟରେ, ମିଶ୍ରକୃଷି ଦ୍ବାରା ମଧ୍ୟ କ୍ଷୁଦ୍ର ଚାଷୀମାନଙ୍କର ସମୃଦ୍ଧି ଅଣାଯାଇପାରିବ। ସରକାର ଚାଷୀମାନଙ୍କୁ ଧାନ-ଗହମ ଚକ୍ରରୁ ଆଂଶିକ ବା ପୂର୍ଣ୍ଣ ଭାବରେ ବାହାର କରି ଡାଲି, ତୈଳବୀଜ, ବାଜରା, ଫଳ, ପନିପରିବା, ପଶୁଧନ ଓ ମତ୍ସ୍ୟପାଳନ ପ୍ରତି ଆକର୍ଷିତ କରିବା ଦରକାର। ସେଥିପାଇଁ ସରକାରଙ୍କୁ ନୂତନ ବୀଜ ଓ ପ୍ରଜାତି ବିକାଶର ଗବେଷଣା ନିମନ୍ତେ ଅର୍ଥ ବିନିଯୋଗ କରିବାକୁ ହେବ। ସରକାରଙ୍କୁ ଜଳସେଚନରେ ମଧ୍ୟ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ସେହିପରି ଭଣ୍ଡାରଣ, ପ୍ରକ୍ରିୟାକରଣ ଓ ବଜାର ଭିତ୍ତିଭୂମି ନିର୍ମାଣ ପାଇଁ ମଧ୍ୟ ପୁଞ୍ଜି ଖଟାଇବାକୁ ହେବ। ସରକାର ନିଶ୍ଚିତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ମାଧ୍ୟମରେ କୃଷକଙ୍କୁ ବିକଳ୍ପ ଫସଲରୁ ଉତ୍ତମ ଲାଭ ଦେବା ଦିଗରେ ସହାୟକ ହେବା ଦରକାର ଯାହା ଏସ୍କେଏମ୍ ସଂଗଠନ ଦାବି କରି ଆସୁଛି। ୨୦୨୩-୨୪ ବଜେଟ୍ରେ ଏ ସବୁ ଭିତରୁ କୌଣସିଟି ବି ଘଟିବାର ସାମାନ୍ୟ ଆଶା ଦେଖାଯାଉନାହିଁ।
[email protected]