କିଛି ଦିନ ତଳେ ବାଲେଶ୍ୱର ଉପଜିଲ୍ଲାପାଳ ବାଲି ମାଫିଆଙ୍କ ଆକ୍ରମଣରେ ଆହତ ହୋଇଥିବା ଘଟଣା ରାଜ୍ୟର କ୍ରମବର୍ଦ୍ଧିଷ୍ଣୁ ଅପରାଧପ୍ରବଣ ବାତାବରଣ ସମ୍ପର୍କରେ ସଙ୍କେତ ଦେଉଛି। ପ୍ରକାଶ୍ୟରେ ବ୍ୟାପକ ବନ୍ଦୋବସ୍ତ କରି ମାଫିଆମାନେ ଏକାଧିକ ଜେସିବି ମେସିନ୍‌, ଡମ୍ପର ସମେତ ଶତାଧିକ ଟ୍ରକ୍ ନିୟୋଜିତ କରି ଅନଧିକୃତ ବାଲି ଖନନ କରିବା ରାଜନୈତିକ ସମର୍ଥନ ବିନା ସମ୍ଭବପର ନୁହେଁ। ରାଜ୍ୟର କର୍ତ୍ତବ୍ୟରତ ପ୍ରାଶାସନିକ ଅଧିକାରୀମାନେ କ୍ରମାଗତ ଭାବରେ ଲଘୁ ଖଣିଜ ସମ୍ପଦ ଲୁଟ୍ କରୁଥିବା ଅପରାଧୀମାନଙ୍କ ଆକ୍ରମଣରେ ଆହତ ହେଉଛନ୍ତି। ଏଭଳି ଉଗ୍ରତା ଉପଶମ ହେବା ପରିବର୍ତ୍ତେ ବୃଦ୍ଧି ପାଉଥିବା ଚିନ୍ତାଜନକ।

Advertisment

ଆମ ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟମାନଙ୍କରେ ଲଘୁ ଖଣିଜ ସମ୍ପଦର ଚାହିଦା ବଢୁଥିବା ଦୃଷ୍ଟିରୁ ବେଆଇନ ଖନନକାରୀ ଶକ୍ତି ସକ୍ରିୟ ହେଉଛନ୍ତି। ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ସମର୍ଥନ ଫଳରେ ଓଡ଼ିଶାରେ ଅନଧିକୃତ ଖନନ ବହୁ ପରିମାଣରେ ବଢ଼ିଚାଲିଛି। ଏହା ସତ୍ତ୍ବେ ଲଘୁ ଖଣିଜ ସମ୍ପଦର ଉତ୍ପାଦନ ରାଜସ୍ୱ ବୃଦ୍ଧିରେ ସହାୟକ ହୋଇଛି। ରାଜ୍ୟର ଲଘୁ ଖଣିଜ ସମ୍ପଦ ମଧ୍ୟରେ ପଥର, ବାଲି, ମୋରମ୍‌, ମାଟି ଓ ଶିଳାଖଣ୍ଡ ହେଉଛି ପ୍ରମୁଖ। ରାଜ୍ୟରେ ପ୍ରାୟ ଚାରି ହଜାର ଉତ୍ସରୁ ଏହି ସମ୍ପଦ ମିଳିଥାଏ। କରୋନା ମହାମାରୀ ସମୟରେ ରାଜ୍ୟର ଅର୍ଥନୈତିକ ପ୍ରବାହ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ୨୦୨୦-୨୧ ମସିହାରେ ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନରୁ ରାଜ୍ୟ ସରକାର ୯୬୨ କୋଟି ଟଙ୍କାର ରାଜସ୍ୱ ପାଇଥିଲେ। ତା’ ପୂର୍ବ ବର୍ଷ ୬୮୦ କୋଟି ଟଙ୍କା ଆୟ ପରିପ୍ରେକ୍ଷୀରେ ଏହି ଅଭିବୃଦ୍ଧି ହାର ଚାଳିଶ ପ୍ରତିଶତ ହୋଇଥିବା ତାତ୍ପର୍ଯ୍ୟପୂର୍ଣ୍ଣ।

ବହୁ ବର୍ଷରୁ ଆମ ରାଜ୍ୟରେ ଲଘୁ ଖଣିଜ ସମ୍ପଦର ପରିଚାଳନା ରାଜସ୍ୱ ବିଭାଗ ଉପରେ ନ୍ୟସ୍ତ କରାଯାଇଥିଲା। ଏହି ଖଣିଜ ଉତ୍ସଗୁଡ଼ିକୁ ସଇରାତ ଭାବରେ ତହସିଲଦାର ପରିଚାଳନା କରୁଥିଲେ। କ୍ରମେ ରାଜ୍ୟରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ବ୍ୟାପକ ହେବା ଫଳରେ ବାଲି, ପଥର, ମୋରମ୍‌, ପଥର ଚିପ୍‌ସର ବ୍ୟବହାର ଆଶାତୀତ ଭାବରେ ବୃଦ୍ଧି ପାଇବା ଦୃଷ୍ଟିରୁ ଏହାର ସୁପରିଚାଳନା ତହସିଲ କାର୍ଯ୍ୟାଳୟର ସୀମିତ ପ୍ରାଶାସନିକ ସାଧନ ଦ୍ୱାରା ସମ୍ଭବପର ହେଉନଥିବା ଅନୁଭୂତ ହୋଇଥିଲା। ଅନେକ ସ୍ଥାନରେ ଅନଧିକୃତ ଖନନ ଦିବାଲୋକରେ ଅବ୍ୟାହତ ରହୁଥିଲା। ଅଧିକୃତ ଉତ୍ସମାନଙ୍କରେ ମଧ୍ୟ ମନମୁଖୀ ଉତ୍ତୋଳନ ହେଉଥିଲା। ଅନେକ କ୍ଷେତ୍ରରେ ନିଲାମ ବ୍ୟବସ୍ଥା ଏକ ଅପ୍ରାକୃତିକ ପ୍ରାଶାସନିକ ବ୍ୟବସ୍ଥା ପରି ମନେ ହେଉଥିଲା। ଏ ସଂକ୍ରାନ୍ତରେ ଏକ ଉଦାହରଣ ସମୀଚୀନ ହେବ।

ଯଦି ନିଲାମଧାରୀଙ୍କୁ ଘନମିଟର ବାଲି ବାବଦକୁ ଦୁଇ ହଜାର ଟଙ୍କା ହିସାବରେ ଗୋଟିଏ ଟ୍ରାକ୍ଟରରେ ଅଢ଼େଇ ଘନମିଟର ବାଲି ପାଇଁ ୫ ହଜାର ଟଙ୍କା ରାଜସ୍ୱ ଦେବାକୁ ହୁଏ ଏବଂ ବଜାର ଦର ଟ୍ରାକ୍ଟର ପିଛା ଦେଢ଼ ହଜାର ଟଙ୍କା ହୁଏ, ତେବେ ନିଲାମଧାରୀ ପ୍ରତି ଟ୍ରାକ୍ଟର ବାଲି ବିକି ସାଢ଼େ ତିନି ହଜାର ଟଙ୍କା କ୍ଷତି ସହ୍ୟ କରିଥାଏ। ଏହି ଅପ୍ରାକୃତିକ ବ୍ୟବସ୍ଥା ଅବ୍ୟାହତ ରହିଥିବା କାରଣରୁ ବ୍ୟାପକ ସ୍ତରରେ ଅନଧିକୃତ ଖନନ ଜାରି ରହିଛି। ଚୋରା ବାଲି ବୋଝେଇ ଟ୍ରକ୍ ମାନଙ୍କର ଅହର୍ନିଶ ଯାତ୍ରା ଅନେକ ସଡ଼କ ଦୁର୍ଘଟଣାର କାରଣ ମଧ୍ୟ ସାଜୁଛି।

ଲଘୁ ଖଣିଜ ଦ୍ରବ୍ୟ ପରିଚାଳନା ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନର ଜରୁରୀ ଆବଶ୍ୟକତା ହୃଦୟଙ୍ଗମ କରି ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ୱ ରାଜସ୍ୱ ବିଭାଗରୁ ହଟାଇ ଇସ୍ପାତ ଏବଂ ଖଣି ବିଭାଗ ଉପରେ ନ୍ୟସ୍ତ କଲେ। ଏହି ପ୍ରାଶାସନିକ ପୁନର୍ବିନ୍ୟାସକୁ କାର୍ଯ୍ୟକ୍ଷମ କରିବା ପାଇଁ ଅନେକ କନିଷ୍ଠ ମାଇନିଂ ଅଫିସର, ଆସିଷ୍ଟାଣ୍ଟ ମାଇନିଂ ଅଫିସର, ମାଇନିଂ ଅଫିସର ଏବଂ ତେର ଜଣ ଡେପୁଟି ମାଇନିଂ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରାଗଲା। ଶତାଧିକ ଅମିନ ପଦ ମଧ୍ୟ ଏହି ନୂତନ ନିର୍ଦ୍ଦେଶାଳୟକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନିଆଗଲା। ବିଭିନ୍ନ ସରକାରୀ ପ୍ରକଳ୍ପକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ନିମନ୍ତେ ନୂତନ ନୀତିରେ ସଂପୃକ୍ତ ସରକାରୀ ସଂସ୍ଥାଙ୍କୁ ଉତ୍ସ ଆବଣ୍ଟନରେ ଅଗ୍ରାଧିକାର ଦେବାର ବ୍ୟବସ୍ଥା ହେଲା।

ଯଦିଓ ଏହି ନୂତନ ବ୍ୟବସ୍ଥା ଫଳରେ ଅନେକ ପ୍ରାଶାସନିକ ଦୋଷ ଦୁର୍ବଳତା ଦୂର ହେବ ବୋଲି ଆଶା କରାଯାଏ, ତଥାପି କେତୋଟି ଦିଗ ପ୍ରତି ଅଧିକ ଯତ୍ନବାନ ହେବାର ଆବଶ୍ୟକତା ଥିବା ଭଳି ମନେ ହୁଏ।
ସେଭଳି ଏକ ଆବଶ୍ୟକତା ହେଲା- କନିଷ୍ଠ ମାଇନିଂ ଅଫିସର ଲଘୁ ଖଣିଜ ସମ୍ପଦର ଉତ୍ସ ନିକଟରେ ଅବସ୍ଥାପିତ ହେବା। ଅନ୍ୟାନ୍ୟ ଖଣିଜ ସମ୍ପଦ ଭଳି ଲଘୁ ଖଣିଜ ଦ୍ରବ୍ୟ ମଧ୍ୟ ମାଫିଆଙ୍କ ପାଇଁ ଅତ୍ୟନ୍ତ ଲୋଭନୀୟ ବସ୍ତୁ। ସେମାନଙ୍କର ଶକ୍ତି ତୁଳନାରେ ଜଣେ କନିଷ୍ଠ ମାଇନିଂ ଅଧିକାରୀ ନିତାନ୍ତ ଦୁର୍ବଳ। ତେଣୁ ତାଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଏନ୍‌ଫୋର୍ସମେଣ୍ଟ ଦାୟିତ୍ୱ ଦିଆ ନ ଯିବା ଆବଶ୍ୟକ। ସେ ଦାୟିତ୍ବ ଭ୍ରାମ୍ୟମାଣ ଦଳ ବା ସ୍କ୍ବାଡ୍‌ ଉପରେ ନ୍ୟସ୍ତ କରିବା ନିତାନ୍ତ ଆବଶ୍ୟକ ବୋଲି ମନେହୁଏ। ଏହି ସ୍କ୍ୱାଡ୍ ସୁରକ୍ଷାକର୍ମୀଙ୍କ ସହାୟତାରେ ଅଚାନକ ଚଢ଼ାଉ କରିବା ସର୍ବୋତ୍କୃଷ୍ଟ ବ୍ୟବସ୍ଥା ହେବ।

ରାଜ୍ୟ ସରକାର ଏହି ପରିବର୍ତ୍ତିତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ତତ୍ପରତା ପ୍ରଦର୍ଶନ କରିବା ନିତାନ୍ତ ଜରୁରୀ। ଅପରପକ୍ଷେ ନୂତନ ନିଯୁକ୍ତିରେ ବିଳମ୍ବ ଅବ୍ୟାହତ ଅବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛି। ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ନୂତନ ବ୍ୟବସ୍ଥାକୁ ବିଳମ୍ବିତ କରିବା ପାଇଁ ଉଦ୍ୟମ କରିବା ସ୍ୱାଭାବିକ। ସରକାର ଏ ଦିଗରେ କଠୋର ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲଘୁ ଖଣିଜ ସମ୍ପଦ ପରିଚାଳନାକୁ ଶୃଙ୍ଖଳିତ କରିବା ଆବଶ୍ୟକ। ସେହିପରି ଜିପିଏସ୍ କୌଶଳ ପ୍ରୟୋଗ କରି ଅନଧିକୃତ ଖନନ ହେଉଥିବା ଉତ୍ସଗୁଡ଼ିକୁ ଚିହ୍ନଟ କରିବାରେ ବିଳମ୍ବ ନ ହେବା ଆବଶ୍ୟକ।

ପରିଚାଳନାଗତ ଅବ୍ୟବସ୍ଥାର ନାଗଫାସରୁ ମୁକୁଳି ଏକ ସୁସ୍ଥ ବ୍ୟବସ୍ଥାର ତ୍ବରିତ ପ୍ରବର୍ତ୍ତନ ରାଜ୍ୟ ପାଇଁ ଶୁଭଙ୍କର ହେବ। ଲଘୁ ଖଣିଜ ସମ୍ପଦର ଉତ୍ତୋଳନରୁ ମାତ୍ର ଏକ ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ରାଜ୍ୟ ସରକାରଙ୍କୁ ଆତ୍ମସନ୍ତୋଷରେ ଅଭିଭୂତ ନ କରୁ। କାରଣ ଆମ ରାଜ୍ୟରେ ଉପଲବ୍‌ଧ ସମ୍ବଳର ବ୍ୟାପକତା ଦୃଷ୍ଟିରୁ ରାଜସ୍ୱ ପରିମାଣ ୫ ହଜାର କୋଟି ଟଙ୍କା ଟପିବା ସମ୍ଭବ।
ମୋ: ୯୯୩୭୦୯୨୯୧୪