ଜଣେ ସାଧୁ ଥିଲେ। ଥରେ ସେ ଭାବିଲେ ଯେ ମୋକ୍ଷ ପ୍ରାପ୍ତି ଲାଗି ତପସ୍ୟାରେ ବସିବେ। ତେଣୁ ସେ ଗୋଟିଏ ନିକାଞ୍ଚନ ଜାଗାରେ ଗୋଟିଏ ଗଛ ମୂଳରେ ତପସ୍ୟାରେ ବସିଗଲେ। ଗଛ ଉପରେ ଗୋଟିଏ କାଉର ବସା ଥିଲା। ସେ ଏଭଳି ଜଣେ ଆଗନ୍ତୁକଙ୍କୁ ଦେଖି ଗଛ ଡାଳରୁ ବୋବାଇବାକୁ ଲାଗିଲା।

Advertisment

ମୁଣ୍ଡ ଉପରେ କାଉ ରାବୁଥିବାରୁ ସାଧୁ ତପସ୍ୟାରେ ମନୋନି‌େବଶ କରିପାରିଲେ ନାହିଁ। ତେଣୁ ସେ ବିରକ୍ତ ହୋଇ କାଉକୁ ତଡ଼ିଲେ। କିନ୍ତୁ କାଉ ସେଠାରୁ ଗଲା ନାହିଁ, ବାରମ୍ବାର ରାବିବାକୁ ଲାଗିଲା। ସାଧୁ ଏଥର ପଥର, ଗୋଡ଼ି, ବାଡ଼ି, ଠେଙ୍ଗା ସବୁ କିଛି କାଉ ଆ‌ଡ଼କୁ ଫୋପାଡ଼ିଲେ, କିନ୍ତୁ କିଛି ଲାଭ ହେଲା ନାହିଁ। କାଉଟି ଅନବରତ ରାବିବାକୁ ଲାଗିଲା।

ସାଧୁଙ୍କ ଜିଦ୍‌ ବଢ଼ିଗଲା। ସେ ଏବେ କେବଳ କାଉକୁ ତଡ଼ିବାରେ ଲାଗିଲେ ଏବଂ ଏମିତି ହେଲା ଯେ ଗଛରେ ଚଢ଼ି କାଉର ବସା ମଧ୍ୟ ଭାଙ୍ଗିଦେଲେ। ତଥାପି କାଉ ରାବିବାକୁ ଲାଗିଲା।
ଏମିତି କିଛି ଦିନ ଗଲା। କିନ୍ତୁ କାଉ ଶାନ୍ତ ପଡ଼ିଲା ନାହିଁ। ସାଧୁଙ୍କୁ ଦେଖିବା ମାତ୍ରକେ ବୋବାଇବାକୁ ଲାଗିଲା। ସୁତରାଂ, ଅନ୍ୟ ଉପାୟ ନ ପାଇ ସାଧୁ ସେଠାରୁ ଅନ୍ୟତ୍ର ଯିବାକୁ ବାହାରିଲେ। ହଠାତ୍‌ ସେତିକି ବେଳକୁ ଆବିଷ୍କାର କଲେ ଯେ କାଉର ସ୍ବର ଶୁଭୁନାହିଁ। ସେ ଉପରକୁ ଚାହିଁ ଦେଖନ୍ତି ତ କାଉ ସେଠାରେ ନାହିଁ। ସେ ବିସ୍ମିତ ହୋଇ ଭଗବାନଙ୍କୁ ଧନ୍ୟବାଦ ଜଣାନ୍ତେ ଦୈବୀ ବାଣୀ ଶୁଭିଲା- ବାବା, ତୁମର ଆକ୍ରମଣ ସତ୍ତ୍ବେ କାଉଟି ତା’ର ରାବର ଧ୍ୟାନରୁ ବିରତ ନ ହେବାରୁ ସେ ମୋକ୍ଷ ପାଇଗଲା, ଅଥଚ ତୁମ ଦ୍ବାରା ଧ୍ୟାନ ହେଲା ନାହିଁ!