ମୁଁ ଯାହା ଓ ଯେପରି ମୋତେ ସେପରି ଗ୍ରହଣ କର

ଗହନ ମନର କଥା - ସଂଗୀତା ରଥ

ଏହି ବର୍ଷ ମାର୍ଚ୍ଚ ଚାରି ତାରିଖ ଦିନ ଅଷ୍ଟ୍ରେଲିଆର ଖ୍ୟାତନାମା କ୍ରିକେଟ୍ ତାରକା ସେନ୍ ଵର୍ଣ୍ଣଙ୍କର ମାତ୍ର ବାଉନ ବର୍ଷରେ ମୃତ୍ୟୁ ହେବାର ସମ୍ବାଦ ବିଶ୍ୱର ସମସ୍ତ କ୍ରିକେଟ୍‌ପ୍ରେମୀଙ୍କୁ ସ୍ତବ୍‌ଧ କରି ଦେଇଥିଲା। ମୃତ୍ୟୁର ଚାରିଦିନ ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ‘ହେଲଦି’, ‘ଫିଟ୍‌ନେସ୍‌’ ଓ ‘ଫିଲ୍‌ଗୁଡ୍‌’ ଆଦି ଟ୍ୟାଗ୍ କରି ବିଗତ ଚଉଦ ଦିନ ଧରି ସେ କିପରି ସଂପୂର୍ଣ୍ଣ ତରଳ ଖାଦ୍ୟ ଗ୍ରହଣ କରି ନିଜର ଓଜନ ହ୍ରାସ କରିପାରିଥିଲେ ତାହା ଲେଖିଥିଲେ। ଜୁଲାଇ ମାସ ସୁଦ୍ଧା ତାଙ୍କର ଶରୀର ନିଶ୍ଚୟ ପୂର୍ବାକୃତିକୁ ଫେରିଆସିବ ବୋଲି ସେ ଦୃଢ଼ ଆଶାପୋଷଣ କରିଥିଲେ। କିନ୍ତୁ ଦୁଃଖର ବିଷୟ ଯେ, ଓଜନ ହ୍ରାସ କରି ସେ ଜୁଲାଇ ମାସକୁ ସ୍ୱାଗତ କରିବା ପୂର୍ବରୁ ମୃତ୍ୟୁବରଣ କରିଥିଲେ। ପୂର୍ବରୁ ମଧ୍ୟ ସେ ଅନେକ ଥର କ୍ରାସ ଡାଏଟିଙ୍ଗ୍ କରୁଥିଲେ ବୋଲି ତାଙ୍କର ପରିବାର ସୁତ୍ରରୁ ଜଣାପଡ଼ିଥିଲା। ସେନ୍ ୱର୍ଣ୍ଣଙ୍କର ମୃତ୍ୟୁ ହୃଦ୍‌ଘାତରେ ହୋଇଥିଲେ ମଧ୍ୟ ଅନ୍ତର୍ନିହିତ କାରଣ ସବୁଦିନ ପାଇଁ ଅସ୍ପଷ୍ଟ ହୋଇ ରହିଗଲା।

ପତଳା ହେବାର ନିଶାରେ ଆଜିର ଯୁବପିଢ଼ି ସେନ୍ ଵର୍ଣ୍ଣଙ୍କ ପରି ଶରୀରକୁ ସ୍ୱାଭାବିକ ଖାଦ୍ୟଗ୍ରହଣରୁ ବଞ୍ଚିତ କରି, ମାସାଧିକ କାଳ ଖାଦ୍ୟଗ୍ରହଣ ବ୍ୟାପାରରେ ଚରମ ସତର୍କତା ଅବଲମ୍ବନ କରୁଛନ୍ତି। ସକାଳେ ଲେମ୍ବୁପାଣି, ମଧ୍ୟାହ୍ନରେ ଫଳରସ ଓ ରାତିରେ ସୁପ୍ ପିଇ ସେମାନେ ଶରୀରର ବିଷହରଣ/ବିଶୁଦ୍ଧୀକରଣ (detoxification) କରୁଛନ୍ତି। ସ୍ୱାଭାବିକ ଖାଦ୍ୟଗ୍ରହଣରୁ ବହୁଦିନ ଧରି ଶରୀରକୁ ବଞ୍ଚିତ କରୁଥିବାରୁ କିଛିଦିନ ପରେ ନିଜର କ୍ଷୁଧା ଓ ଲାଳସାକୁ ନିୟନ୍ତ୍ରଣ କରିନପାରି ମାତ୍ରାଧିକ ଅଖାଦ୍ୟ ଭକ୍ଷଣ କରୁଛନ୍ତି, ଯାହାକୁ ସେମାନେ ଠକାମି (cheating) ବୋଲି କହୁଛନ୍ତି। ଏବେ ଯୁବତୀମାନେ ନିଜ ଶରୀରକୁ ପୋଷାକ ସହିତ ଖାପ ଖୁଆଇବାକୁ ଚେଷ୍ଟା କରୁଛନ୍ତି। ଶରୀର ଅନୁଯାୟୀ ବସ୍ତ୍ର ନ କିଣି ବରଂ ବସ୍ତ୍ର ସହିତ ଶରୀରକୁ ଖାପ ଖୁଆଇବାର ପ୍ରୟାସରେ ଓଜନ ହ୍ରାସ କରୁଛନ୍ତି।

ବର୍ତ୍ତମାନ ଯୁବଗୋଷ୍ଠୀଙ୍କର ଜୀବନଶୈଳୀ ଯେପରି କ୍ଷିପ୍ର ଏବଂ ଗତିଶୀଳ, ପ୍ରତ୍ୟେକ ଆବଶ୍ୟକତାର ତୁଷ୍ଟୀକରଣ ମଧ୍ୟ ତୁରନ୍ତ ଓ କ୍ଷିପ୍ର ଗତିରେ ହେବା ଦରକାର ବୋଲି ସେମାନେ ବିଶ୍ୱାସ କରୁଛନ୍ତି। ଦୀର୍ଘ ଦିନ ଧରି ଲୋକପ୍ରିୟ ହୋଇଥିବା ‘କେଟୋ ଡାଏଟ୍‌’ ‘ଲିକ୍ୱିଡ୍ ଡାଏଟ୍‌’କୁ ବାରମ୍ବାର ଗ୍ରହଣ କରିବା ଓ ଛାଡ଼ିବାର ଜୀବନଶୈଳୀ ଆପଣାଇଥିବା ଯୁବବର୍ଗଙ୍କର ପାକସ୍ଥଳୀ, ବୃକ୍‌କ, ଯକୃତ ପରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଉପରେ କିଭଳି ନକାରାତ୍ମକ ପ୍ରଭାବ ପଡୁଥାଇପାରେ, ତାହା ବିଷୟରେ ଆଦୌ ଆଲୋଚନା କରାଯାଉନାହିଁ।

ଝିଅମାନଙ୍କ କ୍ଷେତ୍ରରେ କ୍ଷୀଣାଙ୍ଗୀ ହେବା ସୌନ୍ଦର୍ଯ୍ୟ ମାପକାଠିର ଏକ ପ୍ରମୁଖ ଆବଶ୍ୟକତା ବୋଲି ବିବେଚନା କରାଯାଉଥିବାରୁ କ୍ଷୀଣାଙ୍ଗୀ ହେବାର ଚେଷ୍ଟାରେ ଥିବା ଏବଂ ଅହରହ ସେହି ବିଷୟରେ ଭାବୁଥିବା ଯୁବତୀମାନଙ୍କ ଠାରେ ବର୍ତ୍ତମାନ ଖାଦ୍ୟଗ୍ରହଣ ସମ୍ବନ୍ଧୀୟ ମାନସିକ ବିକୃତି ଦେଖାଯାଉଛି। ସେମାନେ ‘ଆନୋରେକ୍‌ସିଆ ନରଭୋସା’ ଏବଂ ‘ବୁଲିମିଆ ନରଭୋସା’ ରୋଗରେ ପୀଡ଼ିତ ହେଉଛନ୍ତି। ଆନୋରେକ୍‌ସିଆ ନରଭୋସା ମାନସିକ ବିକୃତି ଭୋଗୁଥିବା ଯୁବତୀମାନେ ଖୁବ୍ ପତଳା ହୋଇଥିଲେ ମଧ୍ୟ ପୃଥୁଳା ହୋଇଯାଉଛନ୍ତି ବୋଲି କଳ୍ପନା କରି ଖାଇବା ପୂରା ଛାଡ଼ିଦିଅନ୍ତି।

ଏପରି ଭାବନା ସଂପୂର୍ଣ୍ଣ ଅଯୌକ୍ତିକ ହେଲେ ମଧ୍ୟ ଖାଦ୍ୟାଭାବରୁ ଶୁଖି ଶୁଖି ସେମାନେ ପ୍ରାଣତ୍ୟାଗ କରନ୍ତି ବା କ୍ଷୁଧାର ତାଡ଼ନା ସହିନପାରି ଆତ୍ମହତ୍ୟା କରନ୍ତି, ଅଥଚ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରିପାରନ୍ତିନାହିଁ। ବୁଲିମିଆ ନରଭୋସା ରୋଗରେ ପୀଡ଼ିତା ଯୁବତୀମାନେ ଗୁଡ଼ାଏ ଖାଦ୍ୟ ଖାଇଦିଅନ୍ତି ଓ ମୋଟା ହୋଇଯିବା ଭୟରେ ପର ମୁହୂର୍ତ୍ତରେ ପାଟିରେ ହାତ ପୂରାଇ ବାନ୍ତି କରନ୍ତି ବା ଲାକ୍‌ସେଟିଭ୍ ନେଇ ଖାଇଥିବା ଜିନିଷକୁ ବାହାର କରିବାକୁ ଚେଷ୍ଟା କରନ୍ତି। ପାଶ୍ଚାତ୍ୟ ଦେଶମାନଙ୍କରେ ସୀମିତ ଥିବା ଏହିପ୍ରକାର ବିକୃତି ଭାରତରେ ବିଶେଷତଃ ଯୁବତୀମାନଙ୍କଠାରେ ଦେଖାଯାଉଛି। ପ୍ରିନସେସ୍ ଡାଏନା ବୁଲିମିଆ ନରଭୋସା ରୋଗରେ ପୀଡ଼ିତ ହୋଇଥିଲେ ବୋଲି ୧୯୯୪ ମସିହାରେ ଏକ ସାର୍ବଜନୀନ ସଭାରେ ସ୍ୱୀକାର କରିଥିଲେ। ପାଶ୍ଚାତ୍ୟ ଦେଶମାନଙ୍କରେ ପ୍ରସିଦ୍ଧି ଲାଭ କରିଥିବା ଗାୟିକା ଲେଡି ଗାଗା, ଅଭିନେତ୍ରୀ କେଟ୍ ୱିନ୍‌ସ୍ଲେଟ୍‌, କେଟ ମସ୍‌, ଭାରତରେ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍‌, ରିଚା ଚଢ଼ା ଆଦି ଅଭିନେତ୍ରୀମାନେ ଏହି ଖାଦ୍ୟଜନିତ ବିକାରର ସମ୍ମୁଖୀନ ହୋଇଥିଲେ ବୋଲି କହିଛନ୍ତି।

ଶରୀର ଗଠନ ସ୍ୱାଭାବିକ ହୋଇଥିଲେ ମଧ୍ୟ ଆଦ୍ୟ ଯୌବନରେ ଯୁବକମାନେ ଏକ ଭ୍ରାନ୍ତ ଓ ଅବାସ୍ତବ ଧାରଣା ପୋଷଣ କରୁଛନ୍ତି ଯେ କ୍ଷୀଣ, ଦୁର୍ବଳ ଶରୀର ଓ ଅନୁନ୍ନତ ମାଂସପେଶୀ ଯୋଗୁଁ ସେମାନେ ଯଥେଷ୍ଟ ଆକର୍ଷଣୀୟ ଦେଖାଯାଉନାହାନ୍ତି। ନିଜ ବିଷୟରେ ଏହି ଭ୍ରମାତ୍ମକ ପ୍ରତିଛବି ଓ ତଦ୍‌ଜନିତ ସୃଷ୍ଟ ନିମ୍ନ ଆତ୍ମଅବଧାରଣ ଫଳରେ ସେମାନେ ନିଜ ଚେହେରାକୁ ବାରମ୍ବାର ଦର୍ପଣରେ ଦେଖିବା ସହିତ ଚିନ୍ତାଗ୍ରସ୍ତ ଓ ଅବସାଦଗ୍ରସ୍ତ ହୋଇପଡୁଛନ୍ତି। ମାଂସପେଶୀ ବୃଦ୍ଧି କରିବା ପାଇଁ ଷ୍ଟିରଏଡ୍ ଏବଂ ଡ୍ରଗ୍‌ର ସାହାଯ୍ୟ ନେବା ସହିତ ଅତ୍ୟଧିକ ସ୍ନେହସାରଯୁକ୍ତ ଖାଦ୍ୟ ଗ୍ରହଣ କରି, ଜିମ୍‌ରେ ଭାରି ଜିନିଷ ଉତ୍ତୋଳନ କରି ଘଣ୍ଟା ଘଣ୍ଟା ସେମାନେ ବ୍ୟାୟାମରେ ବ୍ୟୟ କରୁଛନ୍ତି। ଚାପଗ୍ରସ୍ତ ରହିବା ଫଳରେ ସେମାନଙ୍କର ସାମାଜିକ, ଶିକ୍ଷାଗତ ଓ ବୃତ୍ତିଗତ ଜୀବନ ବାଧାପ୍ରାପ୍ତ ହେଉଛି। ଏହି ବିକୃତିକୁ ‘ବାଇଗୋରେକ୍‌ସିଆ’ ବା ମସଲ୍ ଡିସ୍‌ମୋରଫିଆ ବୋଲି କୁହାଯାଉଛି। ପୁଅମାନଙ୍କଠାରେ ଏ ପ୍ରକାର ବିକୃତି ଭାରତରେ ବଢ଼ିବାରେ ଲାଗିଛି।

ଶରୀର ପ୍ରତିମା ଜନିତ ଚାପ (body image pressure) ସମାଜ, ଗଣମାଧ୍ୟମ, ବିଜ୍ଞାପନଦାତାଙ୍କ ଦ୍ୱାରା ସୃଷ୍ଟି କରାଯାଇଥାଏ। ନିଖୁଣ ଶାରୀରିକ ଗଠନ, ସୌନ୍ଦର୍ଯ୍ୟ ଓ ଆକର୍ଷଣୀୟତା ଉପରେ ମାତ୍ରାଧିକ ଗୁରୁତ୍ୱ ମୁଖ୍ୟତଃ ଖାଉଟି ବା ଉପଭୋକ୍ତା ସମାଜ ଓ ସଂସ୍କୃତିର ଅବଦାନ। ପ୍ରସାଧନ ଉତ୍ପାଦନ କରୁଥିବା ଇଣ୍ଡଷ୍ଟ୍ରି, କସ୍‌ମେଟିକ୍ ଶଲ୍ୟଚିକିତ୍ସକ, ବିୟୁଟିପାର୍ଲର ବା ବ୍ୟାୟାମଶାଳାର ପରିଚାଳକ, ବିଭିନ୍ନ ଡାଏଟିଙ୍ଗ ପ୍ରକ୍ରିୟାକୁ ଲୋକପ୍ରିୟ କରୁଥିବା ଲାଭଦାୟକ ସଂସ୍ଥା ସମାଜରେ ନାରୀ ଓ ପୁରୁଷମାନଙ୍କ ଭାବନାକୁ ଅତ୍ୟନ୍ତ ସଫଳତାର ସହ ବଦଳେଇ ଦେଇପାରିଛନ୍ତି। ଗୁଗୁଲ୍ ସର୍ଚ୍ଚ କଲେ, କେଉଁ ଔଷଧ ଏବଂ ଡାଏଟିଙ୍ଗ୍ ପଦ୍ଧତି ମାଧ୍ୟମରେ ଦଶଦିନ ମଧ୍ୟରେ କେତେ ଅଧିକ ମେଦ ହ୍ରାସ କରାଯାଇପାରିବ, କେଉଁଭଳି ଖାଦ୍ୟଗ୍ରହଣ ଓ ବ୍ୟାୟାମ କଲେ ‘ମସଲ୍ ମାସ୍’(ମାଂସପୋୀ) ବୃଦ୍ଧି କରାଯାଇପାରିବ, ବୋଟୋକ୍ସ ବା ଫିଲର୍‌ର ପ୍ରୟୋଗ ଦ୍ୱାରା କିପରି ମୁଖମଣ୍ଡଳରୁ ବୟସଜନିତ ଛାପକୁ ସଂପୂର୍ଣ୍ଣ ହଟାଯାଇପାରିବ, କେଉଁ କ୍ରିମ୍ ଲଗାଇଲେ ତ୍ୱଚାର ରଙ୍ଗ ବଦଳିବା ସହିତ ସୌନ୍ଦର୍ଯ୍ୟ ବହୁଗୁଣିତ ହେବ, ଆଦି ଅସଂଖ୍ୟ ସୂଚନା ବିଜ୍ଞାପିତ ହୋଇଥାଏ। ସଫଳତା, ସୁଖ ଓ ସମ୍ମାନ ପାଇଁ ଆକର୍ଷଣୀୟ ଚେହେରା ଯେ ନିତାନ୍ତ ଆବଶ୍ୟକ ଏବଂ ଏହା ଆତ୍ମପରିଚିତିର ଏକ ପ୍ରମୁଖ ଉପାଦାନ ବୋଲି ବିଜ୍ଞାପନଗୁଡ଼ିକରେ ଧାରଣା ସୃଷ୍ଟି କରାଯାଇଥାଏ।

ଆକର୍ଷଣୀୟ ବ୍ୟକ୍ତିତ୍ୱସମ୍ପନ୍ନା ସୁନ୍ଦରୀ ନାରୀ ଓ ଚଳଚ୍ଚିତ୍ର ତାରକାମାନଙ୍କୁ ନେଇ ଫଟୋଗ୍ରାଫିର ନିପୁଣତା ଓ କମ୍ପ୍ୟୁଟର କୌଶଳ ମାଧ୍ୟମରେ ଏବଂ ପ୍ରସାଧନ ସାହାଯ୍ୟରେ ସେମାନଙ୍କର ପ୍ରକୃତ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରି ବିଜ୍ଞାପନ ଦିଆଯାଏ। ବିଜ୍ଞାପନରେ ଦେଖାଉଥିବା ମାନଦଣ୍ଡ ଅନୁଯାୟୀ ସୌନ୍ଦର୍ଯ୍ୟକୁ ମୂଲ୍ୟାୟନ କଲେ ସନ୍ତୋଷଜନକ ସୌନ୍ଦର୍ଯ୍ୟ ବହୁ କମ୍ ନାରୀଙ୍କର ଥାଏ, କିନ୍ତୁ ବିଜ୍ଞାପନଗୁଡ଼ିକ ବାରମ୍ବାର ଦେଖିବା ଫଳରେ ନାରୀମାନେ ନିଜ ପାଇଁ ଏକ ଅବାସ୍ତବ ଓ ଅପହଞ୍ଚ ସୌନ୍ଦର୍ଯ୍ୟର ମାନଦଣ୍ଡ ନିର୍ଣ୍ଣୟ କରନ୍ତି। ସେମାନଙ୍କ ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହୁଏ ଯେ, ପରିଶ୍ରମ କଲେ ସେମାନେ ମଧ୍ୟ ବିଜ୍ଞପିତ ହେଉଥିବା ନାରୀମାନଙ୍କ ପରି ସୁନ୍ଦର ଦିଶିପାରିବେ, ଏହି ପ୍ରୟାସ ଓ ଚେଷ୍ଟା ସେମାନଙ୍କୁ ଅହରହ ଜାରି ରଖିବାକୁ ପଡ଼ିବ। ତେଣୁ ଆଜିର ନାରୀମାନେ ପ୍ରକୃତିଦତ୍ତ ଅଙ୍ଗପ୍ରତ୍ୟଙ୍ଗକୁ କଟାକଟି କରି, ପତଳା ଓଠକୁ ମୋଟା, ଛୋଟ ଆଖିକୁ ବଡ଼, ଚେପଟା ନାକକୁ ସିଧା, ସିଧା ବାଳକୁ କୁଞ୍ଚୁକୁଞ୍ଚିଆ କରିବାକୁ ଚେଷ୍ଟା କରୁଛନ୍ତି। ଅପହଞ୍ଚ ସୌନ୍ଦର୍ଯ୍ୟର ମାନଦଣ୍ଡରେ ପହଞ୍ଚିିବା ପାଇଁ ସମସ୍ତେ ଯେପରି ପାଗଳ। ଅବଶ୍ୟ ଏ ପ୍ରକାର ସାମୂହିକ ପାଗଳାମିରେ ପ୍ରସାଧନ ଉତ୍ପାଦନ କରୁଥିବା ବହୁରାଷ୍ଟ୍ରୀୟ କମ୍ପାନି ଓ କସ୍‌ମେଟିକ୍ ଶଲ୍ୟ ଚିକିତ୍ସକମାନେ ଖୁବ୍ ଲାଭବାନ୍ ହେଉଥିଲେ ମଧ୍ୟ ସମାଜର କୌଣସି ମଙ୍ଗଳ ସାଧିତ ହୁଏ ନାହିଁ।

ଅଧିକାଂଶ ବିଜ୍ଞାପନରେ ନାରୀକୁ ଗୌଣ ସ୍ଥିତିରେ ଚିତ୍ରଣ କରାଯାଇଥାଏ ଏବଂ ଏକ ଭୋଗ୍ୟବସ୍ତୁ ରୂପେ ପରିକଳ୍ପନା କରାଯାଇଥାଏ। ଯେପରି ଶ୍ୟାମଳୀ ହେବା ଲଜ୍ଜାଜନକ ଏବଂ କୌଣସି କ୍ରିମ୍ ଲଗାଇ ଶ୍ୟାମଳୀ ଝିଅଟି ଗୌରବର୍ଣ୍ଣା ହୋଇଗଲା ପରେ ପୁରୁଷ ବନ୍ଧୁମାନଙ୍କର ଲମ୍ବା ଧାଡ଼ି ଲାଗିଯିବ। ସତେ ଯେପରି ସୁନ୍ଦରୀ ଦେଖାଯିବା ଓ ପୁରୁଷକୁ ଆକର୍ଷିତ କରିବାରେ ହିଁ ନାରୀ ଜନ୍ମର ସାର୍ଥକତା। ତା’ଛଡ଼ା ଏପରି ବିଜ୍ଞାପନ ଦେଖିବା ଦ୍ୱାରା ଜଣେ ଶ୍ୟାମଳୀ କିଶୋରୀର ଅପରିପକ୍ୱ ମନ ଆଘାତପ୍ରାପ୍ତ ହେବା ସହିତ ସେ ଚାପଗ୍ରସ୍ତ ହୁଏ ଏବଂ ତାର ଆତ୍ମପ୍ରତ୍ୟୟ କମିଯାଏ। ଅଧିକାଂଶ ଭାରତୀୟଙ୍କ ରଙ୍ଗ ଗୋରା ନହୋଇ ବାଦାମୀ ହୋଇ ଥିବା ସତ୍ତ୍ୱେ ସେମାନେ ଗୋରା ରଙ୍ଗକୁ ଅଧିକ ପସନ୍ଦ କରନ୍ତି। ଦୁଇଶହ ବର୍ଷ ଭାରତୀୟମାନେ ଇଂରେଜଙ୍କ ଦ୍ୱାରା ଶାସିତ ହୋଇଥିବାରୁ ଏବଂ ଏହା ପୂର୍ବରୁ ଭାରତରେ ଆଧିପତ୍ୟ ବିସ୍ତାର କରିଥିବା ମୋଗଲ, ଆଫଗାନ, ଆରବୀୟ ଆଦି ସବୁ ବିଦେଶୀଙ୍କ ରଙ୍ଗ ଗୋରା ହୋଇଥିବାରୁ ହୁଏତ କ୍ଷମତାର ପ୍ରତୀକ ହିସାବରେ ଗୌରବର୍ଣ୍ଣର ଆଦର ଭାରତରେ ଅଧିକ।

ପ୍ରତ୍ୟେକ ସମାଜରେ ନାରୀ ଓ ପୁରୁଷ ସମ୍ବନ୍ଧରେ ଏକ ମାନସିକ ପ୍ରତିଛବି ରହିଥାଏ। ଏହି ମାନଦଣ୍ଡ ସମାଜ ଦ୍ୱାରା ହିଁ ନିର୍ଦ୍ଧାରିତ ହୋଇଥାଏ। ସମୟକ୍ରମେ ଏହି ମାନଦଣ୍ଡର ପରିବର୍ତ୍ତନ ମଧ୍ୟ ହୁଏ। କିଛି ବର୍ଷ ପୂର୍ବରୁ ଭାରତରେ ପୃଥୁଳା ଓ ଅଳ୍ପ ଉଚ୍ଚତାସମ୍ପନ୍ନ ନାରୀଙ୍କୁ ସୁନ୍ଦରୀ ଭାବେ ବିବେଚନା କରାଯାଉଥିଲା। ଷଷ୍ଠ, ସପ୍ତମ ଦଶକର ହିନ୍ଦୀ ଚଳଚ୍ଚିତ୍ରର ଅଧିକାଂଶ ଅଭିନେତ୍ରୀ ଏବଂ ଶିଳ୍ପୀମାନଙ୍କ ତୂଳୀରେ ଜନ୍ମ ନେଇଥିବା ସୁନ୍ଦରୀ ନାରୀ ଆଜିର ସାଇଜ୍ ଜିରୋ ଆକୃତିକୁ ଗୁରୁତ୍ୱ ଦେଉଥିବା ସମାଜର ମାପକାଠିରେ ଅତ୍ୟନ୍ତ ପୃଥୁଳାକାୟ ରମଣୀ ଭାବରେ ପରିଗଣିତ ହେବେ।

ଦେଶ-ଦେଶ ମଧ୍ୟରେ ସୌନ୍ଦର୍ଯ୍ୟର ମାନଦଣ୍ଡରେ ମଧ୍ୟ ଅନେକ ପାର୍ଥକ୍ୟ ଦେଖିବାକୁ ମିଳେ। ଆମେରିକାରେ ନାରୀମାନେ ବାର୍‌ବି କଣ୍ଢେଇ ପରି ପତଳା ରହିବାକୁ ଚାହୁଥିବା ବେଳେ ଜାମାଇକାରେ ପୃଥୁଳାକାୟା ରମଣୀଙ୍କର ଆଦର ବେଶୀ। ବେଦୁଇନ୍‌ରେ ଟାଟୁ ପ୍ରୟୋଗ କଲେ ବ୍ୟକ୍ତିତ୍ୱ ପ୍ରଭାବଶାଳୀ ହେବ ବୋଲି ଲୋକେ ଭାବନ୍ତି। ଚାଇନାର ଅଧିବାସୀମାନେ ଛୋଟ ପାଦ ଥିବା ନାରୀକୁ ସୁନ୍ଦରୀ ବୋଲି ବିବେଚନା କରୁଥିବାରୁ ପୂର୍ବକାଳରେ ନାରୀମାନେ ପାଦକୁ ବାନ୍ଧି ରଖୁଥିଲେ। ଲେଖିକା ନାଓମି ଉଲଫ୍ ତାଙ୍କ ପ୍ରସିଦ୍ଧ ପୁସ୍ତକ “ଦି ବିୟୁଟି ମିଥ୍‌” (୨୦୦୨)ରେ ପ୍ରକାଶ କରିଛନ୍ତି ଯେ ଆନ୍ତର୍ଜାତିକ ସୌନ୍ଦର୍ଯ୍ୟ ବା ସାର୍ବଜନୀନ ସୌନ୍ଦର୍ଯ୍ୟ ବୋଲି କିଛି ନାହିଁ। ତେଣୁ ଏଭଳି ଗୁଡ଼ିଏ ଅବାନ୍ତର ମାନଦଣ୍ଡ ନିଜ ପାଇଁ ତିଆରି କରି ଏହାକୁ ହାସଲ କରିବାକୁ ସମୟ ନଷ୍ଟ କରିବା କେତେଦୂର ସମୀଚୀନ ତାହା ବିଚାରଯୋଗ୍ୟ।

କୌଣସି ରଙ୍ଗକୁ ସୁନ୍ଦର ବା ଅସୁନ୍ଦର ଭାବିବା ସାମାଜିକୀକରଣ ପ୍ରକ୍ରିୟା (socialization process) ଦ୍ୱାରା ହୋଇଥାଏ। ଗୋରା ଝିଅଟିକୁ ସୁନ୍ଦର ଏବଂ କଳା ଝିଅଟିକୁ ଅସୁନ୍ଦର ବୋଲି କହୁଥିବାରୁ ଭାରତୀୟମାନେ ଗୋରା ରଙ୍ଗକୁ ଆଦର ଏବଂ କଳା ରଙ୍ଗକୁ ନାପସନ୍ଦ କରିଥାନ୍ତି। କାଳକ୍ରମେ ସମାଜରେ ଆଦୃତ ହେଉଥିବା ରଙ୍ଗ ହିଁ ଆଖିକୁ ସୁନ୍ଦର ଦିଶେ। ଅବଶ୍ୟ ଏହା ପ୍ରତିକ୍ରିୟାରେ ନିଗ୍ରୋମାନେ କହନ୍ତି ‘କଳା ହିଁ ସୁନ୍ଦର’। କାହାର ପ୍ରକୃତିଦତ୍ତ ରଙ୍ଗ ବା ଶରୀର ଗଠନ ତା’ପାଇଁ କାହିଁକି ଅଯୋଗ୍ୟତା, ଲାଭ ଓ ଭେଦଭାଦର କାରଣ ହେବ ଏବଂ ସେ ବିଦ୍ୱେଷ ଓ ପାତରଅନ୍ତରର ଶିକାର ହେବ ତା’ର କୌଣସି ଯୁକ୍ତଯୁକ୍ତ କାରଣ ନାହିଁ। ବ୍ଲାକ୍ ସ୍କିନ୍‌, ହ୍ବାଇଟ୍ ମାସ୍କ (୧୯୫୨)ର ରଚୟିତା ଫ୍ରାନ୍‌ଜ ଫାଜନ୍‌ଙ୍କ ବକ୍ତବ୍ୟ ଏଠାରେ ଉଲ୍ଲେଖଯୋଗ୍ୟ- ‘ମୋ ରଙ୍ଗ ମୋ ପାଇଁ କଳଙ୍କ ନୁହେଁ’। ଆନୁବଂଶିକ ଶରୀର ଗଠନ ଓ ବର୍ଣ୍ଣ ଭିତ୍ତିିରେ ପାତର ଅନ୍ତର କରିବା ବ୍ୟାପାରରେ ଭାରତରେ ସମ୍ବେଦନଶୀଳ ବୁଦ୍ଧିଜୀବୀ ଏବଂ ସକ୍ରିୟତାବାଦୀମାନେ ସ୍ୱର ଉତ୍ତୋଳନ କରିବା ଦରକାର।

ନିଜକୁ ସୁସ୍ଥ ଓ ଆକର୍ଷଣୀୟ ରଖିବା ପାଇଁ କଠୋର ଖାଦ୍ୟଗ୍ରହଣ ପଦ୍ଧତି ଅବଲମ୍ବନ ନକରି ନିୟମିତ ଭାବରେ ପୁଷ୍ଟିକର ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ସହିତ କିଛି ସମୟ ପାଇଁ ବ୍ୟାୟାମ, ଯୋଗ ଆଦି କରିବା ଦରକାର। ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ଦୟା, କ୍ଷମା, ସଂଭ୍ରମ, ସହନଶୀଳତା, ସଂଯମ ଆଦି ଅନ୍ତର୍ନିହିତ ଗୁଣକୁ ବିକଶିତ କଲେ ବ୍ୟକ୍ତି ଅଧିକ ଆକର୍ଷଣୀୟ ଦିଶିପାରିବ। ବିଭିନ୍ନ ପରିସ୍ଥିତିରେ ଖାପଖୁଆଇ ଚଳି ପାରୁଥିବା, ଦୃଢ଼ତାର ସହ ନିଜ ଉପରେ ବିଶ୍ୱାସ ରଖି କାମ କରୁଥିବା, ସବୁ ବିଷୟରେ ସଚେତନ ରହୁଥିବା ମଣିଷଟି ସମାଜରେ ଅଧିକ ଆଦୃତ ହୁଏ। ଜନ୍ମଗତ ବା ଜିନ୍‌ଦ୍ୱାରା ନିରୂପିତ ଶାରୀରିକ ଗଠନ, ମୁଖମଣ୍ଡଳର ଗଢ଼ଣ ବା ତ୍ୱଚାର ରଙ୍ଗକୁ ବଦଳାଇବା ସମ୍ଭବ ନୁହେଁ। କିଛି ଅଂଶରେ ସମ୍ଭବ ହେଲେ ମଧ୍ୟ ତାହା ସ୍ୱାସ୍ଥ୍ୟ ପକ୍ଷରେ ଅନୁକୂଳ ନୁହେଁ। ପ୍ରତ୍ୟେକ ମଣିଷର ସ୍ୱତନ୍ତ୍ରତା ରହିଛି। ପ୍ରକୃତି ମଣିଷକୁ ଭିନ୍ନ ଭିନ୍ନ କରି ଗଢ଼ିଛି। ନିଜର ଏହି ଭିନ୍ନତାକୁ ଗ୍ରହଣ କରିବା ଓ ଭଲ ପାଇବା ଦରକାର।
ମୋ: ୯୪୩୭୫୭୭୨୧୧

ସମ୍ବନ୍ଧିତ ଖବର