କଟି˚ ଚା’

ମାତ୍ର ୧୭୦ ବର୍ଷ ତଳେ ଭାରତ ଉପମହାଦେଶରେ ପ୍ରବେଶ କରି କ୍ରମେ ଏହାର ଅଧିବାସୀମାନଙ୍କୁ ଏକ ଦୁର୍ନିବାର ଅଭ୍ୟାସର ଦାସରେ ପରିଣତ କରିଥିବା ଚା’, ସବୁ ସତ୍ତ୍ବେ ଏକ ନିରୀହ ନିଶା ଭାବେ ପରିଗଣିତ ହୋଇଥାଏ। କହିବା ବାହୁଲ୍ୟ ଯେ ଚୀନ ପଛକୁ ପାକିସ୍ତାନ ଓ ବା˚ଲାଦେଶକୁ ମିଶାଇ ଭାରତୀୟ ଉପମହାଦେଶ ସର୍ବାଧିକ ସ˚ଖ୍ୟକ ଚା’ପାୟୀଙ୍କୁ ସ୍ଥାନ ଦେଇଥାଏ। ଏଭଳି ଏକ ସ୍ଥିତିରେ ଚା’ ପାନ ଅଭ୍ୟାସରେ ନିୟନ୍ତ୍ରଣ ଆଣିବା ସକାଶେ ପାକିସ୍ତାନର ଯୋଜନା ଏବ˚ ବିକାଶ ବିଭାଗର ମନ୍ତ୍ରୀ ଏହସନ ଇକବଲ୍‌ ପାକିସ୍ତାନୀମାନଙ୍କୁ ପ୍ରଦାନ କରିଥିବା ପରାମର୍ଶ ନିର୍ଦ୍ଦୟ ପ୍ରତିକ୍ରିୟା ସୃଷ୍ଟିର କାରଣ ହେବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ ଯେ ନିକଟରେ ପାକିସ୍ତାନୀ ମନ୍ତ୍ରୀ ଜଣକ ପାକିସ୍ତାନ ସମ୍ମୁଖୀନ ହେଉଥିବା ଚରମ ଆର୍ଥିକ ଦୁଃସ୍ଥିତିକୁ ଦର୍ଶାଇ ପାକିସ୍ତାନୀମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ଏଣିକି ଦିନକୁ ଅନ୍ତତଃ ଗୋଟାଏ ବା ଦୁଇ କପ୍‌ ଲେଖାଏଁ ଚା’ କମ୍‌ ପାନ କରନ୍ତୁ। ଅବଶ୍ୟ ମନ୍ତ୍ରୀଙ୍କ ଦୃଷ୍ଟିରୁ ବିଚାର କଲେ ତାଙ୍କ ବକ୍ତବ୍ୟରେ ବିଶେଷ ଅସ˚ଗତି ଦିଶି ନ ଥାଏ, କାରଣ ଚା’ ଆମଦାନି କରିବାରେ ମାତ୍ରାଧିକ ବୈଦେଶିକ ମୁଦ୍ରର ବ୍ୟୟ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ତାରକୁ ଉଦ୍‌ବେଗଜନକ ଭାବେ କ୍ଷୟ କରିଚାଲିଛି। ତେବେ ମନ୍ତ୍ରୀଙ୍କ ଏଭଳି ଅସହାୟ ନିବେଦନକୁ ପାକିସ୍ତାନୀମାନେ ହାଲୁକା ଭାବେ ଗ୍ରହଣ କରି ପାରି ନ ଥିବା ବେଳେ ଏହି ସମ୍ବାଦ ‘ବିବିସି’ ଏବ˚ ‘ସିଏନ୍‌ଏନ୍‌’ ଭଳି ଆନ୍ତର୍ଜାତିକ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହୋଇ ପାକିସ୍ତାନ ସକାଶେ ଏକ ଅସ୍ବସ୍ତିକର ପରିସ୍ଥିତି ମଧୢ ସୃଷ୍ଟି କରିଛି। ଏହି ଖବରର ପ୍ରସାରଣ ବେଳେ ତଥା ଏହି ପ୍ରସଙ୍ଗକୁ ନେଇ ଆଲୋଚନା କଲା ବେଳେ ଅଧିକା˚ଶ ଗଣମାଧୢମ ଯେଉଁ ଶୀର୍ଷକଟି ବ୍ୟବହାର କରିଛନ୍ତି, ତାହା ହେଲା ‘କଟି˚ ଟି’ ବା ‘କଟି˚ ଚା’।

ଉଲ୍ଲେଖ ଥାଉ କି ‘କଟି˚ ଚା’ ଭଳି ଅଭିବ୍ୟକ୍ତିଟି ଅନେକ ବର୍ଷ ତଳେ କଲିକତାରେ ଉଦ୍ଭୁତ ଏବ˚ ବ୍ୟବହୃତ ହୋଇ କ୍ରମେ ଦେଶ ଓ ଦେଶ ବାହାରକୁ ବ୍ୟାପିଛି ବୋଲି ବିଶ୍ବାସ କରାଯାଏ। କଲିକତାର ଆଡ୍‌ଡା (ଆମର ଖଟି ତୁଲ୍ୟ)ଗୁଡ଼ିକରେ ଅସରନ୍ତି ଗଳ୍ପର ଆସରରେ ତୁହାକୁ ତୁହା ବରାଦ ହୋଇ ଆସୁଥିବା ଚା’ର ମାତ୍ରାରେ ଟିକିଏ ବିରାମ ଲଗାଇବା ଲାଗି ‘କଟି˚ ଚା’ ଭଳି ଅଭିବ୍ୟକ୍ତିର ଆବିର୍ଭାବ ଘଟିଥିଲା, ଯହିଁରେ ଗୋଟିଏ କପ୍‌ ଚା’କୁ ଭାଗ କରି ଏକାଧିକ ଚା’ ପାୟୀ ଟିକିଏ ଟିକିଏ କରି ପିଅନ୍ତି ଏବ˚ ଏହି ଭଳି ଭାବେ ବାରମ୍ବାର ଚା’ ପିଇ ଆସରକୁ ଦୀର୍ଘ ସମୟ ଧରି ସରଗରମ କରି ରଖି ପାରନ୍ତି। କିନ୍ତୁ, ପାକିସ୍ତାନର ମନ୍ତ୍ରୀ ମହୋଦୟ ‘କଟି˚ ଚା’ ଜରିଆରେ ପାକିସ୍ତାନକୁ ଆର୍ଥିକ ଦୁରବସ୍ଥାରୁ ମୁକ୍ତି କରିବାର ଏକ ବାଟ ଖୋଜିଛନ୍ତି ବୋଲି କୁହାଯାଇପାରେ।

ପ୍ରକାଶ ଥାଉ କି ପାକିସ୍ତାନ ହେଉଛି ପୃଥିବୀର ସର୍ବାଧିକ ଚା’ ଆମଦାନି କରୁଥିବା ରାଷ୍ଟ୍ର, ଯାହା ୨୦୨୦ ମସିହାରେ ୬୪୬ ନିୟୁତ ଡଲାର ମୂଲ୍ୟର ଚା’ ଆମଦାନି କରିଥିଲା। ସ˚ପ୍ରତି ଏକ ଅତ୍ୟନ୍ତ ଗୁରୁତର ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ଏହି ଦେଶ ଉପରେ ରହିଥିବା ଋଣର ପରିମାଣ ୬.୪ ବିଲିଅନ ଡଲାର ଏବ˚ ଏହାର ବୈଦେଶିକ ମୁଦ୍ରା ଭଣ୍ତାରରେ ରହିଛି ୧୬ ବିଲିଅନ ଡଲାର, ଯାହା ମାତ୍ର ଦୁଇ ମାସ ପର୍ଯ୍ୟନ୍ତ ପାକିସ୍ତାନର ସମସ୍ତ ଆମଦାନିର ମୂଲ୍ୟ ପଇଠ କରିବାକୁ ସକ୍ଷମ। କିନ୍ତୁ ଏହା ସତ୍ତ୍ବେ ପୃଥିବୀର ସର୍ବାଧିକ ଚା’ ପାୟୀ ଦେଶଙ୍କ ତାଲିକାରେ ସପ୍ତମ ସ୍ଥାନରେ ଥିବା ତଥା ମୁଣ୍ତ ପିଛା ୧ କିଲୋଗ୍ରାମରୁ ଅଧିକ ଚା’ ପାନ କରୁଥିବା ପାକିସ୍ତାନୀମାନେ ସେମାନଙ୍କ ପ୍ରିୟତମ ଅଭ୍ୟାସରେ ପରିବର୍ତ୍ତନ ଆଣିବା ଲାଗି ମନ୍ତ୍ରୀଙ୍କ ପରାମର୍ଶକୁ ଏକ ଅତ୍ୟନ୍ତ ବ୍ୟକ୍ତିଗତ ମାମଲାରେ ସରକାରୀ ହସ୍ତକ୍ଷେପ ଭାବେ ବିବେଚନା କରିବା ଅତ୍ୟନ୍ତ ସ୍ବାଭାବିକ। କହିବା ଅନାବଶ୍ୟକ, ପାକିସ୍ତାନର ମୁଖ୍ୟ ସ୍ରୋତୀୟ ଗଣମାଧୢମ ସହିତ ସାମାଜିକ ଗଣମାଧୢମଗୁଡ଼ିକ ଏଭଳି ପରାମର୍ଶକୁ ବିଦ୍ରୂପ କରିଛନ୍ତି। ସେଠାକାର ସର୍ବାଧିକ ପ୍ରସାରିତ ଇ˚ରେଜୀ ଦୈନିକ ‘ଦ ଡନ୍‌’ ତାର ସ˚ପାଦକୀୟରେ ଲେଖିଛି ଯେ ପାକିସ୍ତାନର ଗୋଟିକ ପରେ ଗୋଟିଏ ସରକାରଙ୍କ କୁଶାସନ କାରଣରୁ ସୃଷ୍ଟ ଆର୍ଥିକ ଦୁର୍ଗତି ସାଧାରଣ ପାକିସ୍ତାନୀଙ୍କ ଲାଗି ବିଳାସପୂର୍ଣ୍ଣ ଜୀବନଯାପନକୁ ଏକ ଦୁର୍ଲଭ ସ୍ବପ୍ନରେ ପରିଣତ କରିଥିବା ବେଳେ ଚା’ ପାନ ଭଳି ଏକ ଅକି˚ଚନ ବିଳାସକୁ ମଧୢ ବର୍ଜନ କରିବାକୁ କୁହାଯିବା ଦୁର୍ଭାଗ୍ୟଜନକ, ଯେତେବେଳେ କି ପ୍ରତି ପାକିସ୍ତାନୀ ଚା’ କପ୍‌ଟିଏ ପିଇବା ଲାଗି ଟିକସ ଦେଇଥାଏ।

ଏଠାରେ ପ୍ରକାଶ ଥାଉ କି ସ˚ପ୍ରତି ପାକିସ୍ତାନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଶାହନଵାଜ ସରିଫ ଗଲା ଗୁରୁବାର ଦିନ ଏକ ବକ୍ତବ୍ୟ ପ୍ରଦାନ କରିଛନ୍ତି ଯେ ଆନ୍ତର୍ଜାତିକ ଋଣ ପ୍ରଦାନକାରୀ ସ˚ସ୍ଥା ‘ଆଇଏମ୍‌ଏଫ୍‌’ ଠାରୁ ଋଣ ପାଇବା ଲାଗି ପାକିସ୍ତାନ ସରକାର ଏଭଳି କଠୋର ଚୁକ୍ତି ଦ୍ବାରା ଆବଦ୍ଧ ହୋଇଛନ୍ତି ଯେ ସେଥି ଲାଗି ଦେଶବାସୀଙ୍କୁ ଏକ ଅତ୍ୟନ୍ତ କଠିନ ସମୟ ମଧୢ ଦେଇ ଗତି କରିବାକୁ ପଡ଼ିବ; ଯାହାର ପ୍ରଥମ ସ˚କେତ ମିଳିଛି ସେଠାକାର ପେଟ୍ରୋଲ ଦରରେ ଘଟାଯାଇଥିବା ମାତ୍ରାଧିକ ବୃଦ୍ଧିରେ। ଏହା ସହିତ ପାକିସ୍ତାନର ଧନୀମାନଙ୍କ ଉପରେ ଉଚ୍ଚ ହାରର ଟିକସ ସହିତ ଆବଶ୍ୟକ ନ ଥିବା ବିଳାସ ସାମଗ୍ରୀର ଆମଦାନି ଉପରେ ନିଷେଧାଦେଶ ଏ ଦିଗରେ ଆଉ କିଛି ପଦକ୍ଷେପ। ଏଭଳି ଏକ ସ୍ଥିତିରେ ପାକିସ୍ତାନ ମନ୍ତ୍ରୀଙ୍କ ନିବେଦନ ପଛରେ ରହିଥିବା ଅସହାୟତାକୁ ହୃଦୟଙ୍ଗମ କରି ହେଉଥିଲେ ସୁଦ୍ଧା ଚା’ ସହିତ ପାକିସ୍ତାନୀମାନଙ୍କର ରହିଥିବା ଆବେଗିକ ସ˚ପର୍କ ଏହାକୁ ଏକ ଔଚିତ୍ୟରହିତ ମନ୍ତବ୍ୟରେ ପରିଣତ କରିଛି।

ଏଠାରେ ମନେ ରଖିବା ଉଚିତ ଯେ ବ୍ରିଟିସ ‘ଇଷ୍ଟ ଇଣ୍ତିଆ କ˚ପାନି’ ଭାରତର ଆସାମ ଓ ଦାର୍ଜିଲି˚ରେ ଚା’ ଉତ୍ପାଦନ ଲାଗି ଉପଯୁକ୍ତ ଭୂମି ଓ ପରିବେଶ ପାଇ ଚା’ ଉତ୍ପାଦନ ଓ ରପ୍ତାନିକୁ ଏକ ପ୍ରମୁଖ ଆୟର ସ୍ରୋତରେ ପରିଣତ କରିଥିଲା। ଏହା ସହିତ ଚା’ ଲାଗି ବ୍ରିଟେନ୍‌ର ଚୀନ ଉପରେ ରହିଥିବା ନିର୍ଭରଶୀଳତା ମଧୢ ଲୋପ ପାଇଥିଲା। ଚୀନର ଉତ୍ତମ ମାନର ଚା’ କିଭଳି ଭାରତରେ ପହଞ୍ଚିଲା, ସେ ନେଇ ଏକ ଅତ୍ୟନ୍ତ ରୋଚକ କାହାଣୀ ମଧୢ ରହିଛି। ତେବେ ଚୁମ୍ବକରେ ତାହା ଏହିପରି: ଇଷ୍ଟ ଇଣ୍ତିଆ କ˚ପାନି ଦ୍ବାରା ନିୟୋଜିତ ରବର୍ଟ ଫରଚ୍ୟୁନ ନାମକ ଜଣେ ଉଦ୍ୟାନ ବିଶେଷଜ୍ଞ ତାଙ୍କର ଜଣେ ସହଯୋଗୀ ସହିତ ଛଦ୍ମ ପରିଚୟରେ ଚୀନର ଚା’ ବଗିଚାମାନ ବୁଲି ଚା’ ଉତ୍ପାଦନର ସମସ୍ତ ଜ୍ଞାନକୌଶଳ ହାସଲ କରିବା ସହିତ ଅତି ସନ୍ତର୍ପଣରେ ୧୩,୦୦୦ଟି ଛୋଟ ବୋତଲରେ ଚା’ ଚାରାର ଚୋରା ଚାଲାଣ କରିବାରେ ସମର୍ଥ ହୋଇଥିଲେ, ଯାହା ଆସାମ ଓ ଦାର୍ଜିଲି˚ର ବିସ୍ତୀର୍ଣ୍ଣ ଚା’ ବଗିଚାରେ ପଲ୍ଲବିତ ହୋଇ ଇଷ୍ଟ ଇଣ୍ତିଆ କ˚ପାନିର କୋଷାଗାରକୁ ପରିପୁଷ୍ଟ କରିଥିଲା। ବ୍ରିଟିସମାନେ ଭାରତ ପରିତ୍ୟାଗ କଲା ପରେ ତାହା ଭାରତ ଲାଗି ମଧୢ ଏକ ବିପୁଳ କୃଷି ସ˚ପଦରେ ପରିଣତ ହୋଇଛି। କିନ୍ତୁ ଅପର ପକ୍ଷରେ ପାକିସ୍ତାନର ଦୁର୍ଭାଗ୍ୟ ଯେ ଚା’ ମୋହଗ୍ରସ୍ତ ଏହି ଦେଶରେ ଚା’ ଉତ୍ପାଦନ ଲାଗି ଅନୁକୂଳ ଭୂମି ବା ପରିବେଶ ଉପଲବ୍‌ଧ ନାହିଁ। ଯଦିଓ ୧୯୫୮ ମସିହା ଠାରୁ ପାକିସ୍ତାନରେ ଚା’ ଅମଳ ଲାଗି ଉଦ୍ୟମ ଜାରି ରହିଛି, ତାହା ବିଫଳତାରେ ସମାପ୍ତ ହୋଇଛି। ପାକିସ୍ତାନର ‘ଆଗ୍ରିକଲଚରାଲ ରିସର୍ଚ କାଉନସିଲ’ର ତଥ୍ୟ ଅନୁସାରେ ପାକିସ୍ତାନରେ ୬୪, ୦୦୦ ହେକ୍ଟର ଜମି ଚା’ ଚାଷ ଲାଗି ଉପଯୁକ୍ତ ବୋଲି ଚିହ୍ନଟ ହୋଇଥିବା ସତ୍ତ୍ବେ ମାତ୍ର ୫୦ ଏକରରେ ଚା’ ଚାଷ କରାଯାଇ ତହିଁରୁ ଉତ୍ପାଦିତ ଚା’କୁ ଆମେରିକା, କାନାଡା, ସାଉଦି ଆରବ ଭଳି ରାଷ୍ଟ୍ରକୁ ରପ୍ତାନି କରାଯାଇଥାଏ। ସୁତରା˚, ଏକ ଅତ୍ୟନ୍ତ ନିଅଣ୍ଟିଆ ପରିସ୍ଥିତିରେ ଚା’ ପାନର ଅଭ୍ୟାସ ଏକ ବୋଝ ତୁଲ୍ୟ ପ୍ରତୀତ ହେବା ସ୍ବାଭାବିକ।

କିନ୍ତୁ ଏହି ସ˚ଦର୍ଭରେ ପ୍ରାୟ ସମସ୍ତ ବୁଦ୍ଧିଜୀବୀ ପ୍ରଦାନ କରୁଥିବା ମତଟି ହେଲା ପାକିସ୍ତାନର ଆର୍ଥିକ ଦୁର୍ଗତି ପଛରେ ରହିଥିବା ଏକ ବଡ଼ କାରଣ ହେଉଛି ମୌଳବାଦ ଏବ˚ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରେ ବିପୁଳ ଅର୍ଥ ଅପଚୟ। କହିବା ବାହୁଲ୍ୟ ଯେ ଏଭଳି ପ୍ରୋତ୍ସାହନ ଯେଉଁ ମାନସିକତାକୁ ସୃଷ୍ଟି କରିବାରେ ଲାଗିଛି ତାହା ଆଧୁନିକ ବିକାଶ ପରିବର୍ତ୍ତେ ମଧୢଯୁଗୀୟ ଧର୍ମାନ୍ଧତାକୁ ଧେୢୟ ବୋଲି ବିଚାର କଲାଣି। ଏଭଳି ସ୍ଥଳେ ମୂଳ କାରଣଟିକୁ ନ ଛୁଇଁ ତା’ ବଦଳରେ ଚା’ ପାନର ଅଭ୍ୟାସରେ ସ˚କୋଚନ ଘଟାଇବା ଲାଗି ମନ୍ତ୍ରୀଙ୍କ ପରାମର୍ଶ ହାସ୍ୟାସ୍ପଦ ମଧୢ ଲାଗିଥାଏ।

ସମ୍ବନ୍ଧିତ ଖବର