କେରେଙ୍ଗ ଶାଢ଼ିର ଅନନ୍ୟ ଐତିହ୍ୟ

ସଞ୍ଜୀବ ଚନ୍ଦ୍ର ହୋତା

‘କେରେଙ୍ଗ’ ଶବ୍ଦ ସହ ଅଧିକା˚ଶ ପାଠକ ଅପରିଚିତ ଥିବେ। କାରଣ ଓଡ଼ିଶାର ଏକ ସୀମିତ ଅଞ୍ଚଳରେ ଏ ଶବ୍ଦର ବ୍ୟବହାର ହୋଇଥାଏ। ‘କେରେଙ୍ଗ’ ଏକ ପ୍ରକାର ରଙ୍ଗିନ ଶାଢ଼ିକୁ ବୁଝାଏ ଯାହା ଏକ ସ୍ବତନ୍ତ୍ର ଶୈଳୀରେ ବୁଣା ହୋଇଥାଏ। ଏହି ବୟନ କଳାଟି ଏବେ ଲୋପ ପାଇବାକୁ ଯାଉଛି। କୋରାପୁଟ ଜିଲ୍ଲାର ଗାଦବା ଜନଜାତିଙ୍କ ଭିତରେ ଏହି ବୟନ କଳାର ଐତିହ୍ୟ ସୀମିତ। ଯଥା ସମୟରେ ଏହି ଐତିହ୍ୟକୁ ପୁନରୁଦ୍ଧାର ଓ ଜୀବନ୍ତ ନ କଲେ ଏହା ସମ୍ପୂର୍ଣ୍ଣ ଲୋପ ପାଇଯିବ ଓ ଏହି ବୟନ କଳାରେ ଅଭିଜ୍ଞ ଗାଦବାଙ୍କୁ ଖୋଜିଲେ ପାଇବା କଷ୍ଟକର ହେବ।

ଗାଦବା ଜନଜାତିର ଲୋକେ ମୁଖ୍ୟତଃ ଲାମ୍‌ତାପୁଟ, ନନ୍ଦପୁର, ସେମିଲିଗୁଡ଼ା ଓ ବୈପାରୀଗୁଡ଼ାରେ ବାସ କରନ୍ତି। ୨୦୧୧ ମସିହାରେ ଜନଗଣନା ଅନୁସାରେ ଏମାନଙ୍କର ସ˚ଖ୍ୟା ଥିଲା ଅଣଷଠି ହଜାର ଛଶହ ସତସ୍ତରି। ଏକ ସମୟରେ ଗାଦବା ସ୍ତ୍ରୀମାନଙ୍କର ମୁଖ୍ୟ ପରିଧାନ ଆକର୍ଷଣୀୟ କେରେଙ୍ଗ ଶାଢ଼ି ଥିଲା। ଜଙ୍ଗଲରେ ଥିବା କେରେଙ୍ଗ ନାମକ ଏକ ଛୋଟ ଗଛର ଛାଲ ସ˚ଗ୍ରହ କରି ତାକୁ ତିନି ଦିନ ସ୍ଥିରପାଣିରେ ବତୁରାଇ ପରେ ଖରାରେ ଶୁଖେଇ ଗାଦବା ପୁରୁଷମାନେ ସୂତା ବାହାର କରନ୍ତି। କାଉଁରିଆ (ଝୋଟ) ଗଛ ପରି କେରେଙ୍ଗ ଗଛ ଦେଖାଯାଏ; ତଫାତ୍‌ ଏତିକି ଯେ କାଉଁରିଆକୁ ଚାଷ କରି ଉତ୍ପାଦନ କରାଯାଉଥିବା ବେଳେ କେରେଙ୍ଗ ଗଛ ଜଙ୍ଗଲରେ ଥାଏ ଯାହାକୁ ଗାଦବାମାନେ ସ˚ଗ୍ରହ କରନ୍ତି। ‘କେରେଙ୍ଗ’ ଶବ୍ଦଟି ଗାଦବା ଭାଷାର ନୁହେଁ।

କୋରାପୁଟର ଦେଶିଆ (ସ୍ଥାନୀୟ ଓଡ଼ିଆ) ଭାଷାରେ ଏ ଶବ୍ଦର ପ୍ରଚଳନ ଅଛି। ଗାଦବା ଭାଷାରେ ଏହାକୁ ‘କିସ୍‌ଲାଗ୍‌’ କହିଥାନ୍ତି। କିନ୍ତୁ ଗାଦବାମାନେ ବି ଦେଶିଆ ଲୋକମାନଙ୍କ ସାଙ୍ଗେ କଥା ହେଲା ବେଳେ ‘କେରେଙ୍ଗ’ ଶବ୍ଦ ବ୍ୟବହାର କରନ୍ତି। କେରେଙ୍ଗ ସୂତା ତୁଳା ସୂତା ପରି ଏତେ କୋମଳ ନୁହେଁ; ଅତି କର୍କଶ ବି ନୁହେଁ। କେରେଙ୍ଗ ଶାଢ଼ି ବୁଣିବା କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଗାଦବା ସ୍ତ୍ରୀମାନଙ୍କର। ପୁରୁଷମାନେ ଏହି ଶାଢ଼ି ବୁଣିବା ପାଇଁ ଆବଶ୍ୟକ ହେଉଥିବା ସ୍ବତନ୍ତ୍ର ତନ୍ତ ତିଆରି କରିଥାନ୍ତି, ଯାହାକି ସାଧାରଣ ତନ୍ତଠାରୁ ପୃଥକ୍‌। ସୂତାକୁ ତନ୍ତରେ ଭିଡ଼ିବା ଆଗରୁ ଗାଦବା ସ୍ତ୍ରୀମାନେ କେରେଙ୍ଗ ସୂତାକୁ ଦୁଇ ପ୍ରକାର ପ୍ରାକୃତିକ ରଙ୍ଗ ଯଥା ନାଲି ଓ ନୀଳ ରଙ୍ଗରେ ରଙ୍ଗେଇଥାନ୍ତି। ଜଙ୍ଗଲରୁ ସ˚ଗୃହୀତ ପତ୍ର, ମଞ୍ଜି, ଫଳ ଓ ଛାଲିରୁ ଏଇ ଦୁଇଟି ରଙ୍ଗ ପ୍ରସ୍ତୁତ କରନ୍ତି। କୌଣସି ରାସାୟନିକ ଦ୍ରବ୍ୟର ବ୍ୟବହାର ହୁଏ ନାହିଁ କାରଣ ଏହା ସେମାନଙ୍କର ସା˚ସ୍କୃତିକ ପରମ୍ପରାର ବିରୋଧୀ। ବେଳେ ବେଳେ ସେମାନେ ପଡ଼ୋଶୀ ଜନଜାତି ବଣ୍ତାମାନଙ୍କଠାରୁ ବି ଏଇ ରଙ୍ଗ କିଣିଥାନ୍ତି, କାରଣ କେରେଙ୍ଗ ଗଛର ସୂତାରୁ ବଣ୍ତା ସ୍ତ୍ରୀଲୋକମାନେ ବ୍ୟବହାର କରୁଥିବା କ୍ଷୁଦ୍ର ବସ୍ତ୍ର ଓ ମୁଣ୍ତରେ ବାନ୍ଧୁଥିବା କନା ତିଆରି ହୋଇଥାଏ। ସେମାନେ ତାହାକୁ ‘ରିଙ୍ଗା’ କହିଥାନ୍ତି ଏବଂ ତାହା ଗାଦବା ସ୍ତ୍ରୀମାନେ ବୁଣୁଥିବା ଶାଢ଼ି ପରି ଆକର୍ଷଣୀୟ ନୁହେଁ।

ଗାଦବା ସ୍ତ୍ରୀଲୋକମାନେ କେରେଙ୍ଗ ଶାଢ଼ିକୁ ଦୁଇଟି ଖଣ୍ତରେ ଏପରି ଢଙ୍ଗରେ ଦେହରେ ପିନ୍ଧନ୍ତି, ଯାହା ଗୋଟିଏ ଶାଢ଼ି ପରି ଦିଶେ। ସେ ପ୍ରକାର ପିନ୍ଧିବାର କଳା ସେମାନଙ୍କୁ ଜଣା। କିନ୍ତୁ ଚାହିଲେ ଅନ୍ୟ ବର୍ଗର ସ୍ତ୍ରୀମାନେ ପିନ୍ଧିବା ପରି ଲମ୍ବା ଓ ଚଉଡ଼ା ଶାଢ଼ି ମଧ୍ୟ ସେମାନେ ବୁଣିପାରିବେ। ଗାଦବା ପୁରୁଷମାନେ ତଦନୁଯାୟୀ ଏକ ବଡ଼ ତନ୍ତ ତିଆରି କରିପାରିବେ।
ଦିନ ଥିଲା ଯେତେବେଳେ ଗାଦବା ସ୍ତ୍ରୀମାନେ କେରେଙ୍ଗ ଛଡ଼ା ଅନ୍ୟ କୌଣସି ଶାଢ଼ି ପିନ୍ଧୁ ନଥିଲେ। ଆଜିକୁ ଚଉରାଳିଶ ବର୍ଷ ତଳେ କୋରାପୁଟ ଜିଲ୍ଲାରେ ଜିଲ୍ଲାପାଳ ଥିଲା ବେଳେ ମୁଁ ନିଜେ ଏହା ଦେଖିଛି। ସମୟର ଗତି ଅନୁସାରେ ସେମାନଙ୍କର ଚାଲିଚଳଣ ବି ବଦଳୁଛି। ଆଜି ଯଦି ଗାଦବା ଜନଜାତି ଗାଁମାନଙ୍କରେ ସର୍ବେକ୍ଷଣ କରାଯାଏ, ମହଜୁଦ ଥିବା କେରେଙ୍ଗ ଶାଢ଼ିର ସ˚ଖ୍ୟା ଦୁଇ ସ˚ଖ୍ୟା ବିଶିଷ୍ଟ ହେବ। ଏଠାରେ କହିରଖେ ଯେ ଗୋଟିଏ କେରେଙ୍ଗ ଶାଢ଼ି ବ୍ୟବହୃତ ହୋଇ ଅଶୀରୁ ଶହେ ବର୍ଷ ପର୍ଯ୍ୟନ୍ତ ଅଛିନ୍ନ ହୋଇ ରହେ ଓ ରଙ୍ଗ ଫିକା ପଡ଼େ ନାହିଁ। ଏହା ହିଁ ଏଇ ଶାଢ଼ିର ବିଶେଷତ୍ବ।

ଏ ଶାଢ଼ିର ଆଉ ଏକ ଦିଗ ହେଉଛି ଗାଦବାମାନେ କେରେଙ୍ଗ ଶାଢ଼ିକୁ ବ୍ୟବସାୟିକ ଭାବେ ବିକ୍ରି କରିବା ପାଇଁ ଇଚ୍ଛୁକ ନୁହନ୍ତି। ସେମାନଙ୍କର ପରମ୍ପରା ଅନୁସାରେ ସେମାନେ ଝିଅକୁ ବାହା ଦେଲା ବେଳେ ଗୋଟିଏ କେରେଙ୍ଗ ଶାଢ଼ି ଉପହାର ଭାବେ ଦେଇଥାନ୍ତି। ସେମାନଙ୍କ ସ˚ସ୍କାର ଅନୁସାରେ ଯେଉଁ ଶାଢ଼ିକୁ ଝିଅ ବାହା ଦେଲା ବେଳେ ଭେଟି ଆକାରରେ ଦିଆଯିବା ପାଇଁ ବୁଣାଯାଇଛି, ତାକୁ ସେମାନେ ଅନ୍ୟକୁ ବିକ୍ରି କରିବେ କିପରି? ଅନେକ କ୍ଷେତ୍ରରେ ଦେଖାଯାଏ ଯେ ଯୌତୁକରେ ଆଣିଥିବା କେରେଙ୍ଗ ଶାଢ଼ିକୁ ପରବର୍ତ୍ତୀ ସମୟରେ ସେଇ ସ୍ତ୍ରୀ ଲୋକ ନିଜ ଝିଅର ବିବାହ ବେଳେ ଉପହାର ଦେଇଥାଏ। ସେ ଶାଢ଼ି ନୂଆ ନ ହେଲେ ବି ମା’ ଘରର ଚିହ୍ନ ରୂପେ ଝିଅଟି ଖୁସିରେ ନିଏ। ଏହି ବୟନ କଳାର ଐତିହ୍ୟକୁ ବଞ୍ଚାଇବାକୁ ହେଲେ ଗାଦବାମାନଙ୍କର ଏ ପ୍ରକାର ମାନସିକତାରେ ପରିବର୍ତ୍ତନ ଆବଶ୍ୟକ। କାରଣ ଏବେ ଗାଦବାମାନେ ଝିଅ ବିଭା ସମୟରେ ନୂଆ ବୁଣା କେରେଙ୍ଗ ଶାଢ଼ି ଆଉ ଉପହାରରେ ନେଉନାହାନ୍ତି। ଯଦି ମା’ ପାଖରେ ସେ ବ୍ୟବହାର କରୁଥିବା ଶାଢ଼ି ଖଣ୍ତିଏ ଥାଏ, ତାହାକୁ ସେ ଝିଅକୁ ଦେଇଥାଏ। କାରଣ ଅଧିକା˚ଶ ଗାଦବା ସ୍ତ୍ରୀ କେରେଙ୍ଗ ଶାଢ଼ି ବୁଣୁନାହାନ୍ତି। ଏହି କଳା ଜାଣିଥିବା ଗାଦବା ସ୍ତ୍ରୀମାନଙ୍କ ସ˚ଖ୍ୟା ଦୁଇ ଅଙ୍କ ବିଶିଷ୍ଟ ଓ ସେମାନେ ସମସ୍ତେ ବୟସ୍କା। କାର୍ଯ୍ୟକ୍ଷମ ତନ୍ତର ସ˚ଖ୍ୟା ବି ସୀମିତ। ଏଇ ବୟସ୍କା ଗାଦବା ସ୍ତ୍ରୀମାନଙ୍କ ପରେ ଏ କଳାର ବିଲୟ ହେବାର ଆଶଙ୍କା ରହୁଛି।

ଇନ୍‌ଟାକ୍‌ (Indian National Art, Culture and Heritage) ବା ‘ଭାରତୀୟ ଜାତୀୟ କଳା, ସ˚ସ୍କୃତି, ଐତିହ୍ୟ ନ୍ୟାସ’ ତରଫରୁ କେତେ ବର୍ଷ ତଳେ ଲମ୍‌ତାପୁଟ ବ୍ଲକ୍‌ର ଗୋଡ଼ିହଞ୍ଜର ଗାଁକୁ ଆମେ କେତେଜଣ ଯାଇଥିଲୁ ଗାଦବା ସ˚ସ୍କୃତିର ଅନୁଧ୍ୟାନ ପାଇଁ। ଦିନ ବେଳା ସେ ଦିନ ଗାଁର ଗାଦବା ସ୍ତ୍ରୀମାନେ ଗାଦବା ଯୁବକର ମାଦଲ୍‌ ବାଦ୍ୟର ତାଳେ ତାଳେ ନାଚ କରୁଥିଲେ। ଆମ ଦଳର ବରିଷ୍ଠ ସଦସ୍ୟ ଅମିୟ ତ୍ରିପାଠୀ ସେଥିରୁ ଜଣେ ଅଳ୍ପବୟସ୍କା ଝିଅକୁ ସେ ପିନ୍ଧିଥିବା ଶାଢ଼ି ବିଷୟରେ ପଚାରିଲାରୁ ସେ କହିଲା ଯେ ସେ ପିନ୍ଧିଥିବା ଶାଢ଼ି ହେଉଛି କେରେଙ୍ଗ ଶାଢ଼ି। ସେ ଶାଢ଼ିଟି ତା’ ମା’ର। ତା’ର ମା’ ସେଠାରେ ଥିଲେ। ତାଙ୍କୁ ପଚାରିଲାରୁ ସେ କହିଲେ ଯେ ସେ ବାହା ହୋଇ ଆସିଲା ବେଳକୁ ତାଙ୍କର ମା’ ତାଙ୍କୁ ଏଇ ଶାଢ଼ିଟି ଯୌତୁକରେ ଦେଇଥିଲେ। ତାଙ୍କ ମା’ ବି ସେଇ ବୁଣା ହୋଇଥିବା ଶାଢ଼ିଟି ତାଙ୍କ ବାହାଘର ସମୟରେ ଆଣିଥିଲେ; ଅର୍ଥାତ୍‌, ତିନିଟି ପିଢ଼ି ପର୍ଯ୍ୟନ୍ତ ଅଛିନ୍ନ ରହି, ରଙ୍ଗ ଫିକା ନ ପଡ଼ି ଶାଢ଼ିଟି ଥିଲା।

କୋରାପୁଟର ଆଦିବାସୀ ସ˚ଗ୍ରହାଳୟରେ ଏପରି ଏକ କେରେଙ୍ଗ ଶାଢ଼ି, ସୂତା ଓ ତନ୍ତ ରଖାଯାଇଛି। ବର୍ତ୍ତମାନ ଏହି ହଜି ଯାଉଥିବା ଐତିହ୍ୟର ପୁନରୁଦ୍ଧାର ପାଇଁ ‘ଇନ୍‌ଟାକ୍‌’ର ରାଜ୍ୟ ଶାଖା ପ୍ରୟାସ କରିଛି। ଏ ପ୍ରସଙ୍ଗରେ ରାଜ୍ୟ ଉନ୍ନୟନ କମିସନରଙ୍କ ସ୍ତରରେ ଏକ ପ୍ରାରମ୍ଭିକ ଆଲୋଚନା ସରିଛି। ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରୋତ୍ସାହନ ଓ ସହଯୋଗ ମିଳିବାର ସଙ୍କେତ ମିଳିଛି।

ନିକଟରେ ଏଇ ଲେଖକ ଇନ୍‌ଟାକ୍‌ର ଆଉ କେତେକ ସଦସ୍ୟମାନଙ୍କ ସହ କୋରାପୁଟ ଜିଲ୍ଲାର ଗାଦବା ଅଧ୍ୟୁଷିତ କେତେକ ଗାଁକୁ ଯାଇଥିଲା। ମାଓବାଦୀ ପ୍ରଭାବିତ ବଳୟ ଭିତରେ ଗାଁଗୁଡ଼ିକ ରହିଛି। କେନ୍ଦ୍ରୀୟ ଅର୍ଦ୍ଧସାମରିକ ସଶସ୍ତ୍ର ଯବାନମାନେ ପଇଁତରା କରୁଥିବାର ଦେଖିବାକୁ ମିଳିଲା। ଗାଦବା ଭାଇ, ଭଉଣୀମାନଙ୍କ ସହ ଆଲୋଚନା କରି ବୁଝେଇ ଦେବା ପରେ ଆମେ ଆଶାବାଦୀ ଯେ ସେମାନେ ବ୍ୟାବସାୟିକ ଭାବେ କେରେଙ୍ଗ ଶାଢ଼ି ବୁଣି ଉପଯୁକ୍ତ ମୂଲ୍ୟ ପାଇଲେ ବିକ୍ରି କରିବା ପାଇଁ ସେମାନଙ୍କର ଆପତ୍ତି ରହିବ ନାହିଁ। ଏଇ ବନବାସୀମାନଙ୍କ ପ୍ରଚୀନ ତଥା ଅନନ୍ୟ ବୟନ କଳାରେ ପ୍ରସ୍ତୁତ କେରେଙ୍ଗ ଶାଢ଼ିକୁ ସରକାରଙ୍କର ତତ୍ତ୍ବାବଧାନରେ କୌଣସି ଅଣଲାଭକାରୀ ସ˚ସ୍ଥା ଦ୍ବାରା କ୍ରୟ କରି ଦେଶରେ ଓ ବିଦେଶରେ ବିକ୍ରୟ କଲେ, ଏହାର ବହୁଳ ପ୍ରସାର ହେବ। ନିୟମଗିରିର ଡଙ୍ଗରିଆମାନଙ୍କର ବାନ୍ଧ କଳାର ଶାଲ୍‌ର ପ୍ରସାର ହୋଇଛି। ଓଡ଼ିଶାର ଏହି ଐତିହ୍ୟକୁ ବିଲୟ ହେବାକୁ ନ ଦେଇ ପୁନର୍ଜୀବିତ କରିବାର ଆହ୍ବାନକୁ ଗ୍ରହଣ କରିବାର ସମୟ ଆସିଛି।
ମୋ: ୯୯୩୭୦୧୧୨୨୫

ସମ୍ବନ୍ଧିତ ଖବର