ଏକ ଦେଶ ଭାବରେ ଚୀନ୍ ଦରିଦ୍ର ଦେଶମାନଙ୍କ ସହିତ ସ୍ଥାପନ କରିଥିବା ଶୋଷଣମୂଳକ ମହାଜନ-ଖାତକ ସମ୍ପର୍କ ପାଇଁ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇ ଆସିଛି। ପରିସ୍ଥିତି ଏପରି ହୋଇଛି ଯେ କେତେକ ଛୋଟ ଛୋଟ ଦେଶ ଚୀନ୍ଠାରୁ ନେଇଥିବା ଋଣ ସେମାନଙ୍କର ଜାତୀୟ ଆୟର ଏକ ବୃହତ୍ ଅଂଶ ସହିତ ସମାନ ହୋଇଗଲାଣି ଯାହାକୁ ପରିଶୋଧ କରିବା ସେମାନଙ୍କ ପକ୍ଷରେ କେବେହେଲେ ସମ୍ଭବ ହେବ ନାହିଁ। ଉଦାହରଣ ସ୍ବରୂପ ଲାଓସ, କିର୍ଗୀଜ୍ସ୍ତାନ, ଜିବୋତି, ଜାମ୍ବିଆ ଆଦି ଦେଶମାନଙ୍କ ଉପରେ ଲଦି ହୋଇଥିବା ଚୀନା ଋଣର ପରିମାଣ ସେମାନଙ୍କର ନିଜ ନିଜର ବାର୍ଷିକ ଜାତୀୟ ଉତ୍ପାଦ (ଜିଡିପି)ର ଏକ-ପଞ୍ଚମାଂଶ ସହିତ ସମାନ ହୋଇସାରିଲାଣି। କହିବା ବାହୁଲ୍ୟ ଏଭଳି ଋଣଯନ୍ତାରେ ପଡ଼ିଥିବା ଦେଶମାନେ ଆନ୍ତର୍ଜାତିକ କୂଟନୈତିକ ବ୍ୟାପାରରେ ସର୍ବଦା ଚୀନ୍ର ଗୋଡ଼ାଣିଆ ସାଜିବାକୁ ବାଧ୍ୟ ହୋଇଥାନ୍ତି। ତେବେ ଚୀନ୍ର ଶୋଷଣ କେବଳ ଏହି କୂଟନୈତିକ ସମର୍ଥନ ଆଦାୟରେ ସୀମିତ ହୋଇନଥାଏ। ଋଣ ଗ୍ରସ୍ତ ଦେଶମାନେ ମଧ୍ୟ ବେଳେ ବେଳେ ଋଣ ପରିଶୋଧ କରି ନ ପାରି ନିଜର ମୂଲ୍ୟବାନ ସମ୍ପତ୍ତି କିପରି ଚୀନ୍ ହାତରେ ଟେକି ଦେଇଥାନ୍ତି, ତାହାର ବେଦନାଦାୟକ ଉଦାହରଣ ଶ୍ରୀଲଙ୍କାରେ ବନ୍ଦରରୁ ଜାମ୍ବିଆରେ ତମ୍ବା ଖଣିମାନଙ୍କ ପର୍ଯ୍ୟନ୍ତ ରୂପରେ ଦେଖିବାକୁ ମିଳିଛି।
ମନେହୁଏ ଏଭଳି ଋଣଭିତ୍ତିକ ଶୋଷଣ ହେଉଛି ଚୀନ୍ର ଅନ୍ୟତମ ଜାତୀୟ ଚରିତ୍ର। କାରଣ ମେକ୍ସିକୋରୁ ଭାରତ ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ଦେଶରେ ସକ୍ରିୟ ଥିବା ‘ଚାଇନିଜ୍ ଲେଣ୍ଡିଙ୍ଗ୍ ଆପ୍’ (ଚୀନା ଋଣ ପ୍ରଦାନକାରୀ ଆପ୍) ମାନ ଯେଉଁଭଳି ଆଚରଣ ପ୍ରଦର୍ଶନ କରିଥାନ୍ତି, ତାହା ଚୀନା ରାଷ୍ଟ୍ରର ଉପରୋକ୍ତ ଆଚରଣକୁ ଅବିକଳ ନକଲ କଲା ଭଳି ହୋଇଥାଏ। ଭାରତ ସରକାରଙ୍କର ଗୃହ ମନ୍ତ୍ରଣାଳୟ ଏ ସମ୍ବନ୍ଧରେ ସଚେତନ ହୋଇ ତେଣୁ ଗତ ଅକ୍ଟୋବରରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ପତ୍ର ଲେଖି ଏହି ଡିଜିଟାଲ୍ ଲେଣ୍ଡିଙ୍ଗ୍ ଆପ୍ମାନଙ୍କର କାର୍ଯ୍ୟକଳାପ ଦେଶର ନିରାପତ୍ତା, ଅର୍ଥନୀତି ଓ ନାଗରିକମାନଙ୍କର ନିରାପତ୍ତାକୁ ଗୁରୁତର ଭାବରେ ପ୍ରଭାବିତ କରୁଛି ବୋଲି ସାବଧାନ କରି ଦେଇଥିଲା। ସମ୍ପୃକ୍ତ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାମାେନ ଆବଶ୍ୟକ ସ୍ଥଳେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେଥିେର ପରାମର୍ଶ ପ୍ରଦାନ କରାଯାଇଥିଲା।
ଏବେ ଆଉ ପାଦେ ଆଗକୁ ଯାଇ ଆଉ ଅଧିକ ବିଳମ୍ବ ବିପଜ୍ଜନକ ହେବ ବୋଲି ଅାଶଙ୍କା କରି କେନ୍ଦ୍ର ସରକାର ଏକ ଅଧିକ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରି ଦେଶରେ ସକ୍ରିୟ ଥିବା ୯୪ଟି ଚାଇନିଜ୍ ଲେଣ୍ଡିଙ୍ଗ୍ ଆପ୍ ଓ ଆଉ ୧୩୮ଟି ଜୁଆଖେଳ ବା ବେଟିଙ୍ଗ୍ ଆପ୍କୁ ନିଷିଦ୍ଧ କରି ଅପହଞ୍ଚ ବା ବ୍ଲକ୍ କରି ଦେଇଛନ୍ତି। ଉେଲ୍ଲଖ ପ୍ରୟୋଜନ ଯେ ଚୀନ୍ର ନାଗରିକମାନେ ଏହି ଆପ୍ଗୁଡ଼ିକର ସ୍ରଷ୍ଟା ହୋଇଥିବା ବେଳେ ସେମାନେ ଚତୁରତାର ସହ ଭାରତରେ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ଭାରତୀୟ ନାଗରିକଙ୍କୁ ତାହାର ପରିଚାଳନା ନିର୍ଦ୍ଦେଶକ ରୂପେ ନିଯୁକ୍ତ କରିଥାନ୍ତି। ଯେଉଁ ସମୟରେ ସରକାର ଏହି ନିଷେଧାଦେଶ ଲାଗୁ କରିଛନ୍ତି, ସେଇ ସମୟରେ ଟିକସ ଫାଙ୍କିରୁ, ମୁଦ୍ରା ବୈଧକରଣ ଓ ଠକେଇ ଆଦି ପର୍ଯ୍ୟନ୍ତ ବିଭିନ୍ନ ଅପରାଧରେ ସଂଶ୍ଳିଷ୍ଟ ଥିବା ଅଭିଯୋଗରେ ‘ଏନ୍ଫୋର୍ସମେଣ୍ଟ ଡିରେକ୍ଟରେଟ୍’ (‘ଇଡି’), ‘ଡିରେକ୍ଟରେଟ୍ ଅଫ୍ ରେଭିନିଉ ଇଣ୍ଟେଲିଜେନ୍ସ’ (‘ଡିଆର୍ଆଇ’) ଓ ଆୟକର ବିଭାଗ ଭଳି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାମାନ ତଥା ବିଭିନ୍ନ ରାଜ୍ୟର ପୁଲିସ୍ ଏହି ସଂସ୍ଥାମାନଙ୍କର ଅନୁସନ୍ଧାନ ଚଳାଇଛନ୍ତି।
ଏକ ବିଡ଼ମ୍ବନା ସଦୃଶ ସେଇ ଚୀନ୍ରୁ ଆସିଥିବା କରୋନା ଭୂତାଣୁ ଦ୍ବାରା ସୃଷ୍ଟ କୋଭିଡ୍-୧୯ ପାଣ୍ଡେମିକ୍ ଯେତେବେେଳ ଜନସାଧାରଣଙ୍କର ରୋଜଗାର ବନ୍ଦ କରି ସେମାନଙ୍କ ପାଇଁ ଗୁରୁତର ଆର୍ଥିକ ସଙ୍କଟ ସୃଷ୍ଟି କରିଥିଲା, ସେତିକିବେଳେ ସେମାନଙ୍କୁ ଅତି ଉଚ୍ଚା ସୁଧରେ ସ୍ବଳ୍ପକାଳୀନ ତତ୍କାଳ ଋଣ ପ୍ରଦାନ କରିବା ପାଇଁ ଏଠାରେ ଏହି ଚୀନା ଆପ୍ମାନଙ୍କର ଆବିର୍ଭାବ ଘଟିଲା। ଏକ ସପ୍ତାହରୁ ଏକ ମାସ ପର୍ଯ୍ୟନ୍ତ ଦିଆଯାଉଥିବା ଏହି ଋଣ ଉପରେ କେବଳ ଯେ ଆକାଶଛୁଆଁ ହାରରେ ସୁଧ ଆଦାୟ କରାଯାଇଥାଏ, ତାହା ନୁହେଁ, ଋଣର ଏକ ବିଶେଷ ଅଂଶକୁ ମଧ୍ୟ ପ୍ରସେସିଙ୍ଗ୍ ଫି ବା ପ୍ରସ୍ତୁତୀକରଣ ଦେୟ ଆକାରରେ କାଟି ରଖି ଦିଆଯାଇଥାଏ। ଯେତେବେଳେ ଜଣେ ଗ୍ରାହକ ଏଭଳି ଏକ ଆପ୍କୁ ଡାଉନ୍ଲୋଡ୍ କରନ୍ତି, ସେତେବେଳେ ତାଙ୍କୁ ବାଧ୍ୟତାମୂଳକ ଭାବରେ ନିଜର କଣ୍ଟାକ୍ଟସ, ଫଟୋ ଗ୍ୟାଲେରି, ଭିଡିଓ ଇତ୍ୟାଦି ସମସ୍ତ ବ୍ୟକ୍ତିଗତ ସୂଚନା ସଂଗ୍ରହ କରିବା ପାଇଁ ଆପ୍ର ନିୟନ୍ତ୍ରକଙ୍କୁ ଅନୁମତି ପ୍ରଦାନ କରିବାକୁ ହୋଇଥାଏ। ତା’ସହିତ ଆପ୍ର ଗ୍ରାହକମାନଙ୍କୁ ସେମାନଙ୍କର ନିଜର ଫଟୋ ସହିତ ଆଧାର କାର୍ଡ ଓ ପାନ୍ କାର୍ଡର ଫଟୋ ମଧ୍ୟ ଅପ୍ଲୋଡ୍ କରିବାକୁ ପଡ଼ିଥାଏ। ତା’ପରେ ଯେଉଁ ‘ଓଟିପି’ ସୃଷ୍ଟି କରାଯାଏ, ଗ୍ରାହକ ତାହାକୁ ଆପ୍ ନିୟନ୍ତ୍ରକଙ୍କ ନିକଟକୁ ପ୍ରେରଣ କରିବାକୁ ହୋଇଥାଏ। ଏ ସମସ୍ତ ସୂଚନା ଚୀନ୍ସ୍ଥିତ ସର୍ଭର୍କୁ ପଠାଇ ଦିଆଯାଇଥାଏ।
ଋଣ ପରିଶୋଧରେ ଯଦି କୌଣସି କାରଣରୁ ବିଳମ୍ବ ଘଟେ, ତା’ହେଲେ ଗ୍ରାହକମାନଙ୍କୁ ବିଭିନ୍ନ ଉପାୟରେ ଡରାଇ ଧମକାଇ ଅର୍ଥ ଆଦାୟ କରାଯାଇଥାଏ। ଏହି ଉଦ୍ଦେଶ୍ୟରେ ଅନେକ ସମୟରେ ଉପର ମତେ ସଂଗ୍ରହ କରାଯାଇଥିବା ଗ୍ରାହକଙ୍କର ବ୍ୟକ୍ତିଗତ ସୂଚନା ସବୁକୁ ବ୍ୟବହାର କରାଯାଇଥାଏ। ସୋସିଆଲ୍ ମିଡିଆ ମାଧ୍ୟମରେ ତାଙ୍କର ଗୋପନୀୟ ସୂଚନା ମାନ ଯେ କେବଳ ପ୍ରସାର କରି ଦିଅାଯାଏ; ତାହା ନୁହେଁ, ତାଙ୍କର କିମ୍ବା ତାଙ୍କର କୌଣସି ଆତ୍ମୀୟଙ୍କର ଫଟୋ ବା ଭିଡିଓକୁ ପରିବର୍ତ୍ତିତ କରି ତାକୁ ଅଶ୍ଳୀଳ ରୂପ ପ୍ରଦାନ କରି ମଧ୍ୟ ପ୍ରସାର କରାଯାଇଥାଏ। ଏଥିଯୋଗୁଁ ଲଜ୍ଜା ଅପମାନ ସହି ନ ପାରି ଗ୍ରାହକମାନେ ଆତ୍ମହତ୍ୟା କରିବାର ଖବର ନିୟମିତ ଭାବରେ ପ୍ରକାଶ ପାଇଥାଏ।
ଭାରତ ଇଣ୍ଟର୍ନେଟ୍ ବ୍ୟବହାରରେ ହାସଲ କରିଥିବା ଚମକପ୍ରଦ ଅଗ୍ରଗତି ସହିତ ତାଳ ଦେଇ ଆମ ଦେଶ ଇଣ୍ଟର୍ନେଟ୍ ଅପରାଧୀମାନଙ୍କ ପାଇଁ ଯେ ଏକ ଆକର୍ଷଣୀୟ ନିଶାଣରେ ପରିଣତ ହୋଇଛି, ଏଠାରେ ଚୀନା ଲେଣ୍ଡିଙ୍ଗ୍ ଆପ୍ମାନଙ୍କର ଗହଳି ହେଉଛି ତାହାର ଏକ ସଦ୍ୟତମ ପ୍ରମାଣ। ନିକଟ ଅତୀତରେ ଚାଇନିଜ୍ ଆପ୍ ଓ ଡିଜିଟାଲ୍ ଗେମ୍ମାନ ନିଷିଦ୍ଧ କରିବାରେ ଭାରତ ଏକ ସକ୍ରିୟ ଭୂମିକା ଗ୍ରହଣ କରି ଅନ୍ୟ ଦେଶମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଭାରତ ଏଥିପାଇଁ ଗୋପନୀୟତା ନିରାପତ୍ତା ଓ ଡେଟା ସୁରକ୍ଷା ଆଦିକୁ କାରଣ ରୂପେ ଦର୍ଶାଇଥିଲେ ହେଁ ସୀମାନ୍ତରେ ଚୀନ୍ ସୃଷ୍ଟି କରି ଚାଲିଥିବା ଉତ୍ତେଜନାର ଜବାବରେ ଯେ ଭାରତ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି, ଏଥିରେ କୌଣସି ସନ୍ଦେହ ନାହିଁ। ୨୦୨୦ରେ ଭାରତ ଲୋକପ୍ରିୟ ଚୀନା ଆପ୍ ଟିକ୍ଟକ୍ ଉପରେ ନିଷେଧାଦେଶ ଲାଗୁ କରିବା ପୃଥିବୀବ୍ୟାପୀ ଚହଳ ସୃଷ୍ଟି କରିଥିଲା, ଯାହାକୁ ଅନ୍ୟ ଦେଶମାନେ ଆବଶ୍ୟକ ସ୍ଥଳେ ଏକ ନଜିର ରୂପେ ବ୍ୟବହାର କରିବା ଦେଖାଯାଇଥାଏ।
ଏକ ବୃହତ୍ତର ଦୃଷ୍ଟିରୁ ଦେଖିଲେ ମଧ୍ୟ ଭାରତ ବର୍ତ୍ତମାନ ଚୀନା ଲୋନ୍ ଆପ୍ମାନଙ୍କ ବିରୋଧରେ ନେଇଥିବା ପଦକ୍ଷେପ ସମ୍ପୂର୍ଣ୍ଣ ଯଥାର୍ଥ ମନେହୁଏ। କାରଣ, ନିକଟ ଅତୀତରେ ଭାରତ ସମ୍ମୁଖୀନ ହୋଇଥିବା ସାଇବର୍ ଆକ୍ରମଣ ସଂଖ୍ୟାରେ ବିସ୍ଫୋରକ ବୃଦ୍ଧି ଘଟିବା ଦେଖାଯାଇଛି। ୨୦୧୯ରେ ୩.୯୪ ଲକ୍ଷ ସଂଖ୍ୟକ ସାଇବର ଆକ୍ରମଣ ଘଟିଣା ଘଟିଥିବା ବେଳେ ୨୦୧୧ରେ ତାହା ୧୪.୦୨ ଲକ୍ଷ ଛୁଇଁଥିଲା। ଗତବର୍ଷ ଏହି ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିଲେ ହେଁ ଏହି ବିଶାଳ ସଂଖ୍ୟା ସୂଚାଇଥାଏ ଯେ ଏ ବାବଦରେ ସରକାର ଆଦୌ ସାମାନ୍ୟତମ କୋହଳ ମନୋଭାବ ଅବଲମ୍ବନ କରିପାରିବେ ନାହିଁ। ଚୀନା ଋଣ ଆପ୍ ବିରୋଧେର ପଦକ୍ଷେପ ତେଣୁ ହେଉଛି ସମୟୋଚିତ ଓ ସମ୍ପୂର୍ଣ୍ଣ ଯଥାର୍ଥ।