ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ପାରାଦୀପ ବନ୍ଦର କେନ୍ଦ୍ର ସରକାରଙ୍କର ପରିଚାଳନାରେ ଥିବା ବେଳେ ତହିଁରେ ରାଜ୍ୟ ସରକାରଙ୍କ ଉତ୍ତମ ସହଯୋଗ ଏହାକୁ ସଫଳ କରାଇ ପାରିଛି। ଏହାର ଭିତ୍ତି ପ୍ରସ୍ତର ସ୍ଥାପନା ହୋଇଥିଲା ୧୯୬୨ରେ। ଏହାର ତିନି ବର୍ଷ ପରେ ଅର୍ଥାତ୍ ୧୯୬୫ ମସିହାରେ ଓଡ଼ିଶା ସରକାର ଏହି ବନ୍ଦରର କାର୍ଯ୍ୟଭାର ଭାରତ ସରକାରଙ୍କୁ ହସ୍ତାନ୍ତର କରିଥିଲେ ଏବଂ ୧୯୬୬ରେ ଭାରତ ସରକାର ଏହି ବନ୍ଦରକୁ ଦେଶର ମୁଖ୍ୟ ୮ଟି ବନ୍ଦର ଭିତରୁ ଗୋଟିଏ ବୋଲି ଘୋଷଣା କରିଥିଲେ। ଏବେ ଦେଶରେ ସମୁଦାୟ ୧୨ଟି ମୁଖ୍ୟ ବନ୍ଦର (ମିନିଷ୍ଟ୍ରି ଅଫ ସିପିଙ୍ଗ ପରିଚାଳନାର) ଏବଂ ୨୦୦ଟି ଗୌଣ ବନ୍ଦର (ରାଜ୍ୟ ମେରିଟାଇମ୍ ବୋର୍ଡ ପରିଚାଳନାରେ) ରହିଛି। ଏବେ ପାରାଦୀପ ବନ୍ଦର ଭାରତର ମୁଖ୍ୟ ବନ୍ଦର ତାଲିକାରେ ୩ ନମ୍ବର ସ୍ଥାନରେ ରହିଛି। ଉପଲବ୍ଧ ସୂଚନା କହିଥାଏ ଯେ ୨୦୧୬ରୁ ଏହି ବନ୍ଦରର ଆୟ ବାର୍ଷିକ ହାରାହାରି ୧୦% ହାରରେ ବୃଦ୍ଧି ପାଉଛି। ଏହି ହିସାବରେ ବନ୍ଦରର ଆୟ ୨୦୧୬ ମସିହାରେ ୧୦୨୩.୯୦ କୋଟି ଟଙ୍କା ହୋଇଥିଲା ବେଳେ ୨୦୨୨ ସୁଦ୍ଧା ୧୭୩୨.୨୩ କୋଟି ଟଙ୍କାରେ ପହଞ୍ଚିଥିଲା, ଅର୍ଥାତ୍ ଗଲା ୭ ବର୍ଷରେ ବନ୍ଦରର ଆୟ ମୋଟ ପ୍ରାୟ ୭୦% ବଢ଼ିଛି, ଯହିଁରେ ବନ୍ଦରର ବାର୍ଷିକ ନିଟ୍ ଲାଭ ଆୟର ପ୍ରାୟ ୧୮-୨୦%।
ଏହି ପରିପ୍ରେକ୍ଷୀରେ ଭାରତର ମୁଖ୍ୟ ବନ୍ଦରଗୁଡ଼ିକ ଭିତରୁ ବ୍ରିଟିସ ଅମଳରେ ସ୍ଥାପିତ ଦୁଇ ଗୁରୁତ୍ବପୂର୍ଣ୍ଣ ବନ୍ଦର କୋଚିନ ଓ ଚେନ୍ନାଇ ବନ୍ଦରର ଆୟ ବିଷୟରେ ବିଚାର କରାଯାଉ। କୋଚିନ ବନ୍ଦରର ବାର୍ଷିକ ଆୟ ପାରାଦୀପ ବନ୍ଦରର ଅଧା ବି ନୁହେଁ ଏବଂ ବିଗତ ୭ ବର୍ଷ ଭିତରେ କୋଚିନ ବନ୍ଦରର ମୋଟ ଆୟରେ ବୃଦ୍ଧି ଘଟିଛି ମାତ୍ର ୩୮% ଏବଂ ଏହାର ବାର୍ଷିକ ଲାଭ ଆୟର ମାତ୍ର ୩ ପ୍ରତିଶତ। ଚେନ୍ନାଇ ବନ୍ଦରର ଆୟ ୨୦୨୨ରେ ୮୩୩ କୋଟି ଥିଲା ଏବଂ ଆୟରେ ହାରାହାରି ବୃଦ୍ଧି ବର୍ଷକୁ ୨ ପ୍ରତିଶତ। ସେହିପରି ୧୯୩୧ରେ ସ୍ଥାପିତ ଗୁଜରାଟର କାଣ୍ଡଲା ଏବଂ ଗାନ୍ଧୀଧାମରେ ଅବସ୍ଥିତ ଦୀନଦାୟଲ ବନ୍ଦର ବ୍ୟବସାୟ ଦୃଷ୍ଟିରୁ ୨୦୦୮ ମସିହାରୁ ଦେଶର ବୃହତ୍ ବନ୍ଦର ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି, ଯାହାର ବାର୍ଷିକ ଆୟ ବିଗତ ୭ ବର୍ଷରେ ୨୪% ହାରରେ ବୃଦ୍ଧି ପାଉଛି। ସୁତରାଂ, ଏମାନଙ୍କ ଠାରୁ ବହୁ ପଛରେ ସ୍ଥାପିତ ପାରାଦୀପ ବନ୍ଦର ତୁଳନାତ୍ମକ ଭାବେ ଅଧିକ ଦ୍ରୁତ ଗତିରେ ବଢୁଛି ଏବଂ ନିକଟ ଭବିଷ୍ୟତରେ ଭାରତର ବୃହତ୍ତମ ବନ୍ଦରରେ ପରିଣତ ହେବାର ଆଶା ରହିଛି। ଏଭଳି ଆଶାର କାରଣ ୨୦୨୧ ମସିହାର ଏକ ତଥ୍ୟ, ଯାହା ଅନୁସାରେ କାଣ୍ଡଲା ବନ୍ଦରର ଆୟ ଏବଂ ପାରାଦୀପ ବନ୍ଦରର ଆୟ ଭିତରେ ଥିଲା ମାତ୍ର ୮୬ କୋଟି ଟଙ୍କାର ଫରକ। କେବଳ ସେତିକି ନୁହେଁ, ଏହି କାରଣରୁ ପାରାଦୀପ ଅଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ସହିତ ଘରୋଇ ଉଦ୍ୟୋଗରେ ମଧ୍ୟ ଉନ୍ନତି ସାଧିତ ହୋଇଛି।
ଟିକେ ନିରିଖେଇ ଦେଖିଲେ ଜଣାଯାଏ ଯେ ପାରାଦୀପ ବନ୍ଦରର ବ୍ୟବସାୟ ସହ ମୁଖ୍ୟତଃ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲା ଜଡ଼ିତ। ଯାଜପୁର ଜିଲ୍ଲାର ଖଣିଖାଦାନ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଜଗତ୍ସିଂହପୁରର ପାରାଦୀପ ବନ୍ଦରରେ ପହଞ୍ଚେ। ଏହି କାରଣରୁ ଖଣିଖାଦାନରେ ଭରା ଯାଜପୁର ଜିଲ୍ଲା ଆର୍ଥିକ ଦୃଷ୍ଟିରୁ ଦ୍ରୁତ ଉନ୍ନତି ଦେଖୁଛି। ଯାଜପୁର ଜିଲ୍ଲା ଶିଳ୍ପ ଏବଂ ଉଦ୍ୟୋଗର ପେଣ୍ଠରେ ପରିଣତ ହୋଇ ଅସଂଖ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି କରିଛି। ସେମିତି ପାରାଦୀପ ବନ୍ଦର ଜଗତ୍ସିଂହପୁର ଜିଲ୍ଲାରେ ଅବସ୍ଥିତ ହୋଇଥିବାରୁ ଏହି ବନ୍ଦରର ଉନ୍ନତିରେ ଜଗତ୍ସିଂହପୁର ଜିଲ୍ଲାର ସର୍ବାଙ୍ଗୀଣ ଉନ୍ନତି ଘଟିଛି। ଜଷ୍ଟିସ ଶାହା କମିସନଙ୍କ ରିପୋର୍ଟକୁ ଆଧାର କରି ଖଣି ଉଦ୍ୟୋଗୀମାନେ ଯାଜପୁର ଜିଲ୍ଲାର ସର୍ବାଙ୍ଗୀଣ ଉନ୍ନତି ପାଇଁ ଅନେକ କାମ କରୁଛନ୍ତି। ସେମିତି ପରାଦୀପ ବନ୍ଦରର ଅବସ୍ଥିତି ହେତୁ ଏସିଆର ସର୍ବବୃହତ୍ ସାର କାରଖାନା ‘ଇଫକୋ’ ଏବଂ ‘ପି.ପି.ଏଲ.’ର ବ୍ୟବସାୟ ପାଇଁ ତାହା ଅନୁକୂଳ ହୋଇଛି, ଯହିଁରୁ ଜଗତ୍ସିଂହପୁର ଜିଲ୍ଲା ଲାଭବାନ ହେଉଛି। କେନ୍ଦ୍ର ସରକାରଙ୍କର ‘ଇଣ୍ଡିଆନ ଅଏଲ ରିଫାଇନାରି’ ଏବଂ ବେସରକାରୀ ତୈଳ କମ୍ପାନି ‘କାର୍ଗିଲ’ ମଧ୍ୟ ଏହି ଜିଲ୍ଲାରେ ନିଜ ବ୍ୟବସାୟ ବଢ଼ାଉଛି। ସେହିଭଳି ଏକ ପ୍ରମୁଖ ଘରୋଇ ଉଦ୍ୟୋଗ ‘ଏସାର’ ମଧ୍ୟ ଏଠାରେ ନିଜ କାରବାରରେ ଦ୍ରୁତ ବୃଦ୍ଧି ଘଟାଇଛି।
ତେଣୁ ଗୋଟିଏ ପଟେ ଯାଜପୁର ଏବଂ ଜଗତ୍ସିଂହପୁର ଜିଲ୍ଲାରେ ଖୁବ୍ ବିକାଶ ହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ପିଠି ଦୀର୍ଘ କାଳ ହେଲାଣି ବନ୍ଦର ବ୍ୟବସାୟର ଭାର ବହନ କରି ଚାଲିଥିବା ସତ୍ତ୍ବେ ସମତୁଲ ଉନ୍ନତି କରିପାରିଛି କି? ଅନେକଙ୍କ ମତରେ ବରଂ କେନ୍ଦ୍ରାପଡ଼ାକୁ ମିଳିଛି ସର୍ବାଧିକ ସଂଖ୍ୟକ ସଡ଼କ ଦୁର୍ଘଟଣା, ଦୀର୍ଘ କାଳ ଧରି ବିପୁଳ ଖଣିଜ ପଦାର୍ଥ ଚାଲାଣ ହେତୁ ପ୍ରଦୂଷଣ, ମାଲବାହୀ ଟ୍ରକ ଚାଳକଙ୍କୁ ଦୃଷ୍ଟିରେ ରଖି ସଡ଼କ ପାର୍ଶ୍ବରେ ଅତି ଅଳ୍ପ ବ୍ୟବଧାନରେ ମଦ ଭାଟି ଓ ଶସ୍ତା ଶ୍ରମିକ ଇତ୍ୟାଦି। ଏହି ଦୃଷ୍ଟିରୁ ପ୍ରଶ୍ନ କରାଯାଇଥାଏ ଯେ ପାରାଦୀପ ବନ୍ଦରର ସଫଳ ପରିଚାଳନା ଓ ଉନ୍ନତିରେ କ’ଣ କେନ୍ଦ୍ରାପଡ଼ା ଜିଲ୍ଲାର କୌଣସି ଅବଦାନ ନାହିଁ? ୨୦୧୫ ମସିହାରେ ଆଇ.ଆଇ.ଟି. ଦିଲ୍ଲୀ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ପାରାଦୀପ ବନ୍ଦର ଏବଂ ପାରାଦୀପ ଶିଳ୍ପାଞ୍ଚଳ ଇଲାକା ହେଉଛି ଭାରତର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ଭିତରୁ ଗୋଟିଏ। ଅନେକ ପରିବେଶବିତ୍ଙ୍କ ମତରେ ଜଗତ୍ସିଂହପୁରର ଅନେକ ଗ୍ରାମ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଏବଂ ମହାକାଳପଡ଼ା ବ୍ଲକ୍ରେ ଜଳବାୟୁ ପ୍ରଦୂଷଣ ଅଧିକରୁ ଅଧିକ ତୀବ୍ର ହେବାରେ ଲାଗିଛି। ଅନେକ ଜଳ ସୁରକ୍ଷା ବିେଶଷଜ୍ଞଙ୍କ ମତରେ ପାରାଦୀପ ବନ୍ଦର ଅଞ୍ଚଳରେ ହେଉଥିବା ବିଭିନ୍ନ ବିଭିନ୍ନ ଔଦ୍ୟୋଗିକ ଗତିବିଧିର ନକାରାତ୍ମକ ପ୍ରଭାବ କେନ୍ଦ୍ରାପଡ଼ାର ସାତଭାୟା ଏବଂ ପେଣ୍ଠ ଉପରେ ପଡୁଛି। ଆଉ ଏକ ବିଷୟ ହେଲା, ଡୁବୁରୀ-ପାରାଦୀପ ଜାତୀୟ ରାଜପଥରେ ଅନେକ ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ପ୍ରାୟ ୮୦ କିଲୋମିଟର ଭିତରେ କୌଣସି ମଲ୍ଟି ସ୍ପେସାଲିଟି ଡାକ୍ତରଖାନା ନାହିଁ। ସୁତରାଂ, ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାରେ ହୁଏ, ସୁତରାଂ, ଏହି ଭାର କେନ୍ଦ୍ରାପଡ଼ା ବହନ କରିଥାଏ। ସେମିତି, କେନ୍ଦ୍ରାପଡ଼ା ଦେଇ ବିଛା ଯାଇଥିବା ‘ଇଣ୍ଡିଆନ ଅଏଲ କର୍ପୋରେସନ’ର ପାଇପ୍ର ସୁରକ୍ଷା ଭାର କେନ୍ଦ୍ରାପଡ଼ାର ପୁଲିସ ଉପରେ ନ୍ୟସ୍ତ ହୋଇଛି ଏବଂ ବେଳେ ବେଳେ ପାଇପରେ ହେଉଥିବା ‘ଲିକ୍’ କାରଣରୁ ସ୍ଥାନୀୟ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି।
ଅବଶ୍ୟ, ଏହା ସତ ଯେ ପ୍ରତ୍ୟେକ ବର୍ଷ ପାରାଦୀପ ପୋର୍ଟ ଟ୍ରଷ୍ଟ ‘କର୍ପୋରେଟ ସୋସିଆଲ ରେସ୍ପନସିବିଲିଟି’ ବା ‘ସି.ଏସ୍.ଆର.’ ଦିଗରେ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ଉପଲବ୍ଧ ତଥ୍ୟରୁ ଜଣାପଡ଼େ ଯେ ୨୦୧୭ ମସିହାରୁ ୨୦୨୧ ମଧ୍ୟରେ ପୋର୍ଟ ଟ୍ରଷ୍ଟ ଏହି ଦିଗରେ ୩୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ, ତହିଁରୁ ମାତ୍ର ୨.୩୮ କୋଟି ଟଙ୍କା କେନ୍ଦ୍ରାପଡ଼ାର ଆଞ୍ଚଳିକ ବିକାଶ ଦିଗରେ ଖର୍ଚ୍ଚ ହୋଇଛି। ଅଥଚ, ଜଗତ୍ସିଂହପୁର ଜିଲ୍ଲାର ଆଞ୍ଚଳିକ ବିକାଶ ପାଇଁ ୨୪.୩୫ କୋଟି ଖର୍ଚ୍ଚ ହୋଇଛି। ଅବଶିଷ୍ଟ ଅର୍ଥରୁ କୋଭିଡ୍ ସକାଶ ‘ପି.ଏମ୍ କେୟାର ଫଣ୍ଡ୍’କୁ ୮ କୋଟି ଟଙ୍କା ଦାନ କରାଯାଇଥିବା ବେଳେ ବାକି ୩.୨୭ କୋଟି ଟଙ୍କା ରାଜ୍ୟର ଅନ୍ୟାନ୍ୟ ଉନ୍ନତିମୂଳକ କାମରେ ଖର୍ଚ୍ଚ କରାଯାଇଛି। ସେହିପରି ‘ଇଣ୍ଡିଆନ ଅଏଲ କର୍ପୋରେସନ’ ଗଲା ୨୦୧୮ରୁ ୨୦୨୧ ମଧ୍ୟରେ ‘ସି.ଏସ୍.ଆର.’ ଦିଗରେ ଓଡ଼ିଶା ଲାଗି ବ୍ୟୟ କରିଛି ପ୍ରାୟ ୪୨୭ କୋଟି ଟଙ୍କା, ତହିଁରୁ ମାତ୍ର ୩୯ ଲକ୍ଷ ଟଙ୍କା କେନ୍ଦ୍ରାପଡ଼ାର ଆଞ୍ଚଳିକ ଉନ୍ନତି ଦିଗରେ ଖର୍ଚ୍ଚ ହୋଇଥିଲା ବେଳେ ଜଗତ୍ସିଂହପୁର ଜିଲ୍ଲାର ଆଞ୍ଚଳିକ ବିକାଶ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୧୬ କୋଟି ଟଙ୍କା ଏବଂ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ବିଭିନ୍ନ ଦିଗରେ ବ୍ୟୟ କରାଯାଇଛି ପ୍ରାୟ ୬୬ େକାଟି ଟଙ୍କା। ପ୍ରକାଶ ଥାଉ କି ‘ଇଣ୍ଡିଆନ ଅଏଲ କର୍ପୋରେସନ୍’କୁ ବହୁଳ ମାତ୍ରାରେ ଶ୍ରମ ଯୋଗାଇ ଥାଏ କେନ୍ଦ୍ରାପଡ଼ା। ସୁତରାଂ, ଏଠାରେ ‘ସ୍କିଲ ଡେଭେଲପମେଣ୍ଟ’ ବା ଦକ୍ଷତା ବିକାଶ ଦିଗରେ ଅର୍ଥ ବ୍ୟୟ କରାଯିବା ଉଚିତ େବାଲି ମନେ ହୋଇଥାଏ।
ପାରାଦୀପ ବନ୍ଦର ତଥା ସମ୍ପୂର୍ଣ୍ଣ ପାରାଦୀପ ଅଞ୍ଚଳର ଉନ୍ନତି ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। କିନ୍ତୁ ଦୁଃଖର ବିଷୟ ଏହି ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲା ଏକ ବୃଷ୍ଟିଛାୟା ଅଞ୍ଚଳ ଭଳି ହୋଇ ଉନ୍ନତିର ବର୍ଷା ପାଇବାରୁ ବଞ୍ଚିତ ହୋଇ ରହିଯାଇଛି। ଏହା ଏକ ବିଡ଼ମ୍ବନା ନୁହେଁ କି?
ମୋ: ୯୭୯୧୧୨୧୦୬୮