୧୯୪୮ ମସିହା ଜାନୁଆରି, ୩୦ ତାରିଖ। ଅପରାହ୍‌ଣ ୫ ଘଣ୍ଟା ୨୦ ମିନିଟ୍‌ ପରେ ବଡ଼ଲାଟ ଲୁଇ ମାଉଣ୍ଟବାଟେନ୍‌ ତାଙ୍କ ଦିଲ୍ଲୀ-ବାସଭବନକୁ ଯାଉଥିବା ବେଳେ ଅଧା ବାଟରେ ତାଙ୍କୁ ଖବର ମିଳିଲା‌ ଯେ ଗାନ୍ଧୀଜୀଙ୍କୁ କେହି ଜଣେ ବିରଳା ଭବନରୁ ବାହାରି ପ୍ରାର୍ଥନା ସଭାକୁ ଯାଉଥିବା ବାଟରେ ଗୁଳି କରି ହତ୍ୟା କରିଛି। ହତଭମ୍ବ ବଡ଼ଲାଟଙ୍କ ପାଟିରୁ ହଠାତ୍‌ ବାହାରି ଆସିଲା ‘ସେ ନିଶ୍ଚୟ ଜ‌େଣ ମୁସଲମାନ ହୋଇନଥିବ।’ ‌େସ ତାଙ୍କ ପ୍ରେସ୍‌ ସହକାରୀ କ୍ୟାମ୍ପବେଲ୍‌ ଜନ୍‌ସନଙ୍କୁ ସାଥିରେ ଧରି ବିରଳା ଭବନରେ ପହଞ୍ଚିଲା ବେଳକୁ ସେଠାରେ ଜନାରଣ୍ୟ ହୋଇ ସାରିଥିଲା। ସେ ଘଟଣା ସ୍ଥଳରେ ପହଞ୍ଚିବାର ଠିକ୍‌ ପୂର୍ବରୁ ଦେଖିଲେ ଯେ ଜଣେ ବ୍ୟକ୍ତି ଅତ୍ୟନ୍ତ ଉଚ୍ଚ ସ୍ବରରେ କାନ୍ଦୁଥିଲେ ଏବଂ କହି ଚାଲିଥିଲେ ଯେ ଜଣେ ମୁସଲିମ ଲୋକ ଏହି ନିର୍ମମ କାଣ୍ଡ ଘଟାଇଛି। ବଡ଼ଲାଟ ସେହି ବାଟ ଦେଇ ଯାଉଥିବା ଦେଖି ଲୋକଟି ତା’ର କ୍ରନ୍ଦନର ତୀବ୍ରତାକୁ ଆହୁରି ବଢ଼ାଇ ଦେଲା। ସେଠାରେ ଦଣ୍ଡେ ଅଟକି ଯାଇ ମାଉଣ୍ଟବାଟେନ ଚଢ଼ା ସ୍ବରରେ କହିଥିଲେ; ‘ନିର୍ବୋଧ ପ୍ରଳାପ ବନ୍ଦ କର। ଯେ ମାରିଛି ସେ ଜଣେ ହିନ୍ଦୁ।’ ସହସା କୋଳାହଳ ଏକ ନିରବ ଶୂନ୍ୟତା ସୃଷ୍ଟି କଲା।

Advertisment

ବଡ଼ଲାଟଙ୍କର ପ୍ରେସ ସହକାରୀ କ୍ୟାମ୍ପ୍‌ବେଲ୍‌ ଜନସନ ସ୍ବର ନୁଆଁଇ ମାଉଣ୍ଟବାଟେନଙ୍କୁ ପଚାରିଲେ ଯେ ସେ ଏପରି ଏକ ଭୟଙ୍କର ବିବାଦୀୟ କଥାଟି କେମିତି କହି ପକାଇଲେ! ମାଉଣ୍ଟବାଟେନଙ୍କ ଉତ୍ତର ଥିଲା ‘ସେଭଳି ନ କଲେ ଏକ ଭୟାବହ ସାଂପ୍ରଦାୟିକ ଦଙ୍ଗାରୁ ମୁକ୍ତି ମିଳନ୍ତା ନାହିଁ। ତା’ ଛଡ଼ା ମୁସଲିମ୍‌ ସଂପ୍ରଦାୟର କିଏ ବା କାହିଁକି ଏପରି ଘଟାଇବ? ସେ ତ ସେମାନଙ୍କ ମୁଣ୍ଡ ଉପରେ ଛତା ଭଳି ହୋଇ ରହିଥିଲେ!’ ଏହା ପରେ ଯାଇ ଖବର ଆସି ପହଞ୍ଚି ଥିଲା ଯେ ହତ୍ୟାକାରୀ ଜଣେ ହିନ୍ଦୁ-ବ୍ରାହ୍ମଣ, ଯାହାଙ୍କ ନାମ ନାଥୁରାମ ଗଡ଼ସେ।

ବାପୁଜୀଙ୍କ ମର ଶରୀର ରହିଥିବା ଭବନ ଭିତରକୁ ପ୍ରବେଶ କରିବା ମାତ୍ରକେ ସେ ଏକ ସଘନ ନିସ୍ତବ୍‌ଧତାର ସାମନା କରିଥିଲେ। ହୁଏ’ତ ସେତେବେଳେ ଏକ ଛୁଞ୍ଚିର ପତନ ମଧ୍ୟ ଶବ୍ଦ କରନ୍ତା। ସର୍ଦ୍ଦାର ପଟେଲ ଓ ଜଵାହରଲାଲ ନେହରୁ ସତେ ଯେମିତି ପାଷାଣ ମୂର୍ତ୍ତି ପାଲଟି ଯାଇଥିଲେ। ଏହି ସମୟରେ ମାଉଣ୍ଟବାଟେନଙ୍କ ହାତକୁ କେହି ଜଣେ ବଢ଼ାଇ ଦେଲେ ଗୋଲାପ କଳିକାର ଏକ ଗୁଚ୍ଛ, ଯାହାକୁ ବାପୁଜୀଙ୍କ ମରଶରୀର ଉପରେ ଥୋଇ ସେ ପ୍ରଣାମ ଜଣାଇଲେ।

ତା’ ପରେ ମାଉଣ୍ଟବାଟେନ ପଥର ପାଲଟି ଯାଇଥିବା ପଟେଲ ଓ ନେହରୁଙ୍କ କାନ୍ଧ ଉପରେ ମୃଦୁ ଭାବେ ହାତ ଥୋଇଲେ। ହଠାତ୍‌ ଯେମିତି ଧୈର୍ଯ୍ୟର ବନ୍ଧ ଭାଙ୍ଗି ଗଲା। ଉଭୟ ନେହରୁ ଓ ପଟେଲ ପରସ୍ପରକୁ କୁଣ୍ଢାଇ ଧରି ପିଲାଙ୍କ ପରି କାନ୍ଦି ଉଠିଲେ। ମାଉଣ୍ଟବାଟେନ ସେ ଦିନର ସେଇ ମାର୍ମିକ ଅନୁଭୂତି ବିଷୟ ଇଂଲଣ୍ଡ ଫେରିବା ପରେ ତାଙ୍କର ଭାରତ ରହଣି ସମ୍ବଳିତ ସ୍ମୃତି-ପୁସ୍ତକରେ ଲେଖିଛନ୍ତି।

ବାପୁଜୀଙ୍କ ବିୟୋଗ ସମ୍ବାଦ ସେ ପର୍ଯ୍ୟନ୍ତ ସରକାରୀ ଭାବେ ପ୍ରକାଶ ପାଇ ନ ଥିଲା। ବଡ଼ଲାଟ ଏ ବାବଦରେ ସ୍ମରଣ କରାଇ ଦେଇ ଜଵାହରଙ୍କୁ ମାଇକ୍ରୋଫୋନ ଷ୍ଟା‌ଣ୍ଡ ପର୍ଯ୍ୟନ୍ତ ଏକ ପ୍ରକାର ଭିଡ଼ି ନେଲେ। କାରଣ ଦେଶକୁ ଏ ସମ୍ବାଦ ଦେବାର ଦାୟିତ୍ବ ଥିଲା କେବଳ ପ୍ରଧାନମନ୍ତ୍ରୀଙ୍କର। ସେ ଦିନ ସମଗ୍ର ପୃଥିବୀକୁ ଭାରତର ପ୍ରଧାନମନ୍ତ୍ରୀଙ୍କ ଆବେଗଭରା ଶୋକ ସନ୍ଦେଶ ‘ଦ ଲାଇଟ୍‌ ହାଜ୍‌ ଗନ୍‌ ଆଉଟ୍‌’ ବା ‘ଆଲୋକ ଲିଭିଗଲା’ ଏବେ ମଧ୍ୟ ସ୍ମରଣୀୟ ହୋଇ ରହିଛି ଏବଂ ପୃଥିବୀର ମୁଷ୍ଟିମେୟ ସର୍ବାଧିକ ଉଚ୍ଚକୋଟୀର ଶୋକ ବାର୍ତ୍ତା ମଧ୍ୟରୁ ଅନ୍ୟତମ ଭାବେ ପରିଗଣିତ। ଲୁଇ ମାଉଣ୍ଟବାଟେନ୍ ଏହି ଶୋକ ବାର୍ତ୍ତାର ମର୍ମଭେଦୀ ଆବେଦନରେ ତଟସ୍ଥ ହୋଇଯାଇଥିଲେ।
ଚାରିଆଡୁ ଛୁଟିଲା ପୃଥିବୀ ପ୍ରସିଦ୍ଧ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳିର ସୁଅ। ବିଶ୍ବ-ବନ୍ଦିତ ଆଇରିସ ନାଟ୍ୟକାର ଜର୍ଜ ବର୍ନାର୍ଡ ସ’ ‌େଲଖିଲେ, ‘ଅତି ଭଲ ହେବା କେତେ ବିପଜ୍ଜନକ ସତେ!’ ବିଶ୍ବ ବିଶ୍ରୁତ ବୈଜ୍ଞାନିକ ଆଇନଷ୍ଟାଇନ ଲେଖିଲେ- ‘ଆଗମୀ ପିଢ଼ି ବିଶ୍ବାସ କରି ନ ପାରେ ଯେ ରକ୍ତମାଂସଧାରୀ ଜଣେ ଏଭଳି ବ୍ୟକ୍ତି କେବେ ପୃଥିବୀ ପୃଷ୍ଠରେ ବିଚରଣ କରୁଥିଲେ!’ ମହମ୍ମଦ ଅଲି ଜିନ୍ନା କହିଲେ- ‘ହିନ୍ଦୁ ସଂପ୍ରଦାୟ ସୃଷ୍ଟି କରିଥିବା ମହାନତମ ମନୁଷ୍ୟ ଥିଲେ ଗାନ୍ଧୀ!’

ପର ଦିନ ‘ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ’ ଖବରକାଗଜ ତା’ର ସମସ୍ତ ପୃଷ୍ଠାକୁ ଶୂନ୍ୟ ରଖି କେବଳ ଇଂରେଜୀରେ ଶ୍ରଦ୍ଧାଞ୍ଜଳି କେଇ ଧାଡ଼ି ଛାପିଥିଲା। ତାହାର ଓଡ଼ିଆ ମର୍ମାର୍ଥ ଏହିପରି: ଗାନ୍ଧୀଜୀଙ୍କୁ ତାଙ୍କ ପ୍ରିୟ ପରିବାର ଭିତରୁ ଜଣେ ହତ୍ୟା କଲେ, ଯେଉଁମାନଙ୍କର କଲ୍ୟାଣ ଓ ଉତ୍ତରଣ ପାଇଁ ସେ ଅହରହ କାର୍ଯ୍ୟ କରି ଚାଲିଥିଲେ। ମହାମାନବ ଯୀଶୁଙ୍କ ପରେ ଗାନ୍ଧୀଜୀଙ୍କ ପାର୍ଥିବ ଜୀବନାବସାନ ଦ୍ବିତୀୟ କ୍ରୁଶବିଦ୍ଧ ଭଳି ଘଟନାଟିଏ ହୋଇ ଇତିହାସରେ ରହିଯିବ।’
ଯୀଶୁ କ୍ରୁଶବିଦ୍ଧ ହେବା ଭଳି ଏହି ଘଟନାଟି ମଧ୍ୟ ଘଟିତ ହୋଇଥିଲା ଗୋଟିଏ ‘ଶୁକ୍ରବାର’ ଦିବସରେ!
ମୋ:୯୭୭୭୨୦୫୬୮୪