ଥରେ ୟୁଜିକେଙ୍କୁ ତାଙ୍କର ଜଣେ ଅନୁଗାମୀ ପଚାରିଲେ- ଆମେମାନେ ଗୁରୁ ଖୋଜୁ ଥାଇଁ। ତେବେ ଗୁରୁମାନଙ୍କ ଆବଶ୍ୟକତା କ’ଣ? ପୁଣି ସାଧାରଣ ଗୁରୁ ଓ ସଦ୍ଗୁରୁଙ୍କ ଭିତରେ ପାର୍ଥକ୍ୟ କ’ଣ?
ୟୁଜିକେ କହିଲେ- ପଚାରିଲଣି ଯଦି ତେବେ ଏହି କଥାଟି ଶୁଣ।
ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ବର୍ମାର ଘନ ଜଙ୍ଗଲ ଭିତରେ ରହୁଥିବା କିଛି ଗ୍ରାମବାସୀ ଗୋଟିଏ ଦୁଇ ସିଟ୍ ଧାରୀ ଉଡ଼ାଜାହାଜ ପରିତ୍ୟକ୍ତ ଭାବେ ଛିଡ଼ା ହୋଇଥିବାର ଦେଖିଲେ। ସେମାନେ ଏହା କ’ଣ ବୋଲି ବିଚାର କରୁଥିବା ବେଳେ ସେମାନଙ୍କ ଭିତରେ ଥିବା ବୁଦ୍ଧିଆ ଲୋକଟି କହିଲା- ଏହାର ଚକ ଦୁଇଟିକୁ ଦେଖ। ଏହା ଗୋଟିଏ ଶଗଡ଼ ଗାଡ଼ି ନିଶ୍ଚୟ। ଏହା ବୋଧହୁଏ ଆଉ କୋଉ ଗାଁର ଶଗଡ଼! ସୁତରାଂ, ତାକୁ ଗାଁର ମୁଖିଆ ଦୁଇଟି ବଳଦ ଲଗାଇ ଭିଡ଼ିଭିଡ଼ ନେଇ ଗଲା ଏବଂ ତହିଁରେ କିଛି ଦିନ ବସି ବୁଲାବୁଲି କଲା।
ଏକଥା କିନ୍ତୁ କିଛି ଦିନ ପରେ ବାହାରକୁ ପ୍ରଘଟ ହୋଇଗଲା। ଖବର ପାଇ କିଛି ସୈନିକ ଓ ପାଇଲଟ୍ ଆସି ଗାଁରେ ପହଞ୍ଚିଲେ ଏବଂ ବିମାନଟିକୁ ଦେଖିଲେ। ସାମାନ୍ୟ ମରାମତି ପରେ ବିମାନଟି ଉଡ଼ିବା ଯୋଗ୍ୟ ହୋଇଗଲା ଏବଂ ପାଇଲଟ୍ ତାକୁ ଉଡ଼ାଇ ନେଇ ଚାଲିଗଲେ।
ଏହା କହିସାରି ୟୁଜିକେ କହିଲେ ଯେ ଗାଁର ବୁଦ୍ଧିଆ ଲୋକର ଦିଗ୍ଦର୍ଶନରୁ ବିମାନଟି ଜଙ୍ଗଲରେ ପଡ଼ି କଳଙ୍କି ନ ଖାଇ ଅନ୍ତତଃ କିଛି ଦିନ ଲାଗି ବଳଦ ଗାଡ଼ି ହୋଇ ବୁଲିବାକୁ ଲାଗିଲା। ଜଣେ ସାଧାରଣ ଗୁରୁ କେବଳ ସେତିକି ଯାଏ ପରିତ୍ରାଣ କରି ପାରିବେ। କିନ୍ତୁ ବିମାନକୁ ଉଡ଼ାଉଥିବା ପାଇଲଟ୍ ହେଉଛି ସଦ୍ ଗୁରୁ, ଯିଏ ତୁମର ଅସଲ ସାମର୍ଥ୍ୟକୁ ଚିହ୍ନି ଓ ଚିହ୍ନାଇ ପାରିବେ। ମଣିଷ ଜୀବନ ଦୁର୍ଲଭ। କିନ୍ତୁ ତାହା କାହିଁକି ଦୁର୍ଲଭ ଏବଂ ଅସଲ ଦୁର୍ଲଭତାଟି କ’ଣ ତାହା କେବଳ ସଦଗୁରୁ ବୁଝାଇ ଦେଇ ପାରିବେ।