ସୋମବାର ଦିନ ମୁମ୍ବାଇଠାରେ ଅନୁଷ୍ଠିତ ସଦ୍ୟଜାତ ମହିଳା କ୍ରିକେଟ୍‌ ଟୁର୍ନାମେଣ୍ଟ ‘ୱି‌େମନ୍‌ସ ପ୍ରିମିଅର୍‌ ଲିଗ୍‌’ (‘ଡବ୍ଲ୍ୟୁପିଏଲ୍‌’) ପାଇଁ ସର୍ବପ୍ରଥମ ଖେଳାଳି ନିଲାମକୁ ଯଦି ସବୁଠାରୁ ଯଥାର୍ଥ ଭାବ‌େର କେଉଁ ଭାଷାରେ ବର୍ଣ୍ଣନା କରାଯାଇପାରେ, ତାହା ହେଉଛି ଅସ୍ତିତ୍ବବାଦ ଦର୍ଶନର ଜନକ ରୂପେ ପରିଚିତ ଦିନାମାର୍‌ ଦାର୍ଶନିକ ସୋରେନ୍‌ କିର୍କେଗାର୍ଡଙ୍କ ଦ୍ବାରା ଉଦ୍ଭାବିତ ଶବ୍ଦପୁଞ୍ଜ: ‘ବିଶ୍ବାସର ଲମ୍ଫ’ ବା ‘ଲିପ୍‌ ଅଫ୍‌ ଫେଥ୍‌’। ଊନବିଂଶ ଶତାବ୍ଦୀର ଏହି ଚିନ୍ତାନାୟକ ତାଙ୍କର ଅନ୍ୟତମ ପ୍ରସିଦ୍ଧ ରଚନା, ‘ଫିଅର୍‌ ଆଣ୍ଡ୍‌ ଟ୍ରେମ୍ବଲିଙ୍ଗ୍‌’ (‘ଭୟ ଓ କମ୍ପନ’)ରେ ଏହି ଅଭିବ୍ୟକ୍ତିକୁ ପ୍ରଦାନ କରିଥିବା ଅର୍ଥ ଅନୁସାରେ ଯେତେବେଳେ ଜଣେ ବ୍ୟକ୍ତି ପ୍ରଚଳିତ ‌ପରମ୍ପରା, ପରିଚିତ ଯୁକ୍ତି ଓ ଉପଦେଶ ଊର୍ଦ୍ଧ୍ବକୁ ଯାଇ କିଛି ଉପରେ ବିଶ୍ବାସ ସ୍ଥାପନ କରିଥାଏ, ସେ ଏକ ବିଶ୍ବାସର ଲମ୍ଫ ପ୍ରଦାନ କରିଥାଏ। ଏଇଭଳି ଲମ୍ଫ ମାଧ୍ୟମରେ ହିଁ ମନୁଷ୍ୟ ତା’ର ଅସ୍ତିତ୍ବର ଗୋଟିଏ ସ୍ତରରୁ ଅନ୍ୟ ଏକ ସ୍ତରକୁ ଆରୋହଣ କରିଥାଏ।
ସୋମବାର ଦିନ ଯେଉଁ ପାଞ୍ଚଟି ଫ୍ରାଞ୍ଚାଇଜ୍‌ ମାର୍ଚ୍ଚ ୪ରୁ ୨୬ ମଧ୍ୟରେ ମୁମ୍ବାଇରେ ଅ‌ାୟୋଜିତ ହେବାକୁ ଯାଉଥିବା ଉଦ୍‌ଘାଟନୀ ଡବ୍ଲ୍ୟୁପିଏଲ୍‌ ଟୁର୍ନାମେଣ୍ଟ ପାଇଁ ୫୯.୫ କୋଟି ଟଙ୍କା ଖର୍ଚ୍ଚ କରି ୮୭ ଜଣ ମହିଳା କ୍ରିକେଟର୍‌ମାନଙ୍କୁ ଚୁକ୍ତିବଦ୍ଧ କରିଛନ୍ତି, ସେମାନଙ୍କର ଏହି ପଦକ୍ଷେପକୁ ଏକ ସଦ୍ୟତମ କିର୍କେଗାର୍ଡ ସୁଲଭ ବିଶ୍ବାସର ଲମ୍ଫ ରୂପେ ବର୍ଣ୍ଣନା କରାଯାଇପାରେ। ପାରମ୍ପରିକ ଭାବରେ ପୁରୁଷ ଅଧ୍ୟୁଷିତ କ୍ରିକେଟ୍‌ ଜଗତରେ ମହିଳା କ୍ରିକେଟ୍‌କୁ ଗୋଟିଏ ସ୍ତରରୁ ଏକ ଉଚ୍ଚତର ସ୍ତରକୁ ଉଠାଇବା ପାଇଁ ଏହି ଲମ୍ଫ ଉଦ୍ଦିଷ୍ଟ। ତେବେ ଏହାକୁ ଏହି ଉଦ୍ଦେଶ୍ୟସାଧନ ନିମିତ୍ତ ନିକଟ ଅତୀତରେ ପ୍ରଦାନ କରାଯାଇଥିବା କେତେଗୁଡ଼ିଏ ଲମ୍ଫ ମଧ୍ୟରୁ ସଦ୍ୟତମ ବୋଲି କୁହାଯାଇପାରେ।

Advertisment

ଖେଳ ପଡ଼ିଆରେ ମହିଳା କ୍ରିକେଟର୍‌ମାନଙ୍କର ଆବିର୍ଭାବ ନୂଆ ନ ହୋଇଥିଲେ ହେ‌ଁ ତାହା ଏପର୍ଯ୍ୟନ୍ତ ମୁଖ୍ୟସ୍ରୋତର ଅଂଶରେ ପରିଣତ ହୋଇନଥିଲା; ଏହାକୁ ଏକ ଅନୁସନ୍ଧିତ୍ସା ସୃଷ୍ଟିକାରୀ ପାର୍ଶ୍ବ ଦୃଶ୍ୟ ରୂପେ ବିଚାର କରା ହୋଇ ଅାସୁଥିଲା। ମିତ‌ାଲି ରାଜ୍‌ ବା ଝୁଲଣ ଗୋସ୍ବାମୀଙ୍କ ଭଳି ନିପୁଣ ଖେଳାଳିମାନଙ୍କ ଉପସ୍ଥିତି ସତ୍ତ୍ବେ ମହିଳା କ୍ରି‌େକଟ୍‌ ପ୍ରତି ପ୍ରଦର୍ଶିତ ବାଛ ବିଚାର ଯେ ଏକ ଲିଙ୍ଗ ବିଦ୍ବେଷର ପରିପ୍ରକାଶ ଥିଲା, ଏଥିରେ କୌଣସି ସନ୍ଦେହ ନାହିଁ। ବିଭିନ୍ନ ଦେଶର କ୍ରିକେଟ୍‌ ବୋର୍ଡମାନେ ସେମାନଙ୍କର ପୁରୁଷ କ୍ରିକେଟର୍‌ ଓ ମହିଳା କ୍ରିକେଟର୍‌ମାନଙ୍କୁ ପ୍ରଦାନ କରୁଥିବା ପାରିଶ୍ରମିକରେ ରହିଥିବା ଆକାଶ ପାତାଳ ତଫାତ୍‌ ଥିଲା ଏହି ବାଛ ବିଚାରର ଅନ୍ୟତମ ବଳିଷ୍ଠ ପ୍ରମାଣ।

ପ୍ରାୟ ପାଞ୍ଚ ମାସ ତଳେ ଭାରତର କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ନିଜର ମହିଳା ଖେଳାଳିମାନଙ୍କର ଦକ୍ଷତା ଓ ଯୋଗ୍ୟତା ଉପରେ ସମ୍ପୂର୍ଣ୍ଣ ଆସ୍ଥା ସ୍ଥାପନ ପୂର୍ବକ ଏକ ବିଶ୍ବାସର ଲମ୍ଫ ପ୍ରଦାନ କରି ସମସ୍ତ କିସମର କ୍ରିକେଟ୍‌ ପ୍ରତିଯୋଗିତାରେ- ଟେଷ୍ଟ ମ୍ୟାଚ୍‌ରୁ ଟି-ଟ୍ବେଣ୍ଟି ମ୍ୟାଚ୍‌ ପର୍ଯ୍ୟନ୍ତ- ଉଭୟ ପୁରୁଷ ଖେଳାଳି ଓ ମହିଳା ଖେଳାଳିମାନଙ୍କ ପାଇଁ ପ୍ରଦାନ କରାଯାଉଥିବା ପାରିଶ୍ରମିକ ରାଶିକୁ ସମାନ କରି ଦେବା ଘୋଷଣା କରିଥିଲା। ପୃଥିବୀରେ କ୍ରିକେଟ୍‌ ଖେଳୁଥିବା ଦେଶମାନଙ୍କ ମଧ୍ୟରେ ସର୍ବାଧିକ ପ୍ରଭାବଶାଳୀ ଦେଶ ରୂପେ ଭାରତର କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ ଅକ୍‌ଟୋବରରେ କରିଥିବା ଏହି ଘୋଷଣା କ୍ରିକେଟ୍‌ ଜଗତରେ ଯେଉଁ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି, କ୍ରମେ ଅନ୍ୟ ସମସ୍ତ ଦେଶ ତାହା ଦ୍ବାରା ପ୍ରଭାବିତ ହୋଇ ମହିଳା କ୍ରିକେଟର୍‌ମାନଙ୍କୁ ପୁରୁଷମାନଙ୍କ ସହିତ ସମାନ ମର୍ଯ୍ୟାଦା ପ୍ରଦାନ କରିବାକୁ ଅଚିରେ ଆଗେଇ ଆସିବା ଅନିବାର୍ଯ୍ୟ।

ସେଇ ଭାରତ ମଧ୍ୟ ୨୦୦୮ ଠାରୁ ପାରମ୍ପରିକ କ୍ରି‌େକଟ୍‌ ଖେଳରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଘଟାଇ ତାହାକୁ ଏକ ପ୍ରଭୂତ ଅର୍ଥକାରୀ ମନୋରଞ୍ଜନ ଶିଳ୍ପରେ ପରିଣତ କରି ଦେଇଛି, ଯାହା ‘ଇଣ୍ଡିଆନ୍‌ ପ୍ରିମିଅର୍‌ ଲିଗ୍‌’ ବା ‘ଆଇପିଏଲ୍‌’ ରୂପେ ସୁପରିଚିତ। ମୁଖ୍ୟତଃ ଟେଲିଭିିଜନ୍‌ ଦର୍ଶକମାନଙ୍କ ପାଇଁ ଉଦ୍ଦିଷ୍ଟ ଲଳିତ ମୋଦୀଙ୍କର ଏହି ମାନସ ସନ୍ତାନ ବିଗତ ବର୍ଷମାନଙ୍କରେ ଏକ ବିଶାଳ ବାଣିଜ୍ୟିକ ସଫଳତାରେ ପରିଣତ ହୋଇ ଦେଶ ବିଦେଶରୁ ସର୍ବଶ୍ରେଷ୍ଠ କ୍ରିକେଟ୍‌ ଖେଳାଳିମାନଙ୍କୁ ଆକୃଷ୍ଟ କରିବାରେ ଲାଗିଛି। ନିମ୍ନ ସୂଚନାରୁ ଏହାର ଅର୍ଥକାରୀ ସଫଳତା ସମ୍ବନ୍ଧରେ ଏକ ଧାରଣା କରି ହେବ: ଗତବର୍ଷ ଆଗାମୀ ପାଞ୍ଚ ବର୍ଷ ପାଇଁ ‘ଆଇପିଏଲ୍‌’ ମ୍ୟାଚ୍‌ ଗୁଡ଼ିକର ପ୍ରସାରଣ ପାଇଁ ଟେଲିଭିଜନ୍‌ ଓ ଇଣ୍ଟର୍‌ନେଟ୍‌ କମ୍ପାନିମାନେ କ୍ରୟ କରିଥିବା ଅଧିକାରରୁ ସଂଗୃହୀତ ହୋଇଥିଲା ମୋଟ ୬.୨ ବିଲିଅନ୍‌ ଡଲାର୍‌, ଯାହା ଏ ଅନୁସାରେ ‘ଆଇପିଏଲ୍‌’କୁ ପୃଥିବୀର ଦ୍ବିତୀୟ ସର୍ବାଧିକ ମୂଲ୍ୟବାନ ଖେଳକୁଦ ଫ୍ରାଞ୍ଚାଇଜ୍‌ରେ ପରିଣତ କରିଥାଏ। କହିବା ବାହୁଲ୍ୟ ଏହାଦ୍ବାରା କ୍ରିକେଟର୍‌ମାନଙ୍କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକରେ ଆକାଶଛୁଆଁ ବୃଦ୍ଧି ଘଟିବା ସମ୍ଭବ ହୋଇପାରିଛି।

ମହିଳା କ୍ରିକେଟ୍‌ରେ କିନ୍ତୁ ଏପର୍ଯ୍ୟନ୍ତ ‘ଆଇପିଏଲ୍‌’ ପରି ଏକ ଟୁର୍ନାମେଣ୍ଟର ଆବିର୍ଭାବ ଘଟିନଥିଲା, ତେଣୁ ମହିଳା କ୍ରିକେଟର୍‌ମାନେ ଏଭଳି ବିଶାଳ ଆୟ କରିବା ସୁଯୋଗରୁ ବଞ୍ଚିତ ଥିଲେ। ‘ଆଇପିଏଲ୍‌’ ପରି ଟୁର୍ନାମେଣ୍ଟ୍‌ ଯେହେତୁ ସମ୍ପୂର୍ଣ୍ଣ ରୂପେ ଏକ ବ୍ୟାବସାୟିକ ଭିତ୍ତିରେ ପରିଚାଳିତ ହୋଇଥାଏ, ମହିଳା କ୍ରିକେଟର୍‌ମାନଙ୍କୁ ନେଇ ଆୟୋଜିତ ଏଭଳି ଏକ ଟୁର୍ନାମେଣ୍ଟ୍‌ ଦର୍ଶକମାନଙ୍କୁ ଆକର୍ଷିତ କରିବାରେ କେତେଦୂର ସଫଳ ହେବ, ବୋଧହୁଏ ନିବେଶକମାନେ ସେ ନେଇ ସନ୍ଦିହାନ ଥିଲେ। ସେଇ ସନ୍ଦେହକୁ ଅତିକ୍ରମ କରିବା ପାଇଁ ଯାହା ଆବଶ୍ୟକ ଥିଲା, ତାହା ହେଲା କିର୍କେଗାର୍ଡ କହିଥିବା ଭଳି ଏକ ବିଶ୍ବାସର ଲମ୍ଫ।

ଏଇଭଳି ଏକ ବିଶ୍ବାସର ଲମ୍ଫ ଦେଖିବାକୁ ମିଳିଥିଲା ଜାନୁଆରିରେ ଯେତେବେଳେ ‘ବିସିସିଆଇ’ ଘୋଷଣା କଲା ଯେ ‘ଡବ୍ଲ୍ୟୁପିଏଲ୍‌’ ପାଇଁ ଉଦ୍ଦିଷ୍ଟ ପାଞ୍ଚଟି ଫ୍ରାଞ୍ଚାଇଜ୍‌ (ଅହମଦାବାଦ, ମୁମ୍ବାଇ, ବାଙ୍ଗାଲୁରୁ, ଦିଲ୍ଲୀ, ଲକ୍ଷ୍ନୌ)ର ନିଲାମରୁ ସଂଗୃହୀତ ହୋଇଛି ମୋଟ ୪,୬୬୯.୯୯ ‌େକାଟି ଟଙ୍କା! ଏହି ଲମ୍ଫର ଏକ ଚମକପ୍ରଦ ଦିଗ ହେଲା ଏହା ଯେ ୨୦୦୮ରେ ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ‘ଆଇପିଏଲ୍‌’ ଫ୍ରାଞ୍ଚାଇଜ୍‌ମାନଙ୍କର ଉଦ୍‌ଘାଟନୀ ନିଲାମରୁ ସଂଗୃହୀତ ମୋଟ ଅର୍ଥ ପରିମାଣ ଠାରୁ ଏହି ପରିମାଣ ହେଉଛି ଅଧିକ! ଏଠାରେ ଏହା ମଧ୍ୟ ଉଲ୍ଲେଖ କରିବା ଅସମୀଚୀନ ହେବା ନାହିଁ ଯେ ଏହି ପାଞ୍ଚ ନିଲାମ ବିଜେତାଙ୍କ ମଧ୍ୟରୁ ଯାହାର ଲମ୍ଫ ସର୍ବାଧିକ ଦୂରତା ଅତିକ୍ରମ କରିଛି, ସେ ହେଉଛି ଆଜିର ବହୁଚର୍ଚ୍ଚିତ ଆଦାନି ଗ୍ରୁପ୍‌ ଅଧୀନସ୍ଥ ‘ଆଦାନି ସ୍ପୋର୍ଟ‌୍ସଲାଇନ୍‌ ପ୍ରାଇଭେଟ୍‌ ଲିମିଟେଡ’, ଯିଏ ୧୨୮୯ କୋଟି ଟଙ୍କା ଦେଇ ଅହମଦାବାଦ ଫ୍ରାଞ୍ଚାଇଜ୍‌ କ୍ରୟ କରିଛି। ସେହିପରି ଅମ୍ବାନିଙ୍କର ‘ଇଣ୍ଡିଆୱିନ୍‌ ସ୍ପୋର୍ଟ‌୍ସ ପ୍ରାଇଭେଟ ଲିମିଟେଡ୍‌’ ସଂସ୍ଥା ମୁମ୍ବାଇ ଫ୍ରାଞ୍ଚାଇଜ୍‌କୁ ୯୧୨.୯୯ କୋଟି ଟଙ୍କାରେ କ୍ରୟ କରି ଦ୍ବିତୀୟ ସ୍ଥାନରେ ରହିଛି। ଅମ୍ବାନିଙ୍କ କମ୍ପାନି ‘ଭାୟାକମ୍‌ ୧୮’ ମଧ୍ୟ ୯୫୧ ‌େକାଟି ଟଙ୍କା ଦେଇ ପାଞ୍ଚ ବର୍ଷ ପାଇଁ ‘ଡବ୍ଲ୍ୟୁପିଏଲ୍‌’ର ମ୍ୟାଚ୍‌ ଗୁଡ଼ିକର ପ୍ରସାରଣ ଅଧିକାର କ୍ରୟ କରିଛି।

ମହିଳା କ୍ରିକେଟ୍‌ ଜଗତରେ ଦେଖା ଦେଇଥିବା ବିଶ୍ବାସର ଏହି ନୂତନ ବିପ୍ଳବର ସଦ୍ୟତମ ପାହାଚ ଥିଲା ସୋମବାରର ଖେଳାଳି ନିଲାମ। ଏହି ନିଲାମର ଫଳ ସ୍ବରୂପ ମାତ୍ର ତିନି ସପ୍ତାହର ଖେଳରୁ ସର୍ବାଧିକ ୩.୪ କୋଟି ଟଙ୍କା ଆୟ କରିବାକୁ ଯାଉଥିବା ସ୍ମୃତି ମାନ୍ଧାନା ହୁଅନ୍ତୁ କି ମାତ୍ର ୧୦ ଲକ୍ଷ ଟଙ୍କା ଆୟ କରିବାକୁ ଯାଉଥିବା ୧୬ ବର୍ଷିୟା ପାର୍ଶବୀ ଚୋପ୍ରା ହୁଅନ୍ତୁ, ଏହି ନୂତନ ଟୁର୍ନାମେଣ୍ଟ୍‌ ଯେ ସେମାନଙ୍କ ଠାରେ ଏକ ନୂତନ ଆତ୍ମବିଶ୍ବାସ ଭରି ଦେବା ସହିତ ସେମାନଙ୍କର ଅର୍ଥନୈତିକ ଓ ସାମାଜିକ ସଶକ୍ତୀକରଣ ସାଧନ କରିବ ଏଥିରେ ସନ୍ଦେହ ନାହିଁ, ଯାହା ଏଥିରେ ଅନ୍ତର୍ଭୁକ୍ତ ୩୦ ଜଣ ସଫଳ ବିଦେଶିନୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ସବୁଠାରୁ ବଡ଼ କଥା ହେଲା, କ୍ରିକେଟ୍‌ ପାଗଳ ଭାରତରେ ତା’ର ଜନସଂଖ୍ୟାର ଅର୍ଦ୍ଧେକଙ୍କ ପାଇଁ ବନ୍ଦ ହୋଇ ରହିଥିବା ଏକ ବିଶାଳ ସମ୍ଭାବନାର ଦ୍ବାର ଏବେ ଖୋଲିଗଲା।