ସେ ଦିନ ସନ୍ଦିଗ୍ଧ ହତ୍ୟାକାରୀ ଗୋପାଳ ଦାସର ଗୋଟିଏ ଫଟୋ ଖୁବ୍ ରହସ୍ୟମୟ ଭଳି ମନେ ହେଲା। ଉଡ଼ାଜାହାଜରେ ତାକୁ ଗୁଜୁରାଟ ଅଭିମୁଖେ ନିଆଯିବାର କିଛି କ୍ଷଣ ପୂର୍ବରୁ ବିମାନ ବନ୍ଦରର ଲାଉଂଜ୍ରେ ବସିଥିବା ବେଳେ ଖବରକାଗଜରେ ତା’ର ଫଟୋ ବାହାରିଥିବା ଦେଖି ସେ ହସିଥିଲା। କ’ଣ ଥିଲା ସେହି ହସର କାରଣ? ଆନନ୍ଦର ନା ଆତ୍ମତୃପ୍ତିର ନା ଅନୁଶୋଚନାର? ଯେଉଁ ସମୟରେ ତା’ ମୁହଁରେ ହସ ଫୁଟି ଉଠିଲା, ସେ ସମୟରେ ତା’ର ମାନସିକ ଅବସ୍ଥା କ’ଣ ଥିଲା? ଏ ନେଇ ମନୋଚିକିତ୍ସକ ଏବଂ ମନସ୍ତତ୍ତ୍ବବିତ୍ମାନେ ବିଭିନ୍ନ ସିଦ୍ଧାନ୍ତରେ ପହଞ୍ଚି ପାରନ୍ତି, କିନ୍ତୁ କେବଳ ଗୋପାଳ ଦାସ ଜାଣେ ତା’ ହସ ପଛରେ ଥିବା ପ୍ରକୃତ କାରଣ।
ସବୁ ପ୍ରାଣୀଙ୍କ ଠାରୁ ମଣିଷ ଏହି ଦୃଷ୍ଟିରୁ ସ୍ବତନ୍ତ୍ର ଯେ ମଣିଷ ଏକମାତ୍ର ପ୍ରାଣୀ ଯିଏ ହସିପାରେ। ପ୍ରକୃତିଦତ୍ତ ଭାବେ ହସ ଦ୍ବାରା ମନୁଷ୍ୟ ତା’ର ଖୁସି ବା ଆନନ୍ଦ ବ୍ୟକ୍ତ କରିଥାଏ। କିନ୍ତୁ ବିବର୍ତ୍ତନର କ୍ରମରେ ମନୁଷ୍ୟ କେତେ ପ୍ରକାର ହସକୁ ଜନ୍ମ ଦେଇଛି। ମନ ଖୋଲା ହସ ଠାରୁ ଆରମ୍ଭ କରି ସ୍ମିତ ହାସ୍ୟ, ଅଟ୍ଟହାସ୍ୟ, ତିର୍ଯ୍ୟକ୍ ହସ, ବକ୍ର ହସ, ମନ୍ଦ ହସ ଇତ୍ୟାଦି। ପୁଣି ନିଜ ମା’ଙ୍କୁ ହରାଇ ନିଜ ଇଛା ବିରୋଧରେ ଅଭିନୟ କରିବାକୁ ବାଧ୍ୟ ହୋଇଥିବା ‘ମେରା ନାମ ଜୋକର’ ସିନେମାର ରାଜ କପୁରଙ୍କ ମୁହଁରେ ଫୁଟି ଉଠୁଥିବା କୃତ୍ରିମ ହସ। ଏତେ ପ୍ରକାର ହସ ହିଁ ହସିବା ବିଷୟଟିକୁ ରହସ୍ୟମୟ କରି ପକାଇଛି। ହସ ଦ୍ବାରା ମଣିଷ ଅନ୍ୟ ସହିତ ତା’ର ଆତ୍ମୀୟତା ବୃଦ୍ଧି କରିଥାଏ। କିନ୍ତୁ ଛଳ ବା କପଟୀ ହସ ଦ୍ବାରା ମଣିଷ ଅନ୍ୟ ଜଣକୁ ତା’ର ଶିକାର ମଧ୍ୟ କରିଥାଏ! ବେଳେ ବେଳେ ହତାଶା ଓ ଦୁଃଖର ଆତ୍ମଗ୍ଳାନି ବି ମଣିଷ ମୁହଁରେ ହସ ଫୁଟାଇପାରେ! ସେଥି ଲାଗି ତ ଲିଓନାର୍ଡୋ ଡା ଭିନ୍ସିଙ୍କ ଅଙ୍କିତ କାଳଜୟୀ ଚିତ୍ର ମୋନାଲିସାର ହସ ପଛରେ କି ଅର୍ଥ ଅଛି ତାହା ଠଉରାଇବା ଲାଗି ମନୋବିଜ୍ଞାନୀ ଓ ବିଶେଷଜ୍ଞମାନେ ଯୁଗ ବିତାଇ ସାରିଲେଣି। କେତେକ ଏହାକୁ ଆନନ୍ଦର ହସ ବୋଲି କହୁଥିବା ବେଳେ ଅନ୍ୟ କେତେକ ଏହାକୁ ଦୁଃଖର ହସ ବୋଲି ଅଭିହିତ କରିଥାନ୍ତି। ଆଉ କେତେକ କହନ୍ତି ଏହା କଟାକ୍ଷର ହସ।
‘ଦ ଲାଫିଙ୍ଗ ବୁଦ୍ଧ’ଙ୍କ ପ୍ରତିମାକୁ ଘରେ ରଖିଲେ ସୁଖ ସମୃଦ୍ଧି ବୃଦ୍ଧି ପାଏ ବୋଲି ବିଶ୍ବାସ ଅଛି। କିନ୍ତୁ ଗୌତମ ବୁଦ୍ଧ ସମ୍ଭବତଃ କେବେ ହେଲେ ଏମିତି ଗହଗହ ହସି ନ ଥିବେ। ଆମେ ସମସ୍ତେ ବୁଦ୍ଧଙ୍କ କାରୁଣିକ ସ୍ମିତ ହସ ସହିତ ପରିଚିତ। ‘ବୁଦ୍ଧ ହସିଲେ’ ବୋଲି ସନ୍ଦେଶଟିଏ ୧୯୭୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପାଇଲେ। ଏହା ଥିଲା ଏକ ଗୋପନୀୟ ସାଂକେତିକ ସନ୍ଦେଶ ବା କୋଡ୍। ଏହା ଜରିଆରେ ‘ଭାବା ଆଟୋମିକ ରିସର୍ଚ ସେଣ୍ଟର’ର ତତ୍କାଳୀନ ମୁଖ୍ୟ ରାଜା ରମନ୍ନା ଜଣାଇଥିଲେ ଯେ ଭାରତ ସଫଳତାର ସହିତ ପ୍ରଥମ ଆଣବିକ ପରୀକ୍ଷଣ କରି ପାରିଛି। ଏହା ପରେ ୧୯୯୮ ମସିହା ମେ ମାସ ୧୧ ତାରିଖରେ ଯେତେବେଳେ ଦ୍ବିତୀୟ ପରମାଣୁ ପରୀକ୍ଷଣ କରିବାରେ ଭାରତ ସଫଳ ହେଲା, ସେତିକି ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଯେଉଁ ସାଂକେତିକ ସନ୍ଦେଶ ମିଳିଲା, ତାହା ଥିଲା ‘ବୁଦ୍ଧ ପୁଣି ହସିଲେ।’
ତେବେ ଗୋପାଳ ଦାସ ସେ ଦିନ ହସିଲା କାହିଁକି? ଏହାର ଉତ୍ତର ମନସ୍ତତ୍ବବିତ୍ମାନେ ଖୋଜନ୍ତୁ। କିନ୍ତୁ ଆମେ ସେହି ପୁରୁଣା ପ୍ରାର୍ଥନା ମନେ ପକାଇ କହିବା ଯେ ‘ଯାହା ମୁଁ ଚିନ୍ତଇ, ଯାହା ମୁଁ କରଇ, ଯାହା ମୁଁ ଭାବଇ ମନେ, ଜଗତର କର୍ତ୍ତା ପରମ ଈଶ୍ବର ଜାଣୁଛନ୍ତି ପ୍ରତି କ୍ଷଣେ!’ ତେଣୁ ଗୋପାଳର ହସର ରହସ୍ୟ ଭେଦ କରିବା ମଣିଷଙ୍କ ଲାଗି କଷ୍ଟକର ହୋଇଥିଲେ ବି ମହାପ୍ରଭୁ ଜଗନ୍ନାଥ ତାହା ନିଶ୍ଚୟ ଜାଣିଥିବେ!
ମୋ: ୯୪୩୮୧ ୪୯୭୬୧