ତୁର୍କୀରେ ସ˚ଘଟିତ ହୋଇଥିବା ଅତ୍ୟନ୍ତ ଭୟାବହ ଭୂମିକ˚ପ ପୃଥିବୀର ଅନେକ ରାଷ୍ଟ୍ରଙ୍କ ସମ୍ମୁଖରେ ଏକ ଦର୍ପଣ ତୁଲ୍ୟ ଆବିର୍ଭୂତ ହୋଇଛି, ଯହିଁରେ ବିଭିନ୍ନ ସହର ଓ ମହାନଗରଗୁଡ଼ିକରେ ପରିଦୃଷ୍ଟ ହେଉଥିବା ଭିତ୍ତିଭୂମି ଓ ‘ରିଏଲ୍ ଇଷ୍ଟେଟ୍’ ନିର୍ମାଣ କ୍ଷେତ୍ରରେ ଅଭୂତପୂର୍ବ ଉନ୍ମାଦନା ସହିତ ଦୁର୍ନୀତିର ମିଶ୍ରଣ କିଭଳି ଘାତକ କକ୍ଟେଲ୍ ସୃଷ୍ଟି କରିଥାଏ, ତା’ର ପ୍ରତିବିମ୍ବ ଦେଖିବାକୁ ମିଳିଥାଏ। ଭୂମିକ˚ପ ଭଳି ଏକ ଦୈବୀ ଦୁର୍ଘଟଣାରେ ‘ଈଶ୍ବରଙ୍କ କୋପ’ ସମକ୍ଷରେ ପୀଡ଼ିତମାନେ ସାଧାରଣତଃ ନିଜକୁ ଅତ୍ୟନ୍ତ ଅସହାୟ ସମର୍ପଣ ମୁଦ୍ରାରେ ପାଉଥିବା ସ୍ଥଳେ ତୁର୍କୀରେ କିନ୍ତୁ ସେଭଳି ନ ଘଟି ଏକ ତୀବ୍ର ସରକାର ବିରୋଧୀ ଜନ-ଆକ୍ରୋଶ ସୃଷ୍ଟି କଲାଣି। ସୁତରା˚, ଏହା ପଛରେ ନିହିତ କାରଣମାନ ଜାଣିବା ଲାଗି ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ତୁର୍କୀର ସରକାରୀ ଆକଳନ ଅନୁସାରେ ସେଠାକାର ଭୂମିକ˚ପ ବିଧ୍ବସ୍ତ ଅଞ୍ଚଳର ୧ ଲକ୍ଷ ୭୦ ହଜାର ଆବାସ ମଧୢରୁ ୨୪,୯୭୬ଟି ପ୍ରାୟତଃ ଚୂର୍ଣ୍ଣୀଭୂତ ଅଥବା ଏଭଳି ଭଗ୍ନାବଶେଷରେ ପରିଣତ ଯେ ତାହା କୌଣସିମତେ ବାସଯୋଗ୍ୟ ହୋଇ ପାରିବ ନାହିଁ। ପୁଣି, ଏହି ବାସଗୃହଗୁଡ଼ିକ ଅପେକ୍ଷାକୃତ ନୂତନ ଭାବେ ଗଢ଼ା, ପୁରୁଣା ଓ ଜରାଜୀର୍ଣ୍ଣ ଗୃହମାନ ନୁହନ୍ତି। ସୁତରା˚, ୭.୬ ରିକ୍ଟର ସ୍କେଲ୍ର ଏକ ଭୂମିକ˚ପ ଦ୍ବାରା ଏଭଳି ଧ୍ବ˚ସଲୀଳା ସ˚ଘଟିତ ହୋଇ ୪୬,୦୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟାଇବା ବିଷୟଟି ସ˚ପୂର୍ଣ୍ଣ ‘ଈଶ୍ବରକୃତ’ ବୋଲି ଅଗତ୍ୟା ବରଦାସ୍ତଯୋଗ୍ୟ ହୋଇ ନ ପାରି କେତେକ ସରକାରୀ ନିୟମ ପ୍ରତି ଦୃଷ୍ଟି ଆକର୍ଷଣ କରିଥାଏ, ଯାହା ପ୍ରକାରାନ୍ତରେ ସଘନ ଦୁର୍ନୀତିକୁ ଜନ୍ମ ଦେଇ ଏଭଳି ସ୍ଥିତିର କାରଣ ହୋଇଛି।
ପ୍ରକାଶ ଥାଉ କି ଦକ୍ଷିଣପନ୍ଥୀ ରାଜନୈତିକ ଦଳ ‘ଜଷ୍ଟିସ ଏଣ୍ତ ଡେଭଲପମେଣ୍ଟ ପାର୍ଟି’ର ନେତା ରିସେପ ତାୟିପ ଏର୍ଡୋଗାନ ୨୦୦୨ ମସିହାରେ ତୁର୍କୀର ଶାସନ କ୍ଷମତାରେ ଅଧୀରୂଢ଼ ହେବା ପରେ ଭିତ୍ତିଭୂମି ଓ ‘ରିଏଲ୍ ଇଷ୍ଟେଟ୍’ ନିର୍ମାଣ କାର୍ଯ୍ୟକଳାପ ଅତ୍ୟନ୍ତ ଦ୍ରୁତ ହୋଇଥିଲା। ତେବେ, ‘ଆନାଟୋଲିଆନ୍ ତ୍ରୁଟି ରେଖା’ ଉପରେ ଅବସ୍ଥିତ ତୁର୍କୀ ଅତ୍ୟନ୍ତ ଭୂ-କ˚ପ ପ୍ରବଣ ହୋଇଥିବାରୁ ଏହି କ୍ରମରେ ୨୦୦୭ ମସିହରେ ଥରେ ୨୦୧୮ ମସିହାରେ ଦ୍ବିତୀୟ ଥର ସକାଶେ ଗୃହ ନିର୍ମାଣ ସ˚ଦର୍ଭରେ ନୂତନ ନିୟମମାନର ପ୍ରବର୍ତ୍ତନ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ଗୃହଗୁଡ଼ିକୁ ଅଧିକ ଦୃଢ଼ତା ପ୍ରଦାନ କରିବା। କିନ୍ତୁ ଏଭଳି ଉତ୍ତମ ନିଷ୍ପତ୍ତିମାନ ପରେ ଆଉ ଯେଉଁ ଏକ ନିଷ୍ପତ୍ତି ଅସଙ୍ଗତି ସୃଷ୍ଟି କରିଥିଲା, ତାହା ହେଉଛି ଏକ ‘କ୍ଷମା ପ୍ରଦାନ’ ଯୋଜନା, ଯାହା ମାଧୢମରେ ନିୟମାନୁସାରେ ନିର୍ମିତ ହୋଇ ନ ଥିବା ଅଟ୍ଟାଳିକାଗୁଡ଼ିକ ଏକ ଜରିମାନା ବଦଳରେ ବୈଧତା ଲାଭ କଲେ। ପ୍ରକାଶ ଥାଉ କି ୨୦୧୮ ମସିହା ପରବର୍ତ୍ତୀ ଏହି ‘କ୍ଷମା ପ୍ରଦାନ’ ଯୋଜନାରେ ପ୍ରାୟ ୧୦ ନିୟୁତ ଆବେଦନକାରୀ ସେମାନଙ୍କ ଜରିମାନା ଅର୍ଥରେ ତୁର୍କୀ ସରକାରଙ୍କ ରାଜକୋଷକୁ ୩ ବିଲିଅନ ଲିରା ଦ୍ବାରା ସ୍ଫୀତ କରିଥିଲେ ଏବ˚ ସେହି କ୍ରମରେ ଅତ୍ୟନ୍ତ ଭୂକ˚ପ ସମ୍ବେଦନଶୀଳ ଅଞ୍ଚଳର ଅସୁରକ୍ଷିତ ନିର୍ମାଣଗୁଡ଼ିକ ବୈଧ ହୋଇ ଚାଲିଥିଲେ। କେବଳ ସେତିକି ନୁହେଁ, ଏହାର ସୁଯୋଗ ନେଇ ‘ରିଏଲ୍ ଇଷ୍ଟେଟ୍’ ଉଦ୍ୟୋଗୀମାନେ ବ୍ୟବସ୍ଥାଟିକୁ ସ˚ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ କରି ପକାଇଥିଲେ।
ତେଣୁ ଏଥିରେ ବିଶେଷ ବିସ୍ମିତ ହେବାର କାରଣ ନାହିଁ ଯେ ଗୃହଗୁଡ଼ିକୁ ଆହୁରି ଅଧିକ ଦୃଢ଼ତା ପ୍ରଦାନ କରିବା ଲାଗି ନୂତନ ନିୟମ ସମ୍ବଳିତ ଆଉ ଏକ ଆଇନ ଏବେ ପାରିତ ହେବା ଲାଗି ତୁର୍କୀ ସ˚ସଦରେ ଅପେକ୍ଷା କରି ରହିଥିବା ବେଳେ ଦୈବାତ୍ ଏହି ଭୂମିକ˚ପ ଘଟିଯାଇ ଅଧିକ ଦୁର୍ନୀତି ବା ସରକାରଙ୍କ ଲାଗି ଅଧିକ ଆୟର ପଥକୁ ଅବରୋଧ କରି ପକାଇଛି। କହିବା ଅନାବଶ୍ୟକ ଯେ ସହର ଓ ମହାନଗରଗୁଡ଼ିକରେ ଅତ୍ୟନ୍ତ ଜନପ୍ରିୟ ହୋଇ ପଡ଼ିଥିବା ବହୁତଳ ବିଶିଷ୍ଟ ଇମାରତ ନିର୍ମାଣର ସ˚ସ୍କୃତି ହେତୁ ପ୍ରତି ବର୍ଗ ମିଟରରେ ବାସ କରୁଥିବା ସହରୀ ଜନସ˚ଖ୍ୟାରେ ବିପୁଳ ବୃଦ୍ଧି ଘଟିଛି, ଯାହାର ପରିଣାମ ହେଲା ଭୂମିକ˚ପ ଭଳି ଦୁର୍ବିପାକରେ ଅକଳ୍ପନୀୟ ଜୀବନ ହାନି; ଯେମିତି ଘଟିଛି ତୁର୍କୀରେ।
ଭୂମିକ˚ପ ସ˚ଦର୍ଭରେ ଯେ କୌଣସି ଆଲୋଚନା ବେଳେ ବର୍ଷ ସାରା ଛୋଟ, ମଧୢମ ଏବ˚ ବୃହତ୍ ଆକାରର ଭୂ-କ˚ପନ ଦ୍ବାରା ଘନ ଘନ ଥରି ଉଠୁଥିବା ଜାପାନର ଦୃଷ୍ଟାନ୍ତ ଉଠିଥାଏ, ଯେଉଁଠାରେ ଟୋକିଓ ବା ଓସାକା ବା ୟକୋହାମା ଭଳି ମହାନଗରୀମାନ ନିଜ ନିଜ ବକ୍ଷରେ ଧାରଣ କରିଥିବା ନଭଶ୍ଚୁମ୍ବୀ ଇମାରତଗୁଡ଼ିକର ଘଞ୍ଚ ଜଙ୍ଗଲ ସତ୍ତ୍ବେ ବାସିନ୍ଦାମାନଙ୍କୁ ଏକ ସୁରକ୍ଷିତ ଜୀବନର ଗ୍ୟାରେଣ୍ଟି ପ୍ରଦାନ କରିଥାଆନ୍ତି; କାରଣ ସେହି ଇମାରତଗୁଡ଼ିକ ୯.୧ ରିକ୍ଟର ସ୍କେଲର ତୀବ୍ର ଦୋଳନରେ ମଧୢ ତାସ ଘର ଭଳି ଭାଙ୍ଗିରୁଜି ପଡ଼ନ୍ତି ନାହିଁ। ପ୍ରକାଶ ଥାଉ କି ୧୯୨୩ ମସିହାରେ ସ˚ଘଟିତ ୭.୯ ରିକ୍ଟର ସ୍କେଲର ‘ଦ ଗ୍ରେଟ୍ କାଣ୍ଟୋ’ ଭୂମିକ˚ପରେ ଟୋକିଓ ଓ ୟକୋହାମା ସହର ଚୂର୍ଣ୍ଣୀଭୂତ ହୋଇ ଯାଇଥିଲେ (ପ୍ରାୟ ୧ ଲକ୍ଷ ୬୯ ହଜାର ଜୀବନ ହାନି ଘଟିଥିଲା), ଯାହା ପରେ ଏହି ବିଭୀଷିକାକୁ ଏକ ‘ମାନକ’ ରୂପେ ଗ୍ରହଣ କରି ସେଠାରେ ଅଟ୍ଟାଳିକା ନିର୍ମାଣ କ୍ଷେତ୍ରରେ ଯେଉଁ ଗବେଷଣା ଓ ପ୍ରାବିଧିକ ଉନ୍ନତିମାନ ଘଟାଯିବାରେ ଲାଗିଲା, ତାହାର ଫଳଶ୍ରୁତି ସ୍ବରୂପ ପୃଥିବୀର ସର୍ବାଧିକ ଉଚ୍ଚ ଇମାରତଗୁଡ଼ିକ ମଧୢରୁ ଅନେକ ଜାପାନରେ ହିଁ ଅବସ୍ଥିତ; ଦ୍ବିତୀୟ ବୃହତ୍ତମ ‘ଦି ସ୍କାଏ ଟ୍ରି’ ଭଳି। ପ୍ରକାଶ ଥାଉ କି ୨୦୧୧ ମସିହାରେ ଜାପାନ ସମ୍ମୁଖୀନ ହୋଇଥିବା ‘ଟୋହୁକୁ ଭୂମିକ˚ପ’ର ୯.୧ ରିକ୍ଟର ତୀବ୍ରତା ସତ୍ତ୍ବେ ମୃତ୍ୟୁ ସ˚ଖ୍ୟା ଥିଲା ମାତ୍ର ୧୯ ହଜାର ୭୫୯।
ଉଲ୍ଲେଖନୀୟ ଯେ ୧୯୯୯ ମସିହାରେ ତୁର୍କୀର ଉତ୍ତର-ପଶ୍ଚିମାଞ୍ଚଳ ଏକ ଭୟାବହ ଭୂମିକ˚ପର ସମ୍ମୁଖୀନ ହେବା ପରେ ଉଦ୍ଧାର କାର୍ଯ୍ୟରେ ଅବହେଳା ତଥା ଅନ୍ୟାନ୍ୟ ଦୁର୍ନୀତିକୁ କେନ୍ଦ୍ର କରି ତତ୍କାଳୀନ ସରକାର ବିରୋଧରେ ସୃଷ୍ଟ ଜନ ଅସନ୍ତୋଷର ଉଚ୍ଚ ତରଙ୍ଗରେ ଚଢ଼ି ଏର୍ଡୋଗାନ ଦୁର୍ନୀତି ନିରାକରଣର ବଜ୍ର ଶପଥ ସହିତ କ୍ଷମତାକୁ ଆସିଥିଲେ, ଯେଉଁ କ୍ଷମତା କେନ୍ଦ୍ରରେ ସେ ଅଦ୍ୟାପି ବିଦ୍ୟମାନ। କିନ୍ତୁ ବିଡ଼ମ୍ବନା ହେଲା ଏହି ଶାସନ କାଳ ମଧୢରେ ତୁର୍କୀ ପୂର୍ବାପେକ୍ଷା ଅଧିକ ଦୁର୍ନୀତିଗ୍ରସ୍ତ ହୋଇଛି, ଯାହାର ପ୍ରମାଣ ‘ଟ୍ରାନସପରେନ୍ସି ଇଣ୍ଟରନେସନାଲ’ର ତାଲିକାରେ ୨୦୧୨ରେ ୫୪ତମ ସ୍ଥାନରୁ ୨୦୨୨ରେ ୧୦୧ତମ ସ୍ଥାନକୁ ତୁର୍କୀର ସ୍ଖଳନ। ପ୍ରକାଶ ଥାଉ କି ଏକ ‘ଏସୀୟ-ୟୁରୋପୀୟ’ ରାଷ୍ଟ୍ର ତଥା ‘ନାଟୋ’ର ସଦସ୍ୟ ତୁର୍କୀ ହେଉଛି ଏକ ଧନୀ ରାଷ୍ଟ୍ର, ଯାହାର ମୁଣ୍ତ ପିଛା ଆୟ ପ୍ରାୟ ୧୧ ହଜାର ଆମେରିକୀୟ ଡଲାର। କେବଳ ସେତିକି ନୁହେଁ ବିଭିନ୍ନ ମାନବ ବିକାଶ ସୂଚକାଙ୍କରେ ତୁର୍କୀର ସ୍ଥାନ ବେଶ୍ ସମ୍ମାନଜନକ।
ସେହି ଦୃଷ୍ଟିରୁ ଏହି ଭୂମିକ˚ପ ଓ ତତ୍ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ତୁର୍କୀ ଯେଉଁଭଳି ଦୟନୀୟ ଦୁର୍ଦଶା ମଧୢ ଦେଇ ଗତି କରୁଛି, ତାହା ବିସ୍ମୟ ସୃଷ୍ଟି କରିଥାଏ। ଏବର ବାସ୍ତବତା ହେଲା ଏର୍ଡୋଗାନଙ୍କ ଚରମ ଦକ୍ଷିଣପନ୍ଥୀ ଓ ଦୁର୍ନୀତିପୂର୍ଣ୍ଣ ଶାସନ କାରଣରୁ ସେଠାରେ ମୁଦ୍ରାସ୍ଫୀତି ଅତ୍ୟନ୍ତ ତୀବ୍ର ହୋଇଛି, ଯାହା ଏବେ ପହଞ୍ଚିଛି ୫୭.୫ ପ୍ରତିଶତରେ, କ୍ରମାଗତ ଭାବେ ସ୍ଖଳନ ଘଟି ଚାଲିଥିବା ତୁର୍କୀର ମୁଦ୍ରା ‘ଲିରା’ର ବିନିମୟ ମୂଲ୍ୟ ତୁର୍କୀ ଇତିହାସରେ ସର୍ବାଧିକ ଦୁର୍ବଳ ପ୍ରାୟ ୧୮ ଡଲାର, ଯାହା ପାଞ୍ଚ ବର୍ଷ ପୂର୍ବେ ଥିଲା ମାତ୍ର ସାଢ଼େ ତିନି ଡଲାର। ଏବ˚ ସେଠାରେ ସରକାରୀ ଅନୁଷ୍ଠାନଗୁଡ଼ିକୁ ଅସ୍ଥିସାରଶୂନ୍ୟ କରି ଦିଆଯାଇଥିବାର ନିଦର୍ଶନ ଦେଖିବାକୁ ମିଳିଛି ଭୂମିକ˚ପ କ୍ଷେତ୍ରରେ କାର୍ଯ୍ୟରତ ତୁର୍କୀର ଆପତ୍କାଳୀନ ବିପର୍ଯ୍ୟୟ ପ୍ରଶମନ ସେବା ସ˚ସ୍ଥା ‘ଆଫାଡ୍’ର ଅପାରଗତାରେ; ଅବିଶ୍ବସନୀୟ ଭାବେ ଯାହାର ମୁଖ୍ୟ ଜଣେ ବିଷୟ ବିଶାରଦ ନୁହନ୍ତି, ବର˚ ‘ଥିଓଲୋଜି’ ବା ଧର୍ମଶାସ୍ତ୍ରର ସ୍ନାତକ, ଯିଏ ଏର୍ଡୋଗାନଙ୍କ ଜଣେ ସ୍ତାବକ।
କହିବା ବାହୁଲ୍ୟ ଯେ ପୃଥିବୀର ସର୍ବତ୍ର ଦ୍ରୁତ ସହରୀକରଣ ଏବ˚ ଭିତ୍ତିଭୂମି କ୍ଷେତ୍ରରେ ସଘନ ବିକାଶ ଘଟି ଚାଲିଥିବା ବେଳେ ‘ଭୂମିକ˚ପ’ର ପ୍ରବଣତା ଓ ଆଶଙ୍କା ନୂୂତନ ଚିନ୍ତନ ଓ ବୈଷୟିକ ଜ୍ଞାନର ପ୍ରୟୋଗ ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରିଥାଏ। ଏହି ଦୃଷ୍ଟିରୁ ଜାପାନ ମଧୢ ଏକ ଭବ୍ୟ ଦୃଷ୍ଟାନ୍ତ ଭାବେ ଦଣ୍ତାୟମାନ। ଏବ˚ ଏକ ବାସ୍ତବତା ହେଲା ଏଭଳି ବୈଷୟିକ ଜ୍ଞାନ ସ˚ପ୍ରତି ସର୍ବତ୍ର ଉପଲବ୍ଧ ଏବ˚ ଜାପାନୀମାନେ ତାହାକୁ ଏକଚାଟିଆ କରି ରଖି ନାହାନ୍ତି। କିନ୍ତୁ, ଏହା ସତ୍ତ୍ବେ ପୃଥିବୀର ସହରଗୁଡ଼ିକ ଅକଳ୍ପନୀୟ ମାନବ ଶ୍ମଶାନରେ ପରିଣତ ହେବାର ଯଥେଷ୍ଟ ଆଶଙ୍କା ରହିଛି; କାରଣ କେବଳ ବୈଷୟିକ ଜ୍ଞାନ ଯେ ଜାପାନୀ ସହରଗୁଡ଼ିକୁ ଭୂମିକ˚ପ ବିଜୟୀରେ ପରିଣତ କରିଛି ତାହା ନୁହେଁ; ଏଥିରେ ସର୍ବାଧିକ ଅବଦାନ ରହିଛି ଚରିତ୍ରଗତ ଜାପାନୀ ସାଧୁତରେ, ଯାହା ଦୁର୍ନୀତି ପ୍ରତି ପ୍ରାୟତଃ ଶୂନ୍ୟ ସହନଶୀଳ। କିନ୍ତୁ, ବିଡ଼ମ୍ବନା ହେଲା ଏଭଳି ସାଧୁତା ଜାପାନୀମାନଙ୍କ ଏକଚାଟିଆ!