ଗତ କେତେଦିନ ହେଲା ଯେପରି ଭାବେ ଦେଶର ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ଓ ଆଇନ ମନ୍ତ୍ରୀ କିରେନ ରିଜିଜୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟର କଲେଜିୟମ ପ୍ରଥା ଉପରେ ଆକ୍ରମଣାତ୍ମକ ବିବୃତି ମାନ ଦେଉଛନ୍ତି, ତାହା ଆଗରୁ କେବେ ଦେଖାଯାଇନଥିଲା ଓ ଏହା ଯେ କ୍ଷମତାସୀନ ଦଳର ଏକ ସୁପରିକଳ୍ପିତ ଯୋଜନା, ଏହା ସ୍ପଷ୍ଟ ଜଣା ପଡ଼ିଯାଉଛି। ବିଚାରପତିମାନଙ୍କ ନିଯୁକ୍ତି ଉପରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ଆଇନ ସୁପ୍ରିମ୍ କୋର୍ଟ ଦ୍ବାରା ଅଗ୍ରାହ୍ୟ ହେବା ପରେ ଏହା ଏକ ସଙ୍ଗୀନ ଅବସ୍ଥାରେ ପହଞ୍ଚିଛି। ଖୋଦ ଉପରାଷ୍ଟ୍ରପତି ନିଜ ଆଡୁ ଅାକ୍ରମଣ ଆରମ୍ଭ କରି କହିଲେ, ଦେଶର ସଂସଦ ସର୍ବୋଚ୍ଚ ସଂସ୍ଥା। ସୁତରାଂ ତାକୁ ପ୍ରଶ୍ନ କରିବ କିଏ। ମନ୍ତ୍ରୀ ମଧ୍ୟ ତାଳରେ ତାଳ ମିଶାଇ ବିଚାରପତି ନିଯୁକ୍ତିରେ କଲେଜିୟମରେ ସରକାରଙ୍କ ଉପସ୍ଥିତି ଓ ମତ ସପକ୍ଷରେ ଦାବି କରିଛନ୍ତି। ଏହା ଦେଖି ଚିନ୍ତାଶୀଳ ବ୍ୟକ୍ତିମାନେ ଜାଣି ପାରିଲେଣି ଯେ ଦେଶର ବିଭିନ୍ନ ଅନୁଷ୍ଠାନ ଯେପରି ଗୈରୀକରଣ ପଥର ପଥିକ ହେବାରେ ଲାଗିଛନ୍ତି ସୁପ୍ରିମ୍ କୋର୍ଟର ଅବସ୍ଥା ମଧ୍ୟ ସେପରି ହୋଇପାରେ।
ଭାରତକୁ ବିଶ୍ବଗୁରୁ ରୂପେ ଚିତ୍ରଣ କରି ଏହା ଯେ ଗଣତନ୍ତ୍ର ଓ େଲାକତନ୍ତ୍ରର ଜନନୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ବାରମ୍ବାର କହି ଚାଲିଛନ୍ତି। ତାହାହେଲେ ତାଙ୍କ ଉପରାଷ୍ଟ୍ରପତି ଓ ଆଇନ ମନ୍ତ୍ରୀ କିପରି କହୁଛନ୍ତି ସଂସଦ ସର୍ବୋଚ୍ଚ ଅନୁଷ୍ଠାନ ଯାହାକୁ େକହି ପ୍ରଶ୍ନ କରିପାରିବେ ନାହିଁ? ଗଣତନ୍ତ୍ରର ବିଭିନ୍ନ ଅଙ୍ଗ ସଂସଦ, ପ୍ରଶାସନ ଓ ନ୍ୟାୟାଳୟ ତ ଆପେ ଆପେ ଉଭା ହୋଇନାହିଁ। ସେମାନଙ୍କ ଜନନୀ ବା ଜନକ ହେଉଛି ଦେଶର ସଂବିଧାନ ଯାହା ଆମ ଗଣତନ୍ତ୍ରର ମୂଳ ଉତ୍ସ। ଏଥିରେ ସନ୍ଦେହ ନାହିଁ ଯେ ଆଇନ ପ୍ରଣୟନ ପାଇଁ ସଂସଦ ସର୍ବୋଚ୍ଚ ସଂସ୍ଥା। କିନ୍ତୁ ଆଇନ କ’ଣ? ଏହା କ୍ଷମତାସୀନ ଦଳର ପ୍ରତିଶ୍ରୁତି, ଯୋଜନା ଓ ଲକ୍ଷ୍ୟର ପ୍ରତିଫଳନ। ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପରେ ଆମ ସର୍ବୋଚ୍ଚ ନେତା ଯେତେବେଳେ କହୁଛନ୍ତି, ଭାରତ ବର୍ତ୍ତମାନ ଅମୃତକାଳରେ ପହଞ୍ଚି ସାରିଲାଣି, ସେତେବେଳେ ଆଇନ ପ୍ରଣୟନ ଏକ ପ୍ରହସନରେ ପରିଣତ ହେଲାଣି। ନଗ୍ନ ସଂଖ୍ୟାଗରିଷ୍ଠତା ଆଇନ ପ୍ରଣୟନ ପାଇଁ ଥିବା ସାଂବିଧାନିକ ବ୍ୟବସ୍ଥାକୁ କୁଠାରାଘାତ କରୁଛି।
ବିନା ଲୋକମତ ଗ୍ରହଣ, ବିନା ବିତର୍କ, ବିନା ସିଲେକ୍ଟ କମିଟିର ପରାମର୍ଶ, ଏପରିକି ବିନା ଭୋଟ୍ରେ ଆଇନ ପାରିତ ହେଉଛି। କିଛି ଗୁରୁତ୍ବପୂର୍ଣ୍ଣ ଉଦାହରଣ ହେଲା ୨୦୨୦ରେ ପାରିତ କୃଷକ ଆଇନ। ରାଜ୍ୟସଭାର ଅଧ୍ୟକ୍ଷ ନା ତର୍କ ପାଇଁ ସମୟ ଦେଲେ ନା ଭୋଟ ପାଇଁ ରାଜି ହେଲେ, ମାଇକ୍ରୋଫୋନ ବନ୍ଦ କରି ଦିଆଗଲା ଓ ଭଏସ୍ ଭୋଟରେ ବିଲ୍ ପାସ୍ ହୋଇଗଲା। ଏହା ଅନ୍ୟ କଥା, ବିଷୟ ସୁପ୍ରିମ୍ କୋର୍ଟ ଗଲା ଓ ଆଇନ ବର୍ତ୍ତମାନ ଶୀତଳ ଭଣ୍ଡାରରେ ଅଛି। େସପରି ସଂବିଧାନର ୩୭୦ ଧାରା ଉଚ୍ଛେଦ ଯେପରି କ୍ଷିପ୍ର ଗତିରେ କରାଗଲା, ତାହା ଥିଲା ଅଭୂତପୂର୍ବ। ୩୭୦ ଧାରାର କିଛି ଉପଧାରା ଆଗରୁ ସରକାର ଉଚ୍ଛେଦ କରିଛନ୍ତି। କାଶ୍ମୀରର ଜନ ପ୍ରତିନିଧି ସରକାରଙ୍କ ଅନୁରୋଧକ୍ରମେ ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରିଛନ୍ତି। ଏ କ୍ଷେତ୍ରରେ ରାଜ୍ୟକୁ ତ୍ରିଖଣ୍ଡିତ କରି, ଜନ ପ୍ରତିନିଧି ସରକାରଙ୍କୁ ବରଖାସ୍ତ କରି, ରାଜ୍ୟପାଳଙ୍କ ସୁପାରିସ କ୍ରମେ ୩୭୦ ଧାରା ଉଚ୍ଛେଦ ହେଲା। ଗଣତନ୍ତ୍ରରେ କ୍ଷମତାସୀନ ଦଳର ନୈତିକ କର୍ତ୍ତବ୍ୟ ହେଲା ବିରୋଧୀ ଦଳକୁ ସମ୍ମାନ ଦେବା ଓ ସଂବିଧାନର ପନ୍ଥା ଅନୁସରଣ କରିବା। ଏହା ବର୍ତ୍ତମାନ ଶୂନ୍ୟ କ୍ଷେତ୍ରରେ ପହଞ୍ଚିଲାଣି। ସ୍ବାଧୀନତା ପ୍ରାପ୍ତି ପରେ ୧୭ ବର୍ଷ ଯାଏ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ। କଠୋର ସମାଲୋଚକ ରାମ ମନୋହର ଲୋହିଆଙ୍କ ପ୍ରତି ସେ ତିଳେ ମାତ୍ର ତିକ୍ତ ଭାବ ପ୍ରକାଶ କରୁନଥିଲେ। ଯୁବ ସମାଲୋଚକ ଅଟଳବିହାରୀ ବାଜପେୟୀଙ୍କ ପାଇଁ ନେହରୁ ଥିଲେ ଆଦର୍ଶ। ଏପରିକି କ୍ଷମତା ଲୋଭୀ କୁହାଯାଉଥିବା ଇନ୍ଦିରା ଗାନ୍ଧୀଙ୍କ ସମୟରେ ସଂସଦର ପରିଚାଳନା ସନ୍ତୋଷଜନକ ଥିଲା।
ସେ ପରିପ୍ରେକ୍ଷୀରେ ବର୍ତ୍ତମାନ କ୍ଷମତାସୀନ ଦଳର ଉପରାଷ୍ଟ୍ରପତି ଓ ଆଇନ ମନ୍ତ୍ରୀଙ୍କ ମାଧ୍ୟମରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ଯେପରି ଆକ୍ରମଣ କରାଯାଉଛି ତାହା ଗଣତନ୍ତ୍ର ପ୍ରତି ଏକ ନିଷ୍ଠୁର ଓ ସୁପରିକଳ୍ପିତ କୁଠାରାଘାତ। ଏହାର ଲକ୍ଷ୍ୟ ସ୍ପଷ୍ଟ, ଇନ୍ଦିରା ଗାନ୍ଧୀ ଯେପରି ଲିମିଟେଡ ବା ସଂକୁଚିତ ପ୍ରଶାସନ ଓ ଜୁଡିସିଆରି ଚାହୁଁଥିଲେ, ବର୍ତ୍ତମାନ କ୍ଷମତାସୀନ ଦଳ ତାହା ହିଁ ଚାହୁଁଛନ୍ତି। ଏହାର ପ୍ରଧାନ ବାଧକ ସାଜିଛି ସୁପ୍ରିମ୍ କୋର୍ଟ ପ୍ରଚଳନ କରିଥିବା କଲେଜିୟମ ପ୍ରଥା ଯାହା ଆଇନଗତ ଯୋଗ୍ୟତା ପାଇଲାଣି ଓ ଯାହାକୁ କ୍ଷମତାସୀନ ଦଳ ଉଚ୍ଛେଦ କରିବାର କଷ୍ଟକର ବ୍ୟାପାର ହେବ। କଲେଜିୟମ ବ୍ୟବସ୍ଥା ଜାରି ହେବା ଆଗରୁ ସୁପ୍ରିମ୍ କୋର୍ଟଙ୍କ ପରାମର୍ଶ କ୍ରମେ ସରକାର ବିଚାରପତିମାନଙ୍କ ନିଯୁକ୍ତି ପ୍ରସ୍ତାବ ରାଷ୍ଟ୍ରପତିଙ୍କ ପାଖକୁ ପଠାଉଥିଲେ। ରାଜ୍ୟ ନ୍ୟାୟାଳୟ ମାନଙ୍କରେ ନିଯୁକ୍ତି ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କ ପରାମର୍ଶ ନିଆଯାଉଥିଲା। ଏ ବ୍ୟବସ୍ଥାରେ ଆଶାୟୀମାନଙ୍କ ଲବି କରିବା ସୁଯୋଗ ବହୁତ ଥିଲା। ଏ ଶତାବ୍ଦୀର ଆରମ୍ଭରେ ମୁଁ ଯେତେବେଳେ ଜାତୀୟ ମାନବିକ ଅଧିକାର କମିସନଙ୍କ ସ୍ବତନ୍ତ୍ର ପ୍ରତିନିଧି ଥିଲି, ଅଧ୍ୟକ୍ଷ ସ୍ବନାମଧନ୍ୟ ଜଷ୍ଟିସ ଜେ. ଏସ୍. ବର୍ମା ଯେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଥିଲେ ଓ ଜଣେ ଅତି ଅମାୟିକ ବ୍ୟକ୍ତି ଥିଲେ ସେ ଅନୌପଚାରିକ ଆଲୋଚନା ବେଳେ ଏ ଲବି ବିଷୟେର ଧାରଣା ଦେଉଥିଲେ। ସେତେବେଳେ ଏକ ଚିନ୍ତାଜନକ ପରିସ୍ଥିତି ନ ଥିଲା! ୟୁପିଏ ଶାସନ କାଳରେ ବା ବାଜପେୟୀଙ୍କ ସମୟରେ ଧର୍ମୀୟ ବିଚାରଧାରା ଆଦୌ ନ ଥିଲା। ତଥାପି ଉପର ବର୍ଣ୍ଣିତ କାରଣମାନଙ୍କରୁ ଏକ ବ୍ୟବସ୍ଥାର ଆବଶ୍ୟକ ପଡ଼ିଲା ଯାହା ବିଭିନ୍ନ ପ୍ରଭାବରୁ ମୁକ୍ତ ରହିବ।
ଏ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅଶି ଦଶକର ସୁପ୍ରିମ୍ କୋର୍ଟରେ ବିଭିନ୍ନ ପିଟିସନ୍ମାନ ଶୁଣାଣି ହେଲା ଓ କଲେଜିୟମ ଗଠନ ଦିଗରେ ପଦକ୍ଷେପ ନିଆଗଲା। ୧୯୯୩ ବେଳକୁ ଏହା କାର୍ଯ୍ୟକାରୀ ହେଲା ପରେ ମଧ୍ୟ ଏହାର ଦୋଷ ଦୁର୍ବଳତା ଉପରେ ଆଲୋଚନା ଜାରି ରହିଲା। ମୁଖ୍ୟ ପ୍ରସଙ୍ଗ ହେଲା ସୁପ୍ରିମ୍ କୋର୍ଟର ବିଚାରପତିମାନଙ୍କ ଏକ କମିଟି ଦ୍ବାରା ବିଚାରପତି ଚୟନ ପ୍ରଥାରେ ସ୍ବଚ୍ଛତା ରହିବ ନାହିଁ। ଏପରି ଆଲୋଚନା ମାଧ୍ୟମରେ କଲେଜିୟମ ଏକ ନିଶ୍ଚିତ ରୂପ ନେଲା। ପ୍ରଧାନ ବିଚାରପତି ଓ ୪ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ କଲେଜିୟମ ଗଠିତ ହେଲା ଓ ତାଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କଲେ। ୨୦୧୪ରେ ଏନ୍.ଡି.ଏ ଶାସନକୁ ଆସିଲା ପରେ ଅସ୍ବଚ୍ଛତା ଆଳରେ ସଂସଦରେ ଏକ ବିଲ୍ ଆସିଲା। ଏଥିରେ କଲେଜିୟମ ବଦଳରେ ଏକ କମିଟି ଗଠନର ପ୍ରସ୍ତାବ ରହିଲା ଯେଉଁଥିରେ ମୁଖ୍ୟ ବିଚାରପତି ଓ ବିଚାରପତିଙ୍କ ଛଡ଼ା ଆଇନ ମନ୍ତ୍ରୀ ଓ ଦୁଇଜଣ ଖ୍ୟାତନାମା ବ୍ୟକ୍ତି ସଭ୍ୟ ରହିବେ। ଏ ବିଲ୍ ସଂସଦରେ ପାସ ହୋଇଗଲା ଏନ୍.ଡି.ଏ.ର ସଂଖ୍ୟାଗରିଷ୍ଠତା ବଳରେ।
୨୦୧୪ରେ ଏନ୍.ଡି.ଏ. କ୍ଷମତାକୁ ଆସିଲା ପରେ ଦେଶର ରାଜନୀତିକ ବାତାବରଣ ବହୁତ ବଦଳି ଯାଇଛି। ଏହାର ମୁଖ୍ୟ ଆଧାର ମାନଦଣ୍ଡ ଓ ଆଦର୍ଶ ହେଲା ହିନ୍ଦୁତ୍ବ ଯାହା ବର୍ତ୍ତମାନ ଦେଶରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଆମ ସଂବିଧାନର ମୁଖବନ୍ଧ ଠାରୁ ଆରମ୍ଭ କରି ନାଗରିକମାନଙ୍କ ମୌଳିକ ଅଧିକାର ଏକ ବିପନ୍ନ ଅବସ୍ଥାରେ ଥିଲା ଭଳି ପ୍ରତୀୟମାନ ହେଉଛି। ଏ ସଂବିଧାନକୁ ରକ୍ଷା କିଏ କରିବ? ସଂସଦ ତ କଦାପି ନୁହେଁ। କେବଳ ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ସଂସଦରେ ପାରିତ ଆଇନ ସୁପ୍ରିମ୍ କୋର୍ଟକୁ ଗଲା ଓ ମାନ୍ୟବର କୋର୍ଟ ଏହାକୁ ଅବୈଧ ଘୋଷଣା କଲେ। ଯଦି ସୁପ୍ରିମ୍ କୋର୍ଟର ଏ ରାୟ ଅଗ୍ରହଣୀୟ ଥିଲା, ତାହା ହେଲେ ଅବିଳମ୍ବେ ସରକାର ଏକ ରିଭିୟୁ ପିଟିସନ ଦାୟର କରି ପାରିଥାନ୍ତେ। କିନ୍ତୁ ସରକାର ଚୁପ୍ ରହିଲେ ଓ ୬ ବର୍ଷ ପରେ ଦେଶର ଉପରାଷ୍ଟ୍ରପତି ଓ ଆଇନ ମନ୍ତ୍ରୀ କଲେଜିୟମ ପ୍ରଥା ଉପରେ ଲଗାତାର ଆକ୍ରମଣ କରିବାରେ ବ୍ୟସ୍ତ।
ଶାସକ ଦଳ ଓ କଲେଜିୟମ ବିେରାଧୀଙ୍କ ବିଚାରରେ ସୁପ୍ରିମ୍ କୋର୍ଟର ୫ ଜଣ ବିଚାରପତି କିପରି ଗୁପ୍ତ ବୈଠକ କରି ରାଜ୍ୟ ଓ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ନିଯୁକ୍ତ କରିପାରିବେ?
ଏ ଯୁକ୍ତିରେ କିଛି ଯଥାର୍ଥତା ଥିଲେ ମଧ୍ୟ ମୁକ୍ତ କଣ୍ଠରେ କୁହାଯାଇପାରିବ ଦେଶର କୌଣସି ପ୍ରଥା ବା ବ୍ୟବସ୍ଥା ଶତ ପ୍ରତିଶତ ତ୍ରୁଟିଶୂନ୍ୟ ନୁହେଁ। ଶାସକ ଦଳର ସର୍ବୋଚ୍ଚ ନେତା ଯେତେବେଳେ ଦେଶର ପ୍ରସିଦ୍ଧ ଅନୁଷ୍ଠାନମାନଙ୍କରେ ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଥିବା ବ୍ୟକ୍ତିମାନଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି, ତାଙ୍କ ବିଚାର କ’ଣ ଦେଶର ସର୍ବୋଚ୍ଚ ୫ ଜଣ ବିଚାରପତିଙ୍କ ବିଚାରରୁ ଉଚ୍ଚରେ? ଦେଶର ଖ୍ୟାତନାମା ଶିକ୍ଷା, ଗବେଷଣା ଓ ବୈଷୟିକ ଅନୁଷ୍ଠାନ, ନିର୍ବାଚନ କମିସନ, ଜାତୀୟ ମାନବିକ ଅଧିକାର କମିସନ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନଙ୍କରେ ନିଯୁକ୍ତିର ମୁଖ୍ୟ ମାନଦଣ୍ଡ ହେଲା, ସରକାରଙ୍କ ରାଜନୈତିକ ଏଜେଣ୍ଡା ପାଇଁ ଆନୁଗତ୍ୟ ବା କମିଟମେଣ୍ଟ। ଏପରି ନୁହେଁ ଯେ କଂଗ୍ରେସ କ୍ଷମତାରେ ଥିଲାବେଳେ ତାଙ୍କ ସମର୍ଥକମାନେ ନିଯୁକ୍ତି ପାଉ ନ ଥିଲେ। କିନ୍ତୁ ସେତେବେଳେ ଧର୍ମୀୟ ଦୃଷ୍ଟିକୋଣର ସ୍ଥାନ ନ ଥିଲା। ଯେତେବେଳେ ସରକାରଙ୍କ ଆଚରଣ ଓ ଉଚ୍ଚାରଣରେ ସ୍ବଚ୍ଛତା ନାହିଁ, ସେ କିପରି କଲେଜିୟମର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇ ପାରିବେ? କଲେଜିୟମର ଏକମାତ୍ର ଦୃଷ୍ଟିକୋଣ ହେଲା, ଦେଶର ବିଚାରପତିମାନଙ୍କ ନିଯୁକ୍ତିରେ କୌଣସି ବାହ୍ୟ ପ୍ରଭାବ ନ ପଡୁ। ଏହା କହିବା ବାହୁଲ୍ୟ ଯେ କଲେଜିୟମ ପ୍ରଥା ସେ ଲକ୍ଷ୍ୟ ହାସଲରେ ସଫଳ ହୋଇଛି। ଏହାର ତଥାକଥିତ ଦୁର୍ବଳତା ଓ ଅସ୍ବଚ୍ଛତା ବାସ୍ତବରେ ଏହାର ପରମ ଶକ୍ତି ବନିଛି ଯାହା ସରକାରଙ୍କୁ ସୁହାଉ ନାହିଁ। କଲେଜିୟମର ସୁପାରିସ ମାସ ମାସ ଧରି ସରକାରଙ୍କ ପାଖେ ପଡ଼ି ରହୁଛି। କେତେଜଣ ମନୋନୀତ ବ୍ୟକ୍ତି ବିରକ୍ତ ହୋଇ ତାଙ୍କ ମନୋନୟନ ପରିତ୍ୟାଗ କରିଛନ୍ତି। ସରକାର ତାଙ୍କ ଆକ୍ରମଣାତ୍ମକ ଓ ଅପମାନ ସୂଚକ ମନୋଭାବ ତ୍ୟାଗ କରନ୍ତୁ ଓ ଗଣତନ୍ତ୍ରକୁ ସମ୍ମାନ ଦିଅନ୍ତୁ। ଦେଶର ଗଣତନ୍ତ୍ରର ଧ୍ରୁବତାରା ସୁପ୍ରିମ୍ କୋର୍ଟଙ୍କ କଲେଜିୟମ ପ୍ରଥାର ବର୍ତ୍ତମାନ ପରିପ୍ରେକ୍ଷୀରେ ବିକଳ୍ପ ନାହିଁ।
[email protected]