ଦୁଇ ଜଣ ପରସ୍ପର ସହିତ ଅପରିଚିତ ସାଧୁ ଗୋଟିଏ ସ୍ଥାନରେ ରାତି କଟାଉଥିଲେ। ସ୍ଥାନଟି ଯାହାର ଅକ୍ତିଆରରେ ଥିଲା, ସେ ଥିଲା ଜଣେ ଦୁଷ୍ଟ ସ୍ବଭାବର ଲୋକ। ସେ ଦୁଇ ସାଧୁଙ୍କୁ ଖୁବ୍ ଅପମାନ ଦେଇ ତଡ଼ିଦେଲା। ଦୁହେଁ ନିଶାର୍ଧରେ ଗୋଟିଏ ଗଛ ମୂଳରେ ରାତ୍ରି ଯାପନ କଲେ।
ସକାଳେ ଦୁହେଁ ଯେତେବେଳେ ନିଜ ନିଜ ଗନ୍ତବ୍ୟ ପଥରେ ବାହାରିଲେ, ଜଣେ ସାଧୁ ଅନ୍ୟ ଜଣକୁ କହିଲେ- କାଲି ରାତିରେ ସେ ଆମମାନଙ୍କୁ କି ଅପମାନ ଦେଲା କୁହନ୍ତୁ ତ? କିନ୍ତୁ ଆମେମାନେ ହେଲେ ସାଧୁ। ଦୋଷୀକୁ କ୍ଷମା କରିବା ଆମର କର୍ତ୍ତବ୍ୟ। ତେଣୁ ଆପଣ ବି ତାକୁ କ୍ଷମା କରି ଦିଅନ୍ତୁ।
ଦ୍ବିତୀୟ ସାଧୁ ଏହା ଶୁଣି ଆକାଶରୁ ଗଳି ପଡ଼ିବା ଭଳି ପଚାରିଲେ- କିଏ? କାହା କଥା କହୁଛନ୍ତି?
ପ୍ରଥମ ସାଧୁ ବିସ୍ମିତ ହୋଇ କହିଲେ- କାଲି ରାତିର ଅପମାନ କଥା ଭୁଲି ଯାଇଛନ୍ତିି? ମୁଁ ତାକୁ କ୍ଷମା କରିଦେଇଛି। ଆପଣ ବି ତାକୁ ଭୁଲି ଯାଆନ୍ତୁ ଓ ନିଜ କାମରେ ଚାଲନ୍ତୁ ବାହାରିବା।
ଏହା ଶୁଣି ଦ୍ବିତୀୟ ସାଧୁ କହିଲେ- ଆପଣ କାହା କଥା କହୁଛନ୍ତି ମୁଁ ସତରେ ବୁଝିପାରୁନାହିଁ। ଆପଣ ଯାହାକୁ ଭୁଲିଯିବା ଲାଗି କହୁଛନ୍ତି, ତାକୁ ବୋଧହୁଏ ମୁଁ ଭୁଲିଯାଇଛି। ଆପଣ ତାକୁ କ୍ଷମା କରିଦେଇଛନ୍ତି ବୋଲି କହୁଛନ୍ତି। କିନ୍ତୁ ସେ ଏବେ ବି ଆପଣଙ୍କ ହୃଦୟରେ ଅଛି, ତାର ଆଚରଣ ଏବେ ବି ଆପଣଙ୍କ ମନରେ ଦାଗ ହୋଇ ରହିଛି। ଆପଣ ଯଦି ସତରେ ତାକୁ କ୍ଷମା କରିଦେଇଛନ୍ତି ତେବେ ତାକୁ ଭୁଲି ଯାଆନ୍ତୁ।
ପ୍ରଥମ ସାଧୁ କହିଲେ- ତାହା ହେଲେ ଆପଣ ତାକୁ ସତରେ ଭୁଲି ଗଲେଣି! କିନ୍ତୁ ତାହା କିଭଳି ସମ୍ଭବ?
ଦ୍ବିତୀୟ ସାଧୁ କହିଲେ- ସେଥି ଲାଗି ପ୍ରଥମେ ନିଜକୁ ଭୁଲିବା ଦରକାର। ନିଜର ଅହ˚କୁ ଭୁଲିବା ଦରକାର। ତାହା ହେଲେ ଆପଣଙ୍କ ଠାରେ ଆଘାତର ଚିହ୍ନ ଇ ରହିବ ନାହିଁ। କିନ୍ତୁ ଏଥିପାଇଁ ତ କଠୋର ସାଧନା ଲୋଡ଼ା!