ସପ୍ତାହକ ତଳେ ଯୁକ୍ତରାଷ୍ଟ୍ର ଆମେରିକାର ଥିଙ୍କ୍ ଟ୍ୟାଙ୍କ ସଂସ୍ଥା ‘ପିଉ ରିସର୍ଚ ସେଣ୍ଟର୍’ ଭାରତର ଜନସଂଖ୍ୟା ପରିସଂଖ୍ୟାନକୁ ନେଇ ଏକ ସମୀକ୍ଷା ପ୍ରକାଶ କରିଛି। ଏଥିରୁ ଜଣାପଡ଼ିଛି ଯେ ୨୧୦୦ ମସିହା ପର୍ଯ୍ୟନ୍ତ ଭାରତରେ କାର୍ଯ୍ୟକ୍ଷମ ବୟସର ଜନସଂଖ୍ୟା ସମୁଦାୟ ଜନସଂଖ୍ୟାର ସଂଖ୍ୟାଗରିଷ୍ଠ ଗୋଷ୍ଠୀ ହୋଇ ରହିବ, ଯାହାର ଅର୍ଥ ଭାରତ ତରୁଣ ହୋଇ ରହିବ। ୨୦୨୩ ମସିହାରେ ୪୩% ଭାରତୀୟ ୨୫ ବର୍ଷ ବା ତା’ ଠାରୁ କମ୍ ବୟସର ହୋଇଥିବା ବେଳେ ୨୧୦୦ ମସିହା ବେଳକୁ ଦେଶର ମାତ୍ର ୨୫% ଜନସଂଖ୍ୟା ଉକ୍ତ ଗୋଷ୍ଠୀ ଅଧୀନରେ ଥିବେ। ସେହିପରି ୨୦୨୩ରେ ୬୫ ବର୍ଷ ବା ଦଦୂର୍ଦ୍ଧ ବୟସ୍କଙ୍କ ଭାଗ ଜନସଂଖ୍ୟାର ମାତ୍ର ୭% ହୋଇଥିବା ବେଳେ ୨୧୦୦ ବେଳକୁ ଏହି ହାର ୩୦%କୁ ବୃଦ୍ଧି ପାଇସାରିଥିବ। ତଥାପି ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନର ବର୍ତ୍ତମାନର ମଧ୍ୟମ ବୟସ ଯାଏଁ ପହଞ୍ଚିବାକୁ ଭାରତକୁ ଆହୁରି ୨୬-୨୭ ବର୍ଷ ଲାଗିଯିବ ବୋଲି ଅନୁମାନ କରାଯାଇଛି। ୨୦୫୦ ମସିହାରେ ଯାଇ ଭାରତର ମଧ୍ୟମ ବୟସ, ଯୁକ୍ତରାଷ୍ଟ୍ର ଆମେରିକାର ବର୍ତ୍ତମାନର ମଧ୍ୟମ ବୟସ (୩୮ ବର୍ଷ) ଛୁଇଁବ। ଅର୍ଥାତ୍‌ ବୃଦ୍ଧବୃଦ୍ଧାଙ୍କ ଜନସଂଖ୍ୟା ନିକଟ ଭବିଷ୍ୟତରେ ଭାରତ ପାଇଁ ଚିନ୍ତାର କାରଣ ସାଜିବାର ଆଶଙ୍କା ନାହିଁ।

Advertisment

ଭାରତର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରାଳୟ ଯଦିଓ କହିଥାଏ ଯେ ବର୍ତ୍ତମାନ ଭାରତୀୟ ଜନସଂଖ୍ୟାର ବୟଃବୃଦ୍ଧି ଆରମ୍ଭ ହୋଇଯାଇଛି, ତଥାପି ଏହାର ପ୍ରଭାବ ପରିଲକ୍ଷିତ ହେବାକୁ ଅନେକ ଦଶନ୍ଧି ଲାଗିଯିବ। କ୍ରମବର୍ଦ୍ଧିଷ୍ଣୁ କାର୍ଯ୍ୟକ୍ଷମ ଜନସଂଖ୍ୟା ଗୋଟିଏ ପଟେ ଦେଶର ମୂଲ୍ୟବାନ ସମ୍ବଳ ହେବାର ସବୁତକ ସମ୍ଭାବନା ଥିବା ବେଳେ ଅନ୍ୟ ପଟେ ନିଯୁକ୍ତି ସୁଯୋଗରେ ଅଭାବ ଏହି ଗୋଷ୍ଠୀକୁ ଏକ ବୋଝରେ ପରିଣତ କରିଦେବାର ବିପଦ ମଧ୍ୟ ରହିଛି। ୨୦୧୯ରେ ପିଉ ରିସର୍ଚ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇଥିଲା ଯେ ୭୬% ଅଂଶଗ୍ରହଣକାରୀଙ୍କ ଦୃଷ୍ଟିରେ ନିଯୁକ୍ତିହୀନତା ହେଉଛି ଭାରତ ପାଇଁ ସବୁଠାରୁ ବଡ଼ ଆହ୍ବାନ।