ଜଣେ ରାଜା ଥିଲେ। ହଠାତ୍‌ ଦିନେ ତାଙ୍କ ମନରେ ବିଭିନ୍ନ କାରଣରୁ ପଶ୍ଚାତ୍ତାପ ସୃଷ୍ଟି ହେଲା। ସେ ଭାବିଲେ- ଜୀବନରେ ମୋ ଦ୍ବାରା ଅନେକ ଭୁଲ୍‌ ହୋଇଯାଇଛି। ସେସବୁ ଲାଗି ମୁଁ ଗଭୀର ଭାବେ ଅନୁତପ୍ତ। ମୁଁ ଏମିତି ଭୁଲ୍‌ କରିବା ଲୋକ ନୁହେଁ। ରାସ୍ତା ଅନ୍ଧକାରମୟ ଥିଲା, ତେଣୁ ମୁଁ ପଥଭ୍ରଷ୍ଟ ହୋଇଗଲି। ମୁଁ କିନ୍ତୁ ପଥଭ୍ରଷ୍ଟ ହେବା ଭଳି ଲୋକ ନୁହେଁ। ମୋତେ କେହି ପନ୍ଦର ବର୍ଷ ଫେରାଇ ଦିଅନ୍ତା କି?
ଏହା ଶୁଣିଲେ ଜଣେ ଯୋଗଜନ୍ମା ଫକିର। ସେ ରାଜାଙ୍କୁ ପନ୍ଦର ବର୍ଷ ଫେରାଇ ଦେବାକୁ ଭଗବାନଙ୍କୁ ପ୍ରାର୍ଥନା କଲେ। ସତକୁ ସତ ରାଜା ପନ୍ଦର ବର୍ଷ ସାନ ହୋଇଗଲେ। ତା’ ପରେ ପନ୍ଦର ବର୍ଷ ବିତିଗଲା। ରାଜଧାନୀରେ ପୁଣି ସେହି ଫକିରଙ୍କ ଆବିର୍ଭାବ ହେଲା। ରାଜା ଖବର ପାଇ ତାଙ୍କ ପାଖକୁ ଦୌଡ଼ିଲେ ଏବ˚ କାନ୍ଦି ପକାଇ କହିଲେ- ସବୁ ବେକାର। ଆପଣ ମୋତେ ସୁଯୋଗଟିଏ ଦେଇଥିଲେ ସତ, କିନ୍ତୁ କିଛି ଲାଭ ହେଲା ନାହିଁ।
ଫକିର କହିଲେ- କ’ଣ ହେଲା?

Advertisment

ରାଜା କହିଲେ- ଏବେ ମୁଁ ବୁଝିଛି ଦୋଷ ରାସ୍ତାରେ ନ ଥିଲା। ଦୋଷ ଅନ୍ଧକାରର ବି ନ ଥିଲା। ଦୋଷ ଥିଲା ମୋର। କାରଣ ଏଇ ପନ୍ଦର ବର୍ଷରେ ମୋ ଜୀବନ ଊଣାଅଧିକେ ପୂର୍ବବତ୍‌ ହିଁ ହେଲା। ଅନେକ ନୂଆ ଭୁଲ୍‌ କରିଛି, ଯେଉଁଥି ଲାଗି ପୁଣି ପ୍ରାୟଶ୍ଚିତ୍ତ କରିବାକୁ ହେଉଛି।

ଫକିର କହିଲେ- ମୁଁ ଜାଣିଥିଲି ଏହା ହିଁ ହେବ। କାରଣ ଆପଣ ଯେତେବେଳେ ପଶ୍ଚାତ୍ତାପ କରୁଥିଲେ ସେତେବେଳେ ଭାବୁଥିଲେ ଯେ ଆପଣଙ୍କ ଭଳି ଜଣେ ବ୍ୟକ୍ତି ଦ୍ବାରା ଏଭଳି ଭୁଲ୍‌ ହେବା କଥା ନୁହେଁ, ହେଲା କେମିତି? ଆମେ ସମସ୍ତେ ଏହିଭଳି ହିଁ ପଶ୍ଚାତ୍ତାପ କରୁ। ତହିଁରେ ଆମର ଅହ˚କାର ଲୁଚି ରହିଥାଏ। ଯଦି ଆପଣ ବୁଝିଥାଆନ୍ତେ ଯେ ଭୁଲ୍‌ କେବଳ ଆପଣଙ୍କର ହିଁ ଥିଲା, ତେବେ ସୁଧାରି ପାରିଥାଆନ୍ତେ।