ବିବାଦର ଗେହ୍ଲା ପୁଅ ‘ଟ୍ବିଟର୍’, ‘େଟସ୍ଲା’, ‘ସ୍ପେସ୍ଏକ୍ସ’ ଆଦି କମ୍ପାନିମାନଙ୍କର ମାଲିକ, ପୃଥିବୀର ସର୍ବଶ୍ରେଷ୍ଠ ଧନୀକ ତଥା ବିଚକ୍ଷଣ ମାନବୀୟ ଧୀ-ଶକ୍ତିର ଅଧିକାରୀ ଏଲନ୍ ମସ୍କ ପ୍ରଦାନ କରିଥିବା ଏକ ସଦ୍ୟତମ ମନ୍ତବ୍ୟ ଏବେ ପୁଣି ଏକ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ବର୍ତ୍ତମାନ ପୃଥିବୀ ସାରା ଇଣ୍ଟର୍େନଟ୍ ବ୍ୟବହାରକାରୀମାନଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଥିବା ‘ମାଇକ୍ରୋସଫ୍ଟ’ ନିୟନ୍ତ୍ରଣାଧୀନ ‘ଓପନ୍ଏଆଇ’ କମ୍ପାନିର କୃତ୍ରିମ ମେଧାଚାଳିତ ବାର୍ତ୍ତାଳାପ କରି ପାରୁଥିବା କମ୍ପ୍ୟୁଟର ପ୍ରୋଗ୍ରାମ୍ ବା ‘ଚାଟ୍ବଟ୍’ ‘ଚାଟ୍ଜିପିଟି’କୁ ଲକ୍ଷ୍ୟ କରି ମସ୍କ ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି। ମସ୍କ କହିଛନ୍ତି କୃତ୍ରିମ ମେଧା (ଏଆଇ) ଏବେ ମାନବ ସଭ୍ୟତା ପ୍ରତି ବୃହତ୍ତମ ବିପଦ ରୂପେ ଆବିର୍ଭୂତ ହୋଇଛି, ଯାହାର କଠୋର ନିୟନ୍ତ୍ରଣ ଆବଶ୍ୟକ।
ଯାହା ମସ୍କଙ୍କ ସମାଲୋଚକମାନଙ୍କ ଦୃଷ୍ଟି ଏଡ଼ାଇ ନାହିଁ, ତାହା ହେଲା ନିଜେ ଏଲନ୍ ମସ୍କ ଅନ୍ୟ ଜଣେ ସହଯୋଗୀଙ୍କ ସହିତ ମିଶି ୨୦୧୫ରେ ‘ଓପନ୍ଏଆଇ’ କମ୍ପାନି ପ୍ରତିଷ୍ଠା କରିଥିଲେ, ଯେଉଁଥିରୁ ସେ ୨୦୧୮ରେ ଓହରି ଆସିଥିଲେ। ବର୍ତ୍ତମାନ ସତ୍ୟ ନାଡେଲାଙ୍କ ‘ମାଇକ୍ରୋସଫ୍ଟ’ କମ୍ପାନି ‘ଓପନ୍ଏଆଇ’ କମ୍ପାନିରେ ବିପୁଳ ପୁଞ୍ଜି ନିବେଶ କରି ବସ୍ତୁତଃ ସେଇ କୃତ୍ରିମ ମେଧା କମ୍ପାନି ଉପରେ ମାଲିକାନା ହାସଲ କରିଥିବା ବେଳେ ମସ୍କଙ୍କ ଅଧିକାରରେ କମ୍ପାନିର ଖଣ୍ଡିଏ ହେଲେ ବି ଅଂଶପତ୍ର ନାହିଁ। ‘ଚାଟ୍ଜିପିଟି’ ସୃଷ୍ଟି କରିଥିବା ପ୍ରାବିଧିକ ବିପ୍ଳବ ସହିତ ପ୍ରତିଯୋଗିତା କରିବା ପାଇଁ ‘ଗୁଗ୍ଲ’ରୁ ‘ବାଇଡୁ’ ପର୍ଯ୍ୟନ୍ତ ଇଣ୍ଟର୍ନେଟ୍ ସର୍ଚ୍ଚ୍ଭିତ୍ତିକ କମ୍ପାନିମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ବେଳେ ମସ୍କ ନିଜ ସୃଷ୍ଟ ସୁଯୋଗକୁ ହାତଛଡ଼ା କରି ଦେଇ ବର୍ତ୍ତମାନ ପାଶ୍ଚାତ୍ତାପ କରୁଛନ୍ତି କି ଆଉ?
‘ଚାଟ୍ଜିପିଟି’ର ଅଭୂତପୂର୍ବ ଲୋକପ୍ରିୟତା ସମ୍ବନ୍ଧରେ ଏକ ଧାରଣା କରିବା ନିମିତ୍ତ ଏହି ସୂଚନା ଯଥେଷ୍ଟ ହେବ: ଏହା ଉଦ୍ଘାଟିତ ହେବାର ମାତ୍ର ଦୁଇ ମାସ ମଧ୍ୟରେ ଜାନୁଆରି ଶେଷ ସୁଦ୍ଧା ‘ଚାଟ୍ଜିପିଟି’ର ବ୍ୟବହାରକାରୀମାନଙ୍କର ସଂଖ୍ୟା ଏକ ଶହ ନିୟୁତ ଅତିକ୍ରମ କରିଯିବା ଦେଖା ଯାଇଥିଲା। ଏହା ‘ଚାଟ୍ଜିପିଟି’କୁ ଇତିହାସରେ ଦ୍ରୁତତମ ବର୍ଦ୍ଧିଷ୍ଣୁ ବ୍ୟବହୃତ ‘ଆପ୍ଲିକେସନ୍’ରେ ପରିଣତ କରିଛି।
ଏହା ସତ ଯେ ଆଜିକାଲି ଅନେକ ପଦାର୍ଥର ପୃଷ୍ଠଦେଶରେ ‘ଏଆଇ’ ଥାଇ ତା’ର କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ- ସ୍ବୟଂଚାଳିତ ଚାଳକ ବିହୀନ କାର୍ରୁ ‘ଆଲେକ୍ସା’ ପର୍ଯ୍ୟନ୍ତ। କିନ୍ତୁ ‘ଚାଟ୍ଜିପିଟି’ ଏହି କୃତ୍ରିମ ମେଧାକୁ ପର୍ଦ୍ଦା ଆଢୁଆଳରୁ ଭିଡ଼ି ଆଣି ରଙ୍ଗମଞ୍ଚର କେନ୍ଦ୍ରସ୍ଥଳୀରେ ଛିଡ଼ା କରାଇ ଦେଇଛି। ବ୍ୟବହାରକାରୀମାନେ ଏବେ ସିଧାସଳଖ ଏକ ‘ଏଆଇ’ ସହିିତ ଚାଟ୍ କରିପାରୁଛନ୍ତି। ଉଦାହରଣ ସ୍ବରୂପ ବ୍ୟବହାରକାରୀଙ୍କ ଠାରୁ ଆଦେଶ ପାଇଲେ ‘ଚାଟ୍ଜିପିଟି’ ତାଙ୍କ ପାଇଁ ବିଭିନ୍ନ ଶୈଳୀରେ ଏକ ପ୍ରବନ୍ଧ, ଗଳ୍ପ କିମ୍ବା କବିତା ରଚନା କରିଦେଇପାରୁଛି; ଗଣିତ ସମାଧାନ କରି ଦେଇପାରୁଛି; ଜଟିଳ ତତ୍ତ୍ବକୁ ସରଳ ଭାବରେ ବର୍ଣ୍ଣନା କରି ଦେଇ ପାରୁଛି; ଦୀର୍ଘ ବିଷୟବସ୍ତୁର ସାରାଂଶ ଲେଖିଦେଇ ପାରୁଛି; ଚିତ୍ର ଆଙ୍କି ଦେଇ ପାରୁଛି; ଭିଡ଼ିଓ ପ୍ରସ୍ତୁତ କରିପାରୁଛି, ଇତ୍ୟାଦି। ଏପରିକି ‘ଚାଟ୍ଜିପିଟି’ ଆଇନ ପରୀକ୍ଷା ଓ ମେଡିକାଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର କ୍ଷମତା ମଧ୍ୟ ପ୍ରମାଣ କରିସାରିଲାଣି, ଯଦିବା କୃତିତ୍ବର ସହିତ ନୁହେଁ।
‘ଚାଟ୍ଜିପିଟି’ ପରି ଚାଟ୍ବଟ୍ମାନେ ତା’ହେଲେ କ’ଣ ଅର୍ଥନୀତି ଓ ସମାଜରେ ସେଇଭଳି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି, ଯେଉଁଭଳି ବାଷ୍ପୀୟ ପୋତ ବା କମ୍ପ୍ୟୁଟର୍ ବା ମୋବାଇଲ୍ ଫୋନ୍ ବା ମଟର ଗାଡ଼ି ଆଦି ଆଣିଥିଲେ? ଏହାର ଉତ୍ତର ଏହି ନୂତନ ପ୍ରବିଧିର କେତେକ ଚରିତ୍ର ଉପରେ ନିର୍ଭର କରିଥାଏ। ଉଦାହରଣ ସ୍ବରୂପ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟବହୃତ ହୋଇ ଆସୁଥିବା ‘ଗୁଗ୍ଲ’ ଭଳି ସର୍ଚ୍ଚ ଇଞ୍ଜିନ୍ମାନ ବ୍ୟବହାରକାରୀକୁ କେବଳ ବିଭିନ୍ନ ୱେବ୍ ପେଜ୍ମାନଙ୍କ ଦିଗରେ ନିର୍ଦ୍ଦେଶିତ କରି ଦେଇଥାନ୍ତି, କିନ୍ତୁ ସେଠାରେ ଉପଲବ୍ଧ କୌଣସି ସୂଚନାର ସତ୍ୟତା ସମ୍ବନ୍ଧରେ କିଛି ହେଲେ ଦାବି କରିନଥାନ୍ତି। ଚାଟ୍ବଟ୍ମାନେ କିନ୍ତୁ ଏଭଳି ଆତ୍ମବିଶ୍ବାସର ସହିତ ଉତ୍ତର ପ୍ରଦାନ କରିଥାନ୍ତି, ସତେ ଯେମିତି ତାହା ହେଉଛି ବେଦ ବାକ୍ୟ। ଇଣ୍ଟର୍ନେଟ୍ରେ ଉପଲବ୍ଧ ଅସୁମାରି ସୂଚନାରୁ ତତ୍କ୍ଷଣାତ୍ ତଥ୍ୟ ସଂଗ୍ରହ କରି ‘ଚାଟ୍ଜିପିଟି’ ପରି ଚାଟ୍ବଟ୍ମାନେ ଉତ୍ତର ପ୍ରଦାନ କରିଥାନ୍ତି। କିନ୍ତୁ ଏଥିସହିତ ଏକ ନୈତିକ ସମସ୍ୟା ଯୋଡ଼ି ହୋଇ ରହିଥାଏ। ଉତ୍ତରଟି ବାମପନ୍ଥୀମାନଙ୍କୁ ସୁହାଇପାରେ ବା ଦକ୍ଷିଣପନ୍ଥୀମାନଙ୍କୁ ସୁହାଇପାେର; ନାରୀବାଦୀମାନଙ୍କ ସପକ୍ଷରେ ଯାଇପାରେ କିମ୍ବା ନାରୀ ବିରୋଧୀମାନଙ୍କ ସପକ୍ଷରେ ଯାଇପାରେ; ‘ଏଲଜିବିଟିକ୍ୟୁ’ମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇପାରେ କିମ୍ବା ଅସହିଷ୍ଣୁ ହୋଇପାରେ; ....ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ନିନ୍ଦା କରିପାରେ କିମ୍ବା ଯଥାର୍ଥ ବୋଲି ଯୁକ୍ତି କରିପାରେ। ଏଥିରୁ ଯେ ଭୟଙ୍କର ବିବାଦ ଉପୁଜିବାର ଅସୀମ ସମ୍ଭାବନା ରହିଛି; ଏଥିରେ ସନ୍ଦେହ ନାହିଁ।
ସେହିପରି ଚାଟ୍ବଟ୍ ଦେଉଥିବା କୌଣସି ଡାକ୍ତରୀ ଉପଦେଶ କିଭଳି ସମସ୍ୟା ସୃଷ୍ଟି କରିପାରେ ତାହା ସହଜେ ଅନୁମେୟ। ‘ଗୁଗ୍ଲ’ ଭଳି ସର୍ଚ୍ଚ ଇଞ୍ଜିନ୍ ମାଧ୍ୟମରେ ସଂଗ୍ରହ କରାଯାଇପାରୁଥିବା ସୂଚନା ବ୍ୟବହାର କରି ଆତଙ୍କବାଦୀମାନେ ଯଦି ବୋମା ତିଆରି କରିପାରୁଥିଲେ, ଚାଟ୍ବଟ୍ର ବ୍ୟବହାର ତାହାକୁ ଆହୁରି ସହଜ ସାଧ୍ୟ କରିଦେବାର ଦୃଢ଼ ସମ୍ଭାବନା ରହିଛି। ପୁଣି ଚାଟ୍ବଟ୍ର ବ୍ୟାପକ ବ୍ୟବହାର କ’ଣ ଓକିଲ, ସାମ୍ବାଦିକ, ସାହିତ୍ୟିକ, ଡାକ୍ତର ଆଦି ଭଳି ବିଭିନ୍ନ ବୃତ୍ତିଧାରୀମାନଙ୍କୁ ‘ମାଗୁଣିର ଶଗଡ଼’ ଭଳି ଅଚଳ କରି ଦେବ କି? ଏହି ସବୁ ସନ୍ଦେହ ଦୂର କରିବା ଆଶା ନେଇ ଆମେ ଖୋଦ୍ ‘ଚାଟ୍ଜିପିଟି’କୁ ତା’ ନିଜ ସମ୍ବନ୍ଧରେ ଏକ ରଚନା ଲେଖିବା ପାଇଁ ଏକ ନିର୍ଦ୍ଦେଶ ଦେବାରୁ ସେ ନିମିଷକ ମଧ୍ୟରେ ଆମ ସମ୍ମୁଖରେ ଯାହା ପରଶି ଦେଲା ଆମେ ନିମ୍ନରେ ତାହାର କିୟଦଂଶ ଅବିକଳ ଉପସ୍ଥାପିତ କରୁଛୁ।
‘‘ଚାଟ୍ଜିପିଟିର ଏକ ମୌଳିକ ଉପଯୋଗିତା ହେଉଛି ଏହାର ସ୍ବାଭାବିକ ଭାଷାରେ ପଚରା ଯାଉଥିବା ପ୍ରଶ୍ନମାନ ବୁଝିପାରି ତାହାର ମନୁଷ୍ୟ ସୁଲଭ ଉତ୍ତର ଉତ୍ପାଦନ କରିପାରିବାର କ୍ଷମତା। ...ଅନ୍ୟ ଯେଉଁ ଏକ େକ୍ଷତ୍ରରେ ଚାଟ୍ଜିପିଟି ଉଲ୍ଲେଖନୀୟ ସମ୍ଭାବନା ପ୍ରଦର୍ଶନ କରିଛି, ତାହା ହେଉଛି ସର୍ଜନାତ୍ମକ ବିଷୟବସ୍ତୁ ଉତ୍ପାଦନ। ଏହା ବିଭିନ୍ନ ଶୈଳୀରେ କବିତା, ଗଳ୍ପ ଉପନ୍ୟାସ, ସମ୍ବାଦ ବିବରଣୀ ଆଦି ରଚନା କରିବାରେ ପାରଦର୍ଶିତା ଦେଖାଇଛି। ...ଏଭଳି ସ୍ବୟଂ ସୃଷ୍ଟ ବିଷୟବସ୍ତୁ ଉତ୍ପାଦନ ଏ ସମସ୍ତ କ୍ଷେତ୍ରେର ମାନବ ଲେଖକମାନଙ୍କ ପାଇଁ ଅଧିକ ଜଟିଳ କାର୍ଯ୍ୟରେ ଧ୍ୟାନ ଦେବା ନିମିତ୍ତ ଅଧିକ ସମୟ ଉପଲବ୍ଧ କରାଇବ।
ତେବେ ଏ ସମସ୍ତ ଉପଯୋଗିତା ସତ୍ତ୍ବେ ସମାଜ ଉପରେ ଚାଟ୍ଜିପିଟିର ପ୍ରଭାବ ମଧ୍ୟ ଚିନ୍ତା ଉଦ୍ରେକ କରିଥାଏ। ଗୋଟିଏ ମୌଳିକ ଚିନ୍ତା ହେଉଛି ମନ୍ଦ ଉଦ୍ଦେଶ୍ୟମାନଙ୍କରେ ଏହାକୁ ବ୍ୟବହାର କରାଯିବାର ସମ୍ଭାବନା, ଯେମିତି ବିଭ୍ରାନ୍ତକାରୀ ସୂଚନା ପ୍ରସାର କିମ୍ବା ମିଥ୍ୟା ସମ୍ବାଦ ପରିବେଷଣରେ ଏହାର ବ୍ୟବହାର। ଚାଟ୍ଜିପିଟିର ଦକ୍ଷତାରେ ଆହୁରି ଉନ୍ନତି ଘଟିବା ସହିତ ଏହାର ବ୍ୟବହାରର ନୈତିକ ଦିଗ ପ୍ରତି ଧ୍ୟାନ ଦିଆଯିବା ନିହାତି ଆବଶ୍ୟକ। ଅନ୍ୟ ଏକ ଚିନ୍ତା ହେଉଛି ନିଯୁକ୍ତି ଉପରେ ଏହାର ସମ୍ଭାବ୍ୟ ପ୍ରଭାବ। ବିଷୟବସ୍ତୁ ରଚନା, ଗ୍ରାହକ ସେବା, ଓକିଲାତି, ସାମ୍ବାଦିକତା ଆଦି କ୍ଷେତ୍ରରେ ଏଥିଯୋଗୁଁ ନିଯୁକ୍ତି କ୍ଷୟ ଘଟିପାରେ। ତେବେ ଏଆଇ ବିକାଶ, ବିଷୟବସ୍ତୁ ତତ୍ତ୍ବାବଧାନ ଆଦି କ୍ଷେତ୍ରରେ ଚାଟ୍ଜିପିଟି ମଧ୍ୟ ନୂତନ ନିଯୁକ୍ତି ସୃଷ୍ଟିର ସମ୍ଭାବନା ବହନ କରିଥାଏ।
ଶେଷରେ, ଚାଟ୍ଜିପିଟି ହେଉଛି ଏକ ଶକ୍ତିଶାଳୀ ଭାଷା ମଡେଲ୍... ଯାହାର ଯେ କୌଣସି ନୂତନ ଜ୍ଞାନକୌଶଳ ଭଳି ସମାଜ ଉପରେ ଚିନ୍ତାଜନକ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଚାଟ୍ଜିପିଟି ପରି ଏଆଇ ଜ୍ଞାନ କୌଶଳର ବିକାଶ ଓ ପ୍ରୟୋଗ ସହିତ ତା’ର ଏ ସମସ୍ତ ଦିଗ ପ୍ରତି ସଯତ୍ନ ଧ୍ୟାନ ଦିଆଯିବା ନିତାନ୍ତ ଆବଶ୍ୟକ।’’
ଏହି ଉତ୍ତରରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା ‘ଚାଟ୍ଜିପିଟି’ ହେଉଛି ଏକ ଚତୁର ଚାଟ୍ବଟ୍; କାରଣ ଶେଷରେ ସେ ତାକୁ ଉପଯୁକ୍ତ ଭାବରେ ବ୍ୟବହାର କରିବାର ସମସ୍ତ ଦାୟିତ୍ବ ଆମ ଉପରକୁ ଅର୍ଥାତ୍ ମନୁଷ୍ୟ ଉପରକୁ ଠେଲି ଦେଇଛି। ଅର୍ଥାତ୍ ତା’ ଅନୁସାରେ ‘ଚାଟ୍ଜିପିଟି’ ଭଳି ଚାଟ୍ବଟ୍ ନୁହେଁ, ତାକୁ ବ୍ୟବହାର କରୁଥିବା ମନୁଷ୍ୟର ଚରିତ୍ର ହିଁ ଏଲନ୍ ମସ୍କଙ୍କର ଚିନ୍ତାର କାରଣ ହେବା ଉଚିତ।