ଏ ବର୍ଷ (ଜାନୁଆରି, ୨୦୨୩) ‘‘ଓଡ଼ିଶାର ସାବରମତୀ’’ ଭାବରେ ଏକଦା ପରିଚିତ ‘ଅଳକା ଆଶ୍ରମ’ର ଶତବାର୍ଷିକୀ ସମାରୋହ ଆନନ୍ଦ ଉତ୍ସାହ ଓ ଗାମ୍ଭୀର୍ଯ୍ୟ ସହ ପାଳନ କରାଯାଇଛି। ଏହି ଉପଲକ୍ଷେ ପ୍ରାଚୀନ ଓଡ଼ିଶାର ପ୍ରାଚୀ ଉପତ୍ୟକା ଓ ବାଣୀକ୍ଷେତ୍ର ଜଗତ୍ସିଂହପୁର (ପୁରୁଣା ନାଁ ହରିହରପୁର) ଦୀର୍ଘ ତିନି ଦିନ ଧରି ହେଉଥିଲା କୋଳାହଳମୟ। କର୍ପୁର ଉଡ଼ି ଯାଇଥିବା କନାକୁ ସମ୍ମାନ ଜଣାଇବାକୁ ଅନେକ ଗାନ୍ଧୀବାଦୀ, ଗାନ୍ଧୀପ୍ରେମୀ, ଗାନ୍ଧୀ ଅନୁଗାମୀ ଓ ଭକ୍ତ ଓ ବିଶିଷ୍ଟ ବ୍ୟକ୍ତି ଦଉଡ଼ି ଆସିଥିଲେ ଦେଶର ବିଭିନ୍ନ ଅଞ୍ଚଳରୁ। ମହାନଦୀ, ଅଳକା ନଦୀ ଓ ବଙ୍ଗୋପସାଗର ନିକଟରେ ଅବସ୍ଥିତ ଜଗତ୍ସିଂହପୁର ଏକଦା ମୌର୍ଯ୍ୟ, ଛେଦୀ, ମୋଗଲ ଓ ତା’ ପରେ ମରହଟ୍ଟା ପ୍ରଭାବାଧୀନ ଥିଲା। ସ୍ବାଧୀନତା ପରବର୍ତ୍ତୀ କାଳରେ ୧୯୯୩ ମସିହା ଏପ୍ରିଲ ଏକ ତାରିଖରେ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା କରିଥିଲେ। ଶତକଡ଼ା ୮୬ ସାକ୍ଷରତା ସହ ଏହି ଜିଲ୍ଲା ଏବେ ନିଜର ‘ବାଣୀକ୍ଷେତ୍ର’ ନାମକୁ ସାର୍ଥକ କରିଚି। ଓଡ଼ିଶାର ଅନେକ ଖ୍ୟାତନାମା ବରପୁତ୍ରଙ୍କର ଏହା ଜନ୍ମ ଓ କର୍ମଭୂମି।
୨୩ ମାର୍ଚ୍ଚ ୧୯୨୧ ମସିହାରେ ଗାନ୍ଧୀ ପହଞ୍ଚନ୍ତି କଟକରେ ଏବଂ ବର୍ଷକ ଭିତରେ ତାଙ୍କ ପଦଯାତ୍ରା ଓ ବିଚାରରେ ଉଦ୍ବୁଦ୍ଧ କର୍ମୀମାନେ ୧୯୨୨ ମସିହାରେ ଜଗତ୍ସିଂହପୁରେର ସ୍ଥାନୀୟ ଜମିଦାରଙ୍କ ସହଯୋଗରେ ପ୍ରତିଷ୍ଠା କରନ୍ତି ଅଳକା ଆଶ୍ରମ। ଏହି ଆଶ୍ରମକୁ ଗଢ଼ିବାରେ ଯେଉଁ ‘ତ୍ରିଶକ୍ତି’ କାୟମନୋବାକ୍ୟ ବା ‘ତନ, ମନ, ଧନ’ ଦ୍ବାରା ନିଜକୁ ଉତ୍ସର୍ଗ କରିଥିଲେ ସେମାନେ ହେଲେ ପ୍ରାତଃ ସ୍ମରଣୀୟ ମହାତ୍ୟାଗୀ ଗୋପବନ୍ଧୁ ଚୌଧୁରୀ, ଭାଗିରଥୀ ମହାପାତ୍ର ଓ ପ୍ରାଣକୃଷ୍ଣ ପଢ଼ିଆରୀ। ଏହାପରେ ମା’ ସାରଳା ଦେବୀ ଏହି ଠାରୁ ଆରମ୍ଭ କରିଥିଲେ ଲବଣ ସତ୍ୟାଗ୍ରହ ଓ ବାନର ସେନା ତାଲିମ କେନ୍ଦ୍ର। ଏହି ଠାରୁ ଛପା ହେଉଥିଲା ଉତ୍କଳିକା। ଏଇଠି ରହୁଥିଲେ ମା’ ରମାଦେବୀ ଓ ଅନେକ ମହିଳା କର୍ମୀ।
ଏକ ଗ୍ରାମ୍ୟ ପରିବେଶରେ ପ୍ରାୟ ୫୦ ଏକର ଜାଗାରେ ପ୍ରତିଷ୍ଠିତ ଅଳକା ଆଶ୍ରମ ସହରୀକରଣର ଶିକାର ହୋଇ ନିଜର ମୂଳ ଆକାର ଓ ପରିଧି ହରାଇଲାଣି। ଜିଲ୍ଲା ପ୍ରଶାସନ ଏହାର ପୁନରୁଦ୍ଧାର ପାଇଁ କାମ ଆରମ୍ଭ କଲେଣି। ଅତୀତରେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଏହି ଆଶ୍ରମକୁ ପୋଡ଼ି ଜାଳି ନଷ୍ଟ କରି ଦେଇଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ସେତେବେଳେ ଅଳକା ଆଶ୍ରମକୁ ଲୋକେ କହୁଥିଲେ ଦିନେ ଏହା ଓଡ଼ିଶାର ନାଳନ୍ଦା ହେବ। କିନ୍ତୁ କାଳକ୍ରମେ ଏମାନଙ୍କର ମୂଳ ପରିଚୟ ହଜିଗଲା। ସ୍ବାଧୀନତା ସଂଗ୍ରାମ ପାଇଁ ଗାନ୍ଧୀ ବିଚାରରେ ଆସ୍ଥା ରଖିଥିବା ତାଲିମପ୍ରାପ୍ତ ସ୍ବାଧୀନ ସୈନିକ ପ୍ରସ୍ତତି ପାଇଁ ସେତେବେଳେ ଗାନ୍ଧୀବାଦୀମାନେ ଶହ ଶହ ଆଶ୍ରମ ସ୍ଥାପନ କରିଥିଲେ। ତା’ ମଧ୍ୟରେ ଅଳକା ଏକ ମୁଖ୍ୟ ସ୍ଥାନରେ ଥିଲା। ଗାନ୍ଧୀଙ୍କ ଆହ୍ବାନରେ ଲୋଭନୀୟ ପ୍ରଶାସନିକ ପଦ ତ୍ୟାଗ କରି ଗୋପବନ୍ଧୁ ଚୌଧୁରୀ ଏହି ଆଶ୍ରମ ଗଢ଼ିଥିଲେ ଓ ସମାଜସେବା, ସମାଜ ସଂସ୍କାର, ବ୍ୟକ୍ତି ନିର୍ମାଣ, ରାଷ୍ଟ୍ର ନିର୍ମାଣ କାର୍ଯ୍ୟକ୍ରମରେ ନିଜ ଜୀବନ ଉତ୍ସର୍ଗ କରି ଦେଇଥିଲେ। ନବକୃଷ୍ଣ ଓ ମାଳତୀ ଚୌଧୁରୀ ଅନୁଗୁଳରେ ପ୍ରତିଷ୍ଠା କରିଥିଲେ ବାଜିରାଉତ ଛାତ୍ରାବାସ ଓ ଆଶ୍ରମ।
ଏହି ସମ୍ପର୍କରେ ଅଧିକ ଜାଣିବା ପାଇଁ ସମାରୋହର ନିମନ୍ତ୍ରଣ ଥିଲା ଏକ ସୁଯୋଗ। ଭୁବନେଶ୍ବରରୁ ଅଳକା ଆଶ୍ରମ ଦେଢ଼-ଦି ଘଣ୍ଟାର ରାସ୍ତା। ଅଳକା ଉତ୍ଥାନ, ପତନ କାହାଣୀ ଆଲୋଚନା ଓ ଆଳାପ କରି କରି ବାଟ ସରିଗଲା। ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ‘ଅନିର୍ବାଣ’ରେ ବର୍ଷୀୟାନ ସମାଜସେବୀ ପଦ୍ମଚରଣ ନାୟକ ଲେଖିଛନ୍ତି ନବବାବୁ କିପରି ଅଳକାଶ୍ରମର ଅନ୍ତେବାସୀଙ୍କୁ ନଈକୂଳକୁ ନେଇ େଦଶବିଦେଶର ନାନା କଥା କହନ୍ତି ଓ ଇଂରେଜୀ ଖବରକାଗଜକୁ ଓଡ଼ିଆ ଭାଷାନ୍ତର କରି ଶୁଣନ୍ତି। ପରାଧୀନ ଦେଶମାନଙ୍କର ସ୍ବାଧୀନତା ସଂଗ୍ରାମ କାହାଣୀ ଶୁଣାନ୍ତି। ସତ୍ୟବାଦୀ ବନ ବିଦ୍ୟାଳୟରେ ଗୋପବନ୍ଧୁ ଓ ପଞ୍ଚସଖା ଭଳି ଅଳକା ଜାତୀୟ ବିଦ୍ୟାଳୟରେ ପାଠଶାଠ ପଢ଼ାଉଥିଲେ ସ୍ବୟଂ ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ମନମୋହନ ଚୌଧୁରୀ, ଅନ୍ନପୂର୍ଣ୍ଣ ମହାରଣା, କିଶୋରୀ ଚରଣ କାନୁନ୍ଗୋ, ଉଦୟ ନାଥ ଷଡ଼ଙ୍ଗୀ, ରାମକୃଷ୍ଣ ନନ୍ଦ, ପ୍ରାଣକୃଷ୍ଣ ପଢ଼ିଆରୀ, ରମାେଦବୀ, ଗୋକୁଳାନନ୍ଦ ମହାନ୍ତି, ରାଜକିଶୋର ଦାସ, ଦେବେନ୍ଦ୍ର କାନୁନ୍ଗୋଙ୍କ ଭଳି ବହୁ ଉତ୍ସର୍ଗୀକୃତ ଶିକ୍ଷକ ଓ ଶିକ୍ଷାବିତ୍ ତଥା ସ୍ବାଧୀନତା ସଂଗ୍ରାମୀ। ଏହା ସହ ପ୍ରତିଷ୍ଠା ହୁଏ ପାଠାଗାର ଓ ହାତଲେଖା ଅଳକା ପତ୍ରିକା। କବି ଉଦୟନାଥ ଷଡ଼ଙ୍ଗୀ ବିଦେଶୀ ଶାସନ କାଳରେ ଅଳକାର ଅବକ୍ଷୟ ବିଷୟରେ ବ୍ୟଥିତ ହୋଇ ଲେଖିଲେ ‘ଅଳକା କବିତା’। ଆଉ ଏକ କବିତା ଲେଖିଥିଲେ ରାମକୃଷ୍ଣ ନନ୍ଦ।
ସେଇ କବିତାର କେତୋଟି ଧାଡ଼ି ଥିଲା ଏହିପରି:
‘‘ସୁଖ ସ୍ବପ୍ନ ତା’ର ଯାଇଛି ଭାଜି- ଅପେୟ ଆଜି ଅଳକା ପାଣି।
ଅଳକାର ସେହି ନବୀନ ଗାଥା, ପରାଣ ବ୍ୟଥା ଦିଅଇ ଆଣି।’’ x x x
ସେତିକିବେଳେ ଅଳକାଶ୍ରମର ବାର୍ଷିେକାତ୍ସବକୁ ଅତିଥି ଭାବେ ଅାସିଥାନ୍ତି- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଲକ୍ଷ୍ମୀ ନାରାୟଣ ସାହୁ। ତାଙ୍କ ହାତରେ ‘‘ଅଳକା’’ ପତ୍ରିକାଟି ଉନ୍ମୋଚନ ହୋଇଥିଲା। ଅଳକାଶ୍ରମବାସୀଙ୍କ ପାଠ୍ୟକ୍ରମ ସାବରମତୀ, ବନବିଦ୍ୟାଳୟ ଓ ଶାନ୍ତି ନିକେତନର ଏକ ସମନ୍ବୟ ଥିଲା। ମୌଳିକ ଶିକ୍ଷା ପ୍ରଣାଳୀକୁ ଉଚ୍ଚ ମାନର ଶିକ୍ଷକମାନେ ସମୃଦ୍ଧ କରୁଥିଲେ। ଗାନ୍ଧୀଙ୍କ ଏକାଦଶ ବ୍ରତକୁ ନିଜ ଜୀବନରେ ପ୍ରୟୋଗ ପାଇଁ ଗୁରୁମାନେ ଶିଷ୍ୟଙ୍କୁ ଉତ୍ସାହିତ କରୁଥିଲେ। ଏହାଛଡ଼ା ପାଠ୍ୟକ୍ରମ ଥିଲା ଫକୀରମୋହନଙ୍କ ‘‘ଛ ମାଣ ଆଠ ଗୁଣ୍ଠ’’, ନନ୍ଦକିଶୋର ବଳଙ୍କ ‘‘ଶର୍ମିଷ୍ଠା’’, କୃପାସିନ୍ଧୁ ମିଶ୍ରଙ୍କ ‘‘ବାରବାଟୀ ଦୁର୍ଗ’’, ଇଂରେଜୀ ଭାଷାରେ ଲିଖିତ ‘‘ଷ୍ଟୋରିଜ୍ ଫ୍ରମ ଟାଗୋର’’, ପଣ୍ଡିତ ଗୋଦାବରୀଶ ଓ ଆଚାର୍ଯ୍ୟ ହରିହରଙ୍କ ଲିଖିତ ପୁସ୍ତକ। ସନ୍ଧ୍ୟାରେ ଆମ୍ରକୁଞ୍ଜ ତଳେ ପିଲାମାନେ ଏକାଠି ବସି ପ୍ରାର୍ଥନା କରୁଥିଲେ।
ଚାଳିଶ ଜଣ ଅନ୍ତେବାସୀଙ୍କୁ ନେଇ ଆରମ୍ଭ ଅଳକା ଜାତୀୟ ବିଦ୍ୟାଳୟରେ ଦୁଇ ଶହ ବିଦ୍ୟାର୍ଥୀ ରହୁଥିଲେ। ୧୯୨୮ ମସିହାରୁ ଗୋପବାବୁ ଓ ତାଙ୍କ ପରିବାରର ସମସ୍ତେ ଘର ଛାଡ଼ି ଆଶ୍ରମରେ ରହୁଥିଲେ। ସାଧାରଣ ପାଠ୍ୟକ୍ରମ ଛଡ଼ା ଯୋଗ, ପ୍ରାଣାୟାମ, ସମାଜତତ୍ତ୍ବ, ଅର୍ଥଶାସ୍ତ୍ରର ମୌଳିକ ତତ୍ତ୍ବ, ନୀତିଶିକ୍ଷା, ଚରିତ୍ର ଗଠନ, ଦେଶ ଓ ସମାଜସେବା ତଥା ସୂତାକଟା ଓ ଲୁଗାବୁଣା ମଧ୍ୟ ଶିଖା ହେଉଥିଲା। ଆଶ୍ରମରେ ଚାଲୁ ଥିଲା ଚାଳିଶଟି ଚରଖା ଓ ଦଶଟି ତନ୍ତ। ସ୍ବୟଂ ନବକୃଷ୍ଣ ଚୌଧୁରୀ ସାବରମତୀ ଆଶ୍ରମରେ ରହି ଏ ବିଷୟରେ ତାଲିମ ନେଇ ଆସିଥିଲେ। ମଝିରେ ମଝିରେ ଆଖପାଖର ପାଲା, ଦାସକାଠିଆ, ସଂକୀର୍ତ୍ତନ ଦଳ ଆସି ଜାତୀୟ ଜାଗରଣ ପାଇଁ କୀର୍ତ୍ତନ କରୁଥିଲେ। ଶରୀର ଶ୍ରମ ଦ୍ବାରା ଆଶ୍ରମ ପରିସରରେ କପା ଓ ପରିବା ଚାଷ ହେଉଥିଲା।
ଅସ୍ବାଦ ଖାଦ୍ୟ ଖାଇବା ପାଇଁ ତରକାରିରେ ମସଲା ପଡୁ ନ ଥିଲା। ଆଶ୍ରମର ପ୍ରଧାନ ଗୁରୁ ଗୋପବନ୍ଧୁ ଚୌଧୁରୀ ନିଜ ପତ୍ନୀଙ୍କ ସମ୍ମତି ନେଇ ୨୯ ବର୍ଷ ବୟସରେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ପାଇଁ ଶପଥ ନେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ସ୍ବୟଂ ଗାନ୍ଧୀ ଏହି ବ୍ରତ ପାଳନ ପାଇଁ ୩୭ ବର୍ଷ ବୟସରେ ୧୯୦୬ ମସିହାରେ ଶପଥ ନେଇଥିଲେ।
ସେଇ ଅଳକାଶ୍ରମ ଆଉ ନାହିଁ। ଚାଳ ଘର ସ୍ଥାନ ନେଇଚି ସିମେଣ୍ଟ, ଲୁହାଛଡ଼, କଂକ୍ରିଟ୍ ନିର୍ମିତ ଆଧୁନିକ ଘର ଓ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି। ସାବରମତୀ ଠାରେ ଏପରି ନବୀକରଣ ପ୍ରଚେଷ୍ଟା ଅତୀତରେ ବିରୋଧର ସମ୍ମୁଖୀନ ହୋଇଥିଲା। ତେଣୁ ଅଳକା ସଂପର୍କରେ ସ୍ଥାନୀୟ ଗାନ୍ଧୀବାଦୀ ସଂଗଠନ ଓ ସ୍ଥପତିଙ୍କ ପରାମର୍ଶ ନେଲେ ଭଲ ହୁଅନ୍ତା। ଯେଉଁଠି ‘‘ଧୂଳି ମାଟିର ସନ୍ଥ’’ ଗୋପବନ୍ଧୁ ଚୌଧୁରୀ ଓ ସହଯୋଗୀମାନେ ସାରା କର୍ମମୟ ଜୀବନ ବିତାଇଥିଲେ, ତାଙ୍କ ସ୍ମୃତି ପୀଠରେ ସେହିମାନଙ୍କ ତ୍ୟାଗର କାହାଣୀ ପ୍ରତିଫଳିତ ହେଲେ ଆଗାମୀ ପିଢ଼ି ଉଦ୍ବୁଦ୍ଧ ହେବେ।
ଯୁଗ ଯୁଗ ଧରି ଭାରତରେ ଶିକ୍ଷା, ଦୀକ୍ଷା ଓ ଯୋଗ, ଧ୍ୟାନ ଓ ଆତ୍ମାର ସନ୍ଧାନ ପାଇଁ ଆଶ୍ରମ ସ୍ଥାପନାର ଏକ ସମୃଦ୍ଧ ପରଂପରା ରହିଆସିଚି। ହିମାଳୟ ପାଦଦେଶରେ ଅଧ୍ୟାତ୍ମ ସାଧନା ପାଇଁ ମୁନି, ଋଷି, ସାଧୁ, ସନ୍ଥମାନେ ପ୍ରତିଷ୍ଠା କରିଛନ୍ତି ଅନେକ ଆଶ୍ରମ। ଦକ୍ଷିଣ-ପୂର୍ବ ଏସିଆରେ ଛାତ୍ରାବାସକୁ କୁହାଯାଏ ଆଶ୍ରମ। ଏହି ଆଶ୍ରମ ସବୁ ଜଣେ ଜଣେ ପ୍ରଧାନ ଗୁରୁ ଓ ଗୁରୁ ମା’ଙ୍କ ନିର୍ଦ୍ଦେଶନାରେ ସହର ଠାରୁ ଦୂର ଓ ନିର୍ଜନ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥାଏ। ଉଭୟ ରାମ ଓ କୃଷ୍ଣ, କୌରବ ଓ ପାଣ୍ଡବ ଏଭଳି ଆଶ୍ରମରେ ବାଲ୍ୟ ଜୀବନ କାଟିଥିଲେ। ଏହାକୁ ବ୍ରହ୍ମଚର୍ଯ୍ୟାଶ୍ରମ ବି କୁହାଯାଏ। ସନାତନ ବର୍ଣ୍ଣାଶ୍ରମ ଧର୍ମରେ ଜୀବନକୁ ଚାରି ଭାଗରେ ବିଭକ୍ତ କରାଯାଇଥାଏ: ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସ। ଶୃଙ୍ଖଳିତ ବୈବାହିକ ଜୀବନ ଓ ସାମାଜିକ କର୍ତ୍ତବ୍ୟ ପାଳନରୁ ଆରମ୍ଭ ହୁଏ ଗୃହସ୍ଥାଶ୍ରମ ଓ ସାଂସାରିକ ମାୟା, ମୋହ ତ୍ୟାଗରୁ ଆରମ୍ଭ ହୁଏ ବାନପ୍ରସ୍ଥାଶ୍ରମ। ସନ୍ନ୍ୟାସ ଆଶ୍ରମରେ ବ୍ୟକ୍ତି ସବୁ ଇନ୍ଦ୍ରିୟକୁ ବଶ କରି, ଆଧ୍ୟାତ୍ମିକ ସାଧନା ଦ୍ବାରା ବ୍ରହ୍ମଲୀନ ହୋଇଥାନ୍ତି।
ଏହି ପରଂପରା ଦ୍ବାରା ପ୍ରେରିତ ହୋଇ ଆଦି ଶଙ୍କରାଚାର୍ଯ୍ୟ, ସ୍ବାମୀ ବିବେକାନନ୍ଦ, ପରମହଂସ ଯୋଗାନନ୍ଦ, ଶ୍ରଦ୍ଧାନନ୍ଦ ସରସ୍ବତୀ, ଦୟାନନ୍ଦ, ଶିବାନନ୍ଦ, ଗୌତମ ବୁଦ୍ଧ ଓ ଏହିପରି ଅନେକ ସାଧୁସନ୍ଥ, ସମାଜସେବୀ ଦେଶର ବିଭିନ୍ନ ଅଞ୍ଚଳରେ ଆଶ୍ରମ ପ୍ରତିଷ୍ଠା କରିଥିଲେ ବିଭିନ୍ନ ଲକ୍ଷ୍ୟ ଓ ବିଚାର ନେଇ। ରସ୍କିନ୍ଙ୍କ ଏକ ଛୋଟ ବହି ‘‘ଅନ୍ ଟୁ ଦିସ୍ ଲାଷ୍ଟ’’ (ସର୍ବୋଦୟ) ରାସ୍ତାରେ ପଢୁ ପଢୁ ଗାନ୍ଧୀ ସେଥିରେ ଥିବା ବିଚାର ଗୁଡ଼ିକର ପ୍ରଚାର, ପ୍ରସାର ଓ ପ୍ରୟୋଗ ପାଇଁ ଦକ୍ଷିଣ ଆଫ୍ରିକାରେ ପ୍ରତିଷ୍ଠା କରିଥିଲେ ଫିନିକ୍ସ ଆଶ୍ରମ।
ପୁସ୍ତକରେ ଯେଉଁ ତିନିଟି ସିଦ୍ଧାନ୍ତ ତାଙ୍କୁ ପ୍ରଭାବିତ କରିଥିଲା ସେଗୁଡ଼ିକ ହେଲା- (୧) ସମାଜର ହିତେର ବ୍ୟକ୍ତିର ହିତ ନିହିତ। (୨) ଓକିଲ ଓ ବାରିକ ଉଭୟଙ୍କର କାମର ମୂଲ୍ୟ ସମାନ; କାରଣ ଆପଣା ବୃତ୍ତିରୁ ଜୀବିକା ଅର୍ଜନ କରିବାରେ ସମସ୍ତଙ୍କର ସମାନ ଅଧିକାର ଅଛି। (୩) ସରଳ ମୂଲିଆ, ଚାଷୀର ଜୀବନ ହିଁ ଯଥାର୍ଥ ଜୀବନ। ଆଶ୍ରମ ନାଁ ଦିଆଗଲା ସତ୍ୟାଗ୍ରହ ଆଶ୍ରମ।
ଜ୍ଞାନପୀଠ ବିଜେତା ଗୋପୀନାଥ ମହାନ୍ତିଙ୍କ ଦ୍ବାରା ରଚିତ ଗୋପବନ୍ଧୁ ଚୌଧୁରୀଙ୍କ ଜୀବନୀ- ‘ଧୂଳି ମାଟିର ସନ୍ଥ’ରେ ଅଳକାଶ୍ରମର ସଂଗ୍ରାମ, ସାଧନା ଓ ସରଳ ଜୀବନ ସମ୍ପର୍କରେ ଅନେକ ଉଦାହରଣ ରହିଚି। ଓଡ଼ିଶାରେ ଭୂଦାନ ଆନ୍ଦୋଳନର ସେ ଥିଲେ ପ୍ରାଣ ପ୍ରତିଷ୍ଠାତା। ଚୌଧୁରୀ ପରିବାରର ସବୁ ସଦସ୍ୟ ଏହି ଆନ୍ଦୋଳନକୁ ଆଗେଇ ନେଇଥିଲେ। ମହାତ୍ମା ଗାନ୍ଧୀଙ୍କ ଜୀବନୀକୁ ପଢ଼ି ପ୍ରଥମ କରି ଓଡ଼ିଆରେ ଅନୁବାଦ କରିଥିଲେ ଗୋପବନ୍ଧୁ ଚୌଧୁରୀ। ନାଁ ରଖିଥିଲେ- ଆତ୍ମକଥା ଅଥବା ସତ୍ୟର ପ୍ରୟୋଗ। ୧୯୫୮ ମସିହା ଏପ୍ରିଲ୍ ୨୯ରେ ଅଳକା ଆଶ୍ରମର ଏହି ମହାନ୍ ସନ୍ଥ ବ୍ରହ୍ମଲୀନ ହେଲେ। ତାଙ୍କରି ଆମର ଆତ୍ମାକୁ ପ୍ରଣାମ କରି ଆମେ ଆଶ୍ରମରୁ ବିଦାୟ ନେଲୁ।
ମୋ-୯୯୩୭୦୨୭୦୧୭