୧୯୩୫ ମସିହାରେ ଏକ ହିନ୍ଦୀ ସିନେମା ଆସିଥିଲା, ଯାହାର ନାମ ଥିଲା ‘ହଣ୍ଟରୱାଲୀ।’ ଏହି ସିନେମା ସମଗ୍ର ଭାରତରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ତାହା ପୁଣି ଥିଲା ବ୍ରିଟିସ ଶାସନ ଅଧୀନସ୍ଥ ଭାରତ, ଯେତେବେଳେ ଏକ ଅତ୍ୟନ୍ତ ରକ୍ଷଣଶୀଳ ସମାଜରେ ମହିଳାମାନେ ଅବଗୁଣ୍ଠନ ବା ଓଢ଼ଣା ତଳେ ରହୁଥିଲେ। ସେହି ସମୟରେ ଏହା ଥିଲା ନାୟିକାକୁ କେନ୍ଦ୍ର କରି ଗଢ଼ି ଉଠିଥିବା କଥାବସ୍ତୁର ସିନେମା, ଯେଉଁଠି ନାୟିକା ଜଣେ ଲଜ୍ଜାଶୀଳା ଭାରତୀୟ ମହିଳା ନ ହୋଇ ଜଣେ ଚାବୁକଧାରୀ ମହିଳା ଅର୍ଥାତ୍ ‘ହଣ୍ଟରୱାଲୀ’ ରୂପେ ଆବିର୍ଭୂତ। ଏହି ଚରିତ୍ରରେ ଯେଉଁ ଯୁବତୀ ନାୟିକା ରୂପେ ଅବତୀର୍ଣ୍ଣ ହୋଇଥିଲେ, ତାଙ୍କ ନାମ ଥିଲା ନଦୀୟା, ଯାହାଙ୍କୁ ଲୋକେ ଡାକିଲେ ‘ଫିଅରଲେସ୍ ନଦୀୟା’ ବା ‘ନିର୍ଭୟା ନଦୀୟା’ ଏବଂ ସ୍ନେହରେ ଡାକୁଥିଲେ କେବଳ ମିସ୍ ନଦୀୟା। ‘ୱାଡିଆ ବ୍ରଦର୍ସ’ଙ୍କ ଦ୍ୱାରା ପ୍ରସ୍ତୁତ ଏହି ସିନେମାଟି ସୁପର ହିଟ୍ ହୋଇଥିଲା, ଏବଂ ଏଭଳି ଜଣେ ନିର୍ଭୀକ ମହିଳାଙ୍କୁ ଦେଖିବା ଲାଗି ଲୋକେ ଧାଡ଼ି ବାନ୍ଧିଥିଲେ। ଘୋଡ଼ା ପିଠିରେ ଚଢ଼ି ପିସ୍ତଲ ଏବଂ ଚାବୁକ ଧରି ଜଣେ ମହିଳା କୁପୁରୁଷମାନଙ୍କୁ ଦଣ୍ଡ ଦେଉଥିବା ବିଷୟକୁ ତତ୍କାଳୀନ ଭାରତର କଠୋର ପୁରୁଷପନ୍ଥୀ ସମାଜ କେବଳ ଗ୍ରହଣ କରି ନ ଥିଲା, ତାହାକୁ ଉପଭୋଗ କରୁଥିଲା ମଧ୍ୟ! ଏହାକୁ ଅନେକ ଲୋକ ଭାରତରେ ନାରୀ ଜାଗରଣର ଦ୍ବିତୀୟ ପର୍ବର ଏକ ଫର୍ଦ୍ଦ ଭାବେ ଦେଖନ୍ତି।
ଆମେମାନେ ମୋଟାମୋଟି କହି ପାରିବା ଯେ ୧୮୫୦ ମସିହାରୁ ସାବିତ୍ରୀ ବାଇ ଫୁଲେଙ୍କ ପ୍ରେରଣାରେ ଭାରତରେ ନାରୀ ଜାଗରଣର ପ୍ରଥମ ପର୍ବର ସୂତ୍ରପାତ ହୋଇଥିଲା। ଏହି ସମୟରେ ଝିଅମାନେ ପାଠ ପଢ଼ିବାକୁ ଆରମ୍ଭ କରିଥିଲେ। ବିଧବା ବିବାହ ପ୍ରଚଳନ ହେଲା। ବାଲ୍ୟ ବିବାହ ପ୍ରଥା ବନ୍ଦ ହେଲା। ତା’ ପରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ୧୯୧୫ ମସିହାରେ ଭାରତ ପ୍ରତ୍ୟାବର୍ତ୍ତନ କରିବା ସହିତ ନାରୀ ଜାଗରଣର ଦ୍ୱିତୀୟ ପର୍ବର ପ୍ରାରମ୍ଭ ହୋଇଥିଲା। ତାଙ୍କ ପ୍ରେରଣାରେ ମହିଳାମାନେ ପୁରୁଷଙ୍କ ସହିତ ସାର୍ବଜନୀନ କାର୍ଯ୍ୟରେ ଅଂଶ ଗ୍ରହଣ କରିବା ଆରମ୍ଭ କଲେ; ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଲେ। ତେବେ, ନାରୀ ଜାଗରଣର ଏହି ଦ୍ୱିତୀୟ ପର୍ବରେ ସାମାଜିକ-ରାଜନୈତିକ କ୍ଷେତ୍ର ବାହାରେ ମନୋରଂଜନ କ୍ଷେତ୍ରରେ ଘଟୁଥିଲା ଏକ ଉନ୍ମାଦନା ସୃଷ୍ଟିକାରୀ ଘଟଣା। ତାହା ଥିଲା ହିନ୍ଦୀ ସିନେମା ଜଗତରେ ଅଭିନେତ୍ରୀମାନଙ୍କ ପ୍ରବେଶ।
୧୯୧୩ ମସିହାରେ ରାଜା ହରିଶ୍ଚନ୍ଦ୍ର ସିନେମାରେ ନାୟିକା ଭୂମିକାରେ ଜଣେ ପୁରୁଷଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ, ୧୯୨୦ ମସିହା ଠାରୁ ପରିସ୍ଥିତିରେ ପରିବର୍ତ୍ତନ ଆସିଲା। ପାଟନିସ କୁପର, ଫତିମା ବେଗମ, ସୁଲତାନା, ଜୁବେଦା, ସୀତାଦେବୀ, ଛବି ମେୟର, ଗୋହର ମାମାଜୀୱାଲାଙ୍କ ପରି ମହିଳାମାନେ ସିନେମା ଜଗତରେ ପ୍ରବେଶ କଲେ ଓ ନିନ୍ଦା-ଅପବାଦ ସହିବାର ତଥା ପ୍ରତିବନ୍ଧ ଅତିକ୍ରମ କରିବାର ଚରମ ସାହସ ଦେଖାଇଲେ। ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହରେ ନାରୀମାନଙ୍କର ବୈପ୍ଳବିକ ଯୋଗଦାନ ଦେଖିବାକୁ ମିଳିଲା। ସେହି ସମୟରେ ସିନେମା ଜଗତରେ ମଧ୍ୟ ଦିଶିଲେ ସବିତା ଦେବୀ, ମେହେତାବ, ଭିକ୍ଟୋରିଆ, କାଜନ ବାଇ, ରତନ ବାଇ, ଫିରୋଜା ବେଗମ, ଲଳିତା ପାୱାର, ଦୁର୍ଗା ଖୋଟେ, ଦେବିକା ରାଣୀ, ଉମା ଶଶୀ, ଶୋଭନା ସମର୍ଥ, ଲୀଳା ଚିଟନିସ, ନସିମ ବାନୋ, ଶାନ୍ତା ଆପ୍ତେଙ୍କ ପରି ଅଭିନେତ୍ରୀ; ଯେଉଁମାନଙ୍କ ମଧ୍ୟରୁ ଅନେକ କୁଳୀନ ପରିବାରରୁ ଆସିଥିଲେ। ସେହି ସମୟରେ ମିସ୍ ନଦୀୟା ଓ ତାଙ୍କ ଅଭିନୀତ ସିନେମାମାନ ଥିଲେ ନାରୀ ଜାଗରଣର ଚରମ ଓ ଚମକପ୍ରଦ ଉଦାହରଣ।
ସେମିତି ଦେଖିଲେ ନଦୀୟା ଭାରତୀୟ ନ ଥିଲେ। ତାଙ୍କ ବାପା ହର୍ବଟ ଇଭାନ ବ୍ରିଟିସ ସେନାବାହିନୀରେ କାର୍ଯ୍ୟ କରୁଥିଲେ। ପାଞ୍ଚ ବର୍ଷ ବୟସରେ ବାପାଙ୍କ ସହିତ ସେ ମୁମ୍ବାଇ ଚାଲି ଆସିଥିଲେ। ପ୍ରଥମ ବିଶ୍ୱ ଯୁଦ୍ଧରେ ଲଢୁଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ ନଦୀୟାଙ୍କୁ ହୋଇଥିଲା ମାତ୍ର ୭ ବର୍ଷ ବୟସ। କିନ୍ତୁ ସେ ଥିେଲ ନିର୍ଭୀକା। ବୃତ୍ତିଟିଏ ପାଇବା ଲାଗି ସେ ଘୋଡ଼ା ଚଢ଼ା, ମାଛ ମରା, ବନ୍ଧୁକ ଚାଳନା ଇତ୍ୟାଦି ଶିଖିଲେ। ଜୀବିକା ଖୋଜି ପ୍ରଥମେ ସେନାବାହିନୀର କ୍ୟାଣ୍ଟିନରେ ଓ ପରେ ଏକ ସର୍କସରେ କାର୍ଯ୍ୟ କଲେ। ଅଭିନୟ କ୍ଷେତ୍ରରେ ପ୍ରବେଶ କରିବାକୁ ଉଦ୍ୟମ କରି ଜାମସେଦ ୱାଡ଼ିଆଙ୍କ ଦୃଷ୍ଟି ଆକର୍ଷଣ କରି ପରିଶେଷରେ ନିର୍ଭୟା ନଦୀୟାରେ ପରିଣତ ହେଲେ। ଭାରତକୁ କର୍ମକ୍ଷେତ୍ରରେ ପରିଣତ କରିଥିବା ଏହି ମହିଳା ୧୯୬୦ ମସିହାରେ ହୋମି ୱାଡ଼ିଆଙ୍କୁ ବିବାହ କରି ଭାରତୀୟ ହୋଇ ଯାଇଥିଲେ।
ସେହି ସମୟରେ ଘୋଡ଼ା ପିଠିରେ ଆସୀନା ନଦୀୟାଙ୍କ ଘୋଡ଼ା ଦଉଡ଼ା ଏବଂ ଦୁଇ ହାତରୁ ପୁସ୍ତଲ ଚାଳନା ଯିଏ ଦେଖୁଥିଲା, େସ ଶିହରି ଉଠୁଥିଲା। ସେହି ଦୃଷ୍ଟିରୁ ‘ୱାଡ଼ିଆ ବ୍ରଦର୍ସ’ଙ୍କ ଭାରତୀୟ ସିନେମା ନାରୀ ଜାଗରଣକୁ ଏକ ଉଚ୍ଚ ସୋପାନକୁ ଘେନି ଯାଇଥିଲା।
ଆଜିକାଲି ଭାରତୀୟ ସିନେମାରେ ଆମେ ସାହସୀ ଯୋଦ୍ଧା ଭୂମିକାରେ ଅବତୀର୍ଣ୍ଣା ନାୟିକାମାନଙ୍କୁ ଦେଖୁ। ସେମାନଙ୍କ ଭିତ୍ତି ପ୍ରସ୍ତର ପକାଇଥିଲେ ମିସ୍ ନଦୀୟା। ନଦୀୟା ମୂଳତଃ ଭାରତୀୟ ହୋଇ ନ ପାରନ୍ତି, କିନ୍ତୁ ଭାରତର ବାସିନ୍ଦା ହୋଇ ନଦୀୟା ୱାଡ଼ିଆ ଭାବେ ବସ୍ତୁତଃ ଭାରତୀୟରେ ପରିଣତ ହୋଇଥିଲେ। ଭାରତୀୟ ସିନେମାରେ ନାରୀ ଜାଗରଣର ଯେଉଁ ଚିତ୍ର ବିଂଶ ଶତାବ୍ଦୀର ତୃତୀୟ ଦଶକରେ ଦେଖିବାକୁ ମିଳିଥିଲା, ତାକୁ ଆହୁରି କେଇ ପାଦ ଆଗକୁ ନେଇ ଯାଇଥିଲେ ଏହି ‘ହଣ୍ଟରୱାଲୀ’ ବା ‘ମିସ୍ ଫ୍ରଣ୍ଟିଅର ମେଲ୍’ ବା ‘ଜଙ୍ଗଲ କ୍ବିନ୍’ କିମ୍ବା ‘ମୁକାବଲା’ ବା ‘ବମ୍ବୈ ୱାଲୀ’ ଭଳି ଅନେକ ସିନେମାର ନାୟିକା ମିସ ନଦୀୟା, ଯିଏ ଥିଲେ ବଲିଉଡ୍ର ପ୍ରଥମ ମହିଳା ‘ଷ୍ଟଣ୍ଟ’ ଅଭିନେତ୍ରୀ।
ମୋ: ୯୯୩୭୮୬୩୫୨୮