ମହାଭାରତ ଯୁଦ୍ଧ ପ୍ରାରମ୍ଭ ପ୍ରାୟ। ଭଗବାନ ଶ୍ରୀକୃଷ୍ଣଙ୍କ ସହାୟତା ଲୋଡ଼ି ଏକା ସମୟରେ ଉପସ୍ଥିତ ହେଲେ ମାନୀ ଦୁର୍ଯ୍ୟୋଧନ ଏବଂ ଧନୁର୍ବୀର ଅର୍ଜୁନ। େସତିକି ବେଳେ ଶ୍ରୀକୃଷ୍ଣ ନିଦ୍ରାଗତ। ସୁତରାଂ, ତାଙ୍କ ପାଦ ପାଖରେ ବସି ପଡ଼ିଲେ ଅର୍ଜୁନ ଏବଂ ମୁଣ୍ଡ ପାଖରେ ଥିବା ଏକ ଆସନରେ ଉପନିବେଶ କଲେ ଦୁର୍ଯ୍ୟୋଧନ; ଅର୍ଥାତ୍ ଅହଂକାର ମୁଣ୍ଡ ନିକଟରେ ଏବଂ ବିନମ୍ରତା ପାଦ ଦେଶରେ। ଏବଂ ସେହି ମୁହୂର୍ତ୍ତରେ ହିଁ ମହାଭାରତ ଯୁଦ୍ଧର ଫଳାଫଳ ନିର୍ଣ୍ଣିତ ହୋଇଗଲା।
ନିଦ୍ରା ଭଙ୍ଗ ଉତ୍ତାରୁ ଶ୍ରୀକୃଷ୍ଣଙ୍କ ଦୃଷ୍ଟି ସ୍ବାଭାବିକ ଭାବେ ପାଦ ଦେଶରେ ପଡ଼ିଲା। ଭଗବାନଙ୍କ ଦୃଷ୍ଟି ଏମିତି ସର୍ବଦା ବିନମ୍ରତା ଉପରେ ହିଁ ପ୍ରଥମେ ପଡ଼ିଥାଏ। ସେ ଅର୍ଜୁନଙ୍କ ଆଗମନର କାରଣ ପଚାରିବାରୁ ମୁଣ୍ଡ ପଛରୁ ଦୁର୍ଯ୍ୟୋଧନ ଉଚ୍ଚ ସ୍ବରେର ଜଣାଇଲେ- ମୁଁ ବି ଆସିଛି।
ଶ୍ରୀକୃଷ୍ଣ ହସିଲେ ଏବଂ କହିଲେ- ମୁଁ ପ୍ରଥମେ ଅର୍ଜୁନଙ୍କୁ ଦେଖିଛି। ସୁତରାଂ, ସେ ପ୍ରଥମେ ତାଙ୍କ ଆଗମନର କାରଣ କହିବେ, ଯଦି ଆଗମନର କାରଣ ଥିବ ମୋର ସାହାଯ୍ୟ, ତେବେ ଅର୍ଜୁନ ପ୍ରଥମେ ମାଗିବେ। କିନ୍ତୁ ଦୁର୍ଯ୍ୟୋଧନ ମଧ୍ୟ ନିରାଶ ହେବେ ନାହିଁ। ତେବେ ଅର୍ଜୁନ କହନ୍ତୁ ସେ କାହାକୁ ଚାହାନ୍ତି? ଏକାକୀ ମୋତେ ନା ବିଶାଳ ଯାଦବ େସନା?
ବିନମ୍ରତା ନିର୍ଣ୍ଣୟ ନେଲା ଓ ଅର୍ଜୁନ କହିଲେ- କେବଳ ଶ୍ରୀକୃଷ୍ଣ, ଆଉ କିଛି ନୁହେଁ। କିନ୍ତୁ ଏଭଳି ଅନୁରୋଧରେ ମନେ ମନେ ହସି ଉଠିଲା ଅହଂକାର। ‘ନିର୍ବୋଧ, ଏତେ ବିଶାଳ ଯାଦବ ସେନାକୁ ଛାଡ଼ି ଏକୁଟିଆ ଶ୍ରୀକୃଷ୍ଣ?’
ଶେଷରେ ଉଭୟ ଆନନ୍ଦିତ ହୋଇ ଫେରିଲେ। ଶ୍ରୀକୃଷ୍ଣ ଉଭୟଙ୍କ ମନୋରଥ ପୂର୍ଣ୍ଣ କଲେ। ଯାଦବ ସେନା ଅହଂକାରକୁ ସାବ୍ୟସ୍ତ କରିବାକୁ ଯୁଦ୍ଧରେ ବ୍ୟାପୃତ ହେଲା। ବିନମ୍ରତା ସକାଶେ ଶ୍ରୀକୃଷ୍ଣ ସାରଥି ହେଲେ। ମହାଭାରତ ଯୁଦ୍ଧର ପରିଣାମ ତା’ ପରେ କ’ଣ ହେଲା ସମସ୍ତେ ଜାଣନ୍ତି।