ଗଲା ଫେବ୍ରୁଆରି ୨୩ ତାରିଖରେ ପଞ୍ଜାବରେ ଘଟି ଯାଇିଥିବା ଘଟଣାକ୍ରମ ପରେ ଏକ ଆଶଙ୍କା ବିଜଡ଼ିତ ପ୍ରଶ୍ନ ଉଦ୍ରେକ ହୋଇଛି ଯେ ପ୍ରାୟ ଚାରି ଦଶନ୍ଧି ପୂର୍ବେ ଭାରତ ସାଧାରଣତନ୍ତ୍ରର ‘ପଞ୍ଜାବ’ ଠାରେ ସୃଷ୍ଟି ହୋଇଥିବା କ୍ଷତରୁ ପୁନର୍ବାର ରକ୍ତ କ୍ଷରଣ ହେବା ଆରମ୍ଭ ହୋଇନାହିଁ ତ? ଏହାର କାରଣ ୨୩ ତାରିଖ ଦିନ ଘଟିଥିବା ଘଟଣାର ଏକ ସମତୁଲ ଦୃଶ୍ୟ ୧୯୮୧ ମସିହାରେ ଦେଖିବାକୁ ମିଳିଥିଲା; ଯାହା ପର ଠାରୁ ପ୍ରାୟ ଦୁଇ ଦଶନ୍ଧି ଧରି ପଞ୍ଜାବ ସା˚ପ୍ରଦାୟିକ ହି˚ସାଜନିତ ହତ୍ୟା ଓ ଅକଳ୍ପନୀୟ ରକ୍ତପାତମାନ ଦେଖିଥିଲା।

Advertisment

ପ୍ରକାଶ ଥାଉ କି ଅନେକ ‘ମିଲେନିଏଲ୍‌’ ଓ ସମସ୍ତ ‘ଜେନ୍‌ ଜେଡ୍‌’ର ସଦସ୍ୟ ଭୂମିଷ୍ଠ ହେଲା ବେଳକୁ ପଞ୍ଜାବର ରକ୍ତସ୍ରାବୀ କ୍ଷତ ଶୁଖିବାକୁ ଲାଗିଥିଲା ଏବ˚ ପଞ୍ଜାବ ସାଧାରଣ ଜୀବନ ଯାତ୍ରା ମଧୢକୁ ପ୍ରତ୍ୟାବର୍ତ୍ତନ କରୁଥିଲା, ଯଦିଓ ମଧୢ ବୟସୋତ୍ତୀର୍ଣ୍ଣ ଭାରତୀୟମାନଙ୍କ ସ୍ମୃତିରେ ଏ ଘଟଣାର ଘନଘଟା ଏ ଯାବତ୍‌ ଉଜ୍ଜୀବିତ ହୋଇ ରହିଛି। ତେବେ, ସ˚ପ୍ରତି ଯେଉଁ ତରୁଣଙ୍କୁ କେନ୍ଦ୍ର କରି ପଞ୍ଜାବରେ ସେହି ପୁରୁଣା ରକ୍ତ ର˚ଜିତ ନାଟକ ଅଭନୀତ ହେବାର ଆଶଙ୍କା ପୁନଶ୍ଚ ସୃଷ୍ଟି ହୋଇଛି, ସେହି ‘ମିଲେନିଏଲ୍‌’ ଅମୃତ ପାଲ ସି˚ହ ସାନ୍ଧୁଙ୍କ ଜନ୍ମ ହୋଇଥିଲା ୧୯୯୩ ମସିହାରେ, ପଞ୍ଜାବ ଶାନ୍ତ ହୋଇ ଆସୁଥିବା ବେଳେ; କିନ୍ତୁ ଦୁର୍ଭାଗ୍ୟ, ପାଉଁଶ ଗଦା ଭିତରୁ ଜଳନ୍ତା ନିଆଁ ଝୁଲ ଉଡ଼ି ଆସିଲା ଭଳି ତିନି ଦଶନ୍ଧିର ବ୍ୟବଧାନ ପରେ ତାଙ୍କର ଆବିର୍ଭାବ ପଞ୍ଜାବକୁ ପୁଣି ଥରେ ଦଗ୍‌ଧ କରିବାର ଭୟ ସୃଷ୍ଟି କଲାଣି!

ଏହି ଘଟଣାରେ ଦେଖିବାକୁ ମିଳିଛି ଯେ ପାକିସ୍ତାନ ସମୀପବର୍ତ୍ତୀ ସୀମାନ୍ତ ଅଞ୍ଚଳର ଆଜିନାଲା ଥାନା ଉପରେ ଅମୃତ ପାଲ ସି˚ହଙ୍କ ସହସ୍ରାଧିକ ସମର୍ଥକ ଚଢ଼ାଉ କରି ସେଠାରେ ଗିରଫ ହୋଇ ରହିଥିବା ଅମୃତ ପାଲଙ୍କ ଜଣେ ଘନିଷ୍ଠ ବନ୍ଧୁଙ୍କୁ ବଳପୂର୍ବକ ଖଲାସ କରି ନେଇଥିଲେ। କିନ୍ତୁ ଏଭଳି ଘଟଣାରେ ଯାହା ଅସ୍ବସ୍ତିକର, ତାହା ହେଲା ଏକ ‘ଭିଡ଼’ ସମକ୍ଷରେ ରାଷ୍ଟ୍ର ଶକ୍ତି (ରାଜ୍ୟ ପୁଲିସ) ଆତ୍ମସମର୍ପଣ କରି ଦେଇଥିବା ଘଟଣା ଏବଂ ତା’ ସତ୍ତ୍ବେ ପଞ୍ଜାବ ପୁଲିସ ମୁଖ୍ୟଙ୍କ ପ୍ରଦତ୍ତ ସଫେଇ ଯେ ଅଭିଯୁକ୍ତ ଜଣକ ନିର୍ଦ୍ଦୋଷ ବୋଲି ଅମୃତ ପାଲ ସିି˚ହ ସାବ୍ୟସ୍ତ କରିବା ପରେ ପୁଲିସ ଏଭଳି ପଦକ୍ଷେପ ନେଇଥିଲା। ଉପକ୍ରମରେ କୁହାଯାଇଥିଲା ଭଳି ଏଭଳି ଘଟଣାର ଏକ ସାଦୃଶ୍ୟ ଦେଖିବାକୁ ମିଳିଥିଲା ୧୯୮୧ ମସିହାରେ, ଯେତେବେଳେ ଜର୍ନେଲ ସି˚ହ ଭିନ୍ଦ୍ରନଵାଲେ ନାମକ ଯୁବକଙ୍କୁ କେତେକ ହତ୍ୟା ମାମଲାରେ ପୁଲିସ ଗିରଫ କରିବା ପରେ ରାଜ୍ୟବ୍ୟାପୀ ଏଭଳି ହି˚ସାକାଣ୍ତମାନ ସ˚ଘଟିତ ହୋଇଥିଲା ଯେ ସରକାର ତାଙ୍କୁ ଖଲାସ କରି ଦେବାକୁ ବାଧୢ ହୋଇଥିଲେ।

ତେବେ, ଏଠାରେ ସ୍ମରଣଯୋଗ୍ୟ ଯେ ଭିନ୍ଦ୍ରନଵାଲେଙ୍କ ମୁକ୍ତି ପରେ ଦୀର୍ଘ ଦେଢ଼ ଦଶନ୍ଧି କାଳ ପଞ୍ଜାବ ଅଭୂତପୂର୍ବ ସା˚ପ୍ରଦାୟିକ ହି˚ସା ଓ ରକ୍ତପାତର ପ୍ରତ୍ୟକ୍ଷ କରିଥିଲା। ଉଭୟଙ୍କ ମଧୢରେ ଥିବା ସାମ˚ଜସ୍ୟ ହେଲା ସେତେବେଳର ଭିନ୍ଦ୍ରନଵାଲେଙ୍କ ଭଳି ଏବର ଅମୃତପାଲ ସି˚ହ ଯେଉଁ ସ˚ଗଠନ (ଵାରିସ ପଞ୍ଜାବ ଦି)ର ନେତୃତ୍ବ ନେଉଛନ୍ତି, ତାହା ପଞ୍ଜାବର ସ୍ବାୟତ୍ତତା ଦାବି କରିଥାଏ ଏବ˚ ପାର୍ଥକ୍ୟଟି ହେଲା ଏଭଳି ଦାବିରେ ଅକଥନୀୟ ରକ୍ତପାତ ଘଟାଇଥିବା ଭିନ୍ଦ୍ରନଵାଲେ କଦାପି ସ୍ବତନ୍ତ୍ର ରାଷ୍ଟ୍ର ‘ଖଲିସ୍ତାନ’ର ଦାବି କରି ନ ଥିବା ବେଳେ ଅମୃତ ପାଲ ସି˚ହ ପ୍ରଥମରୁ ‘ଖଲିସ୍ତାନ’ ରାଷ୍ଟ୍ର ସପକ୍ଷରେ ଉଚ୍ଚାଟ ପ୍ରଦର୍ଶନ କରିଛନ୍ତି। ସେହି ଦୃଷ୍ଟିରୁ ଅମୃତ ପାଲ ସି˚ହଙ୍କ ଦ୍ବାରା ସୃଷ୍ଟ ‘ଭିଡ଼ତନ୍ତ୍ର’ର ପ୍ରଭାବ ଅଧିକ ଉଦ୍‌ବେଗ ସୃଷ୍ଟି କରିବା ସ୍ବାଭାବିକ।

ପ୍ରକାଶ ଥାଉ କି ୧୯୭୩ ମସିହାରେ ଶିରୋମଣି ଅକାଳୀ ଦଳ ଦ୍ବାରା ଗ୍ରହଣ କରାଯାଇଥିବା ‘ଆନନ୍ଦପୁର ସାହିବ ରିଜଲ୍ୟୁସନ୍‌’ ପ୍ରଥମ ଥର ସକାଶେ ଶିଖ ଧର୍ମକୁ ହିନ୍ଦୁ ଧର୍ମ ଠାରୁ ଭିନ୍ନ ବୋଲି ସ୍ବୀକୃତି ପ୍ରଦାନ ପାଇଁ ତଥା ପଞ୍ଜାବ ରାଜ୍ୟକୁ ଅଧିକ ସ୍ବାୟତ୍ତତା ଏବ˚ ରାଜନୈତିକ କ୍ଷମତା ପ୍ରଦାନ ଲାଗି ଦାବି କରି ଯେଉଁ ବିହନ ବପନ କରିଥିଲା, ତାହା ପରେ ବିଚ୍ଛିନ୍ନତାବାଦୀ ମହାଦ୍ରୁମକୁ ସୃଷ୍ଟି କରିଥିଲା। ପଞ୍ଜାବର ରାଜନୀତିକୁ ନିକଟରୁ ନିରୀକ୍ଷଣ କରୁଥିବା ବିଶେଷଜ୍ଞମାନେ କହିଥାନ୍ତି ଯେ ରାଜ୍ୟ ରାଜନୀତି ଉପରେ ଦିଲ୍ଲୀର ହସ୍ତକ୍ଷେପକୁ ଶିଖମାନେ ସର୍ବଦା ଅତ୍ୟନ୍ତ ବିଦ୍ବେଷପୂର୍ଣ୍ଣ ଦୃଷ୍ଟିରେ ଦେଖିଥାଆନ୍ତି, ଯଦିଓ ବିଡ଼ମ୍ବନାଟି ହେଲା ପଞ୍ଜାବ ବାରମ୍ବାର ଓ ଅନେକ ଥର ଅଯଥାର୍ଥ ଭାବେ ଦିଲ୍ଲୀ କ୍ଷମତା କେନ୍ଦ୍ର ଦ୍ବାରା ଅରୁଚିକର ହସ୍ତକ୍ଷେପର ଶିକାର ହୋଇଥାଏ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର କ୍ଷମତା ଦଖଲ ଲାଗି ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ରାଜନୈତିକ ଦଳ କ˚ଗ୍ରେସ ଏବ˚ ଅକାଳୀ ଦଳ ମଧୢରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚାଲିଥିବା ବେଳେ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ଏକାଧିକ ବାର ଅକାଳୀ ସରକାରକୁ କ୍ଷମତାଚ୍ୟୁତ କରାଯାଇଛି ଏବ˚ କେବଳ ସେତିକି ନୁହେଁ, ଦକ୍ଷିଣପନ୍ଥୀ ଅକାଳୀ ଦଳର ଧର୍ମୀୟ ଆବେଦନକୁ ନିଷ୍ପ୍ରଭ କରିବା ସକାଶେ ଜର୍ନେଲ ସି˚ହ ଭିନ୍ଦ୍ରନଵାଲେଙ୍କୁ ସୃଷ୍ଟି ମଧୢ କରାଯାଇଛି। କହିବା ବାହୁଲ୍ୟ ଯେ ସଚରାଚର ସର୍ବଦା ଦେଖାଯାଇଥିବା ଭଳି ଭିନ୍ଦ୍ରନଵାଲେ (ସେତେବେଳେ ‘ଦମଦମି ତକସଲ’ ନାମକ ଏକ ସ˚ଗଠନର ମୁଖ୍ୟ) ଦିଲ୍ଲୀ କ୍ଷମତା କେନ୍ଦ୍ରର ପ୍ରସାଦରୁ ଅପାର କ୍ଷମତା ଓ ପୃଷ୍ଠପୋଷକତା ଲାଭ କରିବା ପରେ ଅତ୍ୟନ୍ତ ଉଗ୍ର ହୋଇଉଠି ଏକ ‘ଫ୍ରାନ୍‌କେଷ୍ଟାଇନ୍‌’ରେ ପରିଣତ ହୋଇ ଅବଲୀଳା କ୍ରମେ ପୃଷ୍ଠପୋଷକ କ˚ଗ୍ରେସ ଲାଗି ମଧୢ ବିପଦରେ ପରିଣତ ହୋଇଥିଲେ। ଏଭଳି ଘଡ଼ିସନ୍ଧି ବେଳାରେ ଦୁର୍ବଳ ମୁଖ୍ୟମନ୍ତ୍ରୀ (ଦରବାରା ସି˚ହ ଏବ˚ ଜ୍ଞାନୀ ଜୈଲ ସି˚ହ)ଙ୍କ ରାଜୁତି ଭିନ୍ଦ୍ରନଵାଲେଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ପ୍ରବୃତ୍ତ ହେବା ଲାଗି ଅଧିକ ପ୍ରଶ୍ରୟ ଦେଇଥିଲା। ଭିନ୍ଦ୍ରନଵାଲେଙ୍କ ଦ୍ବାରା ରଚିତ ହି˚ସା ଓ ରକ୍ତପାତର ତରଙ୍ଗ ପରବର୍ତ୍ତୀ କାଳରେ ‘ଅପରେସନ ବ୍ଲୁଷ୍ଟାର’ ବା ୧୯୮୪ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଆଦି ଭଳି ଚରମ ରାଷ୍ଟ୍ରୀୟ ଦୁର୍ଭାଗ୍ୟ ଲାଗି ପଥ ପରିଷ୍କାର କରିଥିଲା।

ପି.ଭି. ନରସି˚ହ ରାଓଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ପଞ୍ଜାବର ପୁଲିସ ମୁଖ୍ୟ ଭାବେ କେ.ପି.ଏସ୍‌. ଗିଲଙ୍କ ଅତ୍ୟନ୍ତ ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ଜରିଆରେ ଏହି ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ଦମନ କରାଯାଇ ପାରିଥିଲା। ତେବେ, ଏହା ମଧୢ ଏକ ବାସ୍ତବତା ଯେ ସେତେବେଳକୁ ଉଦ୍ଦେଶ୍ୟହୀନ ହି˚ସା ଓ ରକ୍ତପାତ ଭିଆଉଥିବା ଏହି ଆନ୍ଦୋଳନ ପ୍ରତି ପଞ୍ଜାବର ନାଗରିକମାନେ ମଧୢ ବିମୁଖ ହୋଇ ଉଠିଥିଲେ। କିନ୍ତୁ ଆଉ ଏକ ବାସ୍ତବତା ହେଲା ସେହି ସମୟରେ ପଞ୍ଜାବର ବଧ-ଭୂମି ଠାରୁ ସୁରକ୍ଷିତ ଦୂରତାରେ ରହି ଅର୍ଥ ସ୍ରୋତ ଦ୍ବାରା ଆନ୍ଦୋଳନକୁ ପରିପୁଷ୍ଟ କରୁଥିବା ମୁଷ୍ଟିମେୟ ପ୍ରବାସୀ ଶିଖ ଏବ˚ ସେମାନଙ୍କ ଦାୟାଦମାନେ ପାଉଁଶ ତଳର ନିଆଁ ଭଳି ଏ ପର୍ଯ୍ୟନ୍ତ କାନାଡା ଓ ବ୍ରିଟେନରେ ଜୀବନ୍ତ ହୋଇ ରହି ଖଲିସ୍ତାନ ସ୍ବପ୍ନକୁ ମୃତ ହେବାକୁ ଦେଉ ନାହାନ୍ତି। ‘ଵାରିସ ପଞ୍ଜାବ ଦି’ର ମୁଖ୍ୟ ଅମୃତ ପାଲ ମଧୢ ହେଉଛନ୍ତି ସେହିଭଳି ଏକ ଜୀବନ୍ତ ଅଙ୍ଗାର ଖଣ୍ତ, ଯିଏ ଦୁବାଇରେ ଥିବା ନିଜ ବ୍ୟବସାୟକୁ ଛାଡ଼ି ସମ୍ଭବତଃ ଖଲିସ୍ତାନ ଗଠନ ସ୍ବପ୍ନ ସହିତ ଭାରତରେ ପଦାର୍ପଣ କରିଛନ୍ତି। ପ୍ରକାଶ ଥାଉ କି ‘ଵାରିସ ପଞ୍ଜାବ ଦି’ ସ˚ଗଠନର ପ୍ରତିଷ୍ଠାତା ଗାୟକ ଦୀପ ସି˚ହ ସାନ୍ଧୁଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯିବା ପରେ ଅମୃତ ପାଲ ସି˚ହ ଏହାର ନେତୃତ୍ବ ନେଉଛନ୍ତି।

୨୦୧୯ ମସିହାରେ ଦିଲ୍ଲୀ-ହରିଆଣା ସୀମାନ୍ତରେ ବର୍ଷାଧିକ କାଳ ଧରି ଚାଲୁ ରହିଥିବା ପଞ୍ଜାବ କୃଷକ ଆନ୍ଦୋଳନରେ ଅଗତ୍ୟା ଦୀପ ସି˚ହ ସିନ୍ଧୁଙ୍କ ଆବିର୍ଭାବ ଏବ˚ ଖଲିସ୍ତାନ ସପକ୍ଷବାଦୀ ବ୍ୟାଖ୍ୟାନ ପ୍ରଦାନ ଫଳରେ ଆନ୍ଦୋଳନକାରୀମାନଙ୍କୁ ଅଗତ୍ୟା ଖଲିସ୍ତାନର ପୃଷ୍ଠପୋଷକ ଭାବେ ଚିତ୍ରଣ କରାଯିବାର ଉଦ୍ୟମ ହୋଇଥିଲା, ଯହିଁରେ ସରକାର ସପକ୍ଷବାଦୀ ଗଣମାଧୢମଗୁଡ଼ିକ ଦ୍ବାରା ସୃଷ୍ଟ ତୁହାକୁ ତୁହା ଉଚ୍ଚାଟ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲା। କିନ୍ତୁ କହିବା ବାହୁଲ୍ୟ, ଏହା ଘୋର ଅପରିଣାମଦର୍ଶିତା ଥିଲା, ଯାହା ଅସ˚ଖ୍ୟ ସାଧାରଣ ଶିଖଙ୍କୁ କ୍ଷୁବ୍‌ଧ କରିବା ସହିତ ସେମାନଙ୍କ ମନରେ ବିଚ୍ଛିନ୍ନତାବୋଧକୁ ପୁନର୍ବାର ଜନ୍ମ ଦେଇଥିବ। କିନ୍ତୁ, ସ୍ବୀକାର କରିବାକୁ ହେବ ଯେ ଭାରତ ସାରା ବିଛାଡ଼ି ହୋଇ ରହି ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ଶିଖମାନେ ଭାରତୀୟ ଅର୍ଥନୀତିକୁ ଅତ୍ୟନ୍ତ ସମୃଦ୍ଧ କରିଛନ୍ତି। ତେଣୁ ସେମାନଙ୍କୁ ସହସା ‘ଖଲିସ୍ତାନୀ’ ବୋଲି ଆଖ୍ୟା ପ୍ରଦାନ କରିବାର ପ୍ରବଣତା ଯେଉଁ ବିଶ୍ବାସହାନିର ବାତାବରଣ ସୃଷ୍ଟି କରିଥିବ, ତହିଁରେ ଅମୃତ ପାଲ ସି˚ହ ଭଳି ନିଆଁ ଝୁଲ ତେଜି ଉଠିବା ଲାଗି ସତେ ଯେମିତି ପବନ ପାଇଯାଇଥିବେ। ସୁତରା˚, ଏଭଳି ସ୍ପର୍ଶକାତର ଏବ˚ ଅତ୍ୟନ୍ତ ଉଦ୍‌ବେଗଜନକ ପରିସ୍ଥିତିକୁ ସମ୍ଭାଳିବା ଲାଗି ସରକାର, ଗଣମାଧୢମ, ରାଜନୈତିକ ଦଳ ଏବ˚ ସାଧାରଣ ନାଗରିକ; ସମସ୍ତଙ୍କୁ ସମ୍ବେଦନଶୀଳ ବିବେଚନାବୋଧର ପରିଚୟ ଦେବାକୁ ପଡ଼ିବ ଓ ପାଉଁଶ ତଳର ନିଆଁ ଝୁଲଗୁଡ଼ିକ ଭୟାବହ ଅଗ୍ନିକାଣ୍ତ ଘଟାଇବା ପୂର୍ବରୁ ସରକାରଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ମଧୢ କରିବାକୁ ହେବ।