ଏକ ଆକଳନ ଅନୁଯାୟୀ ଭାରତରେ ପ୍ରାୟ ତିନି କୋଟି ଅନାଥ ଶିଶୁ ଅଛନ୍ତି। ଭାରତ ସରକାରଙ୍କ ପୋଷ୍ୟ ସନ୍ତାନ ଗ୍ରହଣ କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ ଏଥି ମଧ୍ୟରୁ ସର୍ବାଧିକ ପାଞ୍ଚ ଲକ୍ଷ ଶିଶୁ ଆନୁଷ୍ଠାନିକ ତତ୍ତ୍ବାବଧାନ ଅଧୀନକୁ ଆସି ସୁରକ୍ଷା ପାଇଥାନ୍ତି ଓ ବାର୍ଷିକ ମାତ୍ର ୩୦୦୦-୪୦୦୦ ଅନାଥ ଶିଶୁଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରାଯାଇ ପାରିଥାଏ। ଭାରତର ପ୍ରାୟ ୭୦୦୦ ଶିଶୁ ସେବା ସଂସ୍ଥାରେ ୨,୬୦,୦୦୦ ଶିଶୁ ରହୁଛନ୍ତି। କିନ୍ତୁ ଏକ ବିଡ଼ମ୍ବନା ସ୍ବରୂପ ୨୦୨୨ ଜୁଲାଇ ସୁଦ୍ଧା ଦେଶରେ ୧୬,୦୦୦ ଦଂପତି ଅନାଥ ଶିଶୁଙ୍କୁ ନିଜର ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଆଇନସଂଗତ ଭାବେ ପୋଷ୍ୟ ସନ୍ତାନ ହେବାକୁ ପ୍ରସ୍ତୁତ ଅନାଥଙ୍କ ସଂଖ୍ୟା ଖୁବ୍ କମ୍‌ ରହିଛି।

Advertisment

ଏହା ପଛରେ ବିବିଧ କାରଣ ରହିଛି। ସେଥି ମଧ୍ୟରୁ ଜାତି, ଆର୍ଥିକ ଶ୍ରେଣୀ ଓ ଜେନେଟିକ୍‌ସ ନେଇ ରହିଥିବା ସାମାଜିକ ଅପବାଦର ଭୂମିକା ପ୍ରମୁଖ। ଆଜି ବି ପିତାମାତାଙ୍କ ସମ୍ପର୍କରେ କୌଣସି ତଥ୍ୟ ନ ଥିବା ଅନାଥ ଶିଶୁଙ୍କୁ ଗ୍ରହଣ କରିବାକୁ ଅନେକ ଦମ୍ପତି ଚାହିଁ ନ ଥାନ୍ତି। ଦେଶରେ ଗର୍ଭଧାରଣ କରିବାକୁ ଅସମର୍ଥ ଦମ୍ପତିଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଉଥିଲେ ବି ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ କରୁ ନାହାନ୍ତି। ‘ଇଣ୍ଡିଆନ୍ ସୋସାଇଟି ଅଫ୍ ଆସିଷ୍ଟେଡ୍ ରିପ୍ରଡକ୍‌ସନ୍‌’ର ତଥ୍ୟ ଅନୁଯାୟୀ ଦେଶର ସହରାଞ୍ଚଳରେ ବସବାସ କରୁଥିବା ୨.୭୫ କୋଟି ଦମ୍ପତି ଅଥବା ପ୍ରତି ଛଅଟିରୁ ଗୋଟିଏ ଦମ୍ପତିଙ୍କ ଠାରେ ଗର୍ଭଧାରଣର ସମସ୍ୟା ରହିଛି।

ସେମାନେ ‘ସରୋଗାସି’ ବା ‘ଆଇଭିଏଫ୍’ ପ୍ରକ୍ରିୟାରେ ସନ୍ତାନ ଜନ୍ମର ଉପାୟ ଅବଲମ୍ବନ କରିବା ପୂର୍ବରୁ ପୋଷ୍ୟ ସନ୍ତାନ ଗ୍ରହଣକୁ ପ୍ରଥମ ବିକଳ୍ପ ରୂପେ ବାଛିବା ଲାଗି ଏକ ସରକାରୀ ନୀତିର ଅବଶ୍ୟକତା ଅଛି ଭଳି ମନେ ହୋଇଥାଏ। ଏହା ପୋ‌ଷ୍ୟ ସନ୍ତାନ ଗ୍ରହଣକୁ ଆଧିକ୍ୟ ପ୍ରଦାନ କରନ୍ତା। ୨୦୫୦ ପର୍ଯ୍ୟନ୍ତ ଭାରତ ଏକ ତରୁଣ ଦେଶ ହୋଇ ରହିବ। ତେଣୁ ସ୍ବାଭାବିକ ଭାବେ ଶିଶୁମାନେ ହେଉଛନ୍ତି ଭବିଷ୍ୟତର ମୁଖ୍ୟ ସମ୍ବଳ। ତେଣୁ ଅନାଥ ଶିଶୁଙ୍କୁ ଉତ୍ତମ ଶିକ୍ଷା ଓ ପରିବେଶ ଦେବା ଲାଗି ସରକାର ନୂତନ ପୋଷ୍ୟସନ୍ତାନ ଗ୍ରହଣ ନୀତି ପ୍ରଣୟନ କରିବା ଉଚିତ।