ଆଜିକୁ ଠିକ୍ ସତସ୍ତରି ବର୍ଷ ପୂର୍ବେ ଜାପାନର ହିରୋସୀମା ଏବ˚ ନାଗାସାକୀ ସହର ଦ୍ବୟ ଉପରେ ପରମାଣୁ ବୋମା ପଡ଼ିବାର ଘଟଣା ଥିଲା ଗତ ଶତାବ୍ଦୀର ଇତିହାସରେ ଏକ କାଳ ବିଭାଜିକା ତୁଲ୍ୟ; କାରଣ ଏଭଳି ଅକଳ୍ପନୀୟ ଗଣ-ବିଧ୍ବ˚ସକାରୀ ଶକ୍ତିଧାରୀ ବୋମା ପୃଥିବୀ ବକ୍ଷକୁ ବିଦୀର୍ଣ୍ଣ କରିବାର ଏହା ଥିଲା ସର୍ବପ୍ରଥମ ଦୃଷ୍ଟାନ୍ତ; ଯାହାର ଅକଳନୀୟ କ୍ଷୟକ୍ଷତି ସମଗ୍ର ମାନବ ଜାତିକୁ ସ୍ତବ୍ଧ କରିଦେଇଥିଲା। ଏହା ସହିତ ଦ୍ବିତୀୟ ବିଶ୍ବଯୁଦ୍ଧର ଅବସାନ ଘଟିଥିଲା ଏବ˚ ପରବର୍ତ୍ତୀ କାଳରେ ଯେମିତି ଏଭଳି ହାହାକାରମୟ ସ୍ଥିତି ଆଉ ନ ଉପୁଜେ, ସେଥି ଲାଗି ସମଗ୍ର ବିଶ୍ବରେ ସଘନ ତତ୍ପରତା ମଧୢ ପ୍ରକାଶ ପାଇଥିଲା। ଏହା ପ୍ରା˚ଜଳ ହୋଇଯାଇଥିଲା ଯେ ପରମାଣୁ ବିକିରଣଜନିତ ଦାରୁଣ ବିଭୀଷିକାକୁ ସହନ କରିବା ମାନବ ଜାତି ପକ୍ଷରେ ଅଗତ୍ୟା ଆଉ ସମ୍ଭବ ନୁହେଁ। କିନ୍ତୁ ସେହି ପରିପ୍ରେକ୍ଷୀରେ ଏକ ବିଡ଼ମ୍ବନା ସ୍ବରୂପ ଦେଖିବାକୁ ମିଳିଥାଏ ଯେ ଏହି ଅକଥନୀୟ ବିପର୍ଯ୍ୟୟ ପରେ ମାତ୍ର ସାତଟି ଦଶନ୍ଧି ପୂର୍ଣ୍ଣ ନ ହେଉଣୁ ସତେ ଯେମିତି ମାନବ ଜାତି ସବୁ କିଛି ପାସୋରି ଯାଇ ଆଣବିକ ବିକିରଣର ଘନଘଟାକୁ ଏକ ପିଲା ଖେଳ ବୋଲି ମନେ କଲାଣି; କାରଣ, ତାହା ହୋଇ ନ ଥିଲେ ୟୁକ୍ରେନ୍ର ଜାପୋରିଝିଆ ଆଣବିକ ଶକ୍ତି କେନ୍ଦ୍ର ବାରମ୍ବାର ରୁଷୀୟ କ୍ଷେପଣାସ୍ତ୍ର ମାଡ଼ର ଶିକାର ହୋଇ ସମଗ୍ର ୟୁରୋପ ଭୂଖଣ୍ତ ଲାଗି ପରମାଣୁ ବିକିରଣର ବିଭୀଷିକାକୁ ବାସ୍ତବତା ପ୍ରଦାନ କରିବାର ଆଶଙ୍କା ସୃଷ୍ଟି କରନ୍ତା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ଯେ ଜାପୋରିଝିଆ ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର ହେଉଛି ୟୁରୋପରେ ବୃହତ୍ତମ ଏବ˚ ତାହା ୟୁକ୍ରେନର ସମୁଦାୟ ବିଦ୍ୟୁତ୍ ଶକ୍ତି ଆବଶ୍ୟକତାର ୭୦ ପ୍ରତିଶତ ପୂରଣ କରିଥାଏ। ସୁତରା˚, ଏହି ଶକ୍ତିି କେନ୍ଦ୍ରକୁ ଦଖଲ କରିବା ରୁଷିଆ ସକାଶେ ଏକ ପ୍ରମୁଖ ଲକ୍ଷ୍ୟ ହୋଇ ରହି ଆସିଥିଲା, ଯାହା ଅବଲୀଳା କ୍ରମେ ସମ୍ଭବ ହୋଇଥିଲା। ଏହା ସତ୍ତ୍ବେ ଏହି ଆଣବିକ ଶକ୍ତି କେନ୍ଦ୍ର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଏହା ପଛରେ ନିହିତ ଏକ ଭିନ୍ନ ଉଦ୍ଦେଶ୍ୟ ପ୍ରତି ଇଙ୍ଗିତ କରିଥାଏ; ଯାହା ହେଲା ତହିଁରୁ ୟୁରାନିଅମ ଲିକ୍ କରାଇ ସମଗ୍ର ୟୁରୋପକୁ ଆଣବିକ ବିକିରଣର ବିଭୀଷିକା ମଧୢକୁ ନିକ୍ଷେପ କରିବାର ଇଚ୍ଛା। ଇତି ମଧ୍ୟରେ ରୁଷିଆର ଏହି ଅଭିସନ୍ଧି ସ୍ପଷ୍ଟ ହୋଇ ସାରିଛି, କାରଣ ଏହି ଅତ୍ୟନ୍ତ ସମ୍ବେଦନଶୀଳ ଶକ୍ତି କେନ୍ଦ୍ରକୁ ସାମରିକ ଦଖଲରୁ ମୁକ୍ତ ରଖିବା ଲାଗି ଜାତିିସ˚ଘର ଘନଘନ ଅନୁରୋଧକୁ ରୁଷିଆ କର୍ଣ୍ଣପାତ କରୁନାହିଁ।
ଯଦିଓ କୁହାଯାଉଛି ଯେ ଜାପୋରିଝିଆ ଆଣବିକ ଶକ୍ତି କେନ୍ଦ୍ରରେ ସ˚ପ୍ରତି ସକ୍ରିୟ ଥିବା ଦୁଇଟି ରିଆକ୍ଟର ସମେତ ଅନ୍ୟ ଚାରିଟି ରିଆକ୍ଟର ଏଭଳି ଦୁର୍ଭେଦ୍ୟ ଢାଞ୍ଚା ମଧୢରେ ରହି ରୁଷୀୟ କ୍ଷେପଣାସ୍ତ୍ର ଆକ୍ରମଣରୁ ସୁରକ୍ଷିତ, ତଥାପି ଏହି ଆକ୍ରମଣ ଦ୍ବାରା ଯଦି ଚଳମାନ ରିଆକ୍ଟର ଦ୍ବୟକୁ ନିରନ୍ତର ଶୀତଳ କରି ଚାଲିଥିବା ‘ଵାଟର କୁଲି˚’ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୁଏ, ତେବେ ୟୁରାନିଅମ ଛଡ଼ଗୁଡ଼ିକ ଅସହନୀୟ ଭାବେ ଉତ୍ତପ୍ତ ହୋଇ ପରିଶେଷରେ ବିସ୍ଫୋରଣ ଘଟାଇବା ସହିତ ବାଷ୍ପୀଭୂତ ହେବ, ଯଦ୍ଦ୍ବାରା ବାୟୁମଣ୍ତଳରେ ବିକିରଣକ୍ଷମ ୟୁରାନିଅମ କଣିକା ମୁକ୍ତ ଭାବେ ଭାସି ବୁଲି ସମଗ୍ର ୟୁରୋପର ଜନଜୀବନକୁ ପ୍ରଚଣ୍ତ ଭାବେ ବିପର୍ଯ୍ୟସ୍ତ କରି ପକାଇବ। ଏଠାରେ ପ୍ରକାଶ ଥାଉ କି ୧୯୮୬ ମସିହାରେ ଘଟିଥିବା ଚେର୍ନୋବିଲ୍ ଆଣବିକ ଶକ୍ତି କେନ୍ଦ୍ର (ତାହା ମଧୢ ୟୁକ୍ରେନ୍ରେ ଅବସ୍ଥିତ)ରେ ଘଟିଥିବା ଭୟାବହ ଆଣବିକ ଲିକ୍ର କାରଣ ଥିଲା ଏକ ପ୍ରଯୁକ୍ତିଗତ ଦୁର୍ଘଟଣା ଏବ˚ ୨୦୧୧ ମସିହାରେ ଜାପାନର ଫୁକୁସିମା ଆଣବିକ ଶକ୍ତି କେନ୍ଦ୍ରରେ ସୃଷ୍ଟି ହୋଇଥିବା ଆଣବିକ ବିକିରଣର କାରଣ ଥିଲା ଏକ ଭୟଙ୍କର ସୁନାମି। ସୁତରାଂ, ଗୋଟିଏ ଯୁଦ୍ଧ ବ୍ୟାପୃତ ରାଷ୍ଟ୍ର ଦ୍ବାରା ଏକ ଚଳମାନ ଆଣବିକ ଶକ୍ତି କେନ୍ଦ୍ରରୁ ବିକିରଣର ବିଭୀଷିକା ସୃଷ୍ଟିର ଆତ୍ମଘାତୀ ଉଦ୍ୟମ ପୃଥିବୀ ଇତିହାସରେ ଏଇ ପ୍ରଥମ। ଆଣବିକ ବିକିରଣ ଦ୍ବାରା ସମ୍ଭବ ଗଣ ବିଧ୍ବ˚ସକାରୀ ଶକ୍ତିକୁ ପିଲା ଖେଳ ବୋଲି ମନେ କରିବାର ଏହା ଏକ ନିଦର୍ଶନ ନୁହେଁ କି?
ଏଠାରେ ସ୍ମରଣ କରାଯାଇପାରେ କି ହିରୋସୀମା ବା ନାଗାସାକୀ ଘନଘଟା ପରେ ଅଣୁ ଅସ୍ତ୍ର ନିରାକରଣ ଏବ˚ ଅପସାର ଦିଗରେ ପୃଥିବୀର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ତତ୍ପର ହୋଇ ଉଠିଥିଲେ। ଏଣେ, କିନ୍ତୁ ସେହି ରାଷ୍ଟ୍ରଗୁଡ଼ିକ ଅଣୁ ଅସ୍ତ୍ର ନିର୍ମାଣ ଅବ୍ୟାହତ ରଖି ନିଜ ନିଜର ଅଣୁ ଅସ୍ତ୍ର ଭଣ୍ତାରକୁ ସମୃଦ୍ଧ ମଧୢ କରି ଚାଲିଥିଲେ। ଏହା ଦ୍ବାରା ଅଣୁ ଅସ୍ତ୍ର ଅପ୍ରସାର ଉଦ୍ୟମ ଯେ କେବଳ ନିଷ୍ପ୍ରଭ ହୋଇଗଲା ତାହା ନୁହେଁ, ଏହା ଏକ ଧାରଣାକୁ ଜନ୍ମ ଦେଲା ଯେ ଅଣୁ ଅସ୍ତ୍ର ସାମର୍ଥ୍ୟ କୌଣସି ଏକ ରାଷ୍ଟ୍ରକୁ କେବଳ ଯେ ଅଧିକ ଶକ୍ତିଶାଳୀ କରିବ ତାହା ନୁହେଁ, ବର˚ ତାହା ଏକ ଢାଲ ଭଳି ରହି ତାକୁ ଶତ୍ରୁ ରାଷ୍ଟ୍ରର ଆକ୍ରମଣରୁ ସୁରକ୍ଷା ମଧ୍ୟ ପ୍ରଦାନ କରିବ। କହିବା ବାହୁଲ୍ୟ ଏହି ଧାରଣା କାରଣରୁ ବିଭିନ୍ନ ଅନ୍ତର୍ଜାତୀୟ କଟକଣା ଏବ˚ ବାସନ୍ଦର ବାସ୍ତବତା ସତ୍ତ୍ବେ ଅନେକ ରାଷ୍ଟ୍ର ପରମାଣୁ ଅସ୍ତ୍ର ସ˚ପନ୍ନ ହେବାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। କିନ୍ତୁ ଏ ସଂଦର୍ଭେର ଯେଉଁ ଏକ ତର୍କର ଆବିର୍ଭାବ ଘଟିଥିଲା ଯେ ଅଧିକରୁ ଅଧିକ ରାଷ୍ଟ୍ର ଅଣୁ ଅସ୍ତ୍ର ସ˚ପନ୍ନ ହୋଇଗଲେ, ପରମାଣୁ ଯୁଦ୍ଧର ଆଶଙ୍କାରେ ସ୍ବାଭାବିକ ହ୍ରାସ ଘଟିବ, କାରଣ ଏହି ରାଷ୍ଟ୍ରଗୁଡ଼ିକ ଯେତେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଲେ ସୁଦ୍ଧା ପରସ୍ପର ଉପରେ ପରମାଣୁ ଆକ୍ରମଣ କରିବାକୁ ଭୟ କରିବେ; ଇତିମଧୢରେ ଭ୍ରମାତ୍ମକ ସାବ୍ୟସ୍ତ ହେବାର ଲକ୍ଷଣ ଦର୍ଶାଇଲାଣି; ଯେଉଁ ପରିପ୍ରେକ୍ଷୀେର ବିଶ୍ବ ପ୍ରସିଦ୍ଧ ପ୍ରତିରକ୍ଷା ବିଶେଷଜ୍ଞ ଆସ୍ଲି ଟେଲିସଙ୍କ ସଦ୍ୟ ପ୍ରକାଶିତ ପୁସ୍ତକ ‘ଷ୍ଟ୍ରାଇକି˚ ଆସିମେଟ୍ରିଜ୍: ନିଉକ୍ଲିଅର ଟ୍ରାନ୍ଜିସନ ଇନ୍ ସାଉଥ୍ ଏସିଆ’ ପ୍ରଣିଧାନଯୋଗ୍ୟ।
ତହିଁରୁ ଏକ ଧାରଣା ସୃଷ୍ଟି ହୋଇଥାଏ ଯେ ଏସିଆର ତିନି ପଡ଼ୋଶୀ ରାଷ୍ଟ୍ର ଚୀନ, ଭାରତ ଏବ˚ ପାକିସ୍ତାନ ପରମାଣୁ ଅସ୍ତ୍ର ସ˚ପନ୍ନ ହୋଇଥିଲେ ସୁଦ୍ଧା ଅଗତ୍ୟା ଆଣବିକ ଯୁଦ୍ଧ ସ˚ଘଟିତ ହେବାର ଆଶଙ୍କା ରହିଛି। କହିବା ବାହୁଲ୍ୟ ଯେ ଏହି ତିନିଟି ଯାକ ରାଷ୍ଟ୍ର ପ୍ରତ୍ୟେକ ନିଜ ନିଜ ଅଣୁ ଅସ୍ତ୍ର ଭଣ୍ତାରରେ ଯେତିକି ‘ଵାର୍ହେଡ୍’ ରଖିଛନ୍ତି, ତାହା ପୂର୍ବ ବର୍ଣ୍ଣିତ ପାର˚ପରିକ ବିଚାର ଅନୁସାରେ ହୁଏ’ତ ଏକ ପରମାଣୁ ଯୁଦ୍ଧ କରିବାରୁ ପ୍ରତ୍ୟେକକୁ କ୍ଷାନ୍ତ କରନ୍ତା; କିନ୍ତୁ ଇତିମଧୢରେ ଚୀନ ଓ ପାକିସ୍ତାନ ସେମାନଙ୍କ ଅଣୁ ଅସ୍ତ୍ର ସ˚ପନ୍ନତାରେ ଯେଉଁ ବିବିଧତା ପ୍ରଦର୍ଶନ କରିଛନ୍ତି, ତାହା ହିଁ ହେଉଛି ଉପର ବର୍ଣ୍ଣିତ ଆଶଙ୍କା ପଛର କାରଣ। ଉଦାହରଣ ସ୍ବରୂପ ଭାରତ ସିନା ପୁରୁଣା ତର୍କର ବଶବର୍ତ୍ତୀ ହୋଇ ପ୍ରାୟ ୧୫ କିଲୋଟନ୍ କ୍ଷମତା ବିଶିଷ୍ଟ ‘ଵାର୍ହେଡ୍’ (ହିରୋସୀମା ଓ ନାଗାସାକୀରେ ପଡ଼ିଥିବା ବୋମାର ସମକକ୍ଷ)ମାନ ମହଜୁଦ ରଖିଛି, ଯାହାର ପ୍ରୟୋଗ ଗୋଟିଏ ବିବେକୀ ରାଷ୍ଟ୍ର ଲାଗି ହୁଏତ ସହଜ ବା ସମ୍ଭବ ହୋଇ ନ ପାରେ, କିନ୍ତୁ ପାକିସ୍ତାନ ଇତିମଧୢରେ ବୃହତ୍ କ୍ଷମତାସ˚ପନ୍ନ ‘ଵାର୍ହେଡ୍’ ସହିତ ମାତ୍ର ଅଧ କିଲୋଟନ୍ କ୍ଷମତା ବିଶିଷ୍ଟ ‘ଵାରହେଡ୍’ମାନ ମଧୢ ଗଚ୍ଛିତ କରି ରଖି ପାରିଛି, ଯାହାର ଉଦ୍ଦେଶ୍ୟ ଏକ ଯୁଦ୍ଧ ସ୍ଥିତିରେ ଆବଶ୍ୟକ ସ୍ଥଳେ ବିଶେଷ ବିବେକ ଦ˚ଶନର ଶିକାର ନ ହୋଇ କ୍ଷୁଦ୍ର କ୍ଷମତାସ˚ପନ୍ନ ପରମାଣୁ ବୋମା ସବୁର ବ୍ୟବହାର କରିବା। କହିବା ଅନାବଶ୍ୟକ ଯେ ସେଭଳି ସ୍ବଳ୍ପ କ୍ଷମତା ସ˚ପନ୍ନ ପରମାଣୁ ବୋମାର ବିକିରଣ ମଧ୍ୟ ଦୀର୍ଘ କାଳ ଧରି ହାହାକାରମୟ ସ୍ଥିତି ସୃଷ୍ଟି କରିପାରେ। ଏଥିରୁ ପରମାଣୁ ଅସ୍ତ୍ର ପ୍ରୟୋଗ ନେଇ ଘଟିଥିବା ବିଚାରଗତ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଥାଏ। ଏହି ଧାରଣାକୁ ଆହୁରି ଦୃଢ଼ୀଭୂତ କରି ସମ୍ବାଦପତ୍ରରେ ପଢ଼ିବାକୁ ମିଳିଲାଣି ଯେ ତାଇଵାନ ଉପରେ ଚୀନର ଆକ୍ରମଣର ସମ୍ଭାବନା ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ପରମାଣୁ ଶକ୍ତି ସ˚ପନ୍ନ ବାଲାଷ୍ଟିକ୍ ମିସାଇଲ୍ର ପରୀକ୍ଷଣ ଆରମ୍ଭ କରାଗଲାଣି।
ଏହି ଆଲୋଚନାର ଉପସ˚ହାରରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଏକ ପ୍ରଚ୍ଛନ୍ନ ଧମକପୂର୍ଣ୍ଣ ବକ୍ତବ୍ୟ ସ˚ପର୍କରେ ଉଲ୍ଲେଖ ନ କରି ରହି ହେଉନାହିଁ। ପାକିସ୍ତାନର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡୁଥିବା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ପାକିସ୍ତାନ ଭଳି ଏକ ପରମାଣୁ ଅସ୍ତ୍ର ସ˚ପନ୍ନ ରାଷ୍ଟ୍ରକୁ ଶ୍ରୀଲଙ୍କା ତୁଲ୍ୟ ଅରାଜକ ରାଷ୍ଟ୍ରରେ ପରିଣତ କରିବାକୁ ବିଶ୍ବ ସମୁଦାୟ ଆଦୌ ସୁଯୋଗ ଦେବ ନାହିଁ। ଏହାର ଅର୍ଥ ପାକିସ୍ତାନକୁ ଦାରୁଣ ଆର୍ଥିକ ଦୁରବସ୍ଥାରୁ ରକ୍ଷା କରିବା ଅବଶିଷ୍ଟ ବିଶ୍ବର ଏକ ଦାୟ ହେବ। ସେ ଯାହା କହିଛନ୍ତି, ତାହା ଅବଶ୍ୟ ସତ। କାରଣ ଶ୍ରୀଲଙ୍କା ତୁଲ୍ୟ ଏକ ଅରାଜକ ପାକିସ୍ତାନରେ ଗଣ-ବିଧ୍ବ˚ସକାରୀ ପରମାଣୁ ଅସ୍ତ୍ରର ଭଣ୍ତାର ଆତଙ୍କବାଦୀମାନଙ୍କ ହାତରେ ପଡ଼ିବାର ଆଶଙ୍କା ଅମୂଳକ ନୁହେଁ, ଯାହା ଆମ ସବୁଜ ପୃଥିବୀକୁ ଏକ ବିଧ୍ବସ୍ତ ଧୂସର ଗ୍ରହରେ ପରିଣତ କରିବ। ପରମାଣୁ ଅସ୍ତ୍ରକୁ ଏକ ପିଲା ଖେଳ ଭଳି ବିବେଚନା କରାଯିବା ନେଇ ଏହା ଠାରୁ ଆଉ ଅଧିକ ଭଲ ଦୃଷ୍ଟାନ୍ତ ମିଳିବ କି?