ଓଡ଼ିଶା ସାହିତ୍ୟ ଏକାଡେମୀ ଏକ ‘ସମିତି’ ବା ‘ସୋସାଇଟି’। ୧୮୬୦ର ଆଇନ ଅନୁସାରେ, ଓଡ଼ିଶା ସମିତି ନିବନ୍ଧକଙ୍କ ପ୍ରମାଣପତ୍ର ଅନୁସାରେ ଏହା ପଂଜୀକୃତ ହୋଇଛି। ତେଣୁ ଏହାର ଗୋଟିଏ ‘ସଂବିଧାନ’ ଅଛି। ଏହି ସଂବିଧାନର ବିଭିନ୍ନ ଧାରା ଅନୁସାରେ, ଏକାଡେମୀ ନିଜେ ନିଜର ନିୟମ ପ୍ରଣୟନ ଓ ସଂଶୋଧନ କରେ। ପ୍ରଣୀତ ବା ସଂଶୋଧିତ ସେହି ନିୟମ ବିଧିବଦ୍ଧ ଭାବରେ ‘ସାଧାରଣ ପରିଷଦ’ରେ ଉପସ୍ଥାପିତ ହୋଇ ଅନୁମୋଦିତ ହେବା ପରେ, ଚୂଡ଼ାନ୍ତ ଅନୁମୋଦନ ପାଇଁ ସରକାରଙ୍କ ସଂପୃକ୍ତ ବିଭାଗକୁ ଯାଏ। ସରକାରଙ୍କ ଅନୁମୋଦନ ପରେ ତାହା କାର୍ଯ୍ୟକାରୀ ହୁଏ।

Advertisment

କିନ୍ତୁ ଏକାଡେମୀରେ ଏବେ ବହୁଛି ଓଲଟ ଗଙ୍ଗା। ଗୋଟିଏ ପରେ ଗୋଟିଏ ନିୟମାବଳୀ ସରକାର ପ୍ରସ୍ତୁତ କରୁଛନ୍ତି। “ରାଜ୍ୟପାଳଙ୍କ ଆଦେଶାନୁସାରେ” ବୋଲି ସୂଚାଇ, ବିଭାଗୀୟ ସରକାରୀ ଅଧିକାରୀ ତାହାକୁ ଏକାଡେମୀର ସଂପାଦକ (ସଚିବ)ଙ୍କ ନିକଟକୁ ପଠାଉଛନ୍ତି ଏବଂ ସେ ତାହାକୁ ‘କାର୍ଯ୍ୟକାରୀ ପରିଷଦ’ ବା ‘ସାଧାରଣ ପରିଷଦ’ ସଦସ୍ୟଙ୍କୁ “ଅବଗତି ନିମନ୍ତେ” ପଠାଇଦେଇ, ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶମତେ ତୁରନ୍ତ କାର୍ଯ୍ୟକାରୀ କରାଇ ଦେଉଛନ୍ତି।

ଏ ପ୍ରସଙ୍ଗରେ ପ୍ରଶ୍ନ ଉଠେ, ଏକାଡେମୀ ଏକ ସରକାରୀ ବିଭାଗ ନୁହେଁ। ଆଇନତଃ ଏହା ଏକ ପଞ୍ଜୀକୃତ ସମିତି। “ରାଜ୍ୟପାଳଙ୍କ ଆଦେଶାନୁସାରେ” ଏହାର ନିୟମ କାହିଁକି ପ୍ରଣୀତ ହେବ? ଯଦି ହେବ, ତେବେ ଏକାଡେମୀର ‘କାର୍ଯ୍ୟକାରୀ ପରିଷଦ’ ଓ ‘ସାଧାରଣ ପରିଷଦ’ ରହିବ କାହିଁକି? ତା’ର କାମ କ’ଣ? କିନ୍ତୁ ଦୁଇ ଦୁଇ ଜଣ ବିଶିଷ୍ଟ ଓ ବରିଷ୍ଠ ସାହିତ୍ୟିକ ଯଥାକ୍ରମେ ଏକାଡେମୀର ସଭାପତି ଓ ଉପସଭାପତି ଥିଲେ ମଧ୍ୟ, ଦୁହେଁଯାକ ଯେ ସରକାରଙ୍କର ଏହି ଅବାଂଛନୀୟ ଓ ଅସାଂବିଧାନିକ ହସ୍ତକ୍ଷେପକୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି, ଏହା ହିଁ ଓଡ଼ିଶା ସାହିତ୍ୟ ଏକାଡେମୀ ଇତିହାସର ସବୁଠୁ ବଡ଼ ବିଡ଼ମ୍ବନା। ଆଉ ଗୋଟିଏ ବଡ଼ ବିଡ଼ମ୍ବନା ହେଉଛି, ଏହାର ସୁଯୋଗରେ ଏକାଡେମୀର ସଂପାଦକ (ସଚିବ) ‘ଏକାଡେମୀର କାର୍ଯ୍ୟନିର୍ବାହୀ’ ହେବା ପରିବର୍ତ୍ତେ, ବିଭାଗୀୟ ‘ସରକାରୀ ଅଧିକାରୀଙ୍କ କାର୍ଯ୍ୟନିର୍ବାହୀ’ ରୂପେ କାର୍ଯ୍ୟ କରୁଛନ୍ତି। ତାଙ୍କର କାର୍ଯ୍ୟକଳାପ ଏକାଡେମୀ ସଂବିଧାନର ଖୋଲା ଉଲ୍ଲଙ୍ଘନ ହେଲେ ମଧ୍ୟ ସାହିତ୍ୟିକ ସଭାପତି ଓ ଉପସଭାପତି ସେଥିପ୍ରତି ସଂପୂର୍ଣ୍ଣ ଅନ୍ଧତୁଲ୍ୟ ଆଚରଣ କରୁଛନ୍ତି।

ଏହାର ସଦ୍ୟତମ ଦୃଷ୍ଟାନ୍ତ, ପ୍ରମୁଖ ସମ୍ବାଦପତ୍ରରେ ପ୍ରକାଶିତ ୨୦୨୧, ୨୦୨୨ ଓ ୨୦୨୩ ବର୍ଷର ‘ସାରସ୍ୱତ ସାଧକ/ସାଧିକା ସମ୍ବର୍ଦ୍ଧନା’ ପାଇଁ ପ୍ରସ୍ତାବ ଆହ୍ୱାନ ବିଜ୍ଞପ୍ତି। ଏହି ବିଜ୍ଞାପନର ସଂଖ୍ୟା: ୭୭/ଓ.ସା.ଏ. ଏବଂ ତାରିଖ: ୨୧.୧.୨୦୨୩। ପୂର୍ବରୁ (୧୭.୨.୨୩ରେ) ଏହି ସ୍ତମ୍ଭରେ ଆଲୋଚିତ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ନିୟମାବଳୀ’ ପରି, ଏ ନିୟମାବଳୀ ମଧ୍ୟ “ରାଜ୍ୟପାଳଙ୍କ ଆଦେଶ ଅନୁସାରେ” ପ୍ରସ୍ତୁତ ହୋଇଛି ଏବଂ ବିଭାଗୀୟ ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶରେ, ଏକାଡେମୀର ସଂପାଦକ (ସଚିବ)ଙ୍କ ସ୍ୱାକ୍ଷରରେ ‘ସମସ୍ତ ସାଧାରଣ ପରିଷଦ ସଦସ୍ୟ’ଙ୍କ ନିକଟକୁ ‘ଅବଗତି’ ପାଇଁ ପଠାଇ ଦିଆଯାଇଛି। ଏଥିରେ ମଧ୍ୟ, ‘ଅବଗତି’ ଶବ୍ଦଟିକୁ ‘ଅନୁମୋଦନ’ ବୋଲି ବିଭାଗୀୟ ସରକାରୀ କର୍ତ୍ତୃପକ୍ଷ ଓ ସଂପାଦକ (ସଚିବ) ଧରି ନେଇ, ସମସ୍ତଙ୍କୁ ଭୁଆଁ ବୁଲାଇଛନ୍ତି।

ଏ କ୍ଷେତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି- ଯଦି ରାଜ୍ୟପାଳଙ୍କ ଆଦେଶ ଅନୁସାରେ ଏହା ପ୍ରସ୍ତୁତ, ତେବେ, ବିଭାଗୀୟ ମନ୍ତ୍ରୀ ହିଁ ଏକାଡେମୀ ପୁରସ୍କାର ଘୋଷଣା କରିବେ; ଏକାଡେମୀର ‘କାର୍ଯ୍ୟକାରୀ ପରିଷଦ’ ବା ‘ସାଧାରଣ ପରିଷଦ’ର ଭୂମିକା ଏଥିରେ କ’ଣ? ସୁଖର କଥା, ଯେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏ ନେଇ ଏକାଧିକ ମାମଲା ଏବେ ବିଚାରାଧୀନ ଅଛି ଏବଂ ପୁରସ୍କାର ଚୟନ ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ, ଏସବୁ ପୁରସ୍କାର ପ୍ରଦାନ ସେ ସମସ୍ତ ମାମଲାର ଚୂଡ଼ାନ୍ତ ରାୟ ଉପରେ ହିଁ ନିର୍ଭର କରିବ।

କିନ୍ତୁ ପୂର୍ବସୂଚିତ ସ୍ତମ୍ଭଲେଖରେ ଆଲୋଚିତ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ର ‘ବିଚିତ୍ର ଗଣିତ’ ପରି, ଏହି ‘ସାରସ୍ୱତ ସମ୍ବର୍ଦ୍ଧନା’ ଚୟନରେ ମଧ୍ୟ ରହିଛି ଅନେକ ‘ବିଚିତ୍ର ସର୍ତ୍ତ’।
ତେବେ, ସେସବୁ ସର୍ତ୍ତର ଆଲୋଚନାକୁ ଯିବା ପୂର୍ବରୁ, ଏ ସାରସ୍ୱତ ସମ୍ବର୍ଦ୍ଧନା ପାଇଁ ପୂର୍ବରୁ ଥିବା ସର୍ତ୍ତର ସମ୍ୟକ୍ ସୂଚନା ଆବଶ୍ୟକ। ଏ ସଂକ୍ରାନ୍ତରେ ଏକାଡେମୀର ସଂପାଦକ (ସଚିବ)ଙ୍କର ପୂର୍ବର ଏକ ପତ୍ର ଉଲ୍ଲେଖଯୋଗ୍ୟ। ସେହି ପତ୍ରର ସଂଖ୍ୟା- ୫୩୧-(୫୬)/ ଓ.ସା.ଏ. ଏବଂ ତାରିଖ- ୧୪/୭/୨୦୨୧। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୧ ମସିହା ନିମନ୍ତେ ଜଣେ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ/ସାଧିକାଙ୍କ ନାମ ପ୍ରସ୍ତାବ ପାଇଁ ସେହି ପତ୍ରରେ ଏକାଡେମୀର ସଦସ୍ୟଙ୍କୁ ଅନୁରୋଧ କରାଯାଇଥିଲା।

ସେଥିରେ କୁହାଯାଇଛି- “ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ-ସାଧିକାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥାଏ।’’ ଏକାଡେମୀର ସଂବିଧାନର ‘ସାଧାରଣ’ (General) ବିଭାଗର ଧାରା-୬ରେ ଥିବା ‘କାର୍ଯ୍ୟକାରୀ ପରିଷଦ’ ଅନ୍ତର୍ଗତ ୯ ଜ (9 h)ରେ ଏ ସଂପର୍କରେ ଉଲ୍ଲେଖ ଅଛି- “The Secretary shall prepare a panel of names of literary persons of outstanding merits and place the same before the executive Board for being recommended to the General council for being felicitated on behalf of Akademi.” ଏହାର ଅର୍ଥ- ଏହି ସାରସ୍ୱତ ସମ୍ବର୍ଦ୍ଧନା ‘Outstanding merit’ ଅର୍ଥାତ୍ ଅସାଧାରଣ କୃତିତ୍ୱ ଥିବା ସାହିତ୍ୟିକଙ୍କୁ ଦିଆଯିବ। ଏକାଡେମୀର ସଂପାଦକ (ସଚିବ) ତାହାର ଏକ ସାମ୍ଭାବ୍ୟ ତାଲିକା ପ୍ରସ୍ତୁତ କରି କାର୍ଯ୍ୟକାରୀ ପରିଷଦକୁ ଦେବେ ଏବଂ ତାହାର ଆଧାରରେ କାର୍ଯ୍ୟକାରୀ ପରିଷଦ ସମ୍ବର୍ଦ୍ଧିତ ହେବାକୁ ଥିବା କୃତିତ୍ୱସଂପନ୍ନ ସାହିତ୍ୟିକଙ୍କ ନାମ ଚୟନ କରି ସାଧାରଣ ପରିଷଦର ଅନୁମୋଦନ ପାଇଁ ସୁପାରିଶ କରିବେ। ଏଣୁ ଏହା ପୂର୍ଣ୍ଣତଃ ଏକାଡେମୀର କର୍ତ୍ତୃତ୍ୱାଧୀନ। ଏହାକୁ ବିଭାଗୀୟ ମନ୍ତ୍ରୀ ଅନୁମୋଦନ କରିବାର କୌଣସି ବିଧାନ ନାହିଁ; କାରଣ ଏ ବାବଦ ନୀତିନିୟମ ପ୍ରଣୟନ ବା ସଂଶୋଧନର ଅଧିକାର କେବଳ ଏକାଡେମୀର। ‘ରାଜ୍ୟପାଳଙ୍କ ଆଦେଶ ଅନୁସାରେ’ ଏହା ପ୍ରସ୍ତୁତ ହେବା ମଧ୍ୟ ଅନାବଶ୍ୟକ ଓ ଅସାଂବିଧାନିକ।

କିନ୍ତୁ ସଦ୍ୟତମ ନିୟମାବଳୀ ଅନୁସାରେ- ଏହି ସାରସ୍ୱତ ସମ୍ବର୍ଦ୍ଧନା ନିୟମାବଳୀରେ ଏପରି ଅନେକ ବିଚିତ୍ର ସର୍ତ୍ତ ରଖାଯାଇଛି, ଯାହା ଫଳରେ ଉଲ୍ଲେଖନୀୟ ସାରସ୍ୱତ କୃତି ବା ଅବଦାନ ଥିବା କୌଣସି ସ୍ୱାଭିମାନୀ ସାହିତ୍ୟିକ ଏ ପୁରସ୍କାର ପାଇବେ ନାହିଁ। ତଥାକଥିତ ଏହି ‘ପରିବର୍ତ୍ତିତ ଓ ଅନୁମୋଦିତ’ ନିୟମାବଳୀ, ୧୬ ଜାନୁଆରି ୨୦୨୩ରେ ସରକାରଙ୍କଦ୍ୱାରା ପ୍ରସ୍ତୁତ ଏବଂ ୨୪ ଜାନୁଆରି ୨୦୨୩ରେ ଏକାଡେମୀର ସଦସ୍ୟମାନଙ୍କ ‘ଅବଗତି’ ପାଇଁ ସଂପାଦକ (ସଚିବ)ଙ୍କ ଦ୍ୱାରା ପ୍ରେରିତ। ଏହାର ସର୍ତ୍ତ ଅନୁସାରେ, ଯେଉଁ ସାହିତ୍ୟିକଙ୍କ ନାମ ଏଥିପାଇଁ ପ୍ରସ୍ତାବିତ ହେବ ବା ସେ ନିଜେ ଏଥିପାଇଁ ଆବେଦନ କରିବେ, ସେ ଦୀର୍ଘ ଦୁଇ ଦଶନ୍ଧି କିମ୍ବା ତଦୁର୍ଦ୍ଧ୍ୱ ସମୟ ଧରି ଅବିଚ୍ଛିନ୍ନ ଭାବେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସାଧନା ଜାରି ରଖିଥିବେ। ପ୍ରମାଣ ସ୍ୱରୂପ ସେମାନଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ ଓ ସଦ୍ୟତମ ପୁସ୍ତକର ପ୍ରଚ୍ଛଦ ଓ ଇନର ପୃଷ୍ଠାର ଜେରକ୍ସ ନକଲ ଆବେଦନ ଦରଖାସ୍ତ ସହିତ ପ୍ରେରିତ ହେବ। ଅନ୍ୟ ସର୍ତ୍ତ ଅନୁସାରେ- ଓଡ଼ିଆ ଭାଷା ସାହିତ୍ୟରେ ତାଙ୍କର ଅନ୍ୟୂନ ୫ ଖଣ୍ଡ ସୃଜନଶୀଳ ସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇଥିବ।

ଧାରା ୫ ଓ ୬ରେ ଉଲ୍ଲେଖଥିବା ଏହି ସର୍ତ୍ତର ଅନ୍ୟ ଏକ ସଂପୃକ୍ତ ସର୍ତ୍ତ, ନିୟମାବଳୀର ଧାରା- ୭ରେ ଅଛି। ତାହା ହେଉଛି, “ସର୍ବାଧିକ ପୁସ୍ତକ ରଚନା ଓ ପ୍ରକାଶନ କରିଥିବା ବ୍ୟକ୍ତିଙ୍କୁ ତାଙ୍କ ନିରନ୍ତର ସାଧନା ଆଧାରରେ ଏହି ସମ୍ବର୍ଦ୍ଧନା ପାଇଁ ଅଗ୍ରାଧିକାର ଦିଆଯିବ।” ଅର୍ଥାତ୍‌, ଏଥିରେ ଏକାଡେମୀର ସଂବିଧାନରେ ବା ସଂପାଦକ (ସଚିବ)ଙ୍କ ପୂର୍ବ ପତ୍ରରେ ଉଲ୍ଲିଖିତ ‘Outstanding merit’ ବା ଅସାଧାରଣ କୃତିତ୍ୱସଂପନ୍ନ ସାରସ୍ୱତ କୃତିର ଗୁରୁତ୍ୱ ବା ‘ଗୁଣ’ର ବିଚାର ନାହିଁ; ଅଛି ପ୍ରକାଶିତ ପୁସ୍ତକର ସଂଖ୍ୟା ବା ‘ପରିମାଣ’ର ବିଚାର। ଅର୍ଥାତ୍‌, ଗୋଟିଏ କି ଦୁଇଟି, ତିନିଟି ବା ଚାରିଟି ଗୁଣାତ୍ମକ ପୁସ୍ତକ ରଚନା କରିଥିବା ବୟୋଜ୍ୟେଷ୍ଠ ସାହିତ୍ୟିକଙ୍କର ମଧ୍ୟ ଏହି ସମ୍ବର୍ଦ୍ଧନା ପାଇବାର ସର୍ବନିମ୍ନ ଯୋଗ୍ୟତା ନାହିଁ। ପୁଣି, ଏହି ସମ୍ବର୍ଦ୍ଧନା ପାଇଁ ସଂପୃକ୍ତ ସାଧକ ୨୦ ବର୍ଷ ବା ତା’ଠାରୁ ଊର୍ଦ୍ଧ୍ୱକାଳ ଧରି ନିରବଚ୍ଛିନ୍ନ ଭାବରେ ସାହିତ୍ୟ ସାଧନା କରୁଥିବା ଆବଶ୍ୟକ।
ଏହାର ଆଉ ଗୋଟିଏ ସର୍ତ୍ତର ସୂଚନା ମଧ୍ୟ ଅଛି ଧାରା-୬ରେ। ସେଥିରେ କୁହାଯାଇଛି- ଯେଉଁ ‘୫ଖଣ୍ଡ’ ପୁସ୍ତକ ଏହି ‘ସାରସ୍ୱତ ସମ୍ବର୍ଦ୍ଧନା’ ପାଇବାପାଇଁ ଜଣେ ସାରସ୍ୱତ ସାଧକର ସର୍ବନିମ୍ନ ଯୋଗ୍ୟତା- ତାଙ୍କର ସେହି ପାଞ୍ଚଖଣ୍ଡ ପୁସ୍ତକ ‘ସୃଜନଶୀଳ ସାହିତ୍ୟ ପୁସ୍ତକ’ ହିଁ ହୋଇଥିବା ଆବଶ୍ୟକ। ବିଭିନ୍ନ ପୁରସ୍କାର କ୍ଷେତ୍ରରେ ବାରମ୍ବାର ପ୍ରଶ୍ନ ଉଠି ଆସିଛି, ଯେ ‘ସୃଜନଶୀଳ ସାହିତ୍ୟ’ର ସଂଜ୍ଞା କ’ଣ? କେବଳ ଗଳ୍ପ, କବିତା, ଉପନ୍ୟାସ, ନାଟକ ଆଦି କ’ଣ ସୃଜନଶୀଳ? ଏହା ଭିନ୍ନ ଅନ୍ୟ କୌଣସି ସାହିତ୍ୟିକ କୃତି ନୁହେଁ?

ଏହି ପୁରସ୍କାରର ମୂଲ୍ୟାୟନ ପାଇଁ ଯେଉଁ ‘ପଦ୍ଧତି’ ଅନୁସୃତ ହେବ, ସେ ସଂପର୍କରେ ମଧ୍ୟ ତିନିଟି ବିନ୍ଦୁ (ବିନ୍ଦୁ- କ, ଖ ଓ ଗ) ଏହି ନିୟମାବଳୀର ‘ମୂଲ୍ୟାୟନ ପାଇଁ ଅନୁସୃତ ପଦ୍ଧତି’ରେ ଉଲ୍ଲେଖ କରାଯାଇଛି। ତାହାର ବିନ୍ଦୁ ‘ଖ’ରେ ଉଲ୍ଲେଖ ଅଛି- “ଲେଖକଙ୍କର ଯଦି ଅଧିକ ପୁସ୍ତକ ଅନୁବାଦ ହୋଇଥାଏ, ତେବେ ଚୟନ ପ୍ରକ୍ରିୟାରେ ଅଗ୍ରାଧିକାର ଦିଆଯିବ।” କିନ୍ତୁ, ଜଣେ ଲେଖକ ଯଦି ଅଧିକ ପୁସ୍ତକ ଓଡ଼ିଆ ଭାଷାକୁ ବା ଅନ୍ୟ ଭାଷାକୁ ଅନୁବାଦ କରିଥିବେ, ତାହାର କୌଣସି ପ୍ରାଧାନ୍ୟ ଏହି ନିୟମାବଳୀରେ ନାହିଁ। ଏହାର ଏକ ସୁଦୂର ପ୍ରସାରୀ ପରିଣାମ ଏଇଆ ହେବ, ଯେ କେବଳ ଓଡ଼ିଆ ସାହିତ୍ୟକୁ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇ ଆସିଥିବା ଏବଂ ଆଜି ପରି ସମ୍ବଳ ଓ ସାଧନ ଅଭାବରୁ ନିଜର ତଥାକଥିତ ସୃଜନଶୀଳ କୃତିକୁ ଅନ୍ୟ ଭାଷାକୁ ଅନୂଦିତ କରାଇ ପାରି ନଥିବା ବହୁ ବୟୋଜ୍ୟେଷ୍ଠ, ସତ୍ ସାଧକ ଏହି ସମ୍ବର୍ଦ୍ଧନାରୁ ବଞ୍ଚିତ ହେବେ। ଯେଉଁମାନଙ୍କ ପାଖରେ ପଇସା ଅଛି, ପଦପଦବି ବା ପ୍ରଭାବ ଅଛି ଏବଂ ତାହା ବଳରେ ନିଜର କୃତିକୁ କୌଣସିମତେ ଅନ୍ୟ ଭାଷାକୁ ଅନୁବାଦ କରାଇ ପାରୁଛନ୍ତି, ସେମାନେ ହିଁ ନିଜପାଇଁ ଏହି ସମ୍ବର୍ଦ୍ଧନା ଯୋଗାଡ଼ କରିନେବାକୁ ସକ୍ଷମ ହେବେ।
ଆଉ ଗୋଟିଏ ବିଚିତ୍ର ଓ ବିପଜ୍ଜନକ ସର୍ତ୍ତ ମଧ୍ୟ ଏହି ପୁରସ୍କାର ମୂଲ୍ୟାୟନ ପଦ୍ଧତିର ଧାରା- ‘ଗ’ରେ ଅଛି। ତାହା ହେଉଛି- “ଲେଖକ ସାହିତ୍ୟ ସଂଗଠନ କ୍ଷେତ୍ରରେ ଦୀର୍ଘଦିନ ବ୍ରତୀ ହୋଇ ବିଭିନ୍ନ ସାରସ୍ୱତ ସଭା ପରିଚାଳନା କରିଥିଲେ, ସମ୍ବର୍ଦ୍ଧନା ଚୟନ ସମୟରେ ଅଗ୍ରାଧିକାର ପ୍ରଦାନ କରାଯିବ।” ଏଥିପାଇଁ ପ୍ରମାଣ ସ୍ୱରୂପ, ସମସ୍ତ ନକଲ ପ୍ରଦାନ କରିବାର ନିୟମ ମଧ୍ୟ ରହିଛି। ଏହା ଏକ ବିପଜ୍ଜନକ ସର୍ତ୍ତ ଏଇଥିପାଇଁ, ଯେ ଏହା ଫଳରେ, ସାହିତ୍ୟ-ଅନୁଷ୍ଠାନ ଗଢ଼ି, ସଭାସମିତି କରି, ଖବରକାଗଜରେ ତାହାର ଫଟୋ ଓ ନିଉଜ୍ ଛାପି, ତାହାକୁ ନଥି କରି ରଖୁଥିବା ବ୍ୟକ୍ତିମାନେ ହିଁ ଏଥିରେ ଅଧିକ ଲାଭବାନ ହେବେ। ନିଭୃତରେ ବସି ନିରୁତା ସାହିତ୍ୟ ସାଧନା କରୁଥିବା ବ୍ୟକ୍ତି ରହିଯିବେ ଅପାଂକ୍ତେୟ ଓ ଅବହେଳିତ ହୋଇ।

କିନ୍ତୁ ଏସବୁ ସହିତ, ଆଉ ଗୋଟିଏ ଅତ୍ୟନ୍ତ ଅପମାନଜନକ ସର୍ତ୍ତ ମଧ୍ୟ ଏହି ସମ୍ବର୍ଦ୍ଧନା ନିୟମାବଳୀରେ ଅଛି। ଏବଂ ଆଶ୍ଚର୍ଯ୍ୟର ବିଷୟ, ଯେ ଏ ସଂପର୍କରେ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ ଓ ପ୍ରତ୍ୟକ୍ଷ ସୂଚନା ନାହିଁ। ନିୟମାବଳୀର ଧାରା-୮ରେ ସେ ସଂପର୍କରେ ଉଲ୍ଲେଖ ଅଛି- “ଏକାଡେମୀର ସାଧାରଣ ପରିଷଦର କୌଣସି ଜଣେ ସଦସ୍ୟଙ୍କ ଦ୍ୱାରା ଯେ କୌଣସି ସାରସ୍ୱତ ସାଧକ ନିଜ ନାମକୁ ପ୍ରସ୍ତାବିତ କରାଇ ନିର୍ଦ୍ଧାରିତ ଫର୍ମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦରଖାସ୍ତ ପ୍ରେରଣ କରିପାରିବେ।” ଏହା ଅତ୍ୟନ୍ତ ଅପମାନଜନକ ଏଇଥିପାଇଁ, ଯେ ଏକାଡେମୀର ସର୍ତ୍ତ ଅନୁଯାୟୀ, ଦୁଇ ଦଶନ୍ଧି ବା ତା’ଠାରୁ ଊର୍ଦ୍ଧ୍ୱକାଳ ସାଧନା କରିଥିବା ଜଣେ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ, ମାତ୍ର ତିନିବର୍ଷ ପାଇଁ କୌଣସିମତେ ଏକାଡେମୀର ସଦସ୍ୟ ହୋଇଥିବା ଜଣେ ବ୍ୟକ୍ତିଙ୍କର ଦ୍ୱାରସ୍ଥ ହୋଇ, ତାଙ୍କ ଦ୍ୱାରା ନିଜ ନାମକୁ ପ୍ରସ୍ତାବିତ କରାଇ, ଏହି ସମ୍ବର୍ଦ୍ଧନା ପାଇଁ ଏକାଡେମୀକୁ ପଠାଇବେ। କହିବା ଅତ୍ୟୁକ୍ତି ହେବ ନାହିଁ, ଯେ ଏକାଡେମୀ ସଦସ୍ୟଙ୍କ ଦ୍ୱାରା ଏହି ‘ପ୍ରସ୍ତାବିତ କରାଇବା’ ତାଙ୍କର ‘ସୁପାରିଶ’ ଭିନ୍ନ ଅନ୍ୟ କିଛି ନୁହେଁ।
ଏଣୁ ଏହି ଅସାଂବିଧାନିକ, ଅହଂପ୍ରସୂତ, ବିଚିତ୍ର ଓ ଅପମାନଜନକ ସାରସ୍ୱତ ସମ୍ବର୍ଦ୍ଧନା ନିୟମାବଳୀକୁ ଏକାଡେମୀ କର୍ତ୍ତୃପକ୍ଷ ତୁରନ୍ତ ପ୍ରତ୍ୟାହାର କରିବାପାଇଁ ପଦକ୍ଷେପ ନିଅନ୍ତୁ। ସଭାପତି ଜରୁରୀ ‘ସାଧାରଣ ପରିଷଦ’ ବୈଠକ ଡକାଇ ତୁରନ୍ତ ଏହାକୁ ପ୍ରତ୍ୟାହାର କରନ୍ତୁ।

ସୁଖର କଥା, ଯେ ରାଜ୍ୟର ଦୁଇ ଜଣ ବିଶିଷ୍ଟ କବି ଓ ସଂପାଦକ-ଅନୁବାଦକ ଏବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ଉପସଭାପତି ପଦରେ ଅଛନ୍ତି। କିନ୍ତୁ ଦୁଃଖର କଥା, ଯେ ସେମାନେ ଏ ବାବଦରେ ନିରବ। ସେମାନଙ୍କର ସାହିତ୍ୟ-ବିବେକ ଏବେ ଅନ୍ତତଃ ଏହି ସିଆଣିଆ-ସୁଷୁପ୍ତିରୁ ସକ୍ରିୟ-ଜାଗୃତିକୁ ଫେରୁ! ଏକାଡେମୀର ଏ ଦୁଇ ମୁକୁଟକୁ ସେମାନେ ସରକାରଙ୍କର ଏହି ଅପମାନଜନକ ସର୍ତ୍ତ ଆଗରେ ନିର୍ଲଜ ଭାବରେ ନିବେଦିତ କରି ନି ଦିଅନ୍ତୁ! ନହେଲେ କାଳକାଳକୁ ସେମାନେ ଓଡ଼ିଆ ସାରସ୍ୱତ ଇତିହାସର ଦୁଇ କଳଙ୍କିତ ନାୟକ ହୋଇ ରହିଯିବେ।
ମୋ: ୯୪୩୭୦ ୩୪୮୦୪