ଯେତେବେଳେ କବିବର ପ୍ରତୀଚୀ ରାଗରେ ଓଡ଼ିଆ କାବ୍ୟର ସ୍ନିଗ୍ଧ ରାଗିଣୀ ତୋଳୁଥିଲେ ଏବଂ ଏ ଜାତିର ସେନାପତି ଉପନିବେଶବାଦର ଛାତିକୁ ବିନ୍ଧୁଥିଲେ ଅବ୍ୟର୍ଥ ବାଟୁଳି, ସେତେବେଳେ ଓଡ଼ିଶାର ଅଗଣିତ କୋମଳମତି ଶିଶୁଙ୍କ କାନେକାନେ କହୁଥିଲେ ଭକ୍ତମଧୁ: “ପାହିଲା ଅନ୍ଧାର ରଜନୀ ଉଠ ଉଠ ବାଳକେ, ନବୀନ ପ୍ରଭାତ ସମୟ ଏବେ ଗାଅ ପୁଲକେ।”
ଭକ୍ତକବି ଭାବରେ ସୁପରିଚିତ ମଧୁସୂଦନ ରାଓ ଥିଲେ ବ୍ରାହ୍ମଧର୍ମାବଲମ୍ବୀ। ବ୍ରାହ୍ମମନସ୍କ ମଧୁସୂଦନ ବିଭୁଭକ୍ତିରେ ମନପ୍ରାଣ ସମର୍ପିଥିଲେ। ତେଣୁ ତାଙ୍କ ଲେଖନୀରୁ ଅସଂଖ୍ୟ ଭକ୍ତିଗୀତ ନିଃସୃତ ହୋଇଥିଲା। ଆଧୁନିକ ଓଡ଼ିଆ ସାହିତ୍ୟରେ ଆଧ୍ୟାତ୍ମିକତାର ଏକ ଅମିୟ ଧାରାର ସେ ପ୍ରବର୍ତ୍ତକ। ଗଦ୍ୟ ସାହିତ୍ୟରେ ମଧ୍ୟ ଭକ୍ତମଧୁଙ୍କର ଗଭୀର ପ୍ରବେଶ ଥିଲା। ସେ ଜଣେ ସଫଳ ପ୍ରାବନ୍ଧିକ ଓ ଅନୁବାଦକ ଭାବରେ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ‘ପ୍ରବନ୍ଧମାଳା’ ବିବିଧ ବିଷୟ ଆଧାରିତ ଏକ ଅମୂଲ୍ୟ ଗ୍ରନ୍ଥ। ଭବଭୂତିଙ୍କ ‘ଉତ୍ତର-ରାମଚରିତ’, ଏବଂ ଅନେକ ଇଂରେଜୀ କବିତା ଓଡ଼ିଆରେ ଅନୁବାଦ କରି ଓଡ଼ିଆ ସାହିତ୍ୟରେ ଅନୁବାଦ ଧାରାକୁ ସେ ଗତିଶୀଳ କରିଥିଲେ।
ଶିକ୍ଷା ବିଭାଗ ସହିତ ଓତପ୍ରୋତ ଭାବରେ ଜଡ଼ିତ ମଧୁସୂଦନ ଛାତ୍ରଛାତ୍ରୀମାନଙ୍କର ସୁବିଧାଅସୁବିଧା, ଦାୟଦରକାର ଆଦି ସହିତ ଭଲଭାବରେ ପରିଚିତ ଥିଲେ। ଓଡ଼ିଆ ପିଲାମାନଙ୍କର ଭାଷାଶିକ୍ଷା ସମ୍ବଳିତ ପ୍ରତିବନ୍ଧ ସେ ହୁଏତ ଅଙ୍ଗେ ନିଭାଇଥିଲେ। ଛାତ୍ରଛାତ୍ରୀମାନେ କିପରି ସହଜରେ ଭାଷା ଶିକ୍ଷାଲାଭ କରିପାରିବେ, ତାହା ତାଙ୍କ ପାଇଁ ହୋଇଥାଇପାରେ ଚିନ୍ତାର କାରଣ। ସେଥିପାଇଁ ବୋଧହୁଏ ଓଡ଼ିଆ ‘ବର୍ଣ୍ଣବୋଧ’ ରଚନାକୁ ସେ ଅଗ୍ରାଧିକାର ଦେଇଥିଲେ।
ମଧୁସୂଦନଙ୍କ ବର୍ଣ୍ଣବୋଧ ୧୮୯୬ ମସିହାରେ ପ୍ରଥମେ ଆତ୍ମପ୍ରକାଶ କରିଥିଲା। ତଦ୍ଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀମାନେ ସାମ୍ନା କରୁଥିବା ଗୋଟେ ବଡ଼ ଅଭାବ ଦୂର ହୋଇଥିଲା। ଅବନା ଅକ୍ଷର ଠାରୁ ଆକାର, ଇକାର ପୁଣି ଯୁକ୍ତାକ୍ଷର ପର୍ଯ୍ୟନ୍ତ ଅକ୍ଷର ଶିକ୍ଷାକୁ ସହଜ, ସାବଲୀଳ ଓ ସୁବିନ୍ୟସ୍ତ କରିଛନ୍ତି ଭକ୍ତମଧୁ। ‘ଅଖ’, ‘ଈଶ’, ‘ଓଟ’ ଆଦି ଦୁଇ ବର୍ଣ୍ଣ ବିଶିଷ୍ଟ ଶବ୍ଦ, ‘ଅଳସ’, ‘ସହଜ’ ପରି ତିନି ବର୍ଣ୍ଣ ବିଶିଷ୍ଟ ଶବ୍ଦ ଏବଂ ‘ବରଗଛ’, ‘ପଥର ଘର’ ଓ ‘ଦଶଗଛ ପଣସ’ ପରି ବହୁ ବର୍ଣ୍ଣ ବିଶିଷ୍ଟ ଶବ୍ଦାବଳୀରୁ ଆରମ୍ଭ ହୋଇଛି ବର୍ଣ୍ଣବୋଧ। ଏ ସମସ୍ତ ଅବନା ଅକ୍ଷରର ସମଷ୍ଟି। ଆକାର, ଇକାର ନ ଜାଣି କେବଳ ଅକ୍ଷର ଶିକ୍ଷା କରି ପିଲାଟିଏ ବର୍ଣ୍ଣବୋଧ ପଢ଼ା ଆରମ୍ଭ କରିପାରିବ। ପଛକୁପଛ ଆକାର, ଇକାର, ଯୁକ୍ତାକ୍ଷର, ଫଳା, ସଂଯୋଗ ଆଦି ପଢ଼ି ପିଲାମାନେ ଭାଷା ବିଷୟରେ ସମ୍ୟକ୍ ଜ୍ଞାନ ଅର୍ଜନ କରିବାକୁ ସକ୍ଷମ ହେବେ।
ବର୍ଣ୍ଣ, ଅକ୍ଷର, ଶବ୍ଦ, ଖଣ୍ଡବାକ୍ୟ, ବାକ୍ୟ, ଗୀତ, ଗଦ୍ୟ ଆଦି ସଂକ୍ଷେପରେ ଭକ୍ତମଧୁ ଲେଖିଛନ୍ତି ବର୍ଣ୍ଣବୋଧରେ। ଏସବୁ ଛଡ଼ା ଆହୁରି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ଯାହା ପିଲାମାନେ ଶୈଶବାବସ୍ଥାରେ ଜାଣିବା ଚାହି। ସେଥିପାଇଁ ବର୍ଷ, ମାସ, ଦିନ, ଋତୁ, ପକ୍ଷ, ସପ୍ତାହ ଆଦି କଥା ଅତି ପ୍ରାଞ୍ଜଳ ଭାବରେ ଗୀତ ଛଳରେ କୁହାଯାଇଛି ଭକ୍ତମଧୁଙ୍କ ବର୍ଣ୍ଣବୋଧରେ। କିଛି ଜାଣି ନ ଥିବା ପିଲାଟି ସେଥିରୁ ଦିନ କ’ଣ, ବାର କ’ଣ ଜାଣିପାରିବ: “ଦିନ ରାତି ମିଶି ଦିବସ ଏକ, ସାତ ଦିବସରେ ସପ୍ତାହ ଲେଖ।” ତତ୍ପରେ “ରବି ପରେ ସୋମ, ତା’ପରେ ମଙ୍ଗଳ, ତା’ପରେ ଯେ ବୁଧବାର, ଗୁରୁ, ଶୁକ୍ର, ଶନି ଆସେ ତାହା ପରେ, ସାତ ବାର ଏ ପ୍ରକାର।” ଏହା ଦ୍ୱାରା ଅତି ସହଜରେ ସାତ ବାରର ନାମ ମନେ ରଖିପାରନ୍ତି ପିଲାମାନେ। ପୁଣି “ପନ୍ଦର ଦିନକୁ ଏକ ପକ୍ଷ ବୋଲି, ଦୁଇ ପକ୍ଷେ ଏକ ମାସ। ଦୁଇ ମାସ ମିଳି ଏକ ଋତୁ ହୁଏ, ମନେ ରଖ ପୀତବାସ।” ସେତିକିରେ ମଧୁସୂଦନ ଛାତ୍ରଛାତ୍ରୀମାନଙ୍କ ସାଧାରଣ ଜ୍ଞାନ ଶିକ୍ଷାରେ ଗାର ଟାଣି ନାହାନ୍ତି। “ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ”- ଏପରି ବାର ମାସ ଓ ଛଅ ଋତୁର ବର୍ଣ୍ଣନା ସେ କରିଛନ୍ତି ସରଳ ଭାଷାରେ। ସେହି ଗୀତ ଶେଷରେ ପୁଣି ଲେଖୁଛନ୍ତି, “ବାର ମାସର କଥା ଏହି, ହେଜ ବାଳକେ ମନ ଦେଇ।”
ଶୁକ୍ଳପକ୍ଷ ଓ କୃଷ୍ଣପକ୍ଷ- ଏ ଦୁଇଟି ମହାଜାଗତିକ ବ୍ୟାପାର। ଶିଶୁଟି ଏହାକୁ କିପରି ବୁଝିବ? ତାକୁ ମଧ୍ୟ ଗୀତରେ ବୁଝାଉଛନ୍ତି ଭକ୍ତମଧୁ: “ଶୁକ୍ଳପକ୍ଷେ ଚନ୍ଦ୍ର ପ୍ରତିଦିବସରେ ବଢ଼ଇ ପୂର୍ଣ୍ଣିମା ଯାଏ। କୃଷ୍ଣପକ୍ଷେ ପୁଣି ଅମାବାସ୍ୟା ଯାଏ ଅଳ୍ପେ ଅଳ୍ପେ ଛିଡୁଥାଏ।” ତା’ପରେ ସୂର୍ଯ୍ୟ, ଚନ୍ଦ୍ର, ତାରା, ଆକାଶ, ସମୁଦ୍ର, ନଦୀ, ପର୍ବତ ଆଦି କଥା ଲେଖିବାକୁ ମଧ୍ୟ ଭୁଲିନାହାନ୍ତି ମଧୁସୂଦନ। ଶେଷରେ ‘ପ୍ରଭାତ’ ଓ ‘ସନ୍ଧ୍ୟା’ର ବର୍ଣ୍ଣନା ମଧ୍ୟ ବେଶ୍ ଚିତ୍ତାକର୍ଷକ। ବର୍ଣ୍ଣବୋଧ ପଢ଼ିଥିବା ପିଲାଟି ବୁଢ଼ା ହେବା ପର୍ଯ୍ୟନ୍ତ ନା “ଆକାଶ ଦିଶେ କି ସୁନ୍ଦର, ତାହାକୁ ରଚିଲେ ଈଶ୍ୱର” ଭୁଲିପାରେ, ନା ଭୁଲିପାରେ “ହରିଣ ନ ଦିଏ ଧରା, ଦଉଡ଼ନା ବଡ଼ ଖରା।”
ପଚାଶ ପୃଷ୍ଠାର ଗୋଟେ ଚଟି ବହି; ପିଢ଼ି ପିଢ଼ି ଧରି ଓଡ଼ିଆ ପିଲାମାନଙ୍କୁ ଆଲୋକିତ କରିଆସୁଛି ଏବଂ କରୁଥିବ ଯାବତ ଚନ୍ଦ୍ରାର୍କେ।
ମୋ: ୯୪୩୭୧୪୩୮୯୬