କିଛି ଦିନ ତଳେ ଗୋପବନ୍ଧୁ ପ୍ରାଶାସନିକ ଏକାଡେମୀକୁ ଯାଇଥିଲି। ଓଡ଼ିଶା ପ୍ରାଶାସନିକ ସେବାରେ ସଦ୍ୟ ଯୋଗ ଦେଇଥିବା ଯୁବ ଅଫିସରମାନଙ୍କ ଉଦ୍‌ବୋଧନୀ ଉତ୍ସବରେ। ଆଜିର ଯୁବ ଅଫିସରମାନଙ୍କୁ ଦେଖିଲେ, ସେମାନଙ୍କର କଥାବାର୍ତ୍ତା, ଆଚାର ବିଚାରରେ ନିଜକୁ ଗର୍ବିତ, ଅନୁପ୍ରାଣିତ ଲାଗେ। ମନକୁ ଆସେ, ସବୁଦିନ ପାଇଁ ଏମାନେ ଏହିପରି ଉଜ୍ଜ୍ବଳ, ଆଦର୍ଶବାଦୀ ରହିଲେ ଦେଶ ଜାତି ଏକ ଭିନ୍ନ କକ୍ଷକୁ ଚାଲିଯିବ। ଗୋପବନ୍ଧୁ ପ୍ରାଶାସନିକ ଏକାଡେମୀରେ ପହଞ୍ଚି ମୁଁ ଭାବିଥିଲି, ସେମାନଙ୍କୁ କେଉଁ ବିଷୟରେ ମୁଁ କିଛି କଥା କହିବି? ସେତେବେଳେ ମୋ ମନକୁ ଗୋଟିଏ କଥା ଆସିଥିଲା। କର୍ମ ଜୀବନର ପ୍ରଥମ ସୋପାନରେ ଠିଆ ହୋଇଥିବା ଏହି ସମସ୍ତ ଅଧିକାରୀମାନଙ୍କ ମଧ୍ୟରୁ କେତେକ ଜୀବନରେ ଆଗକୁ ଯିବେ। କେତେ ଜଣ ହୁଏତ ବହୁତ ଆଗକୁ ଯିବେ। କିନ୍ତୁ ଅନ୍ୟ କେତେ ଜଣ ଯିବା ବାଟରେ ନିଜର ଆତ୍ମ ଶୃଙ୍ଖଳାକୁ ଅବହେଳା କରି ଗୋଟିଏ ପ୍ରତିଶ୍ରୁତ ଭବିଷ୍ୟତ ଠାରୁ ବିଚ୍ୟୁତ ହେବାର ଆଶଙ୍କା ମଧ୍ୟ ରହିଥାଏ। ଉପଯୁକ୍ତ ଶିକ୍ଷା, ବିସ୍ତୃତ କାମ କରିବାର ସୁଯୋଗ ଥାଇ ମଧ୍ୟ ସେମାନେ ବାଟହରା ହେବାର ସମ୍ଭାବନା ଆସିପାରେ। ଏଥିପାଇଁ ପ୍ରତ୍ୟେକଙ୍କୁ ସବୁ ମୁହୂର୍ତ୍ତରେ ସଚେତନ ରହିବାକୁ ହେବ। ସେଦିନ ଗୋପବନ୍ଧୁ ପ୍ରାଶାସନିକ ଏକାଡେମୀରେ ଏହି ମର୍ମରେ ମୁଁ ମୋର ବକ୍ତବ୍ୟ ରଖିଥିଲି।

Advertisment

ଜୀବନରେ ଚରିତ୍ରଗତ ଭୁଲ୍‌ କରିବାର ଆଶଙ୍କା କ’ଣ କେବଳ ଜଣେ ଅସତ୍‌-ଚରିତ୍ର ମଣିଷ ନିକଟରେ ଥାଏ? ସତ୍-ଚରିତ୍ର ମଣିଷଟିଏ ଜାଣତ ବା ଅଜାଣତରେ ଭୁଲ୍‌ ରାସ୍ତାରେ ପାଦ ଦେବାର ଉଦାହରଣ କ’ଣ ବିରଳ?
ପିଲାଦିନେ ଆମ ବାପା, ମା’, ଶିକ୍ଷକ, ଗୁରୁଜନ ଆମକୁ ତାଗିଦା କରିଦେଉଥିଲେ- ଖରାପ ପିଲାଙ୍କ ସାଙ୍ଗରେ ସାଙ୍ଗ ହେବ ନାହିଁ। କୁସଙ୍ଗ ଜୀବନକୁ ଦୁର୍ବିଷହ କରିଦେବ। ଆମ ମନରେ ରହିଯାଏ ଯେ କେବଳ ଖରାପ ଲୋକ ହିଁ ଖରାପ କାମ କରିଥା’ନ୍ତି। ମୁଁ ମଧ୍ୟ ପ୍ରଥମେ ସେଇଭଳି ଭାବିନେଇଥିଲି। କିନ୍ତୁ ପାଠ ଶେଷ ହେବା ପରେ ଯେତେବେଳେ ପ୍ରକୃତ ଜୀବନ ଗଢ଼ିବାର ସମୟ ଆସିଲା, ସେତେବେଳେ ମୁଁ ଜାଣିଲି ଯେ ଜୀବନ ଏତେ ସରଳ ନୁହେଁ। ପୃଥିବୀରେ କେବଳ ଖରାପ ଲୋକ ଯେ ଖରାପ କାମ କରନ୍ତି ତା’ ନୁହେଁ, କେତେକ ସମୟରେ ଅନେକ ବଡ଼ ଧରଣର ଖରାପ କାମ ଭଲ ଲୋକଙ୍କ ଦ୍ବାରା ମଧ୍ୟ ହୋଇଥାଏ। ହୁଏତ ସେମାନଙ୍କ ଜୀବନରେ ଏଭଳି ଗୋଟିଏ ପରିସ୍ଥିତି ଆସେ, ଯେତେବେଳେ ସେମାନେ ବୁଦ୍ଧିଭ୍ରଷ୍ଟ ହୋଇଯାଆନ୍ତି। ସେଇ ମୁହୂର୍ତ୍ତକର ବୁଦ୍ଧିଭ୍ରଂଶ ସେମାନଙ୍କର ଜୀବନକୁ ଓଲଟପାଲଟ କରିଦିଏ। ସାରା ଜୀବନର ପ୍ରତିଷ୍ଠା ଓ ସୁନାମ ସବୁଦିନ ପାଇଁ ଲିଭିଯାଏ। ଗର୍ହିତ କାମ କରି ନିଜର ଆତ୍ମସମ୍ମାନ ହରାଇଥିବା ଭଲ ମଣିଷମାନଙ୍କର ଦୃଷ୍ଟାନ୍ତ ମୁଁ ମୋ’ କର୍ମ ଜୀବନରେ ବେଶ୍‌ କେତେ ଥର ଦେଖିଛି। ସ୍କୁଲ କଲେଜରେ ଭଲ ପାଠ ପଢୁଥିବା, ଗୁରୁଜନମାନଙ୍କର ପ୍ରିୟପାତ୍ର ହୋଇଥିବା ତଥା କର୍ମ ଜୀବନରେ ଆଦର୍ଶ ମଣିଷ ବୋଲି ଗଣା ହେଉଥିବା ମଣିଷଟିଏ ହଠାତ୍‌ କେମିତି ପଥଭ୍ରଷ୍ଟ ହୋଇଯାଏ?

ବହୁବର୍ଷ ତଳ କଥା। ସେତେବେଳେ ମୁଁ ‘ଉଇପ୍ରୋ’ କଂପାନୀରେ କାମ କରୁଥିଲି। ‘ଉଇପ୍ରୋ’ର ଚେୟାରମ୍ୟାନ୍‌ ଆଜିମ୍‌ ପ୍ରେମଜୀ ନୂଆ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ସାଙ୍ଗଠନିକ ମୂଲ୍ୟବୋଧ ବିଷୟରେ ବୁଝାଉଥିଲେ। ସେଇ ମୂଲ୍ୟବୋଧର ଗୋଟିଏ ବିଷୟ ଥିଲା ସତ୍ୟନିଷ୍ଠା। ପ୍ରେମ୍‌ଜୀ କହୁଥିଲେ ଯେ ସତ୍ୟନିଷ୍ଠ ହେବା ପାଇଁ ଜଣେ ମଣିଷକୁ ଚାରିଟି ଜିନିଷ ପ୍ରତି ସଜାଗ ରହିବାକୁ ପଡ଼ିବ। ପ୍ରଥମଟି ହେଲା, ନିୟମ ପାଳନ। ଯେଉଁଠି ନିୟମଟିଏ ଅଛି, ସେ ନିୟମ ଆମକୁ ପାଳନ କରିବାକୁ ହେବ। ଦ୍ୱିତୀୟ ଜିନିଷ ହେଉଛି ବିବେକ। ଯେଉଁଠି ନିୟମଟିଏ ଅଛି କି ନାହିଁ ତାହା ଅଜଣା, ସେତେବେଳେ ନିଜ ବିବେକକୁ ପ୍ରଶ୍ନ କରି ଠିକ୍ ଭୁଲ୍‌ର ସିଦ୍ଧାନ୍ତ ନେବାକୁ ହେବ। ତୃତୀୟ ଜିନିଷ ହେଲା, ଉପଦେଶ। ଯଦି ନିୟମ ବା ନିଜ ବିବେକକୁ ନେଇ କୌଣସି ଦ୍ବନ୍ଦ୍ବ ଉପୁଜେ, ସେଇ ପରିସ୍ଥିତିରେ କିଛି କରିବା ଆଗରୁ ଅନ୍ୟ ଜଣେ ମଣିଷକୁ ଥରେ ପଚାରି, ତାଙ୍କର ଉପଦେଶ ଓ ମତାମତ ନେଇ ଉଦ୍ଦିଷ୍ଟ କାମଟି କରିବା। ସର୍ବଶେଷରେ, ଆତ୍ମ ସମ୍ମାନ। ଆମେ ଏପରି କାମ କରିବା ନାହିଁ, ଯାହା ଲୋକଲୋଚନକୁ ଆସିଲେ, କ୍ଷଣିକ ପାଇଁ ହେଉ ନା କାହିଁକି, ଆମକୁ ବିବ୍ରତ ହେବାକୁ ପଡ଼ିବ। ଆମର ଆତ୍ମ ସମ୍ମାନରେ ଆଞ୍ଚ ଆସିବ।

ଏଇ ଚାରିଟି ସିଦ୍ଧାନ୍ତକୁ ଆଉ ଟିକେ ଗଭୀର ଭାବରେ ଆଲୋଚନା କରିବା। ପ୍ରଥମଟି ହେଲା ନିୟମ ସମ୍ବନ୍ଧିତ। ଯେଉଁଠି ନିୟମ ରହିଛି, ସେଠାରେ ସେଇ ନିୟମକୁ ସଂପୂର୍ଣ୍ଣଭାବେ ପାଳନ କରିବାକୁ ପଡ଼ିବ। ଅନେକ ସମୟରେ ଯେଉଁ ନିୟମଟି ଆମକୁ ସୁବିଧାଜନକ ମନେ ହୁଏ, ଆମେ ତାକୁ ପାଳନ କରୁ। ଆଉ ଯେଉଁଟି ପ୍ରତିକୂଳ ମନେହୁଏ, ଆମେ ସେଇଟିକୁ ଆଡ଼େଇ ଦେଇଥାଉ। ଗୋଟିଏ ସମାଜରେ ନିୟମ ପାଳନରେ ଯଦି ଭିନ୍ନତା ରହେ, ତେବେ ଗୋଷ୍ଠୀଗତ ଭାବରେ ସମାଜ ବ୍ୟବସ୍ଥା ଭୁଷୁଡ଼ି ପଡ଼ିପାରେ। ଦ୍ୱିତୀୟ ସିଦ୍ଧାନ୍ତଟି ବିବେକ ବିଚାରକୁ ନେଇ। ଜୀବନର ପ୍ରତ୍ୟେକଟି ଜିନିଷ ପାଇଁ ନୀତି କିମ୍ବା ନିୟମକାନୁନ ରହିବା ସମ୍ଭବ ନୁହେଁ। ସେଇଥିପାଇଁ ଆମକୁ ବିବେକର ସ୍ୱର ଶୁଣିବାକୁ ପଡ଼େ। ବିବେକର ସ୍ୱର ଶୁଣିବା ପାଇଁ ଉଚ୍ଚ ଶିକ୍ଷାର ଆବଶ୍ୟକତା ନଥାଏ। ଜୀବନରେ କେଉଁ ଜିନିଷଟି ଭୁଲ, କେଉଁଟି ଠିକ୍- ତାହା ଅନେକ ସମୟରେ ଜଣେ ଅଶିକ୍ଷିତ ମଣିଷ ମଧ୍ୟ କହିଦେଇ ପାରିବ। ଏମିତିରେ ଦେଖିଲେ, ଆମେ ଯଦି ସବୁବେଳେ ନିଜ ବିବେକକୁ ଚାହିଁ କାମ କରିବା, ତେବେ ଆମର ଆଇନକାନୁନ ଜ୍ଞାନର ଆବଶ୍ୟକତା ନାହିଁ।

ତେବେ ଜୀବନରେ ଏପରି ସମୟ ମଧ୍ୟ ଆସିପାରେ, ଯେତେବେଳେ ଆମେ ମନର ସ୍ୱରକୁ ବିବେକର ସ୍ୱର ବୋଲି ଭାବି ନେଉ। ମନ ଆମକୁ ଭୁଲ୍‌ ବାଟକୁ ଟାଣି ନେବା ବେଳେ ଦୃଢ଼ ଭାବରେ କହେ, ‘ଆଗେଇ ଯାଅ, ଭାବିବାର କିଛି ନାହିଁ। ମାଡ଼ିଚାଲ। ମୁଁ ପରା ତୁମ ବିବେକ କହୁଛି।’ ଏପରି ପରିସ୍ଥିତିରେ ବୁଦ୍ଧିମାନ ମଣିଷ ଏଭଳି ଜଣେ ବ୍ୟକ୍ତିଙ୍କଠାରୁ ଉପଦେଶ ମାଗିବା ଉଚିତ୍‌, ଯାହାଙ୍କର କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନ ଥିବ। ମୁଁ ଅନେକ ସମୟରେ ଉଦାହରଣ ଦେବା ଛଳରେ କହିଥାଏ- କୌଣସି ସମସ୍ୟାମୂଳକ କିମ୍ବା ବସ୍ତୁତଃ ଭୁଲ୍ କାମ କରିବା ଆଗରୁ ଆମେ ଯଦି ଥରେ ବୋଉଙ୍କୁ ଫୋନ କରି ପଚାରିବା, “ବୋଉ, ଆଜି ଲାଞ୍ଚ ଟିକେ ନେବି, କ’ଣ ଭାବୁଛୁ?” କିମ୍ବା “ବୋଉ, ଆଜି ଅଫିସରେ ଗୋଟିଏ ଚକ୍ରାନ୍ତ କରିବାର ସୁଯୋଗ ପାଇଛି। କେହି ଦେଖିବନି କି ଜାଣିବନି। ତୋର କ’ଣ ମତାମତ ଟିକେ କହିବୁକି?”

ମୋର ଦୃଢ଼ ବିଶ୍ୱାସ, ୯୯ ପ୍ରତିଶତ କ୍ଷେତ୍ରରେ, ଯେ କୌଣସି ବୋଉଙ୍କ ଠୁଁ ପ୍ରଥମେ ଏହା ନେଇ ଗାଳି ଶୁଣିବାକୁ ହେବ ଏବଂ ସତ୍‌ ପଥରେ ଠିକ୍‌ ଭାବରେ କାମ କରିବାକୁ ଉପଦେଶ ମିଳିବ। ବୋଉଙ୍କ ସ୍ଥାନରେ ଯଦି ଜଣେ ପିଲାବେଳର ସ୍କୁଲ ଶିକ୍ଷକ କିମ୍ବା ଜଣେ ଚରିତ୍ରବାନ ବନ୍ଧୁ ଅଥବା ଆଉ କେହି ନିଃସ୍ୱାର୍ଥପର ବ୍ୟକ୍ତିଟିଏ ରହନ୍ତି, ତେବେ ସେ ମଧ୍ୟ ଠିକ୍ ଏକା କଥା କହିବେ। ଗର୍ହିତ କାମଟିଏ କରିବା ଆଗରୁ ଥରେ ଆଉ ଜଣଙ୍କୁ ପଚାରିଦେଲେ, ଜୀବନର ଅନେକ ଅସମ୍ମାନଜନକ ପରିସ୍ଥିତି ଘଟିବା ଆଗରୁ ଆମେ ନିଜକୁ ସମ୍ଭାଳି ନେଇ ପାରିବା। ଜୀବନରେ ଅସମ୍ମାନ ପରି ଘୃଣ୍ୟ ବିଷୟ ଆଉ କିଛି ନାହିଁ। ପ୍ରତ୍ୟେକ ମୁହୂର୍ତ୍ତରେ ନିଜକୁ ଭାବିବାକୁ ପଡ଼ିବ, ମୁଁ କରିବାକୁ ଯାଉଥିବା କାମଟି ଯଦି ଲୋକଲୋଚନକୁ ଆସିଲେ ମୋତେ ଆଖି ତଳକୁ କରି ନେବାକୁ ହେବ, ତା’ହେଲେ ସେଇ କାମଟି ପ୍ରଥମରୁ ନ କରିବା ହିଁ ଭଲ।

ସେଦିନ ଗୋପବନ୍ଧୁ ପ୍ରାଶାସନିକ ଏକାଡେମୀର ଯୁବ ଅଫିସରମାନଙ୍କୁ ବିବେକ ବିଚାର କଥା ତ କହିଥିଲି। କିନ୍ତୁ ମୁଁ ମୋ ଜୀବନରେ ଦେଖିଥିବା କେତେକ ଆଦର୍ଶପରାୟଣ ବ୍ୟକ୍ତିଙ୍କ ପଥଭ୍ରଷ୍ଟ ହେବାର ଦୃଷ୍ଟାନ୍ତମାନ ମଧ୍ୟ ଦେଇଥିଲି। ସେଇ ଉଦାହରଣମାନ ସେମାନଙ୍କୁ ହୁଏତ ସାବଧାନ କରେଇ ଦେବ ଏବଂ କର୍ମ ଜୀବନର କେତୋଟି ସମ୍ଭାବ୍ୟ ପରିସ୍ଥିତିକୁ ପରିହାର କରିବାର ମାନସିକ ଶକ୍ତି ଯୋଗାଇ ଦେବ।

ପ୍ରଥମଟି ହେଲା କୁସଙ୍ଗ। ବନ୍ଧୁ ଶବ୍ଦ ବନ୍ଧନ ଶବ୍ଦ ସହିତ ଯୋଡ଼ା। ବନ୍ଧୁ ଯଦି କୁପଥକୁ ଟାଣନ୍ତି, ଆମେ ବାନ୍ଧି ହୋଇଯାଉ। ବିଶେଷ କରି ଦଳେ ବନ୍ଧୁ ଯଦି ଏକାଠି କହନ୍ତି- ଡରିବାର କ’ଣ ଅଛି? ଥରଟିଏ ଚାଖିଦେଖ, କିଛି ହେବ ନାହିଁ, ବରଂ ଭଲ ଲାଗିବ- ଆମେ ଦ୍ୱନ୍ଦ୍ବରେ ପଡ଼ିଯାଉ। ମନକୁ ଆସେ, ସେମାନଙ୍କ କଥା ନ ମାନିଲେ, ମୋତେ ଡରୁଆ, ଲାଜକୁଳା, ଗାଉଁଲି ବୋଲି ଭାବିବେ। କିନ୍ତୁ ମନେ ରଖିବାକୁ ହେବ ଯେ ଏପରି ବନ୍ଧୁମାନଙ୍କ ଅପେକ୍ଷା ଶତ୍ରୁ ଅପେକ୍ଷାକୃତ ଭଲ।

କୁସଙ୍ଗ ବ୍ୟତୀତ ଆଉ ଗୋଟିଏ ବିଷୟ ପ୍ରତି ମଧ୍ୟ ସଚେତନ ରହିବାକୁ ହେବ। ନୂଆ ନୂଆ କର୍ମ ଜୀବନ ଆରମ୍ଭ। ନୂଆ ନୂଆ ମଣିଷମାନଙ୍କ ସାଙ୍ଗରେ ପରିଚୟ। ନିଜର ଅପରିପକ୍ବ ବୟସରେ ଜଣେ ଉପରିସ୍ଥ ବ୍ୟକ୍ତିଙ୍କ ଅଧୀନରେ କାମ କରିବା ସମୟରେ ଅନେକ ସମୟରେ ମନକୁ ଆସିଯାଏ ଯେ ସେ ହେଉଛନ୍ତି ଆଦର୍ଶ। ରୋଲ୍‌ ମଡେଲ୍‌। ଅଥଚ ଏପରି ହୋଇପାରେ ଯେ ବିଭିନ୍ନ ସମୟରେ ସେହି ବ୍ୟକ୍ତିଜଣକ ଏଭଳି କିଛି କାମ କରିବାକୁ କହିପାରନ୍ତି, ଯାହା ଉଚିତ୍‌ ନୁହେଁ। ଆମ ମନକୁ ଆସିପାରେ ଯେ ଅସତ୍ କାମଟି ନ କଲେ ଉପରିସ୍ଥ କର୍ମଚାରୀ ଅସନ୍ତୁଷ୍ଟ ହେବେ। ବିରକ୍ତ ହେବେ। କିନ୍ତୁ ମନେ ରଖିବାକୁ ହେବ ଯେ ଜଣେ ବ୍ୟକ୍ତି ଯେତେ ବରିଷ୍ଠ ହୁଅନ୍ତୁ ନା କାହିଁକି, ଯଦି ତାଙ୍କର ଚରିତ୍ରଗତ ସମସ୍ୟା ଥାଏ, ନିଜ ଭିତରେ ସେ ଦୁର୍ବଳ। ଏଣୁ ନମ୍ର ଭାବରେ ତାଙ୍କର କଥାକୁ ଏଡ଼ାଇ ଦେଲେ କିମ୍ବା ଅସ୍ୱୀକାର କଲେ, ହୁଏତ ସେ ନିଜକୁ ସଂଯତ କରିନେବେ। ଏପରି ମଣିଷ ସାଙ୍ଗରେ ଲଢ଼ିବାର ଆବଶ୍ୟକତା ନାହିଁ, ନିଜକୁ ଲହୁଲୁହାଣ କରିବାର ଆବଶ୍ୟକତା ନାହିଁ। କେବଳ ଭଦ୍ର ଭାବରେ- “ନା ସାର୍, କରିପାରିବିନି” ଏତିକି କହିବା ହିଁ ଯଥେଷ୍ଟ।

କର୍ମ ଜୀବନରେ ଆଉ ଗୋଟିଏ ବିଷୟ ପ୍ରତି ସବୁ ମୁହୂର୍ତ୍ତରେ ନିଜକୁ, ବିଶେଷ କରି ନିଜ ମନକୁ ସଚେତନ ରଖିବାକୁ ହେବ। ଅନେକ ସମୟରେ ଗୋଟିଏ ଅସମୀଚୀନ ପ୍ରଲୋଭନ ଆସିଯାଏ। ମନ ଆମକୁ ତିନିଟି କଥା କହେ। ପ୍ରଥମ, ଏଇଟା ଗୋଟିଏ ଛୋଟ ଜିନିଷ, ଛୋଟ ଭୁଲ୍ ଭୁଲ୍‌ ନୁହେଁ। ଦ୍ବିତୀୟ, ସମସ୍ତେ ତ କରୁଛନ୍ତି। ମୁଁ କଲେ କିଛି କ୍ଷତି ନାହିଁ। ତୃତୀୟରେ ହୁଏତ ମନ କହେ, କେହି ତ ଦେଖୁନାହାନ୍ତି, କ୍ଷତି କ’ଣ? ହୁଏତ ଏଇ ତିନିଟି କଥା ସେଇ ମୂହର୍ତ୍ତରେ ସତ ହୋଇପାରେ, କିନ୍ତୁ ଜୀବନର ପ୍ରତ୍ୟେକଟି ଦୁର୍ଘଟଣା ଆଖିର ପଲକ ପଡ଼ିବା ଭିତରେ ଘଟିଯାଇପାରେ। ମୁହୂର୍ତ୍ତକ ମଧ୍ୟରେ ସାରା ଜୀବନର ଭଲ କାମ, ପ୍ରତିଶ୍ରୁତି, ସମ୍ମାନ ପୋଛି ହୋଇଯାଇପାରେ।
ଅନେକ ପ୍ରତିଭାବନ ବ୍ୟକ୍ତି ଭାବି ନିଅନ୍ତି, ‘ଟଙ୍କା ପଇସା ତ ନେଉ ନାହିଁ, ଖାଲି ବେଳେ ବେଳେ ଠିକାଦାର ଯୋଗାଇଥିବା ଗାଡ଼ି ବ୍ୟବହାର କରେ। ଏଲ୍‌ଟିସି ଛୁଟିରେ ଗଲାବେଳେ, କେତେବେଳେ କେମିତି ହୁଏତ ସେମାନେ ହୋଟେଲ୍ ବ୍ୟବସ୍ଥା କରି ଦିଅନ୍ତି ଯେଉଁଠିକି ବିଲ୍ ଦେବାକୁ ପଡ଼େ ନାହିଁ। କ୍ଷତି କ’ଣ? ପର୍ବପର୍ବାଣିରେ ସୌଜନ୍ୟର ଉପହାର ମାତ୍ର ଆସୁଛି। ଉପହାର ଗ୍ରହଣ କରିବାରେ ବାଧା କ’ଣ?’

ଗୋଟିଏ ବିଷୟ ଆମକୁ ମନେ ରଖିବାକୁ ପଡ଼ିବ। ଅଧିକାଂଶ ସମୟରେ ଏହି ଧରଣର ସାହାଯ୍ୟ କରିଦେଉଥିବା, ଦାମୀ ଉପହାର ଦେଉଥିବା ଲୋକଟି ଭବିଷ୍ୟତରେ ପ୍ରତ୍ୟୁପହାର ମାଗିପାରେ। ଏ ଚାହିଦା ଅଯାଚିତ ଭାବରେ, ଅତି ସର୍ନ୍ତପଣରେ ଆସିବ। କାରଣ ସେମାନେ ଜାଣନ୍ତି ଯେ ବିବେକକୁ ବନ୍ଧକ ରଖିଥିବା ମଣିଷଟି ମହାବଳ ବାଘ ସାମନାରେ ପଘାବନ୍ଧା ବାଛୁରୀଟିଏ ମାତ୍ର।
ଅଧ୍ୟକ୍ଷ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ