‘ଭାରତୀ ଭାବନା’ ହେଉଛି ସ୍ବଭାବକବି ଗଙ୍ଗାଧର ମେହେରଙ୍କର ଶେଷ ରଚନା। ଏହା ୧୯୨୨ ମସିହା ଡିସେମ୍ବର ମାସରେ ରଚିତ ହୋଇଥିଲା ଓ ୧୯୨୩ ମସିହା ଜାନୁଆରି ସଂଖ୍ୟାରେ ‘ମୁକୁର’ ପତ୍ରିକାରେ ପ୍ରଥମେ ପ୍ରକାଶ ଲାଭ କଲା। ୨୦୨୩ ମସିହା ତେଣୁ ‘ଭାରତୀ ଭାବନା’ର ଶତବାର୍ଷିକୀ। ବହୁ ଦୃଷ୍ଟିରୁ ‘ଭାରତୀ ଭାବନା’ର ସୃଷ୍ଟି ଅତ୍ୟନ୍ତ ଅର୍ଥପୂର୍ଣ୍ଣ, ଯାହା ଉପରେ ଏକ କ୍ଷୁଦ୍ର ଆଲୋଚନା କରାଯାଇପାରେ।
ଗଙ୍ଗାଧର ମେହେର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ ପଦ୍ମପୁରରୁ ୧୯୧୭ ମସିହାରେ। ଏହା ପୂର୍ବରୁ ୨୦.୧୧.୧୯୧୫ ତାରିଖରେ କବି ବନ୍ଧୁ ବ୍ରଜମୋହନ ପଣ୍ଡାଙ୍କୁ ଏକ ପତ୍ରରେ ଲେଖିଥିଲେ ‘‘ମୁଁ ରାଜସେବାର ଲାଳସୀ ନୁହେଁ। ଇଂରେଜ ଠାରୁ ବଳି ବଡ଼ ରାଜା କିଏ ଅଛି? ଯେତେବେଳେ ସେ ରାଜାଙ୍କ ସେବାରେ ବୈରାଗ୍ୟ ଜନ୍ମି ଆସିଲାଣି ଅନ୍ୟ କେଉଁ ରାଜାଙ୍କ ସେବାକୁ ଇଚ୍ଛା କରିବି?’’ ବରପାଲିର ଯୁବ ଜମିଦାରଙ୍କ ଆମନ୍ତ୍ରଣ କ୍ରମେ ସେ ତାଙ୍କର ଅନ୍ତିମ ଜୀବନ ଅତିବାହିତ କରିବା ପାଇଁ ସପରିବାର ଚାଲିଆସିଥିଲେ ଜନ୍ମଭୂମି ବରପାଲିକୁ। ଏହା ପୂର୍ବରୁ ୧୯୧୯ ମସିହାରେ ଜାଲିଆନୱାଲାବାଗ୍ ଠାରେ ବ୍ରିଟିସ୍ ସରକାରଙ୍କ ହାତରେ ଯେଉଁ ନିର୍ମମ ନରସଂହାର ହୋଇଥିଲା ତାହା ଗଙ୍ଗାଧରଙ୍କ ଚେତନାରେ ସୃଷ୍ଟି କରିଥିଲା ଗଭୀର ଆଲୋଡ଼ନ।
୧୯୨୦ ମସିହାରେ ଗଙ୍ଗାଧରଙ୍କ ହୁଏ ବରପାଲି ପ୍ରତ୍ୟାବର୍ତ୍ତନ। ମନରେ ଅସୁମାରୀ ସ୍ବପ୍ନ ଥିଲା ଯେ ବରପାଲିକୁ ସେ ନିଜର ଶକ୍ତିମତେ ଗଢ଼ିବେ ଏକ ଆଦର୍ଶ ଭାରତୀୟ ପଲ୍ଲୀ ଭାବରେ। ପ୍ରଥମରୁ ଗଙ୍ଗାଧରଙ୍କ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରୁଥିବା ଜମିଦାର ଚୁଗୁଲିଆମାନଙ୍କ ଦ୍ବାରା ପ୍ରଭାବିତ ହୋଇ ଗଙ୍ଗାଧରଙ୍କ ପ୍ରତି ବିପରୀତ ଆଚରଣ କରିବାକୁ ଲାଗିଲେ। ତାଙ୍କର ଔଦ୍ଧତ୍ୟ ଏପରି ବୃଦ୍ଧି ପାଇଥିଲା ଯେ ବରପାଲିର ସଜ୍ଜନମଣ୍ଡଳୀ ବ୍ୟଥିତ ଚିତ୍ତରେ ଲୋଡ଼ିଥିଲେ ଗଙ୍ଗାଧରଙ୍କ ସହାୟତା। କବିଙ୍କ ପରାମର୍ଶ କ୍ରମେ ୧୯୨୧ ମସିହାରେ ବରପାଲିରେ ଗଠନ କରାଯାଇଥିଲା ‘ସାଧୁସମିତି’ ନାମକ ଅନୁଷ୍ଠାନ। ନିଶା ସେବନକାରୀ ଓ ଜୁଆଡ଼ିମାନେ ଏହାର ସଭ୍ୟ ହୋଇପାରିବେ ନାହିଁ ବୋଲି ନିୟମ ପ୍ରଣୟନ କରାଯାଇଥିଲା। ବରପାଲିରେ ଘଟୁଥିବା ବିଭିନ୍ନ ବାଦବିବାଦର ନିରପେକ୍ଷ ସମାଧାନ କରାଯାଉଥିଲା ଏହି ସାଧୁସମିତି ଦ୍ବାରା। ଏହା ମଧ୍ୟ ମଦାନ୍ଧ ଯୁବ ଜମିଦାରଙ୍କୁ ଅଧିକ ଉତ୍ତେଜିତ କରି ଦେଇଥିଲା ଏବଂ ଗଙ୍ଗାଧରଙ୍କୁ ଗୁଳିବିଦ୍ଧ କରି ମାରି ଦେବାର ଧମକ ମଧ୍ୟ ସେ ଦେଇଥିଲେ।
ଏହିଭଳି ଅଶାନ୍ତ ବାତାବରଣ ମଧ୍ୟରେ ରହି କିପରି ସେ ସମ୍ପୂର୍ଣ୍ଣ କରିପାରିଥାନ୍ତେ ସ୍ବରଚିତ ଅସମ୍ପୂର୍ଣ୍ଣ ‘ପଦ୍ମିନୀ’ କାବ୍ୟକୁ? ସାହିତ୍ୟ ସାଧନା ହୋଇଥିଲା ବ୍ୟାହତ ଓ ସାମାଜିକ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ସକାଶେ ଗଙ୍ଗାଧର ନିଜକୁ କରିଥିଲେ ସମ୍ପୂର୍ଣ୍ଣ ସମର୍ପିତ। ଗୋଟିଏ ପାଖରେ ସ୍ଥାନୀୟ ଶାସକଙ୍କ ଅତ୍ୟାଚାରରେ ଅତିଷ୍ଠ ତାଙ୍କ ମାନସିକ ପରିସ୍ଥିତି। ଆଉ ଏକ ଦିଗରେ ହୃଦୟ ଭିତରେ ଜାତୀୟତାର ବହ୍ନି ପ୍ରଜ୍ଜ୍ବଳିତ ହୋଇଉଠିଥିଲା ବ୍ରିଟିସ୍ ସାମ୍ରାଜ୍ୟ ବିରୋଧରେ। ଏଭଳି ଅବସ୍ଥାରେ ୧୯୨୨ ମସିହାରେ ସେ ରଚନା କଲେ ଇଂରେଜ ସରକାରଙ୍କ ପ୍ରତି ତୀକ୍ଷ୍ଣ ପ୍ରତିବାଦ ‘ଭାରତୀ ଭାବନା’ ମାଧ୍ୟମରେ।
ଏହାଥିଲା ଦ୍ବି-ଅର୍ଥବୋଧକ। ଗୋଟିଏ ଅର୍ଥରେ ଏହା କୃଷ୍ଣଙ୍କ ଆଚରଣ ବିରୋଧରେ ଗୋପୀମାନଙ୍କ ଅନୁଯୋଗ ଅନ୍ୟ ପକ୍ଷରେ ଇଂରେଜ ସରକାରଙ୍କ ଅନ୍ୟାୟ, ଅତ୍ୟାଚାର ବିରୋଧରେ ପ୍ରତିବାଦ। କେହି କେହି ମନେ କରନ୍ତି ଯେ କବି ସିଧାସଳଖ ବ୍ରିଟିସ୍ ସରକାରଙ୍କୁ ସମାଲୋଚନା କରିବାରେ ଥିଲେ ଭୟଭୀତ। ଆଜି ମଧ୍ୟ ଭାରତୀ ଭାବନାକୁ ଦୁଇଟି ଅର୍ଥରେ ବ୍ୟାଖ୍ୟା କରି ବୁଝାଇଥାନ୍ତି ଅନେକ ପ୍ରବଚକ ଓ ସାହିତ୍ୟ ସମାଲୋଚକ। ବଙ୍କିମ ଶୈଳୀରେ ମଧ୍ୟ ବିରୋଧୀ ପ୍ରତି ପ୍ରୟୋଗ କରାଯାଏ ଯେଉଁ ଶବ୍ଦ-ସ୍ବର ତାହା ତା’ର ଛାତିକୁ କରିଦିଏ ରକ୍ତାକ୍ତ। ବିଶିଷ୍ଟ ସାହିତ୍ୟସାଧକ ଶ୍ରୀଯୁକ୍ତ ଦେବୀପ୍ରସନ୍ନ ପଟ୍ଟନାୟକ ‘କବିଲିପି’ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, ବ୍ରିଟିସ୍ ସରକାର ଦ୍ବାରା ‘ଭାରତୀ ଭାବନା’ ହୋଇଥିଲା ବାଜ୍ୟାପ୍ତ। ଏଭଳି ଅବସ୍ଥାରେ ଯଦି କବିଙ୍କୁ କାରାବରଣ କରିବା ପାଇଁ ହୋଇଥାଆନ୍ତା, ତା’ହେଲେ ସେ ଜମିଦାରଙ୍କ ଗୁଳି ସମକ୍ଷରେ ବିନମ୍ରତାର ସହିତ ଅବିଚଳିତ ଭାବରେ ଯେପରି ଦଣ୍ଡାୟମାନ ହୋଇଥିଲେ ସେହିପରି ବ୍ରିଟିସ୍ ସରକାରର ଅତ୍ୟାଚାର ଆଗରେ ରହିଥାଆନ୍ତେ ଶାନ୍ତ ଓ ସ୍ଥିରତାର ଅହିଂସ ଶକ୍ତି ନେଇ।
ଭାରତୀୟ ସ୍ବାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଆବିର୍ଭାବ ଗଙ୍ଗାଧରଙ୍କୁ ଦେଇଥିଲା ଅମିତ ତେଜ। ଏହି ପ୍ରସଙ୍ଗ ‘ଭାରତୀ ଭାବନା’େର ମଧ୍ୟ ଉଲ୍ଲିଖିତ ହୋଇ ରହିଛି। ମହାତ୍ମା ଗାନ୍ଧୀ ଓଡ଼ିଶାକୁ ଆଗମନ କରିଥିଲେ ପ୍ରଥମେ ୧୯୨୧ ମସିହା ମାର୍ଚ୍ଚ ୨୪ ତାରିଖ ଦିନ। ‘କାଠେଯାଡ଼ି’ ବାଲିରେ ଆୟୋଜିତ ସଭାରେ ସେ ଯେଉଁ ମର୍ମସ୍ପର୍ଶୀ ଆହ୍ବାନ ଦେଇଥିଲେ ତାହା ଗଙ୍ଗାଧରଙ୍କ ହୃଦୟକୁ ଛୁଇଁ ଯାଇଥିଲା। ଗାନ୍ଧୀଜୀ ତାଙ୍କର ପଦଯାତ୍ରା ବେଳେ କହିଥିଲେ, ‘‘ଓଡ଼ିଶାର ଅଳ୍ପ କେତୋଟି ଗାଁକୁ ଯିବା ଦ୍ବାରା ଆଧ୍ୟାତ୍ମିକ ଭାବରେ ପ୍ରତ୍ୟେକ ଗାଁକୁ ଯାଉଛି େବାଲି ପ୍ରତ୍ୟେକ ମନେ କରିବା ଉଚିତ।’’ ଏହି କଥାର ମର୍ମ ଗଙ୍ଗାଧରଙ୍କ ଅନ୍ତରାତ୍ମାକୁ ଏହା ପୂର୍ବରୁ ପ୍ରବେଶ କରିସାରିଥିଲା ଓ ଗାନ୍ଧୀଜୀଙ୍କ ପରି ଅହିଂସାର ମୂର୍ତ୍ତିମନ୍ତ ବିଗ୍ରହ ହୋଇ ସେ ଅତ୍ୟାଚାରୀ ଦେଶୀୟ ଓ ବୈଦେଶିକ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ ସାହିତ୍ୟରେ ଓ ଜୀବନରେ।
ସଂପ୍ରତି ତାଙ୍କର ରଚିତ ‘ଭାରତୀ ଭାବନା’ ଦୁଇଟି ଅର୍ଥରେ ବ୍ୟାଖ୍ୟା କରିବାର କୌଣସି ପ୍ରୟୋଜନ ନାହିଁ। ଯାହା ଥିଲା ଏହି ରଚନାର ମୁଖ୍ୟ ଲକ୍ଷ୍ୟ କେବଳ ସେହି ଅର୍ଥରେ ହିଁ ଏହା ବିଶ୍ଳେଷିତ ହେବା ଉପଯୁକ୍ତ। ଉଲ୍ଲେଖନୀୟ ବିଷୟ ହେଉଛି ବିଶିଷ୍ଟ ସ୍ବାଧନୀତା ସଂଗ୍ରାମୀ ଭାଗିରଥି ପଟ୍ଟନାୟକ ବରପାଲି ଅଞ୍ଚଳର ବିଭିନ୍ନ ଗ୍ରାମଠାରୁ ଆରମ୍ଭ କରି ସମ୍ବଲପୁର ପର୍ଯ୍ୟନ୍ତ ଏହି ‘ଭାରତୀ ଭାବନା’ ଗାନ କରି ସହସ୍ର ଶ୍ରୋତାଙ୍କ ପ୍ରାଣରେ ସୃଷ୍ଟି କରିପାରିଥିଲେ ଜାତୀୟତାର ମାର୍ମିକ ସ୍ପନ୍ଦନ। ‘ଭାରତୀ ଭାବନା’ର କବିଙ୍କୁ ଏ ଜାତିର ଅୟୁତ ପ୍ରଣାମ।
(‘ଭାରତୀ ଭାବନା’ର ଶତବାର୍ଷିକୀ)
ମୋ: ୯୯୩୭୩୬୫୬୯୮