ଗୋଟିଏ ପାହାଡ଼ୀ ନଦୀ ପ୍ରବଳ ବେଗରେ ବହିଯାଉଥିଲା। ତା’ ଉପରେ ଥିଲା ଗୋଟିଏ ଅତ୍ୟନ୍ତ ଅଣଓସାରିଆ ପୋଲ। ସେଇ ପୋଲ ଉପର ଦେଇ କେବଳ ଜଣେ ମାତ୍ର ଯାଇପାରୁଥିଲା।
ଦିନକର କଥା। ଜଣେ ଅତି ଧନିକ ଅଶ୍ବାରୋହୀ ପୋଲ ପାଖରେ ପହଞ୍ଚିଲା ବେଳକୁ ଲକ୍ଷ୍ୟ କଲେ ଯେ ବିପରୀତ ଦିଗରୁ ଅନ୍ୟ ଜଣେ ଅଶ୍ବାରୋହୀ ପୋଲ ଉପରକୁ ଚଢ଼ିଲେ। ଧନିକ ମନେ ମନେ କ୍ଷୁବ୍‌ଧ ହୋଇ ଭାବିଲେ- ମୁଁ ଆସୁଥିବାର ଦେଖି ଟିକିଏ ଅଟକି ଯାଇ ପାରିଲା ନାହିଁ? ସେ ମୋତେ କ’ଣ ବୋଲି ପାଇଛି କି?  ଏହା କହି ସେ ବି ପୋଲ ଉପରକୁ ଚଢ଼ିଗଲେ।

Advertisment

ପୋଲ ମଝିରେ ଉଭୟେ ମୁହାଁମୁହିଁ ହୋଇ ଠିଆ ହୋଇଗଲେ। ଲାଗିଲା ଯେମିତି କେହି କାହାକୁ ବାଟ ଛାଡ଼ିବେ ନାହିଁ, କିଛି ଅଘଟଣ ଘଟିଯିବ। କିନ୍ତୁ ହଠାତ୍‌ ଦୃଶ୍ୟ ବଦଳିଗଲା। କ’ଣ ହେଲା କେଜାଣି ବିପରୀତ ଦିଗରୁ ଆସୁଥିବା ବ୍ୟକ୍ତିଙ୍କ ଠାରେ ଭାବାନ୍ତର ଜାତ ହେଲା। ସେ ଘୋଡ଼ାରୁ ଓହ୍ଲାଇ ପଡ଼ି ପଛେଇ ଆସିଲେ। ଧନିକ ଛାତି ଫୁଲେଇ ପୋଲ ପାର ହେଲେ।

ଏ କଥା ଦେଖୁଥିଲେ ପୋଲର ମୁଣ୍ତରେ ଛିଡ଼ା ହୋଇଥିବା ଜଣେ ସାଧୁ। ସେ ଧନିକଙ୍କୁ ଅଟକାଇ ଦେଇ କହିଲେ- ତୁମେ ଏମିତି ପ୍ରଫୁଲ୍ଲ ଦିଶୁଛ କାହିଁକି? ତୁମେ ଭାବୁଛ କି ତୁମେ ଜିଣିଗଲ? ଯଦି ତୁମ ଦୁଇ ଜଣଙ୍କର ଅହ˚କାରର ଲଢ଼େଇ ସତରେ ହୋଇଥାଆନ୍ତା, ତେବେ ହୁଏତ ତୁମେ ଦୁହେଁ ନଈରେ ପଡ଼ି ପ୍ରାଣ ହରାଇ ଥାଆନ୍ତ। ସେ କିନ୍ତୁ ନଇଁ ଗଲେ ବୋଲି ତୁମେ ଆଜି ତୁମ ଜୀବନ ଧରି ଗନ୍ତବ୍ୟ ପଥରେ ଯାଉଛ। ଅହ˚କାରର ଲଢ଼େଇରେ ଯିଏ ଓହରି ଯାଏ, ପ୍ରକୃତରେ ସେ ହିଁ ଜିତେ।