ଗୋଟିଏ ଗୋଡ଼ ନିଆଁରେ ଓ ଆର ଗୋଡ଼ଟି ବରଫରେ ଥିବା ମଣିଷଟିର ଅବସ୍ଥାକୁ ଦେଖି ଯଦି ଜଣେ ପରିଦର୍ଶକ କହେ ଯେ ହାରାହାରି ହିସାବରେ ଲୋକଟି ଆରାମଦାୟକ ଉଷୁମ ପରିବେଶରେ ଅଛି ତାହାହେଲେ ସେ କଥାଟି ଭୁକ୍ତଭୋଗୀ ମଣିଷକୁ ଯେଉଁଭଳି ଲାଗିବ, ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କର ‘ଦୁଇ ଦଶନ୍ଧି ମଧ୍ୟରେ ସ୍ବାସ୍ଥ୍ୟସେବାରେ ମିଳିଛି ଅଭୂତପୂର୍ବ ସଫଳତା’ ବିବୃତି କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର ନାଗରିକମାନଙ୍କୁ ଠିକ୍‌ ସେହିପରି ଲାଗିଥିବ। ମାତ୍ର କେଇ ଦଶନ୍ଧି ତଳେ, ବିଧାନସଭାରେ ବିଭାଗୀୟ ମନ୍ତ୍ରୀମାନଙ୍କ ବିବୃତିକୁ ଧ୍ରୁବ ସତ୍ୟ ବୋଲି ନାଗରିକମାନେ ଗ୍ରହଣ କରୁଥିଲେ ଏବଂ ବାସ୍ତବରେ ତାହା ସତ୍ୟ ବୋଲି ସାବ୍ୟସ୍ତ ହେଉଥିଲା।

Advertisment

ମାତ୍ର ଆଜି ଆଉ ସେ ସମୟ ନାହିଁ। ତେଣୁ ଶୀତଳ ପରିସଂଖ୍ୟାନର ସହାୟତା ନେଇ ଏଭଳି ବିବୃତି ଦିଆଯାଉଛି ଯାହାର ଅର୍ଥ ମହାଭାରତର ଯୁଧିଷ୍ଠିରଙ୍କ ତୁଣ୍ଡରେ ‘ଅଶ୍ବତ୍‌ଥାମା ହତ, ଇତି ନରୋ ବା କୁଞ୍ଜରୋବା’। ସ୍ବାସ୍ଥ୍ୟ ପ୍ରସଙ୍ଗକୁ ଆସିବା ଆଗରୁ ଗୋଟିଏ ସଦ୍ୟ ଉଦାହରଣ ଉଲ୍ଲେଖ କରାଯାଇପାରେ। ଓଡ଼ିଶା ଉପାନ୍ତ କୋଟିଆ‌େର ପ୍ରତିବେଶୀ ଆନ୍ଧ୍ରପ୍ରଦେଶ ପ୍ରଶାସନ ଏବଂ ସରକାରୀ ପ୍ରତିନିଧିଙ୍କ ଅନୁପ୍ରବେଶ ନେଇ ରାଜ୍ୟ ସରକାର ସୁପ୍ରିମ୍‌ କୋର୍ଟ ଯାଇଛନ୍ତି ଏବଂ ଏହି ମାମଲାରେ ସୁପ୍ରିମ୍‌ କୋର୍ଟ ଅାନ୍ଧ୍ରପ୍ରଦେଶକୁ ଚାରି ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଥଚ ଦୁଇ ସପ୍ତାହ ତଳେ ରାଜ୍ୟର ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ କୋଟିଆ ଭିତରକୁ କୌଣସି ଅନୁପ୍ରବେଶ ହୋଇଥିବା ସରକାରଙ୍କ ପାଖରେ ଖବର ନାହିଁ। ରାଜସ୍ବ ମନ୍ତ୍ରୀଙ୍କ ବିବୃତି ଯେ ନିଶ୍ଚୟ ସତ୍ୟଠାରୁ ବହୁ ଦୂରବର୍ତ୍ତୀ ତାହା ଏଥିରୁ ଅନୁମେୟ।

ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିବୃତି ଅନୁସାରେ ୨୦୦୦ ମସିହାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ସୂଚକାଙ୍କ ବହୁ ନିମ୍ନରେ ଥିବା ସ୍ଥଳେ ସଂପ୍ରତି ଦେଶରେ ସଫଳ ରାଜ୍ୟ ଭାବେ ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। କାରଣ ଶିଶୁ ମୃତ୍ୟୁହାର ଏବଂ ମାତୃ ମୃତ୍ୟୁହାର କମାଇବା କ୍ଷେତ୍ରରେ ଓଡ଼ିଶା ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛି। ସ୍ବାସ୍ଥ୍ୟମନ୍ତ୍ରୀଙ୍କର ଏହି ପରିସଂଖ୍ୟାନକୁ ଆମେ ଅସ୍ବୀକାର କରିବାକୁ ଚାହୁଁନାହୁଁ, ମାତ୍ର ମନ୍ତ୍ରୀ ଏକଥା କହିବାବେଳେ ଦୁଇ ସପ୍ତାହ ତଳେ ଓଡ଼ିଶା ହାଇକୋର୍ଟ ରାଜ୍ୟର ସ୍ବାସ୍ଥ୍ୟସେବା ସମ୍ବନ୍ଧରେ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ସଂପର୍କରେ ସେ ସଚେତନ ଅଛନ୍ତି କି? କଳାହାଣ୍ଡି ଓ ନବରଙ୍ଗପୁର ପରିଦର୍ଶନରେ ଯାଉଥିବା ଯେକୌଣସି ବ୍ୟକ୍ତି ଲକ୍ଷ୍ୟ କରିପାରିବେ ଯେ ଶହ ଶହ କିଲୋମିଟର ବ୍ୟାପି ଏହି ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବୋଲି ଯଦି କିଛି ଅଛି ତାହା ହେଉଛି କେଉଁଠି କେଉଁଠି ନିର୍ମିତ କେତୋଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କୋଠାଘର ଯାହାର ଦୁଆର ଝରକା ସବୁବେଳେ ବନ୍ଦ ରହିଥାଏ।

ଜିଲ୍ଲାର ଲିଗାଲ୍‌ ସର୍ଭିସ୍‌ ଅଥରିଟି ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଏହି ଦୁଇ ଜିଲ୍ଲାର ଅଧିକାଂଶ କ୍ଷେତ୍ରରେ କାଁ ଭାଁ ଜଣେ ଡାକ୍ତର ନ ହେଲେ ଫାର୍ମାସିଷ୍ଟଙ୍କୁ ଦେଖିବାକୁ ମିଳେ, ଯାହା ଯୋଗୁଁ ସେ ଅଞ୍ଚଳର ରୋଗୀମାନଙ୍କୁ ବାଧ୍ୟହୋଇ ବ୍ୟୟବହୁଳ ଘରୋଇ ଡାକ୍ତରଖାନାକୁ ଯିବା ପାଇଁ ପଡ଼େ। ଏହି ରିପୋର୍ଟରେ ଯେଉଁ କଥା ଉଲ୍ଲେଖ ନାହିଁ, ତାହା ହେଉଛି ଅନୁନ୍ନତ ଅଞ୍ଚଳର ଏହି ଦୁଇ ଜିଲ୍ଲାର ଅସହାୟ ରୋଗୀ ଜୀବନ ବିକଳରେ ଝଡ଼ାଫୁଙ୍କା, ଗୁଣିଆ ଅଥବା ନକଲି ଡାକ୍ତରଙ୍କର ସହାୟତା ଲୋଡ଼ିଥାଆନ୍ତି।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ଏମ୍‌.ଏସ୍‌. ରମଣ ଡିଏଲ୍‌ଏସ୍‌ଏ ରିପୋର୍ଟ ସଂପର୍କରେ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ଯେ ଏହି ଜିଲ୍ଲାର‌ କୌଣସି କମ୍ୟୁନିଟି ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଇମେରି ସ୍ବାସ୍ଥ୍ୟ କେନ୍ଦ୍ର ଏପରିକି ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ସୁଦ୍ଧା ଆବଶ୍ୟକ ଡାକ୍ତର, ନର୍ସ କିମ୍ବା ସ୍ବାସ୍ଥ୍ୟସେବା ଷ୍ଟାଫ୍‌ ନାହାନ୍ତି। ଡାକ୍ତରଖାନାଗୁଡ଼ିକରେ ରୋଗୀମାନଙ୍କ ପାଇଁ ବିଛଣା ନାହିଁ ଏବଂ ଘରଗୁଡ଼ିକ ଭାଙ୍ଗିରୁଜି ଗଲାଣି। ଏହି ଦୁଇ ଜିଲ୍ଲାର କରୁଣ ସ୍ବାସ୍ଥ୍ୟସେବାର ଚିତ୍ର ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକର ସ୍ବାସ୍ଥ୍ୟସେବା ଚିତ୍ର ସମ୍ବନ୍ଧରେ ଯଥେଷ୍ଟ ଧାରଣା ଦେଉଅଛି। ଉଲ୍ଲେଖ ନିଷ୍ପ୍ରୟୋଜନ ଏଭଳି ବିକଳ ଅବସ୍ଥାରେ ରହିଥିବା ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଏକ୍ସ-ରେ, ଇସିଜି ବା ଅଲ୍‌ଟ୍ରାସାଉଣ୍ଡ ପରି ସୁବିଧା ଖୋଜିବା ଶୁଷ୍କ କାଷ୍ଠରୁ ରସ ଆଶା ପରି ବ୍ୟର୍ଥ। କୋଭିଡ୍‌ ବିଭୀଷିକା ସମୟରେ ସମଗ୍ର ଦେଶ ତଥା ରାଜ୍ୟରେ ଅନୁଭୂତ ହୋଇଥିବା ସ୍ବାସ୍ଥ୍ୟ ସଚେତନତାରୁ ଜଣାପଡୁଥିଲା ଯେ ସରକାର ଗୁଡ଼ିକ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ନିର୍ମାଣରେ ସର୍ବାଧିକ ଧ୍ୟାନ କେନ୍ଦ୍ରୀଭୂତ କରିବେ। ମାତ୍ର ହାଇକୋର୍ଟଙ୍କ ନିକଟରେ ଉପସ୍ଥାପିତ ଏହି ରିପୋର୍ଟ ପୁଣି ଥରେ ପ୍ରମାଣିତ କରୁଛି‌ ଯେ କୋଭିଡ୍‌ ବେଳେ ଆମର ଉଦ୍‌ବେଗ ଓ ଆତ୍ମସଚେତନତା ଥିଲା କେବଳ ଶ୍ମଶାନ ବୈରାଗ୍ୟ।

ନିକଟରେ କେରଳ ସରକାର ସ୍ଥିର କରିଛନ୍ତି ଯେ ତାଙ୍କ ରାଜ୍ୟର ଉଭୟ ସରକାରୀ ଓ ବେସରକାରୀ ମେଡିକାଲ୍‌ କଲେଜରୁ ଉତ୍ତୀର୍ଣ୍ଣ ସମସ୍ତ ପି.ଜି ଡାକ୍ତରମାନଙ୍କୁ ତିନିମାସ ପାଇଁ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ପଡ଼ିବ। ଏହା ବାଧ୍ୟତାମୂଳକ। ଅନ୍ୟପକ୍ଷେ ଯୁବ ପି.ଜି ଚିକିତ୍ସକମାନଙ୍କର ଅଭିଯୋଗ ଯେ ଦୂରବର୍ତ୍ତୀ ଗ୍ରାମୀଣ ଅଞ୍ଚଳରେ ସେମାନଙ୍କର ରହଣି ଓ ଚଳଣି ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ନିର୍ଦ୍ଦିଷ୍ଟ ହେବା ଆବଶ୍ୟକ। କେରଳ ସରକାର ତାହାର ଦାୟିତ୍ବ ନେଇଛନ୍ତି। ଓଡ଼ିଶାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ପ୍ରଦର୍ଶନ କରିଥିବା ଓଡ଼ିଆ ଫିଲ୍ମ ‘ଦମନ’କୁ ସରକାର ଉତ୍ସାହ ଦେବା ପାଇଁ ଏହାକୁ ଶୁଳ୍‌କ ମୁକ୍ତ କରିଦେଲେ, ମାତ୍ର ‘ଦମନ’ ଯେଉଁ ଦୁର୍ଦ୍ଦଶା ଓ ସମସ୍ୟାର କଥା ତୋଳି ଧରିଥିଲା ତାହାର ନିରାକରଣ ପାଇଁ ପଦକ୍ଷେପ ନେଲେ ନାହିଁ।

କେରଳ ଯାହା କରିପାରିଲା, ସେ କଥା ଓଡ଼ିଶା ସରକାର ମଧ୍ୟ କରିପାରିବେ। ଆନ୍ତର୍ଜାତିକ ହକି ମ୍ୟାଚ୍‌ ଆୟୋଜନ ମାଧ୍ୟମରେ ଓଡ଼ିଶା ସରକାର ଏକଥା ପ୍ରମାଣିତ କରିପାରିଛନ୍ତି ଯେ, ମନ ଓ ସମ୍ବଳ ଥିଲେ କୌଣସି କଥା ଅସମ୍ଭବ ନୁହେଁ। ତାହାହେଲେ ରାଜ୍ୟର ସ୍ବାସ୍ଥ୍ୟସେବାର କାୟାକଳ୍ପ ପରିବର୍ତ୍ତନ ପାଇଁ ସେଭଳି ସଂକଳ୍ପ ଦେଖିବାକୁ ମିଳୁ ନାହିଁ କାହିଁକି? ଓଡ଼ିଶାର ଦୂରବର୍ତ୍ତୀ ନବରଙ୍ଗପୁର, କଳାହାଣ୍ଡି କଥା ଥାଉ, ଉପକୂଳବର୍ତ୍ତୀ ଜଗତସିଂହପୁର ଓ ଭଦ୍ରକ ପରି ଜିଲ୍ଲାରେ ମଧ୍ୟ ଆବଶ୍ୟକ ଡାକ୍ତର ନାହାନ୍ତି, ବେଡ୍‌ ନାହିଁ କି ଫାର୍ମାସିଷ୍ଟ ନାହାନ୍ତି। ଉତ୍କଟ ଡାକ୍ତର ଅଭାବ ସମସ୍ୟା ସାଙ୍ଗକୁ ନର୍ସ, ଫାର୍ମାସିଷ୍ଟ, ଟେକ୍‌ନିସିଆନ୍‌ଙ୍କ ଅଭାବ, ଡାକ୍ତରମାନଙ୍କ ମଧ୍ୟରେ ଉତ୍ସାହର ଅଭାବ, ଚାକିରି କ୍ଷେତ୍ରରେ ସେମାନଙ୍କର ଦୀର୍ଘ ଅନୁପସ୍ଥିତି ଓ ଘରୋଇ ଚିକିତ୍ସା ପାଇଁ ମାତ୍ରାଧିକ ଆଗ୍ରହ ଏହି ସମସ୍ୟାକୁ ଜଟିଳ କରିଛି। ସୁଖର କଥା ଯେ ୨୦୨୩-୨୪ ବଜେଟ୍‌ରେ ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗ ବ୍ୟୟ ଅଟକଳ ୧୬,୦୪୮ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ଯାହା ଗତ ବର୍ଷର ତୁଳନାରେ ୨୭% ଅଧିକ। ଏହି ଦୃଷ୍ଟିରୁ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ସମ୍ବଳର ଅଭାବ ପଡ଼ିବ ନାହିଁ ବୋଲି ଆଶା କରାଯାଇପାରେ।

ଓଡ଼ିଶା ହାଇକୋର୍ଟଙ୍କ ଉଦ୍‌ବେଗ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ତା’ର ଆରାମଦାୟକ ନିଦ୍ରାରୁ ଉଠେଇବ ବୋଲି ଆମର ଧାରଣା। ସ୍ବାସ୍ଥ୍ୟ ବିଭାଗର ଏହି ସମସ୍ୟାର ସମାଧାନ ଅସମ୍ଭବ ନୁହେଁ, ଏକଥା ଭାବିଲେ ଯାଇ ସରକାର ବିକଳ୍ପ ଚିନ୍ତା କରିପାରିବେ। ଏବେ ଯାହା ଯେଉଁଭଳି ଚାଲିଛି, ତାହା ସେହିଭଳି ଚାଲିଲେ, ଶୀତଳ ପରିସଂଖ୍ୟାନ ଦେଇ ସରକାର ବିଧାନସଭାକୁ ସନ୍ତୁଷ୍ଟ କରିପାରିବେ ସିନା ଅସହାୟ ନାଗରିକଙ୍କୁ ନୁହେଁ। ଏ ଦିଗରେ ପ୍ରଥମ ପଦକ୍ଷେପ ହେବ, ରାଜ୍ୟ ପାଇଁ ଜଣେ ପୂର୍ଣ୍ଣକାଳୀନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଯୁକ୍ତି। ଦ୍ବିତୀୟ ପଦ‌କ୍ଷେପ, ଗ୍ରାମାଞ୍ଚଳରେ ଡାକ୍ତରମାନଙ୍କ ରହଣି ବ୍ୟବସ୍ଥା ସହ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତୀକରଣ ଏବଂ ଘରୋଇ-ସରକାରୀ ଡାକ୍ତରଖାନାର ପ୍ରତି ଏମ୍‌.ବି.ବି.ଏସ୍‌ ଓ ପି.ଜି ଡାକ୍ତରମାନଙ୍କୁ ସେମାନଙ୍କ ଇଚ୍ଛା ଅନୁକୂଳ ସ୍ଥାନରେ ଅନ୍ୟୂନ ୬ ମାସ ଲାଗି ଗ୍ରାମୀଣ ନିଯୁକ୍ତି। ଦୀର୍ଘକାଳ ଧରି ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗ ପ୍ରତି ଅଣହେଳା ପ୍ରଦର୍ଶନ କରି ଆସିଛନ୍ତି।

ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇଦେବାଲାଗି ସମର୍ଥ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ ଯେତେବେଳେ ତା’ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଜରୁରୀକାଳୀନ ସେବା ଯୋଗାଇ ପାରିଲା ନାହିଁ, ସେତେବେଳେ ସରକାରଙ୍କ ଦମ୍ଭ ଓ ସ୍ବାଭିମାନ ଆହତ ହୋଇଥିବା ସ୍ବାଭାବିକ। ସେଥିପାଇଁ ବୈପ୍ଳବିକ ଦୃଷ୍ଟିଭଙ୍ଗୀ ପ୍ରୟୋଜନ ଏବଂ ସରକାର ଚାହିଁଲେ, ଏହା ନିଶ୍ଚୟ ସମ୍ଭବ ହୋଇପାରିବ। ତାହା ନ ହେଲେ ଜନସାଧାରଣଙ୍କ ଉଦ୍ୟମ ଏବଂ ମାନ୍ୟବର ହାଇକୋର୍ଟଙ୍କ ଉଦ୍‌ବେଗ ସତ୍ତ୍ବେ ପରିସ୍ଥିତିର ସ୍ଥିତାବସ୍ଥା ଲୋକପ୍ରିୟ କଥାଶିଳ୍ପୀ ବିଭୂତି ପଟ୍ଟନାୟକଙ୍କ ଗଳ୍ପ ଶିରୋନାମା ‘ବଧିର ବିଦ୍ୟାଳୟରେ ଘଣ୍ଟା ଶବ୍ଦ’କୁ ସାବ୍ୟସ୍ତ କରିବ ମାତ୍ର!