ଚଳିତ ବର୍ଷ ସାରା ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ସ୍ୱରାଜର ଆଦ୍ୟ ବାର୍ତ୍ତାବହ, ସ୍ୱାଧୀନତା ସଂଗ୍ରାମର ଆଗ୍ନେୟ ସ୍ଫୁଲିଙ୍ଗ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ସ୍ମରଣ କରିବା। ମହର୍ଷି ଦୟାନନ୍ଦ ହେଉଛନ୍ତି ପ୍ରଥମ ସଂଗ୍ରାମୀ ଯିଏ ଘୋଷଣା କରିଥିଲେ- ରାଜନୈତିକ ପରାଧୀନତା ହେଉଛି ଧାର୍ମିକ ଓ ସାମାଜିକ ଅବକ୍ଷୟର ପ୍ରତିଫଳନ। ଧାର୍ମିକ କ୍ଷେତ୍ରରେ ସଂସ୍କାର ଆସିଲେ ସାମାଜିକ ବ୍ୟବସ୍ଥାରେ ଉନ୍ନତି ଘଟିବ। ସମାଜ ସୁସଂଗଠିତ ହେଲେ ଦେଶବାସୀ ଜାତୀୟତାବୋଧରେ ଉଦ୍‌ବୁଦ୍ଧ ହେବେ ଏବଂ ଦେଶ ସ୍ୱାଧୀନ ହେବ। ସ୍ୱାଧୀନତା ପ୍ରାପ୍ତିର ମାର୍ଗକୁ ସେ ଶିଡ଼ିର ଚାରିଟି ପାହାଚ ସଦୃଶ ବର୍ଣ୍ଣନା କରିଥିଲେ- ସ୍ୱଧର୍ମ, ସ୍ୱଭାଷା, ସ୍ୱଦେଶୀ ଓ ସ୍ୱରାଜ। ସ୍ୱଧର୍ମ ପ୍ରତିଷ୍ଠା ହେଲେ, ସ୍ୱଭାଷା ପ୍ରତି ଶ୍ରଦ୍ଧା ସୃଷ୍ଟି ହେଲେ ଏବଂ ସ୍ୱଦେଶୀ ବସ୍ତୁ ଆପଣେଇଲେ ସ୍ୱରାଜ ସମ୍ଭବ ହେବ। ପରବର୍ତ୍ତୀ ସମୟରେ ଏହା ସ୍ୱାଧୀନତା ସଂଗ୍ରାମର ‘ମହାମନ୍ତ୍ର’ରେ ପରିଣତ ହୋଇଗଲା। ଏଥି ନିମନ୍ତେ ସେ ପାଶ୍ଚାତ୍ୟ ଜଗତରୁ ପ୍ରେରଣା ପାଇ ନ ଥିଲେ। ସେ ପବିତ୍ର ଆର୍ଷଗ୍ରନ୍ଥ ଅଧ୍ୟୟନ କରି ଉଦ୍‌ବୁଦ୍ଧ ହୋଇଥିଲେ ଏବଂ ତାଙ୍କର ହୃଦ୍‌ବୋଧ ହୋଇଥିଲା ଯେ ପବିତ୍ର ବେଦର ପ୍ରତିଟି ଶବ୍ଦ ସଂସାରର ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ। ତାଙ୍କ ପାଇଁ ସ୍ୱଧର୍ମର ପରିଭାଷା ଥିଲା ସର୍ବଧର୍ମ ସମନ୍ୱୟରେ ଦେଶର ନିଜସ୍ୱ ଧର୍ମ ରହିବ ଏବଂ ସମସ୍ତ ଦେଶବାସୀଙ୍କ ପ୍ରତି ଲାଗୁ ହେବ। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ‘ସମାନ ନାଗରିକ ସଂହିତା’ ନାମରେ ଅଭିହିତ କରାଯାଇପାରେ। ହିନ୍ଦୀକୁ ରାଷ୍ଟ୍ର ଭାଷାର ମାନ୍ୟତା ଦେବା ସହିତ ସ୍ୱଦେଶୀ ବସ୍ତ୍ର ଭାବେ ଖଦିକୁ ଆପଣେଇବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି। ସ୍ୱାଧୀନତା ସଂଗ୍ରାମୀ ନିର୍ମାଣ ଉଦ୍ଦେଶ୍ୟରେ ୧୮୭୫ ମସିହାରେ ସେ ପ୍ରତିଷ୍ଠା କରିଥିଲେ ‘ଆର୍ଯ୍ୟ ସମାଜ’, ଯାହାର ପୃଷ୍ଠଭୂମି ଥିଲା ଏହିଭଳି।

Advertisment

ଅଷ୍ଟାଦଶ ଶତାବ୍ଦୀର ଅନ୍ତିମ ଭାଗରେ ସାଧୁ, ସନ୍ଥ, ଫକୀରମାନେ ସ୍ୱାଧୀନତା ସଂଗ୍ରାମର ଆଦ୍ୟ ଓଁକାର ଧ୍ୱନି ତୋଳିଥିଲେ, ଯାହା ସନ୍ନ୍ୟାସୀ ବିଦ୍ରୋହ ନାମରେ ଅଭିହିତ। ବଙ୍କିମ ଚନ୍ଦ୍ରଙ୍କ ‘ଆନନ୍ଦ ମଠ’ରେ ଏହାର ଝଲକ ରହିଛି। ସେହି ସମୟରେ ଜନଜାତି ସଂପ୍ରଦାୟ ମଧ୍ୟ କଂପାନି ସରକାର ବିରୋଧରେ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଥିଲେ ଏବଂ ୧୭୮୫ ମସିହାରେ ତିଲ୍‌କା ମାଝୀଁ ସେହି ସ୍ତବକର ପ୍ରଥମ ସହିଦ। ଉଭୟ ସଂଗ୍ରାମ ଆଞ୍ଚଳିକ ସ୍ତରରେ ସୀମିତ ଥିଲା। କିନ୍ତୁ ୧୮୫୭ ସ୍ୱାଧୀନତା ସଂଗ୍ରାମ ଦେଶର କୋଣ ଅନୁକୋଣକୁ ପରିବ୍ୟାପ୍ତ ହୋଇଥିଲା। ଦେଶର ୩୬ଟି ଅଞ୍ଚଳରେ ପ୍ରାୟ ଦୁଇ ବର୍ଷ ଏହି ସଂଗ୍ରାମ ଜାଗରୁକ ରହିଥିଲା। ସଂଗ୍ରାମ ଆରମ୍ଭ ହେବାର ବହୁ ପୂର୍ବରୁ ମହର୍ଷି ଦୟାନନ୍ଦ ସରସ୍ୱତୀ, ତାଙ୍କ ଗୁରୁ ସ୍ୱାମୀ ବିରଜାନନ୍ଦ, ତାଙ୍କ ଗୁରୁ ସ୍ୱାମୀ ପୂର୍ଣ୍ଣାନନ୍ଦ ଏବଂ ମୌଲବୀ ଅହମଦୁଲ୍ଲାଙ୍କ ସମେତ ବହୁ ସାଧୁ, ସନ୍ଥ ଓ ଫକୀରମାନେ ଏହାର ବିସ୍ତୃତ ଯୋଜନା ପ୍ରସ୍ତୁତ କରିଥିଲେ। ସଂଗ୍ରାମୀମାନେ ଯେଉଁ ମାର୍ଗରେ ଅଗ୍ରସର ହେଉଥିଲେ, ସେହି ଅଞ୍ଚଳର ଗ୍ରାମବାସୀମାନେ ସେମାନଙ୍କ ଖାଦ୍ୟପେୟର ଦାୟିତ୍ୱ ଗ୍ରହଣ କରୁଥିଲେ। କେବେ, କେତେ ପରିମାଣର ଖାଦ୍ୟ ଆବଶ୍ୟକ ତାହା ‘ରୋଟି ପଦ୍ମ’ ସଙ୍କେତ ମାଧ୍ୟମରେ ବାର୍ତ୍ତାବହଙ୍କ ଦ୍ୱାରା ଜଣାଇ ଦିଆଯାଉଥିଲା। ହାତକୁ ହାତକୁ ହୋଇ ଗୋଟିଏ ରାତିରେ ରୋଟି ୨୦୦ ମାଇଲ ଯାତ୍ରା କରୁଥିଲା, ଯାହା ବ୍ରିଟିସ୍‌ ଅଧିକାରୀଙ୍କୁ ଦ୍ୱନ୍ଦ୍ୱରେ ପକାଇବା ସହିତ ବିସ୍ମିତ କରି ଦେଇଥିଲା। ପ୍ରଚାର କରାଯାଉଥିଲା, ୧୭୫୭ ମସିହା ପଲାସି ଯୁଦ୍ଧର ଶହେ ବର୍ଷ ପୂର୍ତ୍ତି ଅବସରରେ ବ୍ରିଟିସ୍‌ ଶାସନର ଅନ୍ତ ହେବ। ଏହି ବାର୍ତ୍ତା ସଂଗ୍ରାମକୁ ଯଥେଷ୍ଟ ଶକ୍ତି ପ୍ରଦାନ କରିଥିଲା। ସୈନିକ, କୃଷକ, ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କର ବ୍ରିଟିସ୍‌ଙ୍କ ପ୍ରତି ଶତାବ୍ଦୀ ବ୍ୟାପୀ ଅସନ୍ତୋଷର ଏହା ଥିଲା ପ୍ରତିଫଳନ।

କିଛି ବିଶ୍ୱାସଘାତକଙ୍କ ଦେଶଦ୍ରୋହୀ କାର୍ଯ୍ୟକଳାପ ଯୋଗୁଁ ସଂଗ୍ରାମରେ ସଫଳତା ମିଳିଲା ନାହିଁ ସତ, କିନ୍ତୁ ଏହାର କଂପନ ବ୍ରିଟିସ୍‌ ସିଂହାସନକୁ ଦୋହଲାଇଦେବା ପାଇଁ ଯଥେଷ୍ଟ ଥିଲା। ଭାରତର ଶାସନ, କଂପାନି ହାତରୁ ବ୍ରିଟିସ୍‌ ସରକାର ଅଧୀନକୁ ଆସିବା ପରେ ସାରା ଦେଶରେ ଦମନଲୀଳା ଆରମ୍ଭ ହେଲା। ଯେଉଁ ଅଞ୍ଚଳରେ ଜଣେ ବ୍ରିଟିସ୍‌ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା, ସେ ସମସ୍ତ ଜନବସତିକୁ ଧ୍ୱଂସ କରି ତାହାକୁ ‘ଗୈର ଚିରାଗି’ ଅର୍ଥାତ୍ ଅଣରାଜସ୍ୱ ଜମି ଭାବେ ରେକର୍ଡ କରାଗଲା। ସ୍ୱାଧୀନତା ସଂଗ୍ରାମୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହିତ ଜନସାଧାରଣଙ୍କୁ ଶଙ୍କାଗ୍ରସ୍ତ ଓ ଭୟଭୀତ ରଖିବା ନିମନ୍ତେ ସରକାର ବିସ୍ତୃତ ଯୋଜନା ପ୍ରସ୍ତୁତ କରିଥିଲେ। ଫଳରେ ଭବିଷ୍ୟତରେ କେହି ବ୍ରିଟିସ୍‌ ଶାସନକୁ ବିରୋଧ କରିବେ ନାହିଁ। ଏଥି ନିମନ୍ତେ ସର୍ବସମ୍ମୁଖରେ ଭିନ୍ନ ଭିନ୍ନ ପଦ୍ଧତିରେ ଲୋମହର୍ଷଣକାରୀ ନୃଶଂସ ଗଣହତ୍ୟାର ବ୍ୟବସ୍ଥା କରାଯାଉଥିଲା। ସେତେବେଳକୁ ଇଂଲଣ୍ଡ ସମେତ ୟୁରୋପରେ ସର୍ବ ସମ୍ମୁଖରେ ଫାଶୀ ଏବଂ ହତ୍ୟା ପରଂପରା ବିଲୋପ ଘଟିଥିଲେ ସୁଦ୍ଧା ଭାରତରେ ଏହାର ପ୍ରଚଳନ ଥିଲା। ବ୍ରିଟିସ୍‌ମାନେ ଏହି ଦଣ୍ଡ ବିଧାନକୁ ଉପଭୋଗ କରି ଏହାର ନାମ ରଖିଥିଲେ ‘ଫେଷ୍ଟିଭାଲ ଅଫ୍ ପନିସ୍‌ମେଣ୍ଟ’ (ଶାସ୍ତିର ପର୍ବ’)। ଏହି ସଂପର୍କରେ ‘ଟାଇମ୍‌ସ’ ପତ୍ରିକାର ସ୍ୱତନ୍ତ୍ର ପ୍ରତିନିଧି ଉଇଲିୟମ ହାୱାର୍ଡ ରସେଲ ଭାରତ ଭ୍ରମଣରେ ଆସି ଲେଖିଥିଲେ- “ଭାରତରେ ‘ଆଇନର ଶାସନ’ ନାମରେ ଯାହା ସବୁ ଘଟୁଛି, ଇଂଲଣ୍ଡରେ ଏହାର ସାମାନ୍ୟତମ ପୁନରାବୃତ୍ତି ହେଲେ ପ୍ରବଳ ବିଦ୍ରୋହ ସଂଗଠିତ ହେବ।’’ ରକ୍ଷଣଶୀଳ ଆକଳନ ଅନୁଯାୟୀ ୧୮୬୦ରୁ ୧୮୭୦ ମସିହା ମଧ୍ୟରେ ୧୦ ନିୟୁତ ବ୍ୟକ୍ତି ନିର୍ମମ ଗଣହତ୍ୟାର ଶିକାର ହୋଇଥିଲେ।

ବ୍ରିଟିସ୍‌ ଦମନଲୀଳାର ପରିଣାମ ଥିଲା ଅତ୍ୟନ୍ତ ଭୟାବହ। ସାରା ଦେଶରୁ ସଂଗ୍ରାମୀଙ୍କ ସଂଖ୍ୟା ହ୍ରାସ ପାଇଗଲା ଏବଂ ସଂଗ୍ରାମର ମେରୁଦଣ୍ଡ ଭାଙ୍ଗିଗଲା। ୧୮୬୦ ମସିହାରୁ ସାରା ଦେଶକୁ ଯେଉଁ ନିର୍ମମ ଦୁର୍ଭିକ୍ଷର କରାଳ ଗ୍ରାସ କରିଥିଲା, ଆଜି ତାହା ପ୍ରାଣରେ ଶିହରଣ ସୃଷ୍ଟି କରେ। ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ଲୋକ ଭୋକ ଓପାସରେ ଟଳି ପଡୁଥିବାବେଳେ, ଗୋଟିଏ ଶାସନକଳ କେତେ ଉଦାସୀନ ହୋଇପାରେ, ବ୍ରିଟିସ୍‌ ସରକାର ତାହାର ହୀନ ଦୃଷ୍ଟାନ୍ତ। ୧୮୬୦-୬୧ ଦୁର୍ଭିକ୍ଷରେ ଆଗ୍ରା, ଦିଲ୍ଲୀ, ପଞ୍ଜାବ, ରାଜପୁତାନା ଅଞ୍ଚଳର ୨୦ ଲକ୍ଷ ବ୍ୟକ୍ତି ପ୍ରାଣ ହରାଇଥିଲେ। ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର କଳଙ୍କିତ ଅଧ୍ୟାୟ, ଯେଉଁଥିରେ ଅନ୍ୟୂନ ୧୦ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ। ୧୮୭୬-୭୮ ଦକ୍ଷିଣ ଭାରତ ଦୁର୍ଭିକ୍ଷରେ ୧୦ ନିୟୁତ ଲୋକ ବଳି ପଡ଼ିଥିଲେ। ଏହା ଥିଲା ବ୍ରିଟିସ୍‌ ସରକାରର ଇଚ୍ଛାକୃତ ନିର୍ଯାତନା। ଗୋଟିଏ ଜାତିକୁ ସାମାଜିକ, ଧାର୍ମିକ, ଆର୍ଥିକ, ରାଜନୈତିକ, ପ୍ରତିଟି କ୍ଷେତ୍ରରେ ନ୍ୟୂନ ପ୍ରତିପାଦିତ କରି ତାହାର ଅନ୍ତରାତ୍ମାକୁ ଧ୍ୱଂସ କରିଦେବା ପାଇଁ ଏହା ଥିଲା ଭୟଙ୍କର ଷଡ୍‌ଯନ୍ତ୍ର।

ଏହି ପୃଷ୍ଠଭୂମିରେ ୧୮୭୫ ମସିହାରେ ମହର୍ଷି ଦୟାନନ୍ଦ ସରସ୍ୱତୀ ସ୍ୱରାଜ-ବହ୍ନିକୁ ପ୍ରଜ୍ଜ୍ବଳିତ ରଖିବା ଉଦ୍ଦେଶ୍ୟରେ ‘ଆର୍ଯ୍ୟ ସମାଜ’ ପ୍ରତିଷ୍ଠା କରିଥିଲେ। ସେହି ବର୍ଷ ସେ ପୁନାରେ ଜୁଲାଇ ୪ ତାରିଖରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ୧୫ଟି ଉଦ୍‌ବୋଧନ ଦେଇଥିଲେ। ପ୍ରଥମ ୭ଟି ବକ୍ତବ୍ୟ ଧର୍ମ ଏବଂ ଈଶ୍ୱରଙ୍କ ସଂପର୍କରେ ଥିବାବେଳେ ପରବର୍ତ୍ତୀ ୮ଟି ଥିଲା ଆର୍ଯ୍ୟାବର୍ତ୍ତର ଗୌରବୋଜ୍ଜ୍ବଳ ଅତୀତର ଗାଥା। ପର ଦୁଇ ବର୍ଷ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଆର୍ଯ୍ୟ ସମାଜର ଶାଖା ପ୍ରତିଷ୍ଠା କରି ୨୦୦ରୁ ଅଧିକ ଉଦ୍‌ବୋଧନ ଦେଇଥିଲେ। ୧୮୭୭ରେ ମହର୍ଷି ଦୟାନନ୍ଦ ‘ଋଗ୍‌ବେଦ ଭାଷ୍ୟ ଭୂମିକା’ ଗ୍ରନ୍ଥରେ ଋଗ୍‌ବେଦ ଆଧାରରେ ନିଜସ୍ୱ ରାଜନୈତିକ ଆଦର୍ଶ, ଶାସକର ଯୋଗ୍ୟତା, ଗଣତାନ୍ତ୍ରିକ ପଦ୍ଧତିର ଉପାଦେୟତା ଆଦି ବିସ୍ତୃତ ବର୍ଣ୍ଣନା କରିଥିଲେ, ଯାହା ଥିଲା ବ୍ରିଟିସ୍‌ ଶାସନ ବ୍ୟବସ୍ଥାର ସଂପୂର୍ଣ୍ଣ ବିରୋଧ। ମହର୍ଷିଙ୍କ ବାଣୀ ଦେଶପ୍ରେମ-ବହ୍ନି ଜାଗରଣ ନିମନ୍ତେ ଆଗ୍ନେୟର ସ୍ଫୁଲିଙ୍ଗ ଥିଲା। ଏହି ବହ୍ନିକୁ ନିର୍ବାପିତ କରିବା ପାଇଁ ବ୍ରିଟିସ୍‌ ସରକାର ଦୁଇଟି କଠୋର ଆଇନ ପ୍ରଚଳନ କଲେ- ଭର୍ଣ୍ଣାକୁଲାର ପ୍ରେସ୍ ଆକ୍ଟ ଏବଂ ଇଣ୍ଡିଆନ୍ ଆର୍ମସ୍ ଆକ୍ଟ। ୧୮୭୭-୭୮ ମସିହାରେ ଗଣମାଧ୍ୟମରେ ସରକାର ବିରୋଧୀ ଖବର ଏତେ ପ୍ରକାଶ ପାଇଲା ଯେ ସରକାରଙ୍କ ପକ୍ଷେ ତାହା ବରଦାସ୍ତ କରିବା ସମ୍ଭବ ହେଲା ନାହିଁ। ଭର୍ଣ୍ଣାକୁଲାର ପ୍ରେସ୍ ଆକ୍ଟ ମାଧ୍ୟମରେ ତାହା ଉପରେ ଅଙ୍କୁଶ ଲଗାଗଲା। ଇଣ୍ଡିଆନ୍ ଆର୍ମସ୍ ଆକ୍ଟ ବଳରେ ନିୟମ ହେଲା ଯେ କୌଣସି ଭାରତୀୟ ବିନା ଲାଇସେନ୍ସରେ ନିଜ ପାଖରେ ମାରଣାସ୍ତ୍ର ରଖିପାରିବେ ନାହିଁ। ଦେଶର ଶିକ୍ଷିତ ମଧ୍ୟବିତ୍ତବର୍ଗ ଧୀରେ ଧୀରେ ଆର୍ଯ୍ୟ ସମାଜ ପ୍ରତି ଆକୃଷ୍ଟ ହେବା ଫଳରେ ସେମାନଙ୍କର ବିଶ୍ୱାସ ଦୃଢ଼ୀଭୂତ ହେଲା ଯେ ଦେଶର ଆର୍ଥିକ, ସାମାଜିକ, ରାଜନୈତିକ ଆଦି ପ୍ରତିଟି କ୍ଷେତ୍ରରେ ବିପର୍ଯ୍ୟୟ ନିମନ୍ତେ ବ୍ରିଟିସ୍‌ ସରକାର ହିଁ ଦାୟୀ।

ଆର୍ଯ୍ୟ ସମାଜ ପ୍ରତିଷ୍ଠା ହେବାର ଦୁଇ ଦଶନ୍ଧି ମଧ୍ୟରେ ଏହାର ଉଦ୍ଦେଶ୍ୟ ଚରିତାର୍ଥର ଲକ୍ଷଣମାନ ପରିସ୍ଫୁଟ ହେବାକୁ ଲାଗିଲା। ବ୍ରିଟିସ୍‌ ବିରୋଧୀ କାର୍ଯ୍ୟକ୍ରମ ସାରା ଦେଶରେ ବ୍ୟାପକ ହେଲା। ଆର୍ଯ୍ୟ ସମାଜ ସହିତ ସଂପୃକ୍ତ ପ୍ରତ୍ୟେକ, ସେନାର ଯବାନଙ୍କ ଠାରୁ ଗ୍ରାମର ସାଧାରଣ ବ୍ୟକ୍ତି ପର୍ଯ୍ୟନ୍ତ ବ୍ରିଟିସ୍‌ ଦୃଷ୍ଟିରେ ଥିଲେ ଦେଶଦ୍ରୋହୀ। ୧୯୦୮ ମସିହା ଲାହୋର ଆର୍ଯ୍ୟ ସମାଜର ବାର୍ଷିକ ଅଧିବେଶନରେ ମହାତ୍ମା ମୁନସିରାମ (ପରେ ସ୍ୱାମୀ ଶ୍ରଦ୍ଧାନନ୍ଦ)ଙ୍କ ଉଦ୍‌ବୋଧନର ଶୀର୍ଷକ ଥିଲା- ‘ଆର୍ଯ୍ୟ ସମାଜ ଓ ରାଜନୀତି’। ସେ ସ୍ପଷ୍ଟ କରିଥିଲେ, “ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦଙ୍କର ଆଭିମୁଖ୍ୟ ହେଉଛି ପ୍ରତ୍ୟେକ ଆର୍ଯ୍ୟ ସୁସ୍ଥ ସାମାଜିକ, ଆର୍ଥିକ, ଆଧ୍ୟାତ୍ମିକ ଏବଂ ରାଜନୈତିକ ଜୀବନ ଅତିବାହିତ କରିବେ। କିନ୍ତୁ ପ୍ରତିଟି କ୍ଷେତ୍ରରେ ବ୍ରିଟିସ୍‌ ସରକାର ଆମକୁ ସେହି ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ରଖୁଛି। ଆର୍ଯ୍ୟ ସମାଜୀ ସେହି ପ୍ରସଙ୍ଗରେ ପ୍ରଶ୍ନ କଲେ ତାଙ୍କୁ ଦେଶଦ୍ରୋହୀ ଏବଂ ତାଙ୍କର କାର୍ଯ୍ୟଧାରାକୁ ରାଜନୈତିକ ଆଖ୍ୟା ଦିଆଯାଉଛି। ଯଦି ଏହା ହିଁ ସରକାରୀ ପରିଭାଷା ହୁଏ, ତେବେ ଆର୍ଯ୍ୟ ସମାଜକୁ ‘ରାଜନୈତିକ ସଂଗଠନ’ ଭାବେ ଅଭିହିତ କରିବାରେ ଆମର ଆପତ୍ତି ନାହିଁ।’’

ଭାଲେଣ୍ଟାଇନ୍ ସିରୋଲ ଥିଲେ ‘ଟାଇମ୍‌ସ’ ସମ୍ବାଦପତ୍ରର ସ୍ୱତନ୍ତ୍ର ପ୍ରତିନିଧି ଏବଂ ବ୍ରିଟିସ୍‌ ସାମ୍ରାଜ୍ୟର ଅନ୍ତରଙ୍ଗ ଶୁଭେଚ୍ଛୁ। ୧୮୭୦ ଦଶକରୁ ଚାରି ଦଶନ୍ଧି ମଧ୍ୟରେ ସେ ୧୭ଥର ଭାରତ ଆସିଥିଲେ। ୧୯୧୦ ମସିହାରେ ସେ ଭାରତ ସଂପର୍କରେ ଗୋଟିଏ ପୁସ୍ତକ ଲେଖିଥିଲେ ‘ଇଣ୍ଡିଆନ୍ ଅନ୍‌ରେଷ୍ଟ’। ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ସାରା ଦେଶରେ ବ୍ରିଟିସ୍‌ ଶାସନ ବିରୋଧରେ ରାଜନୈତିକ ସଂଗ୍ରାମ ଯେଉଁ ବ୍ୟାପକ ରୂପ ନେଇଥିଲା, ତାହାର କାରଣ ଚିହ୍ନଟ କରି ସଂଗ୍ରାମର ସଂପୂର୍ଣ୍ଣ ଚିତ୍ର ଏହି ପୁସ୍ତକରେ ବର୍ଣ୍ଣନା କରିଥିଲେ। ପୁସ୍ତକର ଅଷ୍ଟମ ଅଧ୍ୟାୟ ‘ପଞ୍ଜାବ ଓ ଆର୍ଯ୍ୟ ସମାଜ’ରେ ଆର୍ଯ୍ୟ ସମାଜକୁ ଦେଶରେ ଅସ୍ଥିରତା ସୃଷ୍ଟି କରୁଥିବା କାର୍ଯ୍ୟଧାରାର ‘କେନ୍ଦ୍ର ବିନ୍ଦୁ’ ଭାବେ ଚିତ୍ରଣ କରିଥିଲେ। ୧୯୧୫ ମସିହାରେ ମହର୍ଷି ଦୟାନନ୍ଦଙ୍କ ପରମ ଶିଷ୍ୟ ଲାଲା ଲଜପତ ରାୟଙ୍କ ‘ଆର୍ଯ୍ୟ ସମାଜ’ ପୁସ୍ତକ ପ୍ରକାଶ ପାଇବା ପରେ ସାରା ଦୁନିଆ ଅନୁଷ୍ଠାନର ବିସ୍ତୃତ କାର୍ଯ୍ୟକଳାପ ସଂପର୍କରେ ଅବଗତ ହେଲା। ଏଥିରେ ଉଲ୍ଲେଖ ଅଛିି- ‘୧୯୦୭ ମସିହାରେ ପଞ୍ଜାବର ଲେଫଟ୍‌ନାଣ୍ଟ ଗଭର୍ଣ୍ଣନରଙ୍କ ସରକାରୀ ତଥ୍ୟ ଏବଂ ଭାଲେଣ୍ଟାଇନ୍ ସିରୋଲଙ୍କ ପର୍ଯ୍ୟବେକ୍ଷଣ ଆଧାରରେ ଏହା ସ୍ୱତଃସିଦ୍ଧ ଯେ ଯେଉଁ ସମସ୍ତ ସ୍ଥାନରେ ଆର୍ଯ୍ୟ ସମାଜର ଶାଖା ରହିଛି, ସେହି ସ୍ଥାନସମୂହ ହେଉଛି ଦେଶରେ ଅସ୍ଥିରତା ସୃଷ୍ଟି କରିବାର କେନ୍ଦ୍ରବିନ୍ଦୁ। ଏହି ମନ୍ତବ୍ୟ, ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହାନ ସ୍ୱାଧୀନତା ସଂଗ୍ରାମୀ ମହର୍ଷି ଦୟାନନ୍ଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି।’ ଲୋକସଭାର ପ୍ରଥମ ଉପବାଚସ୍ପତି ଏମ.ଏ. ଆୟାଙ୍ଗର ଶ୍ରଦ୍ଧାରେ ସମ୍ବୋଧନ କରିଥିଲେ- ଗାନ୍ଧୀଜୀ ହେଉଛନ୍ତି ଜାତିର ପିତା ଏବଂ ମହର୍ଷି ଦୟାନନ୍ଦ ଜାତି ପିତାମହ।
ମୋ-୯୪୩୭୧୯୧୩୫୦