୧୯୮୪ରେ ଦିଲ୍ଲୀରେ ଶିଖ୍ମାନଙ୍କୁ ଗଣହତ୍ୟା ପରେ ପରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ମାନବାଧିକାର ସଂଗଠନ ‘ପିପୁଲ୍ସ ୟୁନିଅନ୍ ଫର୍ ସିଭିଲ୍ ଲିବର୍ଟିଜ୍’ (ପିୟୁସିଏଲ୍) ଓ ‘ପିପୁଲ୍ସ ୟୁନିଅନ୍ ଫର୍ ଡେମୋକ୍ରାଟିକ୍ ରାଇଟ୍ସ’ (ପିୟୁଡିଆର୍)ର ମିଳିତ ପ୍ରୟାସରେ ଜାରି ହୋଇଥିବା ସେଇ ରିପୋର୍ଟ ଦିଲ୍ଲୀ ଗଣହତ୍ୟାର ଏଭଳି ସତ୍ୟକୁ ଦେଶ ଆଗରେ ରଖିଥିଲା ଯାହାକୁ ସେ ସମୟର କ୍ଷମତାଧାରୀ ଶାସକଦଳ ଦବାଇ ରଖିବାକୁ ଚାହିଁଥିଲେ। କୁଳଦୀପ ନାୟାର, ରଜନୀ କୋଠାରୀ ଓ ଗୋବିନ୍ଦା ମୁଖୋଟିଙ୍କ ପରି ସଚେତନ ନାଗରିକ, ହିଂସା ପୀଡ଼ିତଙ୍କ ବୟାନ ରେକର୍ଡ କରିବା ସହ ହିଂସାକାରୀଙ୍କ ନାମ ପ୍ରକାଶ କରିବାର ସାହସ ଜୁଟାଇଥିଲେ। ସେହି ଐତିହାସିକ ନଥିପତ୍ର ଯୋଗୁଁ ସେ ସମୟର ବଡ଼ ବଡ଼ ନେତାମାନଙ୍କୁ ଉକ୍ତ ଗଣହତ୍ୟାର ଅପରାଧୀ ଭାବେ ଏବେ ବି ପରିଗଣନା କରାଯାଉଛି। ଯେଉଁ ସତ୍ୟକୁ ଅଦାଲତ କି ନ୍ୟାୟିକ ଆୟୋଗ ପ୍ରକାଶ କରିପାରିନଥିଲେ, ତାହା ନାଗରିକମାନଙ୍କ ଦ୍ବାରା ପ୍ରସ୍ତୁତ ସେହି ରିପୋର୍ଟ ହିଁ ଦେଶ ଆଗରେ ଖୋଲି ଦେଇଥିଲା।
ସେଇ ପରମ୍ପରା ଆଧାରରେ ଏବେ ଆଉ ଏକ ରିପୋର୍ଟ ସାର୍ବଜନୀନ ହୋଇଛି। ଏଇ ରିପୋର୍ଟର ବିଷୟବସ୍ତୁ ହେଉଛି ୨୦୨୦ ଫେବ୍ରୁଆରିରେ ଦିଲ୍ଲୀରେ ସଂଘଟିତ ଦଙ୍ଗାସମୂହ। ଏହି ଦଙ୍ଗାର ତୁଳନା ୧୯୮୪ର ବ୍ୟାପକ ନରସଂହାର ସହ କଦାପି କରାଯାଇପାରିବନି। ଏଥରର ହିଂସା ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟଙ୍କ ମଧ୍ୟରେ ହୋଇଥିଲା। ଉଭୟ ସମୁଦାୟର ଲୋକ ମୃତ୍ୟୁବରଣ କରିଥିଲେ। ମାତ୍ର ସତକଥାଟି ହେଲା, ସରକାରଙ୍କ ସତ୍ୟପାଠ ଅନୁଯାୟୀ, ଏହି ଦଙ୍ଗାରେ ମୃତ ୫୩ ଜଣଙ୍କ ଭିତରୁ ୪୦ ଜଣ ହେଉଛନ୍ତି ମୁସଲମାନ ଏବଂ ଆହତଙ୍କ ଭିତରୁ ଅଧିକାଂଶ ମୁସଲମାନ ଥିଲେ। ସେହିପରି ଘରବାଡ଼ି ଓ ଦୋକାନ ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତଙ୍କ ଭିତରୁ ତିନି-ଚତୁର୍ଥାଂଶ ମଧ୍ୟ ଥିଲେ ମୁସଲମାନ ବର୍ଗର। ଅର୍ଥାତ୍ ଉକ୍ତ ହିଂସା ଅଳ୍ପବହୁତେ ଏକପାଖିଆ ହୋଇଥିଲା। ମାତ୍ର ବିଡ଼ମ୍ବନାର ବିଷୟ, ହିଂସାରେ ଜଡ଼ିତ ଥାଇ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଭିତରେ ଅଧାରୁ ଅଧିକ ହେଉଛନ୍ତି ମୁସଲମାନ।
ଦିଲ୍ଲୀ ଦଙ୍ଗାର ଏହି ସତ୍ୟକୁ ଦେଶ ସାମନାରେ ରଖିବା ଲାଗି ନିକଟରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଦେଶର ପ୍ରାକ୍ତନ ପ୍ରାଶାସନିକ ଅଧିକାରୀଙ୍କ ସଂଗଠନ ‘କନ୍ଷ୍ଟିଚ୍ୟୁସନାଲ୍ କଣ୍ଡକ୍ଟ ଗ୍ରୁପ୍’ ଦ୍ବାରା ପ୍ରାୟୋଜିତ ଏହି ସ୍ବତନ୍ତ୍ର ତଥା ସ୍ବାଧୀନ ରିପୋର୍ଟକୁ ଖ୍ୟାତନାମା ପୂର୍ବତନ ନ୍ୟାୟାଧୀଶମାନେ ଲେଖିଛନ୍ତି। ସୁପ୍ରିମ୍ କୋର୍ଟର ପ୍ରାକ୍ତନ ନ୍ୟାୟାଧୀଶ ମଦନ ଲୋକୁର, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ଏ. ପି. ଶାହ, ପୂର୍ବତନ ନ୍ୟାୟାଧୀଶ ଆର୍. ଏସ୍. ଶୋଧି, ପାଟନା ହାଇକୋର୍ଟର ପ୍ରାକ୍ତନ ନ୍ୟାୟାଧୀଶ ଅଞ୍ଜନା ପ୍ରକାଶ ଓ ଦେଶର ପୂର୍ବତନ ଗୃହସଚିବ ଜି. କେ. ପିଲାଇଙ୍କ ଦ୍ବାରା ଲିଖିତ ‘ଅନ୍ସର୍ଟନ୍ ଜଷ୍ଟିସ: ଏ ସିଟିଜେନ୍ସ କମିଟି ରିପୋର୍ଟ ଅନ୍ ଦି ନର୍ଥ ଇଷ୍ଟ ଦିଲ୍ଲୀ ଭାଓଲେନ୍ସ ୨୦୨୦’ ଶୀର୍ଷକ ଏହି ରିପୋର୍ଟ ଦିଲ୍ଲୀ ଦଙ୍ଗାର ପୂରା ସତ୍ୟକୁ ନିରପେକ୍ଷତାର ସହ ଦେଶ ଆଗରେ ପରିବେଷଣ କରିଛି।
ଦିଲ୍ଲୀରେ ସଂଘଟିତ ହିଂସାର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଘଟଣାକ୍ରମର ବିହଙ୍ଗାବଲୋକନ କରି ଏହି ରିପୋର୍ଟ ଆମ ଆଗରେ ଅନେକ ଯନ୍ତ୍ରଣାଦାୟକ ପ୍ରଶ୍ନ ଛିଡ଼ା କରାଇଛି। ପ୍ରଥମତଃ, ଏହି ରିପୋର୍ଟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି କି ଦିଲ୍ଲୀରେ ସଂଘଟିତ ଉକ୍ତ ଦଙ୍ଗା କୌଣସି ସଂଯୋଗବଶତଃ ହୋଇନଥିଲା କି ଦୁର୍ଘଟଣା ମଧ୍ୟ ନଥିଲା। ଦୀର୍ଘ ସମୟ ଧରି ଏକ ଘୃଣାର ପୃଷ୍ଠଭୂମି ପ୍ରସ୍ତୁତ କରାଯାଇଥିଲା। ନାଗରିକତା ସଂଶୋଧନ ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ଅବସରରେ ରିପୋର୍ଟିଂ କଲା ବେଳେ ରାଜନେତା, ଟିଭି ଚାନେଲ ଓ ସାମାଜିକ ଗଣମାଧ୍ୟମଗୁଡ଼ିକ ଖୋଲାଖୋଲି ଭାବେ ମୁସଲିମ୍ ବିଦ୍ବେଷର ପ୍ରଚାର ଚଳାଇଥିଲେ ଏବଂ ସାହିନ ବାଗ ପରି ବିରୋଧ ପ୍ରଦର୍ଶନକୁ ରାଷ୍ଟ୍ରବିରୋଧୀ କହି ଲାଞ୍ଛିତ କରିଥିଲେ। ଦିଲ୍ଲୀ ନିର୍ବାଚନ ବେଳେ ବିଜେପି ନେତାମାନେ ଯେଭଳି ଉତ୍ତେଜନାପୂର୍ଣ୍ଣ ବୟାନ ଦେଲେ, ତାହା ହିଂସାର ପରିବେଶ ସୃଷ୍ଟି କଲା। ପ୍ରଶ୍ନ ହେଉଛି- ଏ ସବୁ ବାବଦରେ ସଚେତନ ଥାଇ ସୁଦ୍ଧା ପୁଲିସ, ପ୍ରଶାସନ, ନିର୍ବାଚନ ଆୟୋଗ ଓ ଗଣମାଧ୍ୟମ ତନ୍ତ୍ରକୁ ସଂଚାଳନ କରୁଥିବା ସଂସ୍ଥା କାହିଁକି କୌଣସି ଫଳପ୍ରଦ ପଦକ୍ଷେପ ନେଲେ ନାହିଁ?
ଦ୍ବିତୀୟରେ, ଦିଲ୍ଲୀ ପୁଲିସର ଭୂମିକା ଉପରେ ମଧ୍ୟ ପ୍ରଶ୍ନବାଚୀ ଲାଗିଛି। ହିଂସା ଘଟିବାର ସମସ୍ତ ଆଶଙ୍କା ଥାଇ ସୁଦ୍ଧା ଏବଂ ଏପରିକି ଏ ବାବଦରେ ଗୁଇନ୍ଦା ରିପୋର୍ଟ ପାଇ ସୁଦ୍ଧା ଦିଲ୍ଲୀ ପୁଲିସ କାହିଁକି ହିଂସା ରୋକିବା ପାଇଁ ପର୍ଯ୍ୟାପ୍ତ ବନ୍ଦୋବସ୍ତ କରିନଥିଲା? ହିଂସା ଆରମ୍ଭ ହେଲା ପରେ କାହିଁକି ପ୍ରଭୂତ ପୁଲିସ ବଳ ନିୟୋଜିତ ହୋଇନଥିଲେ? କର୍ଫ୍ୟୁ ଜାରି କରିବା ପାଇଁ କାହିଁକି ଦୁଇ ଦିନ ବିଳମ୍ବ ହେଲା? ଦଙ୍ଗା ସମୟରେ ଅନେକ ସ୍ଥାନରେ ଦିଲ୍ଲୀ ପୁଲିସକୁ କାହିଁକି ହିଂସାକାରୀଙ୍କ ସହିତ ଛିଡ଼ା ହୋଇଥିବା ଦେଖାଯାଇଥିଲା?
ସେହିପରି ତୃତୀୟ ପ୍ରଶ୍ନଟି ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛି। ହିଂସାର ଶିକାର ହୋଇଥିବା ଲୋକଙ୍କୁ ଦିଲ୍ଲୀ ସରକାର କାହିଁକି ତୁରନ୍ତ ଚିକିତ୍ସା ସୁବିଧା ଓ ତତ୍କାଳ ରିଲିଫ ବ୍ୟବସ୍ଥା ଯୋଗାଇ ଦେଲେନାହିଁ? ଦଙ୍ଗାରେ ବାସଗୃହ ଉଜୁଡ଼ି ଯାଇଥିବା ଲୋକଙ୍କ ପାଇଁ ନିର୍ମିତ ଆଶ୍ରୟସ୍ଥଳୀକୁ କାହିଁକି ତରବରିଆ ଭାବେ ବନ୍ଦ କରି ଦିଆଗଲା? ହିଂସା ତଥା ପୋଡ଼ାଜଳାର ଶିକାର ହୋଇଥିବା ପୀଡ଼ିତମାନଙ୍କୁ କ୍ଷତିପୂରଣ ଦେବାରେ ନାଲିଫିତାର ପ୍ରଭୁତ୍ବ କାହିଁକି ଦେଖାଗଲା?
ଚତୁର୍ଥ ପ୍ରଶ୍ନଟି ଆମକୁ ଆମ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଚିନ୍ତା କରିବା ପାଇଁ ବାଧ୍ୟ କରୁଛି। ଦିଲ୍ଲୀ ଦଙ୍ଗା ପରେ ମୋଟ ୭୫୮ଟି ଏତଲା ରୁଜୁ କରାଯାଇଥିଲା। ଏହି ସବୁ ଏତଲାକୁ ଏବଂ ଶୁଣାଣି ଜାରି ରହିଥିବା ମାମଲାଗୁଡ଼ିକୁ ନିକଟରୁ ତନଖିବା ପରେ ଏହି ରିପୋର୍ଟ ଆମ ନ୍ୟାୟ ବ୍ୟବସ୍ଥାର ଯେଉଁ ଛବି ପେସ କରିଛି, ତାହା ମନରେ ଆବଶ୍ୟକ ଆଶା ସଂଚାର କରିପାରୁନାହିଁ। ରିପୋର୍ଟରେ ଉପସ୍ଥାପିତ ପ୍ରମାଣରୁ ଏକଥା ସ୍ପଷ୍ଟ ଯେ, ଯେଉଁ ସବୁ ସ୍ଥାନରେ ମୁସଲମାନମାନେ ହିଂସାର ଶିକାର ହୋଇଥିଲେ, ସେଠାରେ ଦିଲ୍ଲୀ ପୁଲିସ ଓ ସରକାରୀ ଅଭିଯୋଗ ପକ୍ଷ ତଦନ୍ତରେ କୋହଳ ମନୋଭାବ ପୋଷଣ କରିଛନ୍ତି ଏବଂ ଏପରିକି ଏଭଳି ହାଲୁକା ମାମଲା ରୁଜୁ କରିଛନ୍ତି ଯାହା ଅଦାଲତରେ ତିଷ୍ଠି ପାରିବନି।
ମାତ୍ର ଯେଉଁଠି ନାଗରିକତା ସଂଶୋଧନ ଆଇନ ବିରୋଧୀ ଲୋକଙ୍କ ବିରୋଧରେ ଆରୋପ ଲାଗିଥିଲା, ସେଠି ପୁଲିସ ଆଗକୁ ମାଡ଼ିଯାଇ ମନଗଢ଼ା ପ୍ରମାଣ ଜୁଟାଇଛି ଏବଂ ମିଥ୍ୟା ସାକ୍ଷୀ ଯୋଗାଡ଼ କରି ଅଦାଲତଙ୍କୁ ବାଟବଣା କରିବାକୁ ଚେଷ୍ଟା କରିଛି। ଏହି ମାମଲାରେ ନ୍ୟାୟପାଳିକା ମଧ୍ୟ ଦିଲ୍ଲୀ ପୁଲିସ ସମ୍ପର୍କରେ ଯଥେଷ୍ଟ କଡ଼ା ଟିପ୍ପଣୀ କରିଛନ୍ତି। ବିଶେଷ କରି ଦିଲ୍ଲୀ ଦଙ୍ଗାକୁ ନାଗରିକତା ସଂଶୋଧନ ଆଇନ ବିରୋଧୀଙ୍କ ଦ୍ବାରା ଏକ ଷଡ଼ଯନ୍ତ୍ର ବୋଲି ଆଧାର କରି ପରଖିବା ପରେ ମାମଲାଟି ସଂପୂର୍ଣ୍ଣ ମନଗଢ଼ା ହୋଇଥିବା ଏହି ରିପୋର୍ଟର ନିଷ୍କର୍ଷ ବତାଉଛି। ଅବଶ୍ୟ, ଏକଥା ଉଲ୍ଲେଖଯୋଗ୍ୟ ଯେ ଏହି ମାମଲା ଅଦ୍ୟାବଧି ଜାରି ରହିଛି ଏବଂ ତାହାକୁ ଭିତ୍ତି କରି ଅନେକ ସାମାଜିକ କର୍ମୀଙ୍କୁ ଏବେ ବି ୟୁଏପିଏ ପରି କଠୋର ଆଇନ ବଳରେ ଜେଲ୍ରେ ରଖାଯାଇଛି ଏବଂ ସେମାନଙ୍କୁ ଜାମିନ ମିଳୁନାହିଁ।
ଏହି ଚାରିଟିଯାକ ପ୍ରଶ୍ନ ପଛରେ ଥିବା ଆଉ ଏକ ବିରାଟ ପ୍ରଶ୍ନବାଚୀ ରହିଛି, ତାହା ହେଲା- ଯଦି ଦେଶର ରାଜଧାନୀରେ ସରକାରଙ୍କ ନାକ ତଳେ ସଂଘଟିତ ଲଜ୍ଜାଜନକ ହିଂସାର ସତ୍ୟାସତ୍ୟକୁ ୧୯୮୪ ଘଟଣା ଭଳି କୌଣସି ବେସରକାରୀ ସଂସ୍ଥାକୁ ରଖିବାକୁ ପଡ଼ିଛି, ତେବେ ଏଇ ଦେଶରେ କ’ଣ ଆଇନର ଶାସନ ବଳବତ୍ତର ରହିଛି?