ଜାତିସଂଘ ଦ୍ବାରା ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୨୦୦୦ ମସିହାରୁ ୨୦୨୦ ମସିହା ମଧ୍ୟରେ ମାତୃ ମୃତ୍ୟୁ ହାର ହ୍ରାସ ପାଇବା ସତ୍ତ୍ବେ ପୃଥିବୀରେ ପ୍ରତି ଦିନ ୮୦୦ ଜଣ ବା ପ୍ରତି ଦୁଇ ମିନିଟ୍ରେ ଜଣେ ମହିଳା ପ୍ରସବ ସମ୍ପର୍କିତ ଜଟିଳତା କାରଣରୁ ମୃତ୍ୟୁବରଣ କରୁଛନ୍ତି। ୨୦୦୦ରୁ ୨୦୧୫ ମସିହା ମଧ୍ୟରେ ମାତୃ ମୃତ୍ୟୁ ହାର ଲଗାତାର ହ୍ରାସ ପାଇବା ପରେ ୨୦୧୬ରୁ ୨୦୨୦ ମଧ୍ୟରେ ଏହା ଅପରିବର୍ତ୍ତିତ ରହିଥିଲା ଏବଂ କେତେକ ମହାଦେଶରେ ଅବନତି ପରିଲକ୍ଷିତ ହୋଇଥିଲା ବୋଲି ଜଣାପଡ଼ିଛି। ୨୦୦୦ ମସିହାରେ ପ୍ରତି ଏକ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବ ପ୍ରକ୍ରିୟାରେ ୩୩୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୨୦ ବେଳକୁ ଏହି ହାର ୨୨୩କୁ ଖସିଆସିଛି। ଏହି ଦୁଇ ଦଶନ୍ଧିର ଅବଧି ମଧ୍ୟରେ ମାତୃ ମୃତ୍ୟୁ ହାର ୩୪.୩% ହ୍ରାସ ପାଇଛି।
ପୃଥିବୀର ବିଭିନ୍ନ ଦେଶ ମଧ୍ୟରୁ ୟୁରୋପୀୟ ଦେଶ ବେଲାରୁଷରେ ଏହି ହାରରେ ତୀବ୍ରତମ ସ୍ଖଳନ ଦେଖାଦେଇ ମାତୃ ମୃତ୍ୟୁ ହାର ୯୫.୫% ହ୍ରାସ ପାଇଛି। ଅପରପକ୍ଷେ ଭେନିଜୁଏଲାରେ ମାତୃ ମୃତ୍ୟୁ ହାରରେ ସର୍ବାଧିକ ବୃଦ୍ଧି ଘଟିଛି। ୨୦୦୦ରୁ ୨୦୧୫ ମଧ୍ୟର ଅବଧିକୁ ବିଚାରକୁ ନେଲେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ହାର ସର୍ବାଧିକ ବୃଦ୍ଧି ଦେଖିଛି। ୨୦୧୬ରୁ ୨୦୨୦ ମଧ୍ୟରେ ଜାତିସଂଘର ଆଠଟି ଅଞ୍ଚଳ ମଧ୍ୟରୁ କେବଳ ଦୁଇଟିରେ ମାତୃ ମୃତ୍ୟୁ ହାର କମିଛି- ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଅଞ୍ଚଳରେ ୩୫% ଏବଂ କେନ୍ଦ୍ର ଓ ଦକ୍ଷିଣ ଏସିଆରେ ୧୬%। କିନ୍ତୁ ୟୁରୋପ ଓ ଉତ୍ତର ଆମେରିକାରେ ୧୭% ଏବଂ ଲାଟିନ୍ ଆମେରିକା ଓ କ୍ୟାରିବିୟାନ୍ରେ ୧୫% ବୃଦ୍ଧି ଦେଖିବାକୁ ମିଳିଛି। ଅନ୍ୟ ସମସ୍ତ ଅଞ୍ଚଳରେ ଏହି ହାର ଅପରିବର୍ତ୍ତିତ ରହିଛି।
ପୃଥିବୀର ସବୁଠାରୁ ଦରିଦ୍ର ତଥା ଯୁଦ୍ଧରତ ଦେଶମାନଙ୍କରେ ହିଁ ସର୍ବାଧିକ ମାତୃ ମୃତ୍ୟୁ ହୋଇଥାଏ। ୨୦୨୦ରେ ହୋଇଥିବା ସମୁଦାୟ ମାତୃ ମୃତ୍ୟୁ ମଧ୍ୟରୁ ୭୦% କେବଳ ଉପ-ସାହାରା ଅଞ୍ଚଳରେ ହୋଇଛି, ଯେଉଁଠି ମାତୃ ମୃତ୍ୟୁ ହାର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍ ତୁଳନାରେ ୧୩୬ ଗୁଣ ଅଧିକ। ଭାରତରେ ୨୦୦୦ରେ ଏହି ହାର ୩୮୪ ଥିବା ବେଳେ ୨୦୨୦ରେ ଏହା ୧୦୩କୁ ଖସିଆସିଛି। ପ୍ରସବକାଳୀନ ତୀବ୍ର ରକ୍ତସ୍ରାବ, ସଂକ୍ରମଣ ଓ ଏଡ୍ସ ରୋଗ ଆଦି ହେଉଛି ମାତୃ ମୃତ୍ୟୁର କେତେକ ମୁଖ୍ୟ କାରଣ। ଉତ୍ତମ ସ୍ବାସ୍ଥ୍ୟ ସେବା ଜରିଆରେ ଏଗୁଡ଼ିକର ନିବାରଣ ସମ୍ଭବ। ୨୦୨୦ ପରବର୍ତ୍ତୀ କାଳରେ ମହାମାରୀ ଓ ଆର୍ଥିକ ସଂକଟ ଯୋଗୁଁ ମାତୃ ମୃତ୍ୟୁ ଅଧିକ ଉଦ୍ବେଗଜନକ ହୋଇଥିବାର ଆଶଙ୍କା ପ୍ରକଟ କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନ୍ତର୍ଗତ ସାର୍ବଜନୀନ ସ୍ବାସ୍ଥ୍ୟ ସୁରକ୍ଷାର ଉପ-ମହାନିର୍ଦ୍ଦେଶକ ଡାକ୍ତର ଅଂଶୁ ବାନାର୍ଜୀ। ୨୦୩୦ ସୁଦ୍ଧା ଅନ୍ତର୍ଜାତୀୟ ସ୍ତରରେ ମାତୃ ମୃତ୍ୟୁ ହାର ୭୦ରୁ କମ୍ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛି।