ଅନେକ କହିଥାଆନ୍ତି ଯେ ଯେଉଁ ଈଶ୍ବର ଜିହ୍ବା ଗଢ଼ିଛନ୍ତି, ସେହି ଈଶ୍ବର ଖୁବ୍ ସମ୍ଭବ ହୃତ୍ପିଣ୍ତ ବା ବୃକ୍କ ବା ଯକୃତ୍ ଆଦି ଭଳି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଙ୍ଗମାନ ଗଢ଼ି ନାହାନ୍ତି! କାରଣ ଯଦି ସେଭଳି ହୋଇଥାଆନ୍ତା, ତେବେ ଜିହ୍ବା ଯେଉଁ ଖାଦ୍ୟକୁ ଅତ୍ୟନ୍ତ ଆଗ୍ରହର ସହିତ ଆସ୍ବାଦନ କରିବାକୁ ଚାହିଁଥାଏ, ତାହା ଉପରୋକ୍ତ ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡ଼ିକୁ ହାନି ପହଞ୍ଚାନ୍ତା କାହିଁକି? ସେହି ଦୃଷ୍ଟିରୁ ଏକ ବିଡ଼ମ୍ବନାପୂର୍ଣ୍ଣ ବାସ୍ତବତା ହେଲା, ଆମ ଶରୀରରେ ବିଦ୍ୟମାନ ଏଭଳି ବିରୋଧାଭାସ ମଧୢରେ ସମନ୍ବୟ ସ୍ଥାପନକାରୀ ସୂତ୍ରଟି କ୍ରମେ ଦୁର୍ବଳ ହେବାରେ ଲାଗିଛି, ଯହିଁରେ ଆମ ଶରୀରର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୃତ୍ପିଣ୍ତ ଅସମୟରେ ଆପଣା ସାମର୍ଥ୍ୟ ହରାଇ ବସୁଛି।
ଚିକିତ୍ସା ବିଜ୍ଞାନରେ ଉନ୍ନତି ଘଟିବା ସହିତ ଯଦିଓ ବର୍ତ୍ତମାନର ଭାରତୀୟମାନେ ପୂର୍ବ ପିଢ଼ିଗୁଡ଼ିକ ତୁଳନାରେ ଅଧିକ ଦୀର୍ଘାୟୁ ହୋଇଛନ୍ତି; ସ୍ବଳ୍ପ ବୟସରେ ହୃଦ୍ଘାତର ଶିକାର ହେବାର ଉଦାହରଣ ମଧୢ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି; ଯହିଁରେ ତିରିଶ ବର୍ଷରୁ କମ୍ ବୟସ ବର୍ଗର ସଦସ୍ୟମାନେ ହୃଦ୍ରୋଗୀରେ ପରିଣତ ହେଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଛଅ ବା ସାତ ଦଶନ୍ଧି ତଳେ ଏହି ଭୟ ପ୍ରାୟ ନ ଥିଲା। କିନ୍ତୁ, ସମସ୍ୟାଟି କେବଳ ଏତିକିରେ ସୀମିତ ନୁହେଁ। ଏହା ଅଧିକ ଚିନ୍ତା ଉଦ୍ରେକକାରୀ ସେତେବେଳେ ହୋଇପଡ଼େ, ଯେତେବେଳେ ଦେଖିବାକୁ ମିଳେ ଯେ ସମଗ୍ର ଦେଶ ସାମନାରେ ‘ସୁସ୍ଥତା’ ଏବ˚ ‘ଫିଟ୍ନେସ୍’ର ମୂର୍ତ୍ତିମନ୍ତ ଅବତାର ରୂପେ ଅବତୀର୍ଣ୍ଣ ବ୍ୟକ୍ତିବିଶେଷଙ୍କ ମଧୢରୁ ଅନେକ ଏଭଳି ଅକାଳ ହୃଦ୍ରୋଗୀଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୁଅନ୍ତି। ସୁତରା˚, ଏକ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଥିବା ଏହି ସ˚ଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ସ˚ପ୍ରତି ଭାରତରେ ବର୍ଷକୁ ହାରାହାରି ପ୍ରାୟ ୨୫ ହଜାର ବ୍ୟକ୍ତି ହୃଦ୍ଘାତରେ ପ୍ରାଣ ହରାଉଥିବା ଜଣାପଡ଼ିଛି, ଯେଉଁ ସ˚ଖ୍ୟା ବିଗତ ଚାରି ବର୍ଷ ଧରି ମୋଟାମୋଟି ଅପରିବର୍ତ୍ତିତ ରହିଛି। ଡାକ୍ତରମାନେ ଏହାର ମୂଳ କାରଣକୁ ଜୀବନଶୈଳୀଜନିତ ବିଭ୍ରାଟ ରୂପେ ଚିହ୍ନଟ କରିଥାଆନ୍ତି। ଏହା ମଧୢ ଏକ ବାସ୍ତବତା ଯେ ଭାରତୀୟମାନଙ୍କ ଆର୍ଥିକ ସ୍ଥିତିରେ ଘଟିଥିବା ଉନ୍ନତି ସହିତ ଦେଖିବାକୁ ମିଳିଛି ଯେ ରସନା ଲାଳସାକୁ ପରିତୃପ୍ତ ଏବ˚ ବୃଦ୍ଧି କରୁଥିବା ଭଳି ଅତ୍ୟନ୍ତ ଅସ୍ବାସ୍ଥ୍ୟକର ‘ଜଙ୍କ ଫୁଡ୍’ ବା ‘ଫାଷ୍ଟ ଫୁଡ୍’, ମୃଦୁ ପାନୀୟ ଏବ˚ ସର୍ବୋପରି ଅଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ମାତ୍ରାଧିକ ଜନପ୍ରିୟତା ଅର୍ଜନ କରିଛି। କହିବା ଅନାବଶ୍ୟକ ଯେ ଏହି ସବୁ ଖାଦ୍ୟ ଦ୍ବାରା ସୃଷ୍ଟ ‘ଲୋ ଡେନ୍ସିଟି ଲିପୋପ୍ରୋଟିନ୍’ ବା ‘ଏଲ୍ଡିଏଲ୍’ ନାମଧାରୀ ଅପକାରୀ କୋଲେଷ୍ଟରଲ (ଚର୍ବି-ପ୍ରୋଟିନ୍ର କଣିକା) ରକ୍ତ ପ୍ରବାହରେ ଭାସି ବୁଲିବା ସହିତ କ୍ରମେ ଧମନୀରେ ଜମି ରହି ହୃତ୍ପିଣ୍ତକୁ ରକ୍ତ ସ˚ଚାଳନରେ ଅବରୋଧ ସୃଷ୍ଟି କରୁଛି, ଯାହା ହୃଦ୍ଘାତର କାରଣ ହୋଇଥାଏ।
ପ୍ରକାଶ ଥାଉ କି ବର୍ତ୍ତମାନ ଏହି ଭଳି ହୃଦ୍ଘାତର ଦୃଷ୍ଟାନ୍ତ ସର୍ବାଧିକ। ତେବେ, କେବଳ ଖାଦ୍ୟ ନୁହେଁ, ଯନ୍ତ୍ର ଓ ପ୍ରଯୁକ୍ତି ଦ୍ବାରା ପରିଚାଳିତ ସା˚ପ୍ରତିକ ଜୀବନରେ ଶାରୀରିକ ଶ୍ରମ ଠାରୁ ଦୂରେଇ ଯିବା ଜୀବନଶୈଳୀଗତ ବିଭ୍ରାଟର ଆଉ ଏକ ଉଦାହରଣ, ଯାହା ମେଦ ବହୁଳତା ଏବ˚ ରୋଗ ପ୍ରତିରୋଧକ ଶକ୍ତିରେ ଅଭାବ ସହିତ ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗକୁ ଜନ୍ମ ଦେଇଛି ଏବ˚ ଅକସ୍ମାତ୍ ହୃଦ୍ଘାତର କାରଣ ମଧୢ ହେଉଛି। ଏବ˚ ଏହା ସହିତ ଯେଉଁ ତୃତୀୟ ବିଭ୍ରାଟଟି ମିଶିଯାଇ ଏକ ଘାତକ କକ୍ଟେଲ୍ ସୃଷ୍ଟି କରିଛି, ତାହା ହେଲା ମାନସିକ ଚାପ ଭଳି ଏକ ସର୍ବ ବିଦ୍ୟମାନ ଉପସର୍ଗ। ଚିକିତ୍ସକମାନଙ୍କ ମତରେ ମାନସିକ ଚାପ ହରମୋନ୍ କ୍ଷରଣରେ ଅନିୟମିତତା ସୃଷ୍ଟି କରି ଶରୀରକୁ ରୋଗାକ୍ରାନ୍ତ କରି ପକାଏ; ଏପରି କି ଅତ୍ୟଧିକ ମାନସିକ ଚାପ ‘କର୍ଟିସଲ’ ନାମକ ଏକ ହରମୋନର ମାତ୍ରାଧିକ କ୍ଷରଣ ଘଟାଇ ବିଭିନ୍ନ ଗୁରୁତର ଶାରୀରିକ ଦୁଃସ୍ଥିତି ସୃଷ୍ଟି କରେ, ଯାହା ଜଣେ ସ˚ପୂର୍ଣ୍ଣ ସୁସ୍ଥ ବ୍ୟକ୍ତି ଠାରେ ମଧୢ ହୃଦ୍ଘାତ ସମ୍ଭବ କରାଇପାରେ। ସଂପ୍ରତି ସ୍ଥିତି କିଭଳି ଅଧିକରୁ ଅଧିକ ମାରାତ୍ମକ ହୋଇପଡୁଛି, ତାହା ଏହି ଉଦାହରଣରୁ ସ୍ପଷ୍ଟ ହେବ ଯେ ‘ଅନ୍ଲାଇନ୍’ ଅର୍ଡର ଦ୍ବାରା ଘରକୁ ମଗାଯାଉଥିବା ଖାଦ୍ୟ ମଧୢରେ ସର୍ବାଧିକ ପସନ୍ଦଯୋଗ୍ୟ ହେଉଛି ‘ବିରିୟାନୀ’, ଯାହା ଅତ୍ୟନ୍ତ ଅସ୍ବାସ୍ଥ୍ୟକର ଅଥଚ ତାକୁ ଖାଇବା ସକାଶେ ଏକ ରେସ୍ତୋରାଁକୁ ଯିବା ଭଳି ସର୍ବନିମ୍ନ ପରିଶ୍ରମ ମଧୢ କରିବାକୁ ପଡୁନାହିଁ!
ତେବେ, ଏଭଳି ଆଲୋଚନା ବେଳେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ସମନ୍ବିତ ଜୀବନ ଶୈଳୀର ଶୃଙ୍ଖଳା ମଧୢରେ ରହୁଥିବା, ମାପି-ତଉଲି ଅତ୍ୟନ୍ତ ସ୍ବାସ୍ଥ୍ୟକର ଖାଦ୍ୟ ଖାଉଥିବା ଏବ˚ ନିୟମିତ ବ୍ୟାୟାମ କରୁଥିବା ‘ଫିଟ୍ନେସ୍ ଆଇକନ୍’ମାନଙ୍କ କ୍ଷେତ୍ରରେ କାହିଁକି ଏଭଳି ଦୁର୍ଘଟଣାମାନ ଦେଖିବାକୁ ମିଳୁଛି? ଏଭଳି ଦୃଷ୍ଟାନ୍ତର ତାଲିକା ହୃଦ୍ଘାତରେ ମୃତ୍ୟୁ ବରଣ କରିଥିବା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଠାରୁ ଆରମ୍ଭ କରି ହୃଦ୍ଘାତ ଭୋଗିଥିବା ସୌରଭ ଗାଙ୍ଗୁଲୀଙ୍କ ଦେଇ ଅଭିନେତ୍ରୀ ସୁସ୍ମିତା ସେନଙ୍କ ପର୍ଯ୍ୟନ୍ତ ବେଶ୍ ଲମ୍ବା। ବିଶେଷଜ୍ଞଙ୍କ ମତରେ ଏଭଳି ସ୍ଥଳେ ଦୁରବସ୍ଥାର କାରଣ ପ୍ରାୟ ଦ୍ବି-ବିଧ; ଯହିଁରୁ ଗୋଟିଏ ହେଲା ବ୍ୟାୟାମର ମାତ୍ରାଧିକ୍ୟ ଏବ˚ ଦ୍ବିତୀୟଟି ହେଉଛି ନିଟୋଳ ମା˚ସପେଶୀଯୁକ୍ତ ତଥା ଚର୍ବି ରହିତ ଏକ ସୁଠାମ ଶରୀର ଧାରଣକୁ ଉତ୍ତମ ସ୍ବାସ୍ଥ୍ୟ ବା ‘ଫିଟ୍ନେସ୍’ର ଚିହ୍ନ ରୂପେ ଧରି ନିଆଯିବାର ବିଭ୍ରାନ୍ତି। ଡାକ୍ତରମାନଙ୍କ ମତରେ ବ୍ୟାୟାମ କରିବାର ନିଶା ଦ୍ବାରା ଗ୍ରସ୍ତ ଅନେକ ବ୍ୟକ୍ତି ସେମାନଙ୍କ ମାତ୍ରାଧିକତା ମଧୢରେ ଭୁଲିଯାଆନ୍ତି ଯେ ସେମାନଙ୍କ ବ˚ଶଲତାରେ ପୂର୍ବରୁ ରହି ଆସିଥିବା ହୃଦ୍ରୋଗର ପ୍ରଦୁର୍ଭାବ ଜିନ୍ଗତ ଭାବେ ସେମାନଙ୍କୁ ମଧୢ ହୃଦ୍ଘାତର ଶରବ୍ୟ କରିପାରେ; ସୁତରାଂ, ଅତ୍ୟନ୍ତ ସତର୍କତା ଅବଲମ୍ବନ କରାଯିବା ଜରୁରୀ! ଅନେକ ଚିକିତ୍ସା ବିଜ୍ଞାନୀଙ୍କ ମତରେ ଜିନ୍ଗତ କାରଣରୁ ଭାରତ ସମେତ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ଜନସମୂହ ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ହୃଦ୍ଘାତ ଭୋଗିବାର ଅଧିକ ସମ୍ଭାବନା ବହନ କରିଥାଆନ୍ତି। ସେହିଭଳି ବଳିଷ୍ଠ ଓ ସ୍ଫୀତ ମା˚ସପେଶୀ ଲାଭ କରିବା ଲାଗି ‘ସୁନ୍ଦର ଶରୀରକାମୀ’ମାନେ ଆନାବୋଲିକ ଷ୍ଟେରୋଏଡ୍ ଏବ˚ ଅନେକ ପ୍ରକାର ‘ପ୍ରୋଟିନ୍ ସପ୍ଲିମେଣ୍ଟ’ର ସାହାଯ୍ୟ ନିଅନ୍ତି, ଯାହା ମଧୢ ହୃଦ୍ଘାତର ଆଶଙ୍କାରେ ବୃଦ୍ଧି ଘଟାଏ।
ଏହାର କାରଣ ହୃତ୍ପିଣ୍ତଟି ମଧୢ ଏକ ମା˚ସପେଶୀ, ଯାହା ପେଶୀ-ବର୍ଦ୍ଧନକାରୀ ଷ୍ଟେରୋଏଡ୍ ଓ ସପ୍ଲିମେଣ୍ଟ ଆଦି କାରଣରୁ ମାତ୍ରାଧିକ ବିଶାଳତା ଲାଭ କରି କ୍ରମେ ଚଳତ୍ ଶକ୍ତିହୀନ ହୋଇପଡ଼େ। ଏହାର ଏକ ବଡ଼ ଉଦାହରଣ ୨୦୧୭ ମସିହାରେ ମାତ୍ର ୩୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ପୃଥିବୀ ପ୍ରସିଦ୍ଧ ‘ବଡି ବିଲ୍ଡର’ ଡାଲାସ ମାକ୍କର୍ଭର, ଯାହାଙ୍କ ହୃତ୍ପିଣ୍ତର ଓଜନ ହୋଇ ଯାଇଥିଲା ୮୩୩ ଗ୍ରାମ, ଅର୍ଥାତ୍ ଏକ କିଲୋଗ୍ରାମ ପାଖାପାଖି ଏବ˚ ଏକ ସାଧାରଣ ହୃତ୍ପିଣ୍ତ ଆକାରର ଦୁଇ ଗୁଣ। ଏଭଳି ପରିସ୍ଥିତିରେ ସୁନ୍ଦର ଅଙ୍ଗ ସୌଷ୍ଠବ ଲାଭ କରିବାର ମୋହ ଦ୍ବାରା ବଶୀଭୂତ ଯୁବ ସ˚ପ୍ରଦାୟ ହୃଦୟଙ୍ଗମ କରିବା ଉଚିତ ଯେ ସୁନ୍ଦର ଓ ସୁଠାମ ଶରୀର ସର୍ବଦା ଏକ ସୁସ୍ଥ ଶରୀରର ପରିଚାୟକ ହୋଇ ନ ଥାଏ। ସୁତରାଂ, ଏଭଳି ସ୍ଥିତିରେ ଏହି ସମସ୍ୟାର ସମାଧାନ ନିମନ୍ତେ ଉପଲବ୍ଧ ଏକମାତ୍ର ସୂତ୍ର ହେଲା ମଧୢମ ପନ୍ଥାର ଅବଲମ୍ବନ; ଯାହାର ଅର୍ଥ ଦୈନିକ ଅଧ ଘଣ୍ଟାର ବ୍ୟାୟାମ, ଅଧିକ ଚାଲିବା ଉପରେ ଗୁରୁତ୍ବ ପ୍ରଦାନ, ସାଧାରଣ ଶ୍ରମ ଲାଗି କୁଣ୍ଠାର ପରିହାର, ସନ୍ତୁଳିତ ଆହାର ଏବ˚ ମାନସିକ ଚାପ ଦୂରୀକରଣ ସକାଶେ ଜୀବନ ଦୃଷ୍ଟିରେ ପରିବର୍ତ୍ତନ।
ହିନ୍ଦୀ ଭାଷାରେ ‘ଦିଲ୍’ ନାମକ ଶବ୍ଦଟିର ଦୁଇଟି ଓଡ଼ିଆ ଭାଷାନ୍ତର ରହିଛି: ଗୋଟିଏ ହେଉଛି ‘ହୃତ୍ପିଣ୍ତ’ ଏବ˚ ଦ୍ବିତୀୟଟି ‘ହୃଦୟ’। କିନ୍ତୁ, ବିଡ଼ମ୍ବନା ହେଲା ‘ହୃଦୟ’ ନାମଧାରୀ ‘ଦିଲ୍’ଟି ହେଉଛି ଆବେଗ ବା ଲାଳସା ବା କାମନାର ଦ୍ୟୋତକ। ଏକ ମୃଦୁ ପାନୀୟର ବିଜ୍ଞାପନରେ ‘ୟେ ଦିଲ ମାଁଗେ ମୋର୍’ ନାମକ ଅତ୍ୟନ୍ତ ଲୋକପ୍ରିୟ ସ୍ଲୋଗାନ୍ରେ ଯେଉଁ ‘ଦିଲ୍’ କଥା କୁହାଯାଇଛି, ତାହା ସର୍ବଦା ଅଧିକରୁ ଅଧିକ କାମନା କରି ଚାଲିଥାଏ। କିନ୍ତୁ ସେହି ‘ଦିଲ୍’ର ସ˚ଯମହୀନତା ହେତୁ ଶରୀର ଗୁହାର ଅଭ୍ୟନ୍ତରରେ ନିଜ ଧେୢୟରେ ଧୢାନରତ ‘ଦିଲ୍’ ବା ‘ହୃତ୍ପିଣ୍ତ’ ଉତ୍ପୀଡ଼ିତ ହୋଇଥାଏ, ଯାହାର ଘାତକ ପରିଣାମ ଏବେ ଆମେମାନେ ଭୋଗୁଛୁ। ସୁତରା˚, ‘ଦିଲ୍’ ବନାମ ‘ଦିଲ୍’ ଭଳି ଏକ ସ୍ଥିତିରେ ‘ହୃଦୟ’ର ଉଚ୍ଚାଟରେ ଆତ୍ମବିସ୍ମୃତ ହେବା ଅପେକ୍ଷା ‘ହୃତ୍ପିଣ୍ତ’ର ନିଃଶବ୍ଦ ଧ୍ବନିକୁ ଶୁଣିବା ଅଧିକ ଶ୍ରେୟସ୍କର।