କହିବା ବାହୁଲ୍ୟ, ପରାଧୀନ ଓ ସ୍ୱାଧୀନ ଭାରତର ଇତିହାସରେ ଭାରତୀୟ ଜାତୀୟ କଂଗ୍ରେସ ଅନେକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି। ଦେଶକୁ ସ୍ୱାଧୀନ କରିବା ଓ ଆଧୁନିକ ଭାରତ ଗଢ଼ିବା କ୍ଷେତ୍ରରେ କଂଗ୍ରେସର ଅବଦାନଗୁଡ଼ିକୁ ଇତିହାସ ତା’ ବକ୍ଷରେ ସାଇତି ରଖିଛି। କାହାକୁ ଭଲ ଲାଗୁ ବା ନଲାଗୁ, ଇତିହାସ ସେ ସବୁର ମୂକ ସାକ୍ଷୀ ହୋଇ ରହିଛି ଏବଂ ରହିବ ମଧ୍ୟ।

Advertisment

ସେହି ଭାରତୀୟ ଜାତୀୟ କଂଗ୍ରେସର ୮୫ତମ ମହା ଅଧିବେଶନ ସଂପ୍ରତି ଫେବ୍ରୁଆରି ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ର ରାଇପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଅତୀତରେ ଅନୁଷ୍ଠିତ ପ୍ରତ୍ୟେକ ଅଧିବେଶନ ପ୍ରତି ଯେମିତି ଦେଶବାସୀ, ରାଜନୈତିକ ଦଳ ଓ ରାଜନୀତିରେ ରୁଚି ରଖିଥିବା ବ୍ୟକ୍ତି ବିଶେଷଙ୍କ ଦୃଷ୍ଟି ନିବଦ୍ଧ ରହି ଆସିଥିଲା, ଏଥିର ମଧ୍ୟ ତାହାହିଁ ପରିଲକ୍ଷିତ ହୋଇଛି। ଏହାର ପ୍ରମାଣ ହେଉଛି ମହା ଅଧିବେଶନର ବିଭିନ୍ନ ଦିଗକୁ ନେଇ ଦେଶ ତମାମ ବ୍ୟାପକ ଚର୍ଚ୍ଚା, ଆରୋପ, ପ୍ରତ୍ୟାରୋପ, ବୟାନବାଜି ଇତ୍ୟାଦି। ଦେଶର ସର୍ବପୁରାତନ ଦଳ ଭାବରେ ଏହା ନିଜକୁ କେମିତି ଆତ୍ମନିରୀକ୍ଷଣ କରୁଛି, ଦେଶର ସାଂପ୍ରତିକ ପରିସ୍ଥିତିରେ କ’ଣ
ଆଭିମୁଖ୍ୟ ରଖୁଛି, ଭବିଷ୍ୟତର ଆହ୍ୱାନଗୁଡ଼ିକୁ ସାମ୍ନା କରିବା ପାଇଁ କିଭଳି ରଣକୌଶଳ ପ୍ରସ୍ତୁତ କରୁଛି- ଏସବୁକୁ ନେଇ ଦେଶ ତମାମ ଚର୍ଚ୍ଚା, ଆଲୋଚନ, ପର୍ଯ୍ୟାଲୋଚନା ଇତ୍ୟାଦି ଦେଶର ଚଳମାନ ଇତିହାସରେ ଏହାର ଗୁରୁତ୍ୱକୁ ପ୍ରତିପାଦିତ କରୁଛି।

ପରାଧୀନ ଭାରତରେ ୧୮୮୫ ମସିହାରେ ଜନ୍ମ ନିଏ ଭାରତୀୟ ଜାତୀୟ କଂଗ୍ରେସ। ବମ୍ବେର ଗୋକୁଳ ଦାସ ତେଜପାଲ ସଂସ୍କୃତ ମହାବିଦ୍ୟାଳୟରେ ୭୨ ଜଣ ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ ପ୍ରଥମ ଅଧିବେଶନର ନିଷ୍ପତ୍ତି କ୍ରମେ ଡିସେମ୍ବର ୨୮ ତାରିଖରେ ଏହା ଆତ୍ମପ୍ରକାଶ କରେ। ତତ୍‌କାଳୀନ ବ୍ରିଟିସ୍‌ ସରକାରଙ୍କର ଜନୈକ ଅବସରପ୍ରାପ୍ତ ଅଧିକାରୀ ସାର ଅକ୍ଟାଭିୟାନ ହ୍ୟୁମଙ୍କ ପ୍ରୟାସ ଓ ଦାଦାଭାଇ ନାରୋଜୀ, ସୁରେନ୍ଦ୍ର ନାଥ ବାନାର୍ଜୀ, ଫିରୋଜ ଶାହା ମେହେଟ୍ଟା, ଉମେଶ ଚନ୍ଦ୍ର ବାନାର୍ଜି, ରାମ ସ୍ୱାମୀ ମୁଦାଲିୟରଙ୍କ ପରି କିଛି ସମ୍ଭାନ୍ତ ତଥା ଉଚ୍ଚ ଶିକ୍ଷିତ ଭାରତୀୟଙ୍କ ସହଯୋଗରେ ଭିତ୍ତିପ୍ରସ୍ତର ପଡ଼େ ଏହି ସଂଗଠନର, ଯାହା ପରବର୍ତ୍ତୀ ସମୟରେ ଦେଶ ଇତିହାସର ଗତି ପଥକୁ ନିର୍ଦ୍ଧାରଣ କରେ।

ଜାତୀୟ କଂଗ୍ରେସ ଗଠିତ ହେଲା ବେଳେ ଏହା ଏକ ରାଜନୈତିକ ଦଳ ନଥିଲା। ଦେଶକୁ ସ୍ୱାଧୀନ କରିବାର ଲକ୍ଷ୍ୟ ବି ସେତେବେଳେ ଏହାର ନଥିଲା। ବ୍ରିଟିସ ଶାସନ ଭିତରେ ରହି ଭାରତୀୟଙ୍କ ପାଇଁ କିଛି ସୁବିଧା ସୁଯୋଗର ବନ୍ଦୋବସ୍ତ କରିବା ଥିଲା ଏହାର ଲକ୍ଷ୍ୟ। ଏହାର ଗଣ ଭିତ୍ତି ମଧ୍ୟ ନଥିଲା। କତିପୟ ସମ୍ଭ୍ରାନ୍ତ, ଶିକ୍ଷିତ ତଥା ବୁଦ୍ଧିଜୀବୀଙ୍କର ଏହା ଏକ ସଂଗଠନ ଥିଲା। ବ୍ରିଟିସ ବିରୋଧରେ ସଂଘର୍ଷ ନୁହେଁ, ବୁଝାମଣା ଥିଲା ଏହାର କାର୍ଯ୍ୟଶୈଳୀ। ୧୮୮୫ରୁ ୧୯୦୫ ପର୍ଯ୍ୟନ୍ତ ଏହିଭଳି ଏକ ଚିତ୍ର ଓ ବିଚିତ୍ର ନେଇ ଭାରତବର୍ଷର ଇତିହାସରେ ଉଭା ହୋଇଥିଲା ଜାତୀୟ କଂଗ୍ରେସ। ତାହାରି ଭିତରେ ୨୧ଟି ମହା ଅଧିବେଶନ ଅନୁଷ୍ଠିତ ହୋଇଥିଲା।

୧୯୦୬ ମସିହାରେ ଅନୁଷ୍ଠିତ କଲିକତା ଅଧିବେଶନ, ଜାତୀୟ କଂଗ୍ରେସକୁ ଏକ ଭିନ୍ନ ରୂପରେ ଅବତୀର୍ଣ୍ଣ କରାଇଲା। ବ୍ରିଟିସ ଶାସନ ସହିତ ବୁଝାମଣା ବଦଳରେ ସଂଘର୍ଷର ଅୟମାରମ୍ଭ ହେଲା ଏଇଠାରୁ। ୧୯୦୫ ମସିହାରେ ଲର୍ଡ କର୍ଜନଙ୍କ ବଙ୍ଗ ବିଭାଜନ ନିଷ୍ପତ୍ତି ବିରୋଧରେ ଦେଶ ତମାମ ସଂଗଠିତ ବଙ୍ଗଭଙ୍ଗ ଆନ୍ଦୋଳନର ପ୍ରଭାବ ପଡ଼ିଲା ଏହି ୨୨ତମ ମହା ଅଧିବେଶନରେ। ୧୬୦୦ ପ୍ରତିନିଧିଙ୍କ ସମେତ ୨୦ ହଜାର ଲୋକ ଏଥିରେ ଯୋଗ ଦେଇଥିଲେ।

କତିପୟଙ୍କ ସଂଗଠନ ବଦଳରେ ଗଣ ସଂଗଠନର ରୂପ ନେଲା କଂଗ୍ରେସ। ଏହି ଅଧିବେଶନରୁ ହିଁ ପ୍ରଥମେ ‘ସ୍ୱରାଜ’ର ନାରା ଉଠିଲା। ସ୍ୱଦେଶୀ ଆନ୍ଦୋଳନ ଓ ବିଦେଶୀ ଦ୍ରବ୍ୟ ବର୍ଜନ ପାଇଁ ନିଷ୍ପତ୍ତି ନିଆଗଲା।
୧୯୦୬ରୁ ୧୯୧୫- ଏହି କାଳଖଣ୍ଡ ଭିତରେ କଂଗ୍ରେସ ଅନେକ ଉତ୍‌ଥାନ ପତନକୁ ସାମ୍ନା କଲା। ଏହି ସମୟରେ କଂଗ୍ରେସ ଭିତରେ ଦୁଇଟି ବିଚାରଧାରା ଭିତରେ ସଂଘର୍ଷ ଆରମ୍ଭ ହୋଇଥିଲା, ଯାହା ଥିଲା ବ୍ରିଟିସ ଶାସନ ପ୍ରତି କଂଗ୍ରେସର ଦୃଷ୍ଟିଭଙ୍ଗୀ ଓ କଂଗ୍ରେସର ସେ ଦିଗରେ କାର୍ଯ୍ୟକ୍ରମକୁ ନେଇ। ଗୋଟିଏ ପଟେ ନରମପନ୍ଥୀ ଗୋଷ୍ଠୀ, ଯାହାର ନେତୃତ୍ୱ ନେଇଥିଲେ ଗୋପାଳକୃଷ୍ଣ ଗୋଖଲେ। ଅନ୍ୟପଟେ ଚରମପନ୍ଥ ଗୋଷ୍ଠୀ, ଯାହାର ମୁଖିଆ ହେଲେ ବାଲ ଗଙ୍ଗାଧର ତିଲକ। ଏହି ସମୟ ଭିତରେ ସାତଟି କଂଗ୍ରେସ ଅଧିବେଶନ ସମାପ୍ତ ହୋଇଥିଲା।

୧୯୧୫ ମସିହାରେ ଅନୁଷ୍ଠିତ ବମ୍ବେ ଅଧିବେଶନ ପରଠୁ କଂଗ୍ରେସର ଏକ ନୂଆ ଯୁଗ ଆରମ୍ଭ ହେଲା। ଦକ୍ଷିଣ ଆଫ୍ରିକାରୁ ଫେରିଲା ପରେ ପ୍ରଥମଥର ପାଇଁ କଂଗ୍ରେସର ୩୦ତମ ଅଧିବେଶନରେ ଯୋଗ ଦେଲେ ମହାତ୍ମା ଗାନ୍ଧୀ। ସେବେଠୁ ୧୯୪୬ରେ ଅନୁଷ୍ଠିତ ୫୪ତମ ଅଧିବେଶନ ପର୍ଯ୍ୟନ୍ତ କଂଗ୍ରେସର ମାର୍ଗଦର୍ଶକ ଥିଲେ ମହାତ୍ମା ଗାନ୍ଧୀ। କଂଗ୍ରେସ ଇତିହାସର ଏହି କାଳଖଣ୍ଡକୁ ଗାନ୍ଧୀ ଯୁଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ୩୧ ବର୍ଷରେ ଏହି କାଳଖଣ୍ଡରେ ସର୍ବମୋଟ ୨୪ଟି ଅଧିବେଶନ ଅନୁଷ୍ଠିତ ହୋଇଛି। ସେଥିରୁ ଥରେ, ୧୯୨୪ ମସିହାରେ ମାତ୍ର ଗୋଟିଏ ବର୍ଷ ପାଇଁ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ରହିଛନ୍ତି। କିନ୍ତୁ କଂଗ୍ରେସ ଉପରେ ତାଙ୍କର ପ୍ରଭାବ ଥିଲା ସୁଦୂର ପ୍ରସାରୀ। ତାଙ୍କ ନେତୃତ୍ୱର ଭାରତବର୍ଷ ଏକ ଜାତି ଭାବରେ ଆତ୍ମ ପ୍ରକାଶ କଲା। ଆକୁମାରୀ ହିମାଚଳ ଦେଖିଲା ସ୍ୱାଧୀନତା ସଂଗ୍ରାମର ଦାବାନଳକୁ। ସେଥିରେ ସାମିଲ ହେଲେ ଆବାଳ ବୃଦ୍ଧ ବନିତା। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସେ ନିଆଁରେ ଝାସ ଦେଲେ ଲକ୍ଷ ଲକ୍ଷ ଭାରତୀୟ।

ଚମ୍ପାରନ ସତ୍ୟାଗ୍ରହ, ଅହମ୍ମଦାବାଦ ମିଲ ଶ୍ରମିକ ଆନ୍ଦୋଳନ, କ୍ଷେରା ସତ୍ୟାଗ୍ରହ (୧୯୧୭-୧୮)ରୁ ଆରମ୍ଭ କରି ୧୯୪୨ ମସିହାରେ ଅଗଷ୍ଟ ବିପ୍ଳବ ପର୍ଯ୍ୟନ୍ତ ଅନେକ ସଂଗ୍ରାମ ସ୍ୱାଧୀନତା ଆନ୍ଦୋଳନର ଇତିହାସକୁ ପରିପୁଷ୍ଟ କଲା। କେବଳ ବ୍ରିଟିସ ବିରୋଧୀ ଲଢ଼େଇ ନୁହେଁ, ଦେଶର ଅନେକ ସାମାଜିକ ବ୍ୟାଧି ବିରୁଦ୍ଧ ଲଢ଼େଇ ମଧ୍ୟ ଶାଣିତ ହେଲା।

ଅସ୍ପୃଶ୍ୟତା, ଅନ୍ଧବିଶ୍ୱାସ, ନିଶା, ଦାରିଦ୍ର୍ୟ, ଅସ୍ୱଚ୍ଛତା ଆଦି ବିରୋଧରେ ନିରନ୍ତର ସଂଗ୍ରାମ ଏହାର ଅଂଶ ବିଶେଷ ପାଲଟିଲା। ମୋଟ ଉପରେ କହିବାକୁ ଗଲେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଏହି ସମୟ ଭିତରେ ଦେଶକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କଲା ଓ ସ୍ୱାଧୀନତାର ସୂର୍ଯ୍ୟ ଦେଖାଇଲା। ବିଶ୍ୱ ଦରବାରରେ ଭାରତ ଏକ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର ଭାବରେ ଛିଡ଼ା ହେଲା।
ସ୍ୱାଧୀନ ଭାରତରେ ୧୯୪୮ରୁ ୨୦୨୩ ଭିତରେ ୩୦ଟି ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି।

ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଅଧିବେଶନ ଗୁଡ଼ିକରେ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର ଗଠନର ରୂପରେଖ ପ୍ରସ୍ତୁତ କରିବା ସହିତ ଆଧୁନିକ ଭାରତ ନିର୍ମାଣ ଉପରେ ଦୃଷ୍ଟି ନିବଦ୍ଧ କରାଯାଇଥିଲା।
ପଂଚଶୀଳ ନୀତି, ଗୋଷ୍ଠୀ ନିପପେକ୍ଷ ଅବସ୍ଥାନ, ରାଷ୍ଟ୍ରାୟତ ସଂସ୍ଥା ପ୍ରତିଷ୍ଠା ମାଧ୍ୟମରେ ଶିଳ୍ପାୟନ, ମିଶ୍ର ଅର୍ଥନୀତି ପ୍ରତି ଅଙ୍ଗୀକାରବଦ୍ଧତା, ଶିକ୍ଷା ନୀତି ପ୍ରଣୟନ, ଧର୍ମ ନିରପେକ୍ଷତା, ସମାଜବାଦୀ ଦୃଷ୍ଟିଭଙ୍ଗୀ ଇତ୍ୟାଦି ଏଠାରେ ଉଲ୍ଲେଖଯୋଗ୍ୟ। ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ପ୍ରସଙ୍ଗ ଗୁଡ଼ିକ କଂଗ୍ରେସ ଅଧିବେଶନ ମାନଙ୍କରେ ପ୍ରାଧାନ୍ୟ ପାଇଥିଲା ସେଗୁଡ଼ିକ ଭିତରେ କ୍ଷମତାର ବିକେନ୍ଦ୍ରୀକରଣ, ଭାରତ ନିର୍ମାଣରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ, ସାମାଜିକ ନ୍ୟାୟ, ଅଧିକାର ଭିତ୍ତିକ ଆଇନ ପ୍ରଣୟନ ଅନ୍ୟତମ। ୭୩ ଓ ୭୪ତମ ସଂବିଧାନ ସଂଶୋଧନ ମାଧ୍ୟମରେ କ୍ଷମତାର ବିକେନ୍ଦ୍ରୀକରଣ, ଖାଦ୍ୟ ନିରାପତ୍ତା ଆଇନ, ସୂଚନା ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ, ଜାତୀୟ ସ୍ବାସ୍ଥ୍ୟ ମିଶନ, ଶିକ୍ଷା ନୀତିରେ ସଂସ୍କାର, ଜଙ୍ଗଲ ଅଧିକାର ଆଇନ ଇତ୍ୟାଦି ଉଲ୍ଲେଖଯୋଗ୍ୟ।

୧୩୮ ବର୍ଷର ସର୍ବପୁରାତନ କଂଗ୍ରେସ ଦଳକୁ ଅତୀତର ଆଇନାରେ ଦେଖି ବର୍ତ୍ତମାନ ସହିତ ତୁଳନା କଲେ ଇତିହାସର ପୁନରାବୃତ୍ତିର ଏକ ଉଦାହରଣ ଦୃଷ୍ଟିକୁ ଆସେ। ଏକଦା କଂଗ୍ରେସ କତିପୟ ସମ୍ଭ୍ରାନ୍ତ ବର୍ଗଙ୍କ ସଂଗଠନ ଭାବରେ କାମ କରୁଥିଲା। ମହାତ୍ମା ଗାନ୍ଧୀ ଏହାକୁ ଜନଗଣଙ୍କ ସଂଗଠନରେ ରୂପାନ୍ତରିତ କଲେ। ନିଜେ ଦେଶ ସାରା ରାସ୍ତାରେ ଚାଲିଲେ ଓ କଂଗ୍ରେସ ନେତାଙ୍କୁ ମଧ୍ୟ ଚଲାଇଲେ। ଗାଁ ଗହଳିରେ ବସିଲେ ଓ କଂଗ୍ରେସ ନେତାଙ୍କୁ ବି ସେଠାରେ ବସାଇଲେ।

ଗାନ୍ଧୀ ନିଜ ଜୀବନଶୈଳୀକୁ ସାଧାରଣ ନେତାଙ୍କ ସହିତ ଏଭଳି ଏକାକାର କରିଦେଲେ ଯାହା ଅସଂଖ୍ୟ କଂଗ୍ରେସ ନେତାଙ୍କୁ ବାଧ୍ୟ କଲା ସେହିଭଳି ଜୀବନ ଶୈଳୀକୁ ଆପଣେଇବାକୁ। ସେଇଥିପାଇଁ କଂଗ୍ରେସ ଲୋକଙ୍କ ହୃଦୟ ଜିଣିଲା ଓ ଏହାର ଗଣଭିତ୍ତି ମଜଭୁତ ହେଲା। ଏବେ ଦୀର୍ଘ ଦିନ କ୍ଷମତାରେ ରହିଲା ପରେ କତିପୟ କ୍ଷମତାଶାଳୀଙ୍କ ପ୍ରଭାବରେ କଂଗ୍ରେସ ଦେଶର ସାଧାରଣ ଜନତାଙ୍କଠାରୁ ଦୂରେଇ ଯାଇଛି। ନେତା ଓ ଜନତାଙ୍କ ଭିତରେ ଯୋଜନ ଯୋଜନ ଦୂରତା ସୃଷ୍ଟି ହୋଇଛି। ଦଳର ଗଣଭିତ୍ତି ଦୁର୍ବଳ ହୋଇଯାଇଛି। କଂଗ୍ରେସ ଆଉ ଗଣଙ୍କ ଦଳ ନହୋଇ, କତିପୟଙ୍କ ଦଳରେ ପରିଣତ ହୋଇଯାଇଛି। ଠିକ୍‌ ଏହି ସମୟରେ ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା କଂଗ୍ରେସକୁ ଏକ ନୂଆ ସଂଜୀବନୀ ଦେଇଛି। କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଚାରି ହଜାର କିଲୋମିଟର ସେ ପାଦରେ ଚାଲିଛନ୍ତି।

ତାଙ୍କ ସହିତ ନେତାମାନଙ୍କୁ ମଧ୍ୟ ଚଲାଇଛନ୍ତି। ଯାତ୍ରା ସମୟରେ ସେ ଆବାଳ ବୃଦ୍ଧ ବନିତାଙ୍କୁ ଭେଟିଛନ୍ତି, ସେମାନଙ୍କର ଅନ୍ତରଙ୍ଗ ହୋଇଛନ୍ତି। ସେମାନଙ୍କ ସମସ୍ୟାଗୁଡ଼ିକୁ ହୃଦୟଙ୍ଗମ କରିଛନ୍ତି। ତାଙ୍କର ସେ ଯାତ୍ରାର ଅନୁଭବ ଓ ଅନୁଭୂତି ୮୫ତମ କଂଗ୍ରେସ ଅଧିବେଶନକୁ ଗଭୀର ଭାବରେ ପ୍ରଭାବିତ କରିଛି।
ସେହି ପ୍ରଭାବରେ କଂଗ୍ରେସ ଭୁଶୁଡ଼ି ପଡ଼ିଥିବା ଗଣ ଭିତ୍ତିକୁ ପୁଣିଥରେ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛି। ନେତା/କର୍ମୀ ଓ ଜନତାଙ୍କ ଭିତରେ ସୃଷ୍ଟି ହୋଇଥିବା ପାଚେରି ଭାଙ୍ଗିବାକୁ ଆହ୍ୱାନ ଦିଆଯାଇଛି। ଦେଶବାସୀଙ୍କର ଓ ଦେଶବାସୀଙ୍କ ପାଇଁ କଂଗ୍ରେସ ଦଳ- ଏହି ବିଶ୍ୱାସକୁ ପୁଣି ଥରେ ଦେଶବାସୀଙ୍କ ମନରେ ସୃଷ୍ଟି କରିବା ପାଇଁ ଏହି ଅଧିବେଶନରେ ନିଷ୍ପତ୍ତି ହୋଇଛି। ଭବିଷ୍ୟତ ହିଁ କହିବ, ବାସ୍ତବରେ ଇତିହାସର ପୁନରାବୃତ୍ତି ହେବ କି ନାହିଁ ଓ କଂଗ୍ରେସ ନିଜର ଗୌରବମୟ ଅତୀତକୁ ଫେରି ପାଇବ କି ନାହିଁ!
ମୋ: ୯୪୩୭୦୨୦୨୨୫