ଗୁଜୁରାଟୀ ଲେଖକ ଭୋଗିନ୍ଦ୍ରରାଓ ଦିବେତିଆ ୧୯୧୭ ମସିହାରେ ଏକ ବହି ଲେଖିଥିଲେ। ବହିର ନାଁ ଥିଲା ‘ସ୍ତ୍ରୀଓଁ ଆନେ ସମାଜସେବା।’ ନାରୀ ସମସ୍ୟା ଏବଂ ଏହାର ସମାଧାନ ଉପରେ ଏହା ସମ୍ପୂର୍ଣ୍ଣ ପର୍ଯ୍ୟବସିତ ଥିଲା। ବହିର ମୁଖବନ୍ଧ ଲେଖିଦେବାକୁ ଲେଖକ ଦିବେତିଆ ସେତେବେଳେ କୋଚରବା ଆଶ୍ରମରେ ରହୁଥିବା ଗାନ୍ଧୀଙ୍କୁ ଅନୁରୋଧ କରିଥିଲେ।

Advertisment

ବହିଟିକୁ ଆମୂଳଚୂଳ ପଢ଼ି ଗାନ୍ଧୀ ଏହାର ମୁଖବନ୍ଧ ଲେଖିଥିଲେ ୧୯୧୭ ଫେବ୍ରୁଆରି ୧ ତାରିଖରେ। ମୁଖବନ୍ଧରେ ଦିବେତିଆଙ୍କୁ ପ୍ରଶଂସା କରି ଗାନ୍ଧୀ ଲେଖିଥିଲେ, ଲେଖକଙ୍କର ଉପସ୍ଥାପନା ଶୈଳୀ ଖୁବ୍ ସରଳ ଓ ସାବଲୀଳ। ନାରୀ ସମସ୍ୟା ଓ ସମାଧାନ ନେଇ ସେ ଦେଇଥିବା ପ୍ରସ୍ତାବ ବେଶ୍ ପ୍ରାସଙ୍ଗିକ ବି। କିନ୍ତୁ ଗୋସ୍ୱାମୀ ତୁଳସୀ ଦାସଙ୍କ ରାମଚରିତ ମାନସର ଏକ ପଙ୍‌କ୍ତିକୁ ଉଦ୍ଧାର କରି ଦିବେତିଆ ଯାହା କୁହନ୍ତି ଯେ ‘ନାରୀ, ଢୋଲ, ଶୁଦ୍ରଙ୍କୁ ମାଡ଼ ଦେଇ କ୍ରିୟାଶୀଳ କରି ହୁଏ’, ଏପରି ମନ୍ତବ୍ୟକୁ ସେ ( ଗାନ୍ଧୀ) ଗ୍ରହଣ କରି ପାରୁନାହାନ୍ତି। ମୁଖବନ୍ଧରେ ଗାନ୍ଧୀଙ୍କ ସ୍ପଷ୍ଟୋକ୍ତି ଥିଲା, ‘ମୁଁ ଗୋସ୍ୱାମୀ ତୁଳସୀ ଦାସଙ୍କର ଜଣେ ଭକ୍ତ। ମୋ ଭକ୍ତି କିନ୍ତୁ ଅନ୍ଧ ଭକ୍ତି ନୁହେଁ। ରାମଚରିତ ମାନସ ମୁଁ ଅନେକ ଥର ପଢ଼ିଛି। ଏହା ଏକ ଅନବଦ୍ୟ ସାହିତ୍ୟ କୃତି। ମୁଁ ଭାବେ, ତୁଳସୀ ଦାସଙ୍କ ମୂଳ ଲେଖାରେ ନାରୀ ଓ ଶୁଦ୍ରଙ୍କ ପ୍ରତି ଏପରି ଅରୁଚିକର ଟିପ୍ପଣୀ ନିଶ୍ଚୟ ନ ଥିବ। ପରବର୍ତ୍ତୀ କାଳରେ ଏହା ରାମଚରିତ ମାନସରେ କାରସାଦି କରି ଅସାଧୁ ଭାବେ ଯୋଡ଼ା ଯାଇଥାଇପାରେ। ଯଦିବା ସନ୍ଥ ଗୋସ୍ୱାମୀ ଏହା ଲେଖି ଥାଆନ୍ତି, ଏହା ସେ ସମୟର ସାମାଜିକ ପ୍ରଚଳିତ ଅବସ୍ଥା ହୋଇଥିବ। ଏହା କିନ୍ତୁ ସନ୍ଥ ତୁଳସୀ ଦାସଙ୍କ ନିଜ ଚିନ୍ତା ନୁହେଁ।’

ମୁଖବନ୍ଧ ଲେଖାରେ ଗାନ୍ଧୀ ପ୍ରଶ୍ନ କରିଥିଲେ, ‘ଶାସ୍ତ୍ର ବର୍ଣ୍ଣିତ ସବୁ ଚିନ୍ତା, ଏହା ଯେତେ ଅମାନବୀୟ ହେଲେ ବି, ଏହାକୁ ଆମେ ଶାସ୍ତ୍ରୀୟ ସତ୍ୟ ବଚନ ବୋଲି ଗ୍ରହଣ କରି ନେଉଛୁ କେମିତି? ଅନେକ ପ୍ରାଚୀନ ଶାସ୍ତ୍ରରେ ନାରୀ ଏବଂ ଜାତି ପ୍ରଥା ସମ୍ପର୍କରେ କିନ୍ତୁ ଅନେକ ମୂଲ୍ୟବୋଧ ଭିତ୍ତିକ ପ୍ରଗତିଶୀଳ ତତ୍ତ୍ବର ବି ଉଲ୍ଲେଖ ରହିଛି। ନାରୀମାନଙ୍କର ଅନ୍ତଃଜ୍ଞାନ ଓ ପ୍ରତ୍ୟକ୍ଷବୋଧକୁ ସେଥିରେ ପ୍ରଶଂସା କରାଯାଇଛି। ସୀତା, ଉମା, ଦମୟନ୍ତୀଙ୍କର ମହିମାଗାନ ହୋଇଛି। ଶାସ୍ତ୍ରୀୟ ବିରୋଧାଭାସର ତେଣୁ ସମୀକ୍ଷା ହୋଇ ଏହାର ସଂଶୋଧନ ହେବା ବିଧେୟ।’

୧୯୩୬ ମସିହା ନଭେମ୍ବରରେ ଗାନ୍ଧୀ ତାଙ୍କର ଜଣେ ଅନୁଗାମୀଙ୍କଠାରୁ ପତ୍ରଟିଏ ପାଇଥିଲେ। ପତ୍ର ସହ ସେ ସମୟର ବିଜୟୱାଡ଼ାରୁ ପ୍ରକାଶିତ ‘ଇଣ୍ଡିଆନ ସ୍ୱରାଜ’ ଖବର କାଗଜର ଏକ କପି ମଧ୍ୟ ଥିଲା। ପତ୍ର ପ୍ରେରକ ଲେଖିଥିଲେ, ‘ବାପୁ, ଇଣ୍ଡିଆନ ସ୍ୱରାଜ ନାମକ ଏହି ଖବର କାଗଜରେ ଜଣେ ଲେଖକଙ୍କର ପ୍ରବନ୍ଧ ଅଛି। ପ୍ରବନ୍ଧରେ ପ୍ରାଚୀନ ଗ୍ରନ୍ଥମାନଙ୍କରେ ବର୍ଣ୍ଣିତ ନାରୀମାନଙ୍କର ସାମାଜିକ ସ୍ଥିତି ସମ୍ପର୍କରେ ଏକ ବର୍ଣ୍ଣନା ରହିଛି। ପ୍ରାବନ୍ଧିକ ତାଙ୍କ ଉପସ୍ଥାପନାରେ ପ୍ରସଙ୍ଗକ୍ରମେ ମନୁ, ଅଙ୍ଗିରା, ଅତ୍ରି, ଯାଜ୍ଞବଳ୍କଙ୍କର ସଂସ୍କୃତ ଶ୍ଳୋକର ଅବତାରଣା କରିଛନ୍ତି। ଲେଖକ ଲେଖିଛନ୍ତି , (କ) ଜଣେ ସ୍ତ୍ରୀ, ତା’ ସ୍ୱାମୀ ଯେତେ ଚରିତ୍ରହୀନ, ଲମ୍ପଟ ହୋଇଥାଉ ପଛେ ତାଙ୍କୁ ଦେବତା ଭାବି ସମ୍ମାନ ଦେବା ଉଚିତ (ମନୁ - ୫.୧.୫୪; (ଖ) ସର୍ବଦା ସ୍ୱାମୀର କଥା ମାନିବା ସ୍ତ୍ରୀର ପରମ କର୍ତ୍ତବ୍ୟ (ଯାଜ୍ଞବଳ୍କ- ୧.୧୮); (ଗ) ସ୍ତ୍ରୀର କିଛି ସ୍ୱତନ୍ତ୍ର ପୂଜା, ଉପାସ ନାହିଁ। ସ୍ୱାମୀ ସେବାରେ ହିଁ ସ୍ତ୍ରୀର ସ୍ୱର୍ଗ ପ୍ରାପ୍ତି ହୋଇଥାଏ (ମନୁ- ୫.୧୪୫); (ଘ) ସ୍ୱାମୀକୁ ଅସମ୍ମାନ କରୁଥିବା ସ୍ତ୍ରୀ ହାତରୁ ଖାଦ୍ୟ ଖାଇବା ମନା (ଅଙ୍ଗିରା- ୬୯); ଏବଂ ମଦୁଆ କିମ୍ବା କୁଅଭ୍ୟାସରେ ପଡ଼ିଥିବା ସ୍ୱାମୀର କଥା ମାନୁ ନ ଥିବା ସ୍ତ୍ରୀକୁ ତିନି ମାସ ପର୍ଯ୍ୟନ୍ତ ବସ୍ତ୍ର ଏବଂ ଗହଣା ପିନ୍ଧାରୁ ବାସନ୍ଦ କରିବା ଉଚିତ (ମନୁ- ୧୦.୭୮)।

‘ଇଣ୍ଡିଆନ ସ୍ୱରାଜ’ରେ ପ୍ରକାଶିତ ଉକ୍ତ ପ୍ରବନ୍ଧକୁ ଗାନ୍ଧୀ ଇଂରେଜୀରେ ଆକ୍ଷରିକ ଅନୁବାଦ କରିଥିଲେ ଏବଂ ଏହାକୁ ଆଧାର କରି ସେ ତାଙ୍କର ଏକ ଲେଖା ୧୯୩୬ ମସିହା ନଭେମ୍ବର ୨୮ ତାରିଖ ‘ହରିଜନ’ରେ ପ୍ରକାଶ କରିଥିଲେ। ଲେଖାର ଶିରୋନାମା ଥିଲା ‘ଓମେନ୍ ଇନ୍ ଦି ସ୍ମୃତିସ୍।’ ଗାନ୍ଧୀ ଏ ଲେଖାରେ ନିଜର ଖେଦୋକ୍ତି ପ୍ରକାଶ କରି କହିଥିଲେ, ‘ଇଣ୍ଡିଆନ୍ ସ୍ୱରାଜରେ ପ୍ରକାଶିତ ପ୍ରବନ୍ଧ ବାସ୍ତବରେ ନାରୀ ସ୍ୱାଧୀନତା ଚାହୁଁଥିବା ପୁରୁଷମାନଙ୍କୁ ବ୍ୟଥିତ କରିଛି। କାରଣ ଏଠି ଅନେକ ପୁରୁଷ ଅଛନ୍ତି ଯେଉଁମାନେ ନାରୀମାନଙ୍କୁ ଏ ସୃଷ୍ଟିର ମା’ ବୋଲି ଗ୍ରହଣ କରନ୍ତି। ଏବଂ ନାରୀମାନେ ଯେ ସମସ୍ତ ଦୁଃଖ, କଷ୍ଟର ସର୍ବୋତ୍କୃଷ୍ଟ ଉପଶମ-ମଲମ, ଏହା ସ୍ୱୀକାର କରନ୍ତି। ମୁଁ ମଧ୍ୟ ଶାସ୍ତ୍ର ବର୍ଣ୍ଣିତ ମହିଳା ବିରୋଧୀ ମନ୍ତବ୍ୟକୁ ନାପସନ୍ଦ କରେ। କିନ୍ତୁ ଦୁଃଖର କଥା, ‘ଇଣ୍ଡିଆନ୍ ସ୍ୱରାଜ’ରେ ପ୍ରକାଶିତ ପ୍ରବନ୍ଧରେ କେମିତି ଏକ ପ୍ରଚଣ୍ଡ ରକ୍ଷଣଶୀଳତା ଏବଂ ଧର୍ମାନ୍ଧତାର ସନ୍ଦେଶ ରହିଛି। ମୁଁ ଅନେକ ଥର ମୋର ପୂର୍ବ ଲେଖାମାନଙ୍କରେ ପୁରୁଣା ଗ୍ରନ୍ଥର ସମସ୍ତ କଥା ଯେ ଈଶ୍ୱର ବାଣୀ କିମ୍ବା ଶାସ୍ତ୍ରୀୟ ବଚନ ନୁହେଁ, ଏ କଥା କହିଛି ଏବଂ ଏହାକୁ ଏକ ଅଭଙ୍ଗା ସତ୍ୟ ବୋଲି ଗ୍ରହଣ ନ କରିବାକୁ ଅନୁରୋଧ କରିଛି। କିନ୍ତୁ ବିଡ଼ମ୍ବନା ହେଲା, ଆମର ପଣ୍ଡିତ ବିଦ୍ୱାନମାନେ ନିଜର ସ୍ୱାର୍ଥ ପାଇଁ ଅନେକ ଗ୍ରନ୍ଥ ତତ୍ତ୍ବର ଅର୍ଥ ଅର୍ଥାନ୍ତର କରନ୍ତି, ଯଦିଓ ଏହା ସମାଜ ପ୍ରତି ହିତକର ହେଉ ନଥାଏ। ପ୍ରାଚୀନ ଶାସ୍ତ୍ରରେ ମଧ୍ୟ ନାରୀ ଏବଂ ବଂଚିତ ବର୍ଗଙ୍କ ମାନବୀୟ ମର୍ଯ୍ୟାଦା ବୃଦ୍ଧି ନେଇ ଅନେକ ଉପାଖ୍ୟାନ ଓ ସିଦ୍ଧାନ୍ତ ରହିଛି।’

ଗାନ୍ଧୀ ତାଙ୍କ ପ୍ରବନ୍ଧର ଉପସଂହାରରେ ଏକ ପରାମର୍ଶ ଦେଇଥିଲେ ଏବଂ ଏହାକୁ ସେ ତାଙ୍କର ସମ୍ପୂର୍ଣ୍ଣ ନିଜସ୍ୱ ପରାମର୍ଶ ବୋଲି କହିଥିଲେ। ଗାନ୍ଧୀଙ୍କ ପରାମର୍ଶ ଥିଲା, ‘ହିନ୍ଦୁ ଧର୍ମଗ୍ରନ୍ଥମାନଙ୍କରେ ବର୍ଣ୍ଣିତ ସିଦ୍ଧାନ୍ତର ସମୀକ୍ଷା ନିମନ୍ତେ ପଣ୍ଡିତ ବିଦ୍ୱାନମାନଙ୍କୁ ନେଇ ଏକ ସଂସ୍ଥା ଗଠିତ ହେବା ଦରକାର। ଏଥିପାଇଁ ଆଇନ ବି ହେବା ଆବଶ୍ୟକ। କୌଣସି ସଂସ୍ଥାର ଆଇନଗତ ସ୍ୱୀକୃତି ନ ଥିଲେ ଏହା ଶକ୍ତିହୀନ ହେବା ସ୍ୱାଭାବିକ। ଧର୍ମଗ୍ରନ୍ଥରେ ବର୍ଣ୍ଣିତ କୌଣସି ବକ୍ତବ୍ୟ ଯଦି ସମାଜର ମୌଳିକତା ଓ ନୈତିକ ମୂଲ୍ୟବୋଧର ପରିପନ୍ଥୀ ହୋଇଥାଏ, ତାହାକୁ ସମୀକ୍ଷା କରି ସଂଶୋଧନ କିମ୍ବା ଉଚ୍ଛେଦ କରିଦେବାର ଅଧିକାର ଉକ୍ତ ସଂସ୍ଥା ପାଖରେ ରହିବା ଉଚିତ। ଏପରି ସମୀକ୍ଷା ପ୍ରକ୍ରିୟାର ହୁଏତ ବିରୋଧ ହୋଇପାରେ ଏବଂ ପୁରୁଣା ଶାସ୍ତ୍ରର ସଂଶୋଧନ ଆଳରେ ଶାସ୍ତ୍ରମାନଙ୍କର ପବିତ୍ରତା ନଷ୍ଟ ହେଉଛି ବୋଲି ଅଭିଯୋଗ ବି ଆସିପାରେ। ମୋର ବିଶ୍ୱାସ, ସମୀକ୍ଷା ନିମନ୍ତେ ମନୋନୀତ ହୋଇଥିବା ବିଦ୍ୱାନ୍ ଓ ପଣ୍ଡିତମାନେ ନିଷ୍ଠା ତଥା ସେବା ମନୋବୃତ୍ତି ନେଇ କାମ କଲେ, ଏହାର ପରିଣତି ସମାଜ ପାଇଁ ପରିଶେଷରେ ମଙ୍ଗଳକାରୀ ହିଁ ହେବ।’

ଶହେ ବର୍ଷ ପରେ ଗ୍ରନ୍ଥ ସମୀକ୍ଷା କଥା ଏବେ ପୁଣି ଆର୍‌.ଏସ୍‌.ଏସ୍‌.ର ମୁଖ୍ୟ, ମୋହନ ଭାଗବତ ଉଠେଇଲେଣି। ଏହା ଏକ ସ୍ପର୍ଶକାତର, ସମ୍ବେଦନଶୀଳ ପ୍ରସଙ୍ଗ ନିଶ୍ଚୟ।
ମୋ: ୯୮୬୧୪୬୯୩୨୮