ମୁଲ୍ଲା ନସିରୁଦ୍ଦିନ ଥରେ ପୁଞ୍ଜାଏ ଖଜୁରି କୋଳି ଧରିଥିବା ବେଳେ କିଛି ପିଲା ସେଠାରେ ପହଞ୍ଚି କୋଳି ମାଗିଲେ।
ମୁଲ୍ଲା କହିଲେ- ଦେବି। କିନ୍ତୁ ତୁମେମାନେ ପାଖ ମସଜିଦର ମୌଲବୀଙ୍କୁ ଯାଇ ପଚାର ଯେ ମୁଁ କେଉଁ ଭଳି ଭାବେ ଖଜୁରି କୋଳି ବାଣ୍ଟିବା ଉଚିତ। ମଣିଷଙ୍କ ଭଳି ନା ଭଗବାନଙ୍କ ଭଳି?
ପିଲାମାନେ ମୌଲବୀଙ୍କ ପାଖକୁ ଦୌଡ଼ିଲେ। ମୌଲବୀଙ୍କୁ ଏ କଥା ପଚାରିବାରୁ ସେ କହିଲେ- ତାଙ୍କୁ କହ ଭଗବାନଙ୍କ ଭଳିଆ ବାଣ୍ଟନ୍ତୁ।
ପିଲାମାନେ ମୁଲ୍ଲାଙ୍କୁ କହିଲେ- ତୁମେ ଭଗବାନଙ୍କ ଭଳି ବାଣ୍ଟ।
ଏହା ଶୁଣି ମୁଲ୍ଲା ପୂରା ମୁଠାକ ଯାକ ଖଜୁରି କୋଳି ଦୂରକୁ ଫୋପାଡ଼ି ଦେଲେ ଏବ˚ କହିଲେ- ଏବେ ଖାଅ।
ପିଲାମାନେ ଖଜୁରି କୋଳି ଗୋଟାଇବା ଲାଗି ଦୌଡ଼ିଲେ ଏବ˚ ଧରାପରା ହୋଇ ଯିଏ ଯାହା ପାଇଲା ସେତକ ନେଲା।
ଦୂରରୁ ମୌଲବୀ ଏହା ଦେଖୁଥିଲେ। ସେ ନସିରୁଦ୍ଦିନଙ୍କୁ କହିଲେ- ହଇହୋ, ମୁଲ୍ଲା, ମୁଁ କହିଥିଲି ଭଗବାନଙ୍କ ଭଳି ବାଣ୍ଟିବା ଲାଗି। ତୁମେ ୟେ କ’ଣ କଲ?
ମୁଲ୍ଲା କହିଲେ- ମୁଁ ତ ଭଗବାନଙ୍କ ଭଳି ବାଣ୍ଟିଲି। ଭଗବାନ ଏମିତି ବାଣ୍ଟନ୍ତି। କିଏ ମେଞ୍ଚେ ପାଏ ତ କିଏ କେଞ୍ଚେ। ଭଗବାନ ଦୁର୍ବଳକୁ ସାକୁଲାଇବେ ଏମିତି କିଛି ମାନେ ନାହିଁ। ମଣିଷ ଏମିତି କରେ। ଭଗବାନଙ୍କ ଆଗରେ ସବଳ ଓ ଦୁର୍ବଳ ସମସ୍ତେ ସମାନ। ସେ ପାତରଅନ୍ତର ନ କରି ସବୁ କିଛି ଫୋପାଡ଼ି ଦିଅନ୍ତି। ଯିଏ ଯାହା ପାରିଲା ବା ଯାହା ଭାଗ୍ୟରେ ଯେତିକି ଜୁଟିଲା, ସେତିକି ତା’ର। ମଣିଷ ହିଁ ହିସାବ କରି ସମାନ ଭାବେ ବାଣ୍ଟିବାର ଚେଷ୍ଟା କରେ।