ଭାରତ ନାମକ ଏହି ଗ୍ରୀଷ୍ମ-ଉତ୍ତପ୍ତ ଭୂଖଣ୍ତଟି ଯେ ତୃଷା ମୋଚନର ପ୍ରତିଶ୍ରୁତି ପ୍ରଦାନକାରୀ ମୃଦୁ-ପାନୀୟ କ˚ପାନିଗୁଡ଼ିକ ସକାଶେ ଅମରାବତି ସଦୃଶ, ଏଥିରେ ସନ୍ଦେହ ନାହିଁ। ସେହି ଦୃଷ୍ଟିରୁ ବୈଶାଖ ଆଗମନର ଅବ୍ୟବହିତ ପୂର୍ବରୁ ଘୋର ପ୍ରତିଦ୍ବନ୍ଦ୍ବିତାମୂଳକ ମୃଦୁ ପାନୀୟର ଏହି ବିଶାଳ ବଜାରରେ ଯେଉଁ ପ୍ରସଙ୍ଗଟି ଚଳଚଞ୍ଚଳତା ସୃଷ୍ଟି କରିଛି, ତାହା ହେଲା ଆଜକୁ ପ୍ରାୟ ତିନି ଦଶନ୍ଧି ତଳେ ବଜାର ଥାକମାନରୁ ଅଦୃଶ୍ୟ ହୋଇ ଯାଇଥିବା ମୃଦୁ ପାନୀୟ ‘କା˚ପାକୋଲା’ର ପୁନର୍ଜନ୍ମର ସ˚କେତ। କହିବାରେ ଦ୍ବିଧା ନାହିଁ ଯେ ସପ୍ତମ ଏବ˚ ଅଷ୍ଟମ ଦଶକରେ ଅତ୍ୟନ୍ତ ଜନାଦୃତି ଲାଭ କରିଥିବା ଏହି ମୃଦୁ ପାନୀୟର ପୁନଃ ଆବିର୍ଭାବର ସମ୍ବାଦ ଏବର ମଧୢ-ବୟସ୍କ ଭାରତୀୟମାନଙ୍କ ଠାରେ ଏକ ସ୍ବଦେଶୀ ‘କୋଲା’ ପାନର ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଥିବ। କିନ୍ତୁ ଏହା ସହିତ ଆଉ ଯାହା ଉଜାଗର ହୋଇଛି, ତାହା ହେଲା ଭାରତରେ ଏହି ଫେନିଳ ମୃଦୁ ପାନୀୟ ବ୍ୟବସାୟ ଓ ବଜାର ସହିତ ସ˚ଶ୍ଳିଷ୍ଟ ଅତ୍ୟନ୍ତ କୌତୂହଳପ୍ରଦ ରାଜନୈତିକ, ଅର୍ଥନୈତିକ ଏବ˚ ଆବେଗିକ ଦିଗମାନ; ଯାହା ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଥାଏ।

Advertisment

ପ୍ରକାଶ ଥାଉ କି ୧୯୭୭ ମସିହାରେ ପୃଥିବୀର ବୃହତ୍ତମ ମୃଦୁ-ପାନୀୟ କ˚ପାନି ‘କୋକାକୋଲା’ ବା ସ˚କ୍ଷେପରେ ‘କୋକ୍‌’ ଭାରତ ଭୂମିରୁ ବିଦାୟ ନେଇଥିଲା; ଯାହା ପଛରେ ନିହିତ କାରଣ ଥିଲା ସେହି ସମୟରେ ମୋରାରଜୀ ଦେଶାଇଙ୍କ ନେତୃତ୍ବରେ କ୍ଷମତାସୀନ ଜନତା ଦଳ ସରକାର ଦ୍ବାରା ପ୍ରବର୍ତ୍ତିତ ଦୁଇଟି ନିୟମ; ଯାହା କହିଥିଲା ଯେ ଏକ ବିଦେଶୀ କ˚ପାନି ତା’ର ପୁ˚ଜିର ଅ˚ଶଧନକୁ ୪୦ ପ୍ରତିଶତକୁ ହ୍ରାସ କରିବା ଏବ˚ ଏକ ଭାରତୀୟ କ˚ପାନ ସହିତ ଅ˚ଶୀଦାରି ସୂତ୍ରରେ କାରବାର ଚଳାଇବାକୁ ବାଧୢ। ଶୁଣିବାକୁ ମିଳେ ଯେ ଏଭଳି ବ୍ୟାବସାୟିକ ଅ˚ଶୀଦାରିର ବାଧ୍ୟବାଧକତାରେ ‘କୋକାକୋଲା’ର ଅଭିନବ ସ୍ବାଦ-ସ୍ବାତନ୍ତ୍ର୍ୟର କାରଣ ରୂପେ ପ୍ରସିଦ୍ଧ ‘ଗୁପ୍ତ ଫର୍ମୁଲା’ ଅବଲୀଳା କ୍ରମେ ପ୍ରଘଟ ହୋଇଯିବ ବୋଲି ଆଶଙ୍କା କରି ଏହି କ˚ପାନି ଭାରତରୁ ପ୍ରସ୍ଥାନ କରିଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତର ସ୍ବାଧୀନତା ଠିକ୍‌ ପରେ ଏହି ଉପମହାଦେଶକୁ ପ୍ରବେଶ କରିଥିବା ଦୁଇ ଆମେରିକୀୟ ମୃଦୁ-ପାନୀୟ କ˚ପାନି ‘କୋକାକୋଲା’ ଏବ˚ ‘ପେପ୍‌ସି’ ମଧୢରୁ ‘ପେପ୍‌ସି’ ‘କୋକାକୋଲା’ ସହିତ ପ୍ରତିଦ୍ବନ୍ଦ୍ବିତାରେ ଅସମର୍ଥ ହୋଇ ୧୯୬୨ ମସିହାରେ ବିଦାୟ ନେଇ ସାରିଥିଲା। ସୁତରା˚, ଏଭଳି ସ୍ଥଳେ ‘କୋକାକୋଲା’ର ଅନୁପସ୍ଥିତି ଦ୍ବାରା ସୃଷ୍ଟ ଶୂନ୍ୟ ସ୍ଥାନ ଅନେକ ସ୍ବଦେଶୀ ଉଦ୍ୟମକୁ ସମ୍ଭବ କଲା; ଯହିଁରେ ‘କୋଲା’ ଜାତୀୟ ମୃଦୁ-ପାନୀୟ ବିଭାଗରେ ‘କା˚ପାକୋଲା’, ‘ଡବଲ ସେଭେନ’ (77), ‘ଥମ୍‌ସ ଅପ୍‌’ ଏବଂ ‘ଡବଲ୍‌ କୋଲା’ ଆଦିର ଆବିର୍ଭାବ ଘଟିଥିଲା। ଏହି କ୍ରମରେ ‘କୋକାକୋଲା’ର ବଟଲି˚ କ˚ପାନି ‘ପିଓର ଡ୍ରଙ୍କ୍‌ସ ଗ୍ରୁପ୍‌’ ଦ୍ବାରା ‘କା˚ପାକୋଲା’ ପ୍ରସ୍ତୁତ କରାଯାଇଥିଲା, ଯହିଁରେ ସ୍ବାତନ୍ତ୍ର୍ୟର ପରିଚୟ ପ୍ରଦାନ କରୁଥିବା ‘ଟ୍ୟାଗ୍‌ ଲାଇନ୍‌’ଟି ଥିଲା ‘ମହନୀୟ ଭାରତୀୟ ସ୍ବାଦ’ (ଦ ଗ୍ରେଟ୍‌ ଇଣ୍ତିଆନ୍‌ ଟେଷ୍ଟ୍)। ପ୍ରକାଶ ଥାଉ କି ‘କୋକାକୋଲା’ର ଏକ ଦୁର୍ବଳ ଭାରତୀୟ ନକଲ ରୂପେ ଅନେକଙ୍କ ଦ୍ବାରା ଅଭିହିତ ‘କା˚ପାକୋଲା’ ଏହା ସତ୍ତ୍ବେ ବିପୁଳ ଲୋକପ୍ରିୟତା ହାସଲ କରିଥିଲା।

ନବମ ଦଶକରେ ମୁକ୍ତ ଅର୍ଥନୀତିର ମଳୟ ସହିତ ବଜାର-ବସନ୍ତର ଆଗମନ ହେବା ପର୍ଯ୍ୟନ୍ତ ଭାରତରେ ମୁଖ୍ୟତଃ ‘କା˚ପାକୋଲା’ ଏବ˚ ‘ଥମ୍‌ସ ଅପ୍‌’ ମଧୢରେ ପ୍ରତିଦ୍ବନ୍ଦ୍ବିତା ଲାଗି ରହିଥିଲା; ଏବଂ ମାତ୍ର ତିନି ବର୍ଷର ଆୟୁରେ ‘ଡବଲ ସେଭେନ୍‌’ର ଅକାଳ ମୃତ୍ୟୁ ଘଟି ସାରିଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଜଗତ୍‌କରଣ ସହିତ ଭାରତରେ ‘କୋକାକୋଲା’ ଓ ‘ପେପ୍‌ସି’ର ପୁନରାବିର୍ଭାବ ‘କା˚ପାକୋଲା’କୁ ବଜାରରୁ ନିଷ୍କ୍ରାନ୍ତ କରିଦେଲା ଏବ˚ ‘ଥମ୍‌ସ ଅପ୍‌’ର ପ୍ରତିଦ୍ବନ୍ଦ୍ବିତାକୁ ନିଷ୍ପ୍ରଭ କରିବା ସକାଶେ ‘କୋକାକୋଲା’ ତାହାକୁ ଖର୍ଦ୍ଦି କରି ପକାଇଲା। ସୁତରା˚, ବିଗତ ତିନି ଦଶନ୍ଧି ଧରି ଭାରତର ଅତ୍ୟନ୍ତ ଅତିକାୟ ‘କୋଲା’ ପାନୀୟ ବଜାରରେ ଦୁଇ ଆମେରିକୀୟ ବହୁଦେଶୀୟ କ˚ପାନି ରାଜୁତି କରି ଆସିଛନ୍ତି, ଯହିଁରେ ଏବେ ଏକ ରସ ଭଙ୍ଗକାରୀ ରୂପେ ସ୍ବଦେଶୀ ‘କା˚ପାକୋଲା’ର ଅଚାନକ ଉପସ୍ଥିତି ଏକ ମୋଡ଼ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି କରିଥାଏ।

ପ୍ରକାଶ ଥାଉ କି ସପ୍ତମ ଦଶକରେ ଭାରତୀୟ ରୁଦ୍ଧ ଅର୍ଥନୀତି କ୍ରମ-ଅବନତିର ସୋପାନରେ ଥିବା ବେଳେ ‘କୋକୋକୋଲା’କୁ ବିତାଡ଼ିତ କରି ତା’ ସ୍ଥାନରେ ସ୍ବଦେଶୀ ମୃଦୁ ପାନୀୟର ବିକଳ୍ପ ସୃଷ୍ଟି କରିବାର ଉଦ୍ୟମକୁ ଅନେକ ବିଶେଷଜ୍ଞ ‘ସରକାରୀ ବହପ’ ରୂପେ ବିଚାର କରିଥାଆନ୍ତି। କହିବା ଅନାବଶ୍ୟକ ଯେ ସେତେବେଳକୁ ଭାରତୀୟମାନେ ଖର୍ଚ୍ଚୀ ଉପଭୋକ୍ତାରେ ପରିଣତ ହୋଇ ନ ଥିଲେ ବା ଶୀତଳ ମଧୁର ମୃଦୁ ପାନୀୟର ତୃଷ୍ଣା ସେମାନଙ୍କ ତଣ୍ଟିକୁ ଆଜିକା ଭଳି ଶୁଖାଇ ଦେଉ ନ ଥିଲା। କେବଳ ଯାହା ଭାରତର ଜନସା˚ଖ୍ୟିକ ସାନ୍ଦ୍ରତା କେତେକ ମୃଦୁ ପାନୀୟ ବ୍ରାଣ୍ତ୍‌କୁ ସାଫଲ୍ୟ ପ୍ରଦାନ କରିଥିଲା। ସୁତରା˚, ଭାରତ ଭୂମିରୁ ‘କୋକାକୋଲା’ର ଅପସାରଣ ତତ୍କାଳୀନ ଶିଳ୍ପ ମନ୍ତ୍ରୀ ସମାଜବାଦୀ ଚେତନାଧାରୀ ଜର୍ଜ ଫର୍ନାଣ୍ତିଜଙ୍କୁ ଖୁବ୍‌ ସମ୍ଭବ ଏକ ବ୍ୟକ୍ତିଗତ ବିଜୟର ଉଲ୍ଲାସ ପ୍ରଦାନ କରିଥିବ, ଯାହାର ଫଳଶ୍ରୁତି ସ୍ବରୂପ ଅନୁପସ୍ଥିତ ‘କୋକାକୋଲା’ର ଏକ ସରକାରୀ ବିକଳ୍ପ ଭାବେ ‘ଡବଲ୍‌ ସେଭେନ୍‌’ର ଜନ୍ମ ଘଟିଥିଲା।

ତେବେ, ଏହି ମୃଦୁ ପାନୀୟର ନାମରେ ଏକ ରାଜନୈତିକ କଟାକ୍ଷ ମଧ୍ୟ ଥିଲା, ଯାହା ୧୯୭୭ ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କ ଶୋଚନୀୟ ପରାଜୟ ଏବ˚ କେନ୍ଦ୍ରରେ ଜନତା ଦଳର କ୍ଷମତା ଦଖଲକୁ ରେଖାଙ୍କିତ କରୁଥିଲା। କିନ୍ତୁ ବିଡ଼ମ୍ବନା ଯେ ସରକାରୀ ଉଦ୍ୟୋଗ ‘ମର୍ଡନ ଫୁଡ୍‌ ଇଣ୍ତଷ୍ଟ୍ରିଜ୍‌’ ଦ୍ବାରା ପ୍ରସ୍ତୁତ ‘ଡବଲ ସେଭେନ’ ସ୍ବାଦ ଦୃଷ୍ଟିରୁ ଭାରତୀୟଙ୍କ ଚିତ୍ତ ର˚ଜନ କରିବାରେ ବିଫଳ ହୋଇଥିଲା; ଏବ˚ ଇନ୍ଦିରା ଗାନ୍ଧୀଙ୍କ କଣ୍ଠରେ କଣ୍ଟା ସଦୃଶ ଅଟକି ଥବା ଏହି ମୃଦୁ ପାନୀୟ ବ୍ରାଣ୍ତଟି ୧୯୮୦ ମସିହାରେ କ୍ଷମତାକୁ ଇନ୍ଦିରାଙ୍କ ପୁନଃ ପ୍ରତ୍ୟାବର୍ତ୍ତନ ସହିତ ଅସ୍ତିତ୍ବ ହରାଇଥିଲା। ତେବେ, କେବଳ ‘ଡବଲ ସେଭେନ’ ନୁହେଁ, ଇତି ମଧ୍ୟରେ ପ୍ରାୟ ସମସ୍ତ ଭାରତୀୟ ‘କୋଲା’ ଜାତୀୟ ପାନୀୟ ବଜାରରୁ ଅନ୍ତର୍ହିତ ହୋଇ ସାରିଥିବା ବେଳେ ‘କା˚ପାକୋଲୋ’ର ପୁନର୍ଜନ୍ମ ଏବଂ ତା’ର ସମ୍ଭାବ୍ୟ ସଫଳତା ନେଇ ଏହି କାରଣରୁ ଆଶା ସ˚ଚାରିତ ହୋଇଥାଏ ଯେ ଏହାର ପୃଷ୍ଠପୋଷକ ରୂପେ ଉଭା ହୋଇଛନ୍ତି ମୁକେଶ ଅମ୍ବାନୀଙ୍କ ଭଳି ଜଣେ ବିଚକ୍ଷଣ, ସତର୍କ ଓ ସଫଳ ଉଦ୍ୟୋଗୀ।

ସେ ୨୨ କୋଟି ଟଙ୍କା ମୂଲ୍ୟରେ ଏହି ମୃଦୁ ପାନୀୟ ବ୍ରାଣ୍ତକୁ କ୍ରୟ କରିଛନ୍ତି। ସେହି ଦୃଷ୍ଟିରୁ ‘କୋକ୍‌’ ଏବ˚ ‘ପେପ୍‌ସି’ କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧୢ ଏକ ଦୃଢ଼ ପ୍ରତିଦ୍ବନ୍ଦ୍ବୀର ସମ୍ମୁଖୀନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଅର୍ଥାତ୍‌ ୨୦୨୩ ମସିହାରେ ଭାରତୀୟମାନେ ୧୭୦୩ ନିୟୁତ ଡଲାର ମୂଲ୍ୟର ମୃଦୁ-ପାନୀୟ ପାନ କରିବେ ବୋଲି ଆକଳନ କରାଯାଇଛି ଏବ˚ ଏହି ବ୍ୟବସାୟରେ ବାର୍ଷିକ ଅଭିବୃଦ୍ଧି ହାର ୧୧.୫୮ ପ୍ରତିଶତ ହେବାର ସମ୍ଭାବନା ରହିଛି। ସୁତରା˚, ଏଭଳି ଏକ ବିଶାଳ ବଜାର ପ୍ରାଙ୍ଗଣରେ ଏହି ବର୍ଷ ଠାରୁ ‘କୋଲା ଯୁଦ୍ଧ’ ଏକ ରୋଚକ ମୋଡ଼ ନେବାର ଆଶା ବେଶ୍‌ ଅଧିକ।
୨୦୦୨ ମସିହାରେ ‘ନ୍ୟୁୟର୍କ ଟାଇମ୍‌ସ’ର ଜଣେ ସାମ୍ବାଦିକ ସେତେବେଳକୁ ବିକଳାଙ୍ଗ ପ୍ରାୟ ହୋଇ ପଡ଼ିଥିବା ‘କା˚ପାକୋଲା’ ଫ୍ୟାକ୍ଟ୍ରିକୁ ଆସି ଯାହାଙ୍କୁ ଦେଖିବାକୁ ପାଇଥିଲେ, ସେ ଥିଲେ ଏକ ସ˚ପୂର୍ଣ୍ଣ ନିଃସଙ୍ଗ ପରିବେଶରେ ଗୋଟିଏ ଅନୁଜ୍ଜ୍ବଳ ବଲ୍‌ବ ତଳେ ଏକୁଟିଆ ବସି ଗୋଟିଏ ଲେଜର‌୍‌ (ହିସାବ ଖାତା)ରେ କିଛି ଟିପୁଥିବା ଜଣେ ବୟସ୍କ ଏକାଉଣ୍ଟାଣ୍ଟ। ସାମ୍ବାଦିକ ଜଣକ ଲେଖିିଥିଲେ: ସତେ ଯେମିତି କ˚ପାନିର ଡାଇରେକ୍ଟରମାନେ ଏହି ଭଦ୍ରବ୍ୟକ୍ତି ଜଣଙ୍କୁ ପାଶୋରି ଯାଇଛନ୍ତି!

ଏବେ ଆଶା କରିବା ଯେ ‘କା˚ପାକୋଲା’ ପୁନର୍ବାର ଉଜ୍ଜ୍ବଳତା ଓ କୋଳାହଳରେ ଭରି ଉଠିବ। ସମସ୍ତେ ଏକମତ ହେବେ ଯେ ତୃଷା ବିମୋଚନର ପ୍ରତିଜ୍ଞା କରି ଚାଲିଥିବା ମୃଦୁ-ପାନୀୟ ବ୍ରାଣ୍ତଗୁଡ଼ିକ ପ୍ରକୃତରେ ଭାରତର ତୃଷ୍ଣା ବର୍ଦ୍ଧନ କରି ଚାଲିଛନ୍ତି ଏବ˚ ଏଭଳି ଗ୍ରୀଷ୍ମକାଳୀନ ଦୁର୍ବାର ପିପାସା ମେଣ୍ଟାଇବା ସକାଶେ ମରୁଦ୍ୟାନ ଭଳି ସେମାନେ ହିଁ ଅବତୀର୍ଣ୍ଣ ହୋଇଥାଆନ୍ତି। ସେହିମାନଙ୍କ ଭିତରେ ଏବେ ‘କା˚ପାକୋଲା’କୁ ଦେଖିବାକୁ ମିଳିବ। ତେବେ, କେବଳ ମଧୢ-ବୟସ୍କ ଭାରତୀୟଙ୍କୁ ରୋମା˚ଚିତ କରିବାରେ ନିଜକୁ ସୀମିତ ନ ରଖି ଯଦି ଏହା ‘ମିଲେନିଏଲ୍‌’ ଏବ˚ ‘ଜେନ-ଜେଡ୍‌’ ପିଢ଼ିର ହୃଦୟ ଜିଣିବାରେ ସମର୍ଥ ହୁଏ, ତେବେ ଏକ ଭାରତୀୟ ମୃଦୁ ପାନୀୟ ବ୍ରାଣ୍ତ ଶୀଘ୍ର ବିଶ୍ବ ପରିବ୍ରାଜନରେ ବାହାରି ପାରେ ବୋଲି ଆଶା କରାଯାଇପାରିବ।