କଂଗ୍ରେସ ଅସ୍ଥିତ୍ବ ସଂକଟର ସମ୍ମୁଖୀନ ହେଉଛି ବୋଲି କହିଲେ ଭୁଲ୍ ହେବ। ଦିଲ୍ଲୀରେ କ୍ଷମତା ଫେରି ପାଇବାରେ ମାତ୍ର ଦୁଇଥରର ବିଫଳତା ଏହାକୁ ଅନ୍ତର୍ଦ୍ଧାନ କରିପାରିବ ନାହିଁ, କାରଣ ଏହା ଏକ ବହୁତ ବଡ଼ ଓ ଅଭିଜ୍ଞ ଦଳ। ତେବେ ଏହା ଏବେ ଏକ ବ୍ୟକ୍ତିତ୍ବ ସଂକଟର ସାମନା କରୁଛି- ଏହାର ନେତୃତ୍ବ ଓ ଆଦର୍ଶ ଉଭୟର ବ୍ୟକ୍ତିତ୍ବ ସଂକଟ। ଦଳ ଏଥିରୁ ମୁକୁଳିବା ପାଇଁ ରାୟପୁର ଅଧିବେଶନ କୌଣସି ସୂଚନା ଦେଇନାହିଁ।
କଂଗ୍ରେସର ନେତା କିଏ? ୨୦୨୪ରେ ବିଜେପି ବିରୋଧରେ ଦଳର ପ୍ରଚାର ନେତୃତ୍ବ କିଏ ନେବ? ରାହୁଳ ଗାନ୍ଧୀ ନା ମଲ୍ଲିକାର୍ଜୁନ ଖଡ଼ଗେ ନା ଅନ୍ୟ କୌଣସି ମହାଶୟ/ମହାଶୟା ଯାହାଙ୍କ ନାମ ତଥାପି ବାହାରକୁ ଆସିନାହିଁ? ସାଧାରଣ ମତଦାତା ଏଭଳି ପ୍ରଶ୍ନ ପଚାରୁଛନ୍ତି। ବିଜେପି ବିରୋଧରେ ବିରୋଧୀ ସାମ୍ମୁଖ୍ୟକୁ କଂଗ୍ରେସ ଦଳ ଏକାକୀ ନେତୃତ୍ବ ଦେବ ବୋଲି କହୁଥିବାରୁ ଏହି ପ୍ରଶ୍ନ ମତଦାତାଙ୍କ ପାଇଁ ଅଧିକ ମହତ୍ତ୍ବ ରଖୁଛି।
ସାଧାରଣ ମତଦାତା ଦ୍ବନ୍ଦ୍ବରେ ଅଛନ୍ତି। ୨୦୧୯ରେ ଦିଲ୍ଲୀ କ୍ଷମତା ଦଖଲ ପାଇଁ କଂଗ୍ରେସ ଦଳ ଦ୍ବିତୀୟ ଥର ଅସଫଳ ହେବା ପରେ ରାହୁଳ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ। ଏହି ନିଷ୍ପତ୍ତି ବଦଳାଇବା ପାଇଁ ଦଳର ବରିଷ୍ଠ କର୍ମକର୍ତ୍ତାମାନେ ଦୀର୍ଘ ତିନି ବର୍ଷ ଯାଏ ତାଙ୍କୁ ପ୍ରାର୍ଥନା କରିଚାଲିଲେ, ମାତ୍ର ସେ ମନା କରିଦେଲେ। ସେତିକି ବେଳେ ସେ ମଧ୍ୟ ରାଜ୍ୟ ନିର୍ବାଚନଗୁଡ଼ିକରେ ଦଳୀୟ ପ୍ରଚାରର ପ୍ରମୁଖ ଭୂମିକା ନିଭାଇଥିଲେ, ଫଳରେ ସେ ଦଳର ପ୍ରକୃତ ନେତା ବୋଲି କେହି ଆଉ ସନ୍ଦେହ କରିନଥିଲେ।
ରାହୁଳ କାହିଁକି ଅଧ୍ୟକ୍ଷ ହେବାକୁ ଚାହୁଁନାହାନ୍ତି, ସେ ବାବଦରେ ଅନେକ ତତ୍ତ୍ବ ରହିଛି। ସେଥିରୁ ଗୋଟିଏ ହେଲା, ସେ ସ୍ବଭାବତଃ ଜଣେ ଅଧିକ ‘ଆଦର୍ଶମୁଖୀ ରାଜନେତା’ ଓ କମ୍ ‘ସଂଗଠନମୁଖୀ ରାଜନେତା’। ସିଏ ସେଭଳି ରାଜନେତା ନୁହନ୍ତି ଯିଏ ସଂଗଠନର ନେତା ଭାବରେ ଯୋଜନା, ନିର୍ଦ୍ଦେଶନା, ପରିଚାଳନା ଓ ରଣନୀତି ପ୍ରସ୍ତୁତିରେ ନିଜର ସମସ୍ତ ସମୟ ନିୟୋଜିତ କରିବେ। ବରଂ ସେ ଜଣେ ସ୍ଥପତି, ବିଚାରର ଉତ୍ସ, ଦଳର ପୁନର୍ନିର୍ମାଣ ଓ ଆଦର୍ଶର ପୁନର୍ବ୍ୟାଖ୍ୟାନ ପାଇଁ ପ୍ରେରଣାଦାୟୀ ହେବାକୁ ପସନ୍ଦ କରନ୍ତି। ଆଉ ଏକ ତତ୍ତ୍ବ ହେଲା, ବଂଶବାଦୀ ନେତୃତ୍ବ ସହ ଦଳର ଗଣତାନ୍ତ୍ରିକ ବୈଧତା ସମ୍ପର୍କରେ ବିଜେପିକୁ ପ୍ରଶ୍ନ ଉଠାଇବା ପାଇଁ ସେ କୌଣସି ସୁଯୋଗ ଦେବାକୁ ଚାହାନ୍ତି ନାହିଁ। ତେଣୁ ସେ, ନିଜେ କି ତାଙ୍କ ମାଆ କି ଭଉଣୀ ଦଳର ଅଧ୍ୟକ୍ଷ ପଦ ମଣ୍ଡନ କରିବା ସପକ୍ଷରେ ନାହାନ୍ତି।
ତେଣୁ ଆଉ ରହିଲେ ଖଡ଼ଗେ। ଯଦି ବିଜେପିର ବଂଶବାଦୀ କ୍ଷେପଣାସ୍ତ୍ରକୁ ନିଷ୍କ୍ରିୟ କରିବା ଦଳର ଚିନ୍ତାଧାରା ଥିଲା, ତେବେ ଏହାର ଅଧ୍ୟକ୍ଷ ପଦ ପାଇଁ ଅସାଧାରଣ ସାଂଗଠନିକ କ୍ଷମତା ଓ ନିଜସ୍ବ ବ୍ୟକ୍ତିତ୍ବ ଥିବା ଜଣେ କମ୍ ବୟସର ବ୍ୟକ୍ତିଙ୍କୁ ଚୟନ କରିବା ଉଚିତ ଥିଲା। ଗୋଟିଏ ପଟେ ଅସାଧାରଣ ନେତୃତ୍ବ ଦକ୍ଷତା ନଥିବା ଜଣେ ୮୦ ବର୍ଷୀୟ ଦଳୀୟ ନେତାଙ୍କୁ ଅଧ୍ୟକ୍ଷ କରିଦିଆଗଲା। ଅପରପକ୍ଷେ, ରାୟପୁର ଅଧିବେଶନରେ ନିଜର ସଂବିଧାନରେ ସଂଶୋଧନ ଆଣି ୫୦ ବର୍ଷରୁ କମ୍ ବୟସର ୫୦ ପ୍ରତିଶତ ଦଳୀୟ ସଂଗଠନ ଏବଂ ୫୦ ବର୍ଷରୁ କମ୍ ବୟସର ପୁରୁଷ ଓ ମହିଳାଙ୍କୁ ପ୍ରତିନିଧି କାର୍ଯ୍ୟାଳୟ ପ୍ରଦାନ କରିବା ଲାଗି ‘୫୦ ବର୍ଷରୁ କମ୍ ବୟସର ୫୦’ ନିୟମକୁ ଅନ୍ତର୍ଭୁକ୍ତ କରି ଦିଆଗଲା। ଜଣେ ଅଶୀତିପରଙ୍କୁ ଅଧ୍ୟକ୍ଷ ପଦ ସମର୍ପି ଦଳ କେମିତି ଉପରକୁ ଉଠିବାର ସ୍ବପ୍ନ ଧରି ଯୁବ ଦଳୀୟ କର୍ମୀ ଓ ନୂତନ କର୍ମୀଙ୍କୁ ଅନୁପ୍ରାଣିତ କରିବ ବୋଲି ଆଶା ରଖିବ? ୟେ ପ୍ରହସନ ଏତେ ସ୍ପଷ୍ଟ ଯେ କେହି ଭୁଲିପାରିବେ ନାହିଁ। ଖଡ଼ଗେଙ୍କୁ କେବଳ ଜଣେ ନାମକୁ ମାତ୍ର ମୁଖିଆ ଭାବେ ଦେଖିବାରେ କିଛି ଆଶ୍ଚର୍ଯ୍ୟର କଥା ନାହିଁ। ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଜଣେ ଅଣଗାନ୍ଧୀ ଅଧ୍ୟକ୍ଷ ଚୟନ କରି ବିଜେପିର ବଂଶବାଦ ଆକ୍ଷେପକୁ ବନ୍ଦ କରିବା।
ରାୟପୁରରେ ଖଡ଼ଗେଙ୍କ ନେତୃତ୍ବରେ ଦଳର ୪୫ ଜଣିଆ ଷ୍ଟିଅରିଂ କମିଟି ଦାବି କଲା କି, ଗାନ୍ଧୀ ପରିବାରର କୌଣସି ସଦସ୍ୟଙ୍କ ବିନା ଉପସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଇଛି। ଏହାକୁ ଦଳର ପ୍ରବର୍ତ୍ତାମାନେ ଅନ୍ୟ ଏକ ପ୍ରମାଣ (ବଂଶବାଦର ପ୍ରାଧାନ୍ୟ ନଥିବା ଜଣେ ଅଣଗାନ୍ଧୀ ଅଧ୍ୟକ୍ଷ ଚୟନ କରିବା ବ୍ୟତୀତ) ଭାବେ ଉପସ୍ଥାପନ କରିଥିଲେ। ତେବେ ଏହା କାମ କରିନଥିଲା। ରାହୁଳ ଗାନ୍ଧୀ ହିଁ ସବୁଠି ରହିଥିଲେ। ରାୟପୁରର ସର୍ବସାଧାରଣ ଛକରେ, ଅଧିବେଶନ ସ୍ଥଳକୁ ଯାଇଥିବା ରାସ୍ତା ପାର୍ଶ୍ବରେ ଏବଂ ଯେଉଁ ମଞ୍ଚରେ ସଭାସମିତି ହେଉଥିଲା, ସବୁଠି ଭାରତ ଯୋଡ଼ୋ ଯାତ୍ରା ଅନ୍ତର୍ଗତ ରାହୁଳ ପିଲାଙ୍କୁ ଆଲିଙ୍ଗନ କରୁଥିବା, ସାଧାରଣ ଲୋକଙ୍କ ସହ ବୁଲୁଥିବା ଏବଂ ବର୍ଷାରେ ଭିଜି ଭିଜି ଭାଷଣ ଦେଉଥିବା ଆଦି ରାହୁଳ ଗାନ୍ଧୀଙ୍କ ଶତାଧିକ ପୋଷ୍ଟର ଲଗାଯାଇଥିଲା। ସେହିପରି ପ୍ରତ୍ୟେକ ବକ୍ତାଙ୍କ ଅଭିଭାଷଣର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ସମର୍ପିତ ଥିଲା କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା ପାଇଁ ରାହୁଳ ଗାନ୍ଧୀଙ୍କ ତପସ୍ୟାର ପ୍ରଶଂସା କରିବା। ରାହୁଳ ଏବେ ପାସିଘାଟରୁ ପୋରବନ୍ଦର ଯାତ୍ରାର ନେତୃତ୍ବ ନେବାକୁ ଯାଉଛନ୍ତି, ଯାହା ପୂର୍ବ ଯାତ୍ରା ଦ୍ବାରା ସ୍ପର୍ଶ କରାଯାଇନଥିବା ରାଜ୍ୟଗୁଡ଼ିକୁ ଅତିକ୍ରମ କରିବ।
ଏହା କ’ଣ ରାହୁଳ ଗାନ୍ଧୀଙ୍କ ଭାବମୂର୍ତ୍ତି ସହ କଂଗ୍ରେସକୁ ଚିହ୍ନାଇବା ବାବଦରେ କାହାକୁ ସନ୍ଦେହରେ ପକାଉଛି କି? ସେ ଯେଭଳି ଚିନ୍ତା କରନ୍ତି କଂଗ୍ରେସ ସେଭଳି କରିଥାଏ, ସେ ଯୁଆଡ଼କୁ ଗତି କରିଥା’ନ୍ତି ଦଳ ସିଆଡ଼କୁ ଯାଇଥାଏ, ସେ ଯାହା କରନ୍ତି ଦଳ ତାହା ମଧ୍ୟ ମାନିନେଇଥାଏ। ଦେଶର ଜନତାଙ୍କ ଆଗରେ ରାହୁଳ ‘ମୁଁ ହିଁ ଦଳର ନେତୃତ୍ବ ନେଉଛି, କିନ୍ତୁ ମୁଁ ଦଳର ନେତା ନୁହେଁ’ ଭଳି ନିଜର ଏକ ବିରୋଧାଭାସପୂର୍ଣ୍ଣ ଭାବମୂର୍ତ୍ତି ଉପସ୍ଥାପନ କରିଚାଲିବା ଅର୍ଥହୀନ। ସେ ତାଙ୍କ ଭୂମିକାକୁ ଖୋଲାଖୋଲି ସ୍ବୀକାର କରିବା ଉଚିତ। ଦଳ ପାଇଁ ସେ ସବୁଠୁ ବଡ଼ ଭୋଟ ଯୋଗାଡ଼କାରୀ। ସେ ପ୍ରଚାର ଅଭିଯାନର ନେତୃତ୍ବ ନେବାରୁ ଦଳ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ପ୍ରାୟ ୧୧ କୋଟି ଭୋଟ ପାଇଥିଲା।
ବଂଶବାଦ ସେତେ ଗୁରୁତ୍ବପୂର୍ଣ୍ଣ ନୁହେଁ। ଭାରତରେ ଉତ୍ତରାଧିକାରର ଏକ ସାମାଜିକ ବୈଧତା ରହିଛି। ଆମର ପାରମ୍ପରିକ ମୂଲ୍ୟବୋଧ ବ୍ୟବସ୍ଥାରେ ଜ୍ଞାନ ଓ ଯୋଗ୍ୟତା ପିଢ଼ି ପରେ ପିଢ଼ି ହସ୍ତାନ୍ତର ହୋଇ ଆସିଛି। କୃଷକଙ୍କ ପୁଅମାନେ ସେମାନଙ୍କ କୃଷିକ୍ଷେତ୍ର ଓ ବ୍ୟବସାୟୀଙ୍କ ପୁଅମାନେ ସେମାନଙ୍କ ବେପାରର ଉତ୍ତରାଧିକାରୀ ହୁଅନ୍ତି। ପେସାଧାରୀମାନେ ପେସାଧାରୀଙ୍କୁ ଜନ୍ମ ଦିଅନ୍ତି। କପୂର ବଂଶର ପଞ୍ଚମ ପିଢ଼ିର ବଂଶଜ ରଣବୀର କପୂରଙ୍କୁ ଲୋକେ ତାରକା ବନାଇଛନ୍ତି। ଲୋକମାନେ କିପରି ରାଜନୀତିକ ପରିବାରରେ ଉତ୍ତରାଧିକାରକୁ ଅନୈତିକ ଭାବେ ଦେଖିପାରିବେ ଯେତେବେଳେ କି ସେମାନେ ଅନ୍ୟ ଧନ୍ଦାମୂଳକ ପରିବାରରେ ଉତ୍ତରାଧିକାରକୁ ନୈତିକ ଭାବେ ବିଚାରିଥା’ନ୍ତି?
ଗୋଟିଏ ପରେ ଆଉ ଗୋଟିଏ ନିର୍ବାଚନରେ ଲୋକମାନେ ଦେଖାଇ ଦେଇଛନ୍ତି ଯେ ପ୍ରାଥମିକ ବିଶ୍ଳେଷଣରେ ପିତୃତ୍ବର ଗୁରୁତ୍ବ ରହିପାରେ, କିନ୍ତୁ ଚୂଡ଼ାନ୍ତରେ ନୁହେଁ। ଲୋକେ ହୁଏତ ପ୍ରାଥମିକ ଭାବେ ଇନ୍ଦିରା ଗାନ୍ଧୀଙ୍କୁ ଏଥିପାଇଁ ଗ୍ରହଣ କରିପାରିଥା’ନ୍ତି ଯେ ସେ ନେହରୁଙ୍କ କନ୍ୟା ଥିଲେ। ହେଲେ ମତଦାତାମାନେ ଇନ୍ଦିରାଙ୍କୁ ସେତେବେଳେ ଯାଇ ଭୋଟ ଦେଇଥିଲେ ଯେତେବେଳେ ସେମାନେ ଅନୁଭବ କଲେ କି ସେ ଠିକ୍ ବାଟରେ ଯାଉଛନ୍ତି ଏବଂ ସେମାନେ ଯେବେ ତାଙ୍କୁ ଭୁଲ୍ ବାଟରେ ଯାଉଥିବା ଦେଖିଲେ ସେତେବେଳେ ତାଙ୍କୁ ବିଦା କରିଦେଲେ। ଜଣକର ଚରିତ୍ର ଓ ଦୃଷ୍ଟିକୋଣ, ନୀତି ଓ ପ୍ରଦର୍ଶନ ବଂଶ ଠାରୁ ଅଧିକ ନିର୍ଣ୍ଣାୟକ ହୋଇଥାଏ।
ତେଣୁ ମୋଟାମୋଟି ଭାବେ ରାହୁଳ ଗାନ୍ଧୀଙ୍କୁ ପ୍ରକାଶ୍ୟରେ ହିଁ ସମ୍ମୁଖରୁ କଂଗ୍ରେସର ନେତୃତ୍ବ ନେବାକୁ ପଡ଼ିବ। ସାମ୍ପ୍ରତିକ ପରିସ୍ଥିତିରେ କଂଗ୍ରେସ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ। ହୁଏତ ଭବିଷ୍ୟତରେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ଜଣେ ଅଧିକ ଯୋଗ୍ୟ ଏବଂ ଲୋକପ୍ରିୟ ନେତା ଗଢ଼ାଯାଇପାରିବେ, କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ଏଥି ପାଇଁ ରାହୁଳଙ୍କ ବ୍ୟତୀତ ଆଉ କେହି ନାହାନ୍ତି।
ତେବେ ରାହୁଳ ଏକାକୀ ତାହା କରିପାରିବେ ନାହିଁ। ମୋଦୀଙ୍କ ତୁଳନାରେ କଂଗ୍ରେସକୁ ଅଧିକ ଆକର୍ଷଣୀୟ ଦୃଷ୍ଟିଭଙ୍ଗୀ ସହ ଲୋକଙ୍କ ପାଖକୁ ଯିବାକୁ ପଡ଼ିବ। ସମ୍ପ୍ରତି ମୋଦୀଙ୍କୁ ପରାଜିତ କରିବା ଏକ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ କାର୍ଯ୍ୟ ଭାବେ ଉଭା ହୋଇଛି, କାରଣ ମୁଖ୍ୟତଃ ସେ କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳମାନଙ୍କ ଠାରୁ ଦୂରରେ ଥିବା ଗରିବଙ୍କ ନିର୍ବାଚନମଣ୍ଡଳୀର ଏକ ସିଂହଭାଗକୁ ଆକର୍ଷିତ କରିଛନ୍ତି। ଏପରିକି ସେ ଏବେ ମୁସଲମାନଙ୍କ ଭିତରେ ଥିବା ଗରିବମାନଙ୍କୁ ଆକର୍ଷିତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି- ବୋଧହୁଏ ତାହା ଅନ୍ୟମାନଙ୍କ ଠାରୁ ଦୂରରେ ଥିବା ସେମାନଙ୍କ ସମର୍ଥନର ମୂଳଦୁଆ। ଏ ପରିପ୍ରେକ୍ଷୀରେ ରାହୁଳ କେବଳ ମୋଦୀଙ୍କ ବିରୋଧରେ ବିରୋଧୀ ଦଳର ନେତୃତ୍ବ ନେବା ପାଇଁ ନୁହେଁ, ବରଂ ଗରିବମାନଙ୍କୁ ମୋଦୀ ଦେଇଥିବା ଅବା ଦେଇଛନ୍ତି ବୋଲି ଦାବି କରୁଥିବା ଜୀବନଠାରୁ ଅଧିକ ଉନ୍ନତ ଜୀବନ ପ୍ରଦାନ ପାଇଁ ଏକ ଦୃଢ଼ ପ୍ରତିଶ୍ରୁତି ଦେବା ମଧ୍ୟ ଆବଶ୍ୟକ।
[email protected]