ଈଶ୍ବର ଅଛନ୍ତି ବୋଲି ପ୍ରମାଣ କରିବାକୁ ଯାଇ ଆସ୍ତିକମାନେ ଯେତେବେଳେ ତର୍କ ତିଆରି କରିବା ଆରମ୍ଭ କରିଦେଲେ, ସେତେବେଳେ ସେମାନେ ନାସ୍ତିକ ସୃଷ୍ଟି ହେବା ଲାଗି ବାଟ ତିଆରି କରିନେଲେ। କାରଣ ପ୍ରତି ତର୍କକୁ ଆଉ ଏକ ତର୍କ ଦ୍ବାରା ଖଣ୍ତନ କରିହେବ। ତେଣୁ ଆସ୍ତିକଙ୍କ ସବୁ ଯୁକ୍ତି ଖଣ୍ତିତ ହୋଇପାରିଲା। ସୁତରା˚, ଈଶ୍ବରଙ୍କ ଅସ୍ତିତ୍ବ ନେଇ ଆସ୍ତିକ ଓ ନାସ୍ତିକଙ୍କ ଭିତରେ ହେଉଥିବା ତର୍କରେ ଆସ୍ତିକମାନେ କେବେ ହେଲେ ଜିତି ପାରିଲେ ନାହିଁ। ତେଣୁ ପ୍ରଶ୍ନ ଉଠିଲା ଯେ ପରମେଶ୍ବର ଅଛନ୍ତି ବୋଲି କେମିତି ପ୍ରମାଣ କରିହେବ?
ରାମକୃଷ୍ଣ ପରମହ˚ସଙ୍କ ପାଖରେ ପହଞ୍ଚି ବିବେକାନନ୍ଦ ପଚାରିଲେ- ଈଶ୍ବର ଅଛନ୍ତି ବୋଲି କି ତର୍କ ଅଛି?
ସେ ଏହି ପ୍ରଶ୍ନ ସବୁ ଆସ୍ତିକଙ୍କୁ ପଚାରୁଥିଲେ ଓ ତର୍କରେ ସେମାନଙ୍କୁ ପରାସ୍ତ କରୁଥିଲେ।
ବିବେକାନନ୍ଦଙ୍କ ପ୍ରଶ୍ନ ଶୁଣି ରାମକୃଷ୍ଣ ପାଲଟା ପ୍ରଶ୍ନ କଲେ- ତୁ ଈଶ୍ବରଙ୍କୁ ଦେଖିବୁ? ଚିନ୍ତା କରି କହ ହଁ କି ନା।
ବିବେକାନନ୍ଦଙ୍କୁ କେହି ଏଭଳି କହି ନ ଥିଲେ। ଚିନ୍ତା କରିବା ଲାଗି ସେ ଗୋଟିଏ ଦିନ ନେଲେ। ପର ଦିନ ସେ କହିଲେ- ମୁଁ ପରମେଶ୍ବରଙ୍କୁ ଦେଖିବାକୁ ଚାହେଁ।
ରାମକୃଷ୍ଣ କହିଲେ- ବେଶ୍। ଯାତ୍ରା ଲାଗି ପ୍ରସ୍ତୁତ ହୁଅ। ଏ ବଡ଼ କଠିନ ଯାତ୍ରା। ତୁ ତର୍କପ୍ରିୟ। ତେଣୁ ତୋ ଲାଗି ଏ ଭାରି କଷ୍ଟକର। କାରଣ ପରମେଶ୍ବରଙ୍କୁ ଦେଖିବାକୁ ହେଲେ ତୋତେ ପ୍ରଥମେ ନିଜକୁ ଶୂନ୍ୟ କରିବାକୁ ହେବ, ନିଜକୁ ମିଳାଇ ଦେବାକୁ ହେବ, ତୋର ଅହ˚କାରକୁ ସ˚ପୂର୍ଣ୍ଣ ନିଃଶେଷ କରିବାକୁ ହେବ। ୟେ ଗୋଟିଏ ସାଧନା। ମୁଁ ଯାହା ଯାହା କହିଲି ସେ ସବୁ ହେଉଛି ପରମେଶ୍ବରଙ୍କୁ ଦେଖିବା ବା ଅନୁଭବ କରିବା ପଥରେ ବାଧକ।
ବିବେକାନନ୍ଦ ଚାଲିଗଲେ। ତା’ ପରେ ଯାହା ହେଲା ତାହା ଅବର୍ଣ୍ଣନୀୟ। ସେ ସାଧନା କରି ପରମେଶ୍ବରଙ୍କ ସତ୍ତା ଅନୁଭବ କଲେ ଓ ଆଉ କେବେ ଏ ନେଇ ପ୍ରମାଣ ଚାହିଁଲେ ନାହିଁ। ରାମକୃଷ୍ଣ ସର୍ବଦା କହୁଥିଲେ ଯେ ପରମେଶ୍ବର ଅଛନ୍ତି ବୋଲି ତୁମେ କେବଳ ଅନୁଭବ ଦ୍ବାରା ଜାଣିପାରିବ, ତର୍କ ଓ ପ୍ରମାଣ ଦ୍ବାରା ନୁହେଁ।