ରାଷ୍ଟ୍ରପତି କିଭଳି ହେବା ଲୋଡ଼ା

କୁମାର ପ୍ରଶାନ୍ତ

ତେବେ ସବୁ ପୃଷ୍ଠା ଏବେ ଖୋଲିଗଲା ଏବଂ ଏଥି ସହିତ ଗୋପନ ରହସ୍ୟ ବି ଆହୁରି ଫିଟିଗଲା କି ବିରୋଧୀ ଦଳଙ୍କ ପାଖରେ କୌଣସି ପକ୍ଷ ହିଁ ନାହିଁ। ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ ଦିଲ୍ଲୀ ଆସି ରାଷ୍ଟ୍ରୀୟ ରାଜନୀତିର ସମସ୍ତ ଆୟୋଜନକୁ ନିଜ ହାତରେ ସାଉଁଟିବାର ଯେଉଁ ଚତୁରତା ଦେଖାଇଥିଲେ, ତାହା କୌଣସି ରଙ୍ଗ ଧାରଣ କରିବା ପୂର୍ବରୁ ବିବର୍ଣ୍ଣ ହୋଇଗଲା। ତାଙ୍କର ତିନିଟି ଯାକ ଵିକେଟ୍‌ ଧଡ଼ାଧଡ଼ ଗଳିପଡ଼ିଲା। ସର୍ବପ୍ରଥମେ ଶରଦ ପଵାର, ତା’ପରେ ଫାରୁକ ଅବଦୁଲ୍ଲା ଓ ଶେଷରେ ଗୋପାଳକୃଷ୍ଣ ଗାନ୍ଧୀ। ଅବଶ୍ୟ ସାମନାରେ କୌଣସି ସଚ୍ଚା ବୋଲରଙ୍କ ବଲ୍‌ଫିଙ୍ଗାରେ ଏହି ତିନି ଵିକେଟ୍‌ ପଡ଼ିନାହିଁ। ଯଦି ସେମାନଙ୍କର ଜିତିବାର ସୁନିଶ୍ଚିତତା ଥାଆନ୍ତା, ତେବେ ତିନି ଜଣ ଯାକ ରାଷ୍ଟ୍ରପତି ହେବାକୁ ପ୍ରସ୍ତୁତ ଥିଲେ।

ଶରଦ ପଵାର ଓ ଫାରୁକ ଅବଦୁଲ୍ଲା କ୍ଷମତା ରାଜନୀତିର ପୋଖତ ଖେଳାଳି। ସେମାନଙ୍କର ସମସ୍ତ ସମ୍ଭାବନାର ଅନ୍ତ ହୋଇ ସାରିଥିଲେ ହେଁ ସେମାନଙ୍କ ମହତ୍ତ୍ବାକାଂକ୍ଷା ତଥାପି ମରିନାହିଁ। ସେଥିପାଇଁ ଯେଉଁ ଖେଳରେ ଯଶ ନାହିଁ କି ବିଜୟ ବି ନାହିଁ, ସେଭଳି ଖେଳକୁ ତ ସେମାନେ ମନା କରିଦେବାଟା ସ୍ବାଭାବିକ ଥିଲା। ଗୋପାଳକୃଷ୍ଣ ଗାନ୍ଧୀ ଭିନ୍ନ ଧାରାର ମଣିଷ। ସେ ସ୍ବୟଂ କହିଥିଲେ କି, ତାଙ୍କ ପ୍ରାର୍ଥିତ୍ବ ପାଇଁ ଯଦି ସମସ୍ତ ବିରୋଧୀ ଦଳ ଏକମତ ହେବେ, ତେବେ ପରାଜୟକୁ ଭ୍ରୂକ୍ଷେପ ନ କରି ସେ ଏହି ଖେଳ ଖେଳି ପାରିଥା’ନ୍ତେ। ଗୋପାଳ ଗାନ୍ଧୀଙ୍କ ପରି ବ୍ୟକ୍ତି ଯାହା ଚାହୁଥିଲେ, ଏଭଳି ସ୍ଥିତିରେ ଅନ୍ତତଃ ସେତିକି କରାଯିବା କଥା। ଆପଣ ତାଙ୍କ ଆବଶ୍ୟକତା ତ ପୂରଣ କଲେନି, ପୁଣି ଇଚ୍ଛା କଲେ କି ସେ ଆପଣଙ୍କର ଆବଶ୍ୟକତା ପୂରଣ କରନ୍ତୁ!

ଏହା ତ ଶୀଳତା ବର୍ଜିତ। ଗୋପାଳ ଗାନ୍ଧୀ କେବଳ ଜଣେ ପ୍ରଶାସକ ନୁହନ୍ତି, ଭାରତୀୟ ଚିନ୍ତନ ଓ ସଂସ୍କୃତି ସମ୍ପର୍କରେ ତାଙ୍କର ଗଭୀର ଅଧ୍ୟୟନ ମଧ୍ୟ ରହିଛି। ଦେଶର ସାର୍ବଜନୀନ ଜୀବନର ମୂଲ୍ୟାଧାରିତ ଚିନ୍ତନ ଓ କର୍ମର ସେ ହେଉଛନ୍ତି ପ୍ରତୀକ। ସେଥିପାଇଁ ବିରୋଧୀ ଦଳମାନେ ଏକମତ ହୋଇ ତାଙ୍କ ପ୍ରାର୍ଥିତ୍ବକୁ ଲୋଡ଼ନ୍ତୁ ବୋଲି ସେ ଚାହୁଥିଲେ। ତାଙ୍କର ଏଇ ସାମାନ୍ୟ ଇଚ୍ଛା ଯିଏ ପୂରଣ କରିପାରୁନି, ସେଭଳି ବିରୋଧୀମାନଙ୍କର ଆଦୌ ମଜଭୁତ ପକ୍ଷ ନାହିଁ। ଏଭଳି ସ୍ଥିତିରେ ଗୋପାଳ ଗାନ୍ଧୀଙ୍କୁ ଯାହା କରିବାର ଥିଲା, ସେ ତାହା କଲେ ଏବଂ ଅତି ଶାଳୀନତାର ସହ କଲେ।

ଏମିତି ଢୋଲ ପିଟିଲା ପରେ ବିରୋଧୀ ଦଳମାନେ ସର୍ବସମ୍ମତି କ୍ରମେ ଯଶବନ୍ତ ସିହ୍ନାଙ୍କ ନାମ ସାମନାକୁ ଆଣିଲେ। ଏ ନାମ ମଧ୍ୟ ତୃଣମୂଳ କଂଗ୍ରେସ ତରଫରୁ ଆସିଲା। ପୂର୍ବର ତିନି ତିନିଟା ନାଁ ବଦଳରେ ଏଇ ନାମଟି ପ୍ରଥମରୁ ଆସିଥିଲେ, ହୁଏତ ପ୍ରକ୍ରିୟାର ଶାଳୀନତା ଏବଂ ବିରୋଧୀ ଦଳର ସମ୍ମାନ ଉଭୟ ରହିପାରିଥା’ନ୍ତା। ମାତ୍ର ମୁଁ ପ୍ରଥମରୁ ଲେଖିଛି, ବିରୋଧୀମାନଙ୍କର ନିଜସ୍ବ କୌଣସି ପକ୍ଷ ହିଁ ନାହିଁ, ତେଣୁ ଶାଳୀନତା-ପ୍ରତିଷ୍ଠାର ଖାତିର କିଏ ବା କରୁଛି!
ଭାରତୀୟ ଜନତା ପାର୍ଟି ନିଜ ଦଳର ସମର୍ପିତ କାର୍ଯ୍ୟକର୍ତ୍ତା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା ପାଇଁ ନିଷ୍ପତ୍ତି ନେଇଛି। ମୁର୍ମୁଙ୍କ ଚୟନ ଶାଳୀନତା ଓ ସଂଯମର ସହ କରାଗଲା ତଥା ତାଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀ ଯାହା କିଛି କହିଲେ, ତାହା ମଧ୍ୟ ସୂଚାଇ ଦେଉଛି କି, ଏଭଳି ନିଷ୍ପତ୍ତି କେତେ ଯୋଜନାବଦ୍ଧ ଭାବରେ କରାଯାଇଛି। ଓଡ଼ିଶାରେ ବିଜୁ ଜନତା ଦଳ ସହିତ ମିଶି ବିଜେପି ଯେତେବେଳେ ସରକାର ଚଳାଉଥିଲା, ସେତେବେଳେ ମୁର୍ମୁ ମନ୍ତ୍ରୀ ହୋଇଥିଲେ। ପୁଣି ସେ ଝାଡ଼ଖଣ୍ଡର ରାଜ୍ୟପାଳ ବି ହୋଇଛନ୍ତି। ଦୁଇଟି ଯାକ ଭୂମିକାରେ ସେ ହିନ୍ଦୁତ୍ବର ଦର୍ଶନକୁ ମାନୁଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସମର୍ପିତ କାର୍ଯ୍ୟକର୍ତ୍ତାର ନିଜସ୍ବ ଛବିକୁ ମଜଭୁତ କରିଛନ୍ତି। ନିଜର ଜନ୍ମଗତ ସରଳତା, କର୍ମଠତା ଓ ଲୋକସମ୍ପର୍କର ମହତ୍ତ୍ବ ବୁଝିପାରୁଥିବା ମୁର୍ମୁ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନିଶ୍ଚିତ। ଯେତେବେଳେ ରାଷ୍ଟ୍ରୀୟ ରାଜନୀତିରେ ନିପୁଣ ଥିବା ବ୍ୟକ୍ତିମାନେ କିଏ ନିଜ ରାଜ୍ୟର, ନିଜ ଜାତିର, ନିଜ ଭାଷାର ଏବଂ କିଏ ନିଜର ତାତ୍କାଳିକ ରାଜନୀତି ଲାଗି ପ୍ରଯୁଜ୍ୟ ଭଳି ଚିନ୍ତାଧାରା ଭିତ୍ତିରେ ନିଜର ଫଇସଲା କରନ୍ତି, ସେତେବେଳେ ମୁର୍ମୁଙ୍କ ଭଳି ନେତାଙ୍କ ବିଜୟ ସୁନିଶ୍ଚିତ ହୋଇଥାଏ।

କହିବା ଲୋକ ତ କହିବେ କି, ମୁର୍ମୁଙ୍କ ବିଜୟ ଦେଶର ଆଦିବାସୀ, ଜନଜାତିକୁ ସଶକ୍ତ କରିବ, ମହିଳାଙ୍କ ମାନମର୍ଯ୍ୟାଦାକୁ ମଜଭୁତ କରିବ। ସତରେ କ’ଣ ଏମିତି ହୋଇଥାଏ? ବର୍ତ୍ତମାନ ସୁଦ୍ଧା ଆମେ ମଣିଷମାନଙ୍କୁ ହିଁ ରାଷ୍ଟ୍ରପତି କରି ଆସିଛେ। ତେବେ କ’ଣ ଆମ ଦେଶରେ ମଣିଷର ମାନମର୍ଯ୍ୟାଦା ମଜଭୁତ ହୋଇଛି? ଆମେ ମୁସଲମାନଙ୍କୁ, ଦଳିତଙ୍କୁ ଓ ମହିଳାଙ୍କୁ ମଧ୍ୟ ରାଷ୍ଟ୍ରପତି କରିଛେ, ତେବେ କ’ଣ ସମସ୍ତଙ୍କର ମାନ ସୁଦୃଢ଼ ହୋଇଛି?
ମୋର ଏଇଠି ପ୍ରଶ୍ନ ହେଉଛି, ମୁର୍ମୁ ଜିତିଗଲେ କ’ଣ ଜିତିବ, ଆଉ ଯଶବନ୍ତ ଜିତିଗଲେ କ’ଣ ଜିତିବ? ଏହି ଦୁହିଁଙ୍କ ଭିତରୁ ଯିଏ ବି ଜିତିଲେ ନା ସମ୍ବିଧାନ ଜିତିବ, ନା ଦେଶକୁ କୌଣସି ରାଷ୍ଟ୍ରପତି ମିଳିବେ! ବୟସର ଅଷ୍ଟମ ଦଶକ ଡେଇଁଥିବା ଯଶବନ୍ତ ସିହ୍ନା ଏବଂ ଷଷ୍ଠ ଦଶକ ପାରି ହୋଇଥିବା ମୁର୍ମୁ ସେହି ଧାରାର ପ୍ରତିନିଧି ଯେଉଁମାନଙ୍କ ପାଇଁ ଦଳୀୟ ରାଜନୀତି ଓ ଶାସନର ଶକ୍ତି ହିଁ ସର୍ବସ୍ବ। ଯଶବନ୍ତ ସିହ୍ନା ନିଜ ପ୍ରାର୍ଥିତ୍ବ ଦାଖଲ ପୂର୍ବରୁ ନିଜ ଦଳ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଯଦ୍ଦ୍ବାରା ସମ୍ବିଧାନର ଅଭିପ୍ରାୟର କିଛି ପ୍ରତିଷ୍ଠା ତ ରହିଯାଇ ପାରିବ, ମାତ୍ର ଭାରତୀୟ ଜନତା ପାର୍ଟି କି ମୁର୍ମୁ ଆଜି ଯାଏ ତାହାର ଆବଶ୍ୟକତା ଅନୁଭବ କରିନାହାନ୍ତି।

ସମ୍ବିଧାନର କଳ୍ପନା ଏଇଆ ଯେ ସଂସଦୀୟ ରାଜନୀତିକ ବ୍ୟବସ୍ଥାର ମୁଖିଆ ଏମିତି ଜଣେ ବ୍ୟକ୍ତି ଯିଏ ସଂସଦଠାରୁ ମୁକ୍ତ ଥିବେ, ଶାସନ ଖେଳର ଖେଳନା ହୋଇନଥିବେ। ପ୍ରଧାନମନ୍ତ୍ରୀ ଏପରି ବ୍ୟକ୍ତି ହୋଇପାରିବେନି, କାରଣ ତାଙ୍କୁ ତ ଦଳ ଆଉ କ୍ଷମତା ପାଇଁ ସବୁ ପ୍ରକାର ଗର୍ହିତ ଖେଳ ଖେଳିବାକୁ ପଡ଼ିଥାଏ ଏବଂ ସେହି ସାମର୍ଥ୍ୟରେ ସେ ଶାସନ ଗାଦିରେ ବସି ରହିଥା’ନ୍ତି। ମହାତ୍ମା ଗାନ୍ଧୀ ତ ସେଥିପାଇଁ ‘ହିନ୍ଦ-ସ୍ବରାଜ୍ୟ’ରେ ଲେଖିଛନ୍ତି କି ସେ ପ୍ରଧାନମନ୍ତ୍ରୀଙ୍କୁ ଦେଶଭକ୍ତ ଭାବେ ବିଚାରିବାକୁ ପ୍ରସ୍ତୁତ ନୁହଁନ୍ତି। କାରଣ ତାଙ୍କର କୌଣସି ବି ନିଷ୍ପତ୍ତିର ଆଧାର ଦେଶର ହିତ ପାଇଁ ନୁହେଁ। ସେ ତ ନିଜର ଶାସନ କ୍ଷମତାକୁ ଦେଶ ହିତ ବୋଲି କହି ସମସ୍ତ ପ୍ରକାର ଅପକର୍ମ କରିଥା’ନ୍ତି।
ଆଉ ରହିଲେ ରାଷ୍ଟ୍ରପତି। ଆମ ସମ୍ବିଧାନରେ ସରଳ ଭାଷାରେ କୁହାଯାଇଛି କି ସଂସଦୀୟ ରାଜନୀତିରେ ଅମ୍ପାୟାର ସେଭଳି ଜଣେ ହେବା ଦରକାର ଯିଏ କୌଣସି ଦଳ ପାଇଁ ଖେଳୁଥିବା ପରି ଜଣା ନ ପଡ଼ିବ। ଅମ୍ପାୟାର ନିଜେ ଯେବେ ଖେଳିବା ଆରମ୍ଭ କରିବ, ତେବେ ତ ଖେଳ ଶେଷ। ସମ୍ବିଧାନରେ ଉଲ୍ଲେଖ ଅଛି କି ଅମ୍ପାୟାରର କାମ ହେଉଛି ସେ ଖେଳାଳିମାନଙ୍କୁ ଖେଳିବାକୁ ଦେବେ ଏବଂ ସେମାନେ ଯେପରି ନିୟମ କାନୁନ ମାନି ଖେଳିବେ, ସେଥିପ୍ରତି କଡ଼ା ନଜର ରଖିବେ। କେହି ନିୟମ ବାହାରକୁ ଯିବାକୁ ଉଦ୍ୟତ ହେବା ଆଗରୁ ଅମ୍ପାୟାର ହୁଇସିଲ ବଜାଇବେ। ସେଭଳି ତଟସ୍ଥ ବ୍ୟକ୍ତିଙ୍କୁ ଖୋଜି ପାଇବା କ’ଣ ସମ୍ଭବ? ତାହା ଏକଦମ୍‌ ସମ୍ଭବ ହୋଇପାରିବ ଯଦି ନିଜ ଦଳୀୟ ତଥା କ୍ଷମତାଗତ ସ୍ବାର୍ଥକୁ ଭୁଲି ରାଷ୍ଟ୍ରପତି ପ୍ରାର୍ଥୀ ଖୋଜାଯିବ ଏବଂ ସମ୍ବିଧାନକୁ ନିଜର ମାର୍ଗଦର୍ଶକ ଭାବେ ଗ୍ରହଣ କରାଯିବ। ସମ୍ବିଧାନ ଆଢୁଆଳରେ ମନମୁଖୀ ଖେଳ ଖେଳୁଥିବା ବ୍ୟକ୍ତିଙ୍କୁ ସମ୍ବିଧାନ ଆଗରେ ମୁଣ୍ଡ ନୁଆଁଇବା ଏକ ଅର୍ଥହୀନ କସରତ ବୋଲି ବୁଝାଇବା କଷ୍ଟକର। ଅସଲ କଥା ତ ସମ୍ବିଧାନକୁ ମୁଣ୍ଡରେ ବସାଇବା।

ଆମର ସମ୍ପ୍ରତି ସେଭଳି ଜଣେ ରାଷ୍ଟ୍ରପତି ଲୋଡ଼ା। ସ୍ବାଧୀନତା ପରେ ଆମେ ଯେଉଁ ୧୪ ଜଣ ରାଷ୍ଟ୍ରପତିଙ୍କୁ ଚୟନ କରିଛେ, ସେମାନଙ୍କ ମଧ୍ୟରୁ ପ୍ରଥମ, ଦ୍ବିତୀୟ, ଦଶମ ଏବଂ ଏକାଦଶ ରାଷ୍ଟ୍ରପତି ଯଥା ସର୍ବଶ୍ରୀ ରାଜେନ୍ଦ୍ର ପ୍ରସାଦ, ସର୍ବପଲ୍ଲୀ ରାଧାକୃଷ୍ଣନ୍‌, କେ. ଆର୍‌. ନାରାୟଣନ୍‌ ଏବଂ ଏ.ପି.ଜେ. ଅବଦୁଲ କଲାମ୍‌ ହିଁ ମୋ’ ଦୃଷ୍ଟିରେ ଏହି ପଦ ପାଇଁ ଯଥାର୍ଥ ଥିଲେ। ବର୍ତ୍ତମାନ ଆମର ସେଭଳି ଜଣେ ରାଷ୍ଟ୍ରପତି ଦରକାର ଯାହାଙ୍କ ଠାରେ ଏହି ଚାରି ଜଣଙ୍କର ସମନ୍ବୟ ରହିଥିବ। ଲକ୍ଷ୍ୟ କରିବାର କଥା, ଏହି ଚାରି ଜଣ ଯାକ ଦଳୀୟ ରାଜନୀତି ଠାରୁ ଊର୍ଦ୍ଧ୍ବରେ ଥିଲେ ଏବଂ ବିଶିଷ୍ଟ ସାମାଜିକ ପ୍ରତିଷ୍ଠା ବଜାୟ ରଖିଥିଲେ।

ସ୍ବାଧୀନତା ସଂଗ୍ରାମ ଚଳାଇଥିବା କଂଗ୍ରେସର ନେତୃତ୍ବ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରାଜେନ୍ଦ୍ର ପ୍ରସାଦ ଜଣେ ଥିଲେ। ସେହି ସମୟରେ ଏପରି କୌଣସି ବିଶିଷ୍ଟ ବ୍ୟକ୍ତି ଖୋଜି ପାଇବା ସମ୍ଭବ ନଥିଲା ଯିଏ ସ୍ବାଧୀନତା ସଂଗ୍ରାମର ଜଣେ ସିପାହି ହୋଇଥିବ, ଅଥଚ କଂଗ୍ରେସ ସହ ଜଡ଼ିତ ନଥିବ। ରାଜେନ୍ଦ୍ର ପ୍ରସାଦ ସେହିପରି ଜଣେ ଥିଲେ। ଭାରତୀୟ ଗଣରାଜ୍ୟର ପ୍ରଥମ ଅଭିଭାବକର ଭୂମିକାରେ ରାଜେନ୍ଦ୍ର ପ୍ରସାଦ ସେଥିପାଇଁ ଅନନ୍ୟ ଥିଲେ କି ରାଷ୍ଟ୍ରପତି କେମିତି ହେବା ଦରକାର, ସେ କ’ଣ କରିବେ-ନକରିବେ, କ’ଣ କହିବେ-ନକହିବେ, ସବୁର ନିର୍ଦ୍ଧାରଣ ସେ ହିଁ କରିଥିଲେ। ତତ୍କାଳୀନ ଜବାହରଲାଲ ସରକାରଙ୍କ କିଛି ପ୍ରସଙ୍ଗରେ ସେ ଅସହମତ ଥିଲେ। ସେଭଳି ଅସହମତିକୁ ମଧ୍ୟ ସେ କେବେ ଲୁଚାଇ ନ ଥିଲେ କି ଚାପି ନ ଥିଲେ। ଭାରତୀୟ ରାଷ୍ଟ୍ରପତିଙ୍କ ସମ୍ବିଧାନସମ୍ମତ ଭୂମିକାର ପ୍ରଥମ ଗମ୍ଭୀର ବିତର୍କ ସେ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ହିଁ ଛିଡ଼ା କରାଇଥିଲେ ଏବଂ ତାହା ଦ୍ବାରା ଯଥେଷ୍ଟ ଉତ୍ତେଜନା ବି ସୃଷ୍ଟି ହୋଇଥିଲା। ସେ ସର୍ବଦା ସଜାଗ ଥିଲେ ଯେ ଭାରତର ରାଷ୍ଟ୍ରପତିଙ୍କ ସାମ୍ବିଧାନିକ ଭୂମିକାର କଙ୍କାଳ ତାଙ୍କ ଦ୍ବାରା ଗଢ଼ାଯାଇଛି, ଯେଉଁଥିରେ ସେହି ନବଜାତ ଗଣତନ୍ତ୍ରର ନିଜସ୍ବ ଢାଞ୍ଚା ଛିଡ଼ା କରିବାକୁ ହେବ। ଭାରତର ପ୍ରତ୍ୟେକ ରାଷ୍ଟ୍ରପତିଙ୍କୁ ଏହି ଉତ୍ତରଦାୟିତ୍ବ ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ହିଁ ମିଳିଛି।

ସର୍ବପଲ୍ଲୀ ରାଧାକୃଷ୍ଣନ୍‌ ସେଭଳି ଏକ ଦାର୍ଶନିକ ରାଷ୍ଟ୍ରପତି ବର୍ଗରେ ଆସନ୍ତି ଯାହାଙ୍କ କଳ୍ପନା ଦାର୍ଶନିକ ଆରିଷ୍ଟଟଲ କରିଥିଲେ। ବିଦ୍‌ବତ୍ତାରେ ନିଜେ ନିଜର ଉଦାହରଣ ଥିବା ରାଧାକୃଷ୍ଣନ୍‌ କେବେ ମୂକ କି ରବରଷ୍ଟାମ୍ପ ରାଷ୍ଟ୍ରପତି ନଥିଲେ। ସେ ରାଷ୍ଟ୍ରପତିଙ୍କ ସାମ୍ବିଧାନିକ ଚାପକୁ ଜବାହରଲାଲଙ୍କ ଉପରେ ଏବଂ ତାଙ୍କ ଅନ୍ତେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ମଧ୍ୟ ଜାହିର କରିଥିଲେ। ୧୯୬୨ରେ ଚୀନ୍‌ ଆକ୍ରମଣ ପରେ ଜବାହରଲାଲଙ୍କ ପ୍ରଧାନମନ୍ତ୍ରୀ ପାଳି ପୂରା ହେଲା ବୋଲି ମାନିଥିବା ବ୍ୟକ୍ତିଙ୍କ ଭିତରେ ରାଧାକୃଷ୍ଣନ୍‌ ରହିଥିଲେ। ସେ ହିଁ ରାଷ୍ଟ୍ରପତିଙ୍କ ବିଶେଷ ରେଳଗାଡ଼ିକୁ ପାଟନା ଜଙ୍କସନ୍‌ରେ ଅଟକାଇ ଜୟପ୍ରକାଶ ନାରାୟଣଙ୍କୁ ଡକାଇ ପଠେଇଥିଲେ ଏବଂ ତାଙ୍କୁ ସିଧାସଳଖ କହିଥିଲେ କି ଏବେ ଦେଶର ଶାସନ ସମ୍ଭାଳିବା ପାଇଁ ପଛଘୁଞ୍ଚା ଦେବାର ବେଳ ଆଉ ନାହିଁ।

କେ. ଆର୍‌. ନାରାୟଣନ୍‌ ଜଣେ ରାଜନେତା, ବିଦ୍ବାନ୍‌ ତଥା ଅର୍ଥଶାସ୍ତ୍ରୀ ଥିଲେ। ଏ କଥା ସତ ଯେ ସେ ଦେଶର ପ୍ରଥମ ଦଳିତ ରାଷ୍ଟ୍ରପତି ଥିଲେ, ମାତ୍ର ସେ ଅତ୍ୟନ୍ତ କୁଶଳ ତଥା ତୀକ୍ଷ୍‌ଣ ନଜର ରଖୁଥିବା ରାଷ୍ଟ୍ରପତି ଥିଲେ। ସେହିପରି କଲାମ ସାହେବ ଅଟଳ ବିହାରୀ ବାଜପେୟୀଙ୍କର ପସନ୍ଦ ଥିଲେ, ମାତ୍ର ସେ ଯଥାସମ୍ଭବ ଚେଷ୍ଟା କରି ଦଳର ପସନ୍ଦ ନ ହୋଇ ଦେଶର ପସନ୍ଦ ହୋଇଥିଲେ। ସେ ମଧ୍ୟ ରାଷ୍ଟ୍ରପତି ପଦ ଓ ତାହାର କାର୍ଯ୍ୟଶୈଳୀକୁ ଲୋକତାନ୍ତ୍ରିକ ପୋଷାକ ପିନ୍ଧାଇଥିଲେ। ତାଙ୍କୁ ଯେବେ ବିଜ୍ଞାନ ଦୁନିଆରୁ ରାଜନୀତି ଦୁନିଆକୁ ଅଣାଗଲା, ସେତେବେଳେ ରାଜନୀତିର ନିଜସ୍ବ ଗଣିତ ତ ରହିଥିଲା, ମାତ୍ର କଲାମ ସାହେବ କେବେ ସେମାନଙ୍କର କି ଏମାନଙ୍କର କାହା ଖେଳ ଖେଳିନଥିଲେ।

ଅଟଳ ବିହାରୀଙ୍କ ପରାଜୟ ପରେ ମନମୋହନ ସିଂହଙ୍କ ନେତୃତ୍ବରେ ଗଠିତ କଂଗ୍ରେସ ସରକାର ସହ ସେ ଏଭଳି ସମ୍ପର୍କ ରଖିଥିଲେ ଯେଉଁଥିରେ କୋମଳତା ରହିଥିଲା, ମାତ୍ର ସମର୍ପଣ ନଥିଲା।
ଆଜିର ରାଷ୍ଟ୍ରପତିଙ୍କ ଠାରେ ସେହି ଚାରି ଜଣଙ୍କ ଗୁଣର ସମନ୍ବୟ ଲୋଡ଼ାଯାଉଛି, ଏଥିପାଇଁ କି ସଂସଦୀୟ ଲୋକତନ୍ତ୍ର ଏବଂ ରାଷ୍ଟ୍ର ହିସାବରେ ଭାରତ ମଧ୍ୟ ଏକ ସଂକଟଜନକ କାଳ ବିତାଉଛି। ସେତେବେଳେ ସ୍ବାଧୀନତାର ଏକ ଅର୍ଥପୂର୍ଣ୍ଣ ସ୍ବରୂପ ଦେବାର ଆହ୍ବାନ ଥିଲା, ଆଜି ଆମ ପାଇଁ ୭୫ ବର୍ଷର ପୁରୁଣା ଲୋକତନ୍ତ୍ରକୁ ଗୁଳା ବା ଧାରଣାରେ ଧରି ରଖିବା ତଥା ତାହାର ବିକାଶର ସମ୍ଭାବନାଗୁଡ଼ିକୁ ସୁନିଶ୍ଚିତ କରିବାର ଆହ୍ବାନ ରହିଛି। ଏଠି ଧୈର୍ଯ୍ୟ, ଦକ୍ଷତା, ବିଦ୍‌ବତ୍ତା ଓ ସମ୍ବିଧାନର ଗଭୀର ଜ୍ଞାନ ତଥା ତାହା ପ୍ରତି ନିଷ୍ଠା ଲୋଡ଼ାଯାଉଛି। ସେଥିପାଇଁ ସମ୍ବିଧାନକୁ କେବଳ ପଢ଼ିଦେଲେ ଚଳିବନି, ତାହାକୁ ହଜମ କରିବାକୁ ହେବ। ତେଣୁ ଆଜି ରାଷ୍ଟ୍ର ପାଇଁ ସେଭଳି ଜଣେ ରାଷ୍ଟ୍ରପତିଙ୍କର ଆବଶ୍ୟକତା ରହିଛି ଯିଏ ରାଷ୍ଟ୍ର ଓ ସମ୍ବିଧାନର ଆଗକୁ ଦେଖିବେ ଏବଂ ପଛକୁ ଦେଖିବେନି କି କାହାକୁ ଦେଖିବାକୁ ଦେବେନି।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର