ସତ କହିଲେ, ପର୍ଯ୍ୟଟନ ଦୃଷ୍ଟିରୁ ଓଡ଼ିଶା ହେଉଛି ଏକ ସମ୍ପୂର୍ଣ୍ଣ ରାଜ୍ୟ। ଏଭଳି କହିବାର କାରଣ ହେଲା ଆମ ରାଜ୍ୟରେ ପ୍ରାୟ ସମସ୍ତ ପ୍ରକାର ପାରଂପରିକ ପର୍ଯ୍ୟଟନ ସଂପଦ ଭରପୂର ଥିବା ସହିତ ଭୂ-ଐତିହ୍ୟ ପର୍ଯ୍ୟଟନ ଲାଗି ମଧ୍ୟ ସୁଯୋଗ ରହିଛି। କିନ୍ତୁ ସଚେତନତା ଅଭାବରୁ ଭୂ-ଐତିହ୍ୟ ପର୍ଯ୍ୟଟନ ଦିଗରେ ଥିବା ଅପର୍ବ ସମ୍ଭାବନାର ଲାଭ ଉଠା ଯାଇପାରିନାହିଁ।
ତେବେ, ପ୍ରଥମେ ବୁଝିବା ଦରକାର ଯେ ଭୂ-ଐତିହ୍ୟ ପର୍ଯ୍ୟଟନ ବା ଇଂରେଜୀରେ ଜିଓ-ହେରିଟେଜ୍ ଟୁରିଜିମ୍ ଅର୍ଥ କ’ଣ? କଥା ହେଲା, ସୃଷ୍ଟି ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ ଏକ ଅତ୍ୟନ୍ତ ଦୀର୍ଘ ସମୟ ଖଣ୍ଡ ମଧ୍ୟରେ ପୃଥିବୀ ସଦା ବିବର୍ତ୍ତିତ ଏବଂ ପରିବର୍ତ୍ତିତ ହୋଇ ଚାଲିଛି। ଏହି ରୂପାନ୍ତରଣ ପ୍ରକ୍ରିୟା କିଭଳି ପ୍ରଭାବଶାଳୀ ତାହା ଏଥିରୁ ବୁଝି ହେବ ଯେ ଆଜିର ହିମାଳୟ ପର୍ବତମାଳା ସ୍ଥାନରେ ଏକଦା ଗଭୀର ସମୁଦ୍ର ଥିଲା। ତେବେ ଏଭଳି ରୂପାନ୍ତରଣକୁ ଜାଣିବା ସମ୍ଭବ ହେଉଥିବାର କାରଣ ହେଉଛି ଅତି ପ୍ରାଚୀନ କାଳରେ ଘଟିଥିବା ଘଟଣା ବା ବାସ କରୁଥିବା ଜୀବ ବା ବଢ଼ି ଥିବା ଉଦ୍ଭିଦ ସେମାନଙ୍କ ଚିହ୍ନ ମାନ ଛାଡ଼ି ଯାଇଥାଆନ୍ତି। ଏହି ଚିହ୍ନଗୁଡ଼କୁ ‘ଭୂ-ଐତିହ୍ୟ’ ଭାବେ ଅଭିହିତ କରାଯାଇଥାଏ।
ସୁଖର କଥା, ଆମ ରାଜ୍ୟରେ ଏଭଳି ଅନେକ ଭୂ-ଐତିହ୍ୟ ସଂପନ୍ନ ସ୍ଥାନମାନ ରହିଛି, ଯାହା ପର୍ଯ୍ୟଟନ ଯୋଗ୍ୟ ବୋଲି କୁହାଯାଇପାରେ। ଏହା ମଧ୍ୟରେ ବିଭିନ୍ନ ପ୍ରକାର ଶୈଳ-ରାଶି, ଖଣିଜ ପଦାର୍ଥ ଓ ଜୀବାଶ୍ମ ଏବଂ ଭୂମି ରୂପ ଇତ୍ୟାଦି ଅନ୍ତର୍ଭୁକ୍ତ।
କେନ୍ଦୁଝର ଜିଲ୍ଲାର ନମିରା ଠାରେ ଥିବା ପ୍ରାକ୍-କେମ୍ବ୍ରିୟ ବା ପ୍ରି-କେମ୍ବ୍ରିଆନ୍ ଯୁଗର ଲାଭା ଦେଖିବାକୁ ମିଳେ। ଏହା ଯୋଡ଼ା ସହରର ଦକ୍ଷିଣ ଦିଗରେ ପ୍ରାୟ ୧୮ କିଲୋମିଟର ଦୂରରେ ଅବସ୍ଥିତ। ଉଲ୍ଲେଖଯୋଗ୍ୟ ଯେ ଆଜି ଠାରୁ ୪.୬ ବିଲିଅନ୍ ବର୍ଷ ତଳେ ପ୍ରାକ୍-କେମ୍ବ୍ରିୟ ଯୁଗ ଥିଲା। ପ୍ରକାଶ ଥାଉ କି ଏହା ଜାତୀୟ ଭୂତାତ୍ତ୍ୱିକ ସ୍ମାରକୀ (ନେସ୍ନାଲ୍ ଜିଓଲୋଜିକାଲ୍ ମନ୍ୟୁମେଣ୍ଟ)ର ମାନ୍ୟତା ପାଇଛି। ସେହିପରି କେନ୍ଦୁଝର ଜିଲ୍ଲାର ଚମ୍ପୁଆରେ ପୃଥିବୀର ସର୍ବ ପୁରାତନ ଶୈଳ ରାଶିର ଅଂଶ ଦେଖିବାକୁ ମିଳେ। ସମଗ୍ର ବିଶ୍ୱରେ ଏ ପ୍ରକାର ଶିଳା ମାତ୍ର ୧୦,୦୦୦ ବର୍ଗ କିଳୋମିଟର କ୍ଷେତ୍ରଫଳ ବିଶିଷ୍ଟ ଅଞ୍ଚଳରେ ଦେଖିବାକୁ ମିଳିଥାଏ, ଯହିଁରୁ ଚମ୍ପୁଆରେ ରହିଛି ଅନ୍ୟୂନ ୨୦୦ ବର୍ଗ କିଲୋମିଟର ଅଞ୍ଚଳ। ସେମିତି ଅନୁଗୁଳ ସହର ଠାରୁ ପ୍ରାୟ ୬ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ନନ୍ଦିରା ଯୋର ଶଯ୍ୟାରେ ଏକାଧିକ ବାଲୁକା ଉଦ୍ଗିରଣ ବା ସ୍ୟାଣ୍ଡ୍ ଭୋଲ୍କେନୋ ଦେଖିବାକୁ ମିଳିଥାଏ। ଢେଙ୍କାନାଳ ଜିଲ୍ଲାର କୁଟୁରିଆ ଠାରେ ଏକ ହିମବାହୀ ଗୋଲାଶ୍ମ ଶଯ୍ୟା ବା ଗ୍ଲେସିଆଲ୍ ବଲ୍ଡର୍ ବେଡ୍ ରହିଛି।
ତାଳଚେର ଠାରୁ ପରଜଙ୍ଗ ଦେଇ ଡିହଦୋଳ-ଆମ୍ୱପଲାସ ବାଟରେ ଗଲେ ପରଜଙ୍ଗ ଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଅବସ୍ଥିତ ଏହି ଗୋଲାଶ୍ମ ଶଯ୍ୟାରୁ ଜଣାପଡ଼ିଥାଏ ଯେ ପ୍ରାୟ ୨୦୦ ନିୟୁତ ବର୍ଷ ତଳେ ସମଗ୍ର ଓଡ଼ିଶାରେ ଏକଦା ତୁଷାର ହିମ ଜଳବାୟୁ ଥିଲା। କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ଠାରେ ରହିଥିବା ନୀଳ-ଲୋହିତ ବର୍ଣ୍ଣର ଚୂନପଥର ଓ ଡୋଲୋମାଇଟ୍ ମଧ୍ୟରେ ଷ୍ଟ୍ରୋମାଟୋଲାଇଟ୍ ନାମକ ଏକ ପ୍ରକାର ଆଦିମ ସୂକ୍ଷ୍ମ ଜୀବର ଜୀବାଶ୍ମ ଅତି ଉତ୍ତମ ରୂପେ ସଂରକ୍ଷିତ ହୋଇ ରହିଛି। ଶିମିଳିପାଳ ପର୍ବତମାଳାର ଶିଖର ଦେଶରେ ରହିଥିବା ରୂପାନ୍ତରିତ କ୍ୱାର୍ଜାଇଟ୍ ଶିଳାରେ ସମୁଦ୍ର ଢେଉର ଛାପ ଦେଖିବାକୁ ମିଳେ। ଏହାର ଅର୍ଥ ସେଠାରେ ଏକଦା ସମୁଦ୍ର ଥିଲା। ସେମିତି ବାରିପଦା ସହର ଠାରୁ ମାତ୍ର ୩.୨ କିଲୋମିଟର ଦକ୍ଷିଣରେ ଅବସ୍ଥିତ ମୋଲିଆ ଠାରେ ବୁଢ଼ାବଳଙ୍ଗ ନଦୀ ଶଯ୍ୟାରେ ଗଭୀର ସାମୁଦ୍ରିକ ପରିବେଶରେ ଅବକ୍ଷିପ୍ତ ସାମୁଦ୍ରିକ ଜୀବାଶ୍ମ ସ୍ତର ରହିଛି। ସେମିତି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବଂଶଧାରା ନଦୀ ଉପତ୍ୟକାର ନଇରା ଗ୍ରାମ ନିକଟରେ ଥିବା ଭସ୍ମ ଶଯ୍ୟାର ସଂପର୍କ ୭୪,୦୦୦ ବର୍ଷ ପୂର୍ବେ ଇଣ୍ଡୋନେସିଆରେ ଘଟିଥିବା ଟୋବା ଆଗ୍ନେୟଗିରି ଉଦ୍ଗିରଣ ସହିତ ରହିଛି। କାରଣ ସେଥିରୁ ଉଡ଼ି ଆସିଥିବା ପାଉଁଶରୁ ଏହା ଗଠିତ ବୋଲି ଅନୁମାନ କରାଯାଏ। ସେମିତି କେନ୍ଦୁଝର ଗଡ଼ର ପଶ୍ଚିମରେ ଅବସ୍ଥିତ କାଞ୍ଜିପାଣି ଘାଟିରେ ଅତି ପୁରାତନ କୃଷ୍ଣ ବର୍ଣ୍ଣର ଲାଭାର ଅବେଶଷ ରହିଛି। ଏହିଭଳି ଆହୁରି ଅନେକ ସ୍ଥାନ ଆମ ରାଜ୍ୟରେ ରହିଛି, ଯାହା ଭୂ-ଐତିହ୍ୟ ସଂପନ୍ନ ଏବଂ ଯାହାର ଏକ ତାଲିକା କରାଯିବା ସହିତ ଏ ସବୁ ବିଷୟରେ ସଚେତନତାର ପ୍ରସାର କରାଯିବା ଉଚିତ। ସେମିତି ରାଜ୍ୟରେ ଥିବା ସମସ୍ତ ଉଷ୍ଣ ପ୍ରସ୍ରବଣଗୁଡ଼ିକ ମଧ୍ୟ ଭୂ-ଐତିହ୍ୟ ପର୍ଯ୍ୟଟନ ଯୋଗ୍ୟ ସ୍ଥାନ ଭିତରେ ଗଣାଯିବ।
ଭୂ-ଐତିହ୍ୟ ସଂପନ୍ନ ସ୍ଥାନଗୁଡ଼ିକ ପର୍ଯ୍ୟଟନ ଯୋଗ୍ୟ। କିନ୍ତୁ, ବିଡ଼ମ୍ୱନା ଯେ ଆମ ଦେଶରେ ଏଭଳି କୌଣସି ଆଇନ ନାହିଁ ଯଦ୍ୱାରା ଏଭଳି ଭୂ-ଐତିହ୍ୟପୂର୍ଣ୍ଣ ସ୍ଥାନଗୁଡ଼ିକୁ ସଂରକ୍ଷିତ ରଖାଯାଇପାରିବ। ଏ ପରିସ୍ଥିତିରେ ରାଜ୍ୟର କେତେକ ଗୁରୁତ୍ୱପୂର୍ଣ୍ଣ ଭୂ-ଐତିହ୍ୟ ସମ୍ପନ୍ନ ସ୍ଥାନଗୁଡ଼ିକୁ ସଂରକ୍ଷିତ ରଖିବାର ବ୍ୟବସ୍ଥା କରାଯିବା ସହିତ ସେ ସବୁକୁ ପର୍ଯ୍ୟଟନ ଲାଗି ଆକର୍ଷଣୀୟ କରାଯାଇପାରିଲେ, କେବଳ ଗବେଷକଙ୍କ ଲାଗି ଲାଭଦାୟକ ହେବ ନାହିଁ, ସାଧାରଣ ପର୍ଯ୍ୟଟକମାନେ ବି ସେ ସବୁ ଅଞ୍ଚଳର ପ୍ରାଚୀନତ୍ବର ସଂସ୍ପର୍ଶରେ ଆସି ରୋମାଂଚିତ ହେବେ।
ମୋ: ୯୪୩୯୨୦୧୯୧୧