୧୯୦୬ ଅଗଷ୍ଟରେ ଅନୁଷ୍ଠିତ ବ୍ରିଟିସ୍‌ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କେମ୍ବ୍ରିଜ୍‌ ଛାତ୍ର ଜନ୍‌ ମେନାର୍ଡ କେନ୍‌ସ ସେ ଆଶା କରୁଥିବା ଭଳି ପ୍ରଥମ ସ୍ଥାନ ପାଇବାରେ ସଫଳ ହୋଇ ନ ପାରି ଦ୍ବିତୀୟ ସ୍ଥାନ ପାଇବା ପରବର୍ତ୍ତୀ ସମୟରେ ଏହି ମହାନ୍‌ ଅର୍ଥନୀତିଜ୍ଞଙ୍କ ଭବିଷ୍ୟତର ମୂଳଦୁଆ ପକାଇବା ପାଇଁ ଯେଉଁଭଳି ଗୁରୁତ୍ବପୂର୍ଣ୍ଣ ଥିଲା, ଭାରତୀୟ ମୁଦ୍ରା ନୀତିର ଭବିଷ୍ୟତ ଗତିପଥ ନିର୍ଦ୍ଧାରଣ କରିବା ପାଇଁ ମଧୢ ସେଇଭଳି ଗୁରୁତ୍ବପୂର୍ଣ୍ଣ ଥିଲା। ସେ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଅଟ୍ଟୋ ନାଏମେୟର‌୍‌ ନାମକ ଜଣେ ଅକ୍‌ସଫୋର୍ଡ ଛାତ୍ର। (ଆମୋଦଦାୟକ ଭାବରେ ଯେଉଁ ବିଷୟରେ କେନ୍‌ସ ସର୍ବନିମ୍ନ ମାର୍କ ପାଇଥିଲେ, ତାହା ଥିଲା-ଅର୍ଥନୀତି; କେନ୍‌ସଙ୍କ ପ୍ରତିକ୍ରିୟା ହେଲା ଯେ ତାଙ୍କ ତୁଳନାରେ ତାଙ୍କ ପରୀକ୍ଷକମାନଙ୍କର ଅର୍ଥନୀତିରେ ଜ୍ଞାନ ବହୁତ କମ୍‌ ଥିଲା।) ପରୀକ୍ଷାରେ ଟପ୍‌ପର ହୋଇଥିବାରୁ ନାଏମେୟର ତାଙ୍କର ପ୍ରଥମ ପସନ୍ଦ ଅନୁସାରେ ବ୍ରିଟିସ୍‌ ଟ୍ରେଜେରିରେ ସ୍ଥାନୀତ ହେଲେ। କେନ୍‌ସଙ୍କର ପ୍ରଥମ ପସନ୍ଦ ମଧୢ ଟ୍ରେଜେରି ହୋଇଥିଲେ ହେଁ, ତାହା ତାଙ୍କୁ ମିଳିଲା ନାହିଁ, ଓ ସେ ତାଙ୍କର ଦ୍ବିତୀୟ ପସନ୍ଦ ହୋଇଥିବା ଭାରତୀୟ ଉପନିବେଶ ବ୍ୟାପାର ବୁଝାବୁଝି କରୁଥିବା ମୁଖ୍ୟ କାର୍ଯ୍ୟାଳୟ ‘ଇଣ୍ତିଆ ଅଫିସ୍‌’ରେ ୧୯୦୭ରେ ଯୋଗ ଦେବାକୁ ବାଧୢ ହେଲେ। ତାଙ୍କୁ କିନ୍ତୁ ଇଣ୍ତିଆ ଅଫିସ୍‌ର ଅମଲାତାନ୍ତ୍ରିକ କାର୍ଯ୍ୟ ବିରକ୍ତିକର ଲାଗିବାରୁ ମାତ୍ର ପ୍ରାୟ ଦୁଇ ବର୍ଷ ପରେ କେନ୍‌ସ ସିଭିଲ୍‌ ସର୍ଭିସ୍‌ ତ୍ୟାଗ କରି କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ଅର୍ଥନୀତି ଅଧୢାପକ ରୂପେ ଯୋଗ ଦେଲେ।

Advertisment

ସେଇ ସମୟରେ ଭାରତର ମୁଦ୍ରା ବ୍ୟବସ୍ଥା ଘୋର ସ˚କଟର ସମ୍ମୁଖୀନ ହୋଇଥିଲା। ଏହି ସ˚କଟର ଏକ ସମାଧାନ ବାହାର କରିବା ଉଦ୍ଦେଶ୍ୟରେ କେନ୍‌ସ ତାଙ୍କର ‘ଇଣ୍ତିଆ ଅଫିସ୍‌’ ଅଭିଜ୍ଞତାକୁ ଭିତ୍ତି କରି ୧୯୧୩ରେ ତାଙ୍କର ସର୍ବପ୍ରଥମ ପୁସ୍ତକ ରଚନା କଲେ- ‘ଇଣ୍ତିଆନ୍‌ କରେନ୍‌ସି ଆଣ୍ତ ଫାଇନାନ୍‌ସ’ (ଭାରତୀୟ ମୁଦ୍ରା ଓ ବିତ୍ତୀୟ ବ୍ୟବସ୍ଥା’)। କେତେକଙ୍କ ମତରେ ଏହା ହେଉଛି କେନ୍‌ସଙ୍କର ଶ୍ରେଷ୍ଠତମ ରଚନା; ଏହା ଏତେ ପ୍ରଭାବଶାଳୀ ଥିଲା ଯେ ଭାରତୀୟ ମୁଦ୍ରା ସମସ୍ୟା ସମାଧାନ ନିମିତ୍ତ ସେଇ ବର୍ଷ ଗଠିତ ଉଚ୍ଚ କ୍ଷମତାସମ୍ପନ୍ନ ‘ରୟାଲ୍‌ କମିସନ୍‌’ରେ କେନ୍‌ସଙ୍କୁ ଜଣେ ସଦସ୍ୟ ରୂପେ ଅନ୍ତର୍ଭୁକ୍ତ କରାଗଲା। ଯେତେବେଳେ ସେ ଏହି ବିରଳ ସମ୍ମାନ ଲାଭ କଲେ, ସେତେବେଳେ କେନ୍‌ସଙ୍କ ବୟସ ଥିଲା ମାତ୍ର ୨୯ ବର୍ଷ।

ସେ ସମୟରେ ଯେଉଁ ମୁଦ୍ରା ବ୍ୟବସ୍ଥାକୁ ଆଦର୍ଶ ବ୍ୟବସ୍ଥା ରୂପେ ବିଚାର କରାଯାଉଥିଲା, ତାହା ହେଲା- ‘ପୂର୍ଣ୍ଣ ସ୍ବର୍ଣ୍ଣ ମାନ’ ବା ‘ଫୁଲ୍‌ ଗୋଲ୍‌ଡ ଷ୍ଟାଣ୍ତାର୍ଡ’। ଏହା ଅନୁସାରେ ସମ୍ପୃକ୍ତ ଦେଶର ଗଚ୍ଛିତ ସୁନାର ପରିମାଣ ଉପରେ ସେ ଦେଶର ମୁଦ୍ରା ଯୋଗାଣ ସମ୍ପୂର୍ଣ୍ଣ ରୂପେ ନିର୍ଭର କରିଥାଏ; ଯେ କୌଣସି ସମୟରେ ମୁଦ୍ରାକୁ ଅନୁରୂପ ମୂଲ୍ୟର ସୁନାକୁ ରୂପାନ୍ତରିତ କରାଯାଇପାରେ। ଏଭଳି ମୁଦ୍ରା ବ୍ୟବସ୍ଥା ସୁରୁଖୁରୁରେ ଚାଲିବାକୁ ହେଲେ ସମ୍ପୃକ୍ତ ଦେଶର ସୁନାର ବିଶାଳ ଭଣ୍ତାର ସର୍ବଦା ମହଜୁଦ ରହିବା ଆବଶ୍ୟକ ହୋଇଥାଏ। ସୁନା ଅଭାବରେ ମୁଦ୍ରା ଯୋଗାଣ ସ˚କୁଚିତ ହୋଇଯିବାକୁ ବାଧୢ ହୋଇଥାଏ, ଯାହା ଅର୍ଥନୀତିର ଶ୍ବାସରୁଦ୍ଧ କରିଦିଏ। ବ୍ରିଟେନ୍‌ର ମୁଖ୍ୟ ଉପନିବେଶ ଭାରତ ଏଇଭଳି ଏକ ସ˚କଟର ସମ୍ମୁଖୀନ ହୋଇଥିଲା; ମୁଦ୍ରା ଓ ସୁନା ମଧୢରେ ରହି ଆସିଥିବା ପାରମ୍ପରିକ ସମ୍ପର୍କ ରକ୍ଷା କରିବା ଭାରତ ପାଇଁ ଅସମ୍ଭବ ହୋଇପଡ଼ିଥିଲା। କେନ୍‌ସ ଏହି ପରମ୍ପରାରେ ଅନ୍ତ ଘଟାଇବା ପାଇଁ ସୁନା ପ୍ରତି ଆମର ରହି ଆସିଥିବା ଗଭୀର ମୋହଭଙ୍ଗ ପାଇଁ ତାଙ୍କର ଏହି ପୁସ୍ତକରେ ଆହ୍ବାନ ଦେଇଥିଲେ। ଇତିହାସ ସାରା ମନୁଷ୍ୟର ଅହେତୁକ ମୋହର କାରଣ ହୋଇଥିବା ଏହି ପୀତ ଧାତୁ ପ୍ରତି କେନ୍‌ସ ଯେଉଁ ଭର୍ତ୍ସନା ପ୍ରୟୋଗ କରିଥିଲେ, ତାହା ଏକ ପ୍ରସିଦ୍ଧ ପ୍ରବାଦରେ ପରିଣତ ହୋଇଛି: ‘ଅତୀତର ବର୍ବର ସ୍ମାରକୀ’।

କେନ୍‌ସ ପ୍ରସ୍ତାବ ଦେଇଥିଲେ ଯେ ଭାରତ ପରମ୍ପରା ଭଙ୍ଗ କରି, ସୁନା ସହିତ ପ୍ରତ୍ୟକ୍ଷ ସମ୍ପର୍କ ଛିନ୍ନ କରି ଏକ ମୁଦ୍ରା ବ୍ୟବସ୍ଥା ପ୍ରବର୍ତ୍ତନ କରୁ, ଯେଉଁଥିରେ ଭାରତୀୟ ମୁଦ୍ରା ‘ଟଙ୍କା’ ସିଧାସଳଖ ସୁନାକୁ ରୂପାନ୍ତରିତ ହେବା ପରିବର୍ତ୍ତେ ଆବଶ୍ୟକ ସ୍ଥଳେ ଅନ୍ୟ ଏକ ଦେଶର ମୁଦ୍ରାକୁ ବଦଳାଇ ଦିଆଯାଇପାରିବ, ଯେଉଁ ମୁଦ୍ରା ‘ପୂର୍ଣ୍ଣ ସ୍ବର୍ଣ୍ଣ ମାନ’ ବ୍ୟବସ୍ଥା ଉପରେ ପ୍ରତିଷ୍ଠିତ ଥିବ; ଅର୍ଥାତ୍‌ ଭାରତୀୟ ମୁଦ୍ରା ‘ଟଙ୍କା’ ସିଧାସଳଖ ସୁନା ସହିତ ସ˚ଯୁକ୍ତ ନ ହୋଇ ବ୍ରିଟେନ୍‌ର ମୁଦ୍ରା ପାଉଣ୍ତ୍‌ ଷ୍ଟାର୍ଲିଙ୍ଗ୍‌ ସହିତ ସ˚ଯୁକ୍ତ ହେଉ। ଏହି ବ୍ୟବସ୍ଥାର ନାମ ହେଉଛି ‘ଗୋଲ୍‌ଡ ଏକ୍‌ସଚେଞ୍ଜ ଷ୍ଟାଣ୍ତାର୍ଡ’। (ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଭାରତୀୟ ମୁଦ୍ରା ବ୍ୟବସ୍ଥାର ପରିଚାଳନା ନିମିତ୍ତ ଏକ ସ୍ବୟ˚ଶାସିତ ରାଷ୍ଟ୍ରୀୟ ବ୍ୟାଙ୍କ୍‌ ପ୍ରତିଷ୍ଠା ପାଇଁ କେନ୍‌ସ ସେତେବେଳେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାହାକୁ ପ୍ରାୟ ଦୁଇ ଦଶନ୍ଧି ପରେ ‘ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ତିିଆ’ର ଅଙ୍କୁରୋଦ୍‌ଗମ ପାଇଁ ବୀଜ ରୋପଣ ରୂପେ ବିଚାର କରାଯାଇଥାଏ)। କେନ୍‌ସ ସେତେବେଳେ ଭାରତୀୟ ମୁଦ୍ରା ବ୍ୟବସ୍ଥାକୁ ସ˚କଟମୁକ୍ତ କରିବା ପାଇଁ ଯେଉଁ ଉପଦେଶ ଦେଇଥିଲେ, ତାହାକୁ ତେଣୁ ଗୋଟିଏ ବାକ୍ୟରେ ପ୍ରକାଶ କରାଯାଇପାରେ: ସୁନା ନାମକ ଏକ ବର୍ବର ସ୍ମାରକୀ ସହିତ ଥିବା ଆବେଗିକ ସମ୍ପର୍କକୁ ଛିନ୍ନ କର।

ଯେଉଁମାନେ ସେଇ ଭାରତୀୟ ମୁଦ୍ରା ‘ଟଙ୍କା’ର ବର୍ତ୍ତମାନର ଗତିବିଧି ଉପରେ ନଜର ରଖିଥିବେ, ସେମାନେ ନିଶ୍ଚିତ ରୂପେ ଅନୁଭବ କରୁଥିବେ ଯେ ‘ଟଙ୍କା’ ଏବେ ଭିନ୍ନ ଏକ ଆବେଗିକ ସ˚କଟର ସମ୍ମୁଖୀନ ହୋଇଛି। ଏହି ଆବେଗର ନାମ ହେଉଛି- ଜାତୀୟତାବାଦୀ ଗର୍ବ। ଜାତୀୟତାବାଦୀମାନଙ୍କ ପାଇଁ ଏହି ଗର୍ବ ବିଭିନ୍ନ ରୂପ ପରିଗ୍ରହଣ କରିଥାଏ; ଯେମିତି- ଆମ ସଭ୍ୟତା ହେଉଛି ସବୁଠାରୁ ପ୍ରାଚୀନ, ଆମ ପର୍ବତ ହେଉଛି ସବୁଠାରୁ ଉଚ୍ଚ, ଆମ ଛାତ୍ରମାନେ ସବୁଠାରୁ ମେଧାବୀ, ଆମ ସେନାବାହିନୀ ହେଉଛି ସବୁଠାରୁ ଶକ୍ତିଶାଳୀ, ଆମର ଗଣତନ୍ତ୍ର ହେଉଛି ବୃହତ୍ତମ... ଇତ୍ୟାଦି। ଏହି ଚିନ୍ତାଧାରାର ସମ୍ପ୍ରସାରଣ ସ୍ବରୂପ ଦେଶଭକ୍ତମାନେ ମଧୢ ବିଶ୍ବାସ କରିବାକୁ ଚାହାନ୍ତି ଯେ ଆମ ମୁଦ୍ରା ହେଉଛି ଏକ ଶକ୍ତିଶାଳୀ ମୁଦ୍ରା। କୌଣସି ମୁଦ୍ରାର ଶକ୍ତିର ଆନ୍ତର୍ଜାତିକ ପରିଚୟ ହେଉଛି ତାହାର ଅନ୍ୟ ଦେଶର ମୁଦ୍ରା ସହିତ ପ୍ରଚଳିତ ଥିବା ବିନିମୟ ମୂଲ୍ୟ। ଆଉ ଯେଉଁ ଏକ ଦେଶର ମୁଦ୍ରାସହିତ ବିନିମୟ ମୂଲ୍ୟକୁ ଏଥିପାଇଁ ନିର୍ଣ୍ଣାୟକ ଭାବରେ ଗ୍ରହଣ କରାଯାଇଥାଏ, ତାହା ହେଉଛି ଆମେରିକାର ମୁଦ୍ରା ଡଲାର‌୍‌। ଜାତୀୟତାବାଦୀମାନଙ୍କ ଦୃଷ୍ଟିରେ ଆମେରିକୀୟ ଡଲାର ବିନିମୟରେ ଯଦି ଟଙ୍କାର ମୂଲ୍ୟ ହ୍ରାସ ପାଏ, ତାହା ହେଉଛି ଆମର ବିତ୍ତୀୟ ଦୁର୍ବଳତାର ସୂଚକ ଏବ˚ ଆମର ଜାତୀୟ ଗର୍ବ ପ୍ରତି ଏକ ଆଘାତ। ଊଣା ଅଧିକେ ପୃଥିବୀର ପ୍ରାୟ ସମସ୍ତ ଦେଶରେ ଡଲାର‌୍‌ର ବିନିମୟ ମୂଲ୍ୟ ପ୍ରତି ଏଇଭଳି ଏକ ଜନ-ଆବେଗ ପ୍ରକାଶ ପାଇବା ଦେଖାଯାଇଥାଏ।

ଭାରତର ଜନମାନସରେ ବର୍ତ୍ତମାନ ଏଇଭଳି ଏକ ମୌଦ୍ରିକ ଆବେଗ ଦାନା ବାନ୍ଧିବାକୁ ଆରମ୍ଭ କରିଛି। ୨୦୨୦ ଆରମ୍ଭରେ ଡଲାର‌୍‌-ଟଙ୍କା ମଧୢରେ ବିନିମୟ ହାର ଥିଲା ଡଲାର‌୍‌ ପିଛା ୭୧ ଟଙ୍କା। ତା’ପର ଠାରୁ କୋଭିଡ୍‌ ପାଣ୍ତେମିକ୍‌, ୟୁକ୍ରେନ୍‌ ଯୁଦ୍ଧ ଓ ଆମେରିକାରେ ‘ଫେଡେରାଲ୍‌ ରିଜର୍ଭ’ ଘଟାଇଥିବା ସୁଧ ହାରରେ ବୃଦ୍ଧି ଆଦିର ପ୍ରଭାବରେ ‘ଟଙ୍କା’ର ବିନିମୟ ହାରରେ ହ୍ରାସ ଘଟିଚାଲି ବର୍ତ୍ତମାନ ଡଲାର ପିଛା ଟ୭୮.୪୫ ପଇସାରେ ପହଞ୍ଚିଛି। ଏକ ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି ଯେ ଅବିଳମ୍ବେ ଏହା ଡଲାର‌୍‌ ପିଛା ୮୦ ଟଙ୍କା ଅତିକ୍ରମ କରିବାକୁ ଯାଉଛି, ଯାହା ଏକ ମନସ୍ତାତ୍ତ୍ବିକ ସୀମାରେଖା ଲ˚ଘନର ରୂପ ନେଇଛି। ଏହାକୁ ‘ଟଙ୍କା’ର ଦୁର୍ବଳତାର ଏପରି ଏକ ଲଜ୍ଜାଜନକ ପ୍ରମାଣ ରୂପେ ବିଚାର କରାଯାଉଛି ଯେ, ଏହି ସମ୍ଭାବନାକୁ ଅଟକାଇ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ତା’ର ଗଚ୍ଛିତ ଡଲାର ଭଣ୍ତାର ଖାଲି କରି ବୈଦେଶିକ ମୁଦ୍ରା ବଜାରରେ ଡଲାର ବିକ୍ରି କରି ଡଲାର‌୍‌ ଯୋଗାଣ ବୃଦ୍ଧି ମାଧୢମରେ ଡଲାର‌୍‌ର ବିନିମୟ ହାରରେ ହ୍ରାସ ଘଟାଇବାକୁ ପ୍ରବଳ ଚାପ ସୃଷ୍ଟି ହେବାକୁ ଆରମ୍ଭ କଲାଣି। ରିଜର୍ଭ ବ୍ୟାଙ୍କ୍‌ ମଧୢ ଏହି ନୀତି ଅନୁସରଣ କଲା ଭଳି ଡଲାର‌୍‌ ବିକ୍ରି କରିବା ଦ୍ବାରା ୨୦୨୧ରୁ ବର୍ତ୍ତମାନ ମଧୢରେ ତା’ର ଡଲାର‌୍‌ ଭଣ୍ତାରରେ ପ୍ରାୟ ୫୦ ବିଲିଅନ୍‌ ଡଲାର‌୍‌ ହ୍ରାସ ଘଟିସାରିଲାଣି।

ବର୍ତ୍ତମାନ ଯଦି କେନ୍‌ସ ଜୀବିତ ଥାନ୍ତେ, ସେ ନିଶ୍ଚିତ ରୂପେ ସେତେବେଳେ ‘ବର୍ବର ସ୍ମାରକୀ’ ସହିତ ସମ୍ପର୍କ ଛିନ୍ନ କରିବାକୁ ଆହ୍ବାନ ଦେଇଥିବା ଭଳି ୮୦ ଟଙ୍କା ମନସ୍ତାତ୍ତ୍ବିକ ପ୍ରତିବନ୍ଧ ସହିତ ସମ୍ପର୍କ ଛିନ୍ନ କରି ଆଉ ଡଲାର‌୍‌ ଭଣ୍ତାରରେ ହାତ ନ ମାରିବାକୁ ରିଜର୍ଭ ବ୍ୟାଙ୍କ୍‌କୁ ଉପଦେଶ ଦିଅନ୍ତେ। ଏପରି ଉପଦେଶର ପ୍ରଥମ କାରଣ ହୁଅନ୍ତା, ଏକ ଦୁର୍ବଳ ଟଙ୍କା ବିଦେଶ ବଜାରରେ ଭାରତୀୟ ରପ୍ତାନି ଦ୍ରବ୍ୟ ଓ ସେନା ସବୁକୁ ଅଧିକ ପ୍ରତିଯୋଗିତାକ୍ଷମ କରିବ, ଯାହା ଏକ ମାନ୍ଦା ଅବସ୍ଥାଗ୍ରସ୍ତ ପୃଥିବୀରେ ଭାରତ ପାଇଁ ବେଶ୍‌ ଲାଭଜନକ ହେବ। ମନେ ରଖିବା କଥା, ଏହି ସମୟରେ ‘ଟଙ୍କା’ର ପ୍ରତିଦ୍ବନ୍ଦ୍ବୀ ମୁଦ୍ରା ଜାପାନର ‘ୟେନ୍‌’, ଚୀନ୍‌ର ‘ୟୁଆନ୍‌’ ଓ ଇୟୁର ‘ଇଉରୋ’ ଆଦିର ଡଲାର ସହିତ ବିନିମୟ ମୂଲ୍ୟରେ ଘଟିଥିବା ହ୍ରାସ ହେଉଛି ‘ଟଙ୍କା’ ଠାରୁ ଆହୁରି ଅଧିକ। ଏହାର ଅର୍ଥ ବିଦେଶ ବଜାରରେ ସେ ସମସ୍ତ ଦେଶର ରପ୍ତାନି ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ହେଲେ ଭାରତୀୟ ରପ୍ତାନିର ମୂଲ୍ୟ ଆହୁରି ହ୍ରାସ ପାଇବା ଦରକାର। ଅର୍ଥାତ୍‌ ଟଙ୍କାର ବିନିମୟ ମୂଲ୍ୟରେ ଆହୁରି ହ୍ରାସ ଘଟିଲେ ଏହା ସମ୍ଭବ ହେବ। ଏଣୁ ‘ବର୍ବର ସ୍ମାରକୀ’ ସ୍ବରୂପ ୮୦ ଟଙ୍କା ମନସ୍ତାତ୍ତ୍ବିକ ସୀମାକୁ ପରିହାର କରିବା ଉଚିତ ହେବ। ରିଜର୍ଭ ବ୍ୟାଙ୍କ୍‌ ନିଜର ଡଲାର ଭଣ୍ତାରକୁ ଏହି କାଳ୍ପନିକ ସୀମାର ସୁରକ୍ଷାରେ ନିୟୋଜିତ ନ କରି, ଭବିଷ୍ୟତରେ ବାସ୍ତବ ସ˚କଟର ମୁକାବିଲା ପାଇଁ ମହଜୁଦ ରଖିବା ବୁଦ୍ଧିମାନର କାର୍ଯ୍ୟ ହେବ।