ଏକ ରେଳ ଯାତ୍ରା ଅନୁଭୂତି

ପ୍ରୀତୀଶ ଆଚାର୍ଯ୍ୟ

ଟ୍ରେନ୍‌ର ଆସିବାକୁ ଆହୁରି ଅନେକ ସମୟ। ପ୍ଲାଟ୍‌ଫର୍ମର ଏକ ଲମ୍ବା ବେଞ୍ଚ୍‌ରେ ବସିଲି; ତଳେ ଜିନିଷପତ୍ର ରଖିଲି; ଏବ˚ ଏହାକୁ ଏକ ଅବସର ମନେ କରି ଆଖି ବନ୍ଦ କରି ଶୋଇବାର ଉପକ୍ରମ କଲି। ଏହି ସମୟରେ ଆଉ ଦୁଇ ଜଣ ବ୍ୟକ୍ତି ଆସି ବେଞ୍ଚ୍‌ର ଖାଲି ଜାଗାରେ ବସିଲେ ଏବ˚ ମୋ ଭଳି ଜଣେ ସମ୍ପୂର୍ଣ୍ଣ ଅପରିଚିତ ବ୍ୟକ୍ତିକୁ ଅନୁପସ୍ଥିତ ମନେ କରି କଥାଭାଷାରେ ଜୁଟି ଗଲେ। ମନେ ହେଲା, ଉଭୟେ ଗୋଟାଏ ଅଫିସ୍‌ରେ ଚାକିରି କରନ୍ତି, ହେଲେ ସମ ପଦଧାରୀ ନୁହନ୍ତି। ଜଣେ ଅଧିକାରୀ ଏବ˚ ଅନ୍ୟ ଜଣକ ତାଙ୍କ ଅଧୀନସ୍ଥ। ଦୁହେଁ ସରକାରୀ ‘ଟୁର‌୍‌’ରେ ଯାଉଛନ୍ତି। ତଳ-ଉପରର ସରକାରୀ ସମ୍ବନ୍ଧ ସତ୍ତ୍ବେ, ଦୁହେଁ ପରସ୍ପରର ଅନୌପଚାରିକ ବନ୍ଧୁ ମଧ୍ୟ। ସେହି ଆଧାରରେ ଦୁହିଁଙ୍କ ମଧ୍ୟରେ ଏକ ଜଟିଳ ସମ୍ପର୍କ। ଅଧିକାରୀଙ୍କ ପ୍ରତି ଅଧୀନସ୍ଥଙ୍କ ଭୟ ଭାବ ରହିଛି, ତା’ ସହିତ ବନ୍ଧୁ ଭାବ ମଧ୍ୟ। ଅଧିକାରୀଙ୍କ କଥାକୁ କାଟି ପାରିବେ ନାହିଁ। ସେହିଭଳି ଅଧିକାରୀଙ୍କ ଅଧୀନସ୍ଥଙ୍କ ପ୍ରତି ବନ୍ଧୁ ଭାବ ସହିତ ଦୟା ଭାବ ବି ଊଣା ନୁହେଁ। ବନ୍ଧୁ ଭାବରେ ଉକ୍ତ ଅଧୀନସ୍ଥଙ୍କ ପରାମର୍ଶ ଶୁଣିବା, ବ୍ୟକ୍ତିଗତ ସୁବିଧା ଅସୁବିଧା କଥା ଶୁଣିବା ପଛରେ ବି ତାଙ୍କର ଦୟା ଭାବ ସୁସ୍ପଷ୍ଟ।

ଦୁହେଁ ଗପୁଥାନ୍ତି। ମଝିରେ ମଝିରେ ଫୋନ୍‌ ଆସେ ଅଧୀନସ୍ଥଙ୍କ ପାଖକୁ, ଅଥଚ ସେ ଫୋନ୍‌ କାଟି ଦିଅନ୍ତି ଅଥବା ସ˚କ୍ଷେପରେ ଉତ୍ତର ଦେଇ କହନ୍ତି, ‘ପରେ ଫୋନ୍‌ କରିବି।’ ଅଧିକାରୀଙ୍କ ଫୋନ୍‌ ଆସିଲେ ତାହା କଟିବାର ନୁହେଁ। ଯଥୋଚିତ ଆଗ୍ରହ ନେଇ ସେ କଥାବାର୍ତ୍ତା କରନ୍ତି, ଯାହା ଦୁଇ ‘ବନ୍ଧୁ’ଙ୍କ କଥାଭାଷାକୁ ସାମୟିକ ଭାବେ ବ୍ୟାହତ କରେ। ସେହି ସମୟରେ ଅଧୀନସ୍ଥ କେବଳ ଅଭିଯୋଗଭରା ଦୃଷ୍ଟିରେ ଯାହା ଅଧିକାରୀଙ୍କୁ ଅନେଇ ରହନ୍ତି।

ପ୍ରାୟତଃ ଦୁଇ ଜଣଙ୍କ ପାଖରୁ ଅଧିକାରୀଙ୍କ ପାଖକୁ ଫୋନ୍‌ ଆସୁଥାଏ। ଜଣେ ହେଲେ ତାଙ୍କ ପତ୍ନୀ ଏବ˚ ଅନ୍ୟ ଜଣକ ହେଲେ ପ୍ରେମିକା। ଫୋନ୍‌ ଆସିବାରେ ସାମାନ୍ୟ ବିଳମ୍ବ ହେଲେ, ସେ ନିଜ ଆଡୁ ଫୋନ୍‌ କରନ୍ତି। ପୁଣି, ସେପଟୁ ଫୋନ୍‌ ଆସିଲେ ବିରକ୍ତି ପ୍ରଦର୍ଶନ କରି କହନ୍ତି, ‘ଏମାନେ ମତେ ଆରାମରେ କିଛି ବେଳ ବସିବାକୁ ବି ଦେବେନି। ଜଣକ ପରେ ଆଉ ଜଣେ ଫୋନ୍‌ କରି ଚାଲିଛନ୍ତି।’

ଫୋନ୍‌ରେ ତାଙ୍କ କଥାବାର୍ତ୍ତାରୁ ମନେ ହେଲା, ପରିବାରରେ ପତ୍ନୀ, ସ୍କୁଲ୍‌ ଯାଉଥିବା ଦୁଇ ଜଣ ପିଲା ଏବ˚ ବୟସ୍କ ବାପା-ମା’ ଘରେ। ବଡ଼ ପୁଅ ଟୁଇସନ୍‌ରୁ ଆସିଲା ନା ନାହିଁ, ସାନ ଝିଅ କେତେବେଳେ ଖେଳିବାକୁ ଗଲା, କେବେ ଫେରିବ, ବାପାଙ୍କୁ ଔଷଧ ଦିଆଗଲା ନା ନାହିଁ, ମା’ ଏବେ କ’ଣ କରୁଛି, ଆଦି। ପତ୍ନୀଙ୍କ ପାଖରୁ ଆସିଥିବା ଫୋନ୍‌ରେ ଏହି ସବୁ ବିଷୟ। ପ୍ରେମିକାଙ୍କ ପାଇଁ ପ୍ରଶ୍ନ- ଏବେ କ’ଣ କରୁଛ, ତୁମେ ମୋ ସାଙ୍ଗରେ ଟୁର‌୍‌ରେ ଆସିଥିଲେ ଖୁବ୍‌ ଭଲ ହୋଇଥାନ୍ତା, ଆସନ୍ତା ଥରକୁ ନିଶ୍ଚୟ ଆସିବ ଇତ୍ୟାଦି। ଅଧୀନସ୍ଥଙ୍କୁ ସବୁ ଜଣା। ତେଣୁ, ନିର୍ଭୟ ହୋଇ ଅଧିକାରୀ ଜଣକ ସବୁ କଥା ଗପୁଥାନ୍ତି।

କିଛି ବେଳ ସେମାନଙ୍କ କଥାବାର୍ତ୍ତାକୁ ‘ଓଭର ହିଅର’ କଲା ପରେ ଏହି ଅନୈତିକ କାର୍ଯ୍ୟ ପାଇଁ ମୋ ମନରେ ଅପରାଧବୋଧ ମଧ୍ୟ ସୃଷ୍ଟି ହେଲା। ହେଲେ ଶୁଣିବାର ଆଗ୍ରହ ଅପରାଧବୋଧରୁ ନିବୃତ୍ତ ହେବା ଲାଗି ଯୁକ୍ତି ଛିଡ଼ା କଲା; ମୋ ପ୍ରତି ଧ୍ୟାନ ନ ଦେଇ ସେମାନେ ନିଜ ନିଜ ଗୋପନ କଥାସବୁ ବଖାଣି ଚାଲିଥିବା ବେଳେ ମୋର ଶୁଣିବାରେ ଅନୈତିକତା ରହିଲା କେଉଁଠି?
ଅଧିକାରୀଙ୍କ କଥାବାର୍ତ୍ତାରୁ ଅନୁମାନ କରିହେଲା ଯେ ସେ ଏକା ସାଙ୍ଗରେ ଜଣେ ଦାୟିତ୍ବସ˚ପନ୍ନ ପତି, ପ୍ରେମିକ, ବାପା ଏବ˚ ବୟସ୍କ ବାପା-ମା’ଙ୍କ ପୁତ୍ର। କୌଣସି ଭୂମିକାରେ ସେ ଅକୁଶଳ ନୁହନ୍ତି। ଏହା ତାଙ୍କ ସଫଳତା ଏବ˚ ନିଜ ସଫଳତାକୁ ନେଇ ସେ ନିଜ ଅଧୀନସ୍ଥଙ୍କ ଆଗରେ ଗର୍ବିତ ମଧ୍ୟ। କଥାବାର୍ତ୍ତା ଛଳରେ ମଝିରେ ଅଧୀନସ୍ଥ ଅଭିଯୋଗ କରିଛନ୍ତି ନିଜ ପତ୍ନୀଙ୍କ ନାମ‌ରେ, ପାରିବାରିକ କଳହର ଅବତାରଣା କରିଛନ୍ତି।

ଅଧିକାରୀ ମୃଦୁ ତାଚ୍ଛଲ୍ୟ କରି କହୁଛନ୍ତି, ‘ମୋ ପାଖରୁ ତୁମେ କ’ଣ ଶିଖିଲ! କେବେ ପତ୍ନୀଙ୍କ ସାଙ୍ଗରେ କଳି କରି ଅଖିଆ ଅପିଆ ଅଫିସ୍‌ ଆସୁଛ ତ ଆଉ କେବେ ପତ୍ନୀ ଭୋକରେ ଶୋଉଛନ୍ତି! ମତେ ଦେଖ। ଦୁଇ ଦୁଇ ଜଣ ପତ୍ନୀ, ଦୁଇଟି ଛୁଆ, ବାପା-ମା’- ସମସ୍ତେ ମୋ’ ସ˚ସାରରେ। ହେଲେ କେହି ଅସନ୍ତୁଷ୍ଟ ନୁହନ୍ତି!’

ଅଧିକାରୀଙ୍କ ସମସ୍ତ ଜ୍ଞାନ ବାଣୀ ଶୁଣିଲା ଉତ୍ତାରୁ ଅଧୀନସ୍ଥ ସାମାନ୍ୟ ଗମ୍ଭୀର ହୋଇ କହିଲେ, ‘ସାର‌୍‌, ଆପଣ ମୋ ଠାରୁ ବୟସରେ ବଡ଼, ଅଧିକ ଜ୍ଞାନୀ, ମୋର ଅଧିକାରୀ। ଚାହିଁଲେ, ଏବେ ମତେ ଚାକିରିରୁ ନିଲମ୍ବନ କରିଦେଇ ପାରିବେ। ଆପଣ ଯଦି ଅନୁମତି ଦେବେ, ମୁଁ ଗୋଟାଏ କଥା କହିବି।’

ତା’ ପରେ ନିରବ ଅନୁମତି ଲାଭ କରି ସେ କହିଲେ, ‘ଆପଣ ଯାହା କରୁଛନ୍ତି, ଯଦି ‘ମାଡାମ’ ସେମିତି କରୁଥାନ୍ତେ, ଆପଣ ତାକୁ ସହ୍ୟ କରିପାର‌େନ୍ତ?’ ଅଧିକାରୀ ଅଧିକ ଉତ୍ସାହରେ କହିଲେ, ‘ଆରେ, କଥା ତ ସେଇଠି! ସେ ବି କୋଉ ସହ୍ୟ କରନ୍ତା କି? ସେ ଜାଣିନି ଏବ˚ ଜାଣିବାର ଚାନ୍‌ସ ମଧ୍ୟ ନାହିଁ। ମୋର ସଫଳତା ତ ସେଇଠି!’ ଅଧୀନସ୍ଥ ପୂର୍ବବତ କାକୁସ୍ଥ ହୋଇ କହିଲେ, ‘ଆପଣ ମତେ କ୍ଷମା କରିବେ। ଆପଣଙ୍କ ଘରକୁ ଯିବା ଆସିବା ଅବସରରେ ମୁଁ ନିଃସନ୍ଦେହ ଯେ କେବଳ ମାଡାମ୍‌ ନୁହନ୍ତି, ଆପଣଙ୍କ ବୃଦ୍ଧ ବାପା-ମା’ ବି ସବୁ ଜାଣନ୍ତି। ଅଳ୍ପ ଦିନ ପରେ ପିଲାମାନେ ବି ଜାଣିବେ। କେବଳ ଆପଣଙ୍କର, ତାଙ୍କ ନିଜର ଏବ˚ ସର୍ବୋପରି ପରିବାରର ସମ୍ମାନ ରକ୍ଷା ପାଇଁ ସେମାନେ ଏ ଭଳି କଥାକୁ ଲୁଚେଇ ରଖନ୍ତି। କଳିଗୋଳ କରନ୍ତି ନାହିଁ। ଆପଣ ଯାହାକୁ ପତ୍ନୀଙ୍କର ମୂର୍ଖାମି ଏବ˚ ନିଜ ପାରିବାପଣିଆ ବୋଲି ଭାବୁଛନ୍ତି, ତାହା ତାଙ୍କର ମହାନତା।’

ଅଧୀନସ୍ଥ ଜଣକ ଏତେ ସବୁ କଥା ତ କହିଦେଇଗଲେ, ହେଲେ ତାଙ୍କ ମୁହଁରେ ଭୟ ଭାବ ସ୍ପଷ୍ଟ। ଅଧିକାରୀ ନିଶ୍ଚୟ ତାଙ୍କୁ ଦହଗଞ୍ଜ କରିବେ। କୋଉ ଦୂର ଜାଗାକୁ ହୁଏ’ତ ବଦଳି କରି ଦେବେ। ପୁଣି, ପର କ୍ଷଣରେ ତାଙ୍କ ମୁହଁରେ ଆତ୍ମତୃପ୍ତି ମଧ୍ୟ ଫୁଟିଲା- ଏତକ କହି ନଥିଲେ, ସତେ ଯେମିତି ସେ ଅପରାଧୀ ହୋଇ ଯାଆନ୍ତେ!

ଏହା ପରେ ମୁଁ ଅଧିକାରୀଙ୍କ ପ୍ରତିକ୍ରିୟା ଜାଣିବାକୁ ଆଗ୍ରହୀ ଥିଲି। ମାତ୍ର ତା’ ପାଇଁ ଅବସର ନ ଥିଲା। ଟ୍ରେନ୍‌ ଅଳ୍ପ ସମୟ ମଧ୍ୟରେ ପହଞ୍ଚିବ ବୋଲି ଘୋଷଣା ଆରମ୍ଭ ହେଲା। ସୂଚନା ଫଳକରେ ବଗିର ରହିବା ସ୍ଥାନ ଦର୍ଶାଗଲା। ସେମାନେ ନିଜ ବଗି ଆଡ଼କୁ ଏବ˚ ମୁଁ ମୋ ବଗି ଆଡ଼କୁ ଯିବା ଆରମ୍ଭ କଲେ। ମନେ ମନେ ଭାବୁଥାଏ ଯେ ଅଧୀନସ୍ଥଙ୍କ ଅନ୍ତରର କଥାକୁ ଅଧିକାରୀ ଜଣକ ଯଦି ଗ୍ରହଣ କରନ୍ତି, ଏହି ଟ୍ରେନ୍‌ ଯାତ୍ରା ଓ ସରକାରୀ ଟୁର‌୍‌ ତାଙ୍କ ପାଇଁ କେତେ ଅନନ୍ୟ ସାବ୍ୟସ୍ତ ନ ହୁଅନ୍ତା ସତେ!
[email protected]

ସମ୍ବନ୍ଧିତ ଖବର