ଶାହାଡ଼ା ଗଛ

ପୂର୍ବେ ଆମ ରାଜ୍ୟର କେତେକ ଅଞ୍ଚଳରେ ପ୍ରଚଳିତ ଏକ ପ୍ରଥା ଅନୁସାରେ ବାରମ୍ବାର ପତ୍ନୀ ବିୟୋଗ ଘଟୁଥିବା ଜଣେ ପୁରୁଷ ପୁଣି ଥରେ ବିବାହ କରିବା ପୂର୍ବରୁ ଏକ ଶାହାଡ଼ା ଗଛକୁ ପ୍ରଥମେ ବିବାହ କରୁଥିଲେ। ବିଶ୍ବାସ କରାଯାଉଥିଲା ଏହା ପରେ ସେ ଯେଉଁ ନାରୀଙ୍କୁ ପତ୍ନୀ ରୂପେ ଗ୍ରହଣ କରିବେ, ସେ ଦୀର୍ଘାୟୁ ତଥା ସନ୍ତାନବତୀ ହେବେ। ମନେ କରାଯାଉ ଏହି ପରମ୍ପରା ଦ୍ବାରା ପ୍ରଭାବିତ ହୋଇ ସବୁ ପୁରୁଷମାନେ କେବଳ ଶାହାଡ଼ା ଗଛକୁ ବିବାହ କରିବାକୁ ଜିଦ୍‌ ଧରି ବସନ୍ତେ ଓ ତା’ପରେ କୌଣସି ନାରୀଙ୍କୁ ଆଉ ବିବାହ କରିବାକୁ ଚାହାଁନ୍ତେ ନାହିଁ। ସମାଜ ପାଇଁ ଏହାର ପରିଣାମ କ’ଣ ହେବ ତାହା ସହଜରେ କଳ୍ପନା କରାଯାଇପାରେ। ଗୋଟିଏ ବାକ୍ୟରେ କହିଲେ, ଯେହେତୁ ଏଭଳି ବୃକ୍ଷ-ମନୁଷ୍ୟ ବିବାହ ମାଧ୍ୟମରେ ସନ୍ତାନ ସୃଷ୍ଟି ହୋଇପାରିବ ନାହିଁ, ଏହାର ପରିଣତି ସ୍ବରୂପ ଶେଷରେ ସମାଜ ଲୋପ ପାଇଯିବ, ମାନବ ଜାତି ଲୋପ ପାଇଯିବ।

ବର୍ତ୍ତମାନ ଯେଉଁ ସମଲିଙ୍ଗୀ ବିବାହ ଅର୍ଥାତ୍‌ ନାରୀ-ନାରୀ ମଧ୍ୟରେ ବିବାହ ଓ ପୁରୁଷ-ପୁରୁଷ ମଧ୍ୟରେ ବିବାହ ଦାବି ସୁପ୍ରିମ୍‌ କୋର୍ଟରେ ଗୁଞ୍ଜରିତ ହେଉଛି, ତାହା ପ୍ରଜନନ ଦୃଷ୍ଟିକୋଣରୁ ଉପରୋକ୍ତ ମନୁଷ୍ୟ-ବୃକ୍ଷ ବିବାହ ସହ ସମାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମଲିଙ୍ଗୀ ବିବାହର ସମର୍ଥକମାନେ କହିପାରନ୍ତି ଯେ ସମଲିଙ୍ଗୀ ଦମ୍ପତିମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ। କିନ୍ତୁ ଯୁକ୍ତି ଦୃଷ୍ଟିରୁ ଏଭଳି ବିଚାରକୁ ଯାହା ସମ୍ପୂର୍ଣ୍ଣ ରୂପେ ଅସିଦ୍ଧ କରିଥାଏ, ତାହା ହେଉଛି ଦାର୍ଶନିକ ଇମାନୁଏଲ୍‌ କାଣ୍ଟ୍‌ଙ୍କର ପ୍ରସିଦ୍ଧ ଦିଗ୍‌ଦର୍ଶନକାରୀ ନୀତିବାଣୀ, ‘କାଟିଗରିକାଲ୍‌ ଇମ୍ପରେଟିଭ୍‌’।

ଏହାର ପ୍ରଥମ ସୂତ୍ର ଅନୁସାରେ କୌଣସି ଏକ କାର୍ଯ୍ୟ କରିବା ଉଚିତ କି ନୁହେଁ, ତାହା ସ୍ଥିର କରିବା ପାଇଁ ଏକ ନିଶ୍ଚିତ ଉପାୟ ହେଉଛି କଳ୍ପନା କରିବା ଏହି କାର୍ଯ୍ୟର ସାର୍ବଜନୀନୀକରଣ ସମ୍ଭବ କି ନୁହେଁ; ଅର୍ଥାତ୍‌ ଯଦି ସମସ୍ତେ ଠିକ୍‌ ସେଇଭଳି କାର୍ଯ୍ୟ କରନ୍ତି, ତାହାର ପରିଣାମ କ’ଣ ହେବ! ରେଳ ଟିକେଟ କିଣିବା ପାଇଁ କିମ୍ବା ବ୍ୟାଙ୍କ୍‌ରୁ ପଇସା ଉଠାଇବା ପାଇଁ ସମସ୍ତେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ବେଳେ ଜଣେ କେହି ଯଦି ଧାଡ଼ି ଭାଙ୍ଗି ଆଗକୁ ଯିବାକୁ ଚାହେଁ, ସେ ଭାବିବା ଉଚିତ ଯଦି ସମସ୍ତେ ତା’ ଭଳି ଧାଡ଼ି ଭାଙ୍ଗି ଦିଅନ୍ତି, ତାହେଲେ ପରିସ୍ଥିତି କିଭଳି ଅଣାୟତ୍ତ ହେବ। ତେଣୁ ଧାଡ଼ି ବାନ୍ଧିବା ହେଉଛି ଉଚିତ; ଧାଡ଼ି ଭାଙ୍ଗିବା ହେଉଛି ଅନୁଚିତ। ସେଇଭଳି ଯଦି ସମାଜର ସବୁ ବିବାହ ସମଲିଙ୍ଗୀ ହୁଏ ତେବେ ସମଲିଙ୍ଗୀ ଦମ୍ପତିମାନେ ପୋଷ୍ୟ ସନ୍ତାନ ପାଇବେ କେଉଁଠୁ? ସମାଜ ତ ଲୋପ ପାଇଯିବ। ତେଣୁ ଧାଡ଼ି ଭାଙ୍ଗିବା ଭଳି ସମଲିଙ୍ଗୀ ବିବାହ ହେଉଛି ଅନୁଚିତ। ଧାଡ଼ି ବାନ୍ଧିବା ଭଳି ବିଷମଲିଙ୍ଗୀ ବିବାହ ହେଉଛି ଉଚିତ।

ସମଲିଙ୍ଗୀ ବନ୍ଧୁ ବା ବାନ୍ଧବୀମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହିଁବାର କାରଣ ହେଉଛି ସେମାନେ ଏହି ପାରମ୍ପରିକ ସାମାଜିକ ଅନୁଷ୍ଠାନକୁ କେବଳ ସେମାନଙ୍କ ସମ୍ପର୍କକୁ ସ୍ବୀକୃତି ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏକ ବ୍ୟବସ୍ଥା ରୂପେ ବିଚାର କରୁଛନ୍ତି। ବିବାହର ଅସଲ ଲକ୍ଷ୍ୟ କିନ୍ତୁ ହେଉଛି ସନ୍ତାନ ଉତ୍ପାଦନ ଓ ଏକ ପରିବାର ଗଠନ ମାଧ୍ୟମରେ ସନ୍ତାନସନ୍ତତିଙ୍କୁ ସୁରକ୍ଷା ପ୍ରଦାନ ଓ ଲାଳନପାଳନ। ଏହାର କାରଣ ହେଲା- ସଂସାରରେ ସବୁଠାରୁ ଅସହାୟ ଓ ଦୁର୍ବଳ ପ୍ରାଣୀ ହେଉଛି- ମାନବ ଶିଶୁ। ଏହି ଅସହାୟ ପ୍ରାଣୀଟିର ଉପଯୁକ୍ତ ଶାରୀରିକ ଓ ମାନସିକ ବିକାଶ ପାଇଁ ସେ ଦୀର୍ଘ କାଳ ଧରି ପିତା ଓ ମାତାଙ୍କର ସୁରକ୍ଷା ଓ ସହାୟତା ଆବଶ୍ୟକ କରିଥାଏ, ଯାହା ସଂସାରର ଅନ୍ୟ କୌଣସି ପ୍ରାଣୀ ପ୍ରତି ପ୍ରଯୁଜ୍ୟ ନୁହେଁ।

ଯେହେତୁ ବିବାହ ସନ୍ତାନର ପିତୃତ୍ବକୁ ନିଶ୍ଚିତ କରିଥାଏ, ଜୈବିକ ପିତା ନିଜକୁ ଅକୁଣ୍ଠ ଭାବରେ ସନ୍ତାନସନ୍ତତିଙ୍କ ମଙ୍ଗଳ ସାଧନ ନିମିତ୍ତ ଉତ୍ସର୍ଗ କରିଥାଏ। ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ସମଲିଙ୍ଗୀ ପୁରୁଷ ଜଣେ ହୁଏତ ଆନ୍ତରିକତା ସହିତ ଏହି ପିତୃସୁଲଭ ଦାୟିତ୍ବ ନିର୍ବାହ କରିପାରେ, କିନ୍ତୁ ଏହା ତା’ପାଇଁ ଏକ କୃତ୍ରିମ କର୍ତ୍ତବ୍ୟ ହୋଇଥିବା ବେଳେ, ଜୈବିକ ପିତା ପାଇଁ ତାହା ସ୍ବାଭାବିକ୍‌ ହୋଇଥାଏ। ସୂଚାଇବା ଅନାବଶ୍ୟକ ଯେ ସମଲିଙ୍ଗୀ ପୁରୁଷ ଦମ୍ପତି କ୍ଷେତ୍ରରେ ଜଣେ ନାରୀ-ଜନନୀର ଅନୁପସ୍ଥିତି ସନ୍ତାନସନ୍ତତିଙ୍କର ଶାରୀରିକ ଓ ମାନସିକ ବିକାଶରେ ଘୋର ବାଧକ ସାଜିଥାଏ। ଯଦି ‌ସେଇ ପୁରୁଷ-ଦମ୍ପତି ମଧ୍ୟରୁ ଜଣେ ପୁଣି ଜନନୀ ଭୂମିକାରେ ଅଭିନୟ କରୁଥାନ୍ତି, ତାହା ସାମାଜିକ ମୁଖ୍ୟ ସ୍ରୋତଠାରୁ ଏତେ ଭିନ୍ନ ହୋଇଥାଏ ଯାହା ପିଲାମାନଙ୍କର ବ୍ୟକ୍ତିତ୍ବକୁ ବିକୃତ କରିବା ନିଶ୍ଚିତ। ଆଉ ଯଦି ସମଲିଙ୍ଗୀ ଦମ୍ପତି ମହିଳା ହୋଇଥାନ୍ତି, ତେବେ ପାଳିତ ସନ୍ତାନ ସନ୍ତତିମାନେ ଏକ ପିତୃହୀନ ପରିବାରରେ ଲାଳିତପାଳିତ ହେବେ ଯାହା ସେମାନଙ୍କ ପାଇଁ ଏକ ଅନୁରୂପ ଭାବେ ଅସ୍ବାଭାବିକ ପରିବେଶ ସୃଷ୍ଟି କରିଥାଏ।

ଏଥିରେ କୌଣସି ସ‌େନ୍ଦହ ନାହିଁ ଯେ ସମଲିଙ୍ଗୀ ବିବାହ ହେଉଛି ପାଶ୍ଚାତ୍ୟ ସଂସ୍କୃତିରୁ ଆମଦାନି ହୋଇଥିବା ଏକ ଧାରଣା। ଆମ ସମାଜରେ ଅନାଦି କାଳରୁ ଅନୁସୃତ ବିବାହ ହେଉଛି ଏକ ଗରିମାମୟ ଅନୁଷ୍ଠାନ। କୁହାଯାଇଥାଏ ଏହି ଅନୁଷ୍ଠାନ ମାଧ୍ୟମରେ ଏକ ଦମ୍ପତି କେବଳ ଏଇ ଗୋଟିଏ ଜନ୍ମ ପାଇଁ ନୁହେଁ, ସାତ ଜନ୍ମ ପାଇଁ ପରସ୍ପରକୁ ସାହଚର୍ଯ୍ୟ ‌େଦଇଥାନ୍ତି। ଜୀବନ ଯୁଦ୍ଧର ସମସ୍ତ ଅନିବାର୍ଯ୍ୟ ବାଧାବିଘ୍ନ ସତ୍ତ୍ବେ ସେମାନେ ପରସ୍ପର ପ୍ରତି ଅନୁଗତ ରହିଥାନ୍ତି। ଏହି ବିବାହକୁ କେନ୍ଦ୍ର କରି ଭାରତୀୟ ପରିବାର ଓ ସମାଜ ଗଠିତ ହୋଇଥାଏ। ଯେତେବେଳେ ଏହି ବିବାହ ଆଉ ନାରୀ-ପୁରୁଷ ମଧ୍ୟରେ ସୀମିତ ନ ରହି ସମଲିଙ୍ଗୀମାନଙ୍କ ମଧ୍ୟରେ ବି ଅନୁଷ୍ଠିତ ହେବ, ସେତେବେଳେ ଆମର ଏହି ମହିମାମୟ ପାରମ୍ପରିକ ବିବାହର ଗରିମା ଗୁରୁତର ‌ଭାବରେ କ୍ଷୁଣ୍ଣ ହେବା ନିଶ୍ଚିତ।

ଏହାର ପରିଣତି ଭୟଙ୍କର ହୋଇପାରେ। ପୂର୍ବରୁ କୁହାଯାଇଥିବା ଭଳି, ସନ୍ତାନ ଉତ୍ପାଦନ ଓ ଲାଳନପାଳନ ହେଉଛି ପାରମ୍ପରିକ ବିବାହର ମୂଳ ଲକ୍ଷ୍ୟ। ମାତା ମୁଖ୍ୟତଃ ସନ୍ତାନର ଲାଳନପାଳନ ଦାୟିତ୍ବ ବହନ କରିଥିବା ବେଳେ (ନାରୀବାଦୀମାନେ ଏହାର ବିରୋଧ କରିଥାନ୍ତି) ପିତା ସମ୍ବଳ ଯୋଗାଣ ଓ ସୁରକ୍ଷା ପ୍ରଦାନ ଦାୟିତ୍ବ ନିର୍ବାହ କରିଥାନ୍ତି। ସମଲିଙ୍ଗୀ ବିବାହ ପ୍ରସାର ଲାଭ କରି ସମଲିଙ୍ଗୀ ଦମ୍ପତିମାନଙ୍କର ଆବିର୍ଭାବ ଘଟିବା ପରେ ପାରମ୍ପରିକ ବିବାହ ସୃଷ୍ଟ ଦମ୍ପତିମାନଙ୍କର ସେମାନଙ୍କର ପରିବାର ଓ ସନ୍ତାନସନ୍ତତିମାନଙ୍କ ପ୍ରତି ପ୍ରଦର୍ଶିତ ଆଭିମୁଖ୍ୟ ଏହା ଦ୍ବାରା ପ୍ରଭାବିତ ହୋଇପାରେ। ଉଦାହରଣ ସ୍ବରୂପ ଯେତେବେଳେ ଦେଖାଯିବ ଯେ ଏକ ସମଲିଙ୍ଗୀ ନାରୀ-ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ କରି କିମ୍ବା ‘ସରେ‌ାଗେସି’ ମାଧ୍ୟମରେ (ଅନ୍ୟ ଜଣେ ନାରୀର ଗର୍ଭାଶୟ ଭଡ଼ାରେ ନେଇ) କିମ୍ବା ଟେଷ୍ଟ ଟ୍ୟୁବ୍‌ ପ୍ରଜନନ ମାଧ୍ୟମରେ ସନ୍ତାନ ସଂଗ୍ରହ କରି ଲାଳନପାଳନ କରି ପାରୁଛନ୍ତି ତଥା ପରିବାର ଗଠନ କରି ପାରୁଛନ୍ତି, ସେତେବେଳେ ପାରମ୍ପରିକ ପରିବାରର ପୁରୁଷ ପିତା ନିଜର ଦାୟିତ୍ବ ଖସାଇବା ପାଇଁ ଏକ ଆଭିମୁଖ୍ୟ ଗ୍ରହଣ କରିପାରେ ଯେ ଏହି ଭୂମିକା ନିର୍ବାହ ପାଇଁ ପୁରୁଷର ବିଶେଷ ଆବଶ୍ୟକତା ନାହିଁ। ସେ ଭାବିପାରେ ଯେଉଁ ସମାଜ ସମଲିଙ୍ଗୀ ନାରୀ-ଦମ୍ପତିମାନେ ସନ୍ତାନ ଲାଳନପାଳନ କରିବାକୁ ସ୍ବୀକୃତି ପ୍ରଦାନ କରୁଛି, ସେ ସମାଜ ବୋଧ ହୁଏ ବିଶ୍ବାସ କରେ ଯେ ପିଲାମାନେ କେବେ ହେଲେ ଏକ ପିତାଙ୍କୁ ଆବଶ୍ୟକ କରନ୍ତି ନାହିଁ।

ସନ୍ତାନସନ୍ତତିଙ୍କ ପ୍ରତି ପିତାଙ୍କର ଦାୟିତ୍ବବୋଧରେ ଏପରି ହ୍ରାସ ପାରମ୍ପରିକ ବିବାହର ସ୍ଥାୟିତ୍ବକୁ ମଧ୍ୟ ଦୋହଲାଇ ଦେଇପାରେ। କାରଣ, ଅନେକ ସମୟରେ ଦେଖାଯାଇଥାଏ ଯେ ସନ୍ତାନସନ୍ତତିଙ୍କ ସ୍ବାର୍ଥ ରକ୍ଷାର ପ୍ରାଥମିକତା ଏକ ଦୋଦୁଲ୍ୟମାନ ବିବାହକୁ ବିଚ୍ଛେଦରେ ସମାପ୍ତ ହେବାରୁ ରକ୍ଷା କରିଥାଏ; ସମଲିଙ୍ଗୀ ବିବାହର ଆବିର୍ଭାବ ଯୋଗୁଁ ଏହି ପ୍ରାଥମିକତାର ଅନ୍ତର୍ଦ୍ଧାନ ଘଟିଲେ ତା’ର ସନ୍ତାନର ଜନନୀଙ୍କ ପ୍ରତି ପୁରୁଷର ଆନୁଗତ୍ୟ ମଧ୍ୟ ଶିଥିଳ ହୋଇଯିବ। ପାଶ୍ଚାତ୍ୟ ସମାଜରେ ଘଟିଥିବା ଭଳି ଭାରତରେ ମଧ୍ୟ ବିବାହ ବିଚ୍ଛେଦ ଏକ ସାଧାରଣ ଦୃଶ୍ୟ‌େର ପରିଣତ ହେବ, ପରିବାର ନାମକ ନିରାପଦ ଦୁର୍ଗ ଭୁଶୁଡ଼ି ପଡ଼ିବ, ଭଗ୍ନ ଦୁର୍ଗର ସନ୍ତାନସନ୍ତତିମାନେ ଦିଶାହରା ହୋଇଯିବେ, ଭାରତୀୟ ସମାଜର ସଂହତି ଦୁର୍ବଳ ହୋଇଯିବ। ଏହି ପରିପ୍ରେକ୍ଷୀରେ ସମଲିଙ୍ଗୀ ବିବାହର ତୀବ୍ର ବିରୋଧ କରି ଏହାକୁ ଆଇନଗତ ସ୍ବୀକୃତି ପ୍ରଦାନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ଦାଖଲ କରିଥିବା ସତ୍ୟପାଠ ହେଉଛି ସମ୍ପୂର୍ଣ୍ଣ ଯଥାର୍ଥ।

ସମ୍ବନ୍ଧିତ ଖବର