ଦୁଇଟି କଳହର କଥା

ସାମାନ୍ୟ କଥନ - ପ୍ରୀତୀଶ ଆଚାର୍ଯ୍ୟ

ଲୋକାଲ ଟ୍ରେନରେ ମୋତେ ପ୍ରଥମେ ଘଣ୍ଟାକର ବାଟ ବେଣ୍ଡିଲରୁ ହାୱଡ଼ା ଏବଂ ତେଣିକି ସାତ ଘଣ୍ଟାର ବାଟ ଭୁବନେଶ୍ବର ଯାତ୍ରା କରିବାର ଥିଲା। କଲିକତାରୁ ଭୁବନେଶ୍ବରକୁ ଜନଶତାବ୍ଦୀରେ ସିଟ ଆରକ୍ଷଣ ସରିଥିଲା। ତେଣୁ ଲୋକାଲ ଟ୍ରେନରେ ସିଟ୍‌ଟିଏ ମିଳିଯିବା ପରେ ଆଶ୍ବସ୍ତିରେ ବସି ଅନ୍ୟ ଯାତ୍ରୀଙ୍କ ହାବଭାବ ନିରେଖିବାର ଅବକାଶ ପାଇଥିଲି। ମୋର ସାମନା ସିଟ୍‌ରେ ଜଣେ ଯାତ୍ରୀ ଦୁଇ ହାତ ଖୋଲି ସାମାନ୍ୟ ଆରାମରେ ବସିଥିଲେ, ଯଦ୍ଦ୍ବାରା ତାଙ୍କ ଦୁଇ ପାଖର ଯାତ୍ରୀ ଦ୍ବୟଙ୍କୁ ଖୁନ୍ଦିଖାନ୍ଦି ହେବାକୁ ପଡୁଥିଲା। ଉଭୟ ଯାତ୍ରୀ ସମ୍ଭାବ୍ୟ କଳହ ଆଶଙ୍କାରେ ପାଟି ଖୋଲି ନ ଥିଲେ। ଏହା କିନ୍ତୁ ଅନ୍ୟ ଜଣେ ଯାତ୍ରୀଙ୍କୁ ଅସହ୍ୟ ବୋଧ ହେଲା। ସେ ପ୍ରତିବାଦ କଲେ। ଆରାମ-ପସନ୍ଦ ଯାତ୍ରୀଙ୍କ ତର୍କ, ‘ସେମାନଙ୍କୁ’ ଯେତେବେଳେ ଏହା ବାଧୁ ନାହିଁ, ‘ଆପଣ’ କାହିଁକି ଚିନ୍ତିତ? ପ୍ରତିବାଦୀ ଯାତ୍ରୀ ତାଚ୍ଛଲ୍ୟ କରି କହିଲେ, ‘ଏତେ ଆରାମ ଲୋଡ଼ା ଯଦି, ଲୋକାଲ ଟ୍ରେନ ଛାଡ଼ି ‘ଓଲା’ ଟ୍ୟାକ୍ସିରେ ଆସ।’ କଳହ ଆଗକୁ ବଢ଼ିଲା। ‘ଆପଣ’ ସମ୍ବୋଧନରେ ଆରମ୍ଭ ହୋଇ ତାହା ‘ତୁମେ’ ଦେଇ ଶେଷରେ ‘ତୁ’ ଯାଏ ଗଲା।

ଭାଷା ମଧ୍ୟ ବଙ୍ଗଳାରେ ଆରମ୍ଭ ହୋଇ ମଝିରେ ଅଳ୍ପ ଇଂରେଜୀ ବାଟ ଦେଇ ପରିଶେଷରେ ହିନ୍ଦୀରେ ପହଞ୍ଚିଲା। ମୋର ଡର, ଏବେ ଏହା ହାତହାତିକୁ ଯିବ! ମାତ୍ର ତାହା ହେଲା ନାହିଁ, କାରଣ ସେଭଳି ସ୍ଥିତିରେ ଉଭୟଙ୍କୁ ନିଜ ନିଜ କଷ୍ଟ ଲବ୍‌ଧ ସିଟ୍‌ ତ୍ୟାଗ କରି ଛିଡ଼ା ହେବାକୁ ପଡ଼ିଥାନ୍ତା ମୋର ପଡ଼ୋଶୀ ଯାତ୍ରୀ ସମ୍ପୂର୍ଣ୍ଣ ଅପରିଚିତ ଥିବା ସତ୍ତ୍ବେ ଧୀରେ ମୋ କାନରେ କହିଲେ, ‘ହାୱଡ଼ାରେ ପହଞ୍ଚିବାକୁ ଆଉ କୋଡ଼ିଏ ମିନିଟ ବାକି। ଏଇଠି କହଳର ଆକସ୍ମିକ ମୃତ୍ୟୁ ହୋଇ ନ ପାରେ!’ ମୋର ଆଶ୍ବସ୍ତି ଭାବକୁ ସେ ବୋଧହୁଏ ମିଛ ବୋଲି ସୂଚାଇବାକୁ ଚାହୁଁଥିଲେ।

ସତକୁ ସତ ଏହି ବେଳାରେ ଜଣେ ତୃତୀୟ ଯାତ୍ରୀ ମଞ୍ଚକୁ ଓହ୍ଲାଇଲେ। ତାଙ୍କ କହିବା କଥା, ‘ଆପଣମାନେ ଉଭୟେ ହିନ୍ଦୀ ଭାଷୀ; ହେଲେ ବଙ୍ଗଳାରେ କାହିଁକି କଳହ ଆରମ୍ଭ କରିଥିଲେ? କି ଅଶୁଦ୍ଧ ବଙ୍ଗଳା! ଆରମ୍ଭରୁ ହିନ୍ଦୀରେ ହୋଇଥିଲେ ଅଧିକ ମଜା ମିଳିଥାନ୍ତା!’ ବାରାନ୍ତରେ ସେ କଳହରେ ‘ଆପଣ’ ସମ୍ବୋଧନର ଅନାବଶ୍ୟକତାକୁ ମଧ୍ୟ ଦର୍ଶାଇଲେ। ମାତ୍ର ଏହି ମନ୍ତବ୍ୟ ଶୁଣି ଉଭୟ କଳହ-ଗ୍ରସ୍ତ ଯାତ୍ରୀ ଅବିଳମ୍ବେ ଏକଜୁଟ ହେଲେ ଏବଂ ଅନ୍ୟର କଳହରୁ ଅଧିକ ମଜା ନେବାର ଅଭିପ୍ରାୟ ରଖିଥିବା ଏହି ତୃତୀୟ ଯାତ୍ରୀଙ୍କ ବି‌େରାଧରେ ମହାଯୁଦ୍ଧ ଘୋ‌ଷଣା କଲେ। ଏଥର ମଧ୍ୟ କଳହ ‘ଆପଣ’, ‘ତୁ‌େମ’ ଓ ‘ତୁ‌’ରେ ତଥା ବଙ୍ଗଳା, ଇଂରେଜୀ ଓ ହିନ୍ଦୀରେ କ୍ରମ ବିବର୍ତ୍ତିତ ହେଲା। ହାୱଡ଼ାର ପୂର୍ବବର୍ତ୍ତୀ ଲିଲୁଆ ଷ୍ଟେସନରେ ଟ୍ରେନ ପହଞ୍ଚିବା ଯାଏଁ କଳହ ମଧ୍ୟ ଗସ୍ତ କଲା ଏବଂ ସ୍ବାଭାବିକ ଭାବେ ସେଇଠି ସଦ୍‌ଗତି ଲାଭ କଲା, କାରଣ ଯାତ୍ରୀଙ୍କର ଏବେ ବଡ଼ ଚିନ୍ତା ଶୀଘ୍ର କେମିତି ଓହ୍ଲାଇବେ!

ମୋର ପରବର୍ତ୍ତୀ ଗନ୍ତବ୍ୟ ଜନଶତାବ୍ଦୀରେ ଭୁବନେଶ୍ବର। ପ୍ରଥମେ ନିଜ ଆରକ୍ଷିତ ସିଟ୍‌ର ମୁଣ୍ଡ ଉପରେ ବ୍ୟାଗଟି ପାଇଁ ମଧ୍ୟ ଜାଗା ଆରକ୍ଷଣ କଲି। ମୋ କଡ଼ ଓ ସାମନାର ଅନ୍ୟ ଯାତ୍ରୀ ଆସି ନ ଥାନ୍ତି। ଜାଣି, କିଛି ବେଳ ଏକାନ୍ତରେ ବସିବାକୁ ସୁଯୋଗ ମିଳିଲା। ଅନେକାନେକ କଳହର ଅଳିକତା, ନିରର୍ଥକତା ତଥା ଅହେତୁକତାକୁ ମୂଳରୁ ଦେଖିବା ଲାଗି ବଢ଼ିଆ ଅବସର! ମାତ୍ର ପୂର୍ବୋକ୍ତ କଳହ ଭଳି ଏହି ଅବସର ମଧ୍ୟ କ୍ଷଣିକ ସିଦ୍ଧ ହେଲା, କାରଣ ଗୋଟାଏ ସମୂହରେ ଆସି କିଛି ଯାତ୍ରୀ ମୋ କଡ଼ ଓ ସାମନା ସିଟ୍‌କୁ ଅଧିକାର କରିଦେଲେ। ସାଙ୍ଗରେ ମୁଣ୍ଡ ଉପରର ଥାକ ସବୁ ମଧ୍ୟ ସେମାନଙ୍କ ବ୍ୟାଗଗୁଡ଼ିକ ଦ୍ବାରା ଅଧିକୃତ ହେଲେ। ବଳକା ବ୍ୟାଗ କେତୋଟି ଅନାରକ୍ଷିତ ଯାତ୍ରୀଙ୍କ ଭଳି ଟ୍ରେନର ଚଟାଣକୁ ଆଶ୍ରୟ କଲେ।

ସେମାନେ ସମସ୍ତେ ଯୁବା ଏବଂ ପତି-ପତ୍ନୀର ଯୋଡ଼ି। ଗୋ‌ଷ୍ଠୀବଦ୍ଧ ହୋଇ ସାମୟିକ ଅବକାଶ କାଟିବା ଲାଗି ପୁରୀ ଭ୍ରମଣରେ ଯାଉଛନ୍ତି। ସେମାନଙ୍କ ହସଖୁସି, ପାରସ୍ପରିକ ମିତ୍ରତା ଏବଂ ଆପୋସ ସହଯୋଗ ପରିବେଶକୁ ଚଞ୍ଚଳ କରିଦେଲା। ସବୁ ଦେଖି ଭାରି ଖୁସି ଲାଗିଲା। ସେମାନଙ୍କ ଖୁସିରେ ନିଜେ ସମାହିତ ହେବାର ସ୍ବାଭାବିକ ଇଚ୍ଛା ଜାଗିଲା, ଯଦିଓ ତା’ ପାଇଁ କୌଣସି ଅବସର ନ ଥିଲା।

କିଛି ବେଳ ଉତ୍ତାରୁ ମତେ ବ୍ୟାଗରୁ ପାଣି ବୋତଲଟିକୁ କାଢ଼ିବାର ଥିଲା। ସେଥି ପାଇଁ ନିଜ ବ୍ୟାଗଟିକୁ ତଳକୁ ଓହ୍ଲାଇଲି। ପାଣି ବୋତଲ କାଢ଼ି ବ୍ୟାଗଟିକୁ ତା’ ପୂର୍ବ ସ୍ଥାନରେ ରଖିବାକୁ ଯାଇ ଦେଖିଲି, ସହ‌ଯାତ୍ରୀ ଗୋଷ୍ଠୀର ଜଣେ ଉତ୍ସାହୀ ସଭ୍ୟ ନିଜ ବଳକା ବ୍ୟାଗଟିଏ ତହିଁରେ ପୁରାଇ ସାରିଲେଣି। ମୁଁ ପ୍ରତିବାଦ କଲି। ତେଣିକି ସେମାନେ ସମସ୍ତେ ସମ ସ୍ବରରେ ତର୍କ ରଖିଲେ, ସିଟ୍‌ ଭଳି ବ୍ୟାଗ ରଖା ସ୍ଥାନ ମଧ୍ୟ ସେମାନଙ୍କ ଆରକ୍ଷିତ। ‘ଆପଣ କେଉଁଠି ବ୍ୟାଗ ରଖିବେ, ଆପଣ ବୁଝନ୍ତୁ!’ ମୋ ବ୍ୟାଗର ସ୍ଥାନଚ୍ୟୁତି ଥିଲା ମୋ ପାଇଁ ଏକ ଶୁଦ୍ଧ ଅପମାନ।

ଏବେ ସେମାନଙ୍କ ସମୂହ ମୋତେ ଏକ ଭ୍ରମଣକାରୀ ‘ଦଳ’ ବଦଳରେ ବିପଜ୍ଜନକ ‘ଭିଡ଼’ ତୁଲ୍ୟ ପ୍ରତୀତ ହେଲା। କିଛି ବେଳ ଆଗରୁ କଳହର ଅଳିକତା ଓ ଅର୍ଥହୀନତାକୁ ଦେଖିଥିଲି ବୋଲି ନିଜ ପକ୍ଷକୁ ତୀବ୍ର କଲି ନାହିଁ। ବ୍ୟାଗଟିକୁ ବାଧ୍ୟ ହୋଇ ତଳେ ରଖିଲି ଏବଂ ଉପସ୍ଥିତ ସ୍ଥିିତି‌େର ମୁହଁ ବନ୍ଦ ରଖିବାକୁ ସ୍ଥିର କଲି। ସେମାନଙ୍କ ବିଜୟ-ଭାବ କ’ଣ ମୋର ଅନ୍ତରକୁ ବ୍ୟସ୍ତ-ବିବ୍ରତ କରୁଥିଲା? ଉତ୍ପନ୍ନ ସ୍ଥିତିରେ ଚୁପ୍‌ ରହିବା କ’ଣ ମୋର ଶୁଦ୍ଧ ଦୁର୍ବଳତା ବା ଭିଡ଼ ଭିତରେ ଏକଲା ପଡ଼ି ଯିବାର ଅସହାୟତା?

ଆକାଶର ଗତିଶୀଳ ମେଘ ଭଳି ନାନା ଚିନ୍ତା ମନକୁ ଆସୁଥାଏ। ଆଦର୍ଶ ମଣୁଥିବା ଦୁଇ-ତିନି ଜଣ ମହାପୁରୁଷଙ୍କୁ ମୋ ନିଜ ସ୍ଥାନରେ ରଖି ଘଟଣାର ପୁନର୍ମଞ୍ଚନ କଲି। ଏହି ସ୍ଥିତିରେ ସେମାନେ କ’ଣ ପରିଣାମକୁ ବେଖାତିର କରି ଯୁଦ୍ଧଂ ଦେହିର ଡାକରା ଦେଇଥାନ୍ତେ? ନା, ପୂର୍ବୋକ୍ତ କଳହ ଭଳି ବର୍ତ୍ତମାନ ସେମାନଙ୍କ ବିଜୟ-ଭାବକୁ ଅଳିକ, ତାତ୍କାଳିକ, ବୁଦବୁଦ ପ୍ରାୟ କ୍ଷଣସ୍ଥାୟୀ ମନେ କରି ସ୍ଥିର ଚିତ୍ତ ରହିଥାନ୍ତେ? ନିଜେ ସାମିଲ ନ ଥିଲି ବୋଲି ସେହି କଳହକୁ ଯେମିତି ନିରେଖି ପାରୁଥିଲି,ଏବେ ନିଜେ କ’ଣ ମୋ ପ୍ରତିପକ୍ଷର ବିଜୟ-ଭାବକୁ ବସ୍ତୁନିଷ୍ଠ ହୋଇ ପରଖି ପାରୁଛି? ପ୍ରଶ୍ନ ଅନେକ, ହେଲେ ଉତ୍ତର କାହିଁ!

ମୋର ଭାବନାରେ ହଠାତ୍‌ ପୂର୍ଣ୍ଣଚ୍ଛେଦ ପଡ଼ିଲା, ଯେତେବେଳେ ନିଜ ବଳକା ବ୍ୟାଗଟିକୁ ପୂର୍ବରୁ ଜୋର କରି ପୂରାଇ ଦେଇଥିବା ଉତ୍ସାହୀ ସହଯାତ୍ରୀ ଜଣକ ମୋର ଦୁଇ ହାତକୁ ଧରି କ୍ଷମା ମାଗିଲେ। ଏ ଭିତରେ ସେ ନିଜ ବ୍ୟାଗକୁ ତଳକୁ ଆଣିଥିଲେ। ତା’ ସ୍ଥାନରେ ମୋ ବ୍ୟାଗକୁ ରଖିବାରେ ସାହାଯ୍ୟ କରିବାକୁ ଅନୁମତି ମାଗୁଥିଲେ। ‘ନା, ଏଠି ଥାଉ’, ‘ଚଳିବ’, ‘ଆଉ କିଛି ଘଣ୍ଟାର କଥା ତ’ ଆଦି ଶବ୍ଦରେ ଅଭିବ୍ୟକ୍ତ ମୋର ପ୍ରତ୍ୟେକ ବାରଣ ତାଙ୍କୁ ଯେମିତି ଅଧିକ ଭାଙ୍ଗିରୁଜି ଦେଉଛି? ମୋର ବ୍ୟାଗଟିକୁ ତା’ ‘ପୂର୍ବ ସ୍ଥାନ’ରେ ରଖିବାକୁ ସେ ଯେମିତି ସଂକଳ୍ପବଦ୍ଧ! ଜଣେ ମହିଳା, ଯିଏ ଆଗରୁ ଦଳର ପକ୍ଷ ନେବାରେ ଅଧିକ ମୁଖର ଥିଲେ ଏବେ କହିଲେ, ‘ମୁଁ ଆପଣଙ୍କ ଝିଅ ତୁଲ୍ୟ। ଆପଣ ମତେ ଥରେ କ୍ଷମା କରିବେ ନାହିଁ?’

ଏହା ଉତ୍ତାରୁ ମୋର କିଛି କହିବାର ନ ଥିଲା। ଏବେ ଯୁବା ଦଳଟି ଏମିତି ମହତ୍ତର ମନେ ହେଲେ ଯେ ସେମାନଙ୍କୁ କ୍ଷମା କରିବାର ମୋର ସାମର୍ଥ୍ୟ ବି ନ ଥିଲା। ପୂର୍ବର ବିଜୟ-ଭାବ ତୁଳନାରେ କ୍ଷମା ଯାତନା ସେମାନଙ୍କୁ ଅଧିକ ବଡ଼ କରି ପକାଇଥିଲା। ତେବେ କଳହ ତଥା କଳହରେ ବିଜୟ-ଭାବ ଭଳି ବ୍ୟକ୍ତିର ଅପମାନ ବି କ’ଣ ଅଳିକ ବା କ୍ଷଣିକ?
ଭାବିଲି, ଗୋଟିଏ ମୁହୂର୍ତ୍ତର ଧାରଣା‌େର କାହାକୁ ସହସା ଖଳନାୟକତ୍ବରେ ଭୂଷିତ କରିଦେବା ପୂର୍ବରୁ କ୍ଷଣିଏ ବିଚାର କରିବା ଆବଶ୍ୟକ କି?
[email protected]

ସମ୍ବନ୍ଧିତ ଖବର